କୋଣାର୍କ ୧୬୬ତମ ସଂଖ୍ୟା

 

 

 

 

 

 

 

 

 

୧୬୬ତମ ସଂଖ୍ୟା କୋଣାର୍କ ୨୦୧୩

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

ଉପଦେଷ୍ଟା

ଶ୍ରୀ ସାତକଡ଼ି ହୋତା

 

ସମ୍ପାଦକ ମଣ୍ଡଳୀ

ଶ୍ରୀ ଗିରି ଦଣ୍ଡସେନା

ଡକ୍ଟର ବିଜୟାନନ୍ଦ ସିଂହ

ଶ୍ରୀ ବିଜୟ କୁମାର ନାୟକ

 

ସୌଜନ୍ୟ ସମ୍ପାଦକ :

ଡକ୍ଟର ଉପେନ୍ଦ୍ର କୁମାର ନାୟକ

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

 

ଏକାଡେମୀ କର୍ତ୍ତୃକ ସର୍ବସତ୍ତ୍ୱାଧିକାର ସଂରକ୍ଷିତ । ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ୱ ।

 

ବିଷୟ ସୂଚୀ

 

ସମ୍ପାଦକୀୟ

 

 

୧.

ଓଡ଼ିଆ ନାଟ୍ୟ ପରମ୍ପରାରେ କବି ଜଗନ୍ନାଥ ପାଣି

:

କୃଷ୍ଣଚରଣ ବେହେରା

୨.

ରୀତିକାବ୍ୟ ପରମ୍ପରାରେ ଜଗନ୍ନାଥ ପାଣିଙ୍କ କାବ୍ୟ ଓ ଛାନ୍ଦ-ନାଟକ : ଏକ ବିଚାରବିମର୍ଶ

:

ବୈଷ୍ଣବ ଚରଣ ସାମଲ

୩.

ଓଡ଼ିଆ ନାଟ୍ୟ ସାହିତ୍ୟକୁ ଜଗନ୍ନାଥ ପାଣିଙ୍କ ଦାନ

:

ହେମନ୍ତ କୁମାର ଦାସ

୪.

ଲୋକକବି ଜଗନ୍ନାଥ ପାଣି ସାହିତ୍ୟର ପ୍ରଚାର ଓ ପ୍ରସାର

:

ଯୁଗଳ କିଶୋର ପଟ୍ଟନାୟକ

୫.

ଜଗନ୍ନାଥ ପାଣିଙ୍କ ସୃଷ୍ଟି ଚେତନା

:

ବିନୋଦ ବିହାରୀ ପଲାଇ

୬.

ଓଡ଼ିଆ ଲୋକନାଟକର ଜନକ : ଜଗନ୍ନାଥ ପାଣି

:

ବାଉରୀବନ୍ଧୁ କର

୭.

ଜଗନ୍ନାଥ ପାଣିଙ୍କ ସୃଷ୍ଟିରେ ଆଳଙ୍କାରିକତା ଓ ରୀତିକାବ୍ୟାଦର୍ଶ

:

ସଂଘମିତ୍ରା ମିଶ୍ର

୮.

ଜଗନ୍ନାଥ ପାଣିଙ୍କ ଛାନ୍ଦ ନାଟ୍ୟରେ ସମାଜ ଚିତ୍ର

:

ବିଜୟ ମହାନ୍ତି

୯.

ଜଗନ୍ନାଥ ପାଣିଙ୍କ କାବ୍ୟ ନାଟକରେ ଶୃଙ୍ଗାର ଚେତନା

:

ରମାକାନ୍ତ ରାଉତ

୧୦.

ଓଡ଼ିଆ ଛାନ୍ଦନାଟ୍ୟର ପ୍ରବକ୍ତା ଜଗନ୍ନାଥ ପାଣି

:

ସୁରେନ୍ଦ୍ର କୁମାର ମହାରଣା

୧୧.

ଅଲୌକିକ କାବ୍ୟ-ସାଧକ କାବ୍ୟକାର ଜଗନ୍ନାଥ ପାଣି

:

ଅପୁର୍ବ ରଞ୍ଜନ ରାୟ

୧୨.

ଓଡ଼ିଆ ଯାତ୍ରାର ଅଗ୍ରଦୂତ : ଜଗନ୍ନାଥ ପାଣି

:

ଅଚ୍ୟୁତାନନ୍ଦ ସାମଲ

୧୩.

ଲୋକକବି : ଏକ ଅନ୍ତରଙ୍ଗ ଦୃଷ୍ଟିପାତ

:

ପବିତ୍ର ପାଣିଗ୍ରାହୀ

୧୪.

ଜଗନ୍ନାଥ ପାଣିଙ୍କ ଉଷାବତୀ ହରଣ ଏବଂ ଶିଶୁଶଙ୍କର ଦାସଙ୍କ ଉଷାଭିଳାଷ; ଏକ ତୁଳନାତ୍ମକ ଅଧ୍ୟୟନ

:

ତମସା ଦାସ ମହାପାତ୍ର

୧୫.

ସଙ୍ଗୀତ, ସାହିତ୍ୟ, ଗୀତିନାଟ୍ୟର ତ୍ରିବେଣୀ : ଜଗନ୍ନାଥ ପାଣି, ଗୋପାଳ ଦାସ ଓ ବୈଷ୍ଣବ ପାଣି

:

ବିଶ୍ୱେଶ୍ୱର ମହାନ୍ତି

୧୬.

ଜଗନ୍ନାଥ ପାଣିଙ୍କ ବହୁମୁଖୀ ପ୍ରତିଭା

:

ନିବେଦିତା ରାଉତ

୧୭.

ଜଗନ୍ନାଥ ପାଣିଙ୍କୁ ମନେ ରଖିଛୁ କାହିଁକି ?

:

ବାବାଜୀ ଚରଣ ପଟ୍ଟନାୟକ

୧୮.

ଜଗନ୍ନାଥ ପାଣିଙ୍କ ଛାନ୍ଦନାଟ୍ୟରେ ନାରୀ

:

ଉପେନ୍ଦ୍ର ପ୍ରସାଦ ନାୟକ

 

 

ସମାଚାର ପଞ୍ଜୀକରଣ (କେନ୍ଦ୍ରୀୟ) ନିୟମ ୧୯୫୬ ଅଷ୍ଟମ ଅଧିନିୟମ ଅନୁଯାୟୀ ମୁଦ୍ରଣ ଓ ପୁସ୍ତକ ଅଧିନିୟମର ୧୯ଡି ଧାରା-ବି ଅନ୍ତର୍ଗତ ‘କୋଣାର୍କ’ ନାମକ ସାରସ୍ୱତ ପତ୍ରିକାର ସତ୍ତ୍ୱ ଆଦି ସମ୍ୱନ୍ଧୀୟ ବିବରଣୀ ।

 

ଚତୁର୍ଥ ପ୍ରପତ୍ର (ନିୟମ-୮ ଦ୍ରଷ୍ଟବ୍ୟ)

 

୧.

ପତ୍ରିକାର ନାମ

କୋଣାର୍କ

୨.

ପଞ୍ଜୀକରଣ ସଂଖ୍ୟା

ଆର.ଏନ୍.୪୦୪୭/୫୮

୩.

ଭାଷା

ଓଡ଼ିଆ

୪.

ପ୍ରକାଶନର ଆବର୍ତ୍ତତା

ତ୍ରୈମାସିକ

୫.

ମୂଲ୍ୟ

ଟ ୩୦/- (ତିରିଶ ଟଙ୍କା)

୬.

ପ୍ରକାଶକଙ୍କ ନାମ

ଶ୍ରୀ ବିଜୟ କୁମାର ନାୟକ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର-୧୪

୭.

ମୁଦ୍ରାକରଙ୍କ ନାମ

ଶ୍ରୀ ସୁଧୀର ମଉଡ଼ମଣି

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ବିଶ୍ୱମୁକ୍ତି ପବ୍ଲିକେଶନ ଚନ୍ଦ୍ରଶେଖରପୁର, ଭୁବନେଶ୍ୱର-୨୩

୮.

ସମ୍ପାଦକଙ୍କ ନାମ

ଶ୍ରୀ ବିଜୟ କୁମାର ନାୟକ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର-୧୪

୯.

ମୁଦ୍ରଣ ସ୍ଥାନ

ବିଶ୍ୱମୁକ୍ତି ପବ୍ଲିକେଶନ ଚନ୍ଦ୍ରଶେଖରପୁର, ଭୁବନେଶ୍ୱର-୨୩

୧୦.

ସତ୍ତ୍ୱ

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ରାଜ୍ୟ ସଂଗ୍ରହାଳୟ ପରିସର ଭୁବନେଶ୍ୱର-୧୪

 

ମୁଁ ଶ୍ରୀ ବିଜୟ କୁମାର ନାୟକ, ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ ଏତଦ୍ଦ୍ୱାରା ଘୋଷଣା କରୁଛି ଯେ ଉପରୋକ୍ତ ବିବରଣୀ ମୋର ଜ୍ଞାନ ଓ ବିଶ୍ୱାସମତେ ସତ୍ୟ ଅଟେ ।

 

 

ଶ୍ରୀ ବିଜୟ କୁମାର ନାୟକ

ସଚିବ

ଓଡ଼ିଶା ସାହିତ୍ୟ ଏକାଡେମୀ

 

***

 

ସମ୍ପାଦକୀୟ

ଓଡ଼ିଆ ସାହିତ୍ୟରେ ଆଦି ଗୀତିନାଟ୍ୟକାର ଭାବରେ ଖ୍ୟାତ ଜଗନ୍ନାଥ ପାଣିଙ୍କ ଜୀବନକାଳ ୧୮୩୬ ମସିହାରୁ ୧୮୯୭ ମସିହା ମଧ୍ୟରେ ସୀମିତ । ସେ ଏକାଧାରାରେ ଥିଲେ କବି, ଗୀତିନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ । କିନ୍ତୁ ତାଙ୍କ ରଚିତ ‘ଉଷାବତୀ ହରଣ’ର ସେହି ଉକ୍ତି ‘ବନର ମାଳତୀ, ପ୍ରାୟ ହେଲି ଆସିମୁହିଁ, ବନେ ଫୁଟି ଝରିଗଲି ନ ଜାଣିଲେ କେହି, ଯେମିତି ପ୍ରଯୁଜ୍ୟ ଥିଲା ତାଙ୍କ ନିଜପ୍ରତି । ଏହି ବିସ୍ତୃତ ପ୍ରାୟ ପ୍ରତିଭା ବିଂଶଶତାବ୍ଦୀର ଶେଷ ପର୍ଯ୍ୟାୟରେ ସବିଶେଷ ଚର୍ଚ୍ଚାର ପରିସରକୁ ଆସିଲେ ।

 

କବି ଜଗନ୍ନାଥ ପାଣିଙ୍କ ପୂର୍ବରୁ ଗୀତିନାଟ୍ୟ ରଚିତ ହୋଇଥିବାର କୌଣସି ପ୍ରମାଣ ଅଦ୍ୟାପି ମିଳେନାହିଁ । ସୁତରାଂ ସେ ଯେ ଓଡ଼ିଆ ସାହିତ୍ୟର ଆଦି ଗୀତିନାଟ୍ୟକାର ଏହା ସର୍ବଜନ ସମ୍ମତ । ତାଙ୍କ ପୁର୍ବରୁ ଅର୍ଥାତ୍‌ ଅଷ୍ଟାଦଶ ଶତାବ୍ଦୀରେ ବିଭିନ୍ନ ପ୍ରକାର ତାମସା ରଚିତ ହୋଇଥିବାର ପ୍ରମାଣ ମିଳେ । ଭଦ୍ରକର ବଂଶୀବଲ୍ଲଭ ଗୋସ୍ଵାମୀ ‘ମୋଗଲ ତାମସା’, ‘ଯୋଗୀ ତାମସା’, ‘ଫକୀର ତାମସା’ ଓ ‘ରାଧାକୃଷ୍ଣ ତାମସା’ ଆଦି ତାମସା ରଚନା କରିଥିଲେ । କିନ୍ତୁ ଏହିସବୁ ତାମସାରେ ଓଡ଼ିଆ ଭାଷା ବ୍ୟତୀତ ଉର୍ଦ୍ଦୁ, ପାର୍ଶି ଓ ବଙ୍ଗଳା ଭାଷାର ପ୍ରୟୋଗ ଦେଖାଯାଏ । ଭଦ୍ରକ ଉପକଣ୍ଠ ନିବାସୀ ଜଗନ୍ନାଥ ପାଣି ଖୁବ୍‌ ସମ୍ଭବତଃ ଏହିସବୁ ତାମସା ସଂସ୍ପର୍ଶରେ ଆସି ସେଥିରେ ଥିବା ଅଣଓଡ଼ିଆ ଶବ୍ଦ ପ୍ରାଚୁର୍ଯ୍ୟରେ ବ୍ୟଥିତ ହୋଇଥିଲେ ଏବଂ ସେଥପାଇଁ ବିଶୁଦ୍ଧ ଓଡ଼ିଆରେ ଛାନ୍ଦନାଟ୍ୟ ରଚନା ପାଇଁ ମନୋନିବେଶ କରିଥିଲେ । ଛାନ୍ଦନାଟ୍ୟ ରଚନା କରିବା ସହ ସେ ନିଜର ଏକ ଯାତ୍ରାଦଳ ଗଠନ କରି ତା’ ମାଧ୍ୟମରେ ଅଭିନୟ ପ୍ରଦର୍ଶନ କରାଉଥିଲେ ମଧ୍ୟ, ଓଡ଼ିଶାର ଉତ୍ତରାଞ୍ଚଳରେ ତାଙ୍କ ଯାତ୍ରାଦଳ ବେଶ୍‌ ସୁଖ୍ୟାତି ଅର୍ଜନ କରିଥିଲା । ତାଙ୍କ ରଚିତ ତଥା ନିର୍ଦ୍ଦେଶିତ ‘ଲକ୍ଷ୍ମଣ ଶକ୍ତିଭେଦ’ : ନାଟକ ସେ କାଳରେ ସର୍ବାଧିକ ଲୋକପ୍ରିୟତା ଲାଭ କରିଥିଲା ବୋଲି କୁହାଯାଏ ।

 

ଜଗନ୍ନାଥ ପାଣିଙ୍କ ଉଲ୍ଲେଖନୀୟ ରଚନା ମଧ୍ୟରେ ରହିଛି ‘ସୀତାବନବାସ’, ‘ବଳୀବାମନ’, ‘ରଣଜିତରାଜ ଉପାଖ୍ୟାନ’, ‘ଦକ୍ଷଯଜ୍ଞ’, ‘ପାରିଜାତ ହରଣ’, ‘ଉଷାବତୀ ହରଣ’, ‘ଲକ୍ଷ୍ମଣ ଶିକ୍ତିଭେଦ’, ‘ଧ୍ରୁବ ଚରିତ’, ‘ପ୍ରହଲ୍ଲାଦ ଚରିତ’ ‘ହାରାବତୀ ହରଣ’, ‘ଚଉପଦୀ ରତ୍ନାବଳୀ’ ଓ ‘ସୁଭଦ୍ରା ପରିଣୟ’ ଇତ୍ୟାଦି ।

 

ଯେଉଁ କବି ବା ଲେଖକ ସମକାଳର ସତୀର୍ଥ ଓ ଉତ୍ତରପିଢ଼ିକୁ ପ୍ରଭାବିତ କରିପାରନ୍ତି, ତାଙ୍କୁ ସୁକବି କୁହାଯିବା ଯଥାର୍ଥ । ଗଣକବି ବୈଷ୍ଣବ ପାଣି ଜଗନ୍ନାଥ ପାଣିଙ୍କ ବିଷୟରେ ଯାହା କହିଛନ୍ତି ତାହା ଏଠାରେ ପ୍ରଣିଧାନଯୋଗ୍ୟ : ‘‘ସେତେବେଳେ ଓଡ଼ିଶାରେ ଯାତ୍ରାଦଳ ଅତି ବିରଳ । କେବଳ ମାତ୍ର ମୋର ଦଳଟି କଟକ-ପୁରୀ ଅଞ୍ଚଳରେ ଶ୍ରେଷ୍ଠ ଦଳ ବୋଲାଇଥାଏ । ସେତେବେଳେ ଭଦ୍ରକସ୍ଥ ନଳାଙ୍ଗ ନିବାସୀ କବି ଜଗନ୍ନାଥ ପାଣିଙ୍କ ଲୀଳା ସମାଜ, ଅଶ୍ଵମେଧ ଯଜ୍ଞ, ମହୀରାବଣ ବଧ, ଦକ୍ଷଯଜ୍ଞ ଏବଂ ପାରିଜାତ ହରଣ ଇତ୍ୟାଦି ନାଟକ ମୋର ପ୍ରଧାନ ସମ୍ବଳ ହୋଇଥିଲା ।’’ କବି ଜଗନ୍ନାଥ ପାଣିଙ୍କ ନାଟକ କେବଳ ଯେ ତାଙ୍କ ଯାତ୍ରାଦଳ ଦ୍ଵାରା ମଞ୍ଚସ୍ଥ ହେଉଥଲା ତା’ ନୁହେଁ, ଅନ୍ୟ ଯାତ୍ରାଦଳ ଦ୍ଵାରା ମଧ୍ୟ ପରିବେଷିତ ହେଉଥିଲା । ତତ୍କାଳୀନ ନାଟ୍ୟ ଓ ସାରସ୍ଵତ ଜଗତରେ ଜଗନ୍ନାଥ ପାଣି ଯେ ଥିଲେ ଏକ ଅନ୍ତରଙ୍ଗ ସ୍ଵର, ଏଥିରେ ସନ୍ଦେହର ଅବକାଶ ନାହିଁ ।

 

କବି ଜଗନ୍ନାଥ ପାଣିଙ୍କ ରଚନା ଗୁଡ଼ିକ ମୁଖ୍ୟତଃ ପୌରାଣିକ କଥାବସ୍ତୁ ଉପରେ ଆଧାରିତ । ଅଭିଜାତ ସମାଜର ଚରିତ୍ରମାନେ ସେଥିରେ ସ୍ଥାନିତ ହେବା ସ୍ଵାଭାବିକ । କିନ୍ତୁ କବି ଜଗନ୍ନାଥ ନିଜ ସମୟର ଚିତ୍ର ଓ ଚରିତ୍ରମାନଙ୍କୁ ନିଜ ଗୀତିନାଟ୍ୟରେ ଖୁବ ଜୀବନ୍ତ ଭାବରେ ପ୍ରତିଫଳିତ କରାଇଛନ୍ତି । ଓଡ଼ିଶାର କୃଷିଭିତ୍ତିକ ସମାଜ ଓ ଶ୍ରମଜୀବୀ ସମାଜର କଥା ପରୋକ୍ଷରେ ହେଲେ ବି ପାଣିଙ୍କ ରଚନାରେ ଅନେକତ୍ର ପରିଦୃଷ୍ଟ । ଡକ୍ଟର ହେମନ୍ତ କୁମାର ଦାସ ଠାଏ ଯଥାର୍ଥରେ ଲେଖିଛନ୍ତି, ‘‘ପାଣିକବି ମଧ୍ୟ ନିଜ ଲୋକନାଟକଗୁଡ଼ିକରେ ଯେଉଁ ପାତ୍ରପାତ୍ରୀଙ୍କୁ ଆଣିଛନ୍ତି, ସେମାନେ ବହିରଙ୍ଗରେ ଅଭିଜାତ, ଦେବତା, ରାକ୍ଷସ ହୋଇଥିଲେ ମଧ୍ୟ ସେମାନଙ୍କର ଅନ୍ତଃସତ୍ତା ସମ୍ପୂର୍ଣ୍ଣ ରୂପେ ଏ ଦେଶର ମାଟିର ମଣିଷର ଅନୁସରଣରେ କଚ୍ଛିତ ।’’ ‘‘ଦକ୍ଷଯଜ୍ଞ’’ରେ ଗଙ୍ଗା ଓ ପାର୍ବତୀଙ୍କର କଳହର ଚିତ୍ର ହେଉ ବା କେଳା କେଳୁଣୀର କଥୋପକଥନ ହେଉ- ଏସବୁରେ ନିଜ ମାଟିର ଗନ୍ଧ ଓ ନିଜ ପରିପାର୍ଶ୍ଵରେ ଆତଯାତ ସାଧାରଣ ଚରିତ୍ରମାନଙ୍କ ଜୀବନଯାପନର ଚିତ୍ର ବେଶ୍‌ ପରିସ୍ପୁଟ ।

 

ବିଷୟବସ୍ତୁ ଚୟନ ପରି ଜଗନ୍ନାଥ ପାଣିଙ୍କ ଭାଷା ପ୍ରୟୋଗ କେଉଁଠି ଆଡ଼ମ୍ବରପୂର୍ଣ୍ଣ ତ କେଉଁଠି ଗ୍ରାମୀଣ । ନିଜ ରଚନାକୁ ନିଜେ କବି ନାରିକେଳ ପାକ ଭାବରେ ଅଭିହିତ କରିଛନ୍ତି । ଏହି ଯେମିତି ‘ପ୍ରମୋଦ ଚନ୍ଦ୍ରମଣି’ରେ କବି ଲେଖିଛନ୍ତି- ‘କେବଳ ଏ ଗୀତ ନାରିକେଳର ପ୍ରାୟେକ, କଠୋର ୟା’ ବାହ୍ୟ କୋମଳ ଅନ୍ତରଯାକ’ । କିନ୍ତୁ କବି ଅତି ପ୍ରାସଙ୍ଗିକ ଭାବରେ ଅଭିଜାତ ଚରିତ୍ରମାନଙ୍କ ମୁହଁରେ ଆଡ଼ମ୍ବରପୁର୍ଣ୍ଣ ଭାଷା ପ୍ରୟୋଗ କରାଇଥିବାବେଳେ ଅନ୍ୟାନ୍ୟ ଚରିତ୍ରମାନଙ୍କ ତୁଣ୍ଡରେ ଯଥାସମ୍ଭବ ଗ୍ରାମ୍ୟ ଭାଷା କୁହା କରାଇଛନ୍ତି । ‘ଲକ୍ଷ୍ମଣ ଶକ୍ତିଭେଦ’ରେ ରାମଙ୍କ ବିଳାପ ଏହିପରି : ‘‘ଯେଉଁ ଶମ୍ପା ଚମ୍ପା ଅଙ୍ଗ ଚାହିଁ. କାଳେ କାମିନୀ ହୁଅନ୍ତି ମୋହି, ସେହି ଦେହି ଏହି ମହୀରେ ଲୋଟିଲା, ଏହା ନୟନେ ଦେଖିଲି ମୁହିରେ ସୌମିତ୍ରୀ’’ । ଏ ଶବ୍ଦାଡ଼ମ୍ବର ପ୍ରାୟତଃ ରୀତିଯୁଗୀୟ । କିନ୍ତୁ ରଜକ ଉକ୍ତିରେ ଭାଷା ସାବଲୀଳ, ଗ୍ରାମୀଣ ‘‘ଆଜକୁ ପନ୍ଦର ଦିନ ହେଲା ତୋର ଦେଖାନାହିଁ କେଣେ ଗଲୁ, ଗଲାଦିନ ରାତି ଅଧରେ ଯାଇ ତୁ କାହା ସାଇରେ ଶୋଇଲୁ ।’’ ଚରିତ୍ର ମାଫିକ ଶବ୍ଦ ପ୍ରୟୋଗରେ ଯେ କବି ପାଣି ଥିଲେ ନିପୁଣ, ଏହା ଉପରୋକ୍ତ ଉର୍ଦ୍ଧୃତ ଗୁଡ଼ିକରୁ ସ୍ପଷ୍ଟ ।

 

କବି ଜଗନ୍ନାଥ ପାଣିଙ୍କ ସାହିତ୍ୟ ସାଧନାର ସମୟ ଓଡ଼ିଆ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ କାଳଖଣ୍ଡ । ଓଡ଼ିଶା ବ୍ରିଟିଶ ଶାସନାଧୀନ । ସେତେବେଳକୁ ଓଡ଼ିଆ ସାହିତ୍ୟର ରୀତିଯୁଗ ଶେଷ, ଅଥଚ ଆଧୁନିକ ଯୁଗ ଅନାଗତ । କିନ୍ତୁ ରୀତିଯୁଗର ଛାୟାଛନ୍ନ ମାଧୁର୍ଯ୍ୟରେ ତଥାପି ପୁଲକିତ ଥିଲା ତତ୍‌କାଳୀନ ଓଡ଼ିଶାର ଗ୍ରାମ୍ୟଜୀବନ । ଆଧୁନିକତାର ସୂର୍ଯ୍ୟୋଦୟ ହୋଇନଥିଲେ ବି ନବଚେତନାର ସିନ୍ଦୂରା ଫାଟିବାର ଉପକ୍ରମ ହୋଇଥିଲା ପୂର୍ବାକାଶରେ । ଏପରି ଏକ ସନ୍ଧିକାଳକୁ ପ୍ରତିନିଧତ୍ୱ କରୁଥିବା କବି ଜଗନ୍ନାଥ ପାଣି ଯେମିତି ଦୁଇଯୁଗ ମଧ୍ୟରେ ଥଲେ ସଂଯୋଗର ସେତୁଟିଏ । ତେଣୁତାଙ୍କ ସାହିତ୍ୟରେ ରୀତିଯୁଗୀୟ ଆଭିଜାତ୍ୟ ଓ ଆଡ଼ମ୍ବର ସାଙ୍ଗକୁ ପ୍ରାକ୍‌ ଆଧୁନିକ ମାଟି ମନସ୍କତାର ଏକ ସୂକ୍ଷ୍ମ ପ୍ରଲେପର ସନ୍ଧାନ ମିଳେ ।

 

କବି ଜଗନ୍ନାଥ ପାଣିଙ୍କ ଗ୍ରନ୍ଥାବଳୀ ଓ ତାଙ୍କ ସାହିତ୍ୟ ସମ୍ପର୍କରେ କୋଣାର୍କର ଏକ ବିଶେଷ ସଂଖ୍ୟା ପ୍ରକାଶନ ତଥା ତାଙ୍କ ଜୟନ୍ତୀ ପାଳନ ମାଧ୍ୟମରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓଡ଼ିଆ ସାହିତ୍ୟର ଏହି ଅମିତ ପ୍ରତିଭାଧର କବିଙ୍କ ପୁନରାବିଷ୍କାରରେ ନିଜକୁ ସମ୍ପୃକ୍ତ କରିଛି । କବିଙ୍କ ପ୍ରତି ଓଡ଼ିଶା ସାହିତ୍ୟ ଏକାଡେମୀ ପରିବାର ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଏବଂ ‘କୋଣାର୍କ’ ପୃଷ୍ଠାମଣ୍ଡନ କରିଥିବା ଲେଖକା/ଲେଖିକା ତଥା ସମ୍ପାଦକମଣ୍ଡଳୀ ଓ ସୌଜନ୍ୟ ସମ୍ପାଦକଙ୍କ ନିକଟରେ ଅକୃତ୍ରିମ କୃତଜ୍ଞତା ।

ସମ୍ପାଦକମଣ୍ଡଳୀ ପକ୍ଷରୁ

ଶ୍ରୀ ବିଜୟ କୁମାର ନାୟକ

 

ଓଡ଼ିଆ ନାଟ୍ୟ ପରମ୍ପରାରେ କବି ଜଗନ୍ନାଥ ପାଣି

କୃଷ୍ଣଚରଣ ବେହେରା

 

ଖ୍ରୀଷ୍ଟୀୟ ଊନବିଂଶ ଶତାବ୍ଦୀ ଓଡ଼ିଶାର ସାହିତ୍ୟ-ସଂସ୍କୃତି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ କାଳ । ସେହି ସମୟରେ ପୁରାତନ ଓ ନୂତନ, ପରମ୍ପରା ଓ ପୁରୋଦୃଷ୍ଟି ମଧ୍ୟରେ ପ୍ରଥମେ ଦ୍ଵନ୍ଦ୍ୱ, ପରେ ସମବାୟ ସ୍ଥାପିତ ହେବାରେ ଲାଗିଲା । କାଳକ୍ରମେ ଆଧୁନିକ ବଳବତ୍ତର ହେଲା ସତ, ମାତ୍ର ପ୍ରାଚୀନ ତିଷ୍ଠି ରହିଲା - ତିଷ୍ଠି ରହିଲା ରୂପ ରୂପାନ୍ତର ଘେନି ଐତିହ୍ୟ ଓ ପରମ୍ପରାର ଭିତ୍ତିଭୂମି ଉପରେ-। ଓଡ଼ିଶାର ନାଟ୍ୟ କର୍ମକ୍ଷେତ୍ରରେ ଆମେ ଏହାର ପ୍ରମାଣ ପାଇ ପାରିବା । କବି ଜଗନ୍ନାଥ ପାଣି (୧୮୩୬-୯୭) ଏହି ପୃଷ୍ଠଭୂମିରେ ନିଜର ନାଟ୍ୟ ସାଧନା ଚଳାଇ ଥିଲେ ।

 

ନାଟ୍ୟ ପରମ୍ପରା

ଓଡ଼ିଶାର ନାଟ୍ୟ-ପରମ୍ପରା ବେଶ୍‌ ପ୍ରାଚୀନ । ମାତ୍ର ଦୁଃଖର କଥା, ତାହାର ନମୁନା ଆମ ପାଖରେ ବିଶେଷ ନାହିଁ । ସଂସ୍କୃତ ନାଟକ ରଚନା ତଥା ରାଜ ଉଆସରେ ଓ ଧନାଢ଼୍ୟ ବ୍ୟକ୍ତିଙ୍କର ଗୃହାଙ୍ଗନରେ ସୁଧୀଜନଙ୍କ ସମକ୍ଷରେ ସେହି ନାଟକର ମଞ୍ଚାଭିନୟ ହେଉଥିଲା ସତ, ମାତ୍ର ସାଧାରଣ ଜନତାର ନାଟ୍ୟରସ-ପିପାସା ଚରିତାର୍ଥ ହେଉଥିଲା ଲୋକନାଟ୍ୟ ସମୂହରେ । ବିଭିନ୍ନ ପ୍ରକାର ଲୋକନାଟ୍ୟରେ ଆମର ସଂସ୍କୃତି ସମୃଦ୍ଧ ଥିଲା । ଗୀତାକାରରେ ଗାନ ବା ଆବୃତ୍ତି କରାଯାଉଥିବା ଦାୟିକା (ନାମାନ୍ତର ‘ସମ୍ବାଦ’ ବା ‘ବଚନିକା’) ଆମ ଲୋକନାଟ୍ୟର ଏକ ପ୍ରାଚୀନ ରୂପ । ପୁରାଣ ଓ ଦେବଦେବୀଙ୍କ ଚରିତରୁ କ୍ଷୁଦ୍ର କ୍ଷୁଦ୍ର ଘଟଣା ବା ଉପାଖ୍ୟାନ ନେଇ ବିଭିନ୍ନ ଚରିତ୍ର ମଧ୍ୟରେ ଉକ୍ତି-ପ୍ରତ୍ୟୁକ୍ତି ବା ଚଢ଼ା-ଉତ୍ତାର ରୂପେ ମୁକ୍ତ ମଞ୍ଚରେ ଏହା ପରିବେଷିତ ହେଉଥିଲା । ମୁଦ୍ରା ଯନ୍ତ୍ର ପ୍ରସାଦରୁ ଊନବିଂଶ ଶତାବ୍ଦୀ ଶେଷ ଭାଗର ସେହିପରି କେତୋଟି ଦାୟିକାର ନମୁନା ଆମକୁ ମିଳିଛି। ଯଥା-

 

(୧)

ଭୀମ - ଦୁଃଶାସନ ଦାୟିକା (୧୮୯୦) - ବାସୁ ବେହେରା ।

(୨)

ଅଙ୍ଗଦପଡ଼ି ଓ ଅଙ୍ଗଦ-ରାବଣ ଦାୟିକା (୧୮୯୮) - ଲକ୍ଷ୍ମୀଧର ଦାସ ।

(୩)

ଲାଖବିନ୍ଧା ଦାୟିକା (୧୮୯୯) - ତ୍ରିଲୋଚନ ରାୟଗୁରୁ ।

(୪)

ମନ୍ଦୋଦରୀ - ରାବଣ ଦାୟିକା (୧୯୦୪) - ମଧୁସୂଦନ ସ୍ଵାଇଁ ।

(୫)

ଭୀମ-କୀଚକ ଦାୟିକା (୧୯୦୬) - ଗୋପାଳ ଗିରି ।

(୬)

ରାଧାକୃଷ୍ଣ ଦାୟିକା (୧୯୧୫) - କାର୍ତ୍ତିକ ଦାସ ଇତ୍ୟାଦି ।

 

ଏଠାରେ ଗ୍ରାହକମାନଙ୍କର ଅବଗତି ନିମିତ୍ତ ‘ମନ୍ଦୋଦରୀ-ରାବଣ’ ଦାୟିକାରୁ କିୟଦଂଶ ଉଦ୍ଧାର କରାଯାଉଛି । ଏଥିରେ ଚମତ୍କାର ଭାବରେ ଯୁଦ୍ଧ ବିଗ୍ରହର ବିପକ୍ଷ ଓ ସପକ୍ଷରେ ମନୋଭାବ ପ୍ରକାଶ ପାଇଛି ।

 

ମନ୍ଦୋଦରୀ

-

“କାନ୍ତ ହେ, ନ କର ଅନ୍ୟାୟ

 

 

ସୀତା ନେଇ ସୀତାପତି ହସ୍ତେ ଏବେ ଦିଅ ।।

ରାବଣ

-

ଆଲୋ ପ୍ରିୟ ସଖୀ ତୁ’ କି ହେଲୁ ପାଗଳିନୀ

 

 

ଛାର ନରେ ଡରି ଯେବେ ଦେବି ତା’ ତରୁଣୀ

 

 

ସଖୀ ଗୋ, ବଡ଼ ନିନ୍ଦା ହେବ

 

 

ଶରଣ ପଶିଲା ବୋଲି କଥା ରହିଥିବ ।

ମନ୍ଦୋଦରୀ

-

ଲଙ୍କାରାଣ ମୋହ ରାଣ ଘେନ ଏ ବାରଣ

 

 

କାରଣକୁ ଲଭିବଟି ପଶିଲେ ଶରଣ

 

 

ନାଥ ହେ କର ନାହିଁ ରଣ

 

 

କରୁଅଛି ଦୟିନୀ ମୁଁ ଧରି ଶ୍ରୀଚରଣ’’ । ଇତ୍ୟାଦି ।

 

ଦାୟିକାଗୁଡ଼ିକ ବାଦ୍ୟର ତାଳେ ତାଳେ ନୃତ୍ୟ ସହିତ ଅଭିନୀତ ହେଉଥିଲା । ଅଳ୍ପସଂଖ୍ୟକ ଅଭିନୟକାରୀଙ୍କ ସହିତ ଓସ୍ତାତ୍‌ ଓ ବାଦ୍ୟକାରୀ ବୃନ୍ଦ ପାଳି ଧରି ଗୀତ ଗାଉଥିଲେ । ଗୀତ ମଝିରେ ମଝିରେ ଯେଉଁ ସ୍ଵଳ୍ପ ଗଦ୍ୟ ସଂଳାପ ସେମାନେ ଯୋଡ଼ି ଦେଉଥିଲେ; ତାହା ବିନା ପ୍ରସ୍ତୁତିରେ ସହସା କରାଯାଉଥିଲା । ଅର୍ଥାତ୍‌ ଇଂରେଜୀରେ ଯାହାକୁ Improvised extempore dialogue ବୋଲାଯାଏ, ଗଦ୍ୟ ସଂଳାପ ଥିଲା ସେହି ଧରଣର ।

 

ପାରମ୍ପରିକ ଦାୟିକା ଶୈଳୀର ଜନପ୍ରିୟତା ଲକ୍ଷ୍ୟ କରି ପରବର୍ତ୍ତୀ କାଳରେ ଗୋପାଳ ଦାଶ, ବୈଷ୍ଣବ ପାଣି, କାମପାଳ ମିଶ୍ର, ଅଶ୍ଵିନୀ କୁମାର ଘୋଷ, ଶେଖି ଅବଦୁଲ୍‌ ହମିଦ୍‌, ମାୟାଧର ମାନସିଂହ ପ୍ରମୁଖ ବହୁ କବି-ନାଟ୍ୟକାର କେତେବେଳେ ପୂର୍ଣ୍ଣାଙ୍ଗ ନାଟକ ମଧ୍ୟରେ ଦାୟିକାମାନ ଖଞ୍ଜି ଦେଇଛନ୍ତି, କେତେବେଳେ ବା ସ୍ଵତନ୍ତ୍ର ଭାବରେ ଦାୟିକା ରଚନା କରିଛନ୍ତି । କେବଳ ଧର୍ମୀୟ ବା ପୌରାଣିକ ବିଷୟ ନୁହେଁ, ସାମାଜିକ ଲୌକିକ ବିଷୟମାନ ମଧ୍ୟ କାଳକ୍ରମେ ଦାୟିକାଗୁଡ଼ିକରେ ଗର୍ଭିତ ହୋଇଯାଇଛି । ୧୯୫୪-୫୫ ମସିହାରେ ଓଡ଼ିଶା କୋହିନୂର ପ୍ରେସ୍‌ ପ୍ରକାଶିତ କବି ହମିଦଙ୍କର ‘ଦିଅର-ଭାଉଜ ରହସ୍ୟ ପ୍ରତ୍ୟୁତି ଦାୟିକା’ର ତୃତୀୟ ସଂସ୍କରଣରୁ ତାହାର ଏକ ଉଦାହରଣ-

 

ଦିଅର

-

‘‘ଶଶିହାସୀ ତୋର ବେଶକୁ ଦେଖିଣ ବିନ୍ଧୁଛି ମଦନବାଣ

 

 

ଚରଣ ଧରୁଛି ଶରଣ ବତ୍ସଳା ଥରେ ଘେନ ନିବେଦନ ଗୋ ।

 

 

x      x      x      x      x

ଭାଉଜ

-

କହଇ ଭାଉଜ ମନେ ତୋର ହେଜ ମୁଁ ଅଟେ ତୋ ମାତା ପରି

 

 

ପାପ କଥା କେହ୍ନେ ମୁଖରେ ଭାଷୁଛୁ ତୁଟିବ ତୋ ଅଙ୍ଗୁ ଶିରୀରେ

 

 

ପର ନାରୀ ହରଣ, କରି ନାଶ ହେଲା ଲଙ୍କ ରାଣ ରେ ।

ଦିଅର

-

ଦିଅର କହଇ ଗୌତମଙ୍କ ପତ୍ନୀ ସତୀ ଅହଲ୍ୟା ସୁନ୍ଦରୀ

 

 

ଇନ୍ଦ୍ର କିପରି ତାହାଙ୍କୁ ହରିଥିଲା ଗୁଗୁ ପତ୍ନୀ ମାତା ପରି ଗୋ

 

 

ପାପ ଲାଗିଲା ନାହିଁ, ତା’ଠାରୁ କି ସତୀ ଅଟୁ ତୁହି ଲୋ ।

ଭାଉଜ

-

ଦେବରର ବାଣୀ ଶୁଣି ନାରୀମଣି କହଇ ଶୁଣ ସେ କଥା

 

 

ଗୁରୁ ଭାରିଯାଙ୍କୁ ହରନ୍ତେ, ଗୌତମ କ୍ରୋଧେ ହୋଇ ଉନମତ୍ତା ଯେ

 

 

ଅଭିଶାପ ସେ ଦେଲେ, ସସ୍ର ଯୋନି ବହିବୁ ବୋଇଲେ ହେ ।।

 

 

ଅହଲ୍ୟାକୁ ଶାପ ଦେଇ ସେ କହିଲେ ହୋଇଥାଅ ତୁ’ ପଥର

 

 

ତ୍ରେତୟା ଯୁଗରେ ରାମ ଜନ୍ମ ହୋଇ ଭ୍ରମନ୍ତେ ଏହି ପଥର ଗୋ

 

 

ତାଙ୍କ ପାଦ ପଡ଼ିବ, ଅଭିଶାପ ଖଣ୍ଡନ ହୋଇବ ଯେ ।’’

 

ପଶ୍ଚିମ ଓଡ଼ିଶାରେ ପ୍ରଚଳିତ ‘ବୁଇର ବାପା-ମା’ ବଚନିକା’ ଶୀର୍ଷକ ଦାୟିକାରୁ କିୟଦଂଶ ଉଦ୍ଧାର କରାଯାଉଛି । ଏହାର ଲେଖକ ଅଜ୍ଞାତ ଖଡ଼ିଆଳ ସାହିତ୍ୟ ସମିତି ଦ୍ଵାରା ୧୯୫୫ରେ ‘ଖଡ଼ିଆଳ କୁସୁମ’ ଦ୍ୱିତୀୟ ଭାଗରୁ ଦାୟିକାଟି ଗୃହୀତ ।

 

ମା’

-

‘‘ଏ ହୋ, ସରବରା ପାଇଁ ପ୍ରତିଦିନ ରହେ ଚାହିଁ

 

 

ଗୁଣ୍ଡିଚା ଯାତରା ସରିଯିବ ସିନା

 

 

ବୁଇର ବାପା, ଦିନେ ତ ଆଣିଲ ନାହିଁ ।।

ବାପା

-

ସରବରାକାର ହାତ ତହିଁ ନାହିଁ ମୋ ଆୟତ୍ତ

 

 

ମୋତେ କେ ପଚାରେ, ନିଜ ଠାକୁରଙ୍କୁ

 

 

ବୁଇର ମା’ରେ, ନ ମିଲେ ମୁଠେକ ଭାତ ।।

 

 

x      x      x      x      x

ମା’

-

ଗାଆଁ ଭୂଇଁ ସବୁ ଥାଇ ଠାକୁରଙ୍କ କିବା ନାଇଁ

 

 

ଭୋଗରାଗ କାଟି ସ୍ଵଘରେ ଭରନ୍ତି

 

 

ବୁଇର ବାପା, ଧିକ ସେମାନଙ୍କୁ ଛି ଛି ।।

ବାପା

-

ଏ ଦିନେ ଭକତେ ଜୁଟି କେତେ ଦେଉଛନ୍ତି ଭେଟି

 

 

ମାତର ସେ ସବୁ ସର୍ବଗିଳାମାନେ

 

 

ବୁଇର ମା’ ରେ, ଦେଉଛନ୍ତି ସୁରୁପୁଟି ।’’*

ସୁରୁପୁଟି

-

ହାପୁରି ଦେବା, ଆତ୍ମସାତ କରିବା ଅର୍ଥରେ ।

 

‘ଦଣ୍ଡନାଟ’ ଅନ୍ୟ ଏକ ପାରମ୍ପରିକ ନାଟ୍ୟ ଶୈଳୀ । ଓଡ଼ିଶା ତଥା ଭାରତର ଅନ୍ୟ କେତେକ ରାଜ୍ୟରେ ପ୍ରଚଳିତ ଥିବା ଦଣ୍ଡପୂଜା- ଦଣ୍ଡଯାତ୍ରା ସହିତ ଏହା ସମ୍ପୃକ୍ତ । ଦଣ୍ଡଯାତ୍ରା ମୁଖ୍ୟତଃ ଏକ ଶୈବ ଅନୁଷ୍ଠାନ । ଚୈତ୍ର ମାସ ଶେଷ ଓ ବୈଶାଖ ମାସ ଆରମ୍ଭରେ ଶିବ-ଶକ୍ତି ପୂଜା ସଂପର୍କିତ ଯାନିଯାତ୍ରାମାନ ଅନୁଷ୍ଠିତ ହୋଇଥାଏ । ଆମ ରାଜ୍ୟରେ ବିଶେଷତଃ ପ୍ରାକ୍ତନ ଗଡ଼ଜାତ ଅଞ୍ଚଳରେ ବ୍ରାହ୍ମଣେତର ଜାତିର ଲୋକଙ୍କ ମଧ୍ୟରେ ଦଣ୍ଡପୂଜା ପ୍ରଚଳିତ । ଏହାର ଦୁଇ ପ୍ରକାର ତାତ୍ପର୍ଯ୍ୟ ଥିବାର ବୋଲାଯାଏ । ଦଣ୍ଡ ବରଣ କରି ବା ନିଜକୁ କଷ୍ଟ ଦେଇ ଆରାଧ୍ୟ ଦେବତାଙ୍କର ଦୟା ବା କରୁଣା ଉଦ୍ରେକ କରିବା ଏକ ତାତ୍ପର୍ଯ୍ୟ । ଅନ୍ୟ କଥାଟି ହେଲା - ଶିବଙ୍କର ପ୍ରତିଭୂ ବା ପ୍ରତୀକ ରୂପେ ଏକ ମନ୍ତ୍ରପୁତ ଦଣ୍ଡ ବା ବେତର ପୂଜା । ଏହି ଦଣ୍ଡ ପୂଜାରେ ତେର ପ୍ରକାର ଭୋକ୍ତା ବା ଦଣ୍ଡୁଆ ଥାଆନ୍ତି; ତନ୍ମଧ୍ୟରେ ଜଣେ ପାଟ ଭୋକ୍ତା ବା ପ୍ରଧାନ ଭକ୍ତ । ଏମାନଙ୍କୁ ଶିବଙ୍କର ‘ଗଣ’ ବା ଅନୁଚର ବୋଲି ମନେ କରାଯାଏ । ଏମାନେ ଏକୋଇଶ ଦିନ କାଳ ବ୍ରତ ପାଳନ କରନ୍ତି । ପ୍ରଥମେ ଶିବ ମନ୍ଦିର ପାଖରେ ଏକ ଅସ୍ଥାୟୀ ଘର ତିଆରି କରାଯାଏ, ତାହା ‘କାମନା ଘର’ ନାମରେ ପରିଚିତ । ସେହି ଘରେ ଏକ ଜଳପୂର୍ଣ୍ଣ ଘଟ ସ୍ଥାପନ କରାଯାଏ । ତାହା ହିଁ ‘କାମନା ଘଟ’-। ସେହିଠାରୁ ଆରମ୍ଭ ହୁଏ ଦଣ୍ଡଯାତ୍ରା । ଭୋକ୍ତା ବା ଦଣ୍ଡୁଆମାନେ କେବଳ ଲିଆପଣା ଓ ସିଝା ମୁଗ ଖାଇ ବ୍ରତ ପାଳନ୍ତି । ରାତିରେ ସାଧାରଣତଃ ଉପାସ ରହି ବିଶ୍ରାମ ନେଇ ଦିନ ବେଳା ଚୈତ୍ର-ବୈଶାଖ ମାସ ଖରାରେ ଗାଁ ଗାଁ ବୁଲି ନାଚ ଗୀତ କରନ୍ତି ।

 

ଦଣ୍ଡନାଟରେ ଶିବ-ପାର୍ବତୀ, ଫକୀର-ଫକୀରାଣୀ, ଯୋଗୀ-ଯୋଗୀଆଣୀ, ବୀଣାକାର, ଚଢ଼େୟା-ଚଢ଼େୟାଣୀ ପ୍ରଭୃତି ବିଭିନ୍ନ ଭୂମିକାରେ ଭକ୍ତମାନେ ବେଶଭୂଷା ହୋଇ ଆସନ୍ତି । ଢୋଲ-ମହୁରୀ ଆଦି ବାଦ୍ୟର ତାଳେ ତାଳେ ସେମାନେ ଗୀତ ଗାଇ ନାଚନ୍ତି । ସେମାନଙ୍କର ନାଚଗୀତ ଚୈତ୍ର-ବୈଶାଖ ମାସର ଉଷ୍ଣ ଗ୍ରାମୀଣ ପରିବେଶକୁ ଜୀବନ୍ତ ଓ ଛନ୍ଦ ମଧୁର କରିଦିଏ । ଦଣ୍ଡନାଟ ପାଇଁ ଭଜନ, ଜଣାଣ, ଚଉତିଶା, ଚଉପଦୀ ଏବଂ ପୌରାଣିକ ତଥା କାଳ୍ପନିକ ବିଷୟବସ୍ତୁ ଘେନି ସୁଆଙ୍ଗମାନ ରଚିତ ହୋଇଛି । ଏଗୁଡ଼ିକ ଗ୍ରାମୀଣ କବିଙ୍କ ଦ୍ଵାରା ରଚିତ, ଏବଂ ବହୁକାଳ ହେଲା ମୁଖେ ମୁଖେ ପ୍ରଚାରିତ ହୋଇ ଆସୁଛି । ଅଧିକାଂଶ ରଚନା ଏବେ ମଧ୍ୟ ସଂଗୃହୀତ ଓ ସଂକଳିତ ହୋଇ ପାରି ନାହିଁ । କେବଳ ଆନନ୍ଦ କବିଚନ୍ଦ୍ର ରାୟଗୁରୁ, ଭିକାରିଚରଣ ଦାସ, କବିଚନ୍ଦ୍ର ଯୋଗୀ ମଳିକ, ମନୋହର ମେହେରଙ୍କର ଅଳ୍ପ କେତେ ଖଣ୍ଡ ଗୀତ ବହି ପ୍ରକାଶିତ ହୋଇଛି । ପୂର୍ବତନ ହିନ୍ଦୋଳ ଷ୍ଟେଟ୍‌ର କବିରତ୍ନ ଭିକାରୀ ଚରଣ ଦାସ ‘ଦଣ୍ଡନାଟର ପ୍ରଶ୍ନୋତ୍ତର ଗୀତାବଳି’ ତୃତୀୟ ଭାଗ ଭୂମିକାରେ ୨୮.୭.୧୯୨୫ ତାରିଖରେ ଲେଖିଛନ୍ତି- ‘‘ଆଜିକାଲି ଦଣ୍ଡଯାତ୍ରାରେ ପାଲାବାଲାଙ୍କ ପରି ଘୋରତର ଲଢ଼େଇ ହୁଏ । ଦଣ୍ଡଯାତ୍ରାକାରୀମାନେ ବହୁତ ପ୍ରଶ୍ନୋତ୍ତର ଗୀତ ପାଇବାକୁ ଅଭିଳାଷୀ । ମୁଁ ଦଣ୍ଡଯାତ୍ରାର ସମସ୍ତ ଗୀତ ଲେଖି ତିନି ଭାଗରେ ବିଭକ୍ତ କରି ଶ୍ରୀଯୁକ୍ତ ବାବୁ ଅଭିନ୍ନଚନ୍ଦ୍ର ଦାନ ମହାଶୟଙ୍କୁ ସ୍ଵତ୍ଵ ବିକ୍ରୟ କରିଦେଇଅଛି । ସେ ମହାଶୟ କେତେ ଖଣ୍ଡ ଛାପା କରାଇ ଜନସାଧାରଣରେ ପ୍ରଚାର କରିବାରୁ ଦଣ୍ଡଯାତ୍ରାକାରୀମାନେ ଦଣ୍ଡରେ ବ୍ୟବହୃତ ସୁଆଙ୍ଗ ଗୀତ ଓ ପ୍ରଶ୍ନୋତ୍ତର ଗୀତ ନିମନ୍ତେ ମୋ ପାଖକୁ ଅନେକ ପତ୍ର ପଠାଉଅଛନ୍ତି । ଏହି ବହିରୁ ଖଣ୍ଡିଏ ପାଖରେ ଥିଲେ ଦଣ୍ଡଯାତ୍ରାର ଲଢ଼େଇରେ ସମ୍ପୁର୍ଣ୍ଣ ଜୟଲାଭ କରିପାରିବ ।’’ ଇତ୍ୟାଦି ।

 

ଦଣ୍ଡନାଟର ପ୍ରାୟ ସମସ୍ତ ଗୀତ ସରଳ ସାବଲୀଳ । ଏଥିରେ ବହୁ ସ୍ଥାନରେ ସ୍ଵତଃସ୍ତୂର୍ତ୍ତ କବିତ୍ୱ ପରିଲକ୍ଷିତ ହୁଏ । ଏହା ସକଳପ୍ରକାର କ୍ଲିଷ୍ଟତା-ବର୍ଜିତ । ପୁଣି ଏହି ରଚନାଗୁଡ଼ିକର ସାଙ୍ଗୀତିକ ମୁଲ୍ୟ ଯଥେଷ୍ଟ । ଚୋଖୀ, ବଙ୍ଗଳାଶ୍ରୀ, ରସକୋଇଲା, ଚଉଦ-ଅକ୍ଷରୀ ଆଦି ଆମର ଚିରାଚରିତ ଛନ୍ଦ ଏବଂ ଡାଲଖାଇ, ରସରକେଲି, ଜାଈଫୁଲ ଆଦି ଲୌକିକ ବୃତ୍ତ ଏଥିରେ ଗୃହୀତ ହୋଇଛି । କବିରତ୍ନ ଭିକାରୀଚରଣ ଦାସ ଉଲ୍ଲେଖ କରିଛନ୍ତି-

 

‘‘ପଞ୍ଚ ଦେବତାଙ୍କ ବନ୍ଦନା ସାରି ଶ୍ରୀଜଗନ୍ନାଥଙ୍କୁ ମନେ ସୁମରି

ଅଙ୍ଗେ ସୁବେଶ ହୋଇ ବୀଣାକାର କରେ ବୀଣା ଧରି ହେଲା ବାହାର

ନିଜ ନାରୀ ଘେନି ସଙ୍ଗେ

ନଗ୍ରରେ ବୁଲିଣ ଗୀତ ଗାଇ ପୁଣ ନାଟ କରେ ନାନା ରଙ୍ଗେ ।।

ଢୋଲ ଟମକ ବାଜେ ଘନଘନ ସ୍ଵର ମହୁରୀ କଂପାଏ ଭୁବନ

ବନଗିରି ତରୁଲତା ସହିତେ ଚମକି ଉଠନ୍ତି ଯେ’ ଯାହା ମତେ

ଦେଖନ୍ତି ସୁଜନେ ମିଳି

ନଗ୍ରମାନଙ୍କରେ ଉଛୁଳି ପଡ଼ଇ ହରିବୋଲ ହୁଳହୁଳି ।।

ଦଣ୍ଡନାଟର ଏମନ୍ତ ଚରିତ ଖଣ୍ଡଠାରୁ ବଳି ସ୍ଵାଦୁ ସେ ଗୀତ

ଶୁଖିଲା କାଷ୍ଠ ପଲ୍ଲବିତ ହୁଏ ନଦୀ ପୂରିଣ ଜଳ ବହିଯାଏ

ଖଗ ମୃଗମାନେ ଶୁଣି

ଚକିତରେ ପାଦେ ଚଳି ନ ପାରନ୍ତି ଥକିତେ ରହନ୍ତି ପୁଣି ।।’’ ଇତ୍ୟାଦି ।

 

ଏବେ କବି ମନୋହର ମେହେର ଦଣ୍ଡନାଟ ପାଇଁ ଚମତ୍କାର ‘ଜାଈଫୁଲ ରାମାୟଣ’ (୧୯୭୩) ରଚନା କରିଛନ୍ତି । ପ୍ରାୟ ସତୁରୀ ପଦ ଗୀତର ସୀମିତ ପରିସର ମଧ୍ୟରେ ସେ ଦକ୍ଷତାର ସହିତ ପରିବେଷଣ କରିଛନ୍ତି ରାମାୟଣ-ସାର । ତହିଁରୁ କିୟଦଂଶ ଏଠାରେ ଉଦ୍ଧାର କରାଯାଉଛି ।

 

‘‘କହଇ ଦୀନ ମନୋହର ମଙ୍ଗଳା ମା’ ଦୟାକର

ଦଣ୍ଡନାଟ ଗୀତ କହିବାକୁ ଚିତ୍ତ ବଳିଲା ଆସି ମୋହର

ଜାଇଫୁଲରେ...

ମାଲ୍ୟାଣୀ ଯେପରି ଫୁଲ ଗୁନ୍ଥି ନିଏ ମାଳ ମାଳ

ସେହିପରି ମୋର ଗଳେ ଉପହାର ଲମ୍ବିଥାଉ ମାଳ ମାଳ,

ଜାଇଫୁଲରେ” ଇତ୍ୟାଦି ।

ଦଣ୍ଡନାଟ ଗୀତରେ କୌଣସି ଗୋଟାଏ ନିର୍ଦ୍ଦିଷ୍ଟ କଥାବସ୍ତୁ ଗୃହୀତ ହୋଇ ନଥାଏ । ଭିନ୍ନ ଭିନ୍ନ ଚରିତ ବା କଥାବସ୍ତୁକୁ ଈଶ୍ଵର-ପାର୍ବତୀ ଗୋଟିଏ ସୂତ୍ରରେ ଗ୍ରଥିତ କରିଥାଆନ୍ତି । ତେଣୁ ଏଥରେ ଈଶ୍ଵର-ପାର୍ବତୀଙ୍କର ଭୂମିକା ଅନେକାଂଶରେ ସଂସ୍କୃତ ନାଟକର ସୂତ୍ରଧାର ଏବଂ ଗ୍ରୀକ୍‌ ନାଟକର କୋରସ୍‌ର ଭୂମିକା ଭଳି । ଦଣ୍ଡନାଟ ପାଇଁ କୌଣସି ଆବଦ୍ଧ ସୁସଜ୍ଜିତ ମଞ୍ଚ ବ୍ୟବହୃତ ହୋଇନଥାଏ-। ଗାଁ ଦାଣ୍ଡରେ ମୁକ୍ତ ମଞ୍ଚରେ ହିଁ ଅଭିନୟ ହୋଇଥାଏ ।

 

ଓଡ଼ିଶାର ପାରମ୍ପରିକ ନାଟ୍ୟଧାରା ମଧ୍ୟରେ ଆହୁରି ବହୁପ୍ରକାର ଶୈଳୀ ପ୍ରଚଳିତ ଅଛି-। ସେଗୁଡ଼ିକ ମଧ୍ୟରେ ରାମଲୀଳା, କୃଷ୍ଣଲୀଳା, ଭାରତଲୀଳା, ଘୋଡ଼ା ନାଚ, ଦାସକାଠିଆ, ପାଲା, କଣ୍ଢେଇ ନାଟ, ଚଇତି ତାମସା, ଗୋଟିପୁଅ ନାଚ, ଡାଲଖାଇ ନାଚ, ଛଉ ନାଟ, ଦେଶିଆ ନାଟ, ସୁଆଙ୍ଗ-ଗୀତାଭିନୟ-ଗୀତିନାଟ୍ୟ ପ୍ରଭୃତି ଭଲ୍ଲେଖନୀୟ । ଗୋଟି ଗୋଟି କରି ସମସ୍ତ ନାଟ୍ୟ ଶୈଳୀର ଆଲୋଚନା ଏ ପ୍ରବନ୍ଧର ସୀମିତ ପରିସର ମଧ୍ୟରେ କରାଯିବା ସମ୍ଭବ ନୁହେଁ । ଏ ସମ୍ପର୍କରେ ମୋର ଏକ ଲିଖିତ ଅଭିଭାଷଣ (ଓଡ଼ିଆ ଯାତ୍ରାର ବିଭିନ୍ନ ବିଭାଗ, କେତୋଟି ସାହିତ୍ୟିକ ଅଭିଭାଷଣ, ୧୯୭୭) ଏବଂ ଏକ ଆଲୋଚନା ପ୍ରବନ୍ଧ (ଓଡ଼ିଶାର ଯାତ୍ରା ଓ ପାରମ୍ପରିକ ଲୋକପ୍ରିୟ ନାଟ୍ୟଧାରା, ୧୯୯୭) ଦେଖିବା ପାଇଁ ସହୃଦୟ ଗ୍ରାହକମାନଙ୍କୁ ଅନୁରୋଧ କରୁଛି । ତଥାପି ଏଠାରେ ଗ୍ରାହକମାନଙ୍କର ଅବବୋଧ ନିମିତ୍ତ ଗୋଟିଏ ଯୋଡ଼ିଏ ଗୁରୁତ୍ଵପୂର୍ଣ୍ଣ କଥାର ସୂଚନା ଦେଉଛି, ଯାହାକି ଏହି ଆଲୋଚନା ସହ ସଂପୃକ୍ତ ।

 

ଲୋକନାଟ୍ୟ ଓ ଲୋକପ୍ରିୟ ନାଟକ

ଏବେ ଲୋକନାଟ୍ୟ ବା ଲୋକ ନାଟକ କଥାଟିର ଅପପ୍ରୟୋଗ କରାଯାଉଥିବାର ଦେଖାଯାଏ । ଜଗନ୍ନାଥ ପାଣି, ବୈଷ୍ଣବ ପାଣି ପ୍ରମୁଖ କବିଙ୍କର କୃତିକୁ ଲୋକନାଟ୍ୟ ବୋଲାଯାଉଛି-। କିନ୍ତୁ ଲୋକନାଟ୍ୟ ଓ ଲୋକପ୍ରିୟ ନାଟକ ମଧ୍ୟରେ ପାର୍ଥକ୍ୟ ରହିଛି । ଏ ସମ୍ପର୍କରେ ଆମ ସମୀକ୍ଷକମାନଙ୍କର ସ୍ପଷ୍ଟ ଧାରଣା ରହିବା ଆବଶ୍ୟକ ।

 

ଲୋକନାଟ୍ୟ ମୌଖିକ ପରମ୍ପରାରେ ପ୍ରଚଳିତ, ଏହା ଲିଖିତ ସାହିତ୍ୟ ନୁହେଁ । ତୁଣ୍ଡରୁ ତୁଣ୍ଡରୁ ଗତି କରୁଥିବାରୁ ଏହା ସର୍ବଦା ପରିବର୍ତ୍ତିତ ହୋଇ ଚାଲିଯାଏ, କୌଣସି ଏକ ବିଧିବଦ୍ଧ ନିର୍ଦ୍ଦିଷ୍ଟରୂପ ଲାଭ କରିପାରି ନ ଥାଏ ।

 

ଭିନ୍ନ ଭିନ୍ନ ଲୋକନାଟ୍ୟ ସାଧାରଣତଃ ଗୋଟିଏ ଗୋଟିଏ ନିଦ୍ଦିଷ୍ଟ ଭୌଗୋଳିକ ଅଞ୍ଚଳ, ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ସାମାଜିକ ଗୋଷ୍ଠୀ ବା ଜାତି ସହିତ ସମ୍ପୃକ୍ତ ଥାଏ, ଅର୍ଥାତ୍‌ ଏକପ୍ରକାର ଲୋକନାଟ୍ୟ ରାଜ୍ୟ ବା ଦେଶର ସର୍ବାଞ୍ଚଳ ବ୍ୟାପୀ ପ୍ରସାର ଲାଭ କରି ନ ଥାଏ । ଯଥା-ଦଣ୍ଡନାଟ, ଘୋଡ଼ାନାଚ, ଚଇତି ତାମସା ଇତ୍ୟାଦି ।

 

ଲୋକନାଟକର ଲେଖକ ଅଜ୍ଞାତ; କିଏ କେବେ ଏହାକୁ ସୃଷ୍ଟି କରିଥିଲେ, ତାହା ନିର୍ଦ୍ଦିଷ୍ଟ ଭାବରେ କହିହେବ ନାହିଁ । ଉଦାହରଣ-କଣ୍ଢେଇ ନାଟ, ଘୋଡ଼ା ନାଚ ପ୍ରଭୃତି ।

 

ଲୋକନାଟକର ବିଷୟବସ୍ତୁ ମୁଖ୍ୟତଃ ପୌରାଣିକ ଓ କିମ୍ବଦନ୍ତୀମୂଳକ । ଏଥିରେ କ୍ୱଚିତ୍‌ ଐତିହାସିକ ଓ କାଳ୍ପନିକ କଥାବସ୍ତୁ ଗୃହୀତ ହୋଇଥାଏ । ଗୀତ ଓ ନାଚର ସୁନ୍ଦର ସମବାୟ ଘଟିଥାଏ-। ଗଦ୍ୟ ସଂଳାପ ଗୁରୁତ୍ଵ ଲାଭ କରି ନ ଥାଏ । ସମ୍ମିଳିତ ବାଦ୍ୟର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏଥିରେ ।

 

ସାରଲ୍ୟ, ସାବଲୀଳତା, ସ୍ୱତଃସ୍ଫୁର୍ତ୍ତତା ଲୋକନାଟ୍ୟର ନାଟଗୀତରେ ପରିଦୃଷ୍ଟ । ଏହାର ଅଭିନୟ ପାଇଁ ଆବଦ୍ଧ କୃତ୍ରିମ ରଙ୍ଗମଞ୍ଚ ବିଶେଷ ବ୍ୟବହୃତ ହୋଇ ନ ଥାଏ ।

 

ସର୍ବୋପରି ଦର୍ଶକମାନଙ୍କ ସମକ୍ଷରେ ଅଭିନୟ ଦେଖାଇ ଆନନ୍ଦ ଦେବା ଏବଂ ସେମାନଙ୍କଠାରୁ ତାରିଫ୍‌ ବା ପ୍ରଶଂସା ପାଇବା, କିମ୍ବା ସ୍ଥଳବିଶେଷରେ କିଛି ପାରିତୋଷିକ ଲାଭ କରିବା- ଏପରି ସଚେତନ ପ୍ରୟାସ ବା ଆଗ୍ରହ ଲୋକନାଟକର ଅଭିନୟ ମୂଳରେ ପ୍ରାୟ ନ ଥାଏ । ଗୀତ ନାଚର ରଚୟିତା ନିଜର ଆନନ୍ଦ ପାଇଁ ସୃଷ୍ଟି କରନ୍ତି ଅଭିନୟକାରୀ ସେହିପରି ଆପଣା ସୁଖ ବା ମଙ୍ଗଳ ପାଇଁ (ଶ୍ରମକ୍ଳାନ୍ତି ଅପନୋଦନ, ଓଷାବ୍ରତ ପାଳନ ଆଦି ଜରିଆରେ) ଅଭିନୟ କରନ୍ତି; ଲୋକେ ଆସି ଆମର ଅଭିନୟ ଦେଖନ୍ତୁ- ଏପରି ଇଚ୍ଛା ବା ମତଲବ ମୂଳତଃ ସେମାନଙ୍କର ନ ଥାଏ-

 

ଲୋକପ୍ରିୟ ନାଟକ, ଲୋକନାଟ୍ୟର ଶୈଳୀ ଘେନି ରଚିତ ହୋଇଥାଏ । ଏହି ଲିଖିତ ସାହିତ୍ୟ ଏବଂ ଏହାର ରଚୟିତା ଅଜ୍ଞାତ ନୁହନ୍ତି । ଏ ପ୍ରକାର ନାଟକର ରଚନା ଓ ଅଭିନୟ ମୂଳରେ ପାଠକ ତଥା ଦର୍ଶକ-ସମାଜରେ ଚିତ୍ତ ବିନୋଦନର ସଚେତନ ପ୍ରୟାସ ମଧ୍ୟ ନିହିତ ଥାଏ । ପୁଣି, ଲୋକପ୍ରିୟ ନାଟକ ବିଧିବଦ୍ଧ ଭାବରେ ଏକ ପୋଷାକୀ ରୂପ ବା ଶାସ୍ତ୍ରୀୟତା ଲାଭ କରି ନ ଥାଏ । ଏହି ଦୃଷ୍ଟିରୁ ବିଚାର କଲେ, ଆମର ବିଭିନ୍ନ ପ୍ରାଚୀନ ପାରମ୍ପରିକ ନାଟ୍ୟଧାରା, ଯାହାସବୁ ଏବେ ବି ରାଜ୍ୟ ମଧ୍ୟରେ ଊଣାଧିକେ ପ୍ରଚଳିତ ଅଛି, ଲୋକପ୍ରିୟ ନାଟକ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ । ଲୋକପ୍ରିୟ ନାଟକ ବିଶ୍ୱର ବିଭିନ୍ନ ଦେଶରେ ପ୍ରଚଳିତ ଥିବା ଲୋକର ସାହିତ୍ୟର ଅଙ୍ଗବିଶେଷ ଏହି ଲୋକପ୍ରିୟ ସାହିତ୍ୟ ବିଷୟରେ ଅବହିତ ଥିଲେ, ଲୋକପ୍ରିୟ ନାଟକର ଗତି ପ୍ରକୃତି ତ ନିରୂପଣ କରିବା ଅସୁବିଧାଜନକ ହେବ ନାହିଁ ।

 

*

Popular Literature : A History and Guide - Victor E. Neuburg, Penguin Books, Ltd., London (1977). ଲୋକ ନାଟକ ଓ ଲୋକପ୍ରିୟ ନାଟକ (ପ୍ରସଙ୍ଗ : ନାଟକ-ଏକାଙ୍କକା ଗ୍ରନ୍ଥ ଅନ୍ତର୍ଗତ) - ଫ୍ରେଣ୍ଡସ୍‌ ପବ୍ଲିଶର୍ସ, ବିନୋଦ ବିହାରୀ, କଟକ- ୨ (୧୯୯୭) ।

 

ଏହି ଦୁଇ ପ୍ରକାର ନାଟ୍ୟଧାରା କାଳକ୍ରମେ ନିଜ ନିଜର ସୀମା ଅତିକ୍ରମ କରି ପରସ୍ପରକୁ ଏପରି ସଂକ୍ରମିତ ଓ ସଞ୍ଚରିତ କରିଛନ୍ତି ଯେ, ଦୁଇଟି ମଧ୍ୟରେ ପାର୍ଥକ୍ୟ ନିରୂପଣ ଅନେକ ସମୟରେ କଠିନ ହୋଇଥାଏ । ଦୃଷ୍ଟାନ୍ତ ସ୍ଵରୂପ ଦଣ୍ଡନାଟ, ଚଇତି ତାମସା ପ୍ରଭୃତି । ପ୍ରଥମାବସ୍ଥାରେ ଏଗୁଡ଼ିକ ଲୋକନାଟ୍ୟ ଭାବରେ ପ୍ରଚଳିତ ଥିଲା ପରବର୍ତ୍ତୀ କାଳରେ ଲୋକପ୍ରିୟ ନାଟକର ରୂପ ଲାଭ କରିଛି । ସବୁ ଲୋକନାଟ୍ୟ, ଲୋକପ୍ରିୟ ନାଟକ ହୋଇପାରେ । କିନ୍ତୁ ସବୁ ଲୋକପ୍ରିୟ ନାଟକ, ଲୋକନାଟ୍ୟ ନୁହେଁ; କିମ୍ବା ସବୁ ଲୋକପ୍ରିୟ ନାଟକରେ ଲୋକତ୍ୱ ବା ଲୋକ-ଉପାଦାନ ନ ଥାଏ।

 

ଲୋକନାଟ୍ୟ ଓ ଲୋକପ୍ରିୟ ନାଟକର ସମାର୍ଥବାଚକ ଶବ୍ଦ ରୂପେ ଏବେ କେହି କେହି ‘ଯାତ୍ରା’, ଗଣନାଟ୍ୟ, ଅପେରା, ପଲ୍ଲୀନାଟ୍ୟ ପ୍ରଭୃତି ନାମ ନିର୍ବିଚାରରେ ବ୍ୟବହାର କରୁଥିବାର ଦେଖାଯାଏ । ଅପେରା ତ ଆଦୌ ଲୋକନାଟ୍ୟର ପର୍ଯ୍ୟାୟଭୁକ୍ତ ହେବ ନାହିଁ ! ଏହା ପାଶ୍ଚାତ୍ୟର ଏକ ଗୀତବହୁଳ ନାଟ୍ୟ ଶୈଳୀ । ପ୍ରାଚୀନ ଗ୍ରୀକ୍‌ ଟ୍ରାଜେଡ଼ି ସହ ଏହାର ଗର୍ଭନାଡ଼ର ସମ୍ପର୍କ ରହିଛି-। ଇଉରୋପର କେତେକ ନାମଜ୍ୟାଦା ନାଟ୍ୟକାର ଅପେରା ଲେଖିଛନ୍ତି । ‘ଗଣନାଟ୍ୟ’ କଥାଟି ଲୋକନାଟକର ପ୍ରତିଶବ୍ଦ ରୂପେ ଗୃହୀତ ହୋଇପାରେ । ଏହି ନାମଟି ଭାରତର କେତେକ ବାମପନ୍ଥୀ ରାଜନୈତିକ ଦଳର ଅତି ପ୍ରିୟ ଏବଂ ସେହି ଦଳଗୁଡ଼ିକ ନାମଟିର ବହୁଳ ପ୍ରସାର ଘଟାଇଛନ୍ତି । ପଲ୍ଲୀନାଟ୍ୟ ବା ଗ୍ରାମୀଣ ନାଟ୍ୟ ନାମ ଯୋଡ଼ିକ ଲୋକନାଟ୍ୟ ଅର୍ଥରେ ବ୍ୟବହାର କରିବାର କୌଣସି ତାତ୍ପର୍ଯ୍ୟ ନାହିଁ । କାରଣ ଲୋକନାଟ୍ୟର ସୃଷ୍ଟି, ଅଭିନୟ ଓ ପ୍ରସାର କେବଳ ପଲ୍ଲୀ ବା ଗ୍ରାମାଞ୍ଚଳରେ ସୀମାବଦ୍ଧ ନୁହେଁ, ସହରବାସୀ ମଧ ଲୋକନାଟ୍ୟ-କର୍ମରେ ଅଂଶଗ୍ରହଣ କରି ଥାଆନ୍ତି ।

 

‘ଯାତ୍ରା’ କଥାଟିର ଅର୍ଥ ସଂକୋଚନ

ନାଟ୍ୟାଭିନୟ ଅର୍ଥରେ ‘ଯାତ୍ରା’ କଥାଟିର ପ୍ରୟୋଗ ଓଡ଼ିଶାରେ ଖ୍ରୀଷ୍ଟୀୟ ଊନବିଂଶ ଶତାବ୍ଦୀରେ ଆମେ ପାଇଥାଉ । ତତ୍‌ ପୂର୍ବରୁ ଅବଶ୍ୟ ବଙ୍ଗ ଦେଶରେ କଥାଟି ସେହି ଅର୍ଥରେ ପ୍ରଚଳିତ ଥିଲା । ଅଷ୍ଟାଦଶ ଶତାବ୍ଦୀର କବି ଭରତଚନ୍ଦ୍ର ଏହି ଯାତ୍ରା ପାଲାର ଜଣେ ପ୍ରଧାନ ରଚୟିତା ଥିଲେ । (ପାଲାର ଅର୍ଥ ବିଷୟ ବା କଥାବସ୍ତୁ) ଊନବିଂଶ ଶତାବ୍ଦୀରେ ପ୍ରକାଶିତ ବିଭିନ୍ନ ବଙ୍ଗଳା ସାମୟିକ ପତ୍ରପତ୍ରିକାରେ ପାଶ୍ଚାତ୍ୟ ଥିଏଟର୍‌କୁ ‘ବିଲାତୀ ଯାତ୍ରା’ ନାମରେ ଉଲ୍ଲେଖ କରାଯାଉଥିଲା-। ନାଟ୍ୟାଭିନୟ ଅର୍ଥରେ ଯାତ୍ରା କଥାଟି କିପରି ସୁପ୍ରଚଳିତ ଥିଲା, ତାହା ଏଥିରୁ ଜଣାପଡ଼େ । ପୂର୍ବରୁ ବଙ୍ଗ ଓଡ଼ିଶା ମଧ୍ୟରେ ଯୋଗାଯୋଗ ରହିଥିଲେ ହେଁ, ଊନବିଂଶ ଶତାବ୍ଦୀରେ ଓଡ଼ିଶାରେ ବ୍ରିଟିଶ୍‌ ଶାସନ ପ୍ରବର୍ତ୍ତିତ ହେଲା ପରେ, ସେତେବେଳେ କଲିକତା ଭାରତର ରାଜଧାନୀ ଥିବାରୁ/ବଙ୍ଗଦେଶ ସହିତ ଓଡ଼ିଶାର ସମ୍ପର୍କ ଘନିଷ୍ଠତର ହେଲା । ସାଂସ୍କୃତିକ ବନ୍ଧନ ମଧ୍ୟ ବଳିଷ୍ଠତର ହେଲା । ସେତିକିବେଳେ କେତେକ ନାଟ୍ୟପ୍ରେମୀ ଓଡ଼ିଆ ନାଟ୍ୟାଭିନୟ ଅର୍ଥରେ ଯାତ୍ରା କଥାଟି ବଙ୍ଗଳାରୁ ଗ୍ରହଣ କରିଥିବାର ମନେହୁଏ । ଏହାର ପ୍ରମାଣ ତତ୍‌କାଳୀନ ବିଭିନ୍ନ ପତ୍ରପତ୍ରିକାରୁ ମିଳିଥାଏ । ‘ଉତ୍କଳ ଦୀପିକା’ (୧୮୬୬), ‘ସମ୍ବାଦ ବାହିକା’ (୧୮୭୨) ଆଦି ପତ୍ରିକା ସେତେବେଳେ ଓଡ଼ିଆ ତଥା ବଙ୍ଗଳା ଯାତ୍ରା ବିଷୟରେ ବାରମ୍ବାର ସମ୍ବାଦ ପରିବେଷଣ କରିବା ସଙ୍ଗେ ସଙ୍ଗେ ମନ୍ତବ୍ୟ ଓ ଆଲୋଚନାତ୍ମକ ଟିପ୍ପଣୀମାନ ପ୍ରକାଶ କରିଛନ୍ତି । ୧୮୭୫ ମସିହାରେ ପ୍ରକାଶିତ ବିଭିନ୍ନ ସଂଖ୍ୟାରେ ଉକ୍ତ ପତ୍ରିକାଦ୍ୱୟ ବାଲେଶ୍ଵରରେ ବଙ୍ଗଳା ଯାତ୍ରାଭିନୟର ଅନୁଷ୍ଠାନ ଏବଂ ଉତ୍କୃଷ୍ଟ ଓଡ଼ିଆ ଯାତ୍ରାର ଅଭାବ ସମ୍ପର୍କରେ ମତ ପ୍ରକାଶ କରିଛନ୍ତି । ପରବର୍ତ୍ତୀ କାଳରେ ‘ଉତ୍କଳ ସାହିତ୍ୟ’ (୧୮୯୭) ଭଳି ଅନ୍ୟାନ୍ୟ ପତ୍ରପତ୍ରିକାରେ ମଧ୍ୟ ଓଡ଼ିଆ ଯାତ୍ରା ସମ୍ପର୍କରେ ମନ୍ତବ୍ୟ ଓ ଆଲୋଚନାମାନ ପ୍ରକାଶ ପାଇଛି । ଏହି ସବୁ ସମ୍ବାଦ, ମନ୍ତବ୍ୟ ଓ ଆଲୋଚନାରୁ ସ୍ପଷ୍ଟ ଜଣାପଡ଼େ ଯେ- ବହୁ ପୂର୍ବରୁ ପ୍ରଚଳିତ ଆମର ଦାୟିକା, ଦଣ୍ଡନାଟ, ରାମଲୀଳା, କୃଷ୍ଣଲୀଳା, ଭାରତଲୀଳା, ପାଲା ପ୍ରଭୃତି ବିଭିନ୍ନ ପ୍ରକାର ପାରମ୍ପରିକ ନାଟକକୁ ‘ଯାତ୍ରା’ ନାମରେ ଅଭିହିତ କରାଯାଇଛି । ୧୯୪୩ ମସିହାରେ ପ୍ରକାଶିତ ନିଜର ‘ଓଡ଼ିଆ ନାଟ୍ୟକଳା’ ଗ୍ରନ୍ଥର ଦ୍ୱିତୀୟ ପରିଚ୍ଛେଦରେ ଅଧ୍ୟାପକ ଗିରିଜାଶଙ୍କର ରାୟ ମୁସଲମାନଙ୍କ ପ୍ରଭାବରୁ ଓଡ଼ିଶାରେ ଯାତ୍ରାର ଆରମ୍ଭ ହୋଇଥିବା କଥା ସୂଚାଇ ତାହା ‘ରାମଲୀଳାର ମଜଲିସ୍‌ର ପରିଣତି’ ବୋଲି ଦର୍ଶାଇଛନ୍ତି । ତାହାସହିତ ‘ଯାତ୍ରାର ଆଧୁନିକ ଉତ୍ପତ୍ତି ସମ୍ୟକ୍‌ ସୂଚିତ’ ହେଉଥିବାର ମତବ୍ୟକ୍ତ କରିଛନ୍ତି ଆପଣ ଆଲୋଚନାରେ ଅଧ୍ୟାପକ ରାୟ ସ୍ପଷ୍ଟ ଭାବେ ନ କହିଲେ ମଧ୍ୟ ତହିଁରୁ ଜଣାପଡ଼ୁଛି ଯେ - ପୂର୍ବରୁ ପ୍ରଚଳିତ ଥିବା ଆମର ବିଭିନ୍ନ ପ୍ରକାର ଲୀଳା, ମଜଲିସ୍‌ ପ୍ରଭୃତି ପରବର୍ତ୍ତୀ କାଳରେ ‘ଯାତ୍ରା’ ଅଭିଧାରେ ଚିହ୍ନିତ ହୋଇଛି ।

 

‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ର ଷଷ୍ଠ ଖଣ୍ଡରେ (୧୯୩୭) ସେହିପରି ଚଇତିଘୋଡ଼ା, ଝାମୁ, ପାଟୁଆ, ଶବର-ଶବରୁଣୀ ପ୍ରଭୃତି ବିଭିନ୍ନ ପ୍ରକାର ଲୋକଗୀତ ଓ ନାଟକୁ ‘ଯାତ୍ରା’ ବୋଲି ନାମିତ କରି ସନ୍ଦର୍ଭ ଲେଖକ ଶ୍ରୀ ଜଗବନ୍ଧୁ ସିଂହ ଓଡ଼ିଆ ଯାତ୍ରାକୁ ଉଚ୍ଚକୋଟୀର ମନେ କରି ନାହାନ୍ତି, ଏବଂ ଯାତ୍ରାର ସଂସ୍କାର ବିଷୟରେ ସୂଚନା ଦେଇଛନ୍ତି ।

ଏବେ ‘ଥିଏଟର’ କହିଲେ ସାଧାରଣତଃ ଯାହା ବୁଝାଯାଏ, ପୂର୍ବରୁ ‘ଯାତ୍ରା’ କହିଲେ ତାହାହିଁ ବୁଝାଯାଉଥଲା । ମାତ୍ର ସଂପ୍ରତି ‘ଯାତ୍ରା’ କଥାଟିର ଅର୍ଥ ସଂକୋଚନ ଘଟି ଲୋକପ୍ରିୟ ନାଟ୍ୟକର୍ମକୁ ବୁଝାଉଛି । ଅପରପକ୍ଷରେ, ‘ନାଟକ’ କଥାଟି ସଂସ୍କୃତ ସାହିତ୍ୟ ବାଟ ଦେଇ ଶିଷ୍ଟ ବିଶିଷ୍ଟ ସୁଧୀମଣ୍ଡଳୀ ମଧ୍ୟରେ ପ୍ରସାରିତ ହୋଇଛି । ଆଧୁନିକ ଯୁଗରେ ଜଗନ୍ମୋହନ, ରାମଶଙ୍କର, ଅଶ୍ଵିନୀକୁମାର ପ୍ରମୁଖଙ୍କର ନାଟ୍ୟକର୍ମ-ପ୍ରବାହଠାରୁ ‘ନାଟକ’ ଓ ‘ଯାତ୍ରା’ ଦୁଇଟି ଭନ୍ନ ଅର୍ଥରେ ଗୃହୀତ ହୋଇଯାଇଛି । କେତେକ ସମାଲୋଚକ ଏବେ ‘ଯାତ୍ରା ନାଟକ’ କଥାଟି ବ୍ୟବହାର କରୁଥିବାର ଦେଖାଯାଏ । କିନ୍ତୁ ଯାତ୍ରାରେ ଅଭିନୀତ ହେବା ପାଇଁ କୌଣସି ସ୍ଵତନ୍ତ୍ର ଧରଣର ରଚିତ ନାଟକ ନିର୍ଦ୍ଦିଷ୍ଟ ହୋଇଛି କି ? ରାମଲୀଳା, କୃଷ୍ଣଲୀଳା, ସୁଆଙ୍ଗ, ଗୀତିନାଟ୍ୟ, ନୃତ୍ୟନାଟ୍ୟ ଆଦି ଯେପରି ଯାତ୍ରାରେ ଅଭିନୀତ ହୋଇପାରେ, ଆଧୁନିକ ପରୀକ୍ଷାମୂଳକ ନାଟକାଦିର ମଧ୍ୟ ସେହିପରି ଅଭିନୟ ପ୍ରଦର୍ଶନ କରାଯାଇପାରେ । ତେଣୁ ‘ଯାତ୍ରା ନାଟକ’ କଥାଟି ନିରର୍ଥକ ମନେହୁଏ ।

 

ଜଗନ୍ନାଥ ପାଣିଙ୍କ ନାଟ୍ୟ କର୍ମ

ଆମର ଏହି ପୁଷ୍କଳ ନାଟ୍ୟ ପରମ୍ପରାଭିତ୍ତିରେ କବି ଜଗନ୍ନାଥଙ୍କ ସୃଷ୍ଟି ଓ ସାମର୍ଥ୍ୟ ବିଚାର କରାଯାଇପାରେ । ଜଗନ୍ନାଥ ଆଧୁନିକ ଯୁଗର ସାହିତ୍ୟ ସାଧକ ହୋଇଥିଲେ ହେଁ ପ୍ରାଚୀନ ପାରମ୍ପରିକ ରୀତିରେ ଶିକ୍ଷାଦୀକ୍ଷା ଲାଭ କରିଥିଲେ, ଏବଂ ସେହି ପାରମ୍ପରିକ ରୀତିରେ ସାହିତ୍ୟ ସୃଷ୍ଟି କରିଥିଲେ ମଧ୍ୟ । ସଂସ୍କୃତ ପୁରାଣ, ଶାସ୍ତ୍ରାଦିରେ ସେ ଅବଗାହୀ ଥିଲେ, ଏବଂ ତହିଁରୁ ମାଲ୍‌ ମସଲା ଆହରଣ କରି ଆପଣାର ସାହିତ୍ୟ-ସୌଧ ନିର୍ମାଣ କରିଥିଲେ । ତିନି ଖଣ୍ଡରେ ପ୍ରକାଶିତ ଜଗନ୍ନାଥ ପାଣି ଗ୍ରନ୍ଥାବଳୀରୁ (ପ୍ରଥମ ଖଣ୍ଡ ୧୯୮୩, ଦ୍ୱିତୀୟ ଖଣ୍ଡ-୧୯୮୬ ଓ ତୃତୀୟ ଖଣ୍ଡ ୧୯୯୩) ଜଣାଯାଏ ଯେ - କବି ପ୍ରାୟ ସତରଟି ଛାନ୍ଦ ନାଟକ; ପ୍ରାୟ ଚାରିଗୋଟି କାବ୍ୟ; ପାଲା, ଅସଂପୂର୍ଣ୍ଣ ମହାଭାରତ, କେଳା କେଲୁଣୀ ପ୍ରହସନ, କୋଇଲି, ପାଟୁଆ ଗୀତ, ଜଣାଣ ଆଦି କେତେକ କ୍ଷୁଦ୍ର କ୍ଷୁଦ୍ର ରଚନା ଦ୍ଵାରା ଆମର ସାରସ୍ଵତ ଗନ୍ତାଘରକୁ ସମୃଦ୍ଧ କରିଛନ୍ତି ।

 

ଜଗନ୍ନାଥ ପାଣିଙ୍କ ନାଟକଗୁଡ଼ିକରୁ ଅଧିକାଂଶ ଯେପରି ଅଭିନୀତ ହୁଏ, ସେହିପରି ପାଲା ଅନୁଷ୍ଠାନରେ ଗାନ କରାଯାଇପାରେ । ତଥାପି ପରମ୍ପରା ଅନୁସରଣରେ ସେ ସ୍ଵତନ୍ତ୍ରଭାବରେ ପାଲାଗୀତ କିଛି ରଚନା କରିଥିଲେ । ତନ୍ମଧ୍ୟରେ ‘ଶଶୀଜିତ୍‌ ବିଭା ବା କାମକାଠୁରିୟା ପାଲା’ ଅନ୍ୟତମ । ଜଗନ୍ନାଥ ପାଣିଙ୍କ ଏହି ପାଲାଗୀତଟି ୧୯୨୯ ମସିହାରେ ଯାଜପୁର ବିରଜା ପ୍ରେସ୍‌ରେ ମୁଦ୍ରିତ ହୋଇ ପ୍ରକାଶ ପାଇଥିଲା । ଏହା ହିଁ ବୋଧହୁଏ ମୁଦ୍ରିତାକାରେ ପ୍ରକାଶ ପାଇଥିବା କବିଙ୍କର ସର୍ବପ୍ରଥମ ରଚନା । ଏଥିରେ କର୍ଣ୍ଣାଟ ରାଜପୁତ୍ର ଶଶୀଜିତ୍‌ ଓ କାମାକ୍ଷା ରାଜକନ୍ୟା କାମମୋହିନୀଙ୍କ ମିଳନ କଥା ସ୍ଥାନ ଲାଭ କରିଛି । ପାଲାର ଅଷ୍ଟମ ଛାନ୍ଦ ଶେଷରେ କବି ଉଲ୍ଲେଖ କରିଛନ୍ତି-

 

ନଳାଙ୍ଗ ନୀଳୟା ନୀର କୂଳ କଳାକର

 

ପ୍ରବନ୍ଧ ରଚିଲେ ଜଗନ୍ନାଥ କବିବର

।।

ଶାରଦା ପ୍ରସନ୍ନ ଫଳେ ପ୍ରସରିଲା ବୁଦ୍ଧି

 

ବିରଞ୍ଚିଲି ନାରାୟଣ ମହିମା ପ୍ରବୋଧି

।।

ମାନସିକ ରସିକ ସୁଧୀର ସ୍ମୃତି ଯେତେ

 

ମୁଖେ ଗାଇ ପିଅ ଏହି ସୁଧାରସ ନିତ୍ୟେ

।।

 

ଏହି ପାଲାଟି ସମ୍ପର୍କରେ ବିସ୍ତୃତ ଆଲୋଚନା ମୋର ‘ପ୍ରସଙ୍ଗ : ନାଟକ-ଏକାଙ୍କିକା’ (୧୯୯୭) ଗ୍ରନ୍ଥର ସମଶୀର୍ଷକ ପ୍ରବନ୍ଧ ଦ୍ରଷ୍ଟବ୍ୟ (ପୃଷ୍ଠା ୨୨-୩୧) ।

 

କବି ପାଣିଙ୍କ ନାଟକ ବା ଛାନ୍ଦନାଟ୍ୟ ସମୂହ ଆମର ନାଟ୍ୟ ପରମ୍ପରାରୁ ବିଚ୍ୟୁତ ହୋଇ ନାହିଁ । ପ୍ରଥମତଃ ନାଟକଗୁଡ଼ିକର କଥାବସ୍ତୁ ଚୟନ । ମୁଖ୍ୟତଃ ଭାରତୀୟ ପୁରାଣ ଓ ମହାକାବ୍ୟରୁ କବି ତାହା ଚୟନ ପୂର୍ବକ ଦକ୍ଷଯଜ୍ଞ, ପାରିଜାତ ହରଣ, ଧ୍ରୁବ ଚରିତ, ପ୍ରହ୍ଲାଦ ଚରିତ, ଉଷାବତୀ ହରଣ, ରୁକ୍ମିଣୀ ପରିଣୟ, ସୀତା ବନବାସ, କପଟପାଶା, ମହୀରାବଣ ବଧ, ସୁଭଦ୍ରା ପରିଣୟ ପ୍ରଭୃତି ରଚନା କରିଛନ୍ତି । ଘଟଣାକ୍ରମରେ ସାମାନ୍ୟ ଅଦଳବଦଳ କରାଯାଇଥିଲେ ମଧ୍ୟ ମୋଟାମୋଟି ଭାବରେ ନାଟ୍ୟ କାହାଣୀ ଅପରିବର୍ତ୍ତିତ ରହିଛି । ନାଟ୍ୟ ଚରିତ୍ର ସମ୍ପର୍କରେ ମଧ୍ୟ ଅନୁରୂପ କଥା ବୋଲାଯାଇପାରେ । ପରମ୍ପରା ଅନୁସରଣରେ କବି ଚରିତ୍ର ଉପସ୍ଥାପନ କରିଥିଲେ ହେଁ, ସ୍ଥଳବିଶେଷରେ ତହିଁରେ ଲୌକିକତାର ପୁଟ ଦେଇ ଚରିତ୍ରଗୁଡ଼ିକ ଜୀବନ୍ତ କରିଛନ୍ତି । ଉଦାହରଣ ସ୍ଵରୂପ - ଦକ୍ଷଯଜ୍ଞ ଓ ଧ୍ରୁବ ଚରିତରେ ଦୁଇ ସଉତୁଣୀ କଳି, ସପତ୍ନୀମାନଙ୍କ ମଧ୍ୟରେ ଦ୍ଵନ୍ଦ୍ୱ‌ ଚମତ୍କାର ଭାବରେ ଦର୍ଶାଇ ଦିଆଯାଇଛି । ସେହିପରି ‘ପରିଜାତ ହରଣ’ରେ ଶଚ୍ଚୀ ଓ ସତ୍ୟଭାମାଙ୍କ ଉକ୍ତି, ପ୍ରତ୍ୟୁକ୍ତି ମାନଭଞ୍ଜନରେ ଶ୍ରୀରାଧା ଓ କୁଟିଳାଙ୍କ କଳହ ବେଶ୍‌ ଚମତ୍କାରଭାବେ ପରିବେଷିତ ହୋଇଅଛି ।

 

ଦ୍ଵିତୀୟତଃ ଆମର ସାମାଜିକତା ଉପସ୍ଥାପନରେ କବିଙ୍କର କୃତିତ୍ୱ । ଧ୍ରୁବ ଚରିତ ନାଟକରେ ସୁନୀତିଙ୍କର ଦୋହଦ ପୂରଣ ପାଇଁ ବିଭିନ୍ନ ପ୍ରକାର ଖାଦ୍ୟପେୟର ଆୟୋଜନ, ପ୍ରହ୍ଲାଦ ଚରିତରେ ନାରୀର ଗର୍ଭବାସ-ଜ୍ୟୋତିଷ ବିଦ୍ୟା ଆଦିର ଉଲ୍ଲେଖ ବେଶ୍‌ ହୃଦ୍ୟ । ଅବଶ୍ୟ, ମୀରା ଚରିତରେ ‘ଉଆରେଣ୍ଟ୍‌' (Warrant) ପ୍ରହ୍ଲାଦ ଚରିତରେ ବସନ୍ତ ରୋଗ ପ୍ରତିରୋଧ ପାଇଁ ପ୍ରହ୍ଲାଦର ଟୀକାଦାନ ପ୍ରସଙ୍ଗ ଅସ୍ଵାଭାବିକ ମନେ ହେଉଛି । ଏହା କବିଙ୍କ ଉପରେ ଇଂରେଜ ଶାସନର ପ୍ରଭାବ ବୋଲି ମନେ ହୁଏ ।

 

ତୃତୀୟତଃ ଆମ କାବ୍ୟ ସାହିତ୍ୟର ପାରମ୍ପରିକ ଛନ୍ଦ, ରାଗରାଗିଣୀ ଆଦି କବି ଜଗନ୍ନାଥ ଆପଣା ନାଟକଗୁଡ଼ିକରେ ଅନୁସରଣ କରିଛନ୍ତି । ଛାନ୍ଦ, ଚଉତିଶା, ଚଉପଦୀ, ପୟାର (ଚଉଦ ଅକ୍ଷର- ବିଶିଷ୍ଟ ଦୁଇପାଦିଆ ଛନ୍ଦ), ନବାକ୍ଷରୀ ପ୍ରଭୃତି ଛନ୍ଦର ବହୁଳ ପ୍ରୟୋଗ ନାଟକମାନଙ୍କରେ ଦେଖାଯାଏ । ସେହିପରି ବିଭିନ୍ନ ରସ-ଉପଯୋଗୀ ରାଗରାଗିଣୀ କବି ନିଜ କୃତିରେ ଗ୍ରହଣ କରିଛନ୍ତି-

 

କବି ଜଗନ୍ନାଥ ପାଣି କେବଳ ନାଟ୍ୟକାର ନ ଥିଲେ, ନିଜେ ଏକ ନାଟ୍ୟଦଳ ଗଠନ କରି ଦଳର ଓସ୍ତାଦ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଅଭିନେତାମାନଙ୍କୁ ରୀତିମତ ତାଲିମ୍‌ ଦେଇ ଉତ୍ତୀର୍ଣ୍ଣ କରାଉଥିଲେ । ଉଲ୍ଲେଖନୀୟ ଯେ- ତାଙ୍କ ସମୟରେ କୌଣସି ନାରୀ ନାଟ୍ୟଦଳରେ ଅଭିନୟ କରୁ ନଥିଲେ । ପୁରୁଷମାନେ ହିଁ ନାରୀ ଭୂମିକାରେ ଅଭିନୟ କରୁଥିଲେ । ସେହିପରି କେତେକ ନାଟ୍ୟଦଳ ଓ ଅଭିନୟକାରୀଙ୍କ ନାମ ଡକ୍ଟର ଉପେନ୍ଦ୍ର ପ୍ରସାଦ ନାୟକ, ସ୍ଵ ଆଲୋଚନା ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି (ଲୋକକବି ଜଗନ୍ନାଥ ପାଣି, ଓଡ଼ିଶା ସାହିତ୍ୟ ଏକାଡେମୀ, ୧୯୯୯, ପୁଷା: ୧୨୫-୩୬ ଦ୍ରଷ୍ଟବ୍ୟ)

 

ରାଜ୍ୟର ନାଟ୍ୟ-ପରମ୍ପରା ଭିତ୍ତିରେ କବି ଜଗନ୍ନାଥ ପାଣି ନିଷ୍ଠାପର ଭାବରେ ଯେଉଁ ନାଟ୍ୟକର୍ମ କରିଯାଇଛନ୍ତି, ତାହାର ପ୍ରଭାବ କବି ବୈଷ୍ଣବ ପାଣି, ଗୋପାଳ ଦାଶ ପ୍ରମୁଖ ନାଟ୍ୟକର୍ମୀଙ୍କ ମଧ୍ୟ ଦେଇ ଗତ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ବଳବତ୍ତର ଥିଲା ।

 

ସହାୟକ ଗ୍ରନ୍ଥ :

୧.

ପ୍ରସଙ୍ଗ : ନାଟକ-ଏକାକିକା-ଅଧ୍ୟାପକ ଡଃ କୃଷ୍ଣଚରଣ ବେହେରା, ଫ୍ରେଣ୍ଡସ୍‌ ପବ୍ଲିଶର୍ସ, ବିନୋଦବିହାରୀ, କଟକ-୨ (୧୯୯୭)

୨.

ଲୋକକବି ଜଗନ୍ନାଥ ପାଣି - ଡଃ ଉପେନ୍ଦ୍ର ପ୍ରସାଦ ନାୟକ, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର-୧୪ (୧୯୯୯) ।

୩.

Popular Literature : A History & Guide - by Victor Neuburg, Penguin Books Ltd London (1977).

ଇ-୧, ଉତ୍କଳ ଆପାର୍ଟମେଣ୍ଟ,

କଲ୍ୟାଣୀ ନଗର, କଟକ- ୧୩

***

 

ରୀତିକାବ୍ୟ ପରମ୍ପରାରେ ଜଗନ୍ନାଥ ପାଣିଙ୍କ

କାବ୍ୟ ଓ ଛାନ୍ଦ-ନାଟକ : ଏକ ବିଚାରବିମର୍ଶ

ବୈଷ୍ଣବ ଚରଣ ସାମଲ

 

ଓଡ଼ିଆ ରୀତିକାବ୍ୟ ପରମ୍ପରା ଗୋଧୂଳି ଲଗ୍ନରେ ଛାନ୍ଦ-ନାଟ୍ୟକାର ଜଗନ୍ନାଥ ପାଣି (୧୮୩୬-୧୮୯୭)ଙ୍କର ଆବିର୍ଭାବ । କବିସୂର୍ଯ୍ୟ ବଳଦେବ ରଥ (୧୮୪୫ ମୃ) , ଗୋପାଳକୃଷ୍ଣ ପଟ୍ଟନାୟକ (୧୮୬୨ ମୃ) ଓ ଯଦୁମଣି ମହାପାତ୍ର (୧୮୬୮ ମୃ) ହିଁ ଥିଲେ ରୀତିକାବ୍ୟ ଓ ପାରମ୍ପରିକ ଗୀତି କବିତାର ଶେଷ ରୂପକାର । ୧୮୭୦ ମସିହା ପରେ ପରେ ଶିକ୍ଷାର ବିସ୍ତାର, ଇଂରାଜୀ ଶିକ୍ଷାସଭ୍ୟତା ଓ ସାହିତ୍ୟର ସଂସ୍ରକରେ ଆଧୁନିକ କବିତା ଓ ସାହିତ୍ୟର ବିଭିନ୍ନ ବିଭାଗର ଉନ୍ମେଷ ଓ କ୍ରମ ଉତ୍ତରଣ, ପତ୍ରପତ୍ରିକାର ପ୍ରକାଶ ସମୟରେ ଭଦ୍ରକର ନଳାଙ୍ଗ ନିବାସୀ ଜଗନ୍ନାଥ ପାଣିଙ୍କର କାବ୍ୟିକ ପ୍ରତିଭାର ହୋଇଚି ଉନ୍ମେଷ ଓ ବିକାଶ । ସେ କିନ୍ତୁ ପାଶ୍ଚାତ୍ୟ ଶିକ୍ଷା ଓ ସାହିତ୍ୟ ସଂସ୍ରକରେ ଆସି ନ ଥିଲେ । ପାରମ୍ପରିକ ଚାଟଶାଳୀ ଶିକ୍ଷା ପରେ ପରେ ସେ ସାରଳା ଦାସଙ୍କ ମହାଭାରତ, ଜଗନ୍ନାଥ ଦାସଙ୍କ ଭାଗବତ, ଅଚ୍ୟୁତାନନ୍ଦ ଦାସଙ୍କ ହରିବଂଶ, ପୀତାମ୍ବର ଦାସଙ୍କ ନୃସିଂହ ପୁରାଣ ସହିତ ଦୀନକୃଷ୍ଣ ଦାସ, ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ସାମନ୍ତସିଂହାର, ଭକ୍ତ ଚରଣ ଦାସ, କବିସୂର୍ଯ୍ୟ ବଳଦେବ ରଥ, ବନମାଳୀ ଦାସ, ଗୋପାଳକୃଷ ପଟ୍ଟନାୟକ ପ୍ରମୁଖଙ୍କ କାବ୍ୟ କବିତା ଅଧ୍ୟୟନ କରିଥିଲେ । ଏସବୁ ଗ୍ରନ୍ଥ ଅଧ୍ୟୟନ ଭିତରେ ସେ ଲକ୍ଷ୍ୟ କରିଥିଲେ ସେ କାଳରେ ସାଧାରଣ ଗ୍ରାମ୍ୟ ସମାଜରେ ଅଭିନୀତ ହେଉଥିବା ଲୀଳା ଓ ରାସ ନାଟକକୁ । ତାଙ୍କ ସମ୍ମୁଖରେ ଥିଲା ଭଦ୍ରକ ଅଂଚଳରେ ଅଭିନୀତ ହେଉଥିବା ବଂଶୀବଲ୍ଲଭ ଗୋସ୍ଵାମୀଙ୍କ ମୋଗଲ ତାମସା, ଯୋଗୀ ତାମସା ଓ ଚଇତି ତାମସା ଇତ୍ୟାଦି । ସେ କାଳର ଲୋକନାଟକ ସମ୍ପର୍କରେ ମଧ୍ୟ ସେ ଅବହିତ ଥିଲେ । ମାତ୍ର ଏସବୁ ଦ୍ଵାରା ସେ ପ୍ରଭାବିତ ନ ହୋଇ ମଧ୍ୟଯୁଗୀୟ ରୀତିକାବ୍ୟର ଧରା ଓ ଧାରକୁ ଗ୍ରହଣ କରିନେଇ ଠିକ୍‌ ସେଇ ଶୈଳୀରେ ନୁହେଁ; ଏକ ନିଜସ୍ଵ ରୀତିରେ ରଚନା କଲେ କାବା ଓ ଛାନ୍ଦ-ନାଟକ । ସେ ଅନୁଭବ କଲେ ଓଡ଼ିଆ ସାହିତ୍ୟର ମୌଳିକ ଦିଗଟି ସାଂଗୀତିକତା । ତେଣୁ ସେ ସଂଗୀତାତ୍ମକ ତଥା ଛାନ୍ଦସିକ ମାଧୁର୍ଯ୍ୟମଣ୍ଡିତ କାବ୍ୟ ରଚନା କଲେ, ଯାହା ନିରୋଳା କାବ୍ୟ ନ ହୋଇ ନାଟକୀୟ ଗୁଣରେ ହେଲା ଭୂଷିତ । କାବ୍ୟ ଭିତରେ ସେ ଯେଉଁସବୁ ଚରିତ୍ର ପାତ୍ରଙ୍କୁ ନେଲେ ସେମାନଙ୍କ ମୁଖରେ ସାଂଗୀତିକ ସଂଳାପ ଦେଲେ, ଯାହାକୁ ଅଭିନୟ କଲାବେଳେ ପାତ୍ରପାତ୍ରୀମାନେ ଗାନକରି ଶ୍ରବଣ ସୁଖଦାୟୀ ଭାବମାଧୁର୍ଯ୍ୟ ସୃଷ୍ଟି କଲେ । ଗୀତିସଂଳାପ ଗାନ କରିବା ସହିତ ପାତ୍ରପାତ୍ରୀମାନଙ୍କର ଆଙ୍ଗିକ, ବାଚିକ ଓ ଆହାର୍ଯ୍ୟ ଅଭିନୟ ମଧ୍ୟ ପ୍ରଦର୍ଶିତ ହୋଇ ସାଧାରଣ ଜନମାନସକୁ ଅଭିଭୂତ କଲା । ବିଷୟବସ୍ତୁ ସେ ଚୟନ କଲେ ସାରଳା ମହାଭାରତ, ଭାଗବତ, ହରିବଂଶ, ରାମାୟଣ ଆଦି ଗ୍ରନ୍ଥରୁ । କାରଣ ସେ ଜାଣିଥିଲେ ଓଡ଼ିଶାର ସାଧାରଣ ଜନଗଣ ଧର୍ମାନୁରାଗୀ ଓ ପୁରାଣପ୍ରିୟ । ଏସବୁ ପୌରାଣିକ ଆଖ୍ୟାନ ମାଧ୍ୟମରେ ଜନଗଣଙ୍କୁ ଧର୍ମାନୁରାଗୀ କରିବା ସହିତ ସେମାନଙ୍କର ନୈତିକତାବୋଧ, ଭକ୍ତିଭାବନା, ପାପ ପୁଣ୍ୟ ସମ୍ପର୍କରେ ସଚେତନତା, ସ୍ୱର୍ଗନରକ ଧାରଣା, ବାସ୍ତଲ୍ୟବୋଧ, ତ୍ୟାଗ ଓ ତିତିକ୍ଷା, ଅନ୍ୟାୟର ପ୍ରତିରୋଧ ପାଇଁ ସାହସ ଓ ଶକ୍ତି ସଂଚୟ, ନାରୀ ପ୍ରତି ମର୍ଯ୍ୟାଦାବୋଧ, ମୁନି ୠଷି ଓ ବିଦ୍ଵାନଙ୍କ ପ୍ରତି ଶ୍ରଦ୍ଧା, ଶିକ୍ଷାର ଆବଶ୍ୟକତା, ସ୍ଵଦେଶପ୍ରେମ, ଦାମ୍ପତ୍ୟ ପ୍ରେମର ମହନୀୟତା, ତାମସିକ ବା ଆସୁରିକ ଶକ୍ତିର ପରିଣାମ, ମାନବିକ ମୂଲ୍ୟବୋଧ, ଅହଂକାରର ପରିଣତି ଇତ୍ୟାଦି ସମ୍ପର୍କରେ ମନ ଓ ହୃଦୟକୁ ସଂପ୍ରସାରିତ କରିଦେବା ହେଲା ତାଙ୍କର ଲକ୍ଷ୍ୟ । ସେ ରୀତିକାବ୍ୟମାନଙ୍କରେ ଥବା ସାଂଳାପିକ ଶୈଳୀକୁ ଉପଲବ୍‌ଧି କରିଥିଲେ । ଉପେନ୍ଦ୍ର ଭଂଜ ବୈଦେହୀଶ ବିଳାସରେ ରାବଣ ଓ ହନୁମାନଙ୍କ ଭକ୍ତି ପ୍ରତ୍ୟୁକ୍ତିକୁ ନାଟକୀୟ ଭାବରେ ଉପସ୍ଥାପନ କରିଛନ୍ତି । ଯେତେବେଳେ ହନୁମାନ ସମୁଦ୍ର ଲଂଘନ କରି ଲଙ୍କାରେ ପହଞ୍ଚି ଅଶୋକ ବନକୁ ଧ୍ଵଂସ କରିଛି ଓ ରାକ୍ଷସମାନଙ୍କୁ ନିଧନ କରିଛି ସେତେବେଳେ ତାଙ୍କୁ ଧରି ନିଆଯାଇଛି ରାବଣ ପାଖକୁ । ହନୁମାନଙ୍କ ବୀରତ୍ୱକୁ ଉପହାସ କରି ରାବଣ କହିଛି-

 

ବାରିଧି ଲଂଘି ଆସିବା ବଢ଼ାଇକି ଭାବୁ

ବତାସ ଯୋଗରେ ଯୋଗେ ଉଡ଼ି ପଡ଼ିଥିବୁରେ ।

 

ଏହାର ଉତ୍ତରରେ ହନୁମାନ କ୍ରୋଧ ପ୍ରକାଶ କରି କହିଛି-

 

ବଈଶ୍ରବଣ ବଚନେ ବୋଇଲା ସେ ପୁଣ

ବୀରପଣ ଦେଖନ୍ତୁ ମୋହର ଏହି କ୍ଷଣରେ,

ବାହୁଯାକ ଉପାଡ଼ି ମୋଡ଼ନ୍ତି ଶିର ଦଶ

ବ୍ରୁଜିନୀ ତୁ, ପତିତପାବନ ତୋରେ ବଶରେ ।

 

କେବଳ ଏହି ଦୃଷ୍ଟାନ୍ତ ନୁହେଁ, ଉପେନ୍ଦ୍ରଙ୍କ ଅନ୍ୟାନ୍ୟ କାବ୍ୟରୁ ମଧ୍ୟ ଅନେକ ଦୃଷ୍ଟାନ୍ତ ଦିଆଯାଇପାରେ । ଦୀନକୃଷ୍ଣ ଦାସଙ୍କ ରସକଲ୍ଲୋଳ, ଅଭିମନ୍ୟୁ ସାମନ୍ତସିଂହାରଙ୍କ ବିଦଗ୍ଧ ଚିନ୍ତାମଣି ବା କବିସୂଯ୍ୟ ବଳଦେବ ରଥଙ୍କ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’, ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ରାଧାକୃଷ୍ଣ ଓ ଦୂତୀଙ୍କ ଭକ୍ତି ପ୍ରତ୍ୟୁକ୍ତିମୂଳକ ସଙ୍ଗୀତ ଇତ୍ୟାଦିକୁ ଜଗନ୍ନାଥ ଉପଲବ୍‌ଧି କରିଥିଲେ । ସେହି ଆଦର୍ଶକୁ ନିଜସ୍ଵ ଶୈଳୀରେ ପରିମାର୍ଜିତ କରି ସେ ରଚନା କଲେ ଉଷାବତୀ ହରଣ, ସୀତା ବନବାସ, ମାନଭଞ୍ଜନ, ମହୀରାବଣ ବଧ, ଋକ୍ମିଣୀ ପରିଣୟ, ଦକ୍ଷ ଯଜ୍ଞ, ଲକ୍ଷ୍ମଣ ଶକ୍ତିଭେଦ, ସୁଭଦ୍ରା ପରିଣୟ, ହାରାବତୀ ହରଣ, ପାରିଜାତ ହରଣ, ଧ୍ରୁବ ଚରିତ, ପ୍ରହ୍ଲାଦ ଚରିତ, ବଭ୍ରୁବାହନ ଯୁଦ୍ଧ, ମୀରା ଚରିତ, କପଟ ପାଶା, ଭୂତକେଳି, ବିଲଙ୍କା ଚରିତ, ପାରିଜାତ ହରଣ ଆଦି ନାନା ଛାନ୍ଦ ନାଟକ ଯାହା ଏକାଧାରରେ କାବ୍ୟ ଓ ନାଟକର ସ୍ୱାଦ ବହନ କରି ଲୋକଙ୍କ ପାଖରେ ଅତ୍ୟନ୍ତ ପ୍ରିୟ ଭାଜନ ହୋଇପାରିଲା । ଏହା ସହିତ ସେ ମଧ୍ୟ ରଚନା କଲେ ଗୋପାଳ ଗୋପାଳୁଣୀ, ବାବୁ ବାବୁଆଣୀ, ମାଳି-ମାଳିଆଣୀ, ଧୋବା ଧୋବଣୀ, କେଳା-କେଲୁଣୀ, ବୈଦ୍ୟ-ରୋଗୀ, ମୋଗଲ-ଗଉଡ଼ୁଣୀ, ରଜକ-ରଜକୀ ଆଦି ନାନା ପ୍ରହସନ ବା ତାମସା । ସେ ମଧ୍ୟ ଗୁଣ୍ଡିଚା ବିଜେ, ବ୍ରଜ ମନୋହର, ପ୍ରମୋଦ ଚନ୍ଦ୍ରମଣି ଆଦି କାବ୍ୟ ରଚନା କରିବା ସହିତ ଚୌପଦୀ ରତ୍ନାବଳୀ, ଭଜନ ଜଣାଣ, କାମ କାଠୁରିଆ ପାଲା, ଯଶୋଦା କୋଇଲି, ଲକ୍ଷ୍ମୀ ନାରାୟଣ କଳି, ଚଣ୍ଡୀ ଯୁଦ୍ଧ, କୈବର୍ତ୍ତ ଗୀତାବଳି ଆଦି ନାନା ରଚନା ଲେଖିଲେ ।

 

ଜଗନ୍ନାଥ କାବ୍ୟ ରଚନା କରିଛନ୍ତି, ପୁରାଣ ରଚନା କରିଛନ୍ତି, ଚଉତିଶା-ଚଉପଦୀ-କୋଇଲି କବିତା ରଚନା କରିଛନ୍ତି, ତାମସା ବା ପ୍ରହସନ ଲେଖିଛନ୍ତି ସର୍ବୋପରି ସେ ଛାନ୍ଦ-ନାଟକର ଜନକ ଭାବରେ ନେଇଥିଲେ ଗୁରୁତ୍ଵପୂର୍ଣ୍ଣ ଭୂମିକା । ସେ ସର୍ବ ପ୍ରଥମେ ଗୋଟିଏ ଯାତ୍ରା ଦଳ ଗଠନ କରି ଯେଉଁମାନେ ସେହି ଦଳରେ ଅଭିନୟ କଲେ ସେମାନଙ୍କଠାରୁ ଚୁକ୍ତିପତ୍ର ଲେଖିନେଇ ତାହାକୁ ରେଜିଷ୍ଟ୍ରି କରିଥିଲେ ୧୮୬୫, ୧୮୬୯, ୧୮୭୩ ଓ ୧୮୮୫ ମସିହାରେ ଗୋଟିଏ ବ୍ୟାବସାୟିକ ଯାତ୍ରା ଦଳ ଗଠନ କରି ସେ ଉନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ସମଗ୍ର ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଭିନୟ ଦେଖାଇ ପ୍ରଶଂସିତ ହେଲେ । ତାଙ୍କ ପ୍ରେରଣାରେ ପଳସିଙ୍ଗାର ଗୋପାଳ ଦାଶ, ମାହାଙ୍ଗାର ବୈଷ୍ଣବ ପାଣି, ଜଗତସିଂହପୁରର ବାଳକୃଷ୍ଣ ମହାନ୍ତି ଗୀତିନାଟକ ବା ଗୀତାଭିନୟ ରଚନା କଲେ । ଜଗନ୍ନାଥ ଯେଉଁ ଯେଉଁ ବିଷୟକୁ ନେଇ ଛାନ୍ଦ-ନାଟକ ଲେଖିଥିଲେ ସେହି ସେହି ବିଷୟକୁ ନେଇ ମଧ୍ୟ ଏମାନେ ରଚନା କଲେ ଗୀତାଭିନୟ । ତୁଳନାତ୍ମକ ଭାବରେ ‘ଦକ୍ଷ ଯଜ୍ଞ’ ପ୍ରସଙ୍ଗଟିକୁ ଏଠାରେ ଦର୍ଶାଇ ଦିଆଯାଉଛି । ଏହି ବିଷୟରେ ଜଗନ୍ନାଥ ପାଣି ପ୍ରଥମ ଓ ତାଙ୍କ ପରେ ଗୋପାଳ ଦାଶ ଏବଂ ବୈଷ୍ଣବ ପାଣି ଲେଖିଛନ୍ତି । ଜଗନ୍ନାଥଙ୍କ ‘ଦକ୍ଷ ଯଜ୍ଞ’ ତିରିଶିଟି ଛାନ୍ଦରେ ରଚିତ । ଏଥିରେ ରୀତିକାବ୍ୟର ଶୈଳୀ ସୁସ୍ପଷ୍ଟ । ପ୍ରଥମରୁ ସେ ରୀତି କବିଙ୍କ ପରି ବସ୍ତୁ ନିର୍ଦ୍ଦେଶ କରି କହିଛନ୍ତି- ‘ଅପୂର୍ବ କୌତୁକ ରସ ଶୁଣ ସାଧୁଜନ/ବିଚିତ୍ର ଚରିତ୍ର ଦକ୍ଷ ଯଜ୍ଞର ବିଧାନ-।’ (୧ମ ଛାନ୍ଦ) ଦେବସଭାରେ ଶିବଙ୍କୁ ଅପମାନ ଦିଆଯାଇଥିବାରୁ ସେହି ଘଟଣାକୁ କେନ୍ଦ୍ର କରି ଗଙ୍ଗା ଓ ପାର୍ବତୀଙ୍କ ମଧ୍ୟରେ କଳହ ହୋଇଛି ।

 

ଭଗବତୀ ଚାହିଁ ଭୋଗବତୀ ଗଙ୍ଗା କହଇ ଭର୍ତ୍ସନା କରି

ରାଜଜେମା ହୋଇ ଲାଜ ତୋର ନାହିଁ ମୁହଁ ଦେଖାଉ ଆହୁରି ଲୋ

ବାରବୁଲି ଗଉରୀ

ଯାଆ ଯାଆ ମୋ ଘରୁ ବାହାରି ଲୋ ।

ଆଲୋ ଭାଗୀରଥୀ ଅଭାଗୀ ଦୁର୍ମତି କି ଭାଙ୍ଗି ଦେଲି ମୁଁ ତୋର

କାହାକୁ ଅଲଡ଼ା କହୁଲୋ ନିଲ୍ଲଜା ଜଜଜଳ ଜଳା ଧାର ଲୋ

ପଳା ପଳା ଭସାଣୀ

ଫଳାଫଳ ଦେବି ଏହିକ୍ଷଣି ଲୋ ।

କି କହିଲୁ କି କହିଲୁ ଆଉ ଥରେ କହିଲୁଲୋ କଳିହୁଡ଼ି

କାଲି ତୋହ ଲାଗି ଶିବଙ୍କୁ ସଭାରୁ ଦକ୍ଷ ଦେଲା ପରା କାଢ଼ିଲୋ

କେଡ଼େ କଳଙ୍କ ହେଲା

ସ୍ତିରୀ ହୋଇ ତୁ ହେଲୁ ଲଙ୍ଗଳା ଲୋ ।

ଛି ଲୋ ଲଙ୍ଗୁଳି ବାରବାଙ୍କ ଗଳି ଅମଙ୍ଗଳା ତୋ ମୁହାଣି

ଜୁଆର ବାରେଣି ହେଲେ ତୋ ଉଜାଣି ଉପରକୁ ଉଠେ ପାଣି ଲୋ

କୁଳ କଳଙ୍କୀ ଗଙ୍ଗା

ମଝି ନଈରେ ବୁଡ଼ାଉ ଡଙ୍ଗା ଲୋ ।

 

ଗୋପାଳ ଦାଶ ଠିକ୍‌ ଏହିପରି ‘ଦକ୍ଷ ଯଜ୍ଞ’ ସୁଆଙ୍ଗରେ ଗଙ୍ଗା ଓ ପାର୍ବତୀ କଳହକୁ ବର୍ଣ୍ଣନା କରିଅଛନ୍ତି । ଶିବଙ୍କ ପ୍ରତି ଅପମାନରେ ଗଙ୍ଗା କ୍ଷୁବ୍‌ଧା ହୋଇ ପାର୍ବତୀଙ୍କୁ ଭର୍ତ୍ସନା କରିଛନ୍ତି ଓ ପାର୍ବତୀ ମଧ୍ୟ ଗଙ୍ଗାଙ୍କୁ କ୍ରୋଧର ପାଲଟା ଗାଳି ଦେଇଛନ୍ତି । ସେମାନଙ୍କ କଳହ ଦୁଇଜଣ ଗ୍ରାମ୍ୟ ସଉତୁଣୀଙ୍କ କଳହ ପରି ମନେହୁଏ ।

 

ପାର୍ବତୀ

-

ଜାଲିଆଣିଟାଲୋ କାଲି ମୋ ଘରକୁ ଆସିଛୁ

 

 

ନାଲି ଆଖି ଦେଖାଇଣ ଠେଲି କଥା କହୁଛୁ ।

 

 

ମେଲିଅଛୁ ମୋ କଳଙ୍କ ନିଷ୍କଳଙ୍କୀ ତୁହିଲୋ

 

 

ଚାଲି ଚଳଣୀରୁ ତୋର ଜଣାଯାଉ ନାହି, ଜାହ୍ନବୀ ।

ଗଙ୍ଗା

-

କାଳିକା କଂକାଳୀ ତୁ କପାଳୀ ନାମ ବହୁଲୋ

 

 

ଭଳି ଭଳି ରୂପରେ ପୁରୁଷ ମନ ମୋହୁଲୋ

 

 

ଶିବ ଭଳି ପରାସ୍ଵାମୀ ଛାତି ପରେ ଚଢ଼ିଲୁ

 

 

କଳିହୁଡ଼ିଟା ଲୋ ସେଥିଲାଗି ଜିହ୍ୱା କାଢ଼ିଲୁ, ଅମ୍ବିକା ।

 

ପାର୍ବତୀଙ୍କର ସ୍ଵାମୀ ଶିବଙ୍କ ପ୍ରତି ଅଭିମାନ ବ୍ୟଞ୍ଜକ ଉକ୍ତି - ‘ଥାଉ ଗଙ୍ଗା ବଙ୍ଗାଳୁଣୀ ମୁଁ ହିଁ ଯାଉଛି/କାଙ୍ଗାଳୁଣୀ ହୋଇ ପରା ଏତେଦିନ ନେଉଛି/ସଦାଦିନେ ଅନ୍ନ କଷ୍ଟ ଦିନେ ନ ପୂରିଲା ପେଟ/ବସ୍ତ୍ର ଖଣ୍ଡେ ନାହିଁ ଛୋଟ ଭୂଷଣ କି ପାଉଛି” - ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ । ବୈଷ୍ଣବ ପାଣି ମଧ୍ୟ ‘ଦକ୍ଷ ଯଜ୍ଞ ସୁଆଙ୍ଗ’ରେ ଗଙ୍ଗା ଓ ଚଣ୍ଡୀ (ପାର୍ବତୀ) ଙ୍କ ମଧ୍ୟରେ ହୋଇଥିବା କଳହକୁ ନିମ୍ନମତେ ବର୍ଣ୍ଣନା କରିଛନ୍ତି-

 

ଗଙ୍ଗା

-

ଛି’ଲୋ କାଳିକାନି କଳିହୁଡ଼ି ଜଳଜଳି ଲୋ

 

 

ପରାଭବ ଦେବି ଗୋ ଆଗରୁ ଯାଅ ଚଳି, ଚଣ୍ଡିକା ।

ଚଣ୍ଡୀ

-

ଜୁଆର ବାରେଣୀ କଳକଳ ନିନାଦିନୀ ଲୋ

 

 

ଭେଳା ବୁଡ଼ାଇ ପାଟଳି ରଷିର ନନ୍ଦିନୀ, ଜାହ୍ନବୀ ।

ଗଙ୍ଗା

-

ପୁରୁଷ ଭଣ୍ଡାଇ ଗୁରୁଜନେ ନାହିଁ ଡର ଲୋ

 

 

ଉର ଦେଖାଇ ଭାବିନୀ ମାଇଲୁ ଅସୁର, ଚଣ୍ଡିକା ।

ଚଣ୍ଡୀ

-

ତୋହ ପରି ବୁଡ଼ାଇ ନାହିଁ ମୁଁ ତିନିପୁର ଘର ଲୋ

 

 

ଶାନ୍ତନୁ ରାଜା ବରୁଣ ପୁଣି ମହେଶ୍ଵର, ଜାହ୍ନବୀ ।

ଗଙ୍ଗା

-

ପିଙ୍ଗଳାକ୍ଷୀ ଲଙ୍ଗଳା ହୋଇଲୁ ଯେଉଁଦିନ ଲୋ

 

 

ସେହିଦିନୁ ପଥର ହୋଇଲା ଶିବ ତନୁ, ଚଣ୍ଡିକା ।

ଚଣ୍ଡୀ

-

ଖାଇଲୁ ସାତ ସନ୍ତାନ ଶାନ୍ତନୁର ତୁହି ଲୋ

 

 

କାଢ଼ି ଦେଲା ରହିଲୁ ମୋ ସଉତୁଣୀ ହୋଇ, ଜାହ୍ନବୀ ।

 

ଉଭୟ ଗୋପାଳ ଦାଶ ଓ ବୈଷ୍ଣବ ପାଣି କବି ଜଗନ୍ନାଥ ପାଣିଙ୍କ ଛାନ୍ଦ-ନାଟକ ‘ଦକ୍ଷଯଜ୍ଞ’ ପାଖରେ କେତେ ଋଣୀ ତାହା ବୁଝାଇ କହିବାର ନାହିଁ । ତାଙ୍କର ପ୍ରହସନଗୁଡ଼ିକ ମଧ୍ୟ ପରବର୍ତ୍ତୀ ଗୀତିନାଟ୍ୟକାରମାନଙ୍କୁ ବହୁଭାବରେ ଅନୁପ୍ରାଣିତ କରିଛି । ଜଗନ୍ନାଥ ପାଣିଙ୍କ ଗୀତାଭିନୟ ବା ଛାନ୍ଦ ନାଟକ ରୀତିକାବ୍ୟର ନିକଟବର୍ତ୍ତୀ । ପ୍ରତ୍ୟେକ ନାଟକ କେତୋଟି ଛାନ୍ଦରେ ବିଭକ୍ତ । ପ୍ରାୟ ପ୍ରତ୍ୟେକ ଛାନ୍ଦନାଟ୍ୟର ପ୍ରଥମେ କବି ରୀତିଯୁଗର କାବ୍ୟମାନଙ୍କ ପରି ରସିକ, ସାଧୁଜନ, ଧୀରମାନଙ୍କୁ ସମ୍ବୋଧନ କରି ବିଷୟ ଆରମ୍ଭ କରିଛନ୍ତି । ଏହାକୁ ଛାନ୍ଦ ନାଟକର ପ୍ରସ୍ତାବନା ଭାବେ ପରିବେଷିତ ହୋଇଥାଏ । ଯଥା :-

 

(କ)

ଶୁଣ ହେ ସୁଧୀରଜନେ ହୋଇ ମନ ତୋଷ

 

ଭଷାବତୀ ହରଣ ଏ ସୁଧା ସିନ୍ଧୁ ରସ ।

 

-ପ୍ରଥମ ଛାନ୍ଦ, ଉଷାବତୀ ହରଣ

(ଖ)

ଶୁଣ ହେ ସୁଜନ ଜନେ ସୁଧା ସିନ୍ଧୁ ରସ

 

ସୀତା ଶ୍ରୀରାମ ଚରିତ ପବିତ୍ର ରହସ୍ୟ

 

-ସୀତା ବନବାସ -୧ମ ଛାନ୍ଦ

(ଗ)

ସୁଧା ସିନ୍ଧୁ ପ୍ରମୋଦ ଚନ୍ଦ୍ରମଣି କୁମୁଦ

 

ରସେ ରସ ରସିକ ଜନ

 

-ମହୀରାବଣ ବଧ - ୫ମ ଛାନ୍ଦ

(ଘ)

ଅପୂର୍ବ କୌତୁକ ରସ ଶୁଣ ସାଧୁଜନ

 

-ଦକ୍ଷ ଯଜ୍ଞ - ୧ମ ଛାନ୍ଦ

(ଙ)

ଶୁଣ ହେ ସୁଧୀର ଜନେ ହୋଇ ଏକ ମନ

 

-ଧ୍ରୁବ ଚରିତ - ୧ମ ଛାନ୍ଦ

 

ପ୍ରାୟ ଛାନ୍ଦ-ନାଟକଗୁଡ଼ିକରେ କବି ଧୀର, ସୁଧୀର, ରସିକ, ସାଧୁଜନଙ୍କୁ ସମ୍ବୋଧନ କରିଛନ୍ତି । ବିଭିନ୍ନ ସରଳ ଅଳଙ୍କାର, ଶବ୍ଦ ଯୋଜନା, ରସ-ଚର୍ଯ୍ୟା ଯେପରି ପ୍ରୟୋଗ କରିଅଛନ୍ତି, ଯେପରି ନାୟକ ନାୟିକାଙ୍କ ସ୍ଵପ୍ନ ଦର୍ଶନ, ମିଳନ, ବିରହ ବର୍ଣ୍ଣନା ସହିତ ଯୁଦ୍ଧ, ବସନ୍ତ, ବର୍ଷା ଆଦି ପ୍ରକୃତି ବର୍ଣ୍ଣନା କରିଅଛନ୍ତି ତାହା ରୀତିକାବ୍ୟରେ ବର୍ଣ୍ଣିତ ପ୍ରସଙ୍ଗ ସହିତ ସମତା ରକ୍ଷା କରିଛି । ଛାନ୍ଦ ନାଟକକୁ ଛାଡ଼ି ଦେଲେ ତାଙ୍କ ରଚିତ କାବ୍ୟ, ଚଉତିଶା, ଚଉପଦୀ ଆଦି ବିବିଧ ରଚନା କାବ୍ୟ ଅନୁରୂପ । ଛାନ୍ଦ ନାଟକ ରଚନା କରିବା ପୂର୍ବରୁ ପ୍ରଥମେ ସେ କାବ୍ୟ ଓ ସଙ୍ଗୀତ ରଚନା କରିବାରେ ଶକ୍ତି ପରୀକ୍ଷା କରିଥିବା ମନେହୁଏ । କବି ଜୀବନର ଉନ୍ମେଷ ଓ ବିକାଶ ପର୍ବରେ ସେ ବୁଧଜନ ମନ ତୋଷଣ ପାଇଁ କାବ୍ୟ ରଚନା କଲେ । ତାଙ୍କର ଆଦର୍ଶ ହୋଇଗଲେ ଉପେନ୍ଦ୍ର-ଅଭିମନ୍ୟୁ-ଦୀନକୃଷ୍ଣ-ଭକ୍ତଚରଣ- କବିସୂର୍ଯ୍ୟ ପ୍ରମୁଖ । କାବ୍ୟ ରଚନା ପାଇଁ ପାଥେୟ ହେଲା ବିବିଧ ଅଳଙ୍କର ଶାସ୍ତ୍ର ରୀତିକାବ୍ୟର ତତ୍ତ୍ଵ ଅନୁସାରେ ସେ ମନେକଲେ- ରୀତିରାତ୍ମା କାବ୍ୟସ୍ୟ, ‘ରସାତ୍ମକଂ ବାକ୍ୟମ୍‌ କାବ୍ୟମ୍‌’, ରମଣୀୟାକ ପ୍ରତିବାଦକଃ ଶବ୍ଦଃ କାବ୍ୟମ୍‌’ , ‘ବକ୍ତୋକ୍ତି କାବ୍ୟ ଜୀବିତମ୍‌’ ଇତ୍ୟାଦି ହିଁ କାବ୍ୟର ସଫଳତାର ହେତୁ । ତେଣୁ ସେ ରୀତିକାବ୍ୟର ଆଦର୍ଶକୁ ଗ୍ରହଣ କରି ଆପଣାର କାବ୍ୟ ଆରମ୍ଭରେ ଇଷ୍ଟ ସ୍ତୁତି ନମକ୍ରିୟା କରି କାବ୍ୟର ବସ୍ତୁ ନିର୍ଦ୍ଦେଶ ଦେଲେ ଓ ସାଧୁ ବା ବିଦଗ୍ଧ ବ୍ୟକ୍ତିଙ୍କର ସ୍ତୁତି କରିବା ସଂଗେ ସଂଗେ ଖଳ ନିନ୍ଦା ମଧ୍ୟ କଲେ । ଏହା ପରେ କାବ୍ୟକୁ କେତୋଟି ଛାନ୍ଦ ବା ସର୍ଗରେ ବିଭକ୍ତ କରି ସେଥିରେ ବିବିଧ ରାଗରାଗିଣୀ ବ୍ୟବହାର କଲେ । ତାଙ୍କର ବିବିଧ କାବ୍ୟମାନଙ୍କ ମଧ୍ୟରେ ‘ଶ୍ରୀ ପ୍ରମୋଦ ଚନ୍ଦ୍ରମଣି’ ଶ୍ରେଷ୍ଠ । ଏହି କାବ୍ୟଟି ‘କ’ ଠାରୁ ‘କ୍ଷ’ ଅନୁକ୍ରମରେ ଚଉତିରିଶି ଗୋଟି ଛାନ୍ଦରେ ଚଉତିଶା ରୀତିରେ ରଚିତ । ଏହି କାବ୍ୟରେ ଶାନ୍ତନୁ ଓ ଗଙ୍ଗା ବିବାହଠାରୁ ମହାଭାରତର ସାମଗ୍ରିକ ବିଷୟ ବର୍ଣ୍ଣିତ । ଏଥିରେ ପଦ୍ୟ ବନ୍ଧ ଅଛି, ଶବ୍ଦ- ବୈଚିତ୍ରୟ ଅଛି: ଅଛି ମଧ୍ୟ ବିବିଧ ଅଳଙ୍କାରର ପ୍ରୟୋଗ । ରୀତି କବିମାନଙ୍କ ପରି କବି ମଧ୍ୟ ଉକ୍ତ କାବ୍ୟର ଶେଷ ଛାନ୍ଦରେ ନିଜର ପରିଚୟ ଦେଇଛନ୍ତି –

 

କ୍ଷୀରବଂଶେ ଜାତ ନାମ ସଂପାଦ ପରୀକ୍ଷ

କ୍ଷେମାଧୀନ ମୁଁ ତାହାଙ୍କ ନନ୍ଦନ ସଚକ୍ଷ ହେ ।

କ୍ଷେତ୍ରଜ୍ଞ ମୋ ନାମ ଜଗନ୍ନାଥ ପାଣି ସୌକ୍ଷ

କ୍ଷୋଣ ବୋହେ କବିପଣ ବେନି ଅର୍ଥେ ଦକ୍ଷହେ ।

କ୍ଷିତି ନଳାଙ୍ଗ ନିଳୟା ମଳୟା ବଳାକ୍ଷ

କ୍ଷୁଦ୍ର ବୁଛି ନିଷେଧି ରହିଛି ସାଧି ଯକ୍ଷ ହେ ।

ପ୍ରମୋଦ ଚନ୍ଦ୍ରମଣି -୩୪ ଛା

 

ସେ ମଧ୍ୟ ‘କାମ କାଠୁରିଆ ପାଲା’ରେ ନିଜର ପରିଚୟ ଦେଇଛନ୍ତି –

 

ନଳାଙ୍ଗ ନିଳୟ ନୀରକୁଳ କଳାକାର

ପ୍ରବନ୍ଧ ରଚିଲେ ଜଗନ୍ନାଥ କବିବର ।

ସାରଦା ପ୍ରସନ୍ନ ଫଳେ ସୁମରିଲା ବୁଦ୍ଧି

ବିରଚିଲି ନାରାୟଣ ମହିମା ପୟୋଧି ।

ମାନସିକ ରସିକ ସୁଧୀର ସ୍ମୃତି ଯେତେ

ମୁଖେ ପାଇ ପିଅ ଏହି ସୁଧାରସ ନିତ୍ୟେ ।

ଶରଣ ସୋଦର ହରି ଅରୁଣ ଚରଣେ

ନିରବଧି ଧ୍ୟାୟି ନୀରବଂଶୀ ତେଣୁ ଭଣେ ।

୮ମ ଛାନ୍ଦ

 

କବି ଜଗନ୍ନାଥ ରୀତି-ତତ୍ତ୍ଵ ଓ ଅଳଙ୍କାର ଶାସ୍ତ୍ରରେ ଅଭିଜ୍ଞ ଥିଲେ । ତାଙ୍କର ଶବ୍ଦ-ପାଣ୍ଡିତ୍ୟ ମଧ୍ୟ ଥିଲା ଗଭୀର । ତାଙ୍କ ଚୌପଦୀ ରତ୍ନାବଳୀ, ହୃଦୟସ୍ପର୍ଶୀ ସଂଗୀତାବଳୀର ସମାହାର । ଚକ୍ରସିଂହାବଲୋକନ, ପ୍ରାନ୍ତ ଯମକ, ଯମକ, ଚକ୍ର ଶୃଙ୍ଖଳା, ସିଂହାବଲୋକନ, ଆଦ୍ୟପ୍ରାନ୍ତ ଯମକ, ବିରୋଧାଭାସ, ଶ୍ଳେଷ, ଯୋଡ଼ିଯମକ, ଗୋମୂତ୍ର ଛନ୍ଦ, ଉପମା, ମାଳ ଯମକ ଆଦି ଏଥିରେ ବ୍ୟବହୃତ । ପ୍ରମୋଦ ଚନ୍ଦ୍ରମଣି କାବ୍ୟରେ ମଧ୍ୟ ବିବିଧ ଅଳଙ୍କାର ବ୍ୟବହୃତ । ବସନ୍ତ, ଚୋର, ଶଙ୍କରାଭରଣ, ରାମକେରି, ଦଶାକ୍ଷ, କାମୋଦୀ, ବଙ୍ଗଳାଶ୍ରୀ, ପାହାଡ଼ିଆ କେଦାର, ଚିନ୍ତା ଭୈରବ, ମାଳବ, ପଞ୍ଚମ ବରାଡ଼ି, କାଳି, ବସନ୍ତ ବରାଡ଼ି, ଚିନ୍ତା ମୁଖାରି, ଗୁଜ୍ଜରୀ, ଧନାଶ୍ରୀ, ଭୈରବ, ଆହାରି, କଳହଂସ କେଦାର, ପଟ୍ଟହମଞ୍ଜରୀ, ବରାଡ଼ି, କୌଶିକ, ଘଣ୍ଟାରବ, ସିନ୍ଧୁ ଦେଶାକ୍ଷ, ମାଳବଗୌଡ଼ା, ଚିନ୍ତା, ରାଜବିଜେ, ନଳିନୀ ଗୌଡ଼ା, ମଙ୍ଗଳ ଆଦି ନାନା ରାଗରେ କାବ୍ୟଟି ସମୃଦ୍ଧ ଓ ହୃଦ୍ୟ । ଏହି କାବ୍ୟରେ ମଧ୍ୟ ଉପେନ୍ଦ୍ର ଭଂଜଙ୍କ ପରି ରାଧାଚକ୍ର ଲାଖ ବନ୍ଧ, ଚକ୍ରବ୍ୟୁହ ବନ୍ଧ, ମହାପଦ୍ମ ସୁଞ୍ଚିବ୍ୟୂହ ବନ୍ଧ, ମହାରଥ ବନ୍ଧ, ତକ୍ଷକ ନାଗଫାଶ ବନ୍ଧ, ଶରବନ୍ଧ, ଗଦାବନ୍ଧ ବାଗାସନ ବନ୍ଧ ଆଦି ବନ୍ଧ ପ୍ରୟୋଗ କରିଛନ୍ତି କବି । ସେ ମଧ୍ୟ ନାୟିକାର କଟି, ଜଘନ, କୁଚ, ନୟନ, କେଶ ଆଦି ବର୍ଣ୍ଣନାରେ ରୀତିଯୁଗର କବିଙ୍କୁ ମଧ୍ୟ ଟପି ଯାଇଛନ୍ତି ।

 

‘ଶ୍ରୀ ଗୁଣ୍ଡିଚା ବିଜେ’ କ୍ଷୁଦ୍ର କାବ୍ୟଟି କବି ଦୀନକୃଷ୍ଣ ଦାସଙ୍କ ‘ଜଗମୋହନ ଛାନ୍ଦ’ କାବ୍ୟ ପରି ଜଗନ୍ନାଥ ଓ ମା’ ଲକ୍ଷ୍ମୀଙ୍କ ସମ୍ପର୍କରେ ଏକ ଭକ୍ତି ଭାବାତ୍ମକ ରୂପ । ଦେବସ୍ନାନ ପୂର୍ଣ୍ଣିମାରେ ଜଗନ୍ନାଥଙ୍କର ସ୍ନାନ, ପରେ ପରେ ଜ୍ଵର ଓ ଅଣସର ଘରେ ଅବସ୍ଥାନ, ପନ୍ଦର ଦିନ ପରେ ଶ୍ରୀମନ୍ଦିରକୁ ବିଜେ ଓ ଗୁଣ୍ଡିଚା ମନ୍ଦିରକୁ ବଡ଼ ଭାଇ ଏବଂ ଭଉଣୀ ସହିତ ଯାତ୍ରା, ଲକ୍ଷ୍ମୀଙ୍କ ଅଭିମାନ ଓ ଜଗନ୍ନାଥଙ୍କର । ମାନଭଞ୍ଜନ ଇତ୍ୟାଦି ପ୍ରସଙ୍ଗକୁ ନେଇ ଉକ୍ତ କାବ୍ୟଟି ରସାଳ । ଏହି କାବ୍ୟରେ ମଧ୍ୟ କବି ନିଜର ପରିଚୟ ଦେଇଛନ୍ତି-

 

ନଳାଙ୍ଗ ନିଳୟା ନୀରବଂଶର      ଉଦ୍‌ଭବ ଜଗନ୍ନାଥ ନାମ ମୋର

ଶ୍ରୀ ନଳେଶ୍ଵର ଉପାସନା ସାଧି      କବିତ୍ୱମାର୍ଗେ ପ୍ରସରିଲା ବୁଦ୍ଧି

କହେ ଜଗନ୍ନାଥ, ଷଡ଼ଚକ୍ରେ ଭାବ ଗୁଣ୍ଡିଚା ଗୀତ ।

ଶ୍ରୀ ଗୁଣ୍ଡିଚା ବିଜେ -୭ମ ଛାନ୍ଦ

 

ମାର୍କଣ୍ଡ ଦାସଙ୍କ ଏ ‘କେଶବ କୋଇଲି’ ଅନୁସରଣରେ କବି ରଚନା କରିଛନ୍ତି ‘ଯଶୋଦା କୋଇଲି’ ଚଉତିଶା । ଏହି କବିତାଟିରେ ମମତାମୟୀ ମାତୃ ହୃଦୟର ବାତ୍ସଲ୍ୟ ପ୍ରେମ ବର୍ଣ୍ଣିତ । ‘ବ୍ରଜ ମନୋହର’ କାବ୍ୟଟି ବିବିଧ ଅଳଙ୍କାରରେ ମଣ୍ଡିତ । ଏହି କାବ୍ୟରେ ଶ୍ରୀକୃଷ୍ଣଙ୍କ ଜନ୍ମ, ବାଲ୍ୟଲୀଳା, କଂସ ବଧ, ମଥୁରା ବିଜୟ ଚମତ୍କାର ଭାବରେ ବର୍ଣ୍ଣିତ । ଗୋକୁଳର ବର୍ଣ୍ଣନା, ଶ୍ରୀରାଧାଙ୍କ ରୂପ ଓ ରାଧାକୃଷ୍ଣଙ୍କ ରାସଲୀଳା, ବନବିହାର, ଶ୍ରୀରାଧାଙ୍କ ମାନଭଞ୍ଜନ ଆଦିର ବର୍ଣ୍ଣନା ସହିତ ଋତୁବର୍ଣ୍ଣନା ଓ ପ୍ରକୃତି ବର୍ଣ୍ଣନା ବେଶ୍‌ ମନୋରମ ହୋଇଅଛି । ଏହି କାବ୍ୟର ଉପସଂହାରରେ କବି ନିଜର ବଂଶ ପରିଚୟ ଦେଇ ଲେଖିଛନ୍ତି-

 

ମଥୁରା ବିଜୟେ ବିରଞ୍ଚିଲି ଲେଶେ ୟେଣୁ

ବହୁ ହରବରେ ପ୍ରକାଶ ହୋଇଅଛି ତେଣୁ ।

ବାମନ ଜନକ ଗୋତ୍ରେ ପାଣି ବଂଶେ ଜନ୍ମ

ଯଜୁର୍ବେଦ ଧ୍ୟାୟି ବନମାଳୀ ଯାର ନାମ ।

ତାହାଙ୍କ ନନ୍ଦନ ଜାତ ନବୀନ କିଶୋର

ପଦ୍ମନ ବୋଲିଣ ଜାତ ତାହାଙ୍କ କୁମର ।

ମହାଭାଗ୍ୟବନ୍ତ ତାଙ୍କ ସୁତ ଭାଗବତ

ନଳାଙ୍ଗ ନିଳୟା ଯାର ସଦା ବିଳସିତ ।

ତାହାଙ୍କ ନନ୍ଦନ ବିଶିଷ୍ଟରେ ଶ୍ରେଷ୍ଠ ମୁହିଁ

ଜଗନ୍ନାଥ ବୋଲି ନାମ ବିଶ୍ଵେ ପ୍ରକାଶଇ ।

ଶାରଦା ପ୍ରସନ୍ନ ଫଳେ ପ୍ରସରିଲା ବୁଦ୍ଧି

ବିରଞ୍ଚିଲି ପ୍ରବନ୍ଧ କବିତ୍ୱ ହେଉଁ ସିଦ୍ଧି ।

ବ୍ରଜ ମନୋହର - ୩୧ ଛାନ୍ଦ

 

କବି ଜଗନ୍ନାଥ ରୀତି କବିଙ୍କ ପରି ନିଜର ବଂଶ ପରିଚୟ ଦେବା ସହିତ କବିତ୍ୱ-ଶକ୍ତିର ଉନ୍ମେଷ ଓ ବିକାଶ ପାଇଁ ନଳେଶ୍ଵର ମହାଦେବ ଓ ସାରଳା ଦେବୀଙ୍କ ବରଦାନ କଥା କହିଅଛନ୍ତି । ସାରଳା ଦାସ ହୁଅନ୍ତୁ ବା ଉପେନ୍ଦ୍ର, ଦୀନକୃଷ୍ଣ, ଅଭିମନ୍ୟୁ ଯିଏ ହୁଅନ୍ତୁ ସମସ୍ତେ ଅଦୃଶ୍ୟ ଭଗବାନ ବା ଭଗବତୀଙ୍କ କୃପାରୁ କବିତ୍ୱ ସୃଷ୍ଟି ହୋଇଛି ବୋଲି କହିଛନ୍ତି । ଜଗନ୍ନାଥ ସେହି ପରମ୍ପରାର ଅନ୍ତିମ ପର୍ଯ୍ୟାୟର କବି । ସେ ଯେଉଁସବୁ କାବ୍ୟ ରଚନା କରିଛନ୍ତି ସେଥିରେ ରୀତି ଯୁଗର କବିମାନଙ୍କର କାବ୍ୟର ପ୍ରେରଣା ରହିଥିବା ଲକ୍ଷ୍ୟ କରାଯାଏ । ତାଙ୍କର ପ୍ରକୃତି ବର୍ଣ୍ଣନା ମଧ୍ୟ ଗତାନୁଗତିକ ରୀତିରେ ହୋଇଥିଲେ ହେଁ ସେଥିରେ ତାଙ୍କ ମୌଳିକ ଦୃଷ୍ଟିକୋଣ ପ୍ରକଟିତ । ରାତ୍ରିର ଅବସାନ ତାଙ୍କ କଳ୍ପନାରେ ଅପୂର୍ବ ଭାବ ସୃଷ୍ଟି କରିଛି ।

 

ଶୁଣିମା ସୁଜନେ ଯମ ଜନଙ୍କର ତ୍ରାଶେ

ଯାମିନୀ କାମିନୀ ନାଶ ହେଲା ପୂର୍ବ ଦୋଷେ ।

ପ୍ରିୟ ସହୀ ବିଚ୍ଛେଦ ଜାଣିଣ କଇରବ

କଣ୍ଠଲଗ୍ନା ଜଳେ ପଡ଼ିଅଛି କ୍ରୋଧଭାବ ।

ବାନ୍ଧବ ବିଛେଦ ଜାଣି ହିମାଂଶୁ ବଦନ

ବିରସ ହୋଇ ସରସ ପ୍ରଭା କଲା ମ୍ଳାନ ।

କାନ୍ତର କାତର ଦେଖ ତାରକା ମଣ୍ଡଳୀ

ଅଭିମାନେ ଲୋପ ହେଲେ ଅନ୍ତରାଳେ ମିଳି ।

ଏମନ୍ତ ଅରଷ୍ଟି ଜାଣି ବିହଙ୍ଗମ କୁଳ

ମହାଭୟେ ଶୋକମୁଖେ ପକାନ୍ତି ଚହଳ ।

ଦିବା ସୁନ୍ଦରୀ ପଦ୍ମିନୀ ଜାଣି ଅରିହତ

ସର୍ବ ଦେବାଳୟେ ଶଙ୍ଖ ଧୁନି କଲା ରତ ।

ଦିଜବର ବରି ସଂଧ୍ୟା ଗୁଣାଣ କରାଇ

ମଙ୍ଗଳ ପ୍ରଦୀପ ଜାଳି ପ୍ରାତଃ ଗୀତା ଧ୍ୟାୟି ।

ବ୍ରଜ ମନୋହର -୩୧ ଛାନ୍ଦ

 

ଏପରି ବର୍ଣ୍ଣନା ପୂର୍ବର ରୀତିକବିମାନଙ୍କ ବର୍ଣ୍ଣନାଠାରୁ ଭିନ୍ନ ଓ ଭାବଦ୍ୟୋତକ । ବିଭିନ୍ନ କାବ୍ୟରେ ମଧ୍ୟ କବି ପ୍ରକୃତି ବର୍ଣ୍ଣନା ସହିତ ନାରୀର ଯୌବନ ବର୍ଣ୍ଣନା, ମଧୁଶଯ୍ୟା ଅବକାଶରେ ନାୟକ ନାୟିକାଙ୍କ ରତିକ୍ରୀଡ଼ା, ନାରୀର ବେଶ ବର୍ଣ୍ଣନା, ସଖୀ ଓ ଦୂତୀମାନଙ୍କର ନାୟିକାକୁ ଥଟ୍ଟା ପରିହାସ ଇତ୍ୟାଦି ବର୍ଣ୍ଣନା କରି ରୀତିକାବ୍ୟର ଆଦର୍ଶ ସୂଚାଇ ଦେଇଛନ୍ତି । ଅଳଙ୍କାର ସଂଯୋଜନାରେ ତାଙ୍କର ଅପୂର୍ବ ଦକ୍ଷତା ପ୍ରକଟିତ ହୁଏ । ଯଥା :-

 

ସୁପାତି ସଜାଡ଼ି ଜାଡ଼ି      ପାଲଟି ଅସାଡ଼ି ଶାଢ଼ୀ

ବସିମୁଖ ମାଡ଼ି ମାଡ଼ି, ଲେଖିଥିବ ନଖେ ଧାଡ଼ି ଧାଡ଼ି ।

(ଯୋଡ଼ି ଯମକ - ଚୌପଦୀ ରତ୍ନାବଳୀ)

 

ଏ ଘନକାଳ କାଳ ହେଲା ମୋତେ କାଳ କାଳ

ବୃଶାଳ ରସାଳ ଶାଳ ଆରୋହି ମରାଳ ରାଳ

ତଡ଼ିତ ଉଜ୍ଜ୍ୱଳ ଜାଳ ଘୋଟି ଆସେ ମେଘ ମାଳମାଳ

(ଯୋଡ଼ି ଯମକ - ଚୌପଦୀ ରଚନାବଳୀ)

 

ହେ ବରଜ ବର/ବରବରନୀ ରାଧାର ନିରାଧାର ବରହେ ।

ବରତି ରତି ଈଶର / ଶରଘାତୁଁ ରାମାବର/

ବରଗି ରଙ୍ଗିନୀ ଦେହୀ ଦେଇଛ ଖବର ହେ ।

(ଚକ୍ର ଶୃଙ୍ଖଳା - ଚୌପଦୀ ରତ୍ନାବଳୀ)

 

ଉଇଁଲା କି କଳାନିଧି ବନ ଗଗନେ

ଉମା ଜ୍ୟୋତି ଧୃତି ଯୋଷା ଦୃଶା ତେସନେ ।

ଉଦବାହୁ ସ୍ଵର୍ଭାନୁ କରେ ପଡ଼ି ଦଇବେ

ଉଦ୍ଦେଗ ସେ ମାନବତୀ ମାନସେ ଭାବେ ।

(ଉତ୍‌ପ୍ରେକ୍ଷା - ପ୍ରମୋଦ ଚନ୍ଦ୍ରମଣି - ୫ମ ଅଧ୍ୟାୟ)

 

ବିଭିନ୍ନ ସ୍ଥାନରେ କବି ନାନା ଅଳଙ୍କାର ପ୍ରୟୋଗ କରି କାବ୍ୟର ସୌନ୍ଦର୍ଯ୍ୟ ବୃଦ୍ଧି କରିଛନ୍ତି । ରୂପ-ବର୍ଣ୍ଣନା, ବନ-ବର୍ଣ୍ଣନା, ନଦୀ-ବର୍ଣ୍ଣନା, ସମୁଦ୍ର-ବର୍ଣ୍ଣନା, ପ୍ରକୃତି- ବର୍ଣ୍ଣନା, ଶୁଙ୍ଗାର କ୍ରୀଡ଼ା ବର୍ଣ୍ଣନା, ମାନଭଞ୍ଜନ ବର୍ଣ୍ଣନା ଇତ୍ୟାଦି ସବୁ କିଛି ରୀତି କାବ୍ୟାଦର୍ଶରେ କରିଥିଲେ ମଧ୍ୟ କବିଙ୍କର ମୌଳିକତା ତା’ଭିତରେ ପରିଲକ୍ଷିତ ହୁଏ । ‘ନାରଦ ଗୀତା’ ପରି କାବ୍ୟରେ କବି ନାରଦଙ୍କ ପରି ଦେବର୍ଷିଙ୍କର କାମ-ତୃଷ୍ଣା ଓ ଶ୍ରୀୟା ସହିତ ତାଙ୍କର ସମ୍ପର୍କକୁ ଦେଖାଇ କାମପ୍ରବଣ ବ୍ୟକ୍ତିର କିପରି ଅଧୋପତନ ଘଟେ ତାହାକୁ ଦର୍ଶାଇ ଦେଇଅଛନ୍ତି । ପାଟୁଆ ଗୀତ, ଘଟଜନ୍ମ ପାଟୁଆ ଗୀତ ଆଦିରେ ସେ ପ୍ରଶ୍ନ ଉତ୍ତର ଶୈଳୀରେ ଜନମୁଖର ଭାଷାରେ ଯେପରି ବର୍ଣ୍ଣନା କରିଛନ୍ତି ତାହା ତାଙ୍କ କବିତ୍ଵର ଭିନ୍ନ ଦିଗକୁ ସୂଚାଏ । ‘ଲକ୍ଷ୍ମୀନାରାୟଣ କଳି’ କବିତାରେ ନାରୀର ଅଭିମାନ, ଆଡ଼ରୁଷା କୂଟ କପଟତା, ଭଲମନ୍ଦ, ପାପପୁଣ୍ୟ ପ୍ରତି ନିଶ୍ଚେତନତା ଇତ୍ୟାଦି ସମ୍ପର୍କରେ ଯେପରି ବର୍ଣ୍ଣନା କରିଛନ୍ତି ତାହା ସାଧାରଣ ନରନାରୀଙ୍କ ସ୍ଵଭାବକୁ ଇଙ୍ଗିତ କରେ । ସେ ମଧ୍ୟ ଅନ୍ତରର ଭକ୍ତି ଭାବକୁ କରିଛନ୍ତି ମହାଦେବଙ୍କ ପାଖରେ-

 

ନମୋ ନଳେଶ୍ଵର ବିଶ୍ଵ ମୂଳାଧାର ବିଶ୍ଵନାଥ ବିଶ୍ଵମ୍ଭର

ହର ହର ମୋର ଚିର ଘୋର ତାପ ବନ୍ଦୁଛି ପଦ କମଳ ।

ପ୍ରିୟା ପ୍ରିୟା ଯୋଗେ ପ୍ରିୟାକୁ ଅର୍ଦ୍ଧାଙ୍ଗେ ବିହର ହେ ଦିଗମ୍ବର

ସେହି ପ୍ରିୟା ଯୋଗେ ଛେଦିଲ କ୍ରନ୍ଦନେ ଦକ୍ଷ ଯଜ୍ଞ ବକ୍ଷ ଶିର ।

ଡମ୍ବରୁ ବଜାଇ ନୃତ୍ୟ ଗୀତ ଗାଇ ମୋହିଲ ହେ ତିନିପୁର

ଉଡ଼ି କୋପାନଳେ ନାଶିଲ ବିହୋଳେ ବେଦପତିଙ୍କର ଶିର ।

x      x      x      x      x

ଯୋଗୀ ଜନ ଲାଗି ରହିଅଛି ଜାଗି ଯୁଗେ ଯୁଗେ ଯୋଗେଶ୍ଵର

ଯାଗ କରିଅଛ ତୁମ୍ଭ ଶ୍ରୀଚରଣେ ଜଗନ୍ନାଥ ଦୁଃଖ ହର ।

-ଜଣାଣ

 

ଉପେନ୍ଦ୍ର ଭଂଜଙ୍କ ପରି ସେ ମଧ୍ୟ ଅବନାରେ କବିତା ରଚନା କରିଛନ୍ତି-

 

ଅଚଳଧର ଚଂଚଳ ହର ଆରତ

ଅନ୍ତକ ଦଣ୍ଡ ଅନ୍ତର ଡର ସତତ ।

ଅନନ୍ତ ଘନ ରସର ଅନନ୍ତ ଶୟନ କର

ଅନ୍ତ ଅଲକ୍ଷର ହର ଆନତ ନତ ।

 

ଜଗନ୍ନାଥ ରୀତି-କାବ୍ୟ ଓ କବିତା ରଚନାରୁ ଛାନ୍ଦ-ନାଟକ ରଚନାକୁ ଗତି କଲେ ଓ ଛାନ୍ଦ-ନାଟକର ଅଭିନୟ ପ୍ରଦର୍ଶନ ମାଧ୍ୟମରେ ସେ ଓଡ଼ିଶାର ସାଧାରଣ ଜନଗଣଙ୍କର ଅତ୍ୟନ୍ତ ଶ୍ରଦ୍ଧା ଭାଜନ ହୋଇଗଲେ । ଯଦିଓ ଏହି ନାଟକଗୁଡ଼ିକ ଠିକ୍ ନାଟକ ନୁହେଁ ବା ଗୀତାଭିନୟ ନୁହେଁ ତଥାପି ସାଂଳାପିକ ଶୈଳୀରେ ଗୀତ ରଚନା କରି ଯେପରି ବିଭିନ୍ନ ଚରିତ୍ର ମୁଖରେ ଦେଇ ଅଭିନୟ ଦେଖାଇଲେ ତାହା ନାଟକ ପରି ଲୋକଙ୍କୁ ମୁଗ୍ଧ କଲା । ଏହି ଛାନ୍ଦ-ନାଟକଗୁଡ଼ିକ କାବ୍ୟଧର୍ମୀ । କାବ୍ୟ ପରି ଏହାର ସାଂଳାପିକ ସଙ୍ଗୀତ ମନୋରମ । ଏଥିରେ ମଧ୍ୟ ତାଙ୍କର ରସ-ଦୃଷ୍ଟି ବଡ଼ ମାର୍ମିକ । ଶୃଙ୍ଗାର, ବୀର, କରୁଣ, ହାସ୍ୟ, ଶାନ୍ତ, ଅଦ୍‌ଭୂତି, ବୀଭତ୍ସ, ବାତ୍ସଲ୍ୟ ଓ ଭକ୍ତି ଆଦି ବିବିଧ ରସ ତାଙ୍କର ଛାନ୍ଦ-ନାଟକରୁ ଅନୁଭବ କରିହୁଏ । ପ୍ରସଙ୍ଗକ୍ରମେ ସରଳ ଅଳଙ୍କାର ଓ ଆନୁପ୍ରାସିକ ଶବ୍ଦର ବ୍ୟବହାର କରି ତାହାକୁ କର୍ଣ୍ଣ ରସାୟନ କରିଅଛନ୍ତି । ଏତାଦୃଶ ଛାନ୍ଦ- ନାଟକରେ ମଧ୍ୟ ଇଷ୍ଟ ସ୍ତୁତି, ଆତ୍ମ ପରିଚୟ ରହିଅଛି । ଏହାର ବର୍ଣ୍ଣନା କାବ୍ୟ ପରି ହୋଇଅଛି । ଅତଏବ ଜଗନ୍ନାଥ ପାଣି ଉନବିଂଶ ଶତାବ୍ଦୀର ଜଣେ ପ୍ରସିଦ୍ଧ କବି ଓ ଛାନ୍ଦ ନାଟ୍ୟକାର ଭାବରେ ଆବିର୍ଭୂତ ହୋଇ ଏକାଧାରରେ କାବ୍ୟ କବିତା ରଚନା ସହିତ ଛାନ୍ଦ ନାଟକ ଓ ପ୍ରହସନ ରଚନା କରିଗଲେ । ସେ ହୋଇଗଲେ ଉନବିଂଶ ଶତାବ୍ଦୀର ଗୋଧୂଳି ଲଗ୍ନରେ ଆବିର୍ଭୂତ ଗୀତିନାଟ୍ୟକାରମାନଙ୍କ ପ୍ରେରଣା । ପରେ ପରେ ରଚିତ ହେଲା ଯୁଗୋପଯୋଗୀ ଗୀତାଭିନୟ ଓ ଗୀତି ନାଟକ । ତେବେ ଜଗନ୍ନାଥ ପାଣି ଯେଉଁ କାବ୍ୟିକ ଓ ନାଟ୍ୟିକ ପରମ୍ପରାଟିଏ ସୃଷ୍ଟି କରିଥିଲେ ତାହା ସେ କାଳର ରସାମୋଦୀ ସାଧାରଣ ଜନତାଙ୍କ ପାଇଁ ଯେ ଥିଲା ଏକାନ୍ତ ଉପଯୋଗୀ; ଏହା କହିଲେ ଅତ୍ୟୁକ୍ତି ହେବ ନାହିଁ । ଜନଗଣଙ୍କ ନୈତିକ ମୁଲ୍ୟବୋଧ ଓ ଧର୍ମଭାବକୁ ଜାଗ୍ରତ କରାଇବାରେ ତାଙ୍କର କାବ୍ୟ କବିତା ଓ ବିଶେଷତଃ ଛାନ୍ଦ-ନାଟକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେ କାବ୍ୟ ହେଉ ବା ଛାନ୍ଦ-ନାଟକ ହେଉ ଉଭୟ କାବ୍ୟିକ ଭାବ-ଭୂତିର ହୋଇଯାଇଛନ୍ତି ପ୍ରଚୋଦକ । ତାଙ୍କର କାବ୍ୟର ଭାଷା କ୍ଳିଷ୍ଟ ସଂଭ୍ରାନ୍ତ ଓ ବିବିଧ ଅଳଙ୍କାର ଦ୍ଵାରା ମଣ୍ଡିତ । ଅପରପକ୍ଷରେ ତାଙ୍କ ଛାନ୍ଦ ନାଟକଗୁଡ଼ିକ ସରଳ, ସାବଲୀଳ ଓ ସାଂଗୀତିକ ମାଧୁର୍ଯ୍ୟ ଯୋଗୁ ଜନଗଣଙ୍କୁ ଅଧକ ସ୍ପର୍ଶ କରିବାରେ ସମର୍ଥ । ଅଶିକ୍ଷିତ ସାଧାରଣ ଲୋକେ ଅଭିନୟ ଦେଖ ଓ ସାଂଗୀତିକ ସଂଳାପ ଶୁଣି ରସାସ୍ଵାଦନ କଲେ । ତେଣୁ ସେ ପ୍ରସିଦ୍ଧି ଅର୍ଜନ କଲେ ଯାତ୍ରା- ନାଟ୍ୟକାର ଭାବରେ । ଏହି ଛାନ୍ଦ ନାଟକଗୁଡ଼ିକର ସାମାଜିକ, ମାନବିକ, ଆଧ୍ୟାତ୍ମିକ ଓ ଧର୍ମୀୟ ବାର୍ତ୍ତା ଲୋକଙ୍କୁ ଆକର୍ଷଣ କଲା । ଏହା ସତ୍ତ୍ଵେ ସେ ରୀତି-କାବ୍ୟାଦର୍ଶକୁ ଛାଡ଼ି ଯାଇ ନାହାଁନ୍ତି । ତାଙ୍କର କାବ୍ୟ ଓ ଛାନ୍ଦ-ନାଟକଗୁଡ଼ିକ ଯେ ରୀତି କାବ୍ୟାଦର୍ଶର ଗୋଟିଏ ଗୋଟିଏ ସ୍ଵଛନ୍ଦ ସ୍ଵାଭାବିକ ଅଭିବ୍ୟକ୍ତି: ଏ କଥା କହିଲେ ଭୁଲ୍‌ ହେବ ନାହିଁ ।

 

 

ଅପର୍ଣ୍ଣାନଗର, ଚାଉଳିଆଗଞ୍ଜ,

କଟକ- ୪

 

***

 

କୋଣାର୍କ ୧୬୬ତମ ସଂଖ୍ୟା

ଓଡ଼ିଆ ନାଟ୍ୟ ସାହିତ୍ୟକୁ ଜଗନ୍ନାଥ ପାଣିଙ୍କ ଦାନ

ହେମନ୍ତ କୁମାର ଦାସ

 

ଉପକ୍ରମ :

ଓଡ଼ିଆ ନାଟକ ପଛରେ ଅନ୍ତତଃ ଏକୋଇଶି/ବାଇଶି ଶହ ବର୍ଷର ଏକ ପରମ୍ପରା ରହିଛି ବୋଲି ଘୋଷଣା କରି ଆମର ଆଲୋଚକମାନେ ଭାରି ଆମ୍ମସନ୍ତୋଷରେ ଥାଆନ୍ତି । ସେମାନଙ୍କର ଏହି ବିଜ୍ଞପ୍ତିର ପ୍ରତିକ୍ରିୟା ସୁବର୍ଣ୍ଣରେଖା ଆରପଟେ କିଭଳି ପ୍ରତିଧ୍ୱନିତ ହେଉଛି, ତାହାର ସମ୍ବାଦ କାହାରି ପାଖରେ ନଥାଏ । ଆମ ନାଟକ ପୂର୍ବପରି ପଡ଼ୋଶୀ ପ୍ରଦେଶର ନାଟ୍ୟଧାରାର ଅନୁକୃତି ବୋଲି ଘୋଷିତ ହେଉଥାଏ । ମାତ୍ର ଅନୁସରଣ, ଅନୁକରଣ ଏବଂ ଅନୁକ୍ରମଣ ମଧ୍ୟରେ ଆମ ନାଟକର ତଥାପି ଯେ କିଛି ମୌଳିକ ସ୍ଵାତନ୍ତ୍ରୀ ରହିଛି, ଆମର ବିଜ୍ଞ ନାଟ୍ୟ ପଣ୍ଡିତମାନଙ୍କ ଚିନ୍ତାକୁ ଆସେ ନାହିଁ । ଦୃଷ୍ଟାନ୍ତ ସ୍ୱରୂପ ଆମର ଲୋକନାଟ୍ୟ ବିଭାଗର ‘ଯାତ୍ରା’ ଶାଖାଟି । ଇତିହାସ ପ୍ରମାଣ ଦେଉଛି ଯେ, ଜୟଦେବଙ୍କ ସଙ୍ଗୀତ-ନାଟ୍ୟ ‘ଗୀତଗୋବିନ୍ଦ’ ପ୍ରଭାବରେ ଏଠାରେ ‘କୃଷ୍ଣଯାତ୍ରା’ର ଯେଉଁ ପରମ୍ପରା ସୃଷ୍ଟି ହେଲା, ତାହା ସମୟ କ୍ରମେ ସମଗ୍ର ପୂର୍ବ ଭାରତରେ ଏହାର ବଳିଷ୍ଠ ଭିତ୍ତି ପ୍ରସ୍ତୁତ କରିଦେଲା । ମିଥିଳାର ବିଦ୍ୟାପତି, ଆସାମର ଶଙ୍କର ଦେବ ହେଉଛନ୍ତି ଏହିଭଳି ଦୁଇଜଣ ବୈଷ୍ଣବ ସନ୍ଥ ଯିଏକି ଏଠାର ଯାତ୍ରା ପରମ୍ପରାକୁ ନିଜ ରାଜ୍ୟରେ ନିଜ ଶୈଳୀରେ ପ୍ରଚାର କରିଥିଲେ-। ଅଥଚ ଭାରତୀୟ ଯାତ୍ରା ନାଟକର ଇତିହାସ ବଙ୍ଗଦେଶର ଚୈତନ୍ୟଦେବଙ୍କ ସମୟରୁ ଆରମ୍ଭ ବୋଲି - ସମଗ୍ର ବିଶ୍ଵ ଜାଣେ । ଚୈତନ୍ୟଙ୍କ ପୂର୍ବରୁ ଶଙ୍କରଦେବ ‘ଅଙ୍କିୟାନାଟ’ (ସେଠାର କୃଷ୍ଣ ଯାତ୍ରା) କୁ ଧର୍ମ ପ୍ରଚାର ନିମନ୍ତେ ବ୍ୟବହାର କରିଥିଲେ ହେଁ, ଏହାର ଶ୍ରେୟ ତାଙ୍କୁ ଦିଆଯାଉନାହିଁ । ବାହାରର ଆଲୋଚକଙ୍କ କଥା ଦୂରେ ଥାଉ, ସେହିମାନଙ୍କ ଆଲୋକରେ ନିଜ ଇଲାକାର ଅନ୍ଧାର ଦୂର କରିବା ପ୍ରଚେଷ୍ଟାରେ କିଛି ସ୍ଥାନୀୟ ଆଲୋଚକ ସୁଦ୍ଧା ଘୋଷଣା କରନ୍ତି ‘Therefore it is assumed that the tradition of modern yatra as a folk play came to Orissa from Bengal. (Theatre-yatra as a flok play Theatre:pp 251- Advanced centre for Indological studies-BBSR-2) ‘Modern yatra’ ବୋଲି ଆଲୋଚକ ଯାହାକୁ କହିଛନ୍ତି, ତାହା ହେଉଛି ଯାହା ସାମ୍ପ୍ରତିକ ଯୁବଗୋଷ୍ଠୀର ପୃଷ୍ଠପୋଷକତା ଲାଭ କରିଥିବା ଏବଂ ଦୂରଦର୍ଶନ, ଚଳଚ୍ଚିତ୍ର ଭଳି ସାମାଜିକ ବିଶୃଙ୍ଖଳା ସୃଷ୍ଟିରେ ସକ୍ରିୟ ଭମିକା ଗ୍ରହଣ କରୁଥିବା ଭୋଗବାଦୀ ସଂସ୍କୃତିର ବାଣିଜ୍ୟିକ ଉଚ୍ଛିଷ୍ଟ ଏବଂ ଏହାକୁ ‘ଯାତ୍ରା’ କହିବା - ଏକ ମହାନ୍‌ ପରମ୍ପରା ପ୍ରତି ଚରମ ଅପମାନ ହେବ ।

 

ଚୈତନ୍ୟ ଦେବ ସ୍ଵୟଂ ଜଣେ ଉତ୍ତମ ଅଭିନେତା ଥିଲେ ବୋଲି ତାଙ୍କର ଜୀବନୀକାର/ଲୀଳା ବର୍ଣ୍ଣନାକାରୀମାନେ କହିଛନ୍ତି । ପୁରୀରେ ତାଙ୍କର ଦେଢ଼ ଯୁଗ ଅବସ୍ଥାନ କାଳରେ ସେ ଏଠାରେ ସୁଦ୍ଧା ଅଭିନୟର ଆୟୋଜନ କରୁଥିଲେ । ତେବେ ଶଙ୍କର ଦେବ ତାଙ୍କ ପୂର୍ବରୁ ଏଠାକୁ ଆସି । ଏଠାର ସାଂସ୍କୃତିକ ବିଶେଷକରି ଅଭିନୟ ପରମ୍ପରାରେ ମୁଗ୍ଧ ହୋଇଥିଲେ ବୋଲି ସ୍ୱୟଂ ସ୍ଵୀକାର କରିଛନ୍ତି । ଶଙ୍କରଦେବ ଆସାମରୁ ପଦଯାତ୍ରାରେ ବାହାରି ଅବଶ୍ୟ ବଙ୍ଗ ଦେଶ ଭିତର ଦେଇ ଓଡ଼ିଶା ଆସିଥିବେ । ତାଙ୍କ ଦୃଷ୍ଟିରେ ଚୈତନ୍ୟଙ୍କ ପୂର୍ବରୁ ପ୍ରଚଳିତ ଏଠାକାର ଯାତ୍ରା ପରମ୍ପରା କିଭଳି ପଡ଼ିଲା ନାହିଁ, ତାହା ଏକ ଆଶ୍ଚର୍ଯ୍ୟଜନକ ବ୍ୟାପାର ନୁହେଁ କି !

 

ଆମ ଏଠାରେ ଏ ସବୁର କୌଣସି ଲିପିବଦ୍ଧ ବିବରଣୀ ଉପଲବ୍ଧ ନୁହେଁ । ଶୂନ୍ୟତା ମଧ୍ୟରୁ ବାହାରି କୌଣସି ପରମ୍ପରା ଗଢ଼ି ଥୋଇଦେବା ଓଡ଼ିଆମାନଙ୍କ ରକ୍ତରେ ନାହିଁ ମଧ୍ୟ । ତଥାପି ଉତ୍କୀର୍ଣ୍ଣ ଇତିହାସ, ଉପଲବ୍ଧ ବିପୁଳ ପୋଥି, ପୁରାଣ, କାବ୍ୟ ନାଟକାଦିରେ ଯେତିକି ବିବରଣୀ ଆମ ପାଖରେ ଉପଲବ୍ଧ, ତାହାକୁ ଉପଯୁକ୍ତ ଭାବରେ ବିଶ୍ଳେଷଣ କରି ଇତିହାସ ପ୍ରସ୍ତୁତ ନ କରିବା, ଆମର ନିଷ୍କ୍ରିୟତାର ପ୍ରମାଣ ନୁହେଁ କି ? ଚର୍ଯ୍ୟାପଦର ଏ ସମ୍ପର୍କୀୟ ସୂଚନାକୁ ଛାଡ଼ିଦେଲେ ପଞ୍ଚଦଶ ଶତକର କବି ସାରଳା ଦାସ ଯେତେବେଳେ ‘ମହାଭାରତ’ରେ ଲେଖନ୍ତି-

 

କହେ ବିରାଟ ଯେ ଦେଶେ ରଙ୍ଗ ସତ୍ତା ନାହିଁ / ଯାତ୍ରା ଉତ୍ସବ ଯେବଣ ଦେଶେ ନ ହୁଅଇ ।

ଯେବଣ ଦେଶରେ ପୁଣି ନାହିଁ ଯାଗଯଜ୍ଞ / ଜାଣିବ ସେ ଦେଶ ନିଶ୍ଚେ ଅସୁରଙ୍କ ଭୋଗ୍ୟ ।

ବିରାଟପର୍ବ ।

 

ତାହାକୁ ଏଠାର ଏକ ଉନ୍ନତ ତଥା ପ୍ରାଚୀନ ଯାତ୍ରା ସଂସ୍କୃତିର ସମର୍ଥନରେ ବଳିଷ୍ଠ ପ୍ରମାଣ ରୂପେ ଉପସ୍ଥାପନ ନ କରିବା ହେଉଛି ଆମର ନିଶ୍ରିୟତାର ପରିଚାୟକ । ତାଙ୍କ ସମୟର ଗଜପତି କପିଳେନ୍ଦ୍ର ମଧ୍ୟ ଜଣେ ନାଟ୍ୟକାର । ‘ପରଶୁରାମ ବିଜୟ’ ନାମକ ‘ବ୍ୟାୟୋଗ’ (ସଂସ୍କୃତ ନାଟକର ଦଶ ବିଭାଗ ମଧ୍ୟରୁ ଗୋଟିଏ) ଟିଏ ଲେଖି ତହି ଖଂଜିଛନ୍ତି ଓଡ଼ିଆ ସଙ୍ଗୀତଟିଏ । ‘କେବଣ ମୁନିକୁମର/ପରଶୁ ଦକ୍ଷିଣ କର’ ଶୀର୍ଷକ ଏହି ଗୀତର ଅନ୍ତଃସ୍ଵରକୁ ଲକ୍ଷ୍ୟକଲେ ସ୍ପଷ୍ଟ ବୁଝାଯିବ ଯେ, ଏହା କୌଣସି ଯାତ୍ରା ନାଟକ ଚରିତ୍ରର ଗୈତିକ ଭାବପ୍ରକାଶ ମାତ୍ର । ଏହାର ଶବ୍ଦଗୁମ୍ଫନ, ଛନ୍ଦଯୋଜନା, ଭାବରେ ସମକାଳୀନ ଲୋକ ବିଶ୍ଵାସର ଅନୁରଣନ ପ୍ରଭୃତିକୁ ଆମେ ଯାତ୍ରାରେ ହିଁ ଦେଖିବାକୁ ପାଇବା । ଏହାକୁ ସେହି ସମୟର ଯାତ୍ରା ସଂସ୍କୃତିର ଏବଂ ପକ୍ଷାନ୍ତର ରୂପ ଭାବେ ଗ୍ରହଣ କରିବାରେ ଅସୁବିଧା କିଛି ନାହିଁ । ପ୍ରମାଣ ତ ଏମିତି ଅନେକ ରହିଛି । ଖୋଜିବାର ପରିଶ୍ରମ ଏବଂ ଅନୁଶୀଳନର ଧୈର୍ଯ୍ୟ ମାତ୍ରକ ଲୋଡ଼ା । ଏତେ ପ୍ରମାଣ ଥାଉ ଥାଉ ଆମେ ଓଡ଼ିଆ ଯାତ୍ରାକୁ ବଂଗୀୟ ଯାତ୍ରାର ଅନୁକାରୀ ବୋଲି ମାନିନେବା କାହିଁକି ?

 

ପୃଷ୍ଠଭୂମି :

ଜଗନ୍ନାଥ ପାଣିଙ୍କ ସମୟରେ ଅବିଭକ୍ତ ବାଲେଶ୍ଵରର ଯାତ୍ରା ସଂସ୍କୃତି ଥିଲା ବେଶ୍‌ ସମୃଦ୍ଧ-। ପୂର୍ବରୁ ବଂଶୀବଲ୍ଲଭ ଗୋସ୍ଵାମୀ (୧୭୨୮) ଥିଲେ ତାଙ୍କର ‘ତାମସା’ ସହିତ । ଏହା ପାଣିଙ୍କ ସମୟରେ ମଧ୍ୟ ଲୋକପ୍ରିୟ ଥିଲା । ଯାତ୍ରାକାର କୃପାସିନ୍ଧୁ ମିଶ୍ର (୧୮୩୨), କୃଷ୍ଣକାନ୍ତ ଦାସ (୧୮୩୮), ସୃଷ୍ଟିଧର ଦାସ (ଶତାବ୍ଦୀର ପ୍ରଥମାର୍ଦ୍ଧର କୌଣସି ସମୟ), ରାଘବ ଚୌଧୁରୀ (୧୮୨୫) , ଯଦୁନାଥ ଶତପଥୀ, କାଳୀ ପ୍ରସନ୍ନ ଶତପଥୀ, ରାଧାକାନ୍ତ ମିଶ୍ର, ଈଶ୍ଵର ଚନ୍ଦ୍ର ମହାପାତ୍ର, ନରେନ୍ଦ୍ର ନାଥ କର ଏବଂ ବିଜୟ ଗୋବିନ୍ଦ ଦାସ (୧୯୦୨) ପ୍ରଭୃତି ଯାତ୍ରା ସଂସ୍କୃତିର ପ୍ରାଚୀନ ଓ ପ୍ରସାରରେ ସ୍ମରଣୀୟ ଭୂମିକା ଗ୍ରହଣ କରୁଥଲେ, ଯଦିଓ ସମସ୍ତଙ୍କର ମାଧ୍ୟମ ଗୋଟିଏ ନାମଟେ ଚିହ୍ନିତ ହେଉନଥିଲା । ଏସବୁ ପାଲା (ବଙ୍ଗଳାରେ ଏହା ‘ଯାତ୍ରା’ ଅର୍ଥରେ ବ୍ୟବହୃତ), ଲୀଳା, ନାଟ, ନାଚ ପ୍ରଭୃତି ବିଭିନ୍ନ ନାମରେ ପରିଚିତ ହେଉଥିଲେ ହେଁ ଥିଲେ ‘ଯାତ୍ରା’ର ନାମାନ୍ତରିତ ଗୋଷ୍ଠୀ । ଉନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ବାଲେଶ୍ଵର ସହରରେ ହିଁ ପାଞ୍ଚୋଟି ଯାତ୍ରାଦଳ ରହିଥିଲେ ବୋଲି ‘ବାହିକା’ ପୃଷ୍ଠାରୁ ଜଣାଯାଇଥାଏ । ବାଲେଶ୍ୱରୀ ଓଡ଼ିଆମାନେ ନୂଆ ଶିଖି ଯେଉଁ ଓଡ଼ିଆ ଯାତ୍ରା କଲେ ତାହା ଥିଲା ସର୍ବୋତ୍କୃଷ୍ଟ ବୋଲି ସମ୍ବାଦ ଛାପି ‘ବାହିକା’ ପୃଷ୍ଠାରୁ ଜଣାଯାଇଥାଏ-। ବାଲେଶ୍ୱରୀ ଓଡ଼ିଆମାନେ ନୂଆ ଶିଖି ଯେଉଁ ଓଡ଼ିଆ ଯାତ୍ରା କଲେ ତାହା ଥିଲା ସର୍ବୋତ୍କୃଷ୍ଟ ବୋଲି ସମ୍ୱାଦ ଛାପି ‘ବାହିକା’ (୧୭/୧୦/୧୮୭୮) ବଙ୍ଗଳା ଯାତ୍ରା ଅପେକ୍ଷା ଓଡ଼ିଆ ଯାତ୍ରାର ଶ୍ରେଷ୍ଠତାକୁ ସ୍ଵୀକାର କରିଥିଲେ । ଆମର କହିବାର କଥା କବି ଜଗନ୍ନାଥ ପାଣି ଏକ ପ୍ରାଚୀନ ପରମ୍ପରାର ସୁଯୋଗ୍ୟ ସନ୍ତାନ ଭାବରେ ସେ ଏହାକୁ ଅଧିକ ପରିବ୍ୟାପ୍ତ ଓ ମାର୍ଜିତ କରିଥିଲେ ।

 

ଜୀବନୀ ଓ ଜୀବନ :

ଭଦ୍ରକ, ଅନ୍ତଃପାତି ନଳାଙ୍ଗ ଗ୍ରାମରେ ପାଣିଙ୍କର ଜନ୍ମ ୧୮୩୬ରେ ଏବଂ ମୃତ୍ୟୁ ୧୮୯୭ରେ । ତାଙ୍କ ସମ୍ପର୍କରେ ଅନେକ କିମ୍ବଦନ୍ତୀ, ଯାହା ପ୍ରସିଦ୍ଧି ଲାଭ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ କ୍ଷେତ୍ରରେ ହୁଏ । ଭାସ, କାଳିଦାସ, ସେକ୍ସପିୟରଙ୍କଠାରୁ ଆରମ୍ଭ କରି ସାରଳା ଦାସ, ବଳରାମ ଦାସ, ଉପେନ୍ଦ୍ର, କବିସୂର୍ଯ୍ୟ ଭଳି କବିଙ୍କ କ୍ଷେତ୍ରରେ ଏମିତି ଅନେକ ରହିଛି । ସେହିପରି ଜଗନ୍ନାଥ ପାଣି ବାଲ୍ୟକାଳରୁ ଦୁଷ୍ଟ, ପଠନପାଠନରେ ଅମନଯୋଗୀ ବହୁ ଭର୍ତ୍ସିତ ହୋଇ ଶେଷରେ ଦେବକୃପା ଲାଭକରି ଅଳ୍ପକାଳ ଭିତରେ ଜଣେ ବହୁ ଶାସ୍ତ୍ରଜ୍ଞ ହୋଇ ପାରିଥିଲେ (ହାୟ, ଆଗାମୀ ଅତିଜନ୍ମମାନେ ପାଣ୍ଡିତ୍ୟ ଲାଭର କୌଣସି ସମ୍ଭାବନା ନାହିଁ ବୋଲି ଶୁଣି ନଛୋଡ଼ବନ୍ଧା କାଳିଦାସଙ୍କୁ ଦେବୀ ସରସ୍ଵତୀ କୁଆଡ଼େ ସାତଥର ଗିଳି ଓକାଳି ପକାଇ ତାଙ୍କୁ ଉଦ୍ଧାର କରିଥିବାର ପ୍ରଚାର ମଧ୍ୟ ରହିଛି) ପାଣ୍ଡିତ୍ୟ ଲାଭ ପରେ ମାତ୍ର ସତର ବର୍ଷ ବୟସରେ ମହାଭାରତ ରଚନା କରିଥିଲେ ବୋଲି ଜଣାଯାଏ । କ୍ରମେ ସେ ଶ୍ରାବ୍ୟକାବ୍ୟ ରଚନାରୁ ଦୃଶ୍ୟକାବ୍ୟ ରଚନା ଆଡ଼େ ମନଦେଇ ତହିଁରେ ସଫଳତା ଲାଭ କରିଥିବେ । ଏଥିପାଇଁ ସେ ମୁଖ୍ୟତଃ ରାମାୟଣ, ମହାଭାରତ ଏବଂ ଭାଗବତ ପ୍ରଭୃତି ପୁରାଣ ଉପରେ ନିର୍ଭର କରିଥଲେ । ‘ମୀରା ଚରିତ’ ନାମରେ କିମ୍ବଦନ୍ତୀ ଆଧାରିତ କାଳ୍ପନିକ ନାଟକଟିଏ ବି ଲେଖିଛନ୍ତି ।

 

ପାଣି ସେ ସମୟର ଲୋକରୁଚି ସମ୍ପର୍କରେ ଅବହିତ ଥିଲେ । ସମାଜ ଜୀବନର ରୀତିନୀତି, ବିଶ୍ଵାସ ବିବେଚନା, ରୁଚିରିୱାଜ, ଧର୍ମୀୟ କୃତାଙ୍ଗ (RItuals) ପ୍ରଭୃତିକୁ ନେଇ ଗଢ଼ି ଉଠୁଥିବା ଯାତ୍ରା ସଂସ୍କୃତି ତାହାକୁ ନେଇ ପ୍ରସ୍ତୁତ କରାଯାଉଥିଲା । ସଂସ୍କୃତିର ଦୁଇ ବିଭାଗ ଗ୍ରାମ୍ୟ ଏବଂ ନଗର- ପାଣି କବି ଗ୍ରାମ ଜୀବନର ଶାନ୍ତ ସରଳ, କୁଟିଳତାହୀନ ପରିବେଶରେ ବଢ଼ି ତାହା ସହିତ ଏକାତ୍ମ ହୋଇଯାଇଥିଲେ । ତାଙ୍କର ଦର୍ଶକ ଥିଲେ ସେଇ ଗ୍ରାମୀଣ ଜନତା । ନଗର- ସଂସ୍କୃତି ପାଇଁ ହୁଏତ ତାଙ୍କର ସୃଷ୍ଟି ଯଥାଯଥ ହୋଇ ନପାରେ (ଯଦିଓ ସେ କଲିକତା ଟାଟା, ପ୍ରଭୃତି ସହରରେ ଯାତ୍ରା ପ୍ରଦର୍ଶନ କରି ସଫଳତା ପାଇଛନ୍ତି) ତାଙ୍କର ଦର୍ଶକ ଥିଲେ ‘ସଭ୍ୟତାର ଆଟୋପରେ ସୁସଜ୍ଜିତ’ କୃତ୍ରିମ ଜୀବନ ଧାରାରେ ଅଭ୍ୟସ୍ତ ନଗର ଜୀବନଠାରୁ ଦୂରରେ ରହି ଏକ ସ୍ଵତନ୍ତ୍ର, ସ୍ଵଚ୍ଛନ୍ଦ ଏବଂ ସାବଲୀଳ ଜୀବନ ଜିଉଥିବା ସାଧାରଣ ଲୋକ । ସେମାନେ ଏହାକୁ ଉପଭୋଗ କରୁଥିଲେ ।

 

ଜଗନ୍ନାଥ ପାଣିଙ୍କ ରଚନା ମଧ୍ୟରୁ ଏପର୍ଯ୍ୟନ୍ତ ମାତ୍ର ୧୭ଟି ଛାନ୍ଦ ନାଟକ, ୪ଟି କାବ୍ୟ, କିଛି ପ୍ରହସନ ଓ ସୁଆଙ୍ଗ ୫ଟି ପାଲା ଏବଂ ବହୁ ଜଣାଣ, ଚଉପଦୀ, ଚୌତିଶା ପ୍ରଭୃତି ଲୋକଲୋଚନକୁ ଆସିଛି । ତଥାପି ଇତଃସ୍ତତଃ ଭାବରେ କିଛି ଏଠି ସେଠି ରହିଯାଇଛି ବୋଲି କୁହାଯାଏ । ମାତ୍ର ଏକଷଠୀ ବର୍ଷ ଜୀବନ ପାଇଁ ଏହା ମନ୍ଦ କ’ଣ ?

 

ରଚନାଶୈଳୀ :

ପାଣି କବିଙ୍କର ଛାନ୍ଦନାଟ୍ୟରେ କୌଣସି ଗଦ୍ୟ ସଂଳାପ ରହିନଥିଲା । ସଂଳାପ ମୁଖ୍ୟତଃ ପଦ୍ୟର ଅଧୀନରେ । ବ୍ୟାସାସନରେ ପୋଥି ରଖି ଗାୟକ ଛାନ୍ଦଗାନ କରୁଥିବାବେଳେ ଚରିତ୍ରମାନେ ଆତ୍ମ ପରିଚୟ ଦେଇ ମଞ୍ଚକୁ ଆସନ୍ତି ଏବଂ ଅଭିନୟ କରନ୍ତି । ଏଥିରେ ପ୍ରକୃତି ବର୍ଣ୍ଣନା ମଧ୍ୟ ଥାଏ ଏବଂ ଚରିତ୍ରର କୌଣସି ଭାବ କିମ୍ବା ଘଟଣା ପ୍ରଭୃତି ଗାୟକ ବର୍ଣ୍ଣନା କରନ୍ତି । ଦର୍ଶକମାନେ ସାଧ୍ୟମତେ ପାଳି ଧରନ୍ତି । ଏହିଭଳି ଭାବରେ ସେତେବେଳେ ବିଶ୍ଵନାଥ ଖୁଣ୍ଟିଆଙ୍କ ରାମଲୀଳା, ଚିକିଟୀ ରାମଲୀଳା, ବରଗଡ଼ ରାମଲୀଳା ଏବଂ ଅନୁଗୁଳ ରାମଲୀଳା ପ୍ରଭୃତି ଅଭିନୀତ ହେଉଥିଲା । ଓଡ଼ିଶା ବାହାରେ ତୁଳସୀ ଦାସଙ୍କର ରାମଚରିତ ମାନସ ଏବଂ ସୁରଦାସଙ୍କ ‘ସୁରସାଗର’ ପ୍ରଭୃତିର ଅଭିନୟ ପଦ୍ଧତି ମଧ୍ୟ ଏହିପରି, ଯାହା ଅଦ୍ୟାବଧି ଅନୁସୃତ ହେଉଛି । ଏହା ବୋଲି ଯେ ସେ ସମୟର ଅଭିନୟରେ ଗଦ୍ୟସଂଳାପର ବ୍ୟବହାର ଆଦୌ ନଥିଲା, ଏହା ନୁହେଁ । ଅଭିନେତା ପରିସ୍ଥିତି ଅନୁକୂଳ ଗଦ୍ୟ ନିଜ ମନରୁ କହୁଥିଲେ । ସେଗୁଡ଼ିକ ମୂଳ ପାଣ୍ଠୁଲିପିର ଅନ୍ତର୍ଭୁକ୍ତ ହେଉନଥିଲା । ଏହାର ପ୍ରଧାନ କାରଣ ହେଉଛି ଅଧିକାଂଶ ଅଭିନେତାଙ୍କର ନିରକ୍ଷରତା । ଗୀତ ମନେରଖିବା ସହଜ । ଗଦ୍ୟ ସଂଳାପର ସାହିତ୍ୟିକ ଭାଷା ଅଧିଗତ କରିବା ସେତେ ସହଜ ନୁହେଁ । ବାକ୍‍ପଟୁ ଅଭିନେତା କିଛିଦିନର ଅଭିନୟ ପରେ ଧୀରେ ଧୀରେ ଏଥିରେ କୁଶଳତା ଲାଭ କରନ୍ତି । ଆଚାର୍ଯ୍ୟ ଭରତ ଏହି ବାକ୍‌ବିଭବକୁ ଅଭିନେତାଙ୍କର ଅତି ଆବଶ୍ୟକୀୟ ଗୁଣ ବୋଲି ବିଚାରି ନିୟମ କରିଥିଲେ-

କୁଶଳା ଯେ ବିଦଗ୍ଧାଶ୍ଚ ପ୍ରଗଳ୍‌ଭାଶ୍ଚ ଜିତ୍‌ଶ୍ରମାଃ,

ତେଷ୍ଵୟଂ ନାଟ୍ୟ ସଂଜ୍ଞୋହି ବେଦ ସଂକ୍ରାମ୍ୟତାଂ ତ୍ୱୟା ।। ନା.ଶା. ୧/୨୦

 

ଏଥିରେ ଅଭିନେତାର ଚାରୋଟି ଗୁଣ ବ୍ୟାଖ୍ୟାତ ହୋଇଛି । (୧) କାର୍ଯ୍ୟ କୁଶଳ ହେବେ, (୨) ପଣ୍ଡିତ ହୋଇଥିବେ, (୩) ତାଙ୍କର ବାକ୍‌ପଟୁତା ଥିବ ଏବଂ ସେ ରଙ୍ଗମଞ୍ଚୀୟ ଭୟମୁକ୍ତ ହୋଇଥିବେ (୪) ଶ୍ରମକାତର ହୋଇନଥିବେ । ଭରତଙ୍କର ‘ପ୍ରଗଳ୍‌ଭ’ ଶବ୍ଦର ପ୍ରୟୋଗ ଅଭିନେତାଙ୍କର ମନରୁ ପରିସ୍ଥିତି ଅନୁକୂଳ ଭାବପ୍ରକାଶ କ୍ଷମତାକୁ ବୁଝାଉଛି । ଦେବତାମାନଙ୍କର ଏହିସବୁ କ୍ଷମତା ନଥିବାରୁ ସେମାନଙ୍କର ଅଭିନୟ ଯୋଗ୍ୟତା ନାହିଁ ବୋଲି କହି ଦେବରାଜ ଇନ୍ଦ୍ର ବ୍ରହ୍ମାଙ୍କର ଆଦେଶକୁ ପ୍ରତ୍ୟାଖ୍ୟାନ କରି କହିଥିଲେ,

 

ଗ୍ରହଣେ ଧାରଣେ ଜ୍ଞାନେ ପ୍ରୟୋଗେ ଚାସ୍ୟ ସତ୍ତମ,

ଅଶକ୍ତା ଭଗବତ୍‌ ଦେବା ଅଯୋଗ୍ୟା ନାଟ୍ୟ କର୍ମଣି ।। ନା.ଶା. ୧/୨୨

 

ଅର୍ଥାତ୍‌ ଦେବତାମାନେ ପରିଶ୍ରମ କାତର, ଅସଂଯମୀ, ଅମନୋଯୋଗୀ ଏବଂ ଅନୁକରଣ ଚତୁର ହୋଇଥିବାରୁ ଏହାକୁ ଗ୍ରହଣ କରି ସ୍ମରଣ ରଖିବା, ହୃଦୟଙ୍ଗମ କରିବା କିମ୍ବା ପ୍ରୟୋଗ କରିବା ବିଷୟରେ ସମର୍ଥ ନୁହନ୍ତି । ଏଥିରୁ ଜଣାଯାଉଛି ଯେ, ଅଭିନେତାଙ୍କୁ ବାକ୍‌ପଟୁ ଏବଂ ପ୍ରତ୍ୟୁ୍‌ପନ୍ନମତି ନିଶ୍ଚୟ ହେବାକୁ ପଡ଼ିବ । ପ୍ରୟୋଜନରେ ସେ ନିଜ ମନରୁ ଭାବପ୍ରକାଶ କରି ପରିସ୍ଥିତିକୁ ନ ସମ୍ଭାଳି ନେଇ ପାରିବେ । ଏହି କାରଣରୁ ଛାନ୍ଦନାଟ୍ୟ ବା ଗୀତାଭିନୟର ଅଭିନେତା ଗଦ୍ୟ ସଂଳାପ ନିଜ ମନରୁ କହୁଥିଲେ ଏବଂ ଏହାରି ଆଧାରରେ ପରିବର୍ତ୍ତନ କାଳରେ ବୈଷ୍ଣବ ପାଣି ପ୍ରଭୃତି ଯାତ୍ରାକାରମାନେ ପଦ୍ୟ ଉପରେ ଗଦ୍ୟର ବିଜୟ ପ୍ରତିଷ୍ଠା କରି ଗଦ୍ୟ ସଂଳାପମାନ ଲିପିବଦ୍ଧ କରିବାକୁ ଆରମ୍ଭ କରିଥିଲେ । ବୈଷ୍ଣବଙ୍କର ପୂର୍ବଜ ଏବଂ ପ୍ରାୟ ସମସାମୟିକ କେନ୍ଦ୍ରାପଡ଼ାର ପଳସିଂହା ଗ୍ରାମର ଗୋପାଳ ଦାଶ ମଧ୍ୟ ଏହା କରିଛନ୍ତି । ପୂର୍ବରୁ ଗଦ୍ୟ ସଂଳାପର ପ୍ରୟୋଗ କରାଯାଉଥିଲେ ହେଁ ଏହାକୁ ଲିପିବଦ୍ଧ କରାନଯାଇ ଅଭିନେତାଙ୍କର ବାକ୍‌ପଟୁତା ଓ ପରିସ୍ଥିତି ନିୟନ୍ତ୍ରଣ ଦକ୍ଷତା ଉପରେ ଛାଡ଼ି ଦିଆଯାଉଥିଲା । ଏଭଳି ବ୍ୟବସ୍ଥା ଆମର ବାଲ୍ୟକାଳରେ ଆମେ ଦେଖିଛୁ । ବୈଷ୍ଣବ ପାଣି ଏହାକୁ ନିୟମବଦ୍ଧ କରି ଗଦ୍ୟ ସଂଳାପକୁ ଲିପିବଦ୍ଧ କଲେ ଏବଂ ପଦ୍ୟର ସଂଖ୍ୟା ଧୀରେ ଧୀରେ କମାଇ ଆଣିଲେ । ତେବେ ଜଗନ୍ନାଥ ପାଣିଙ୍କ ଅମଳରେ ପୂର୍ବୋକ୍ତ ବ୍ୟବସ୍ଥା ପ୍ରଚଳିତ ଥିବାରୁ ତାଙ୍କ ରଚନା ଗୁଡ଼ିକରେ କୌଣସି ଗଦ୍ୟ ସଂଳାପ ଲିପିବଦ୍ଧ କରାଯାଇ ନାହିଁ । କବି ଜୟଦେବଙ୍କ ‘ସଙ୍ଗୀତକ’, ‘ଗୀତଗୋବିନ୍ଦ’ ମଧ ଏହି ନିୟମରେ ରଚିତ ଏବଂ ଅଭିନୀତ ।

 

ଆମ ରାଜ୍ୟର ଏହି ପରମ୍ପରାକୁ ଯାଜପୁରର ଗୋପାଳ ଦାସ ବା ‘ଗୋପାଳ ଉଡ଼େ’ ବଙ୍ଗଦେଶରେ ସେହି ନିୟମରେ ଭାରତ ଚନ୍ଦ୍ରଙ୍କର ‘ବିଦ୍ୟାସୁନ୍ଦର’ ଉପାଖ୍ୟାନକୁ ‘ଯାତ୍ରା’ ଶୈଳୀରେ ପରିବେଷଣ କରି ସେଠାରେ ଆଲୋଡ଼ନ ସୃଷ୍ଟି କରିଥିଲେ । କ୍ରମେ ଯାତ୍ରା ନାଟକର ମୂର୍ଦ୍ଧନ୍ୟ ଦିକ୍‌ପାଳମାନେ ଏଥିରେ ସମୟୋଚିତ ନାନା ସଂସ୍କାର ଆଣି ଓଡ଼ିଶା ବାହାରେ ସୁଦ୍ଧା ଲୋକପ୍ରିୟତାର କଷଟୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ଉନବିଂଶ ଶତକର ଶେଷ ପାଦରେ ଯାତ୍ରାକାରମାନେ ଅଶ୍ଳୀଳ, ଅସାମାଜିକ, ଅଭିନୟ କୁଶଳତା ଏବଂ ସଙ୍ଗୀତଜ୍ଞାନ ହୀନ ବୋଲି କଟୁ ଭାବରେ ସମାଲୋଚିତ ହୋଇ ସଭ୍ୟ ସମାଜରୁ ନିର୍ବାସିତ ହୋଇଥିଲେ, ତେବେ ପରେ କିଛି ପ୍ରତିଭାଶାଳୀ ସାଧକମାନଙ୍କର ଉଦ୍ୟମରେ ଯାତ୍ରା ନାଟକ ଧୀରେ ଧୀରେ ମନୋରଞ୍ଜନର ଏକ ମୁଖ୍ୟ ସାଧନ ହୋଇ ଉଭା ହୋଇଥିଲା । ଏହି କାର୍ଯ୍ୟରେ ଜଗନ୍ନାଥ ପାଣିଙ୍କ ଯୋଗଦାନକୁ ସ୍ମରଣୀୟ ପର୍ଯ୍ୟାୟର ବୋଲି କୁହାଯାଇପାରେ ।

 

ରୀତିଶୈଳୀ ଓ ଜଗନ୍ନାଥ ପାଣି :

ଉନବିଂଶ ଶତକ ବେଳକୁ ସାହିତ୍ୟ କ୍ଷେତ୍ରରୁ ରୀତିଶୈଳୀର ପ୍ରଭାବ ଆହୁରି ସମ୍ପୂର୍ଣ୍ଣରୂପେ ଦୂର ହୋଇ ନଥିବାରୁ ଜଗନ୍ନାଥ ପାଣି ନିଜର ସୃଷ୍ଟିରେ ତାହାକୁ ହିଁ ଗୁରୁତ୍ୱ ଦେଉଥିଲେ-। ତାଙ୍କ ଅଧ୍ୟୟନର ମୁଖ୍ୟ ସାଧନ ମଧ୍ୟଯୁଗୀୟ ବିପୁଳ ସାହିତ୍ୟ ଥିଲା । କବି-ଦୃଷ୍ଟି ତାହାରି ସୌନ୍ଦର୍ଯ୍ୟ ମଧ୍ୟରେ ଛନ୍ଦି ହୋଇଯାଇଥିଲା । ଏହାର ସାଂଗୀତିକତା, ଆଳଙ୍କାରିକତା, ପ୍ରକୃତିଚିତ୍ର, ରସବିନ୍ୟାସ ମୋଟ ଉପରେ କାବ୍ୟର ସାବିକ ସୌନ୍ଦର୍ଯ୍ୟବୋଧ ତାଙ୍କୁ ଯଥେଷ୍ଟ ପ୍ରଭାବିତ କରିଥିଲା । ଏହାର ପ୍ରଭାବରୁ ଆଧୁନିକ କବି ରାଧାନାଥ ମଧ୍ୟ ସମ୍ପୂର୍ଣ୍ଣଭାବେ ନିଜକୁ ମୁକ୍ତ ରଖିପାରିନଥିଲେ ବୋଲି ‘ମୋହଠାରୁ ଭଞ୍ଜଙ୍କ ଅନୁକାରୀ ପଦ୍ୟ ଲେଖକ ଓଡ଼ିଶାରେ ଅଳ୍ପ ବାହାରିବେ’ ପ୍ରଭୃତି ସ୍ଵୀକାର କରିଛନ୍ତି । ସେଭଳି ପ୍ରଜାପତି- ସ୍ରଷ୍ଟାଙ୍କ ଦ୍ଵାରା ଦୂଷଣ ସୁଦ୍ଧା ଭୂଷଣରେ ପରିଣତ ହେଲା ଭଳି ଜଗନ୍ନାଥ ପାଣି ନିଜର ବିପୁଳ ସୃଷ୍ଟିରେ ଏହି ଶୈଳୀର ଏକ ବର୍ଣ୍ଣାଢ଼୍ୟ ରୂପ ସୃଷ୍ଟି କରିଛନ୍ତି । ଚରିତ୍ର ବିନ୍ୟାସ, ରସ ପରିବେଷଣ, ସାଂଗୀତିକ ମାଧୁର୍ଯ୍ୟ, ପ୍ରକୃତି ବର୍ଣ୍ଣନା ଏବଂ ଆଳଙ୍କାରିକତା - ପ୍ରଭୃତି ରୀତି ସାହିତ୍ୟର ବିଭିନ୍ନ ଆୟୁଧ ତାଙ୍କ ହାତରେ ଅଧିକ ରସାଣିତ, ମାର୍ଜିତ ତଥା ଉଜ୍ଵଳ ହୋଇଛି ବୋଲି କୁହାଯାଇ ପାରେ । ପଦଯୋଜନାର ଏକ ବିଶେଷ କୌଶଳ ହିଁ ହେଉଛି ରୀତି ଏବଂ ଏହା ଶୈଳୀକୁ ଅନୁସରଣ କରେ । ରୀତିକାବ୍ୟରେ ନାରୀ ହେଉଛି ରସ ଏବଂ ଭାବ ଅଳଙ୍କାର ଏବଂ ବର୍ଣ୍ଣନା ଚାତୁରୀର ପ୍ରାଣବିନ୍ଦୁ । କବି ଦୃଷ୍ଟିରେ ନାରୀ ହିଁ ସୌନ୍ଦର୍ଯ୍ୟର ସାକାର ରୂପ । ତେଣୁ ରୀତିସାହିତ୍ୟରେ ନାରୀ ପୁରୁଷଠାରୁ ଗୁରୁତ୍ୱ ଲାଭ କରିବା ସ୍ଵାଭାବିକ । ଏହି ସାହିତ୍ୟ ପ୍ରଧାନତଃ ଦରବାରୀ ସାହିତ୍ୟ ହୋଇଥିବାରୁ କବି ଚେତନା ସେହି ଦର୍ଶନ ଦ୍ଵାରା ପ୍ରଭାବିତ । ରୂପଜ ଏବଂ ଭୋଗବାଦ୍ୟ ପ୍ରେମ ହେଉଛି ଏହିସବୁ କାବ୍ୟର ମୁଖ୍ୟ ଅବଲମ୍ବନା ପାଣି କବିଙ୍କର କାବ୍ୟିକ ଆଦର୍ଶ, ଯେହେତୁ ଏହାରି ନିୟନ୍ତ୍ରଣରେ ଥିଲା, ତାଙ୍କ ସୃଷ୍ଟିର ଚରିତ୍ର ସମୂହ ସେହି ରଙ୍ଗରେ ରଞ୍ଜିତ । ଏଭଳିକି ‘ଦକ୍ଷଯଜ୍ଞ’ ଭଳି କରୁଣ ରସାଶ୍ରିତ ନାଟକରେ ସୁଦ୍ଧା ସତୀଙ୍କର ଦେହତ୍ୟାଗରେ ମହାଯୋଗୀ ସଂସାର ବିରାଗୀ ଶିବଙ୍କର ବିଳାପ-ବିଧୁର ରୀତି-ନାୟକର କାରୁଣ୍ୟଠାରୁ ଉର୍ଦ୍ଧ୍ୱକୁ ଉଠିପାରି ନାହିଁ । ଶାସ୍ତ୍ର ବର୍ଣ୍ଣିତ ଦେହାତୀତ ପ୍ରେମର ପ୍ରତିକ୍ରିୟା ଦର୍ଶନୋତ୍ସୁକ ଦର୍ଶକ ଯେତେବେଳେ ଶିବ କଣ୍ଠରୁ ଶୁଣେ- ‘‘ଦରିଦ୍ର ବୋଲିକି ହାରିଦ୍ର ବରନା ବାଟରେ ବସାଇ ଗଲୁ !’’ କିମ୍ବା

 

ଧିକ ମୋର ଜନ୍ମ ଧକ ହୀନ କର୍ମ ଧିକ ଏ ନିର୍ଲଜ ପ୍ରାଣ,

ଧିକ ଏ ଜୀବନ ନ ଯାଇ ରହିଛି ଶୁଣିବାକୁ ତୋ ମରଣ ।

 

ଜଗନ୍ନାଥ କହଇ, ଏବେ ଅରକ୍ଷ ହୋଇଲି ମୁହିଁ ॥ - ଏକ ଦେହବାଦୀ ଭଞ୍ଜୀୟ ନାୟକର ବିରହକାତର ମୁଖଶ୍ରୀ ବାରମ୍ବାର ତା’ର ମନଶ୍ୱକ୍ଷୁରେ ପ୍ରତିବିମ୍ୱିତ ହୁଏ । ଦେବ ଚରିତ୍ରର ମାନବାୟନ କିମ୍ବା ଏହିଭଳି ଅନ୍ୟ ଯେକୌଣସି ଲକ୍ଷ୍ୟ ନେଇ କବି ଏହା କରିଥାଆନ୍ତୁନା କାହିଁକି, ତହିରୁ ଦେହଜ ପ୍ରେମର ଉଗ୍ର ଗନ୍ଧ ହିଁ ବାରମ୍ବାର ନାକରେ ଆସି ବାଜେ । ‘ଧ୍ରୁବ ଚରିତ, ନାଟକରେ ସୁନୀତି ଏବଂ ଉତ୍ତାନପାଦଙ୍କ ଦୁର୍ବାସା-ଆଶ୍ରମରେ ଦେହଭୋଗର ବର୍ଣ୍ଣନା, ‘‘ସୀତା ବନବାସ” ନାଟକରେ ସୀତାଙ୍କ ବିଚ୍ଛେଦରେ ରାମଚନ୍ଦ୍ରଙ୍କର କାରୁଣ୍ୟ ଇତ୍ୟାଦିରେ ମଧ୍ୟ ରୀତି-ଚରିତ୍ରର ଭାବ ପ୍ରକାଶ ପାଇଛି ଅଧିକ । ଏହାର ଅନ୍ୟ ଦୃଷ୍ଟାନ୍ତ ତାଙ୍କର ପ୍ରାୟ ଅଧିକାଂଶ ସୃଷ୍ଟିରେ ଦେଖିବାକୁ ମିଳିବ ଏବଂ ସ୍ଵୀକାର କରିବାକୁ ଆମେ ଏକ ପ୍ରକାର ବାଧ୍ୟ ହେବା ଯେ/ଅନ୍ୟରୀତି କବିମାନଙ୍କ ଭଳି କବି ଜଗନ୍ନାଥ ମଧ୍ୟ, ଶୃଙ୍ଗାରୀ ଥିଲେ କିମ୍ବା ହେବାକୁ ଏକପ୍ରକାର ବାଧ୍ୟ ହୋଇଥିଲେ । ଏହାର ଅର୍ଥ ନୁହେଁ ଯେ, ସେ ଅନ୍ୟାନ୍ୟ ରସ ପରିବେଷଣରେ ଉଦାସୀନତା ଅବଲମ୍ବନ କରିଛନ୍ତି ।

 

ପାଣି କବିଙ୍କର ନାଟ୍ୟଶୈଳୀ :

ପରବର୍ତ୍ତୀ କାଳର ଯାତ୍ରାକାର ବୈଷ୍ଣବ ପାଣି, ଗୋପାଳ ଦାଶ, ବାଳକୃଷ୍ଣ ମହାନ୍ତି ପ୍ରଭୃତିଙ୍କୁ ଗଭୀର ଭାବରେ ଆଲୋଡ଼ିତ କରି ପାଣିଙ୍କୁ ଯୁଗସ୍ରଷ୍ଟାର ଆସନରେ ନେଇ ବସାଇ ଦେଇଛି ରାଘବ ଚୌଧୁରୀ (୧୮୨୫), କୃପାସିନ୍ଧୁ ମିଶ୍ର (୧୮୩୨) ପ୍ରଭୃତି ସେ ଯୁଗର ପ୍ରସିଦ୍ଧ ଯାତ୍ରାକାରଗଣ- ରୀତିପ୍ରଭାବରୁ ସମ୍ପୂର୍ଣ୍ଣ ମୁକ୍ତ ବୋଲି କୁହାଯାଇ ପାରୁନଥିଲେ ହେଁ ଜଗନ୍ନାଥ ପାଣି ଭଳି ଯୁଗୀୟ ଚେତନାର ଅନୁକାରୀ ସମ୍ଭବତଃ ଏମାନଙ୍କ ମଧ୍ୟରୁ କେହି ହୋଇ ପାରି ନାହାନ୍ତି ।

 

ବିଶିଷ୍ଟ ପଦ ସଂଯୋଜନା ଭଳି ରୀତି କବିବୃନ୍ଦ ରସକୁ ମଧ୍ୟ ଗୁରୁତ୍ୱ ଦେଉଥିଲେ । ରସ ବୈଚିତ୍ର୍ୟ ସୃଷ୍ଟକରି ସେମାନେ ପାଠକା ଦର୍ଶକମାନଙ୍କୁ ମଗ୍ନ କରିବା ନିମନ୍ତେ ଯତ୍‍ପରୋନାସ୍ତି ଉଦ୍ୟମ କରିଯାଇଛନ୍ତି । ପାଣି କବି ଯଥାସମ୍ଭବ ବୀର, କରୁଣ, ଅଦ୍‌ଭୂତ, ହାସ୍ୟ ପ୍ରଭୃତି ନବରସର ଚିତ୍ରଣ କରିବା ନିମନ୍ତେ ଯଥାସାଧ୍ୟ ଉଦ୍ୟମ କରିଛନ୍ତି । ଶୃଙ୍ଗାର ପରେ ସମ୍ଭବତଃ ତାଙ୍କ ସୃଷ୍ଟିରେ କରୁଣରସର ସ୍ଥାନ ନିରୂପିତ ହେବ । ଏହି ରସର ସଫଳ ବର୍ଣ୍ଣନା ପଥରକୁ ସୁଦ୍ଧା ପାଣି କରିଦେବାର କ୍ଷମତା ରଖେ ବୋଲି ମହାକବି ଭବଭୂତି କହିଛନ୍ତି । ଦୃଷ୍ଟାନ୍ତ ସାହାଯ୍ୟରେ ଏହି ମତର ଯଥାର୍ଥତା ପ୍ରତିପାଦନ କରାଯାଇପାରେ । ବାଲ୍ମୀକି ଆଶ୍ରମରେ ଯଜ୍ଞାଶ୍ଵ ଉଦ୍ଧାର ନିମନ୍ତେ ଆସିଥିବା ରାମଚନ୍ଦ୍ର ନିଜର ପୁତ୍ର ‘ନବ କୁଶ’ ଦ୍ଵାରା ନିହତ ହୋଇଥିବାର ଶୁଣି ଦେବୀ ସୀତାଙ୍କର ବିଳାପ-

 

ଆହା ପ୍ରାଣବନ୍ଧୁ ଆହା ପ୍ରାଣର ଜୀବନ,

ଆହା ଯାହା ଶ୍ରିଶୁ ହସ୍ତେ ହୋଇଲ ନିଧନ

ବ୍ରହ୍ମାଣ୍ଡ ଜିଣିପାରଇ ଯାଁର ବ୍ରହ୍ମଶର,

ତାହାଙ୍କୁ ନାଶ କରିଲେ ନବକୁଶ ଛାର

 

କିମ୍ବା       ସୀତାଙ୍କର ପାତାଳ ପ୍ରବେଶରେ ପୁତ୍ର ନବକୁଶଙ୍କର ବିଳାପ-

 

କେ କରିବ ମାଗୋ ଆଉ ଆମ୍ଭ ଆଶ୍ଵାସନା,

କାହା ଆଗେ କହିବୁ ମା କେ କରିବ ଘେନା

କ୍ଷୁଧା ତୃଷା ଜାଣି ସୁଧା କେ ଦେବ ଆମ୍ଭଙ୍କୁ,

ମାଆ ମାଆ ବୋଲି ଆଉ ଡାକିବୁ କାହାକୁ

(ଏତେ ସ୍ନେହ କରି ମାଗୋ ପ୍ରତି ପାଳିଥିଲୁ, ଯିବାବେଳେ ଆମ୍ଭଙ୍କୁ ମା’ ପଦେ ନ କହିଲୁ ।)

 

 

ସଦ୍ୟ ମାତୃହରା ଦୁଇ ସନ୍ତାନଙ୍କର କାରୁଣ୍ୟ ଏହି ବର୍ଣ୍ଣନାରେ ଯଥାର୍ଥରେ ପ୍ରତିଫଳିତ ହୋଇପାରିଛି କିମ୍ବା ନାହିଁ, ତାହା ବିଦଗ୍ଧ ପାଠକାଦର୍ଶକମାନେ ହିଁ କେବଳ କହିପାରିବେ । ପାଣି କବିଙ୍କ ରଚନାରେ କିନ୍ତୁ ହାସ୍ୟରସ ତାହାର ଯଥାର୍ଥ ମର୍ଯ୍ୟାଦା ଲାଭ କରିପାରି ନାହିଁ ବୋଲି ନିରୂପାୟ ହୋଇ କହିବାକୁ ପଡ଼ୁଛି । ଅବଶ୍ୟ ‘ଦକ୍ଷଯଜ୍ଞ’ ନାଟକରେ ଉତ୍କଳୀୟ ଗ୍ରାମ ଲଳନା ପ୍ରକୃତି ସମ୍ମତ ଦୁଇ ସପତ୍ନୀ (ଗଙ୍ଗା, ଚଣ୍ଡୀ) ମଧ୍ୟରେ ପରସ୍ପରର ଦୋଷ ନିର୍ଦ୍ଦେଶ ପୂର୍ବକ ଆକ୍ଷେପୋକ୍ତି ଦର୍ଶକକୁ ହାସ୍ୟମୁଖର କରିଥାଏ । ତେବେ ଏହାକୁ ‘ବିମଳ ହାସ୍ୟ’ର ପର୍ଯ୍ୟାୟଭୁକ୍ତ କରାଯାଇ ପାରିବ ନାହିଁ । ଏହି ରସଟି ପ୍ରତି ଯେ କବିଙ୍କର କୌଣସି ପ୍ରତିକୂଳ ମନୋଭାବ ଥିଲା, ଏଭଳି ମନେହୁଏ ନାହିଁ । କାରଣ ସମ୍ପୂର୍ଣ୍ଣ ହାସ୍ୟ ରସାତ୍ମକ” ଶବର ଶବରୁଣୀ, ଧୋବାଧୋବଣୀ, କେଳା କେଲୁଣୀ, ବୈଦ୍ୟ ରୋଗୀ, ମୋଗଲ ଗଉଡ଼ୁଣୀ ପ୍ରଭୃତି ବେଶ୍‌ କେତୋଟି ପ୍ରହସନ କିମ୍ବା ଫାର୍ଶ ସେ ରଚନା କରିଛନ୍ତି । ସେ ଯୁଗରେ ଅଭିନୟର ଫାଙ୍କେ ଫାଙ୍କେ ଏହିଭଳି ଫାର୍ଶମାନ ଅଭିନୀତ ହେଉଥିଲା । ନାଟକର ରୋଗଶୋକ ଦୁଃଖ ଯନ୍ତ୍ରଣାପୂର୍ଣ୍ଣ ଜାଗତିକ ପରିବେଶ ମଧ୍ୟରୁ ଦର୍ଶକମାନେ ମୁହୂର୍ତ୍ତକ ପାଇଁ ହେଲେ ମଧ୍ୟ ଲଘୁ ହାସ୍ୟରସପୂର୍ଣ୍ଣ ଏକ ସ୍ଵତନ୍ତ୍ର ଜଗତରେ ପରିଭ୍ରମଣ କରି ନିଜକୁ ଅବସାଦମୁକ୍ତ ମଣୁଥିଲେ । ଏହି ରସର ପରିବେଷଣ ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା ରହୁଥିବାରୁ ସମ୍ଭବତଃ ନାଟକରେ ଆଉ ଏହି ବ୍ୟବସ୍ଥା ରଖିବାକୁ କବି ଉଚିତ୍‌ ମଣି ନଥିଲେ ।

 

ସଙ୍ଗୀତ ହେଉଛି ନାଟକର ପ୍ରାଣ । ସୁଗୀତ-ସଙ୍ଗୀତ ନାଟକର ମର୍ଯ୍ୟାଦା କିଭଳି ବୃଦ୍ଧି କରିଥାଏ ତାହା ସମସ୍ତେ ଜାଣନ୍ତି । ଏଇଥିପାଇଁ ଆଚାର୍ଯ୍ୟ ଭରତ ସ୍ଵୟ ନିର୍ଦ୍ଦେଶ ଦେଇ ରଖିଛନ୍ତି ‘ଗୀତେଷୁ ଯତ୍ନଂ ପ୍ରଥମଂ ତୁ କାର୍ଯ୍ୟମ୍‌’’- - ବିଡ଼ମ୍ବନାର ବିଷୟ ହେଉଛି ଏହି ଯେ, ଦରବାରୀ ସଂସ୍କୃତ ନାଟକରେ ସଙ୍ଗୀତ ବଦଳରେ ଶ୍ଳୋକ ପ୍ରୟୋଗ କରାଯାଉଥିଲା । ଶ୍ଳୋକର ମାଧୁର୍ଯ୍ୟ ଆବୃତ୍ତିରେ । ତେବେ ସୃଷ୍ଟି ଲଗ୍ନରୁ ହିଁ ଲୋକନାଟକଗୁଡ଼ିକ ସଙ୍ଗୀତ ମୁଖର । ଗେୟତା ବା ଗାନଯୋଗ୍ୟତା ହେଉଛି ଯେ କୌଣସି ନାଟକର ସଫଳତାର ଏକ ସାଧାରଣ ଉପାଦାନ । ସମ୍ଭବତଃ ଏହିସବୁ ଲୋକନାଟକରେ ସଙ୍ଗୀତ କଳାର ଏଭଳି ପ୍ରଭାବଶାଳୀ ଭୂମିକା ଲକ୍ଷ୍ୟକରି ରୀତିଯୁଗ ଉନବିଂଶ ଶତକର ପ୍ରଥମ ଦଶନ୍ଧି ବେଳକୁ ଏହାରି ଉପରେ ନିର୍ଭରଶୀଳ ହୋଇପଡ଼ିଛି । ଜଗନ୍ନାଥ ପାଣି ଜଣେ ସଙ୍ଗୀତଜ୍ଞ ହୋଇଥିବାରୁ ପ୍ରଚଳିତ ତଥା ସ୍ଵ କଳ୍ପିତ ବହୁ ଲୋକାନୁକୂଳ ସ୍ଵର ସୃଷ୍ଟି କରି ନିଜର ରସିକତାର ପ୍ରମାଣ ଦେଇଥିଲେ ।

 

ରୀତିଯୁଗ ଥିଲା ଅଧିକତଃ ପୁରାଣ ତଥା ଅଂଶିତଃ କଳ୍ପନା ନିର୍ଭର । ରାମାୟଣ, ମହାଭାରତ ଏବଂ ଅନ୍ୟାନ୍ୟ ପୁରାଣ ପୌରାଣିକ ନାଟକ ନିମନ୍ତେ ବିଷୟ ଯୋଗାଇ ଦେଉଥିବାବେଳେ, କାଳ୍ପନିକ ନାଟକ ନିମନ୍ତେ କବିଙ୍କୁ ସ୍ଵକଳ୍ପନା ଶକ୍ତିର ଅନୁଶୀଳନ କରିବାକୁ ପଡ଼ୁଥିଲା । ପାଣି କବିଙ୍କ ଉପଲବ୍ଧ ଗ୍ରନ୍ଥସୂଚୀରୁ ଜଣାଯାଏ ଯେ, ସେ ମୁଖ୍ୟତଃ ରାମାୟଣ, ମହାଭାରତ, ଭାଗବତ ଏବଂ ଅଷ୍ଟାଦଶ ପୁରାଣରୁ ଉପାଦାନ ସଂଗ୍ରହ କରିଛନ୍ତି । ତାଙ୍କ ରଚିତ ‘ମୀରାଚରିତ’ ନାମକ ଏକ ନାଟକକୁ ‘ଐହିତିହାସିକ ଉପାଦାନ ଆଧାରିତ ଗୀତାଭିନୟ ରୂପେ ପରିଚିତ କରାଯାଇଛି । କେନ୍ଦୁଝର ରାଜ୍ୟର ମହାରାଣୀଙ୍କର ରୂପ ବର୍ଣ୍ଣନାରେ କ୍ଷୁବ୍ଧ ହୋଇ ମହାରାଜ କୂଆଡ଼େ ରାତିକ ଭିତରେ ତାଙ୍କର ବଂଶାନୁଚରିତ ରଚନା କରି ପରଦିନ ପ୍ରଭାତରେ ତାଙ୍କୁ ଶୁଣାଇ ନିଜ ‘ତ୍ରିକାଳଦର୍ଶିତ୍ୱ’ର ପ୍ରମାଣ ରଖିବାକୁ କବିଙ୍କୁ ଆଦେଶ ଦେଉଥିଲେ । କବି ଏଥିରେ ବିଚଳିତ ନହୋଇ ନିଜର ଇଷ୍ଟଦେବଙ୍କୁ ସ୍ମରଣ କରି ତିରିଶଟି ଗୀତରେ ‘ମୀରାଚରିତ’ କେବଳ ରଚନା କରିନଥିଲେ, ତାହାର ଅଭିନୟ ପ୍ରସ୍ତୁତ କରି ରାଜାଙ୍କ ପ୍ରଦତ୍ତ ଦଣ୍ଡରୁ ମୁକ୍ତ ହୋଇଥିଲେ । ଏଭଳି କିମ୍ବଦନ୍ତୀ ମହାକବି କାଳିଦାସଙ୍କ ସମ୍ପର୍କରେ ମଧ୍ୟ ଶୁଣାଯାଏ । ତେଣୁ ଏହାକୁ ବିଶ୍ଵାସ କରିବାର କୌଣସି କାରଣ ନାହିଁ । ନାଟକଟି ଯେ କବିଙ୍କର କାଳ୍ପନିକ ରଚନା ଶକ୍ତିର ଏକ ଚମତ୍କାର ଦୃଷ୍ଟାନ୍ତ ଏଥିରେ ସନ୍ଦେହ ନାହିଁ ।

 

ରୀତିକାବ୍ୟର ଅନ୍ୟତମ ବୈଶିଷ୍ଟ୍ୟ ହେଉଛି ଏହାର ପ୍ରକୃତି ବର୍ଣ୍ଣନା । ରସବୈଚିତ୍ର୍ୟ ତଥା ଅଳଙ୍କାର ତର୍କଣା ସୃଷ୍ଟି କରିବା ପାଇଁ ଏଥିରେ ପ୍ରକୃତିକୁ ସର୍ବଶ୍ରେଷ୍ଠ ମାଧ୍ୟମ ରୂପରେ ବ୍ୟବହାର କରାଯାଇଛି । ପରିସ୍ଥିତି ଏବଂ ବକ୍ତବ୍ୟ- ଏ ଦୁଇଟି ସ୍ଥିତିକୁ ଆଖିରେ ରଖି ଏଥିରେ ପ୍ରକୃତି ଚିତ୍ରଣ କରାଯାଏ । ଆଲମ୍ବନ ଓ ଉଦ୍ଦୀପନ ବିଭାବ ରୂପେ ପ୍ରାଣହୀନ ଏବଂ ଭାବସମ୍ବେଦନାହୀନ ଏକ ଜଡ଼ ପ୍ରକୃତି ହିଁ ଏଥରେ ସ୍ଥାନ ପାଏ । ପ୍ରକୃତିରେ ବ୍ୟକ୍ତିତ୍ଵର ଆରୋପ- ଏହିସବୁ ମହାନ୍‌ କବିମାନଙ୍କ ଦ୍ଵାରା କ୍ୱଚିତ୍‌ ଘଟିଛି । ଏହି କାରଣରୁ ପ୍ରକୃତି- ବର୍ଣ୍ଣନାରେ ରସାଶ୍ରୟୀ- ଅଳଙ୍କାର ବିରଚନା ଓ ଉପଯୋଗୀ ସର୍ବସ୍ଵ ରୂପରେ ଉଭା ହୋଇଛି । ପାଣି କବିଙ୍କ ରଚନାରେ ପ୍ରକୃତିର କୌଣସି ନିଜସ୍ଵ ବ୍ୟକ୍ତିତ୍ଵ ନାହିଁ । କେବଳ ଆଳଙ୍କାରିକ ସୁଷମା ସୃଷ୍ଟି ନିମନ୍ତେ ଏହାକୁ ଏକ ତୁଳନୀୟ ଉପାଦାନ ରୂପରେ ବ୍ୟବହାର କରାଯାଇଛି । ଯେମିତି ନାୟିକାର ମୁଖକୁ ଚନ୍ଦ୍ର ସହିତ (ଇନ୍ଦୁମୁଖୀ ରାକ୍ଷେ ବନ୍ଧୁ), ନାୟିକାର ଜାନୁକୁ ଓଲଟ ରମ୍ଭା ବୃକ୍ଷ ସହିତ (ବୃଶାଳ ରସାଳ ଏ ରମ୍ଭା ଯୁଗଳ ଓଲଟିଛି), ନୟନକୁ ଖଞ୍ଜନ ପକ୍ଷୀର ଆଖି ସହିତ (ଖେଳା ଖଞ୍ଜନାକ୍ଷୀ ଭେଳା କି ବାନ୍ଧିଛି), ବାହୁକୁ ମୃଣାଳ ଲତା ସହିତ (କଳିତ ମୃଣାଳ ଲତା, ଦୃମ୍ଭାଳ ସେ ହୋଇ ମତା) ପ୍ରଭୃତି ପାରମ୍ପରିକ ଉପମା ନିମନ୍ତେ ବ୍ୟବହାର କରାଯାଇଛି । ଏ ସବୁ ବହୁକାଳରୁ ଅନ୍ୟ କବିମାନଙ୍କ ଦ୍ଵାରା ମଧ୍ୟ ପ୍ରଯୁକ୍ତ ହୋଇଆସୁଛି । ଏଥିରେ ତେଣୁ କବିଙ୍କର ନିଜସ୍ଵ ଅବଦାନ ନଥିଲେ ହେଁ ତାଙ୍କର ଶବ୍ଦ ଗୁମ୍ପନ କୌଶଳରେ ଯଥେଷ୍ଟ ଚମତ୍କାରିତା ପ୍ରକାଶ ପାଇଛି ।

 

ରୀତିକବି ମାତ୍ରକେ ହେଉଛନ୍ତି ଯୌବନର ଚାରଣ । ଏହାର ପ୍ରେମ ବିରହ ମିଳନ ରୂପସମ୍ଭାର ଭିତ୍ତିକ ରସୋଚ୍ଛଳ ଗାଥା ଗାନରେ ସେମାନେ ଶତଜିହ୍ଵ । ନାୟକନାୟିକା ବିଶ୍ଵସାରଭୂତ ସୌନ୍ଦର୍ଯ୍ୟର ମୁର୍ତ୍ତିମନ୍ତ ବିଗ୍ରହ ଏବଂ ଦେହଭୋଗରେ ସେମାନଙ୍କର ବିଜୟ ସ୍ତମ୍ଭ ସଗୌରବେ ଦଣ୍ଡାୟମାନ । ଜଗନ୍ନାଥ ପାଣି ମଧ୍ୟ ଏହି ଦର୍ଶନର ଅନୁଗତ ଶିଷ୍ୟ । ତାଙ୍କ ରଚିତ ହାରାବତୀ ହରଣ (ଏଥିରେ ପୁଣି ଭ୍ରାତା ଭଗ୍ନୀଙ୍କ ମଧ୍ୟରେ ଦେହ ଭୋଗର ଅସାମାଜିକ ପ୍ରସଙ୍ଗଟିଏ ରହିଛି, ଯାହାର ସ୍ରଷ୍ଟା ସ୍ୱୟଂ କବି ସାରଳା) ସୁଭଦ୍ରା ପରିଣୟ, ଉଷାବତୀ ହରଣ ପ୍ରଭୃତି ଗୀତାଭିନୟରେ ପ୍ରଥମ ଦର୍ଶନରୁ ପ୍ରେମ ବୋଲି ଯାହାକୁ କୁହାଯାଇଛି, ଯେଉଁଥିପାଇଁ ଯୁଦ୍ଧ ବିଗ୍ରହ ଦ୍ଵାରା ପ୍ରଚୁର ରକ୍ତପାତର ସୂଚନା ଦିଆଯାଇଛି, ତାହା ବିଶୁଦ୍ଧ ଆସଙ୍ଗ ଲିପ୍‌ସା ବ୍ୟତୀତ ଅନ୍ୟ କିଛି ନୁହେଁ । ଯୌବନବତୀ ନାୟିକା ସୁନ୍ଦର ପୁରୁଷଟିଏ ଦେଖବାମାତ୍ରେ ତା’ ସହିତ ମିଳିତ ହେବା ନିମନ୍ତେ ସ୍ଥାନ କାଳ ପାତ୍ର ବିବେଚନା ନ କରି ମୂର୍ଚ୍ଛିତ ହୋଇ ପଡ଼ୁଛି ଏବଂ ଉଠିପଡ଼ି ବିଳାପ କରୁଛି-। ଏହାର ସମର୍ଥନରେ କେବଳ ଏତିକି କୁହାଯାଇପାରେ ଯେ, ସେ କାଳର ଦର୍ଶକମାନେ ଏହିଭଳି ଘଟଣା ଓ ଚରିତ୍ର ସହିତ ଅଭ୍ୟସ୍ତ ଥିଲେ । ପ୍ରଥମେ ଦରବାରରୁ ସୃଷ୍ଟି ହୋଇ ପରେ ଏହା ସାଧାରଣ ଜନତା ମଧ୍ୟକୁ ଓହ୍ଲାଇ ଆସିଥିଲା ଏବଂ ବୟସ ନିର୍ବିଶେଷରେ ସେମାନଙ୍କୁ ପ୍ରଚୁର ରୋମାଞ୍ଚ ଯୋଗାଇ ଦେଉଥିଲା । ଜଗନ୍ନାଥ ପାଣି ଗୋଟିଏ ବ୍ୟବସାୟିକ ନାଟ୍ୟଦଳ ଚଳାଉଥିବାରୁ ଏବଂ ଦଳର ସଫଳତା ଦର୍ଶକମାନଙ୍କ ଅନୁକମ୍ପା ଉପରେ ନିର୍ଭର ଥିବାରୁ ସେମାନଙ୍କ ଚାହିଦା ଦିଗରେ କବିଙ୍କୁ ଦୃଷ୍ଟିଦେବାକୁ ପଡ଼ୁଥିଲା । ଗୋଟିଏ ଦୃଷ୍ଟାନ୍ତ ସାହାଯ୍ୟରେ ଏହି ମନ୍ତବ୍ୟଟିର ବ୍ୟାଖ୍ୟା କରାଯାଇ ପାରେ । ପ୍ରସଙ୍ଗଟି ହେଉଛି, ଉଷାବତୀ ହରଣଂ ଗୀତାଭିନୟର ବାଣାସୁର କନ୍ୟା ଉଷା ଶ୍ରୀକୃଷ୍ଣଙ୍କ ପୌତ୍ର ଅନିରୁଦ୍ଧର ନିର୍ଜୀବ ଚିତ୍ରପଟ ଦର୍ଶନର ପ୍ରତିକ୍ରିୟା ସମ୍ପର୍କୀୟ । କବି ଲେଖିଛନ୍ତି-

 

ଗଣ୍ଡେ ଚୁମ୍ବ ଦେଇ ଦଣ୍ଡେ ରହେ ସ୍ତମ୍ଭୀଭୂତେ,

ତରଳିତ ହୃଦେ ପୁଲକିତ ଅଶ୍ରୁନେତ୍ରେ

କୁଚେ ଲଗାଇଣ ଉଚ୍ଚେ ରୋଦନ କରଇ,

କି ଦୋଷ କଲିକି କଥା ନ କୁହ କିମ୍ପାଇଁ

କୋଳରେ ପକାଇ ବେନି ଜାନୁକୁ ଭିଡ଼ଇ,

ମୁଁ ତୁମ୍ଭର ଦାସୀ ବୋଲି କରକୁ ଯୋଡ଼ଇ

 

ତାଙ୍କ ପୂର୍ବରୁ ଶିଶୁ ଶଙ୍କର ଦାସ, ଉପେନ୍ଦ୍ର ଭଞ୍ଜ ପ୍ରଭୃତି ରୀତି କବିମାନେ ଏହିଭଳି ବର୍ଣ୍ଣନାର ପୃଷ୍ଠଭୂମି ରଚନା କରିଯାଇଥିବାରୁ କବିଙ୍କୁ ଏଥିପାଇଁ ବିଶେଷ ଶ୍ରମ ସ୍ଵୀକାର କରିବାକୁ ପଡ଼ିନାହିଁ । କାଳେ କାଳେ ଏହି ଧରଣର ରଚନା ଦର୍ଶକମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟିକରି ସ୍ରଷ୍ଟାଙ୍କ ପାଇଁ ଉଚ୍ଛ୍ଵସିତ ସମ୍ବର୍ଦ୍ଧନାର ଦ୍ଵାର ଉନ୍ମୁକ୍ତ କରି ଆସିଛି । ନାୟିକାର ଆଚରଣକୁ ଲକ୍ଷ୍ୟ କରାଯାଇପାରେ । ନିର୍ଜୀବ ଚିତ୍ରପଟଟିଏ ମାତ୍ର ଦର୍ଶନ କରି ସେ ଉନ୍ମତ୍ତ କାମଲିପ୍‌ସାରେ ମାତି ଉଠିଛି । କବି କାଳିଦାସ ଯଥାର୍ଥରେ କହିଛନ୍ତି, ‘‘କାମାର୍ତ୍ତ ହିଁ ପ୍ରକୃତ କୃପାଣାଶ୍ଚେତନାଚେତନେଷୁ’’ । ଥରେ ସେଇ ଭୂତଟି ଦେହ ଉପରେ ସବାର ହୋଇଗଲେ ଆଉ ଚେତନ କ’ଣ, ଅଚେତନ କ’ଣ ! ମଣିଷ ମାତ୍ରକେ ଏହି ଭାବଟିର ଦାସ । ଜୀବନରେ ନହେଲେ ମଧ୍ୟ ବର୍ଣ୍ଣନାରେ ଏହାକୁ ଦେଖି ଶୁଣି ଦର୍ଶକ ରୋମାଞ୍ଚିତ, ପୁଲକିତ ହୋଇଯାଏ ଏବଂ ବାରମ୍ବାର ଏହାକୁ ଦେଖିବାକୁ/ ଶୁଣିବାକୁ ଉତ୍କଣ୍ଠିତ ହୋଇ ରୁହେ । ପାଣି-କବି ସହଜଲବ୍ଧ ଲୋକପ୍ରିୟତାର ଏହି ପୂର୍ବ ନିର୍ଦ୍ଦିଷ୍ଟ ପଥ ଧରି ଚାଲିଛନ୍ତି । ତାଙ୍କର ବହୁ ଶାସ୍ତ୍ରଦର୍ଶିତା, ଶବ୍ଦପାଣ୍ଡିତ୍ୟଃ ସଙ୍ଗୀତଜ୍ଞାନ ଏବଂ ଅଳଙ୍କାର ପ୍ରତିଭା- ଏ ଦିଗରେ ତାଙ୍କର ସହାୟକ ହୋଇଛି । ରୀତି ସାହିତ୍ୟରେ ଦେହଭୋଗ ସମ୍ପର୍କୀୟ ବର୍ଣ୍ଣନାବେଳେ ‘ଚନ୍ଦ୍ରଚାଳନା’ ବୋଲି କଥାଟିଏ ବାରମ୍ବାର ଆସିଥାଏ ଏବଂ ଏହାକୁ ଶାସ୍ତ୍ରୀୟ ଆଖ୍ୟା ଦିଆଯାଇ ପାଣି ତାଙ୍କ ନାଟକରେ ଏ ସମ୍ପର୍କରେ ଚର୍ଚ୍ଚା କରିଛନ୍ତି- (ନିଜ ସୃଷ୍ଟିକୁ ଶାସ୍ତ୍ରୀୟ ଜିଜ୍ଞାସୁ ଦର୍ଶକମାନଙ୍କ କଥା ମନରେ ରଖି ।)

 

ରୀତି କବିମାନେ ଗୋଟିଏ ବିଷୟ ଉପରେ ଧାନ କେନ୍ଦ୍ରିତ କରୁଥିବାରୁ ତାହାର କେତେକ ଆନୁଷଙ୍ଗିକ ବିଷୟକୁ ଛାଡ଼ିଦେଲେ, ଅନ୍ୟ ଆଡ଼େ ବିଶେଷ ମନ ଦେବାକୁ ସମୟ ପାଇ ନାହାନ୍ତି । ରୀତି ସାହିତ୍ୟରେ ଲୋକରୀତି, ଲୋକନୀତି ଓ ଲୋକଗାଥା ଯେ ସମ୍ପୂର୍ଣ୍ଣରୂପେ ଅନୁପସ୍ଥିତ ଏହା ଅବଶ୍ୟ ସତ୍ୟ ନୁହେଁ । ତେବେ କବିମାନେ ମୁଖ୍ୟତଃ ରସରାଜ ଶୃଙ୍ଗାରର ଦରବାରୀ ହୋଇଥିବାରୁ ସେମାନଙ୍କର ମନଧ୍ୟାନ ଜ୍ଞାନ ସବୁ ସେଇ ପରାକ୍ରମଶାଳୀ ଶକ୍ତିର ପାଦପଦ୍ମରେ ନିବେଦିତ ହୋଇଯାଇଛି । ତଥାପି ପ୍ରାସଙ୍ଗିକଭାବେ ସମକାଳୀନ ସମାଜ ପ୍ରସଙ୍ଗ, ତାହାର ରୁଚିରିୱାଜ୍‌, ଚିନ୍ତା ଓ ଚେତନା, ଚାହାଣି ଓ ଚଳଣି ଏବଂ ଦୃଷ୍ଟି ଦର୍ଶନ ପ୍ରସଙ୍ଗ ସେମାନଙ୍କ ରଚନାରେ ସ୍ଥାନ ପାଇଛି । ଜଗନ୍ନାଥ ପାଣି ସମୟକୁ ଲୋକଦୃଷ୍ଟିର ପରିବର୍ତ୍ତନ ଘଟୁଥିଲା ଏବଂ ସେ ମଧ୍ୟ ଏ ସମ୍ପର୍କରେ ସଚେତନ ଥିଲେ ।

 

ସମାଜଚେତନା :

ଲେଖକ ବା କବିଟିଏ ହେଉଛି ଏକାନ୍ତ ଭାବରେ ସମାଜର ଜୀବ । ସମାଜ ଭିତରେ ନିଃଶ୍ଵାସ ନେଇ, ତାହାର ଚାହାଣି ଓ ଚଳଣିରେ ପୁଷ୍ଟ ହୋଇ ଜୀବନକୁ ପରଖୁଥାଏ, ନିରେଖି ଦେଖିଥାଏ ତା’ର ଭାବସବଳତାକୁ । ସେଇ ଅନୁସାରେ ତାର ନିଜସ୍ଵ ଦର୍ଶନକୁ ମଧ୍ୟ ଶାଣିତ କରୁଥାଏ-। ତାହାର ଆଚାର, ବିଚାର, ଆଚରଣ, ଉଚ୍ଚାରଣ ତା’ ନିଜ ଅଜ୍ଞାତ ସାରରେ ସମାଜ ଶାଳରେ ଛେଚା ପିଟା ଖାଇ ତାହାରି ଇଙ୍ଗିତରେ ରୂପାୟିତ ହେଉଥାଏ । କହିବାର କଥା ହେଉଛି, ସମାଜ ମଣିଷ ଗଢ଼ା ହୋଇଥିଲେ ମଧ୍ୟ ସେ ହିଁ ମଣିଷକୁ ଗଢ଼େ । ସେହି ମଣିଷ ଯେତେବେଳେ ବିଶ୍ଵକର୍ମା ହୋଇ ଦୁର୍ଭେଦ୍ୟ ଦାରୁରୁ ଦେବତା ଗଢ଼ିବାକୁ ଦଶଦ୍ଵାର କିଳି ଅମୁହାଁ ଦେଉଳରେ ପଶେ, ସମାଜ ହିଁ ଦେବତା ହୋଇ ବାହାରି ଆସେ ଦେଉଳ ଦ୍ଵାର ଖୋଲି ।

 

ପାଣି-କବି ସମସାମୟିକ ସମାଜର ଜଣେ ସାର୍ଥକ ରୂପକାର ହୋଇଥିବାର ତାଙ୍କର ସୃଷ୍ଟିରୁ ହିଁ ପରିଚୟ ମିଳେ । ସେ ସମୟର ସମାଜ ଥିଲା ମୁଖ୍ୟତଃ ଆଧ୍ୟାତ୍ମିକ ଭାବ ବିଳାସୀ । ଦେବ-ଦ୍ୱିଜରେ ଭକ୍ତି, ଗୁରୁଜନମାନଙ୍କ ପ୍ରତି ସମ୍ମାନ, ପାରସ୍ପରିକ ସ୍ନେହ, ସୌହାର୍ଦ୍ୟ, ଦିନଚର୍ଯ୍ୟା ଇତ୍ୟାଦିର ପ୍ରାସଙ୍ଗିକ ବର୍ଣ୍ଣନା ତାଙ୍କର ରଚନାବଳୀରେ ଦେଖିବାକୁ ମିଳେ । ମନେରଖିବାକୁ ହେବ ଯେ, କବି ଦେବୀଦେବତା ଏବଂ ସମାଜର ଅଭିଜାତ ବର୍ଗର ନରନାରୀଙ୍କୁ ନେଇ ତାଙ୍କର କାବ୍ୟସମ୍ଭାର ପ୍ରସ୍ତୁତ କରିଛନ୍ତି । ଆଭିଜାତ୍ୟର ଖୋଳପା ପିନ୍ଧା ଏମାନେ ରକ୍ତ ମାଂସଧାରୀ ସାଧାରଣ ମଣିଷ ମାତ୍ର । ମଣିଷ ଭଳି ଏମାନେ ଦେହଲାଳସୀ । ସ୍ନେହ, ମାୟାମମତା, କ୍ରୋଧ, ଲୋଭ, ମୋହ, ଘୃଣା ନୀତି ଅନୀତି ସମ୍ପର୍କୀୟ ସଚେତନତା ରହିଛି । ଧ୍ରୁବ ଚରିତ ଏବଂ ପ୍ରହ୍ଲାଦ ଚରିତରେ ଧ୍ରୁବ ଜନନୀ ସୁନୀତି ଏବଂ ପ୍ରହ୍ଲାଦ ଜନନୀ ବିଦ୍ୟୁଛାୟାଙ୍କ ମାଧ୍ୟମରେ କବି ଉତ୍କଳୀୟ ଜନନୀର ମମତାମଧୁର ମାତୃ ମୂର୍ତ୍ତିଟିକୁ ହିଁ ଦର୍ଶନ କରାଇଛନ୍ତି । ଧ୍ରୁବଙ୍କ ବନଗମନ ସମ୍ବାଦରେ ସୁନୀତିଙ୍କର ବିଳାପ କିମ୍ବା ପ୍ରହ୍ଲାଦଙ୍କ ମୃତ୍ୟୁ ସମ୍ବାଦ ପ୍ରାପ୍ତିରେ ବିଦ୍ୟୁଛାୟାଙ୍କର ହାହାକାର ମଧ୍ୟରେ ବାତ୍ସଲ୍ୟ ମମତାର କରୁଣ ଗମ୍ଭୀର ରୂପଟି ପ୍ରଦର୍ଶିତ ହୋଇଛି ।

 

ସେହିଭଳି ସପତ୍ନୀ ବିବାଦ ସମାଜ ଜୀବନର ଏକ ପ୍ରାଚୀନ ସମସ୍ୟା । ବିଶେଷକରି ସେ ଯୁଗରେ ବହୁ ବିବାହ ଥିଲା ଆଭିଜାତ୍ୟର ପରିଚାୟକ ଏବଂ ଏଥିପାଇଁ ସମାଜ ଶାସ୍ତ୍ରୀମାନେ ଆଠଗୋଟି ଉପାୟର ବିଧାନ ରଖିଥିଲେ । ବିବାହ ହୋଇଯିବା ପରେ ଆରମ୍ଭ ହେଉଥିଲା ପ୍ରକୃତ ସମସ୍ୟା ଦେବାଦିଦେବ ମହାଯୋଗୀ ମହାଦେବ ଏହିଭଳି ଏକ ବିଳାସ ପାଳି ରଖିଥିଲେ । ତାଙ୍କର ଦୁଇ ପତ୍ନୀ ଚଣ୍ଡୀ ଓ ଗଙ୍ଗାଙ୍କ ମଧ୍ୟରେ କଳହର ରସାଳ ବର୍ଣ୍ଣନା କବି ପାଣି ଅତ୍ୟନ୍ତ ଜୀବନ୍ତ ଭାବରେ ଦେଲାବେଳେ ଏହାକୁ ପଦେ ପଦେ ଉପଭୋଗ କଲାଭଳି ମନେହୁଏ । ସେହିଭଳି ‘ପାରିଜାତ ହରଣ, ଛାନ୍ଦନାଟ୍ୟରେ ସୁଦ୍ଧା ଦୁଇ ସପତ୍ନୀ ରୁକ୍ମିଣୀ ଏବଂ ସତ୍ୟଭାମାଙ୍କ ମଧ୍ୟରେ ସ୍ୱାମୀଙ୍କର ପ୍ରିୟବତୀ ହେବାର ଦାବୀ କେଉଁଭଳି ଦୁଇ ଦେବ ପୁରୁଷ ଇନ୍ଦ୍ର ଏବଂ ଶ୍ରୀକୃଷ୍ଣ ମଧ୍ୟରେ ମହାଯୁଦ୍ଧର କାରଣ ହୋଇଛି, ତାହା ବର୍ଣ୍ଣନା କରି ବହୁ ବିବାହ ପ୍ରଥା କିଭଳି ଈର୍ଷା, କଳହ, ଗୃହଯୁଦ୍ଧ ଏବଂ ମହା ଅଶାନ୍ତିର ମୂଳବୀଜ ତାହା ପ୍ରମାଣ କରିଛନ୍ତି ।

 

ପୁଣି କବି ଥିଲେ ସେ ସମୟର ଉତ୍କଳୀୟ ମଧ୍ୟବିତ୍ତ ସମାଜର ଜଣେ ପ୍ରତିନିଧି । ସାମାନ୍ୟ କାରଣରୁ ଉତ୍କଳୀୟ ନାରୀମାନେ ଯେଉଁଭଳି ପରସ୍ପର ମଧ୍ୟରେ ମହାକନ୍ଦଳ ଭିଆଇ ଜୀବନକୁ ଅତିଷ୍ଠ କରି ପଳାଉଥିଲେ, ତାହା ନିଶ୍ଚୟ ସେ ନିଜ ଆଖରେ ଦେଖିଥିବେ । ସାଧାରଣ ଦର୍ଶକ ଏଥିରେ ଉପରମନରେ କିଭଳି ମହାବିରକ୍ତ ହୋଇ ଭିତରେ ଭିତରେ ଏହାକୁ ମହା ଆନନ୍ଦରେ ଉପଭୋଗ କରନ୍ତି, ଏ କଥା ତାଙ୍କୁ ଅଜଣା ନଥିବ । ସୁଯୋଗ ପାଇବା ମାତ୍ରେ ସେ ଏହିଭଳି ଦୃଶ୍ୟର ଅବତାରଣା କରି ସାମାଜିକମାନଙ୍କୁ ଆନନ୍ଦ ଦେବାର ବ୍ୟବସ୍ଥା କରିବାକୁ ତେଣୁ ଭୁଲି ନାହାନ୍ତି । ପାରିଜାତ ନିମନ୍ତେ ସତ୍ୟଭାମାଙ୍କର ଦାବୀ ପାଇଁ ଇନ୍ଦ୍ର ଏବଂ ଶ୍ରୀକୃଷ୍ଣ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦରେ ପକ୍ଷଭୁକ୍ତ ଦୁଇ ଯୋଦ୍ଧାଙ୍କର ପତ୍ନୀ ଇନ୍ଦ୍ରାଣୀ ଏବଂ ସତ୍ୟଭାମାଙ୍କର କଳହ ଭିତରେ ଦୁଇ ଯୁଯୁତ୍ସୁ ଉତ୍କଳୀୟ ରମଣୀଙ୍କର ପ୍ରତିରୂପ ଅତ୍ୟନ୍ତ ବାସ୍ତବ ଧର୍ମୀ । କହିବା ବାହୁଲ୍ୟ ଯେ, ଦୁଇ ପ୍ରତିପକ୍ଷର ଆକ୍ଷେପୋକ୍ତି ମଧ୍ୟରେ ଦୁହିଁଙ୍କର ଚାରିତ୍ରିକ ଦୁର୍ବଳତା । ଉପରେ ଶରସନ୍ଧାନ କରି ପ୍ରତିପକ୍ଷକୁ ରକ୍ତାକ୍ତ କରିବାର ଉଦ୍ୟମ ହିଁ ଥାଏ ଅଧିକ । ଉଭୟେ ଉଭୟଙ୍କର ପ୍ରତିବେଶୀ କିମ୍ବା ସମ୍ପର୍କୀୟ ହୋଇଥିବାରୁ ଏ ବିଷୟରେ ଯାହା ଜାଣିଥାଆନ୍ତି, ତାକୁ ସ୍ଵ କଳ୍ପନା ଶକ୍ତି ଦ୍ଵାରା ଅଧିକ ପଲ୍ଲବିତ କରି ପରିବେଷଣ କରିବା ଦ୍ଵାରା ଶ୍ରୋତାମାନଙ୍କର ମନୋରଞ୍ଜନ ହୋଇଥାଏ । ତାହାର ନମୁନା ଦେଖାଯାଇପାରେ ‘ପାରିଜାତ ହରଣ’ ଛାନ୍ଦନାଟ୍ୟରୁ ଏହିଭଳି ।

 

ଇନ୍ଦ୍ରାଣୀ

-

ଯାଗଶାଳ କଥା କିଲୋ ପାଶୋରିଲୁ ଏବେ,

 

 

ଗୋସିଂହ ଅସୁର ହରି ନେଉଥିଲା ଯେବେ,

 

ପ୍ରତିପକ୍ଷ ସତ୍ୟଭାମାଙ୍କର ତାତ୍‌କ୍ଷଣିକ ଉତ୍ତର-

 

 

ବାରଜାତି ଯାର ପତି ତା’ର କି ମହତ,

 

 

ଇନ୍ଦ୍ରାସନେ ଯେ ବସିଲା ସେ ହେଲା ଗେରସ୍ତ ॥

 

ଦୁଇ ଦେବ ନାରୀ ଆପଣା ପଦମର୍ଯ୍ୟାଦା, ପତିମାନଙ୍କର ପ୍ରତିଷ୍ଠା ପ୍ରଭୃତି ଭୁଲି ଯେଉଁଭଳି ପରସ୍ପରର ଚରିତ୍ର ସଂହାରରେ ମାତିଯାଇଛନ୍ତି, ତାହା ପରବର୍ତ୍ତୀକାଳର ତଥା ସମ୍ରାଟ ଫକୀରମୋହନଙ୍କ ରଚିତ ‘‘ମାମୁଁ’ ଉପନ୍ୟାସର ଚିତ୍ରକଳା ଓ ନାକଫୋଡିଆ ମା’ଙ୍କର ସମରାଭିନୟର ଦୃଶ୍ୟକୁ ବାରମ୍ବାର ମନେ ପକାଇଦିଏ ।

 

ଉତ୍କଳର ଗୋଟିଏ ଅତି ଚମତ୍କାର ସାମାଜିକ ପ୍ରଥା ସମ୍ପର୍କରେ କବିଙ୍କର ବର୍ଣ୍ଣନା ଅତ୍ୟନ୍ତ ହୃଦୟସ୍ପର୍ଶୀ । ଆମ ଏଠାରେ ଗର୍ଭବତୀ ନାରୀ ନିମନ୍ତେ ଗର୍ଭର ସପ୍ତମରୁ ନବମ ମାସ ମଧ୍ୟରେ ପିତୃଗୃହରୁ ତଥା ବନ୍ଧୁବାନ୍ଧବମାନଙ୍କ ପାଖରୁ ନାନାପ୍ରକାର ସୁସ୍ଵାଦୁ ଖାଦ୍ୟ ପ୍ରେରଣ କରିବାର ପ୍ରଥା ରହିଛି । ସନ୍ତାନ ଜନ୍ମଦେବା ପୂର୍ବରୁ ଗର୍ଭିଣୀ ମନରେ ଯଦି କୌଣସି ଖାଦ୍ୟ ପାଇଁ ଇଚ୍ଛା ଅପୂରଣୀୟ ରହିଯାଏ, ତେବେ ତାହାର ପ୍ରତିକ୍ରିୟା ସନ୍ତାନଠାରେ ଦେଖାଯାଏ, ତା’ ମୁହଁରୁ ଅନବରତ ଲାଳ ସ୍ରବିବା ଦ୍ଵାରା । ଏବେ ମଧ୍ୟ ଏ ବିଶ୍ଵାସ ଆମ ଲୋକଙ୍କ ମଧ୍ୟରେ ରହିଛି । ତେଣୁ ଏହି ‘ସାଦ’ ଖାଇବାର ବ୍ୟବସ୍ଥାରେ ଜଗନ୍ନାଥ ସୁଖାଦ୍ୟ ତାଲିକାର ପ୍ରତ୍ୟେକଟି ବସ୍ତୁକୁ କିଭଳି ଉତ୍କଳୀୟ ରୂପ ଦେଇଛନ୍ତି, ତାହା ଲକ୍ଷ୍ୟ କରାଯାଇପାରେ । ରାଜା ଉତ୍ତାନପାଦ ଗର୍ଭବତୀ ସୁନୀତି (ସେ ଯେ ତାଙ୍କର ପୂର୍ବର ରାଣୀ- ଏହା ନ ଜାଣି)ଙ୍କ ଉଦ୍ଦେଶ୍ୟରେ ‘ସାଦ’ ପଠାଉଛନ୍ତି । ତାହାର ସୂଚୀ ଏହିପରି-

 

ଲକ୍ଷ୍ମୀ ନାରାୟଣ ଅନ୍ନ ନୃସିଂହ ଖେଚୁଡ଼ି,

କମଳା ବିଳାସ କ୍ଷୀରି ସିଦ୍ଧ ଦଧି କଡ଼ି

ରାମରମ୍ଭା କୃଷ୍ଣମୁଗ ଶ୍ୟାମ ଶାକ ଭାଜି,

କୃପାସିନ୍ଧୁ କୁଷ୍ମାଣ୍ତ ବାମନ ନାଉ କାଞ୍ଜି

ଆଳଉଣା ସାରୁ ଆଦି କନ୍ଦ କନ୍ଦମୂଳ,

ମୋହନ ମହୁର ନାରାୟଣ ନାରିକେଳ

 

ଏହି ବର୍ଣ୍ଣନାରୁ ଖାଦ୍ୟ ପୂର୍ବର ବିଶେଷଣଗୁଡ଼ିକ (ଯାହା କାବ୍ୟର ଆଳଙ୍କାରିକ ସୁଷମା ନିମନ୍ତେ ପ୍ରଦତ୍ତ) ବାଦ୍‌ଦେଲେ, ଜଣେ ଅଭିଜାତ ଖାଦ୍ୟ ବିଳାସୀ ଉତ୍କଳୀୟର ସମ୍ପୂର୍ଣ୍ଣ ଖାଦ୍ୟ ତାଲିକା ମିଳିଯିବ । ସେଇ ବେଶର, ମହୁର, କାଞ୍ଜି, ମୁଗ ଡାଲି, ଶାଗ ଭଜା, ଖେଚୁଡ଼ି, କ୍ଷୀରି, ଦହିକଡ଼ି ଇତ୍ୟାଦି ଓଡ଼ିଆ ଖାଦ୍ୟର ପୁର୍ଣ୍ଣସୂଚୀ ଏଥିରେ ରହିଛି । ଏହିଭଳି ‘ସାଦ’ ପ୍ରେରଣ ପ୍ରସଙ୍ଗ କବି ରଚିତ ‘ପ୍ରହ୍ଲାଦ ଚରିତ’ରେ ମଧ୍ୟ ରହିଛି ।

 

ଉତ୍କଳୀୟ ଲଳନାର ସେକାଳର ଅଳଙ୍କାରର ସୂଚୀ ପ୍ରସ୍ତୁତ କରାଯାଇଟି ‘ଦକ୍ଷ ଯଜ୍ଞ’ ଛାନ୍ଦନାଟ୍ୟରେ । ନିରୀହ ରାଣୀ ପାର୍ବତୀ ପିତ୍ରାଳୟ ଯିବା ପୂର୍ବରୁ ଧନପତି କୁବେର ନିଜ ଭଣ୍ଡାରରୁ ବହୁ ମୂଲ୍ୟ ଆୟ ଅଳଙ୍କାର ଆଣି ତାଙ୍କର ମଣ୍ଡଣି କରୁଛନ୍ତି । ତହିଁରେ ରହିଛି ନୁପୂର, ଉତ୍କଳୀ, ମୋହରମାଳ, ବାଙ୍କିଆ, କଟକୀ ଚନ୍ଦ୍ରହାର, ବାଳୁବନ୍ଧ, ତାଡ଼, ଚୂଡ଼ି, ପଇଁଚ, ଖଡ଼ୁ, ନୋଥ, ମଥାମଣି ପ୍ରଭୃତି ସେ କାଳର ଉତ୍କଳୀୟ ନାରୀ ବିଶେଷକରି ଅଭିଜାତ ପରିବାରର ରମଣୀମାନେ ବ୍ୟବହାର କରୁଥିବା ଅଳଙ୍କାର ସବୁ । ଗୋଟିଏ ବର୍ଣ୍ଣନା ଏହପରି-

 

ମିଥିଳାର ମଥାମଣି, ମୋତିଜାଲୀ, ସୀମନ୍ଥିନୀ, କାଉଁରୀଚଉଁରୀ ଚନ୍ଦ୍ରଝୁମ୍ପା,

ସୁବର୍ଣ୍ଣ ମୁକୁଟ ଶିରେ ଚନ୍ଦ୍ରମଣି ମାଣିକ୍ୟରେ ଅରଣୁ ଝଟକ ଶମ୍ପ ଚମ୍ପା ।

 

ଦକ୍ଷ ଯଜ୍ଞ କଲେ ଜଗନ୍ନାଥ ପାଣିଙ୍କ ସମାଜ ଚିତ୍ର ଅଙ୍କନର ଅଭିନବ ଶୈଳୀ ପ୍ରତିପାଦିତ ହୁଏ । ଏହା ଆଳଙ୍କାରିକ ନିୟମରେ ଲେଖାଯାଇଛି । ଆଳଙ୍କାରିକତା କାବ୍ୟଭଳି ଛାନ୍ଦନାଟ୍ୟର ମଧ୍ୟ ଦିଗ ।

 

ଅଳଙ୍କାରର ଅନ୍ୟ ଏକ ସୂଚୀ ଦେଖାଯାଇପାରେ ତାଙ୍କର ‘ପାରିଜାତ ହରଣ’ ଗୀତାଭିନୟରେ (ଆମ ଏଠାରେ ‘ଯାତ୍ରା’ ନାଟକର ଖୋଲା ଦରଜା ବାଟେ ଗୀତାଭିନୟ, ଗୀତିନାଟ୍ୟ, ସୁଆଙ୍ଗ, ଲୀଳା ପ୍ରଭୃତି ଲୋକନାଟ୍ୟର ବହୁ ବିଭାଗର ସ୍ଵଚ୍ଛନ୍ଦ ଆତଯାତ ଲାଗିରହିଥାଏ-। ପାଣିଙ୍କ ସୃଷ୍ଟିକୁ ଏ ସବୁ ଭିତରୁ ଯେ କୌଣସି ଅଭିଧାରେ ଚିହ୍ନିତ କରାଯାଇ ପାରିବ) ଦ୍ଵାରକା ମହିଷୀ ସତ୍ୟଭାମାଙ୍କ ଅଳଙ୍କାର-

 

ମସ୍ତକରୁ ମଥାମଣି ଚନ୍ଦ୍ରସୂର୍ଯ୍ୟ ଖୋଷା / ମୋତି ଜାଲି ସୀମନ୍ଥିନୀ ହୀରା କଣି ମିଶା ।

ସୁବର୍ଣ୍ଣ ଚଉଁରୀ ଥୋପ, ଘୁଙ୍ଗୁର ତାଟଙ୍କ / ନାସା ନୀଳମଣି ବସା ଝରା ନୋଥ ଚକ୍ର ॥

ଗଳା ଚାପ ସରି ମାଳା ଚମ୍ପକ କଳିକା / ସାତସରି ଗଣି ଦେଲା ପଦକ ଚନ୍ଦ୍ରିକା ॥ ଇତ୍ୟାଦି

 

ଏହି ପ୍ରସଙ୍ଗରେ କବି କଙ୍କଣ, ରତ୍ନବାଲା, ବାହୁଟି, ବାଜୁବନ୍ଧ, ବଳା, ହାର, ପାଦବଳା, ନୁପୂର ଇତ୍ୟାଦି ଅଳଙ୍କାରର ଦୀର୍ଘ ସୂଚୀ ପ୍ରସ୍ତୁତ କରିଛନ୍ତି । ଏସବୁର ବର୍ଣ୍ଣନା ସାରଳା ଦାସଙ୍କ ରଚନାରେ ମଧ୍ୟ ରହିଛି । ଏଥିରୁ ତତ୍କାଳୀନ ଉତ୍କଳୀୟ ସମାଜର ସମ୍ଭ୍ରାନ୍ତ ପରିବାରର ଅଳଙ୍କାର ରୁଚିର ଏକ ସ୍ପଷ୍ଟ ସୂଚନା ମିଳେ ।

 

ଏହାଛଡ଼ା ସେ ସମୟର ସମାଜ ଜୀବନରେ ଧର୍ମ, ଧାର୍ମିକତା ପ୍ରଭୃତି ସମ୍ପର୍କରେ ସୂଚନା ଦେବାକୁ ଯାଇ ସେ ଧ୍ରୁବଙ୍କ ତପସ୍ୟା ପୂର୍ବରୁ ଅଗସ୍ତି ମୁନିଙ୍କ ଉପଦେଶ ଛଳରେ ଏକଦା ଉତ୍କଳରେ ବେଶ୍‌ ଲୋକପ୍ରିୟ ‘କାୟାସାଧନା’ ପ୍ରସଙ୍ଗ ଅବତାରଣା କରିଛନ୍ତି । ବୈଷ୍ଣବ ପଞ୍ଚସଖା ଯୁଗରେ ଏହି ତତ୍ତ୍ଵଟି ସମାଜରେ ବେଶ୍‌ ଚଳୁଥିଲା । ସେମାନଙ୍କର ‘ପିଣ୍ଡବ୍ରହ୍ମାଣ୍ଡବାଦ’ ହେଉଛି ଏହାର ଭିତ୍ତି । ସିଦ୍ଧାନ୍ତ ରୂପରେ ଏହା ସେଇ ନାଥପନ୍ଥୀ ସିଦ୍ଧମାନଙ୍କ ଦ୍ଵାରା ସୃଷ୍ଟି ହୋଇ ସାରଳାଙ୍କ ବାଟରେ ବୈଷ୍ଣବ କବିଙ୍କ ନିକଟରେ ପହଞ୍ଚିଥିଲା । ଏହାର ଚେର ଭୀମ ଭୋଇଙ୍କ ପର୍ଯ୍ୟନ୍ତ ଲମ୍ବିଥିବାର ଲକ୍ଷ୍ୟ କରାଯାଇପାରେ । ଗୋଟିଏ ସମୟରେ ପୁରପଲ୍ଲୀରେ ଏହାର ବ୍ୟାପକ ଚର୍ଚ୍ଚା ହେଉଥିବାର ଜଣାଯାଏ ଏବଂ ଏହାର ଅବଶେଷ ଏବେ ମଧ୍ୟ ଖୋଜିଲେ କେଉଁଠି କେଉଁଠି ମିଳିଯାଇପାରେ । ସେଇ ନିର୍ଗୁଣ ଭକ୍ତି ଧାରାର ମାହାତ୍ମ୍ୟ ଅଗସ୍ତ୍ୟ ଧ୍ରୁବଙ୍କୁ ବୁଝାଇଛନ୍ତି, ପାଣିଙ୍କ ଦର୍ଶକ ଗୋଷ୍ଠୀର ଆଧ୍ୟାତ୍ମିକ ଜିଜ୍ଞାସାର ଉତ୍ତର ରୂପେ । ସେ ସମୟରେ ଏଭଳି ଦର୍ଶକର ଅଭାବ ନଥିଲା । ଅଗସ୍ତି କହୁଛନ୍ତି-

 

ପ୍ରଥମେ ଆଧାର ଚକ୍ରେ ଧ୍ୟାନ କରି ଅରୁଣ ବର୍ଣ୍ଣ କମଳେ,

ଦ୍ୱିତୀୟରେ ସ୍ଵାଧିଷ୍ଠାନ ଚକ୍ର ଭେଦି ଜ୍ୟୋତି ଦେଖ ଷଟ୍‌ ଦଳେ ।

ମଣିପୁର ଚକ୍ରରେ, ଦଶଦଳେ ନାଦ ବିନ୍ଦୁକ୍ଷରେ ॥

 

ଏହି ଯୌଗିକ କ୍ରିୟାର ସୂକ୍ଷ୍ମ ଆଲୋଚନା କରି ଅଗସ୍ତି ସାଧକ ପାଇଁ ମୃଣାଳ ଜ୍ୟୋତି ପଥରେ ମନ ପବନକୁ ବ୍ରହ୍ମ ରନ୍ଧ୍ରେ ପ୍ରବାହିତ କରି ଇନ୍ଦ୍ରିୟ ନିରୋଧ ଉପାୟରେ ସତ୍ତ୍ଵ ରଜ ତମ ତ୍ରିଗୁଣର ଉଜାଣି ନଦୀକୁ ଦର୍ଶନ କରିବାକୁ ତଥା ଅ+ଉ+ମ- ଅର୍ଥାତ୍‌ ‘ଓମ୍‌’ ଉଚ୍ଚାରଣ କରି ବ୍ରହ୍ମ ନିରଞ୍ଜନ ଦର୍ଶନ ନିମନ୍ତେ ଉପଦେଶ ଦେଇଛନ୍ତି । ଊନବିଂଶ ଶତକରେ ଇଂରେଜ ରାଜତ୍ୱରେ ସୁଦ୍ଧା ଉତ୍କଳୀୟ ପୁରପଲ୍ଲୀରେ ଯେ ପିଣ୍ଡ-ବ୍ରହ୍ମାଣ୍ତ ବାଦର ବ୍ୟାପକ ଚର୍ଚ୍ଚା ଚାଲିଥିଲା, ଏଥିରୁ ତାହାର ପ୍ରମାଣ ମିଳେ ।

 

ସେହିପରି ଆଉ ଗୋଟିଏ ବ୍ୟାପାର ହେଉଛି ଅଭିଚାର କ୍ରିୟା ଅର୍ଥାତ୍‌ ମନ୍ତ୍ର-ତନ୍ତ୍ର, ଗୁଣିଗାରେଡ଼ି ପ୍ରଭୃତିର ପ୍ରୟୋଗ । ସେଇ ଅଥର୍ବ ବେଦ କାଳରୁ ଆମ ଦେଶରେ ଏହି କ୍ରିୟାର ବ୍ୟାପକ ଚର୍ଚ୍ଚା ହୋଇଆସୁଛି । ପୁଣି କେବଳ ଆମ ଦେଶରେ କାହିଁକି ୟୁରୋପ, ଆଫ୍ରିକା, ଆମେରିକା ପ୍ରଭୃତି କେତେକ ମହାଦେଶରେ ସୁଦ୍ଧା ଏହା ଚର୍ଚ୍ଚା ରହିଛି । ସଭ୍ୟ ଜଗତ୍‌ ଏହାକୁ ଅଶିକ୍ଷା, କୁସଂସ୍କାର, ଅନ୍ଧ ବିଶ୍ଵାସ ପ୍ରଭୃତି ଯେତେ ପ୍ରଚାର କରି ଚାଲିଲେ ମଧ୍ୟ ଏହାକୁ ଜନଜୀବନରୁ ସମ୍ପୂର୍ଣ୍ଣରୂପେ ଉନ୍ମୁଳିତ କରିପାରି ନାହିଁ । ପାଣି କବିଙ୍କ ସମୟରେ ଯେ ଏହାର ବେଶ୍‌ ଚର୍ଚ୍ଚା ଥିଲା, ତା’ ଜଣାଯାଏ ତାଙ୍କର ‘ସୁଭଦ୍ରା ପରିଣୟ’ ନାଟକରୁ । ରୂପବାନ୍‌ ଅର୍ଜୁନଙ୍କୁ ଦେଖି ଶ୍ରୀକୃଷ୍ଣଙ୍କ ଭଗ୍ନୀ ସୁଭଦ୍ରାଙ୍କର କାମବିକାର ଜାତ ହୁଏ । ମିଳନ ପ୍ରତ୍ୟାଶୀ ସୁଭଦ୍ରା ଅର୍ଜୁନଙ୍କ ଦ୍ଵାରା ବାରମ୍ବାର ପ୍ରତ୍ୟାଖ୍ୟାତା ହେବାରୁ ତାଙ୍କର ଦୁର୍ଦ୍ଦଶା ଆହୁରି ବଢ଼ିଯାଏ । ଶ୍ରୀକୃଷ୍ଣଙ୍କ ପରାମର୍ଶରେ ସତ୍ୟଭାମା ଏଥିପାଇଁ ପ୍ରଦ୍ୟୁମ୍ନ ପତ୍ନୀ ମହାତାନ୍ତ୍ରିକା ମାୟାବତୀଙ୍କ ନିକଟରେ ଉପସ୍ଥିତ ହୁଅନ୍ତି । ମାୟାବତୀ କାର୍ଯ୍ୟ ସିଦ୍ଧି ନିମନ୍ତେ ସୁଭଦ୍ରାଙ୍କୁ ପୁରୁଷ ଜୟୀ ସିନ୍ଦୂର, କଜ୍ଜ୍ୱଳ ଏବଂ ବିଭୂତି- ଏ ତିନୋଟି ଅଭିମନ୍ତ୍ରିତ ବସ୍ତୁ ପ୍ରଦାନ କରନ୍ତି । କବି ଲେଖିଛନ୍ତି-

 

ସିନ୍ଦୂର ସିନ୍ଦୂର ଯେ ଗାର ସାର / ଏ ସିନ୍ଦୂର ସୁଭଦ୍ରା ଗୋ ଘେନିବୁ ଶିରର ।

ଚାହିଁଲା ମାତ୍ରକେ ପାର୍ଥ ଯାଉ ମୋହ ହୋଇ / ମାୟାବତୀ ମହାମାୟୀ କୋଟି କୋଟି ଦ୍ୱାହି ॥

(ସୁଭଦ୍ରା ପରିଣୟ : ୩୧ଶ ଛାନ୍ଦ)

 

କାଉଁରୀ-କାମାକ୍ଷାଙ୍କ କଜ୍ଜ୍ୱଳ ଲଗାଇ କଟାକ୍ଷରେ ଚାହିଁଲେ, ଅର୍ଜୁନ କି ଛାର, ସୃଷ୍ଟିର ସବୁଠାରୁ ଅଧିକ ଧୈର୍ଯ୍ୟଶୀଳ ଲୋକଟିର ମଧ୍ୟ ମୋହ ଭଙ୍ଗ ଘଟିବ । ସେହିଭଳି ସିଦ୍ଧେଶ୍ଵରୀଙ୍କ ବିଭୂତି ପକାଇଦେଲେ ବଜ୍ର କବାଟର ଅର୍ଗଳି ଖୋଲିଯିବ । ବର୍ଣ୍ଣନାରେ କାଉଁରୀ-କାମାକ୍ଷାଙ୍କ ଉଲ୍ଲେଖ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ । ଉତ୍କଳୀୟମାନଙ୍କର ଏବେ ମଧ୍ୟ ବିଶ୍ଵାସ, କାମାକ୍ଷା ଚଣ୍ଡୀଙ୍କ ରାଜ୍ୟ ଆସାମ ହେଉଛି ତାନ୍ତ୍ରିକମାନଙ୍କର ରାଜ୍ୟ । ସେଠାରେ ଭେଣ୍ଡାମାନଙ୍କୁ ମେଣ୍ଢା କରି ବନ୍ଦୀ କରାଯାଏ-। ଏବେ ମଧ୍ୟ ଏଠାରେ ତନ୍ତ୍ରମନ୍ତ୍ରରେ ‘କାଉଁରୀ କାମଚଣ୍ଡୀଙ୍କର କୋଟି କୋଟି ଆଜ୍ଞା’ ବୋଲି କୁହାଯାଇ, ତାଙ୍କୁ ଆବାହନ କରାଯାଏ ।

 

କେବଳ ସେତିକି ନୁହେଁ, ନାରୀମାନେ ଯେ ତନ୍ତ୍ରବିଦ୍ୟାରେ ବେଶ୍‌ ଧୁରୀଣ ହୋଇ ଉଠିଥିଲେ, ତାନ୍ତ୍ରିକ । ମାୟାବତୀଙ୍କ ପ୍ରସଙ୍ଗରୁ ତାହାର ସୂଚନା ମିଳେ । ଅବକ୍ଷୟଗ୍ରସ୍ତ ବୌଦ୍ଧଧର୍ମର ବଜ୍ରଯାନ, କାଳଚକ୍ରଯାନ ପ୍ରଭୃତି ଶାଖାରେ ସିଦ୍ଧାଚାର୍ଯ୍ୟଗଣ ନାରୀ ସହ ‘ମଣିପଦ୍ମ’ର ସାଧନାରେ ମଗ୍ନ ରହୁଥିବାରୁ ନାରୀମାନେ ଏହି ବିଦ୍ୟାରେ ସ୍ଵତଃ ଅଧିକାର ପ୍ରାପ୍ତା ହୋଇଯାଇଥିଲେ । ଆମର ଲୋକକଥାମାନଙ୍କରେ ସପ୍ତ ମହାତାନ୍ତ୍ରିକା ନାରୀଙ୍କର ନାମୋଲ୍ଲେଖ କରାଯାଇଛି । ସେମାନେ ହେଲେ ନିତେଇ ଧୋବଣୀ, ପିତେଇ ଚମ୍ବାରୁଣୀ, ଲୁହାକୁଟୀ ଲୁହାରୁଣୀ, ଜ୍ଞାନଦେଇ ମାଲୁଣୀ, ପତ୍ର ଶଉରୁଣୀ ଇତ୍ୟାଦି । ମନ୍ତ୍ର ବଳରେ ଏମାନେ ଏ ପାରିର ଗଛକୁ ଆର ପାରିକୁ ନେଇ ପାରୁ ଥିଲେ । ମୃତଦେହରେ ଜୀବନ ସଂଚାର କରି ପାରୁଥିଲେ ।

 

ଏଥିରୁ ଏହା ସହଜରେ ପ୍ରମାଣ କରାଯାଇ ପାରିବ ଯେ, ଜଗନ୍ନାଥ ପାଣି ଲୋକ ମନୋରଞ୍ଜନ ସହିତ ସେମାନଙ୍କର ଆଧ୍ୟତ୍ମିକ ଜିଜ୍ଞାସାର ଯଥାସମ୍ଭବ ଉତ୍ତର ତାଙ୍କ ପ୍ରଦର୍ଶନ ମାଧ୍ୟମରେ ଦେବାକୁ ଚେଷ୍ଟା କରିଛନ୍ତି ।

 

ପୂର୍ବରୁ ସୂଚିତ ହୋଇଛି ଯେ ନିଜ ନାଟକର ଅଭିନୟ ପ୍ରଦର୍ଶନ ନିମନ୍ତେ ସେ ଏକ ଭ୍ରାମ୍ୟମାଣ ଦଳ ପ୍ରତିଷ୍ଠା କରି ତିରିଶ ବର୍ଷ କାଳ ଓଡ଼ିଶାର ବିଭିନ୍ନ ଅଞ୍ଚଳ ସହିତ କଲିକତା, ଟାଟାନଗର, ମେଦିନୀପୁର ପ୍ରଭୃତି ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳରେ ଅଭିନୟ ପ୍ରଦର୍ଶନ କରି ବୁଲୁଥିଲେ-। ଗୋଟିଏ ନାଟ୍ୟଦଳ ଦୀର୍ଘ କାଳ ତିଷ୍ଠି ରହିବା ସମ୍ଭବତଃ ଓଡ଼ିଶାର ଅଭିନୟ ଇତିହାସରେ ପ୍ରଥମ ବୋଲି ସ୍ଵୀକାର କରିବାକୁ ହେବ । ଦଳ ପ୍ରତି ଅଭିନେତା ଗୋଷ୍ଠୀର ଆନୁଗତ୍ୟ ବଜାୟ ରଖିବାକୁ ସେ ଆଇନାନୁମୋଦିତ ପନ୍ଥାରେ ସେମାନଙ୍କ ସହ ରୀତିମତ ଏକରାରନାମା କରାଇ ନେଉଥିବାର ପ୍ରାପ୍ତ ଏକରାରନାମାଗୁଡ଼ିକରୁ ଜଣାଯାଇଥାଏ । ତିନିପିଢ଼ୀର ଦର୍ଶକଙ୍କୁ ଗୋଟିଏ ମଞ୍ଚରେ ବାନ୍ଧି ରଖିବାର ସାମର୍ଥ୍ୟରୁ ଦଳର ଲୋକପ୍ରିୟତା ଜଣାଯାଇଥାଏ ।

 

ତେବେ ଦୁଃଖର ସହିତ କହିବାକୁ ପଡ଼ୁଛି ଯେ, କବି ସମାଜ ସମ୍ମୁଖରେ କୌଣସି ଉଚ୍ଚ ଆଦର୍ଶ ପ୍ରସ୍ତୁତ କରିପାରିନାହାନ୍ତି । କାମ ବିକାରଗ୍ରସ୍ତ କେତେଗୁଡ଼ିଏ ଚରିତ୍ର ସାହାଯ୍ୟରେ ସେ ଲୋକପ୍ରିୟ ହେବାର ସରଳ ପଥଟିକୁ ହିଁ ବାଛି ନେଇଛନ୍ତି । ହାରାବତୀ, ଉଷାବତୀ, ସୁଭଦ୍ରା ପ୍ରଭୃତି ନାରୀମାନେ ହେଉଛନ୍ତି ଏହାର ଦୃଷ୍ଟାନ୍ତ । ଲୋକରୁଚିର ଅନୁକୂଳତା ସମ୍ଭବତଃ ଏହାର କାରଣ ହୋଇପାରେ । ପଣ୍ଡିତମାନେ କହନ୍ତି ଯେ, ନିମ୍ନଗାମୀ ଲୋକରୁଚିକୁ ଉପରକୁ ଉଠାଇ ସମାଜ ସଂସ୍କାର ଦୃଢ଼ୀକରଣ ହେଉଛି ସ୍ରଷ୍ଟାର କର୍ତ୍ତବ୍ୟ । ପାଣି ତହିଁରେ ଅସଫଳ ହୋଇଛନ୍ତି । ନୈତିକତାର ପ୍ରସଙ୍ଗରେ କବି ଯେ ସମ୍ପୂର୍ଣ୍ଣ ଅନବହିତ ଥିଲେ, ଏପରି ନୁହେଁ । ଦୃଷ୍ଟାନ୍ତ ସ୍ୱରୂପ ‘ହାରାବତୀ ହରଣ’ର ଅର୍ଜୁନ ଏବଂ ହାରାବତୀ ତଥା ‘ସୁଭଦ୍ରା ପରିଣୟ’ର ଅର୍ଜୁନ ଏବଂ ସୁଭଦ୍ରାଙ୍କର ଉକ୍ତି ପ୍ରତ୍ୟୁକ୍ତି ପ୍ରସଙ୍ଗ-। ହାରାବତୀର କୁପ୍ରସ୍ତାବକୁ ଅସ୍ଵୀକାର କରି ଅର୍ଜୁନ ତାଙ୍କୁ ବୁଝାଇଛନ୍ତି-

 

ରମ୍ଭାପରା ତୋର ଜନନୀରେ ଧୀରା ଇନ୍ଦ୍ରପ୍ରିୟ ବିଳାସିନୀ,

ସେ ଇନ୍ଦ୍ର ମୋହର ସହୋଦର ପିତା ବିଧିରେ ତୁମେ ଭଗିନୀ ।

 

ପୁଣି ସୁଭଦ୍ରା ପରିଣୟରେ ‘ପରସ୍ତିରୀ ମୋର ମାତା/ ପରସ୍ତ୍ରୀର ଯେ ସ୍ଵାମୀ ସେହି ମୋର ପିତା / ପରର ଦ୍ରବ୍ୟ ମୋହର ଅଟଇ ଦେବତା ପ୍ରଭୃତି ନୀତିବାଣୀ ଉଦଗ୍ର ଦେହଲାଳସାର ଦୁଆରରେ କାହିଁ କୁଆଡ଼େ ଭାସିଯାଉଛି । ଯୌବନର ତୀବ୍ର ଦେହଭୋଗ କାମନା ସମ୍ମୁଖରେ ନୀତିବୀଣୀ - ଠିକ୍‌ ହୁହୁ ମାଢ଼ି ଆସୁଥିବା ପ୍ରବଳ ବନ୍ୟା ଜଳ ସମ୍ମୁଖରେ ବାଲିବନ୍ଧ ପରି । ତା’ ବା’ ରହନ୍ତା କପରି ? ଅବଶ୍ୟ ବାସ୍ତବତା ଏହାକୁ ସମର୍ଥନ ଜଣାଇବ । ସୁଭଦ୍ରା ମଧ୍ୟ ନୀତି ଅନୀତି ଜାଣନ୍ତି-। ସେ ଏହିଭଳି ତରଳ ମୁହୂର୍ତ୍ତରେ ଅର୍ଜୁନଙ୍କୁ ଶୁଣାଇଛନ୍ତି-

 

ଯାଚିଲା ଯୌବନ ରୁଚିଲା ଭୋଜନ ପାଚିଲା ଫଳ ଶ୍ରୀଧନ,

ହେଳା କରି ୟାକୁ ଖୋଜିଲେ ପଛକୁ କାଳକାଳ ନମିଳେ ଏ ମାନ ହେ ସୁନ୍ଦର ।

 

ଅବଶ୍ୟ ଏସବୁ ବର୍ଣ୍ଣନାକୁ ନୈତିକତା ବିରୋଧୀ ବୋଲି କୁହାଯିବ । ତେବେ କବି କୌଣସି ଧର୍ମଗୁରୁ ବା ଯାଜକ ନୁହନ୍ତି । ସେ କେବଳ ବାସ୍ତବ ଦିଗଟିକୁ ଉଜାଗର କରନ୍ତି । ସମାଜର ଗଳିତ କ୍ଷତକୁ ଦେଖାଇ ଦିଅନ୍ତି ପ୍ରତିକାର ଆଶାରେ । ସଭ୍ୟ ସୁସଂସ୍କୃତ ମଣିଷ ତଥାପି ଯେ ଆଦିମ ରିପୁଟିର କବଳରୁ ଆତ୍ମରକ୍ଷା କରିପାରି ନାହିଁ ଏହା ପ୍ରମାଣ କରନ୍ତି ।

 

ପାଣି କବିଙ୍କ ସପକ୍ଷରେ ଦୁଇଚାରି କଥା ବୋଧହୁଏ ଏଠାରେ ଅପ୍ରାସଙ୍ଗିକ ହେବ ନାହିଁ-। ପ୍ରଥମତଃ, ସେ ଥିଲେ ରୀତି ସାହିତ୍ୟର ଅନୁଗାମୀ ଶିଷ୍ୟ ତଥା ସେବକ । ଏହି ସାହିତ୍ୟ ହେଉଛି ଦରବାରୀ ସାହିତ୍ୟ ଏବଂ ‘ଶୃଙ୍ଗାରୀ ଚେତ୍‌ କବିଃ’ର ଦର୍ଶନରେ ବିଶ୍ଵାସୀ । ଏହି ସାହିତ୍ୟର ମୁଖ୍ୟ ପ୍ରସଙ୍ଗ ଥିଲା ଦେହ । ଯଦିଓ ତହିଁରେ ନୀତିନିୟମର ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଉଥିଲା । ଦେହ ଭୋଗ ସେଠାରେ ଥିଲା ବୈଧ । କବି ପାଣି ଯେଉଁ ପ୍ରସଙ୍ଗଗୁଡ଼ିକୁ ନିଜ କାବ୍ୟର ବିଷୟୀଭୂତ କରିଛନ୍ତି, ତହିଁରେ ଅବୈଧ ପ୍ରେମ ହିଁ ହୋଇଛି ପ୍ରଧାନ । ଏଗୁଡ଼ିକ ଅବଶ୍ୟ ସେ ଆହରଣ କରିଛନ୍ତି ନିଜର ପୂର୍ବଜ କବି ସାରଳା ଦାସଙ୍କ ରଚନାରୁ । ଉଭୟ କବିଙ୍କ ମଧ୍ୟରେ ତିନିଶହ ସାଢ଼େ ତିନିଶହ ବର୍ଷର ବ୍ୟବଧାନ । ଲୋକରୁଚି ନିଶ୍ଚୟ ଏହି ଦୀର୍ଘ ସମୟ ମଧ୍ୟରେ ବହୁ ପରିବର୍ତ୍ତନ ଦେଇ ଗତି କରିଛି ।

 

ଜଗନ୍ନାଥ ପାଣି ଶକ୍ତିଧର ନାଟ୍ୟକାର ଓ କବି । ତାଙ୍କର ରଚନା ଶକ୍ତି ନୈସର୍ଗିକ । ସେ ଯୁଗରେ କେବଳ ଜଣେ ବ୍ୟକ୍ତିଗତ ଉଦ୍ୟମରେ ଉପଲବ୍ଧ ଗ୍ରନ୍ଥାନୁଶୀଳନ ଦ୍ଵାରା ସେ ଯେଉଁ ପ୍ରଚଣ୍ଡ ବ୍ୟୁତ୍ପତ୍ତି ଲାଭ କରିଥିଲେ ଅନ୍ୟଥା ତାହା ସମ୍ଭବ ହୁଅନ୍ତା ନାହିଁ । ଏହି ଶକ୍ତି ବଳରେ ସେ ଦୀର୍ଘ ତିରିଶ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଅଭିନୟ କଳାର ପ୍ରସାର ଘଟାଇ ନାଟକକୁ ଯେଉଁ ଦୃଢ଼ ପରମ୍ପରାଟିଏ ଦେଇଗଲେ, ତାହାହିଁ ହେଉଛି ନାଟ୍ୟ ଜଗତକୁ ତାଙ୍କର ସର୍ବଶ୍ରେଷ୍ଠ ଅବଦାନ ।

 

ଉପସଂହାର :

ଉପସଂହାରରେ ତେଣୁ ଦୃଢ଼ ଭାବରେ କୁହାଯାଇ ପାରିବ ଯେ, ସୁଦୀର୍ଘ ତିନୋଟି ଦଶନ୍ଧି ଧରି ନାଟ୍ୟାଭିନୟର ନିୟମିତ ପ୍ରଚାର କରି ପାଣି ରାଜ୍ୟରେ ତଥା ରାଜ୍ୟ ବାହାରେ ମନୋରଞ୍ଜନ, ଶିକ୍ଷାଦାନ ତଥା ଅଭିନୟ କଳାର ବିକାଶ ନିମନ୍ତେ ଯେଉଁ ନିରବଚ୍ଛିନ୍ନ ଉଦ୍ୟମ ଚଳାଇ ଯାଇଛନ୍ତି, ସେଥି ନିମନ୍ତେ ସେ ଏକ ସ୍ଵତନ୍ତ୍ର ମର୍ଯ୍ୟାଦାର ଅଧିକାରୀ । ଜଗନ୍ନାଥ ପାଣି ଧନୀ, ମାନୀ, ଜ୍ଞାନୀ କିମ୍ବା ସେଭଳି କୌଣସି ପ୍ରତିପତ୍ତିଶାଳୀ ବ୍ୟକ୍ତିତ୍ୱ ନଥିଲେ । ସାଧାରଣ ଆନୁଷ୍ଠାନିକ ଶିକ୍ଷା ସହିଚ ପ୍ରଚଣ୍ଡ ବ୍ୟକ୍ତିଗତ ଉଦ୍ୟମ ତାଙ୍କର ଶିକ୍ଷାର ଭିତ୍ତିକୁ ଦୃଢ଼ କରିଥିଲା । ସେ ସବୁକୁ ବ୍ୟବହାର କରାଯାଉଥିଲା ଏହି ଗ୍ରନ୍ଥ ରଚନାରେ ଏବଂ ସେଗୁଡ଼ିକ ପ୍ରଦର୍ଶିତ ହୋଇଥିଲା - ଏ ଦେଶର ସାଧାରଣ ଜନତା- ଯାହାଙ୍କୁ ‘ଲୋକ’ ବୋଲି ସମ୍ବୋଧନ କରାଯାଏ- ସେମାନଙ୍କ ସମ୍ମୁଖରେ । ସେହିମାନେ ହିଁ ପାଣିଙ୍କ ଶିରରେ ‘ବିଜୟ ମୁକୁଟ’ ପିନ୍ଧାଇ ଦେଇଥିଲେ ।

 

ସ୍ରଷ୍ଟା ତତ୍ତ୍ଵର ମହିମା ବୁଝି ସୃଷ୍ଟିରେ ପ୍ରବୃତ୍ତ ହୁଅନ୍ତି ନାହିଁ । କେହି ପ୍ରଚଳିତ ଧାରାକୁ ଅନୁସରଣ କରନ୍ତି ତ କେହି ନିଜ ପାଇଁ ସ୍ଵତନ୍ତ୍ର ମାର୍ଗ ପ୍ରସ୍ତୁତ କରନ୍ତି । ପରେ ତାହାହିଁ ହୋଇଯାଏ ସୃଷ୍ଟି ପାଇଁ ଏକ ଅଭିନବ ପଥ । ପାଣି ପ୍ରଥମଟିକୁ ଗ୍ରହଣ କରିଥିଲେ । ସେ ସମୟର ‘ଯାତ୍ରା ନାଟକ' ଯେଉଁ ନାମରେ ଆସୁ ନା କାହିଁକି, ଏହାର ଗୀତିମୟ ରୂପ ହିଁ ତାଙ୍କୁ ଆକୃଷ୍ଟ କରିଥିଲା । ଭାବାନୁସାରୀ ରାଗ ସାହାଯ୍ୟରେ ସେ ନାଟକ ରଚନା କରିଥିଲେ । କହିବା ବାହୁଲ୍ୟ, ତାଙ୍କର ଚଲାପଥ ଥିଲା ନାନାପ୍ରକାର ବାଧାବିଘ୍ନ, ପ୍ରତିବନ୍ଧକ, ପ୍ରତିଦ୍ଵନ୍ଦିତାପୂର୍ଣ୍ଣ । ଓଠରେ ହସ, ଅନ୍ତରରେ ଲୁହ ନେଇ ଅସୀମ ଧୈର୍ଯ୍ୟ ସହକାରେ ସେଇ ପଥ ଅତିକ୍ରମ କରିଛନ୍ତି । କେବେ ବସିଯାଇ ନାହାଁନ୍ତି କି ଥକିଯାଇ ନାହାନ୍ତି । କଣ୍ଟାକୀର୍ଣ୍ଣ ପଥ ଅତିକ୍ରମ କରୁ କରୁ ଅନାସ୍ଵାଦିତ ଅମୃତର କଳ୍ପନାରେ ବିଭୋର ହୋଇଛନ୍ତି । ଯାତ୍ରା ନାଟକର ଇତିହାସରେ ନିଜର ନାମକୁ ଉଜ୍ଜ୍ୱଳ ଅକ୍ଷରରେ ଲିପିବଦ୍ଧ କରିଯାଇଛନ୍ତି ।

 

 

୧୦୫, ପ୍ରଶାନ୍ତି ଆପାର୍ଟମେଣ୍ଟ

ଦେଉଳସାହି, କଟକ- ୮

 

 

***

 

ଲୋକକବି ଜଗନ୍ନାଥ ପାଣି ସାହିତ୍ୟର ପ୍ରଚାର ଓ ପ୍ରସାର

ଯୁଗଳ କିଶୋର ପଟ୍ଟନାୟକ

 

ଓଡ଼ିଶାର ଅନ୍ୟତମ ଆଦି ଗୀତିନାଟ୍ୟକାର ଲୋକକବି ଜଗନ୍ନାଥ ପାଣି ଭଦ୍ରକ ସହରଠାରୁ ୫ କିଲୋମିଟର ଦୂରରେ ଅବସ୍ଥିତ ନଳାଙ୍ଗ ଗ୍ରାମରେ ପିତା ୰ଭଗବତ ପାଣି ଓ ମାତା ୰ରଙ୍ଗବତୀଙ୍କ ଔରସରୁ ୧୮୩୬ ମସିହା ମହାବିଷୁବ ସଂକ୍ରାନ୍ତି ଦିନ ଜନ୍ମଗ୍ରହଣ କରିଥିଲେ । ଆବାଲ୍ୟରୁ ଶିକ୍ଷା ପ୍ରତି ଅନାଗ୍ରହ ପ୍ରଦର୍ଶନ କାରଣରୁ ତାଙ୍କୁ ପିତାମାତା ତଥା ପାଖ ପଡ଼ିଶାଙ୍କଠାରୁ ଭର୍ତ୍ସନା, ତିରଷ୍କାର ଓ ଅପମାନ ସହିବାକୁ ପଡ଼ିଥିଲା । ଶେଷରେ ସକଳ ଆଶା ତ୍ୟାଗ କରି ନଳାଙ୍ଗସ୍ଥ ତାଙ୍କ ବାସଭବନ ସମ୍ମୁଖସ୍ଥ ନଳେଶ୍ଵର ମହାଦେବଙ୍କ ମନ୍ଦିରରେ ଏକୋଇଶ ଦିନ କାଳ ଅଧ୍ୟା ପଡ଼ି ପ୍ରସିଦ୍ଧ ‘ସରସ୍ଵତୀ’ ମନ୍ତ୍ର ଜପ କରି ସିଦ୍ଧି ଲାଭ କରିପାରିଥିଲେ ଏବଂ ଛାନ୍ଦ, କାବ୍ୟ, ଲୀଳା, ଛାନ୍ଦନାଟ୍ୟ, ପାଲା ଓ ସୁଆଙ୍ଗ ଆଦି ରଚନା କରିବାକୁ ସକ୍ଷମ ହୋଇ ପାରିଥିଲେ ।

 

ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଓଡ଼ିଶାରେ ଓଡ଼ିଆ ସାହିତ୍ୟ ଅତ୍ୟନ୍ତ ଅବହେଳିତ ହୋଇ ପଡ଼ିଥିଲା । ପଡ଼ୋଶୀ ବଙ୍ଗଳା ପ୍ରଦେଶର ବଙ୍ଗ ଭାଷୀମାନଙ୍କର ଓଡ଼ିଆମାନଙ୍କ ପ୍ରତି ଆକ୍ଷେପ ଏପରିକି ବଂଗୀୟ ଅଧ୍ୟାପକ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କ ‘‘ଓଡ଼ିଆ ଏକଟା ସ୍ଵତନ୍ତ୍ର ଭାଷା ନଏ” ପରି ଆକ୍ଷେପ ଶୁଣିବାକୁ ପଡ଼ିଥିଲା । ସେ ସମୟରେ ଯେଉଁ କେତେଜଣ ଓଡ଼ିଆ କବି, ଲେଖକ, ସାହିତ୍ୟିକ ଓ ସଂସ୍କୃତି ପ୍ରେମୀ ଓଡ଼ିଆ ଭାଷାକୁ ବଞ୍ଚାଇବାକୁ ଆପ୍ରାଣ ଚେଷ୍ଟା କରି ସଫଳକାମୀ ହୋଇପାରିଥିଲେ ସେମାନଙ୍କ ମଧ୍ୟରେ ଜଗନ୍ନାଥ ପାଣି ଥିଲେ ଅନ୍ୟତମ ।

 

ପୁରାତନ ଜଗନ୍ନାଥ ସଡ଼କ ଯାହାକି ବର୍ତ୍ତମାନ ୫ ନମ୍ବର ଜତୀୟ ରାଜପଥରେ ରୂପାନ୍ତରିତ ହୋଇଛି ତା’ର କଡ଼ରେ କପାଳୀ ନଦୀ କୂଳରେ ଅବସ୍ଥିତ ନାଳାଙ୍ଗ ଗ୍ରାମ । ଉକ୍ତ ଗ୍ରାମର ଏକ ପାର୍ଶ୍ଵରେ ଅବସ୍ଥିତ ନଳାଙ୍ଗ ଶାସନରେ ଥିଲା ଜଗନ୍ନାଥଙ୍କ ପୁରାତନ ବାସସ୍ଥାନ ।

 

ପ୍ରଭୁ ନଳେଶ୍ଵରଙ୍କ କୃପାରୁ ସିଦ୍ଧି ଲାଭ କରିଥିବା ଜଗନ୍ନାଥ ପାଣି ଅଗାଧ ପାଣ୍ଡିତ୍ୟର ଅଧିକାରୀ ହୋଇପାରିଥିଲେ । କବି ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ ଦାସ, ସାରଳା ଦାସ, କୃପାସିନ୍ଧୁ ଦାସ, ବଳରାମ ଦାସ, ଅତିବଡ଼ି ଜଗନ୍ନାଥ ଦାସ ଆଦି କବିଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ସେ ଲେଖନୀ ଚାଳନା କରିଥିଲେ । ଫଳରେ ଶବ୍ଦ ସଂଯୋଜନା ଓ ଅଳଙ୍କାର ଆଦି ପ୍ରୟୋଗରେ ସେ ସିଦ୍ଧହସ୍ତ ହୋଇ ରାଶି ରାଶି ଗ୍ରନ୍ଥ ରଚନା କରିଥିଲେ । ନଳାଙ୍ଗଠାରେ ତାଙ୍କ ଦ୍ଵାରା ଗଠିତ ଏକ ନାଟ୍ୟଦଳ ସାହାଯ୍ୟରେ ନିଜ ରଚିତ ଲୀଳା ବା ଛାନ୍ଦନାଟ୍ୟକୁ ଅଭିନୟ ପ୍ରଦର୍ଶନ ମାଧ୍ୟମରେ କେବଳ ଓଡ଼ିଶା କାହିଁକି ପଶ୍ଚିମ ବଙ୍ଗଳା, ବିହାର ଓ ବର୍ତ୍ତମାନର ଆନ୍ଧ୍ର ପ୍ରଦେଶରେ ଯାତ୍ରାକଳାର ପ୍ରଚାର କରି ଅଶେଷ ଲୋକପ୍ରିୟତା ଅର୍ଜନ କରି ପାରିଥିଲେ ।

 

ସେ ସମୟରେ ଓଡ଼ିଶାରେ ରାମଲୀଳା, କୃଷ୍ଣଲୀଳା, ଭରତଲୀଳା, ପାଲା ଓ ସୁଆଙ୍ଗମାନ ପରିବେଷିତ ହେଉଥିଲା । ତେଣୁ ଜଗନ୍ନାଥ ପାଣି ସେହି ଲୀଳା ବା ଛାନ୍ଦନାଟ୍ୟ ରଚନାକରି ନିଜ ନାଟ୍ୟଦଳ ମାଧ୍ୟମରେ ତାହାର ପ୍ରଚାର ପ୍ରସାର କରିବାକୁ ଲାଗିଲେ ।

 

ଜଗନ୍ନାଥ ପାଣିଙ୍କ ପରେ ମାହାଙ୍ଗା ଅଞ୍ଚଳର ଗଣକବି ବୈଷ୍ଣବ ପାଣି ନିଜ ଲିଖିତ ଗୀତିନାଟ୍ୟ ପରିବେଷଣ କରି ଓଡ଼ିଆ ନାଟ୍ୟ ପରିବେଷଣରେ ବେଶ୍‌ ଚହଳ ପକାଇ ପାରିଥିଲେ । ସେ ତାଙ୍କ ଆତ୍ମ ଜୀବନୀରେ ସ୍ଵୀକାର କରି କହିଅଛନ୍ତି ଯେ ତାଙ୍କ ପୂର୍ବରୁ କବି ଜଗନ୍ନାଥ ପାଣି ଓଡ଼ିଆ ଗୀତିନାଟ୍ୟ ଓ ଯାତ୍ରା ପରିବେଷଣ କରିଥିଲେ ଏବଂ ସେ ତାଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ଗୀତିନାଟ୍ୟ ଓ ଯାତ୍ରା ପରିବେଷଣରେ ଆଗ୍ରହ ପ୍ରକାଶ କରିଥିଲେ । ଗଣକବି ବୈଷ୍ଣବ ପାଣି ତାଙ୍କ ଆତ୍ମ ଜୀବନୀର ପୃଷ୍ଠା- ୧୨- ୧୩ରେ ଉଲ୍ଲେଖ କରିଛନ୍ତି ଯେ ‘‘ସେତେବେଳେ ଓଡ଼ିଶାରେ ଯାତ୍ରା ଦଳ ବିରଳ । କେବଳ ମାତ୍ର ମୋର ଦଳଟି କଟକ, ପୁରୀ ଇତ୍ୟାଦିରେ ଶ୍ରେଷ୍ଠ ଦଳ ବୋଲାଇଥାଏ । ସେତେବେଳେ ଭଦ୍ରକସ୍ଥ ନଳାଙ୍ଗ ନିବାସୀ କବି ଶ୍ରୀ ଜଗନ୍ନାଥ ପାଣିଙ୍କ ଲୀଳା, ଅଶ୍ଵମେଧ ଯଜ୍ଞ, ମହୀରାବଣ ବଧ, ଦକ୍ଷ ଯଜ୍ଞ ଏବଂ ପାରିଜାତ ହରଣ ଆଦି ନାଟକ ମୋର ସମ୍ବଳ ମାତ୍ର ଥିଲା ।”

 

କବି ଜଗନ୍ନାଥ ପାଣିଙ୍କର ୧୮ ବର୍ଷ ବୟସରେ ଭଦ୍ରକସ୍ଥ ଗରଦପୁର ନିବାସୀ ପାଟଦେଇଙ୍କ ସହ ବିବାହ ସଂପନ୍ନ ହୋଇଥିଲା ମାତ୍ର ବହୁକାଳ ପର୍ଯ୍ୟନ୍ତ ତାଙ୍କର କୌଣସି ସନ୍ତାନ ସନ୍ତତି ନ ହେବାରୁ ବଂଶ ରକ୍ଷା ଉଦ୍ଦେଶ୍ୟରେ ପାଟଦେଇଙ୍କ ସାନଭଉଣୀ ସୁନା ଦେବୀଙ୍କୁ ୨ୟ ବିବାହ କରିଥିଲେ । ଫଳରେ ସୁନାଦେବୀଙ୍କ ଔରସରୁ ସାଗର, ସୁଦର୍ଶନ ଓ ପୁରୁଷୋତ୍ତମ ନାମକ ୩ଟି ପୁତ୍ର ଜନ୍ମଗ୍ରହଣ କରିଥିଲେ । ପରେ ସୁଦର୍ଶନଙ୍କର ଏକମାତ୍ର ପୁତ୍ର ଉଦୟନାଥ ଓ ପୁରୁଷୋତ୍ତମଙ୍କର ଗୋବିନ୍ଦ ଚନ୍ଦ୍ର ଓ ବ୍ରଜ ସୁନ୍ଦର ନାମକ ଦୁଇ ପୁତ୍ର ଜନ୍ମଗ୍ରହଣ କରିଥିଲେ । କବିଙ୍କର କନିଷ୍ଠ ପୌତ୍ର ଶ୍ରୀଯୁକ୍ତ ବ୍ରଜ ସୁନ୍ଦର ଅଦ୍ୟାବଧି ଜୀବିତ । ତାଙ୍କରି ପ୍ରଚେଷ୍ଟାରେ କବିଙ୍କର ରଚିତ ଗ୍ରନ୍ଥମାନଙ୍କର ପାଣ୍ଠୁଲିପି ରାଜ୍ୟ ସଂଗ୍ରହାଳୟରେ ସଂଗୃହୀତ ହୋଇଥିଲା ଓ ପରେ ପରେ ୧୯୮୩ ମସିହାରେ ପ୍ରଥମ ଖଣ୍ଡ ଜଗନ୍ନାଥ ପାଣି ଗ୍ରନ୍ଥାବଳୀ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ପ୍ରକାଶିତ ହୋଇଥିଲା ।

 

କବି ଜଗନ୍ନାଥ ପାଣିଙ୍କ ପାଣ୍ଡିତ୍ୟ ତଥା କାବ୍ୟିକ ପ୍ରତିଭାର ପଟ୍ଟାନ୍ତର ନଥିଲା । ସେଥିପାଇଁ ସେ ସର୍ବଜନ ପ୍ରିୟ ହୋଇପାରିଥିଲେ । ଏଥିପାଇଁ ବହୁକ୍ଷେତ୍ରରେ ତାଙ୍କୁ ପରୀକ୍ଷିତ ହେବାକୁ ପଡ଼ିଛି । ଏକଦା ଯାତ୍ରା ପ୍ରଦର୍ଶନ କାଳରେ ନାୟିକାର ବର୍ଣ୍ଣନା କଲାବେଳେ ରାଣୀଙ୍କ ରୂପ ବର୍ଣ୍ଣନା ଆଳରେ ତାଙ୍କ ଶରୀରର ଗୋପନ ଅଂଗରେ ଥିବା ତିଳ ଚିହ୍ନର ବର୍ଣ୍ଣନା କରିଥିଲେ । ଏଥିରେ କିଛି ଚାଟୁକାର ରାଜାକୁ ଟିହାଇ ଜଗନ୍ନାଥଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ । ରାଜା କିଛି ନବୁଝି ଜଗନ୍ନାଥଙ୍କୁ ଡକାଇ ଏହାର କାରଣ ପଚାରିଥିଲେ ଓ ଉତ୍ତର ସନ୍ତୋଷଜନକ ନହେଲେ ତାଙ୍କୁ ଦଣ୍ଡ ଭୋଗିବାକୁ ଘୋଷଣା କରିଥିଲେ । କବି ଜଗନ୍ନାଥ ରାଜାଙ୍କ ପ୍ରଶ୍ନରେ ବିଚଳିତ ନହୋଇ କହିଥିଲେ, ଲେଖନୀବେଳେ ମା’ ସରସ୍ଵତୀ ତାଙ୍କୁ ଯାହା ନିର୍ଦ୍ଦେଶ ଦିଅନ୍ତି, ସେ ତାହାକୁ କାର୍ଯ୍ୟକାରୀ କରିଥାନ୍ତି । ରାଜା ଅବୁଝା । ରାଜା ଶେଷରେ ଆଦେଶ ଦେଲେ ଯଦି ସରସ୍ୱତୀଙ୍କ କୃପାରୁ ତୁମେ ଏପରି କରିପାରୁଛ ତେବେ ଆଜି ରାତ୍ରରେ ତୁମେ ଆମ ରାଜବଂଶର କୌଣସି ଏକ ଚରିତ୍ର ଉପରେ ଆଧାର କରି ଏକ ନାଟକ ପରିବେଷଣ କର । ଜଗନ୍ନାଥ ନିର୍ଭୟରେ ତତ୍‌କ୍ଷଣାତ୍‌ ଏ ପ୍ରସ୍ତାବରେ ସମ୍ମତି ପ୍ରଦାନ କରିଥିଲେ ।

 

ଆଶ୍ଚର୍ଯ୍ୟର କଥା ସେଦିନ ରାତିରେ ରାଜପ୍ରସାଦରେ ଜଗନ୍ନାଥ ମେବାର ରାଜବଂଶ ସଂମ୍ଭୁତା ମୀରାବାଇଙ୍କ ଉପରେ ଏକ ନାଟକ ‘ମୀରା ଚରିତ’ ରଚନା କରି, ପରିବେଷଣ ମାଧ୍ୟମରେ ରାଜା, ତଥା ତାଙ୍କର ସଭାସଦ୍‌ଗଣ ଓ ଉପସ୍ଥିତ ଦର୍ଶକଙ୍କୁ ମୁଗ୍ଧ କରିଥିଲେ । ରାଜାଙ୍କ ପୂର୍ବବଂଶଧର ମେବାର ରାଜ ପରିବାର ସମ୍ଭୁତ କୃଷ୍ଣ ଭକ୍ତ ମୀରାଙ୍କ ଉପରେ ଆଧାରିତ ଗୀତାଭିନୟ ପ୍ରଦର୍ଶନରେ ଖୁସି ହୋଇ ରାଜା ସେଦିନ କବିଙ୍କୁ ‘‘କବିବର” ଉପାଧିରେ ଭୂଷିତ କରିଥିଲେ ଓ ବହୁ ଉପଢ଼ୌକନ ପ୍ରଦାନ ପୂର୍ବକ ଭୂୟସୀ ପ୍ରଶଂସା କରିଥିଲେ । କବି ଜଗନ୍ନାଥ ତାଙ୍କର ଲେଖାର ଭଣତିରେ କେତେକ ସ୍ଥାନରେ ନିଜକୁ ‘‘କବିବର” ଉପାଧିରେ ବର୍ଣ୍ଣନା କରିଅଛନ୍ତି । ଜଗନ୍ନାଥ ପାଣି ତାଙ୍କ ରଚନା ମାଧ୍ୟମରେ ଓଡ଼ିଶାର ଲୋକକଳା, ଲୋକ ସଂସ୍କୃତି ଓ ଲୋକକଥାମାନଙ୍କୁ ଆଧାର କରି ଖାଣ୍ଟି ଓଡ଼ିଆ ଗାଉଁଲି ଭାଷାରେ ତାଙ୍କର କାବ୍ୟ, କବିତା, ଗୀତାଭିନୟ, ପାଲା ଓ ତାମସା ରଚନା କରିଥିଲେ । ତାଙ୍କ ଘରେ ଥିବା ତାଙ୍କରି ଦୁଇଜଣ ସ୍ତ୍ରୀ, ପାଟଦେଇ ଓ ସୁନାଦେଇଙ୍କ ମଧ୍ୟରେ ହେଉଥିବା ମନାନ୍ତର ଓ ମତାନ୍ତର ବେଳେବେଳେ କଳିତକରାଳ ଆକାରରେ ଦେଖା ଦେଉଥିଲା । ଫଳରେ ତାଙ୍କ ଭିତରେ ହେଉଥିବା ଝଗଡ଼ାର ପରିପ୍ରକାଶ ପୌରାଣିକ ଉପାଖ୍ୟାନ ‘‘ଗଙ୍ଗା’’ ଓ ‘‘ପାର୍ବତୀ” କଳି ମାଧ୍ୟମରେ କବି ପରିପ୍ରକାଶ କରିଛନ୍ତି । ସାଧାରଣ ଗାଉଁଲି ଲୋକଭାଷାକୁ ସେ ଆଧାର କରିଛନ୍ତି ତାଙ୍କ ରଚନାରେ । ଏଥିରୁ ଏକ ଦୃଷ୍ଟାନ୍ତ ତାଙ୍କ ‘‘ଦକ୍ଷଯଜ୍ଞ” ନାଟକରୁ ସୂଚନା ଦେଉଛି ।

 

ସ୍ତିରୀ ହୋଇ ସବାଖାଇ କି କଳଙ୍କ କଲା

ଉଲଗ୍ନ ହୋଇ ପତି ଛାତିରେ ଚଢ଼ିଲ ।

x      x      x      x

ବାରବୁଲି ଗଉରୀ

ଯାଆ ଯାଆ ମୋ ଘରୁ ବାହାରିଲେ ।

x      x      x      x

ପଳା ପଳା ଭସାଣୀ,

ଫଳାଫଳ ଦେବି ଏହିକ୍ଷଣି ଲୋ ।

x      x      x      x

କି କହିଲୁ, କି କହିଲୁ, ଆଉ ଥରେ କହନିଲୋ କଳିହୁଡ଼ି

x      x      x      x

ଛି ଲୋ ଲଙ୍ଗୁଳୀ, ବାରବାଙ୍କ ଗଳୀ,

ଅମଙ୍ଗୁଳୀ ତେ ମୁହାଣୀ

ଜୁଆର ବାରେଣୀ, ହେଲେ ତୋ ଉଜାଣି

ଉପରକୁ ଉଠେ ପାଣି ଲୋ ।

କୁଳ କଳଙ୍ଗୀ ଗଙ୍ଗା

ମଝି ନଈରେ ବୁଡ଼ାଇ ଡଙ୍ଗାଲୋ । ଇତ୍ୟାଦି

 

ଏସବୁ ବ୍ୟତୀତ କବିଙ୍କ ରଚିତ କେଳା କେଳୁଣୀ ପ୍ରହସନ ମାଧ୍ୟମରେ କେଳା ଓ କେଳୁଣୀଙ୍କମଧ୍ୟରେ ହୋଇଥିବା କଳହର ପରିପ୍ରକାଶ ଖାଣ୍ଟି ଓଡ଼ିଆ ଓ ଗାଉଁଲି ଭାଷାରେ ଢଗ ଢମାଳିକୁ ନେଇ ରୂପାୟିତ ହୋଇଛି । ଏସବୁ ଲୋକ ସଂସ୍କୃତି ଓ ଲୋକ ଭାଷାର ପ୍ରୟୋଗ କରି ଜଗନ୍ନାଥ ପ୍ରକୃତରେ ‘‘ଲୋକ କବି”ର ସାର୍ଥକତା ହାସଲ କରିଛନ୍ତି ।

 

କବି ଜଗନ୍ନାଥ ଅଳ୍ପାୟୁ ଥିଲେ । ମାତ୍ର ୬୧ ବର୍ଷ ବୟସରେ ୧୮୯୭ ମସିହା ଡିସେମ୍ବର ୧୧ ତାରିଖରେ ସେ ପରଲୋକ ଗମନ କରିଥିଲେ ।

 

କବିଙ୍କ ନିଧନର ବହୁକାଳ ପରେ ତାଙ୍କର ପୌତ୍ର ବ୍ରଜ ସୁନ୍ଦର ପାଣି କବିଙ୍କ ଯାତ୍ରାଦଳରେ କାମ କରୁଥିବା କେତେକ କଳାକାର ଓ ସଙ୍ଗୀତଜ୍ଞଙ୍କ ଠାରୁ ସେ କବିଙ୍କ ଲିଖିତ କିଛି ପାଣ୍ଠୁଲିପି ସଂଗ୍ରହ କରି ରାଜ୍ୟ ସଂଗ୍ରହାଳୟରେ ଦାଖଲ କରିଥିଲେ ।

 

କବି ଜଗନ୍ନାଥ ପାଣି ତାଙ୍କର ନିଧନ ପରଠାରୁ ବିସ୍ମୃତି ଗର୍ଭରେ ଲୀନ ହୋଇ ଯାଇଥିଲେ-। ମୁଁ ୧୯୮୦ ମସିହାରେ ଯେତେବେଳେ ରାଜ୍ୟ ସରକାରଙ୍କର ଜଣେ ରାଷ୍ଟ୍ର ମନ୍ତ୍ରୀ ଥାଇ ସଂସ୍କୃତି ବିଭାଗ ଦାୟିତ୍ୱ ନେଇଥିଲି ସେ ସମୟର ରାଜ୍ୟ ସଂସ୍କୃତି ବିଭାଗରେ କାର୍ଯ୍ୟରତ କ୍ୟୁରେଟର ପଣ୍ଡିତ ନୀଳମଣି ମିଶ୍ର ମୋତେ ସାକ୍ଷାତ କରି ପାଣି ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ମୋର ସହଯୋଗ କାମନା କରିଥିଲେ । ମୁଁ ତାଙ୍କ ପ୍ରସ୍ତାବରେ ସ୍ଵୀକୃତି ଦେଇ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସଂସ୍କୃତି ବିଭାଗକୁ ନିର୍ଦ୍ଦେଶ ଦେଇଥିଲି ।

 

କବିଙ୍କ ଜନ୍ମସ୍ଥାନ ନଳାଙ୍ଗ ଠାରେ ‘ଜଗନ୍ନାଥ ପାଣି ସ୍ମୃତି ପରିଷଦ’ ଗଠିତ ହୋଇ ୧୯୮୧ ମସିହାରୁ କବିଙ୍କର ଜୟନ୍ତୀ ଉତ୍ସବ ମହାବିଷୁବ ସଂକ୍ରାନ୍ତି ଦିନ ଅନୁଷ୍ଠିତ ହୋଇ ଏହା ଅଦ୍ୟାବଧି ପାଳିତ ହେଉଛି । ୧୯୮୪ ମସିହାରୁ ରାଜ୍ୟର ରାଜଧାନୀ ଭୁବନେଶ୍ଵର ଠାରେ ‘ଜଗନ୍ନାଥ ପାଣି ସ୍ମୃତି ସଂସଦ’ ସ୍ଥାପନ କରାଯାଇ ଏଯାଏଁ କବିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳନ କରାଯାଉଛି । ଉକ୍ତ କମିଟିରେ ମୁଁ ସଭାପତି, ଶ୍ରୀଯୁକ୍ତ ସାତକୋଡ଼ି ହୋତା ଉପସଭାପତି, ଶ୍ରୀଯୁକ୍ତ ଡଃ ଉପେନ୍ଦ୍ର ପ୍ରସାଦ ନାୟକ ସାଧାରଣ ସଂପାଦକ ଓ ବିନୋଦ ବିହାରୀ ପଲେଇ, ଡ. ଭଗବାନ ଚନ୍ଦ୍ର ପଣ୍ତା, ବ୍ରହ୍ମାନନ୍ଦ ସାହୁ, ମନୋରମା ବିଶ୍ଵାଳ ମହାପାତ୍ର, କାଶୀନାଥ ଦାଶ ପ୍ରମୁଖ ଅଛନ୍ତି । ତାହା ଏ ଯାଏଁ କାର୍ଯ୍ୟକାରୀ ହେଉଅଛି ।

 

ଜଗନ୍ନାଥ ପାଣି ସ୍ମୃତି ସଂସଦ ତରଫରୁ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମ ଜରିଆରେ କବିଙ୍କ ଉପରେ ଆଧାରିତ ପ୍ରତିବର୍ଷ ଏକ ମନୋଜ୍ଞ ସ୍ମରଣିକା ପ୍ରକାଶ ପାଇଛି । ଆମ ସଙ୍ଗଠନ ତରଫରୁ ପ୍ରସିଦ୍ଧ ଚିତ୍ରଶିଳ୍ପୀ ୰ମୁରଲୀଧର ଟାଲିଙ୍କ ଦ୍ଵାରା କବିଙ୍କର ୩ଟି ତୈଳଚିତ୍ର ନିର୍ମିତ ହୋଇ ସେଥିରୁ ଗୋଟିଏ କଟକର ଶ୍ରୀରାମଚନ୍ଦ୍ର ଭବନରେ ସ୍ଥାନ ପାଇଛି । ଅନ୍ୟ ଦୁଇଟି କବିଙ୍କ ଜନ୍ମସ୍ଥାନ ନଳାଙ୍ଗରେ ଓ ଅନ୍ୟଟି ରାଜ୍ୟସ୍ତରୀୟ କମିଟୀ ଅଧୀନରେ ରହିଛି । ଏତଦ୍‌ବ୍ୟତୀତ କବିଙ୍କର ଏକ ଫଟୋଚିତ୍ର ସଂସ୍କୃତି ବିଭାଗ ତରଫରୁ ଛପାଯାଇ ସର୍ବସାଧାରଣଙ୍କୁ ବିକ୍ରୟ ଉଦ୍ଦେଶ୍ୟରେ ରଖାଯାଇ ଥିଲା । ଏତଦ୍‌ବ୍ୟତୀତ ପାଣି ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ଆକାଶବାଣୀ ଓ ଦୂରଦର୍ଶନ ମାଧ୍ୟମରେ କବିଙ୍କ ରଚିତ ଗୀତିନାଟ୍ୟ ‘ଦକ୍ଷଯଜ୍ଞ’, ‘ମହୀରାବଣ ବଧ’, ‘ପାରିଜାତ ହରଣ’, ‘ଉଷାବତୀ ହରଣ’, ‘ଧ୍ରୁବଚରିତ’, ‘ପ୍ରହ୍ଲାଦ ଚରିତ’, ‘ସୀତା ବନବାସ’, ‘ରୁକ୍ମିଣୀ ପରିଣୟ’, ‘ବିଲଙ୍କା ଚରିତ’ ଆଦି ନାଟକମାନ ପରିବେଷିତ ହୋଇଛି ।

 

ଆମ ଅନୁଷ୍ଠାନ ଜଗନ୍ନାଥ ପାଣି ସ୍ମୃତି ସଂସଦ ଓ ନଳାଙ୍ଗସ୍ଥ ଜଗନ୍ନାଥ ପାଣି ସ୍ମୃତି ପରିଷଦ ମାଧ୍ୟମରେ ନଳାଙ୍ଗ ଓ ଭୁବନେଶ୍ୱରଠାରେ ବହୁବାର କବିଙ୍କ ରଚିତ ବିଭିନ୍ନ ଗୀତିନାଟ୍ୟଗୁଡ଼ିକ ରବୀନ୍ଦ୍ର ମଣ୍ଡପ ଓ ଭଞ୍ଜକଳା ମଣ୍ଡପ ମଂଚରେ ଅଭିନୀତ ହୋଇ ଦର୍ଶକଙ୍କର ମନୋରଞ୍ଜନ କରିବାକୁ ସକ୍ଷମ ହୋଇଛି । ଭୁବନେଶ୍ଵର ବ୍ୟତୀତ ଭଦ୍ରକ, କେନ୍ଦ୍ରାପଡ଼ା, ଦାମନଯୋଡ଼ି, ସୁନ୍ଦରଗଡ଼ ଆଦି ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନରେ ମଧ୍ୟ ଜଗନ୍ନାଥ ପାଣିଙ୍କ ଗୀତାଭିନୟ ମଞ୍ଚସ୍ଥ ହୋଇଯାଇଛି ।

 

ଏ ଭିତରେ କବିଙ୍କର ଜନ୍ମସ୍ଥାନ ନଳାଙ୍ଗସ୍ଥ ସ୍କୁଲ ପରିସର ମଧ୍ୟରେ କବିଙ୍କର ପୂର୍ଣ୍ଣାୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ଓ ଜଗନ୍ନାଥ ପାଣି ମଣ୍ଡପ ଓ ପାଠାଗାର ସ୍ଥାପନ କରାଯାଇଛି ।

 

ଏତଦ୍‌ବ୍ୟତୀତ ଭୁବନେଶ୍ୱରଠାରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରିସର ମଧ୍ୟରେ ୨୦୧୧ ମସିହାରେ କବିଙ୍କ ଜୟନ୍ତୀ ଉତ୍ସବରେ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ କବିଙ୍କର ଏକ ବ୍ରୋଞ୍ଚ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ।

 

୨୦୦୦ ମସିହାଠାରୁ କବିଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମ ‘‘ଓଡ଼ିଶା ସାହିତ୍ୟ ଏକାଡେମୀ” ଓ ‘‘ଜଗନ୍ନାଥ ପାଣି ସ୍ମୃତି ସଂସଦ” ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଠାରେ ପ୍ରତିବର୍ଷ କବିଙ୍କ ଜୟନ୍ତୀ ଉତ୍ସବ ପାଳନ କରାଯାଉଛି ଓ ନଳାଙ୍ଗ ଠାରେ ଜଗନ୍ନାଥ ପାଣି ସ୍ମୃତି ପରିଷଦ ଆନୁକୂଲ୍ୟରେ ଏହା ଯଥାରୀତିରେ ପାଳନ କରାଯାଉଛି । ଭୁବନେଶ୍ୱରସ୍ଥ ରାଜ୍ୟସ୍ତରୀୟ ଜଗନ୍ନାଥ ପାଣି ସ୍ମୃତି ସଂସଦ ଦ୍ଵାରା କବିଙ୍କର ଶ୍ରାଦ୍ଧୋତ୍ସବ ମଧ୍ୟ ପାଳିତ ହୋଇଆସୁଛି ।

 

ଜଗନ୍ନାଥ ପାଣି ସାହିତ୍ୟର ପ୍ରଚାର ଓ ପ୍ରସାର

କବି ଜଗନ୍ନାଥ ପାଣିଙ୍କର ମୃତ୍ୟୁର କିଛିକାଳ ପରେ ନଳାଙ୍ଗସ୍ଥ ଯାତ୍ରାପାର୍ଟିର ବିଲୋପ ଘଟିଥିଲା ଏବଂ ତାଙ୍କରି ରଚିତ ଗୀତିନାଟ୍ୟ, କାବ୍ୟ, ପାଲା, ସୁଆଙ୍ଗ, ଫାର୍ସ ଆଦି ପରିବେଷଣ ପୂରାପୁରି ବନ୍ଦ ହୋଇଯାଇଥିଲା । ମାତ୍ର ତାଙ୍କର ପୌତ୍ର ଶ୍ରୀଯୁକ୍ତ ବ୍ରଜ ସୁନ୍ଦର ପାଣିଙ୍କ ସହାୟତାରେ ନଳାଙ୍ଗ ଓ ଆଖପାଖ ଅଞ୍ଚଳରେ ଗଚ୍ଛିତ ରହିଥିବା କଳାକାରମାନଙ୍କଠାରୁ କବିଙ୍କ ରଚିତ ପାଣ୍ଡୁଲିପି ଗୁଡ଼ିକ ସଂଗୃହୀତ ହୋଇ ରାଜ୍ୟ ସରକାରଙ୍କର ସଂସ୍କୃତି ବିଭାଗର ସଂଗ୍ରହାଳୟରେ ଗଚ୍ଛିତ ହୋଇଥିଲା । ଶେଷରେ ୧୯୮୩ ମସିହାରେ ସରକାରୀ ସ୍ତରରେ ଏହାର ମୁଦ୍ରଣ ଭାର ଗ୍ରହଣ କରାଯାଇ ଗ୍ରନ୍ଥାବଳୀ ଆକାରରେ ପ୍ରକାଶିତ ହୋଇଥିଲା । କବିଙ୍କ ରଚିତ ଲେଖାଗୁଡ଼ିକ ମଧ୍ୟରୁ ନିମ୍ନଲିଖିତ ପାଣ୍ଠୁଲିପିଗୁଡ଼ିକ ନିମ୍ନମତେ ପ୍ରକାଶିତ ହୋଇଅଛି ।

 

୦୧.୧୯୨୯

-

କବି ଜଗନ୍ନାଥ ପାଣିଙ୍କର ପୌତ୍ର ୰ଉଦୟନାଥ ପାଣିଙ୍କ ଦ୍ଵାରା ଯାଜପୁର ବିରଜା ପ୍ରେସ୍‌ରୁ କବିଙ୍କ ରଚିତ ‘‘କାମ କାଠୁରିଆ ପାଲା” ପ୍ରକାଶ ପାଇଥିଲା-।

୦୨.୧୯୩୩

-

୰କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ଵାରା ଭଦ୍ରକର ‘ଗୋପୀନାଥ ପ୍ରେସ୍‌’ରୁ କବିଙ୍କ ରଚିତ ‘‘ଚୌପଦୀ ରତ୍ନାବଳୀ” ପ୍ରକାଶ ପାଇଥିଲା ।

୦୩.୧୯୭୮

-

ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ପଣ୍ଡିତ ନୀଳମଣି ମିଶ୍ରଙ୍କ ଦ୍ଵାରା ସମ୍ପାଦିତ ‘‘ଦକ୍ଷଯଜ୍ଞ” ଗୀତାଭିନୟ ପ୍ରକାଶ ପାଇଥିଲା ।

୦୪.୧୯୮୨

-

ପଣ୍ଡିତ ନୀଳମଣି ମିଶ୍ରଙ୍କ ଲିଖିତ ଓ କଟକ ଅରବିନ୍ଦ ପ୍ରିଣ୍ଟିଙ୍ଗ୍‌ ପ୍ରେସ୍‌ରୁ ‘‘କବି ଜଗନ୍ନାଥ ପାଣି” ପୁସ୍ତକ ପ୍ରକାଶ ପାଇଥିଲା ।

୦୫. ୧୯୮୩

-

ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ଶ୍ରୀମତୀ ପ୍ରମିଳା ମିଶ୍ରଙ୍କ ଦ୍ଵାରା ସଂପାଦିତ ‘‘ଜଗନ୍ନାଥ ପାଣି ଗ୍ରନ୍ଥାବଳୀ’’ ୧ମ ଖଣ୍ତ କବିଙ୍କର ୧୪୮ତମ ଜୟନ୍ତୀ ଦିବସ ମହାବିଷୁବ ସଂକ୍ରାନ୍ତି ଦିନ ପ୍ରକାଶ ପାଇଥିଲା । ଏଥିରେ କବିଙ୍କ ରଚିତ ୧୭ଟି ଗୀତାଭିନୟ ଓ ଯାତ୍ରା ପାଇଁ ଉଦ୍ଦିଷ୍ଟ ୪ଟି ଚୁକ୍ତିପତ୍ର ପ୍ରକାଶ ପାଇଛି ।

 

ସେଗୁଡ଼ିକ ହେଲା - ୧. ଉଷାବତୀ ହରଣ, ୨. ସୀତା ବନବାସ, ୩. ମାନଭଞ୍ଜନ, ୪. ମହୀରାବଣ ବଧ, ୫. ରୁକ୍ମିଣୀ ପରିଣୟ, ୬. ଦକ୍ଷ ଯଜ୍ଞ, ୭. ଲକ୍ଷ୍ମଣ ଶକ୍ତିଭେଦ, ୮.ଭୂତକେଳି, ୯. ସୁଭଦ୍ରା ପରିଣୟ, ୧୦. ହାରାବତୀ ହରଣ, ୧୧. ପାରିଜାତ ହରଣ, ୧୨. ମୀରା ଚରିତ, ୧୩. କପଟପାଶା, ୧୪. ଧ୍ରୁବ ଚରିତ, ୧୫. ବିଲଙ୍କା ଚରିତ, ୧୬. ପ୍ରହ୍ଲାଦ ଚରିତ, ୧୭. ବବୃବାହନ ଯୁଦ୍ଧ ଓ ପରିଶିଷ୍ଟରେ ନଳାଙ୍ଗ ଯାତ୍ରାପାର୍ଟି ପାଇଁ ବ୍ୟବହୃତ ୪ଟି ଚୁକ୍ତିପତ୍ର ପ୍ରକାଶ ପାଇଛି ।

 

୦୬.୧୯୮୪

-

କବିଙ୍କ ରଚିତ ଓ ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ନାୟକଙ୍କ ଦ୍ଵାରା ସଂପାଦିତ ନବରାଗ ପ୍ରକାଶନୀ ତରଫରୁ ପ୍ରକାଶିତ ‘‘ଉଷାବତୀ ହରଣ” ପ୍ରକାଶିତ ହୋଇଛି ।

୦୭.୧୯୮୬

-

ଜଗନ୍ନାଥ ପାଣି ଗ୍ରନ୍ଥାବଳୀ - ୨ୟ ଖଣ୍ଡ ରାଜ୍ୟ ସଂସ୍କୃତି ବିଭାଗ ଦ୍ଵାରା ପ୍ରକାଶିତ ଓ ଶ୍ରୀମତୀ ପ୍ରମିଳା ମିଶ୍ରଙ୍କ ଦ୍ଵାରା ସଂପାଦିତ । ଏଥିରେ ୧୯ଟି କାବ୍ୟ କବିତା ସମେତ ପରିଶିଷ୍ଟରେ କେତୋଟି ବନ୍ଧ ଚିତ୍ର ପ୍ରକାଶିତ ହୋଇଛି । ସେଗୁଡ଼ିକ ହେଲା ୧. ଚୌପଦୀ ରତ୍ନାବଳୀ, ୨. ଶ୍ରୀଗୁଣ୍ଡିଚା ବିଜେ, ୩. ପ୍ରମୋଦ ଚନ୍ଦ୍ରମଣି, ୪. ଯଶୋଦା କୋଇଲି , ୫. ଗୋପଲୀଳା, ୬. କାମ କାଠୁରିଆ ପାଲା, ୭. ବ୍ରଜ ମନୋହର, ୮. ନାରଦ ଗୀତା, ୯. ପାଟୁଆ ଗୀତ, ୧୦. ଘଟ ଜନ୍ମ, ୧୧. ଲକ୍ଷ୍ମୀ ନାରାୟଣ କଳି, ୧୨. ରାବଣର ଶୋକ, ୧୩. ଜଣାଣ, ୧୪. ପ୍ରସ୍ତାବ ସିନ୍ଧୁ, ୧୫. ଚଣ୍ଡିଯୁଦ୍ଧ, ୧୬. ଫୁଲ ମାଳିକା, ୧୭. ରାଶି ଯୋଗକରଣ, ବାର ନକ୍ଷତ୍ରର ଲକ୍ଷଣ, ୧୮. ନିରଷ୍ଟକ ଅବନା, ୧୯. ଦର୍ଶନେଶ୍ଵର ମହାଦେବ ଉମାଙ୍କ ପ୍ରତି ଜଣାଣ । ପରିଶିଷ୍ଟରେ କବିଙ୍କ ରଚିତ ପ୍ରମୋଦ ଚନ୍ଦ୍ରମଣି ଅନ୍ତର୍ଗତ ବନ୍ଧ ସମୂହର ଚିହ୍ନ ଯଥା- ରାଧାଚକ୍ର ଲାଖବନ୍ଧ, ଚକ୍ରବ୍ୟୁହ ବନ୍ଧ, ମହାପଦ୍ମ ସୁଞ୍ଚିବ୍ୟୁହ ବନ୍ଧ, ମହାରଥ ବନ୍ଧ, ତକ୍ଷକ ନାଗପାଶ ବନ୍ଧ, ଶର ବନ୍ଧ, ଗଦା ବନ୍ଧ, ବାଣାସନ ବନ୍ଧ ଆଦି ପ୍ରକାଶିତ ହୋଇଛି ।

୦୮.୧୯୮୬

-

ଜଗନ୍ନାଥ ପାଣି ସ୍ମରଣୀକା -୧ମ ଖଣ୍ଡ, ଜଗନ୍ନାଥ ପାଣି ସ୍ମୃତି ସଂସଦ, ଭୁବନେଶ୍ଵର ତରଫରୁ ପ୍ରକାଶିତ ।

 

 

ସଂପାଦିତ : ଶ୍ରୀଯୁକ୍ତ ମହାପାତ୍ର ନୀଳମଣି ସାହୁ, ପଣ୍ଡିତ ନୀଳମଣି ମିଶ୍ର , ଡଃ. ଉପେନ୍ଦ୍ର ପ୍ରସାଦ ନାୟକ , ଶ୍ରୀ ବିନୋଦ ବିହାରୀ ପଲାଇ

୦୯.୧୯୮୭

-

ଜଗନ୍ନାଥ ପାଣି ସ୍ମରଣୀକା - ୨ୟ ଖଣ୍ଡ ଭୁବନେଶ୍ଵରସ୍ଥ ଜଗନ୍ନାଥ ପାଣି ସ୍ମୃତି ସଂସଦ ଦ୍ଵାରା ପ୍ରକାଶିତ - ପୂର୍ବ ସମ୍ପାଦନମଣ୍ଡଳୀ ଦ୍ଵାରା ସମ୍ପାଦିତ ।

୧୦.୧୯୮୭

-

ଡ. ଉପେନ୍ଦ୍ର ପ୍ରସାଦ ନାୟକଙ୍କ ଦ୍ଵାରା ଲିଖିତ ଶତଦ୍ରୁ ପ୍ରକାଶନୀ ଦ୍ଵାରା ପ୍ରକାଶିତ କବିଙ୍କ ରଚିତ ‘ହାରାବତୀ ହରଣ’ ।

୧୧.୧୯୮୮

-

ଜଗନ୍ନାଥ ପାଣି ସ୍ମୃତି ସଂସଦ ଆନୁକୂଲ୍ୟରେ ଜଗନ୍ନାଥ ପାଣି ସ୍ମରଣୀକା -୩ୟ ଖଣ୍ଡ ।

୧୨.୧୯୮୯

-

ଜଗନ୍ନାଥ ପାଣି ସ୍ମୃତି ସଂସଦ ଆନୁକୂଲ୍ୟରେ ଜଗନ୍ନାଥ ପାଣି ସ୍ମରଣିକା ପ୍ରକାଶିତ ୪ର୍ଥ ଖଣ୍ଡ ।

୧୩.୧୯୯୦

-

ଜଗନ୍ନାଥ ପାଣି ସ୍ମୃତି ସଂସଦ ଆନୁକୂଲ୍ୟରେ ଜଗନ୍ନାଥ ପାଣି ସ୍ମରଣୀକା - ୫ମ ଖଣ୍ଡ ପ୍ରକାଶିତ ।

୧୪.୧୯୯୧

-

ଜଗନ୍ନାଥ ପାଣି ସ୍ମୃତି ସଂସଦ ଆନୁକୂଲ୍ୟରେ ଜଗନ୍ନାଥ ପାଣି ସ୍ମରଣୀକା ୬ଷ୍ଠ ଖଣ୍ଡ ପ୍ରକାଶିତ ।

୧୫.୧୯୯୨

-

ଜଗନ୍ନାଥ ପାଣି ସ୍ମୃତି ସଂସଦ ଆନୁକୂଲ୍ୟରେ ଜଗନ୍ନାଥ ପାଣି ସ୍ମରଣୀକା ୭ମ ଖଣ୍ଡ ପ୍ରକାଶିତ ।

୧୬.୧୯୯୩

-

ଜଗନ୍ନାଥ ପାଣି ଗ୍ରନ୍ଥାବଳୀ - ୩ୟ ଖଣ୍ଡ । ପ୍ରକାଶକ ରାଜ୍ୟ ସଂସ୍କୃତି ବିଭାଗ, ସଂପାଦିକା : ଶ୍ରୀମତୀ ପ୍ରମିଳା ମିଶ୍ର । ଏଥିରେ କବିଙ୍କ ରଚିତ ୪ଟି ପାଲା ଯଥା- ଶ୍ଵେତ ବସନ୍ତ ପାଲା, ୨. ଉଗ୍ରତରା ପାଲା, ୩. ବିଦ୍ୟାଧର ପାଲା, ୪. ମନୋହର ଫାଶିଆରା ପାଲା ଓ ମହାଭାରତର ୧. ଆଦ୍ୟପର୍ବ, ୨. ପଶାପର୍ବ, ୩. କର୍ଣ୍ଣ ପର୍ବ, ୪. ଶଲ୍ୟ ପର୍ବ, ୫. ଗଦା ପର୍ବ, ୬. କାଇଁଶିକା ପର୍ବ, ୭. ଛତ୍ର ପର୍ବ, ୮. ତୀର୍ଥ ପର୍ବ, ୯. ଅଶ୍ୱମେଧ ପର୍ବ, ୧୦. ମୂଷଳୀ ପର୍ବ, ୧୧. ସ୍ୱର୍ଗାରୋହଣ ପର୍ବ ସହିତ କେଳା କେଳୁଣୀ ପ୍ରହସନ ପ୍ରକାଶିତ ହୋଇଛି ।

୧୭.୧୯୯୩

-

ଜଗନ୍ନାଥ ପାଣି ସ୍ମୃତି ସଂସଦ ଆନୁକୂଲ୍ୟରେ ଜଗନ୍ନାଥ ପାଣି ସ୍ମରଣୀକା -୮ମ ଖଣ୍ଡ ପ୍ରକାଶିତ ।

୧୮.୧୯୯୪

-

ଜଗନ୍ନାଥ ପାଣି ସ୍ମୃତି ସଂସଦ ଆନୁକୂଲ୍ୟରେ ଜଗନ୍ନାଥ ପାଣି ସ୍ମରଣୀକା - ୯ମ ଖଣ୍ଡ ପ୍ରକାଶିତ ।

୧୯.୧୯୯୫

-

ଜଗନ୍ନାଥ ପାଣି ସ୍ମୃତି ସଂସଦ ଆନୁକୂଲ୍ୟରେ ଜଗନ୍ନାଥ ପାଣି ସ୍ମରଣୀକା - ୧୦ମ ଖଣ୍ଡ ପ୍ରକାଶିତ ।

୨୦.୧୯୮୯

-

ଜଗନ୍ନାଥ ପାଣି ପରିକ୍ରମା - ୧ମ ଖଣ୍ଡ ଜଗନ୍ନାଥ ପାଣି ସ୍ମୃତି ସଂସଦ ଦ୍ଵାରା ପ୍ରକାଶିତ ଓ ଡଃ ଉପେନ୍ଦ୍ର ପ୍ରସାଦ ନାୟକଙ୍କ ଦ୍ଵାରା ସଂପାଦିତ ପ୍ରକାଶ ପାଇଛି ।

୨୧.୧୯୯୨

-

ଜଗନ୍ନାଥ ପାଣି ପରିକ୍ରମା - ୨ୟ ଖଣ୍ଡ ପ୍ରକାଶିତ ।

୨୨.୧୯୯୫

-

ଜଗନ୍ନାଥ ପାଣି ପରିକ୍ରମା -୩ୟ ଖଣ୍ଡ ପ୍ରକାଶିତ

୨୩.୧୯୯୯

-

ଡଃ. ଉପେନ୍ଦ୍ର ପ୍ରସାଦ ନାୟକଙ୍କ ଦ୍ଵାରା ଲିଖିତ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ପ୍ରକାଶିତ ମା’ ତାରିଣୀ ପ୍ରେସ୍‌ ପ୍ରିଣ୍ଟର୍ସ, ଶହୀଦ ନଗର, ଭୁବନେଶ୍ଵର ଦ୍ଵାରା ମୁଦ୍ରିତ ମନୋଗ୍ରାଫ୍‌ ‘‘ଲୋକକବି ଜଗନ୍ନାଥ ପାଣି” ପ୍ରକାଶିତ ।

୨୪.୧୯୮୭

-

ଜଗନ୍ନାଥ ପାଣିଙ୍କ ରଚିତ ଡ. ଉପେନ୍ଦ୍ର ପ୍ରସାଦ ନାୟକ ନାଟ୍ୟରୂପାନ୍ତର ‘‘ହାରାବତୀ ହରଣ” ଶତଦ୍ରୁ ପ୍ରକାଶନୀ ଦ୍ଵାରା ପ୍ରକାଶିତ ।

୨୫.୧୯୮୯

-

‘‘ମହୀରାବଣ ବଧ” ଡ.ଉପେନ୍ଦ୍ର ନାୟକଙ୍କ ନାଟ୍ୟ ରୂପାନ୍ତରିତ ହୋଇ ଜଗନ୍ନାଥ ପାଣି ସ୍ମୃତି ସଂସଦ, ଭୁବନେଶ୍ଵର ଦ୍ଵାରା ପ୍ରକାଶିତ ହୋଇଅଛି ।

୨୬.୧୯୯୮

-

‘‘ସୀତା ବନବାସ” ଡଃ. ଉପେନ୍ଦ୍ର ପ୍ରସାଦ ନାୟକଙ୍କ ଦ୍ଵାରା ନାଟ୍ୟ ରୂପ ଓ ସମୀକ୍ଷା ଜଗନ୍ନାଥ ପାଣି ସ୍ମୃତି ସଂସଦ ଦ୍ଵାରା ପ୍ରକାଶିତ ।

୨୬.୨୦୧୨

-

‘‘ସମୀକ୍ଷାରେ ଲୋକକବି’’ ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ସ୍ଵାଇଁଙ୍କ ଦ୍ଵାରା ସମ୍ପାଦିତ

 

 

ମୁଦ୍ରଣ : ଶୁଭଲକ୍ଷ୍ମୀ ପ୍ରେସ୍‌, ବାଇପାସ, ଭଦ୍ରକ

ପ୍ରକାଶକ : ବ୍ରଜ ସୁନ୍ଦର ପାଣି, ନଳାଙ୍ଗ, ଭଦ୍ରକ

 

ଏ ଭିତରେ ସରକାରଙ୍କ ଠାରେ ଗଚ୍ଛିତ ସମସ୍ତ ୩ ଖଣ୍ଡ ଗ୍ରନ୍ଥାବଳୀର ବିକ୍ରି ଶେଷ ହୋଇଥିବାରୁ ରାଜ୍ୟ ସରକାର ସଂସ୍କୃତି ବିଭାଗ ତରଫରୁ ଏହାର ୨ୟ ସଂସ୍କରଣ ପ୍ରକାଶ କରିବା ଉଦ୍ୟମ ଆରମ୍ଭ ହୋଇଛି । ଏହା ଅତ୍ୟନ୍ତ ପ୍ରଶଂସନୀୟ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ମୁଖପତ୍ର କୋଣାର୍କର ଏକ ସ୍ଵତନ୍ତ୍ର ସଂଖ୍ୟା ଜଗନ୍ନାଥ ପାଣିଙ୍କ ଉପରେ ପ୍ରକାଶ ପାଉଥିବା ଅତି ଆନନ୍ଦର କଥା-। ଏହା ଓଡ଼ିଆ ପାଠକ ମହଲରେ ନିଶ୍ଚିତ ଭାବେ ପ୍ରଭାବ ପକାଇବ ବୋଲି ଆଶା ଓ ବିଶ୍ଵାସ-।

 

ରାଜ୍ୟ ସରକାରଙ୍କ ସଂଗ୍ରହାଳୟ ଜଗନ୍ନାଥ ପାଣିଙ୍କର ଲିଖିତ ଯେଉଁ ସବୁ ପାଣ୍ଡୁଲିପି ଅପ୍ରାପ୍ତ ଅବସ୍ଥାରେ ରହିଛି ତାକୁ ସଂଗ୍ରହ କରି ପ୍ରକାଶ କରିବାକୁ ଉଦ୍ୟମ ଅବ୍ୟାହତ ରଖିବା ବାଞ୍ଛନୀୟ ।

 

ଜଗନ୍ନାଥ ପାଣିଙ୍କ ସାହିତ୍ୟ କୃତି ଉପରେ ଗବେଷଣା କରି ଡକ୍ଟର ଉପେନ୍ଦ୍ର ପ୍ରସାଦ ନାୟକ ଉତ୍କଳ ବିଶ୍ଵବିଦ୍ୟାଳୟରୁ ପିଏଚ୍‌.ଡି ଡିଗ୍ରୀ ହାସଲ କରିଛନ୍ତି । ଏହା ଏକ ଅଭିନନ୍ଦନୀୟ ପଦକ୍ଷେପ । ସେହି ସନ୍ଦର୍ଭ ଖୁବ୍‌ ଶୀଘ୍ର ପ୍ରକାଶ ପାଇବା ଆଶା କରାଯାଏ । ବିଳମ୍ବରେ ହେଲେ ମଧ୍ୟ ଜଗନ୍ନାଥ ପାଣିଙ୍କର ସାହିତ୍ୟର ପ୍ରଚାର ଓ ପ୍ରସାର କାର୍ଯ୍ୟ ଯଥାସମ୍ଭବ ସଫଳତା ସମସ୍ତ ଓଡ଼ିଆ ସାହିତ୍ୟ ପ୍ରେମୀଙ୍କୁ ଉତ୍ସାହିତ କରୁଛି । ଏହା ହେଲା ଲୋକକବି ଜଗନ୍ନାଥ ପାଣି ସାହିତ୍ୟର ପ୍ରଚାର ଓ ପ୍ରସାରରେ ଅଦ୍ୟାବଧି ନିଆଯାଇଥିବା କାର୍ଯ୍ୟକ୍ରମ । ଏହା ବିଶେଷ ସଫଳତା ନହେଲେ ବି ନିଶ୍ଚିତ ଭାବେ ଆଶାଜନକ ସଫଳତା ଲାଭ କରିଅଛି । ଓଡ଼ିଆ ପାଠକମାନଙ୍କୁ ଏହା ବହୁ ପରିମାଣରେ ସହାୟକ ହୋଇପାରିବ, ଏ ବିଶ୍ଵାସ ଆମର ରହିଛି ।

 

 

‘‘ଜାହ୍ନବୀ”

ସି- ୨୩, ବକ୍ସି ଜଗବନ୍ଧୁ ନଗର,

ଭୁବନେଶ୍ଵର

***

 

ଜଗନ୍ନାଥ ପାଣିଙ୍କ ସୃଷ୍ଟି ଚେତନା

ବିନୋଦ ବିହାରୀ ପଲାଇ

 

ସାହିତ୍ୟର ସ୍ଥିତି, ଗତି ଓ ପ୍ରକୃତି ସମ୍ବନ୍ଧରେ ବିବିଧ ମତ ପ୍ରକାଶ ପାଇ ଆସୁଛି ବହୁକାଳରୁ-। କାଳ ନିର୍ଣ୍ଣୟ ଅପରିବର୍ତ୍ତନୀୟ ନୁହେଁ ବୋଲି ମଧ୍ୟ ସ୍ପଷ୍ଟ ହୋଇସାରିଛି । ତେବେ ମାନବିକ ମାନସର ଚେତନଶୀଳ ଦୃଷ୍ଟିରେ ସଭ୍ୟତା, ସଂସ୍କୃତିର ସ୍ପନ୍ଦନ ଯେଉଁ ସମୟରୁ ମାନବ ଉପଲବ୍ଧି କଲା ସେହି ସମୟଠାରୁ ସାହିତ୍ୟ ଓ ତତ୍‌ ସମ୍ୱନ୍ଧୀୟ ବିଚାରର ଉଦ୍‌ଭବ ହୋଇଛି ।

 

ସମଗ୍ର ମାନବୀୟ ବିଶ୍ଵର ମାନବିକ ମାନସର ପ୍ରକାଶ ଭାଷା ମାଧ୍ୟମରେ ଯେପରି ଭାବେ ଏ ପର୍ଯ୍ୟନ୍ତ ହୋଇଆସିଛି ତାହାର ମଧ୍ୟ ଅପରିବର୍ତ୍ତନୀୟ ସ୍ଥିରୀକରଣ ହୋଇପାରି ନାହିଁ । ଏକ ସ୍ଥିତିଗତ ଅତୀତର ଧାରାର ଅବଧାରଣ ସମ୍ଭବ ହୋଇନାହିଁ ଏ ପର୍ଯ୍ୟନ୍ତ । ପର୍ଯ୍ୟାୟକ୍ରମେ ଚେତନାର ଜାଗରଣ ମାନବଠାରେ ଯେପରି ହୋଇଛି ତାହାର ନିରୂପଣ ମଧ୍ୟ ଏ ପର୍ଯ୍ୟନ୍ତ ନିର୍ବିବାଦୀୟ ନୁହେଁ । ଏହାର କାରଣ ସୃଷ୍ଟିର ପ୍ରକାଶ ପଥ ଓ ତନ୍ନିହିତ ପାଥେୟ ଅକଳନୀୟ ଓ ଅଭେଦ୍ୟ ମାତ୍ର କ୍ରମରେ ଅବିଚ୍ଛେଦ୍ୟ । ଜୀବନର ସଂଚାର ଧାରାରେ ଅଜେୟ କାଳର ଗତି ଓ ରୀତିକୁ ଏ ପର୍ଯ୍ୟନ୍ତ ଯେଉଁ ଭାବରେ ତର୍ଜମା କରାଯାଇଛି ତାହା ହେଉଛି ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ । ଭବିଷ୍ୟତ ବର୍ତ୍ତମାନରେ ପରିଣତ ହୋଇ ଅତୀତରେ ମିଶି ଯାଇଛି । ଜୀବନର ଅନନ୍ତ ଅଭିବ୍ୟକ୍ତିରେ ମାନବର ମାନବିକ ଅବଧାରଣ ଉକ୍ତ ତିନୋଟି ପର୍ଯ୍ୟାୟକୁ ଯଦି ଗୋଟିଏ କେନ୍ଦ୍ରରେ ଅବଧାରିତ ବୋଲି ଉପଲବ୍ଧି କରି ସ୍ଵୟଂ ସତ୍ତାର ଜାଗୃତି ବିଷୟରେ ଜ୍ଞାନ ଲାଭ କରିବା ପାଇଁ ଆତ୍ମମଗ୍ନ ହୁଏ ଏବଂ ତହିଁରେ ଅବିଚଳ ରହେ ତେବେ ସ୍ଵୀୟ ଅଭିଜ୍ଞାନରେ ଉପଲବ୍‌ଧି କରିବ କାର୍ଯ୍ୟ ଓ କାରଣ ସୂତ୍ରରେ ପ୍ରତିଟି ପ୍ରକାଶର ଆବିର୍ଭାବ ଓ ଅବସାନ, ମାତ୍ର ସୂତ୍ରଟି ସୃଷ୍ଟିର ଅନ୍ତର୍ନିହିତ ଧାରା ଭାବରେ ଅପ୍ରତିହତ-। ଦୃଶ୍ୟମାନ ସକଳ ଅଦୃଶ୍ୟରେ ଲୀନ ହେଉଛି ଏବଂ ତହିଁରୁ ଆବିର୍ଭୂତ ହେଉଛି ନୂତନ । ଏହା ହେଉଛି ପ୍ରକୃତିର କ୍ରିୟାଶୀଳ ଓ ସୃଜନଶୀଳ ସ୍ଥିତି ଓ ଗତି । ତହିଁରେ ଧର୍ମ, ଦର୍ଶନ ଓ ବିଜ୍ଞାନ ଏକତ୍ର ବିଦ୍ୟମାନ । ଏ ସବୁକୁ ଆଧାର କରି ଧର୍ମଗ୍ରନ୍ଥ, ବିଜ୍ଞାନଗ୍ରନ୍ଥ ଓ ଦର୍ଶନ ଗ୍ରନ୍ଥ ରଚନା କରାଯାଇଛି । ସାହିତ୍ୟ ଏ ସବୁକୁ ଭିତ୍ତି ଓ ଆଦର୍ଶଭାବେ ଗ୍ରହଣ କରିଆସିଛି ଜୀବନକୁ ଉପଲବ୍‌ଧି କରିବା ପାଇଁ । ଏହି ଉପଲବ୍ଧି ହିଁ ଜଗତରେ ହିତ ସାଧନ ପାଇଁ ଅଭିବ୍ୟକ୍ତ ହୋଇଛି ।

 

ତେଣୁ ହିତସାଧନ ପୂର୍ବକ ସଖ୍ୟ ଭାବରେ ଯାହା ଜୀବନ ସହିତ ଗତି କରେ ତାହାହିଁ ସାହିତ୍ୟ ସମ୍ୱନ୍ଧୀୟ ସତ୍ୟ । ସତ୍ୟ ହିଁ ସାହିତ୍ୟ ରଚନା ପାଇଁ ସାଧନାର ଲକ୍ଷ୍ୟ ।

 

ବିଶ୍ଵର ବିଭିନ୍ନ ଭାଷାରେ ସୃଷ୍ଟ ସାହିତ୍ୟକୁ କେହି ସମଗ୍ର ଭାବେ ଉପସ୍ଥାପନ କରିପାରି ନାହିଁ । ତେବେ ଯେଉଁ ସାହିତ୍ୟିକ ନିଜ ମାତୃଭାଷା ଓ ଅନ୍ୟାନ୍ୟ ଭାଷାରେ ସାହିତ୍ୟ ରଚନା କରିଛନ୍ତି ସେ ରଚନା ଯଦି ସାହିତ୍ୟିକଙ୍କର ନିଷ୍ଠା ଓ ସାଧନାରୁ ଉଦ୍‌ଗତ ହୋଇଥାଏ, ତାହେଲେ ତାହା ନିଶ୍ଚିତ ଭାବେ ବହୁକାଳ ପ୍ରଭାବଶାଳୀ ହୋଇ ରହେ ।

 

ଜୀବନବୋଧରେ ସତ୍ୟ ଓ ସୃଷ୍ଟିର ପ୍ରତ୍ୟକ୍ଷ ଓ ପରୋକ୍ଷ ନିର୍ଦ୍ଦେଶ ଓ ନିୟନ୍ତ୍ରଣକୁ ଉପଲବ୍‌ଧି କରିବା ପାଇଁ ସାଧନା ପ୍ରୟୋଜନ । ସେହି ସାଧନାରୁ ସୃଜନଶୀଳ ଚେତନାର ଉନ୍ମେଷ ଓ ଉନ୍ମୀଳନ ହୁଏ । ସେହି ସାଧନା ହେଉଛି ଯଥାର୍ଥ ସାହିତ୍ୟର ଭିତ୍ତି ଓ ସଂଚାରର ନିୟନ୍ତ୍ରକ । ବିଶ୍ଵର ଯେତେ ସାର୍ଥକ ସାହିତ୍ୟ ସୃଷ୍ଟି ହୋଇଛି ତାହାର ସ୍ରଷ୍ଟା ସାହିତ୍ୟିକ ସାଧକ- ସେମାନେ ସତ୍ୟ-ସନ୍ଧାନର ପଥ ଓ ପାଥେୟ ନିର୍ଣ୍ଣୟ କରିଛନ୍ତି । ଜୀବ-ଜୀଗତରେ ମାନବିକତାର ବୈଶିଷ୍ଟ୍ୟ ଓ ମହତ୍ତ୍ଵ ପ୍ରତିପାଦନ ପୂର୍ବକ ମାନବକୁ ସର୍ବଶ୍ରେଷ୍ଠ ଜୀବ ବୋଲି ଅଭିହିତ କରାଯାଇଛି । ମାନବିକ ସ୍ଥିତି ଓ ଗତିରେ ମାନବର ସାଧନାପ୍ରସୂତ ଧର୍ମ-ଚେତନା, ଦର୍ଶନ ଓ ବିଜ୍ଞାନ ଏକ ସମନ୍ଵିତ ଧାରାରେ ଗତି କରନ୍ତି । ପ୍ରକୃତି ଏହାକୁ ସୀମିତ କରିନାହିଁ । ଏ ସମସ୍ତ ଉପାଦାନ ସର୍ବତ୍ର ସଂଚାରଶୀଳ ଏବଂ ଚେତନଶୀଳ ମାନବର ଚେତନା ସହିତ ସଂପୃକ୍ତ । ପ୍ରକୃତିର ପ୍ରକରଣରେ ଅନୁଭୂତ ପରିବର୍ତ୍ତନକୁ ମାନବ ସ୍ଵୀୟ ଅବଧାରଣ ଶକ୍ତିର ସାମର୍ଥ୍ୟ ଅନୁଯାୟୀ ବିଶ୍ଳେଷଣ ଓ ବିନ୍ୟାସ କରୁଛି । ସାହିତ୍ୟ ରଚନା କରୁଥିବା ସାଧକ ଏପରି ପରିସ୍ଥିତିରେ ସତ୍ୟ ସନ୍ଧାନ ସୂତ୍ରରେ ପରିବର୍ତ୍ତନକୁ ସ୍ଵାଭାବିକ ଭାବେ ସ୍ଵୀକାର କରୁଛି । ଏହି ମୌଳିକ ବିଚାରର ଧାରାରେ ବିଶ୍ଵର ସମଗ୍ର ସାହିତ୍ୟର ସୃଜନାତ୍ମକ ସ୍ଥିତି ଏ ପର୍ଯ୍ୟନ୍ତ କୌଣସି ପର୍ଯ୍ୟବେକ୍ଷଣରେ ସମ୍ଭବ ହୋଇନାହିଁ ।

 

ଭାରତୀୟ ସାହିତ୍ୟ ବିଷୟରେ ସର୍ବେକ୍ଷଣ ନିମନ୍ତେ ସଚେତନତାର ଦୃଷ୍ଟିକୁ ସଂପ୍ରସାରିତ କରିବାକୁ ହେବ । ଏଥିରେ ମତାନ୍ତର ନାହିଁ । ସମଗ୍ର ବିଶ୍ଵର ମାନବୀୟ ସ୍ଥିତି ଓ ଗତିରେ ଯେପରି ଅପରିମେୟ ବୈଚିତ୍ର୍ୟ ରହିଛି, ସେହିପରି ପ୍ରତ୍ୟେକ ଦେଶର ବିଭିନ୍ନ ଭାଷାରେ ରଚିତ ସାହିତ୍ୟରେ ମଧ୍ୟ ସଂସ୍କୃତି ଓ ସଭ୍ୟତାର ଚିତ୍ର ରହିଛି ଏବଂ ସବୁର କ୍ରମଶଃ ପରିବର୍ତ୍ତନ ଘଟୁଛି । ଓଡ଼ିଆ ସାହିତ୍ୟର ମୌଳିକ ତତ୍ତ୍ଵରେ ଓଡ଼ିଶାର ସଂସ୍କୃତି ଓ ସଭ୍ୟତା ସାଧାରଣ ସତ୍ୟରୁ ଭିନ୍ନ ନୁହେଁ । ଓଡ଼ିଆ ସାହିତ୍ୟପରିସରରେ କାବ୍ୟ, କବିତା ଓ ଗଦ୍ୟ ପ୍ରତି ଦୃଷ୍ଟିଦେଲେ ଅନାଚ୍ଛନ୍ନ ଦୃଷ୍ଟିରେ ଯାହା ଦିଶିବ ତହିଁରୁ ଉପଲବ୍‍ଧି ହେବ ଯେ ପୁରାଣର ଭିତ୍ତି ସଂସ୍କୃତ ସାହିତ୍ୟ ଏବଂ କାବ୍ୟର ଭିତ୍ତି ପୁରାଣ ଓ ସଂସ୍କୃତ ସାହିତ୍ୟ । କାବ୍ୟ ରଚନାର ସମୟକୁ ମୁଖ୍ୟତଃ ରୀତିଯୁଗ ବୋଲି ଅଭିହିତ କରାଯାଇଛି-। ରୀତି ଯୁଗର କାବ୍ୟଧାରା କ୍ରମଶଃ ମ୍ଳାନ ହୋଇ ଆସିବା ପରେ ଆଧୁନିକ କବିତାର ପ୍ରାବଲ୍ୟ ଉପଲବ୍‌ଧି ହୋଇଛି । ଅବଶ୍ୟ ଓଡ଼ିଆ ଆଧୁନିକ ସାହିତ୍ୟର ପ୍ରାରମ୍ଭିକ କାଳରେ ମଧ୍ୟ ଓଡ଼ିଆ କାବ୍ୟ ରଚନା ପୁରାଣ, ଇତିହାସ ଓ ଲୋକ କଥାକୁ ଭିତ୍ତିକରି ରଚିତ ହୋଇଛି । ସେ ରଚନା କେତେକ ଏପରି ପ୍ରତିଭାର ପରିଚାୟକ ଯେ ତାହା ସ୍ଵୀୟ ସ୍ଵାତନ୍ତ୍ର୍ୟରେ ଏ ପର୍ଯ୍ୟନ୍ତ ନିଷ୍ପ୍ରଭ ହୋଇନାହିଁ ।

 

ଏହି ପରିପ୍ରେକ୍ଷୀରେ ଊନବିଂଶ ଶତାବ୍ଦୀର କାବ୍ୟକାର ଓ ଲୋକନାଟ୍ୟକାର ଲୋକକବି ଜଗନ୍ନାଥ ପାଣିଙ୍କ ପ୍ରତିଭାକୁ ଆଲୋଚନା କରାଯାଇପାରେ ।

 

ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ୧୮୩୬ ମସିହା ବିଷୁବ ସଂକ୍ରାନ୍ତିରେ ଜଗନ୍ନାଥ ପାଣି ଜନ୍ମ ହୋଇଥିଲେ ଭଦ୍ରକସ୍ଥ ନଳାଙ୍ଗ ଗ୍ରାମରେ । ସ୍ଵୀୟ ସାଧନା ବଳରେ ସେ ଯେଉଁ ସାହିତ୍ୟ ରଚନା କଲେ ତାହା ତାଙ୍କ ପରିବାର, ଗ୍ରାମ ଓ ସେ ଅଞ୍ଚଳକୁ ଖ୍ୟାତିସଂପନ୍ନ କରିଥିଲା । ଜଗନ୍ନାଥ ପାଣି ବାଲ୍ୟକାଳର ପ୍ରଥମରୁ ବିଦ୍ୟାପ୍ରତି ଆକୃଷ୍ଟ ନଥିଲେ; ମାତ୍ର ତାଙ୍କ ଗ୍ରାମ ନଳାଙ୍ଗର ପ୍ରତିଷ୍ଠିତ ଦେବତା ବିଗ୍ରହ ‘‘ନଳେଶ୍ଵର”ଙ୍କ ଆଶୀର୍ବାଦରୁ ବିଦ୍ୟାର୍ଜନ କରି ଜୀବନ କାଳ ମଧ୍ୟରେ ସ୍ଵୀୟ ସୃଜନଶୀଳ ଶକ୍ତିର ପରିଚୟ ପ୍ରତିପାଦନପୂର୍ବକ ପ୍ରତିଷ୍ଠା ଲାଭ କରିଥିଲେ ।

 

ଜଗନ୍ନାଥ ପାଣି ପ୍ରଥମେ କେତୋଟି ଭଜନ ଏବଂ ଚଉପଦୀ ରଚନା କରିଥିଲେ । ତା’ ପରେ ସେ ମହାଭାରତ ରଚନା କରିଥିଲେ ମାତ୍ର ତାହାର ପୂର୍ଣ୍ଣତା ସ୍ପଷ୍ଟ ନୁହେଁ । ଜଗନ୍ନାଥ ପାଣି ଗୀତାଭିନୟ ରଚନା କରିଥିଲେ ‘ଲୀଳା’ ଧାରାରେ । ଏଠାରେ ଉଲ୍ଲେଖନୀୟ ବିଷୟ ହେଉଛି ‘ଲୀଳା’ ରଚନା ମୁଖ୍ୟତଃ ଭକ୍ତିରସାତ୍ମକ ହୋଇଥିବାରୁ ଜନମନ ଆକର୍ଷଣ କରିବାକୁ ସମର୍ଥ ହେଉଥିଲା । ଜଗନ୍ନାଥ ପାଣିଙ୍କ ଗୀତାଭିନୟରେ ରୀତିଯୁଗର କାବ୍ୟଶୈଳୀ ବାରି ହୋଇଯାଏ । ଯଦିଓ ଚରିତ୍ରମାନଙ୍କ ମୁଖରେ ସେ ଗୀତି ସଂଳାପ ସଂଯୋଜନା କରିଛନ୍ତି, ତତ୍କାଳୀନ ଓଡ଼ିଶାର ସାମାଜିକ ଜୀବନ ଯେପରିଭାବେ ପୁରାଣବର୍ଣ୍ଣିତ ଧର୍ମ-ଚେତନା ଓ ସାମାଜିକ ନୈତିକତା ଓ ନୀତି ପ୍ରତି ଗୁରୁତ୍ୱ ଦେଉଥିଲେ ଓ ଭକ୍ତିଭାବରେ ତନ୍ମୟ ରହିଥିଲେ ସେମାନଙ୍କ ମାନସିକତା ଲକ୍ଷ୍ୟରେ ରଖି ସାହିତ୍ୟ ସୃଷ୍ଟି ହେଉଥିଲା । ଜଗନ୍ନାଥ ପାଣିଙ୍କ ରଚନାବଳୀ ବିବିଧ ଧାରାରେ ପ୍ରବାହିତ ଏବଂ କୌଣସି ଧାରାର ପ୍ରବାହ କ୍ଷୀଣ ନୁହେଁ । ସେ ଲେଖିଛନ୍ତି ସତରଟି ଛାନ୍ଦନାଟ୍ୟ, ୪ଟି କାବ୍ୟ କେତୋଟି ଚଉପଦୀ, କୋଇଲି, ଭଜନ, ପାଲା ଓ କବିତା । ଅନୁଭୂତ ହୁଏ ଯେ ତାଙ୍କ କାବ୍ୟ କବିତାର ବିଷୟବସ୍ତୁ ସାରଳା ‘ମହାଭାରତ’, ବଳରାମ ଦାସଙ୍କ ‘ରାମାୟଣ’, ଜଗନ୍ନାଥ ଦାସଙ୍କ ‘ଭାଗବତ’ ଆଦିରୁ ସଂଗୃହୀତ କବିଙ୍କ ରଚିତ ଉଲ୍ଲେଖନୀୟ କାବ୍ୟ ଓ ଛାନ୍ଦନାଟ୍ୟ ତାଙ୍କ ପ୍ରତିଭାର ସମୁଜ୍ୱଳ ଦୃଷ୍ଟାନ୍ତ ବୋଲି ସ୍ୱୀକୃତ ହୋଇଛି । ରୀତିଯୁଗୀୟ ସାହିତ୍ୟର ଏକ ବୈଶିଷ୍ଟ୍ୟ ଯାହା ପାଣ୍ଡିତ୍ୟ ଓ କବିତ୍ଵର ଐକ୍ୟ ପ୍ରତିପାଦନପୂର୍ବକ ପାଠକର ଦୃଷ୍ଟି ଆକର୍ଷଣ କରେ, ଜଗନ୍ନାଥ ପାଣିଙ୍କର ‘ପ୍ରମୋଦ ଚନ୍ଦ୍ରମଣି’ ସେହିପରି ଏକ ରଚନା । ତହିଁରେ ‘କ’ ଠାରୁ ‘କ୍ଷ’ ଅକ୍ଷର କ୍ରମରେ ଚଉତ୍ରିଶଟି ଛାନ୍ଦ ରହିଛି ଏବଂ ପ୍ରତ୍ୟେକ ଛାନ୍ଦ ଚଉତ୍ରିଶ ପଦ ବିଶିଷ୍ଟ । ଯେଉଁ ଛାନ୍ଦ ଅକ୍ଷରରେ ଆରମ୍ଭ ସେହି ଛାନ୍ଦର ପ୍ରତ୍ୟେକ ପଦର ଆରମ୍ଭ ଓ ଶେଷ ସେହି ଅକ୍ଷରରେ । ଉକ୍ତ କାବ୍ୟରେ କୁରୁ ବଂଶର ଇତିହାସ ଓ ଭଗବାନ ଶ୍ରୀକୃଷ୍ଣଙ୍କ କାର୍ଯ୍ୟାବଳୀ - ଧର୍ମ, ସଂସ୍କୃତି, ସାମାଜିକ ଜୀବନ ଓ ବ୍ୟକ୍ତିଗତ ଜୀବନର ଦୃଷ୍ଟିଭଙ୍ଗୀ କବିଙ୍କର ଗଭୀର ଜ୍ଞାନ ଓ ଧ୍ୟାନର ପରିଚାୟକ । ରଚନାର ଗତି ସଙ୍ଗୀତମୟ ବିବିଧ ରାଗରେ ରଚିତ ‘ପ୍ରମୋଦ ଚନ୍ଦ୍ରମଣି କାବ୍ୟ ନାମର ସାର୍ଥକତା ପ୍ରତିପାଦିତ ହୋଇଛି ।

 

ପୁରାଣର କଥାବସ୍ତୁକୁ ଭିତ୍ତିକରି ତାଙ୍କର କାବ୍ୟ ଓ କବିତାମାନ ରଚିତ ହୋଇଛି ଯେଉଁ ସମୟରେ, ସେ ସମୟ ଓଡ଼ିଆ ସାହିତ୍ୟର ମଧ୍ୟଯୁଗ/ ରୀତି ଯୁଗ ବୋଲି ଅଭିହିତ ହୋଇଛି । କାବ୍ୟ ଓ କବିତା ରଚନାର ରୁଚି ଓ ରୁଚିରତା ବିଷୟରେ ବିଶ୍ଳେଷଣ କରାଗଲେ ଉପଲବ୍ଧ ହେବ ଯେ ମଣିଷର ମାନସିକ ସାରଲ୍ୟ ତାହାର ସାମାଜିକ ସ୍ଥିତିକୁ ନିରାମୟ କରି ରଖିବାର ଉପାଦାନ ରୂପେ ଅନ୍ତରଙ୍ଗରେ ସଂଚାରଶୀଳ ହୋଇଛି । ଧର୍ମର ଗଭୀର ଗୂଢ଼ତତ୍ତ୍ଵକୁ ସରଳ ଚିତ୍ତର ଚିନ୍ତାରେ ସାଧାରଣ ମଣିଷର ଜୀବନଚର୍ଯ୍ୟାରେ ଓ ସ୍ଵଭାବରେ ଅଂଗୀଭୂତ କରିବା ପାଇଁ ଉପଦେଶାତ୍ମକ ଓ ନିର୍ଦ୍ଦେଶାତ୍ମକ ସାହିତ୍ୟ ହିଁ ଥିଲା ଆଦର୍ଶ । ବିଚାରର ପରିସରକୁ ପ୍ରସାରିତ କଲେ ଉପଲବ୍ଧ ହେବ ଯେ ଜ୍ଞାନଦୀପ୍ତ ସାହିତ୍ୟ- ରଚନା ପାଇଁ ରଚୟିତା ସ୍ଵୀୟ ଅନ୍ତର୍ନିହିତ ସ୍ମୃଜନଶୀଳ ଶକ୍ତିର ଜାଗୃତି ନିମନ୍ତେ ତପସ୍ଵୀ ପରି ଧ୍ୟାନମଗ୍ନ ରହୁଥିଲେ । ଉପେନ୍ଦ୍ର ଭଞ୍ଜ ରାମତାରକ ମନ୍ତ୍ରରେ ସିଦ୍ଧିଲାଭ କରିଥିଲେ । ସେ ନିଜେ କହିଛନ୍ତି ଯେ ସେ ଶବ୍ଦ-ସାଗର ପାର ହୋଇଛନ୍ତି । ତେଣୁ ସାହିତ୍ୟ ସୃଷ୍ଟି କରିଥିବା ସ୍ରଷ୍ଟା ସାହିତ୍ୟିକର ଜ୍ଞାନର ଉନ୍ମେଷ ଓ ଉନ୍ମୀଳନକୁ ଆଲୋଚନା କରିବା ପାଇଁ ଆଲୋଚକର ବିଚାର ସ୍ୱଚ୍ଛ ଆତ୍ମଦୃଷ୍ଟିରେ ନିରାମୟ ଜ୍ଞାନସଂବୁଦ୍ଧ ହେବା ଆବଶ୍ୟକ ।

 

ଜଗନ୍ନାଥ ପାଣିଙ୍କର ସୃଜନଶୀଳ ପ୍ରତିଭା ତାଙ୍କ ଲେଖନୀର ଅବିଶ୍ରାନ୍ତ ଗତିରେ ପ୍ରସ୍ଫୁଟିତ ହୋଇଛି । କାବ୍ୟ, କବିତା, ପାଲା, ସଙ୍ଗୀତ ଇତ୍ୟାଦି ଲେଖିବା ସହିତ ଲୋକନାଟକ ମଧ୍ୟ ରଚନା କରିଛନ୍ତି । ସେ ନାଟକ ପରିବେଷଣ କରିବା ପାଇଁ ସଙ୍ଗଠନ ମଧ୍ୟ କରିଛନ୍ତି । ଜଗନ୍ନାଥ ପାଣିଙ୍କର ଯାତ୍ରା ସଙ୍ଗଠନ ତାଙ୍କ ନିଜ ଅଭିଭାବକତ୍ଵରେ ହି ହୋଇଥିଲା । ସେ ଥିଲେ ନାଟ୍ୟକାର ଏବଂ ନିର୍ଦ୍ଦେଶକ । ସେ ସମୟରେ ଯେଉଁ ଯାତ୍ରା ହେଉଥିଲା ଯାତ୍ରାଦଳର ଅଧ୍ୟକ୍ଷ ବା ନିର୍ଦ୍ଦେଶକଙ୍କୁ ଗ୍ରାମାଞ୍ଚଳରେ ‘ଓସ୍ତାତ୍‌’ ବୋଲି ଅଭିହିତ କରାଯାଉଥିଲା । ସେମାନଙ୍କର ପୁରାଣର କଥାବସ୍ତୁ ବିଷୟରେ ଯଥେଷ୍ଟ ଜ୍ଞାନ ଥିଲା । ଯାତ୍ରା ପ୍ରତିଯୋଗିତାରେ ଗୋଟିଏ ଯାତ୍ରା ଦଳର ଓସ୍ତାତ୍‌ ଅନ୍ୟ ଯାତ୍ରାଦଳକୁ ପ୍ରଶ୍ନ ପଚାରୁଥିଲା ଏବଂ ସେ ତାହାର ଉତ୍ତର ଦେଉଥିଲା । ନାଟ ରୀତିରେ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା ପରିବେଷଣ ମଧ୍ୟ ଜନମନ ଆକର୍ଷଣ କରୁଛି ମାତ୍ର ତାହାର ରୂପ ପରିବର୍ତ୍ତିତ ହୋଇଛି-

 

ଜଗନ୍ନାଥ ପାଣିଙ୍କ ପୂର୍ବରୁ ଓଡ଼ିଆ ସାହିତ୍ୟର ପରିସରରେ କାବ୍ୟ, କବିତା, ନାଟକ, ପାଲା, ଲୋକକଥା ଆଦି ସାହିତ୍ୟ ରଚନା ସମୂହକୁ ନିରୀକ୍ଷଣ କରିବାକୁ ହେବ । କାରଣ ପରମ୍ପରାର ପ୍ରବାହ ବର୍ତ୍ତମାନର ପ୍ରାମାଣିକ ପୃଷ୍ଠଧାରା ଓ ସୂଜନ-ଚେତନାରେ ସଂଚାରଶୀଳ । ତେଣୁ ସ୍ରଷ୍ଟା ଭାବରେ ସାହିତ୍ୟିକର ବିଚାର ସ୍ଵାଭାବିକ ଭାବେ ଅତୀତ ପ୍ରତି ସଚେତନ ହୋଇଯାଏ-। ସେହି କାରଣରୁ ଜଗନ୍ନାଥ ପାଣିଙ୍କ ରଚନାବଳୀକୁ ବିଚାର କଲାବେଳେ ତାଙ୍କ ପୂର୍ବରୁ ଓଡ଼ିଆ ସାହିତ୍ୟର ସ୍ଥିତି, ଗତି ପ୍ରତି ସଚେତନ ଦୃଷ୍ଟି ଦେଲେ ଦିଶେ କାବ୍ୟ, କବିତା, ନାଟକ, ପାଲା, ଛାନ୍ଦନାଟ୍ୟ ଇତ୍ୟାଦି ଯହିଁରେ ଜୀବନର ଅଭିବ୍ୟକ୍ତି ସାଧନାରୁ ସଂଚାରିତ ହୋଇ ସାଧାରଣ ଜନତାର ସମାଜ, ବ୍ୟକ୍ତିଗତ ରୁଚି, ମାନସିକ ମନ୍ଥନ, ମାଧୁର୍ଯ୍ୟ, କଥୋପକଥନ, ଆସକ୍ତି, ଅନାସକ୍ତି, ବିଶ୍ୱାସ, କର୍ମ, ଧର୍ମ-ଚେତନା, କର୍ତ୍ତବ୍ୟ ଓ କର୍ତ୍ତୃତ୍ୱ ଇତ୍ୟାଦିକୁ ପ୍ରଭାବିତ କରିଛି । ଜଗନ୍ନାଥ ପାଣି ଏବଂ ତାଙ୍କ ପରେ ବୈଷ୍ଣବ ପାଣି ଆଦି ପାରମ୍ପରିକ ସାହିତ୍ୟର ବିଶେଷତଃ ଓଡ଼ିଆ ସାହିତ୍ୟର ଚିନ୍ତା-ଚେତନାରୁ ପୃଥକ ହୋଇନାହାଁନ୍ତି ।

 

ସଂସ୍କୃତ-କାବ୍ୟଃ ଓଡ଼ିଆ ପୁରାଣ, ବିଶେଷଭାବେ ରୀତିଯୁଗର ଓଡ଼ିଆ ସାହିତ୍ୟକୁ ବିଷୟବସ୍ତୁରେ ଯେପରି ଆଚ୍ଛାଦିତ କରି ରଖିଛି, ରୀତି ଯୁଗ ପରେ ଜଗନ୍ନାଥ ପାଣି ଓ ବୈଷ୍ଣବ ପାଣି ଆଦିଙ୍କ ରଚନାକୁ ମଧ୍ୟ ଆଚ୍ଛାଦିତ କରିଛି । ଓଡ଼ିଶାର ସାଂସ୍କୃତିକ ଓ ସାମାଜିକ ଜୀବନଧାରାରେ ଆର୍ଯ୍ୟ ଓ ଦ୍ରାବିଡ଼ ସଂସ୍କୃତିର ପ୍ରଭାବକୁ ଅସ୍ଵୀକାର କରିହେବ ନାହିଁ, ଯେପରି ଭାରତୀୟ ସଂସ୍କୃତିର ମୌଳିକବୋଧର ଗତିଶୀଳ ସ୍ଥିତିରେ ଅନ୍ୟ ସଂସ୍କୃତିର ସଂକ୍ରମଣ ଅନୁଭୂତ ହୁଏ । ବିଶ୍ଳେଷଣାତ୍ମକ ବିଚାରରେ ଜଗନ୍ନାଥ ପାଣି ଓ ବୈଷ୍ଣବ ପାଣିଙ୍କ କାବ୍ୟ ଓ ନାଟକରେ କେବଳ ନୁହେଁ ଅନ୍ୟାନ୍ୟ ରଚନାରେ ବିଷୟବସ୍ତୁର କେନ୍ଦ୍ରରୁ ସ୍ଫୁରିତ ଉପଧାରାରେ ବିଚିତ୍ର ମାନସିକ ମାଧୁର୍ଯ୍ୟ ସହିତ ମନ୍ଥନ । ମଧ୍ୟ ଜନମାନସକୁ ଆକୃଷ୍ଟ କରିଛି । ଏହାର କାରଣ ହେଉଛି ବିଷୟବସ୍ତୁର ନିର୍ଯ୍ୟାସ କେନ୍ଦ୍ରବିନ୍ଦୁରେ ଅବଧାରିତ, ଯାହାକୁ ବୁଝିବା ପାଇଁ ବୌଦ୍ଧିକତା ପ୍ରୟୋଜନ; ମାତ୍ର ଉପଧାରାର ପ୍ରବାହଗତ ସ୍ପର୍ଶ ସାଧାରଣ ଜନତାର ବୋଧରେ ଉପଲବ୍ଧ ହୁଏ । ତତ୍‌କାଳୀନ ଓଡ଼ିଶାର ଜୀବନଧାରା ଗ୍ରାମୀଣ ମଣିଷର ସାଂସ୍କୃତିକ ଚେତନାରେ ସତ୍ୟ, ଧର୍ମ ଓ ନ୍ୟାୟର ବିଚାର ସାମାଜିକ ଜୀବନ ଓ ପାରିବାରିକ ସଂସ୍କୃତିରେ ଅନୁଭୂତ ହେଉଥିଲେ ମଧ୍ୟ ବ୍ୟବହାରର ଔପଚାରିକତାରେ ମାନସିକ ଘୂର୍ଣ୍ଣିର ଚାପ ସ୍ଵତଃ କାର୍ଯ୍ୟ କରୁଥିଲା । କୃଷିପ୍ରଧାନ ଗ୍ରାମାଞ୍ଚଳ ବର୍ତ୍ତମାନ ନୈତିକ ସରଳତା ଜନିତ ସ୍ଵାଚ୍ଛନ୍ଦ୍ୟରେ ନାହିଁ । ତେଣୁ ସାହିତ୍ୟରେ ବିଶେଷତଃ ସମସ୍ୟାଗୁଡ଼ିକର ପରିଚୟ ଏବଂ ତାହାର ସମାଧାନ ପାଇଁ ପଥ ଓ ପାଥେୟ ପାଇଁ ସରଳ ଦିଗ୍‌ଦର୍ଶନ ନାହିଁ । ଜନତୋଷଣ ପୋଷଣ ପରିବର୍ତ୍ତେ ଶୋଷଣର ଅନ୍ଧକାର ସୃଷ୍ଟି କରିଛି । ଏପରି ପରିସ୍ଥିତିରେ ଜଗନ୍ନାଥ ପାଣିଙ୍କ ରଚନାବଳୀ କିପରି ପ୍ରସାରିତ ହୋଇପାରିବ ତାହା ନ ମଧ୍ୟ ଚିନ୍ତାର ବିଷୟ ।

 

ଜଗନ୍ନାଥ ପାଣିଙ୍କର ବୈଶିଷ୍ଟ୍ୟ କାବ୍ୟିକତା । ବୈଷ୍ଣବ ପାଣିଙ୍କ ବୈଶିଷ୍ଟ୍ୟ ନାଟକୀୟତା । ଜଗନ୍ନାଥ ପାଣିଙ୍କ ‘ଛାନ୍ଦ ନାଟ୍ୟ’ କାବ୍ୟ ଧାରାରେ ପ୍ରସାରିତ ହୋଇଥିବାରୁ ରସର ସଞ୍ଚାର ତହିଁରେ ଅବାଧ । ନିରୀକ୍ଷଣ କଲେ ଅନୁଭୂତ ହୁଏ ସ୍ଥାନେ ସ୍ଥାନେ ଶୃଙ୍ଗାର ରସର ପ୍ରାବଲ୍ୟ ନଗ୍ନତା ସୃଷ୍ଟି କରିଛି-। ରୀତିଯୁଗୀୟ କାବ୍ୟରେ ଯୌନ-ଉଦ୍ଦୀପନା ହୁଏତ ଜଗନ୍ନାଥ ପାଣିଙ୍କୁ ପ୍ରଭାବିତ କରିଥାଇପାରେ ।

 

ଜଗନ୍ନାଥ ପାଣିଙ୍କ ‘ପ୍ରମୋଦ ଚନ୍ଦ୍ରମଣି’, ‘ଗୋପଲୀଳା’, ‘ନାରଦ ଗୀତା’ ଆଦି କାବ୍ୟ କବିତାରେ ଗୀତାଭିନୟ ଓ ଛାନ୍ଦ ନାଟ୍ୟର ସ୍ପର୍ଶ ସ୍ପଷ୍ଟ । ‘ଛାନ୍ଦନାଟ୍ୟ’ର ତାତ୍ପର୍ଯ୍ୟ ହେଉଛି ଛାନ୍ଦକୁ ନାଟ୍ୟ ରୂପ ଦେଇ ପ୍ରକାଶ କରିବା । ଏହା ସ୍ଵତନ୍ତ୍ର ଏକ ଧାରା । ଜଗନ୍ନାଥ ପାଣିଙ୍କ ‘ପ୍ରହସନ’ ଓ ‘ତରାମସା’ ସମାଜର ଦୋଷ ଦୁର୍ବଳତାକୁ ଚିତ୍ରିତ କରିଅଛି । ଗୀତାଭିନୟର ପୃଷ୍ଠଭୂମି ହେଉଛି ରୀତିଯୁଗୀୟ ଚିନ୍ତା ଓ ଚେତନାର ସମନ୍ଵୟ । ତାହା ନିର୍ଦ୍ଦିଷ୍ଟ କୋଟୀରେ କ୍ରିୟାଶୀଳ । ମାଟି ଓ ମାନସ ବିଭବଶାଳୀ ସମ୍ପର୍କର ଅବଧାରକ ଭାବେ ପ୍ରୀତି ଓ ପ୍ରତ୍ୟୟର ନିସ୍ଖଳ ସଂବେଦନରେ ସମୁଚିତ ସମ୍ଭ୍ରମ ରକ୍ଷାକରି ବ୍ୟକ୍ତିଗତ ଓ ପାରିବାରିକ ସ୍ଵଚ୍ଛତା ସହ ସ୍ଵପ୍ନ ଓ ସଂକଳ୍ପକୁ ସତ୍ୟ ଓ ବାସ୍ତବତାରେ ରୂପାୟିତ କରିଛି ।

 

ରୀତିଯୁଗୀୟ ସାହିତ୍ୟରେ ବ୍ୟକ୍ତିଗତ ମାନବିକ ଜୀବନର ନିସ୍ଖଳ ଧାରା, ଉଲ୍ଲାସ, ଆନନ୍ଦ, ସମ୍ଭୋଗ, ସ୍ୱପ୍ନରେ ନିୟନ୍ତ୍ରିତ ହୋଇଛି ଏବଂ ତାହା ଭାରତୀୟ ସଂସ୍କୃତିରେ କୃଷି- ସଂରକ୍ଷଣପୂର୍ବକ କଲ୍ୟାଣର ମନ୍ତ୍ରିତ ମାଧୁର୍ଯ୍ୟ ଓ ମହତ୍ତ୍ଵ । ରୀତିଯୁଗର ସାହିତ୍ୟ ଓ ଆଧୁନିକ ସାହିତ୍ୟର ଉଦ୍‌ଗମ ମଝିରେ ଜଗନ୍ନାଥ ପାଣି ଓ ବୈଷ୍ଣବ ପାଣିଙ୍କ ସାହିତ୍ୟ ରଚନା ଓ ତାଙ୍କୁ ଅନୁସରଣ କରି ଯେଉଁମାନେ ସାହିତ୍ୟ ରଚନା କରିଛନ୍ତି, ସେ ସମସ୍ତ ସାହିତ୍ୟିକ ଓଡ଼ିଆ ସାହିତ୍ୟକୁ ଯେ ପୁଷ୍ଟିଦାନ କରିଛନ୍ତି, ଏଥରେ ସନ୍ଦେହ ନାହିଁ ।

 

ଓଡ଼ିଆ ସାହିତ୍ୟର ଚେତନାରେ କେବଳ ଓଡ଼ିଆ ସଂସ୍କୃତି ଅଛି ବୋଲି ବର୍ତ୍ତମାନ କହିହେବ ନାହିଁ । ଓଡ଼ିଆ ସଂସ୍କୃତି ସହିତ ଅନ୍ୟାନ୍ୟ ସଂସ୍କୃତି ମଧ୍ୟ ମିଶିଯାଇଛି ଏବଂ ବର୍ତ୍ତମାନ ମଧ୍ୟ ମିଶିଯାଉଛି । ଭାରତୀୟ ସଂସ୍କୃତିଗତ ବୈଶିଷ୍ଟ୍ୟ ମଧ୍ୟ ଅନ୍ୟ ଦେଶର ସଂସ୍କୃତିର ସ୍ଖଳନ ଅନୁଭବ କରୁଛି । ପରିବର୍ତ୍ତନର କ୍ରମକୁ ଲକ୍ଷ୍ୟ କରିବାକୁ ହେବ । ତାହାର କାରଣ ନିର୍ଦ୍ଧାରଣ କରିବାକୁ ହେବ-। ତାହା ମାନବିକ ମହତ୍ତ୍ୱର ପରିପୋଷଣ ଅଥବା ଶୋଷଣ ତାହାର ବିଚାର କରି ସଚେତନ ମଣିଷ ଆତ୍ମଶକ୍ତିର ଜାଗରଣପୂର୍ବକ ଜୀବନର ପଥ ନିର୍ଣ୍ଣୟ କଲେ ହିଁ ଜୀବନକୁ ଯଥାର୍ଥଭାବେ ଆତ୍ମାର ଆତ୍ମୀୟତାରେ ପରିପୁଷ୍ଟ କରିବାକୁ ସମର୍ଥ ହେବ ।

 

 

 

ବର୍ତ୍ତମାନରେ ଅତୀତ ଅଛି, ଭବିଷ୍ୟତ ମଧ୍ୟ କ୍ଳୁପ୍ତ ହୋଇ ରହିଛି । ସାହିତ୍ୟିକ ଜଗତ ଜୀବନର ହିତ ସାଧନ ପାଇଁ ଯେଉଁ ସାହିତ୍ୟ ସୃଷ୍ଟି କରିବ ତାହ ସାଧନାସାପେକ୍ଷ ।

 

 

ମୈତ୍ରୀ, ୫୬୭,

ସହିଦ ନଗର, ଭୁବନେଶ୍ୱର

 

***

 

କୋଣାର୍କ ୧୬୬ତମ ସଂଖ୍ୟା

ଓଡିଆ ଲୋକନାଟକର ଜନକ : ଜଗନ୍ନାଥ ପାଣି

ବାଉରୀବନ୍ଧୁ କର

 

ଊନବିଂଶ ଶତକରେ ଯେଉଁ କେତେଜଣ ଲୋକ ନାଟକ ରଚନା ଓ ଅଭିନୟ କରି ପାଠକ ଓ ଦର୍ଶକର ଅଶେଷ ପ୍ରୀତିଭାଜନ ହୋଇଥିଲେ ସେମାନଙ୍କ ମଧ୍ୟରେ ଲୋକକବି ଜଗନ୍ନାଥ ପାଣି (୧୮୩୬-୧୮୯୭)ଙ୍କ ସାଧନା ସ୍ମରଣୀୟ । ସେ ଗ୍ରାମାଞ୍ଚଳରେ ଜୀବନ ଅତିବାହିତ କରି, ଗ୍ରାମବାସୀଙ୍କ ତୁଣ୍ଡର ଭାଷାକୁ ଆପଣାର କରି, ଗାଁ ଗହଳରେ ପ୍ରଚଳିତ ପୌରାଣିକ ଓ ଧର୍ମୀୟ ପ୍ରସଙ୍ଗକୁ ଆଧାର କରି, ଲୀଳା, ଯାତ୍ରା, ସୁଆଙ୍ଗ, ପାଲା ରଚନା କରି, ଆମ ଲୋକ ନାଟକକୁ କରିଥିଲେ ସମ୍ପୃଦ୍ଧ ଓ ଗଣାଭିମୁଖୀ । ଯେଉଁ ସମୟରେ ଓଡ଼ିଆ ଦର୍ଶକମାନଙ୍କ ନିକଟରେ ବଙ୍ଗଳା । ନାଟକ ଓ ଯାତ୍ରା ପ୍ରତି ଥିଲା ଅତ୍ୟନ୍ତ ଆଦର, ଠିକ୍‌ ସେତିକିବେଳେ ଜଗନ୍ନାଥ ପାଣି ଓଡ଼ିଆରେ ଲୋକନାଟକ ରଚନା ପୂର୍ବକ ତାହାକୁ ଗାଁର ପୂଜା, ଉତ୍ସବମାନଙ୍କରେ ମୁକ୍ତ ପ୍ରାଙ୍ଗଣରେ ଅଭିନୟ କରି ଓଡ଼ିଆ ଦର୍ଶକମାନଙ୍କ ରୁଚି ପରିବର୍ତ୍ତନ ପାଇଁ କରିଥିଲେ ସଦୁଦ୍ୟମ ।

 

ଊନବିଂଶ ଶତକରେ ଓଡ଼ିଶା କାହିଁକି ସମଗ୍ର ଭାରତବର୍ଷରେ ଦର୍ଶକମାନଙ୍କର ଆଗ୍ରହ ଲୋକନାଟକ ପ୍ରତି ଥିଲା । ସେ ସମୟରେ ପାଶ୍ଚାତ୍ୟ ରୀତିରେ ନାଟକ ରଚନା ଓ ମଞ୍ଚରେ ଅଭିନୟ ପରମ୍ପରା ନଥିଲା । ଅତି ଶ୍ରଦ୍ଧାରେ ସେତେବେଳର ଦର୍ଶକମାନେ ସାରା ରାତି ଅନିଦ୍ରା ରହି ଏଇ ଯାତ୍ରା, ଲୀଳା, ସୁଆଙ୍ଗ, ପାଲା, ପ୍ରଭୃତି ଉପଭୋଗ କରୁଥିଲେ । ଏହାକୁ ଭାବବିହ୍ଵଳ ହୋଇ ସେକାଳର ଅଭିନେତାମାନେ ମଧ୍ୟ ସଫଳ ଅଭିନୟ କରୁଥିଲେ । ଜଗନ୍ନାଥ ପାଣିଙ୍କ ଲୋକନାଟକମାନ ଯେଉଁ ସମୟରେ ଓଡ଼ିଶାର ପୁରପଲ୍ଲୀରେ ଆଦର ଲାଭ କରିଥିଲା, ସେହି ସମୟରେ ଯାଜପୁର ଅଞ୍ଚଳର ଜଣେ ତରୁଣ ଗୋପାଳ ଉଡ଼େ, ବଂଗଦେଶକୁ ଯାଇ ସେଠାରେ ଗଢ଼ିଥିଲେ ‘ବିଦ୍ୟାସୁନ୍ଦର’ ନାଟ୍ୟ ଦଳ । ତାଙ୍କର ଅନ୍ୟଜଣେ ସମସାମୟିକ କୃପାସିନ୍ଧୁ ମିଶ୍ର ବଙ୍ଗଳା ଭାଷାରେ ବହୁ ସୁଆଙ୍ଗ, ଗୀତିନାଟ୍ୟ, ଲୀଳା ରଚନା କରିଥିଲେ । ପ୍ରାଚୀନ ପରମ୍ପରା, ସଂସ୍କୃତି ଓ ଧର୍ମୀୟ ଭାବନାକୁ ନେଇ ସେ ସମୟରେ କୃଷ୍ଣଲୀଳା, ରାମଲୀଳା, ସୀତା ହରଣ, ରାସ, ଦକ୍ଷଯଜ୍ଞ, ସଂକୀର୍ତ୍ତନ, ସୁଆଙ୍ଗ ପ୍ରତି ଜନସାଧାରଣଙ୍କର ବିଶେଷ ଆଦର ଲାଭ କରିଥିଲା । ସର୍ବଭାରତୀୟ ସ୍ତରରେ ଲୋକନାଟକ ପ୍ରତି ଏ ଧରଣର ଶ୍ରଦ୍ଧା ପ୍ରକାଶ ପାଇଥିବା ସମ୍ପର୍କରେ ଆଲୋଚନା କରି ବିଶିଷ୍ଟ ସମୀକ୍ଷକ କେ.ଏସ୍‌. ରାମସ୍ୱାମୀ ଶାସ୍ତ୍ରୀ କହନ୍ତି: The popular plays related to puranic themes and were song - ridden, while the comic acting by the clown was generally crude. The Jatras of Bengal, the Ramlila plays of North India, the Folk plays of Tamil Nadu like Satharam, Nallathangal etc. had but little merit of literature but they conveyed to the people of essentials of Indian culture. They formed a transition from the classical sanskrit drama to the modern Indian drama and had some influence on the evolution of the latter. (Drama in Modern India and Writer’s responsibility in a rapidly changing world. PEN-Bombay- All India centre (1961) Page-127) ଊନବିଂଶ ଶତକରେ ସମଗ୍ର ଭାରତବର୍ଷରେ ଲୀଳା, ଯାତ୍ରା, ସୁଆଙ୍ଗ ଓ ଗୀତିନାଟ୍ୟ ପ୍ରତି ଜନସାଧାରଣଙ୍କର ପ୍ରବଳ ଆକର୍ଷଣ ଥିଲା । ଏଥିରେ ସୁମଧୁର ସଙ୍ଗୀତ ରହୁଥିବାରୁ ଏହା ଦର୍ଶକମାନଙ୍କର ମନୋରଞ୍ଜନରେ ସହାୟତା କରୁଥିଲା । ଏ ସମ୍ପର୍କରେ ସୂଚନା ଦେଇ ହିନ୍ଦୀ ସାହିତ୍ୟର ସମୀକ୍ଷକ ଇନ୍ଦୁପ୍ରକାଶ ପାଣ୍ଡେ ଲେଖିଛନ୍ତି; ‘‘The greatest example of drama are poetic drama and the highest schools of drama are and must ever be the school of poetic drama.’’ (Drama in modern India and the writer’s responsibility in a rapidly changing world-Page-57) ଆମ ଓଡ଼ିଆ ଭାଷାରେ ଜଗନ୍ନାଥ ପାଣି ଥିଲେ ଏଇ ସର୍ବଭାରତୀୟ ପରମ୍ପରାର ଅନ୍ୟତମ ବିଶିଷ୍ଟ ଲୋକନାଟ୍ୟକାର । ସେ ମୁଖ୍ୟତଃ ଯାହାସବୁ ଲେଖିଛନ୍ତି ତାହା ସୁଲଳିତ କବିତା ଆକାରରେ ରୂପଲାଭ କରିଛି । ଏତେ ସରଳ, ସାବଲୀଳ ଭାବରେ ତାହାଙ୍କ ଲୀଳା, ପାଲା, ଛାନ୍ଦନାଟ୍ୟଗୁଡ଼ିକ ରଚିତ ଯାହାକୁ ପଢ଼ିଲେ, ଦେଖିଲେ, ଶୁଣିଲେ ତାଙ୍କୁ ସହଜରେ ଜଣେ ‘ଲୋକକବି’ ଭାବରେ ଗ୍ରହଣ କରିହେବ । ତାହାଙ୍କ ରଚନାରେ ଲୋକ ଉପାଦାନ ଓ ପଲ୍ଲୀ ଜୀବନର ହୃଦୟଖୋଲା ବକ୍ତବ୍ୟ ରହିଛି ।

 

ଜଗନ୍ନାଥ ପାଣିଙ୍କ ଲୀଳା ବା ଛାନ୍ଦନାଟ୍ୟ ସେତେବେଳେ ‘ଯାତ୍ରା’ ଭାବରେ ଲୋକ ସମାଜରେ ଆଦର ଲାଭ କରିଥିଲା । ଏପରିକି ବଙ୍ଗଳା ଯାତ୍ରା ସହିତ ସମାନ୍ତରାଳ ଭାବରେ ସେଗୁଡ଼ିକ ପର୍ବପର୍ବାଣୀରେ ବିଶେଷକରି ଦୁର୍ଗାପୂଜା ସମୟରେ ଅଭିନୀତ ହେଉଥିଲା । ବାଲେଶ୍ଵର ଅଞ୍ଚଳରେ ଆଦର ଲାଭ କରିଥିବା ଯାତ୍ରା ସମ୍ପର୍କରେ ‘ଉତ୍କଳ ଦୀପିକା’ କହନ୍ତି; ‘‘ବାଲେଶ୍ଵର ସମ୍ବାଦପତ୍ର ଦ୍ଵୟରୁ ଆମ୍ଭେମାନେ ଆନନ୍ଦ ସହିତ ଅବଗତ ହେଲୁ ଯେ ଏବର୍ଷ ଦୁର୍ଗାପୂଜା ସମୟରେ ସେଠାରେ ଦେଶୀୟ ତିନି ପଞ୍ଝା ଯାତ୍ରା ଦଳ ବାହାରିଥିଲେ । ସେଥିମଧ୍ୟରୁ ଦୁଇ ପଞ୍ଝା ବଙ୍ଗଳା ଯାତ୍ରା ଓ ଏକ ପଞ୍ଝା ଓଡ଼ିଆ ଯାତ୍ରା କରନ୍ତି । ବଙ୍ଗଳାରୁ ମଧ୍ୟ ଅନ୍ୟାନ୍ୟ ବର୍ଷ ପରି କେତେକ ପଞ୍ଝା ଯାତ୍ରାବାଲା ଆସିଥିଲେ କିନ୍ତୁ ବାଲେଶ୍ଵରୀ ବଙ୍ଗଳା ଯାତ୍ରା ତାହାଠାରୁ ଉତ୍କୃଷ୍ଟ ହେଲା ଏବଂ ଓଡ଼ିଆ ଯାତ୍ରା ବଙ୍ଗଳା ଯାତ୍ରାଠାରୁ ଭଲ ହେଲା ।’’ (ଉତ୍କଳ ଦୀପିକା ୧୧/୪୩ ତା,୨୮.୧୦.୧୮୬୭୬ ପୃଷ୍ଠା-୧୭୦) ବାଲେଶ୍ଵରରେ ଏହି ଯାତ୍ରାଦଳ ମୁଖ୍ୟତଃ ଜଗନ୍ନାଥ ପାଣିଙ୍କ ବିରଚିତ ଲୀଳା, ପାଲା ଆଦି ଅଭିନୟ କରୁଥିଲେ । ସେତେବେଳେ ଯାତ୍ରା କହିଲେ ସୁଆଙ୍ଗ, ହରଣ, ପାଲା, ଗୀତାଭିନୟ ପ୍ରଭୃତିକୁ ବୁଝାଉଥିଲା । ଏ ସମ୍ପର୍କରେ ସ୍ପଷ୍ଟୀକରଣ ପୂର୍ବକ ଉତ୍କଳ ଦୀପିକା କହନ୍ତି, ‘‘ବର୍ତ୍ତମାନ ଓଡ଼ିଶାରେ ଯାହାକୁ ଯାତ୍ରା ବୋଲାଯାଏ ତାହା ରାମଲୀଳା, କୃଷ୍ଣଲୀଳା, ସୁଭଦ୍ରା ହରଣ ପ୍ରଭୃତି ଅଟଇ ପ୍ରଥମ ଦିୟୋଟି ବହୁଳ ସ୍ଥଳରେ ଦେଖାଯାଏ ଏମନ୍ତ କି କଟକ ଜିଲ୍ଲାର ପ୍ରତି ବଡ଼ ବଡ଼ ଗ୍ରାମରେ ଏହାର ଏକ ଏକ ଆଖଡ଼ା ଅଛି । ସୁଭଦ୍ରା ହରଣ ପ୍ରଭୃତି କେବଳ ଭଦରଖିଆମାନେ କରନ୍ତି । ମାତ୍ର ଆମ୍ଭେମାନେ ଯେତେଦୂର ଦେଖିଅଛୁ କୌଣସି ଯାତ୍ରାରେ ସଙ୍ଗୀତର ବାସନା ସୁଦ୍ଧା ପାଇନାହୁଁ ଏବଂ ଆମ୍ଭମାନଙ୍କର ବିଶ୍ଵାସ ଯେ ସଙ୍ଗୀତ ଯାହାକୁ କୁହାଯାଏ ଯାତ୍ରାବାଲାମାନେ ଜାଣନ୍ତି ନାହିଁ । କେବଳ ସହବେଶ ହୋଇ ଗୁଡ଼ାଏ ପୋଥି ବୋଲନ୍ତି ବା କଥାବାର୍ତ୍ତା କରନ୍ତି ଓ ନାନାପ୍ରକାର କଦର୍ଯ୍ୟ ଓ ଭଣ୍ଡ ରୂପ ଦେଖାଇ ଅଶ୍ଳୀଳ ବାକ୍ୟ ଉଚ୍ଚାରଣ କରି ଦର୍ଶକମାନଙ୍କୁ ସନ୍ତୁଷ୍ଟ କରନ୍ତି ।’’ (ଉତ୍କଳ ଦୀପିକା - ୧୧/୪୩ - ତା. ୨୮.୧୦.୧୮୭୬, ପୃଷ୍ଠା-୧୭୧)

 

ଜଗନ୍ନାଥ ପାଣି ଯାହା କିଛି ରଚନା କରିଛନ୍ତି, ସେ ସବୁ ସହିତ ଆମ ପୌରାଣିକ ପରମ୍ପରା, ସାଂସ୍କୃତିକ ଜୀବନ, ଲୋକଚଳଣିର ନିବିଡ଼ ସମ୍ପର୍କ ଥିଲା । ମହାଭାରତ, ରାମାୟଣ, ଭାଗବତ, ହରିବଂଶ ଆଦି ପୁରାଣରୁ ବିଷୟ ଚୟନ କରି ତାକୁ ସରଳ ଭାଷାରେ ପ୍ରକାଶ କରିଛନ୍ତି ସେ ତାଙ୍କ ଯାତ୍ରାମାନଙ୍କରେ । ଗାଁ ଗହଳରେ ପ୍ରଚଳିତ ଲୋକକଥାକୁ ସେ ମଧ୍ୟ ସୁଆଙ୍ଗ ଆକାରରେ, କବିତା ଆକାରରେ ତାଙ୍କ ସୃଷ୍ଟିରେ ଚମତ୍କାର ରୂପାୟନ କରିଛନ୍ତି । ଭାବବସ୍ତୁ ଦୃଷ୍ଟିରୁ ଜଗନ୍ନାଥ ପାଣିଙ୍କ ରଚନାର ପରିସର ଅତ୍ୟନ୍ତ ବ୍ୟାପକ । ସେ ଆମର ପ୍ରାଚୀନ ସଭ୍ୟତା, ସଂସ୍କୃତି, ପରମ୍ପରା, ଲୋକବିଶ୍ଵାସଠାରୁ ଆରମ୍ଭ କରି ସମକାଳୀନ ସାମାଜିକ ରୀତିନୀତିକୁ ତାଙ୍କ ସୃଷ୍ଟିରେ ସ୍ଥାନ ଦେଇଛନ୍ତି । ଏ ସକାଶେ ତାଙ୍କର ରଚନା ‘ସୀତା ବନବାସ’, ‘ଦକ୍ଷ ଯଜ୍ଞ’, ‘ମହୀରାବଣ ବଧ’ , ‘ମୀରା ଚରିତ’, ‘ହାରାବତୀ ହରଣ’ ପ୍ରଭୃତିଠାରୁ ଆରମ୍ଭ କରି ‘କାମ କାଠୁରିଆ ପାଲା’, ‘କେଳା କେଲୁଣୀ ପ୍ରହସନ’, ‘ଚଉପଦୀ’ ରଚନା ପର୍ଯ୍ୟନ୍ତ ସୁବିସ୍ତୃତ । ସବୁଠି ତାଙ୍କ ରଚନାରେ ପାଠକ ହେଉ କି ଦର୍ଶକ ହେଉ ସେମାନଙ୍କ ଉଦ୍ଦେଶ୍ୟରେ ରହିଛି କର୍ଣ୍ଣ ରସାୟନ ଉକ୍ତି ଯାହା ମନୋରଞ୍ଜନ ପାଇଁ ଅଭିପ୍ରେତ । ସେ ଯାତ୍ରା ଆକାରରେ ନାଟମଣ୍ଡପରେ ଦେଖାଇବାକୁ ଓ ଦର୍ଶକକୁ ଆନନ୍ଦ ଦେବା ପାଇଁ ତାଙ୍କ ଯାତ୍ରା ମାଧ୍ୟମରେ ଚେଷ୍ଟା କରିଥିଲେ । ମନେହୁଏ, ଜଗନ୍ନାଥ ପାଣି ହେଉଛନ୍ତି ପ୍ରଥମ ଲୋକନାଟକ ରଚୟିତା, ଯାହାଙ୍କ ରଚନାରେ ଦର୍ଶକମାନେ ବଙ୍ଗଳା ଯାତ୍ରାଠାରୁ ଓଡ଼ିଆ ଯାତ୍ରାଆଡ଼କୁ ଟାଣି ହୋଇଆସିଥିଲେ । ସେ ମଧ୍ୟ ଥିଲେ ଗଣକବି ବୈଷ୍ଣବ ପାଣି, କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ, ବାଳକୃଷ୍ଣ ମହାନ୍ତି ଆଦି ଲୋକନାଟକ ସ୍ରଷ୍ଟାମାନଙ୍କ ପାଇଁ ପ୍ରେରଣାର ଅସରନ୍ତି ଉତ୍ସ । ଏଥିପାଇଁ ତାଙ୍କ ଉପରେ ଓଡ଼ିଆ ଲୋକନାଟକର ପିତୃତ୍ୱ ଆରୋପ କଲେ ଭୁଲ୍‌ ହେବ ନାହିଁ-।

 

୧୮୬୦ ପରବର୍ତ୍ତୀ ସମୟରେ ତାହାଙ୍କ ଯାତ୍ରା ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜର ବିଭିନ୍ନ ସ୍ଥାନରେ ତଥା ଓଡ଼ିଶା ବାହାରେ ବାରମ୍ବାର ଅଭିନୀତ ହେଉଥିଲା-। ଓଡ଼ିଶାର ପଲ୍ଲୀ ଅଞ୍ଚଳରେ ତାହାଙ୍କ ଖ୍ୟାତି ବିଶେଷ ବ୍ୟାପି ଯାଇଥିଲା କିନ୍ତୁ ମୁଦ୍ରିତ ପୁସ୍ତକ ଆକାରରେ ତାହାଙ୍କ ଜୀବଦ୍ଦଶାରେ କୌଣସି ଗ୍ରନ୍ଥ ବାହାରିନଥିଲା । ଏପରିକି ତାଙ୍କର ବହୁ ପାଣ୍ଡୁଲିପି ହଜି ଯାଇଥିଲା । ସେତେବେଳେ ଜନ ସମାଜରେ ଧାରଣା ଥିଲା ଯେ ଗ୍ରନ୍ଥକୁ ମୁଦ୍ରିତ ଆକାରରେ ପ୍ରକାଶ କଲେ ବଂଶ ନାଶ ହୁଏ କିମ୍ବା ପରିବାର ବହୁ ଦୁଃଖ କଷ୍ଟର ସମ୍ମୁଖୀନ ହୁଏ । ଏଥିସହିତ ତାଙ୍କର ଅନ୍ୟ ଏକ ଓ ଧାରଣା ରହିଥିଲା ଗ୍ରନ୍ଥ ଆକାରରେ ପ୍ରକାଶିତ ହେଲେ ପ୍ରତିଦ୍ଵନ୍ଦୀ ଯାତ୍ରାଦଳ ତାହାକୁ ପରିବେଷଣ କରିବାର ସୁଯୋଗ ନେବେ ଦର୍ଶକମାନଙ୍କୁ ଆନନ୍ଦ ଦାନ ତାଙ୍କର ଲକ୍ଷ୍ୟ ଥିଲେ ସୁଦ୍ଧା ପ୍ରଚାର ବିମୁଖ ହୋଇ ବଞ୍ଚିବାକୁ ସେ ବୋଧହୁଏ ଶ୍ରେୟ ମଣୁଥିଲେ । ସେ ‘ଭଷାବତୀ ହରଣ’ କାବ୍ୟରେ ବଣର ମାଳତୀ ପରି ଅଜଣା ହୋଇ ଝରି ଯିବାର ଆନନ୍ଦ କଥା ଉଲ୍ଲେଖ କରିଛନ୍ତି ।

 

‘‘ବନର ମାଳତୀ ପ୍ରାୟ ହେଲି ଆସି ମୁହିଁ

ବନେ ଫୁଟି ଝରିଗଲି ନ ଜାଣିଲେ କେହି ॥’’

 

ଜଗନ୍ନାଥ ପାଣିଙ୍କ ଛାନ୍ଦନାଟ୍ୟର ବିଶେଷତ୍ୱ ହେଉଛି ତାହାର ରଚନା ଶୈଳୀ । ପଲ୍ଲୀ ଅଞ୍ଚଳର ଲୋକ ତୁଣ୍ଡର ଭାଷାକୁ ସେ ମର୍ଯ୍ୟାଦାର ସହିତ ସେ ତାଙ୍କ ରଚନାରେ ସ୍ଥାନ ଦେଇଛନ୍ତି । ସ୍ତରେ ସ୍ତରେ ବ୍ୟଙ୍ଗ-ବିଦ୍ରୁପଃ ପରିହାସ ବୋଧ, ଚିତ୍ରଧର୍ମୀ ପ୍ରକାଶ ଭଙ୍ଗୀ, କଥୋପକଥନ ରୀତି, ଗ୍ରାମ୍ୟ ଢଗଢମାଳି, ଲଘୁ ତରଳ ମନ ଉଚ୍ଚାଟନ ଯୌନ ଉଦ୍ଦୀପକ ଭାଷା ହେଉଛି ତାହାଙ୍କ ରଚନା ରୀତିର ବିଶେଷ ଆକର୍ଷଣ । ଦେଖନ୍ତୁ; ତାହାଙ୍କ ବ୍ୟଙ୍ଗ- ବିଦୂପାତ୍ମକ ଭାଷାରେ ରଚିତ କବିତା ।

 

‘‘ପାନ ଖଣ୍ଡେ କଳ ତୁଣ୍ଡେ ବହି ପଡ଼େ ବୋଳ

ଖଣ୍ଡେ ଚାଲେ ଦଣ୍ଡେ ଚାହେଁ ଭଣ୍ଡି କରେ ଗୋଳ

ବାଙ୍କ ନାକଶିରା ଟେକି ମୁହଁକୁ ହଲାଇ

ବସଣି ହଲାଇ କହେ ବଚନ ଗେହ୍ଲାଇ ।

ହାତକରେ ଶଙ୍ଖା ତା’ର ହାତକରେ ଖଡ଼ୁ

ହାତକରେ ରାଣ୍ଡ ହାତ କରେ ଦାଣ୍ଡ ଝାଡ଼ୁ ।

କାନ୍ଦି କାନ୍ଦି ଶିରା ଫାନ୍ଦି ବାଳୀ କଥା କହେ

ବେଳକ ଓଢ଼ଣା ଦେଇ ବେଳେ ଖାଲି ଚାହେଁ ॥’’

(ସୀତା ବନବାସ, ଚତୁର୍ଥ ଛାନ୍ଦ)

 

ଗ୍ରାମୀଣ ଭାଷାର ସଫଳ ପ୍ରୟୋଗରେ ଜଗନ୍ନାଥ ପାଣିଙ୍କ ସ୍ଵାତନ୍ତ୍ର୍ୟ ବାରି ହୋଇପଡ଼େ-। ବେଳେବେଳେ ଗାଁ ଗହଳର ଟାହି ଟାପରା, ଇତର ସ୍ତରର କଥୋପକଥନ, ଦେଖେଇ କହିବା, ଚାଟୁବାକ୍ୟ ପ୍ରୟୋଗ କରିବାରେ ସେ ଥିଲେ ଜଣେ ନିପୁଣ କଳାକାର । କୃଷ୍ଣଙ୍କ ନାମରେ ଥିବା ଅପବାଦ, ବିଭିନ୍ନ ଦେବ ଦେବୀଙ୍କ ସମ୍ପର୍କରେ ରହିଥିବା ଦୁର୍ନାମକୁ ସେ ଅତି ଦକ୍ଷତାର ସହ ତାହାଙ୍କ ସୃଷ୍ଟିରେ ରୂପ ଦେଇଛନ୍ତି । ଯେପରି;

 

‘‘କହଇ କୁଟିଳା ମୋ ମୁହଁ ଛୁଟିଲା ଫାଟିଲା କପାଳ ତୋର

କାଟିଲା ଘାଆରେ ବାଟିଲା ଚୁନକୁ ଉଠିଲାରୁ ଦେଉ ମୋର ଲୋ

କୁଳ କଳଙ୍କି ତୁହି, ଲାଜ ନାହି ରାଜସୁତା ହୋଇ ।

ମରକଟ ସ୍ତନୀ ସରକଟୀ ବାଂଝ କରକଟ ତୁଟା କିଏ

ଅଘଟ ଘଟଣ କରୁ ପ୍ରଘଟଣ ନନ୍ଦ ସୁତ ସଂଗେ ଥାଏ ଲୋ ।

ପଡ଼ିଶାଙ୍କୁ ରୁଣ୍ଡାଇ, ଡକା ପକାଉ ଟୋକା ଭଣ୍ଡାଇ ॥’’

 

ଏ ହେଉଛି ‘ମାନ ଭଂଜନ’ରେ କୃଷ୍ଣପ୍ରେମ ପାଗଳିନୀ ରାଧାଙ୍କୁ ବାଟ ଦେଖାଇବା ପାଇଁ କୁଟିଳାର କଟୂକ୍ତି । ଏଥରେ ରାଧାଙ୍କ ପ୍ରତି ସେ ପରିହାସ ମଧୁର ଗାଳିବର୍ଷଣ କରିଛନ୍ତି । ‘ରୁକ୍ମିଣୀ ପରିଣୟରେ ଗ୍ରାମ୍ୟ ଚଳଣିର ଇତର ଭାଷାର ଅଭାବ ନାହିଁ-। ଯେପରି,

 

‘‘ଆରେ କଳାପୋଡ଼ା ବୋକା ଟୋକା ପଳା କେତେ କହୁଛୁ ଚାତର

ମାଇଁ କି ହରିଣ ଭଣଜା ବୋଲାଉ ଲାଜ ନାହିଁ ଯା’ ମୁଖର

ଆରେ ଜନମ ଚୋରରେ

ମାରିଖାଉ ଥାଉ ଦୁଧ ସରରେ ।।’’

(ବିଂଶ ଛାନ୍ଦ, ରୁକ୍ମିଣୀ ପରିଣୟ, ପୃ:୧୫୯)

 

‘ଦକ୍ଷ ଯଜ୍ଞ’ରେ ଗଙ୍ଗା, ଗୌରୀ ଉକ୍ତି ପ୍ରତ୍ୟୁକ୍ତିରେ ଗ୍ରାମ୍ୟଭାଷାର ଚମତ୍କାର ରୂପ ଦେଖିବାକୁ ମିଳେ । ଗାଁ ଗହଳରେ କଳିହୁଡ଼ି ସ୍ତ୍ରୀଲୋକମାନେ ପରସ୍ପରକୁ ଆକ୍ଷେପ କରି ଯେପରି କଥା କଟାକଟି ହୁଅନ୍ତି ଠିକ ଗଙ୍ଗା ଓ ଗୌରୀଙ୍କ କଥୋପକଥନରେ ତାହାହିଁ ଘଟିଛି । ‘ପାରିଜାତ ହରଣ’ରେ ସତ୍ୟଭାମାଙ୍କ ସହିତ ଶଚୀଙ୍କର କଳି ବେଶ୍‌ ଉପଭୋଗ୍ୟ । ଗ୍ରାମ୍ୟ ଜୀବନରେ ଯେମିତି ପରସ୍ପରର ଦୁର୍ବଳତା ଓ ବିଭିନ୍ନ ଅପକର୍ମ ସମ୍ପର୍କରେ କୁହାକୁହି ହୁଅନ୍ତି ଶଚୀଙ୍କ ସହିତ ସତ୍ୟଭାମାଙ୍କ କଥା କଟାକଟିରେ ତାହାହିଁ ଫୁଟି ଉଠିଛି ।

 

ଶଚୀ

:

ଏଡ଼େ ଭାଗ୍ୟ କାହିଁ ତୋର କି ତପ କଲୁକି

 

 

ଦରିଦ୍ରାଣୀ ହୋଇ ମାଗୁ ଇନ୍ଦ୍ର ସମ୍ପତ୍ତିକି ।

ସତ୍ୟଭାମା

:

ରାକ୍ଷସୀ ପ୍ରକୃତି ତୋର ଜନ୍ମାନ୍ତେ ନ ଯିବ

 

 

ଇନ୍ଦ୍ରରାଣୀ ହେଲୁ ଆସି ନ ଗଲା ସ୍ଵଭାବ ।

 

 

x      x      x      x

ଶଚୀ

:

ଗଉଡ଼ ଜାତିରେ ସିନା ଏହି କଥା ହୁଏ

 

 

ମାଇଁକୁ ମାଇପ କରି ଭଣଜା ବୋଲାଏ ।

ସତ୍ୟଭାମା

:

କାହାର କଳଙ୍କ ନାହିଁ ନିଷ୍କଳଙ୍କ କିଏ

 

 

ଗୁରୁପତ୍ନୀ ହରି ଦେହ ହେଲା ଯୋନି ମୟେ ।

 

ଜଗନ୍ନାଥ ପାଣିଙ୍କ ଜୀବନ ଥିଲା ଦୁଃଖଦ । ଏହା ସତ୍ତ୍ଵେ ନାଟ୍ୟଦଳ ଗଢ଼ି ଅଗଣିତ ଜନସମାଜକୁ ଆନନ୍ଦ ପ୍ରଦାନ କରିବା ଥିଲା ତାଙ୍କ ଜୀବନର ବ୍ରତ । ସେ ବ୍ୟକ୍ତିଗତ ଜୀବନର ଜାଳ-ଜଞ୍ଜାଳକୁ ଲୋକନାଟକ ମାଧ୍ୟମରେ ଭୁଲି ଯାଉଥିଲେ । ସେ ଯାତ୍ରାଦଳ ପାଇଁ ଆଖପାଖ ଦଶଖଣ୍ଡ ଗ୍ରାମର ଯୁବକମାନଙ୍କୁ ସଙ୍ଗଠିତ କରି ଗଢ଼ିଥିଲେ ନାଟ୍ୟଦଳ । ଦୈତାରି ପାଣି, ଏକାଦଶୀ ପାଣି, ବୈଦି ପାଣି, ଅନନ୍ତ ପାଣି, ସିଦ୍ଧନାଥ ପାଣି, ଗଣେଶ ପାଣି, କାଳିନ୍ଦୀ ପାଣି, ରାଧୁ ପଣ୍ଡା, ଗଦା ପଣ୍ଡା, ନାକଫୋଡ଼ି ମହାନ୍ତି, ନରି ବାରିକ, ରଘୁ ମଲ୍ଲିକ, ହରି ତିହାଡ଼ି, ଗୋବିନ୍ଦ ତିହାଡ଼ି, କନେଇ ତିହାଡ଼ି, ଲୋକନାଥ ସାହୁ ପ୍ରମୁଖଙ୍କ ପରି ଅନେକ ତରୁଣଙ୍କୁ ଗାଁ ଗହଳରୁ ନେଇ ସେମାନଙ୍କୁ କରିଥିଲେ ଅଭିନେତା । ଏଇ ଅଭିନେତାମାନେ ସାରା ରାତି ସେକାଳରେ ଉଜାଗର ରହି ଦର୍ଶକମାନଙ୍କ ସନ୍ତୋଷ ବିଧାନ ପାଇଁ ଯାତ୍ରାଭିନୟ କରୁଥିଲେ । ବାଦ୍ୟ, ନୃତ୍ୟ ସୁମଧୁର ସଙ୍ଗୀତର ତାଳେତାଳେ ଓଡ଼ିଆମାନଙ୍କର ଯେ ଏକ ସମୃଦ୍ଧ ଲୋକନାଟ୍ୟ ପରମ୍ପରା ରହିଛି ଏ କଥା ସେମାନେ ଆମ ସମସ୍ତଙ୍କୁ ଅବଗତ କରାଇଥିଲେ । ଊନବିଂଶ ଶତକରେ ବଙ୍ଗଳା ଯାତ୍ରାଭିନୟ ସହିତ ତାଳ ଦେଇ ଜଗନ୍ନାଥ ପାଣି ଓଡ଼ିଆ ଯାତ୍ରାଭିନୟର ଏକ ସୁଦୃଢ଼ ଭିତ୍ତି ଏଠାରେ ସ୍ଥାପନ କରିଥିଲେ । ସେଇ ଭିତ୍ତିଭୂମି ଉପରେ ଜଗନ୍ମୋହନ ଲାଲା, ଖଡ଼ଗା ପ୍ରସାଦ, ରାମଶଙ୍କର ରାୟ, କାମପାଳ ମିଶ୍ର, ଗୋବିନ୍ଦ ଚନ୍ଦ୍ର ଶୂରଦେଓ, ଭିକାରୀ ପଟ୍ଟନାୟକ, ଅଶ୍ଵିନୀ କୁମାର ଘୋଷଙ୍କ ପରି ଅନେକ ସ୍ଵ ସ୍ଵ ନାଟ୍ୟ ପ୍ରତିଭାର ପରିଚୟ ଦେବା ସହିତ ଓଡ଼ିଆ ନାଟ୍ୟ ସାହିତ୍ୟକୁ କରିଛନ୍ତି ରଦ୍ଧିମନ୍ତ ।

 

ଜଗନ୍ନାଥ ପାଣି ଲୋକ ନାଟକ ରଚନା ଓ ଅଭିନୟ ପାଇଁ କୌଣସି ଆନୁଷ୍ଠାନିକ ଶିକ୍ଷା ଲାଭ କରିନଥିଲେ । ସେ ଥିଲେ ଆଶୁକବି ଓ ଜନ୍ମରୁ ଅଭିନେତା । ଯେଉଁ ସମୟରେ ସଂସ୍କୃତ ନିୟମାନୁମୋଦିତ ଅଙ୍କ, ସନ୍ଧି ସମନ୍ଵିତ ନାଟକର ଅଖଣ୍ଡ ରାଜତ୍ୱ ସେହି ସମୟରେ ଜଗନ୍ନାଥ ପାଣି ସଂସ୍କୃତ ନାଟ୍ୟାଦର୍ଶ ପ୍ରତି ଭ୍ରୁକ୍ଷେପ ନକରି ଦେଶୀୟ ରୀତିରେ ଲେଖିଲେ ଲୋକନାଟକ- ଯାହା ତତ୍କାଳୀନ ଦର୍ଶକର ରସତୃଷ୍ଣା ମେଣ୍ଟାଇବାରେ କରିଥିଲା ସହାୟତା । ତାହାଙ୍କ ଲୋକନାଟକଗୁଡ଼ିକ ଅଯଥା ଶ୍ରୁତିକଟୁ ତତ୍ସମ ଶବ୍ଦରେ ଭାରାକ୍ରାନ୍ତ ନୁହେଁ, ବରଂ ସରଳ ସାବଲୀଳ ହାସ୍ୟ ତରଳ ଲଘୁବର୍ଣ୍ଣନା ଓ ସାବଲୀଳ ସ୍ଵଚ୍ଛନ୍ଦ ପରିପ୍ରକାଶରେ ହୃଦୟସ୍ପର୍ଶୀ ।

ଜଗନ୍ନାଥ ପାଣି ଊନବିଂଶ ଶତକରେ ଜନ୍ମଗ୍ରହଣ କରି ସେଇ ଊନବିଂଶ ଶତକରେ ଇହଲୋକରୁ ବିଦାୟ ନେଇଛନ୍ତି । ସେ ଓଡ଼ିଆ ନାଟ୍ୟ ସାହିତ୍ୟର ସୁବିସ୍ତୃତ ଦିଗ୍‌ବଳୟ କିମ୍ବା ଲୋକନାଟକର କାଳଜୟୀ ସ୍ରଷ୍ଟା ବୈଷ୍ଣବ ପାଣି, ବାଳକୃଷ୍ଣ ମହାନ୍ତି, କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁଙ୍କ ପରି ନାଟ୍ୟକାରଙ୍କ କୃତିତ୍ୱ ଦେଖିନାହାନ୍ତି । ମାତ୍ର ଏମାନଙ୍କ ରଚନାରେ ଲୋକକବି ଜଗନ୍ନାଥ ପାଣିଙ୍କ ପ୍ରଭାବ ଲକ୍ଷଣୀୟ । ଉଚ୍ଚକୋଟୀର କବି ପରବର୍ତ୍ତୀ ସମୟର କବିମାନଙ୍କୁ ପ୍ରେରଣା ଦିଏ । ସେ ଆମ ନାଟ୍ୟ ସାହିତ୍ୟ ପାଇଁ ପ୍ରେରଣାର ଚିରସ୍ରୋତା ସ୍ରୋତସ୍ଵିନୀ । ପ୍ରତିଭାର ପରିଚୟ ଓ ପ୍ରତିଭା ପ୍ରତି ପ୍ରକୃତ ସମ୍ମାନ ଜୀବଦ୍ଦଶାରେ ନୁହେଁ, ବରଂ ମୃତ୍ୟୁ ପରେ ମିଳିଥାଏ । ଜଗନ୍ନାଥ ପାଣି ତାଙ୍କ ଜୀବଦ୍ଦଶାରେ ଯେତିକି - ଲୋକପ୍ରିୟତା ଅର୍ଜନ କରିଥିଲେ, ଏବେ ତା’ଠାରୁ ଅଧିକ ଜନପ୍ରିୟ ମନେହୁଅନ୍ତି । ସଂପ୍ରତି ଜଗନ୍ନାଥ ପାଣି ଏକ ବ୍ୟକ୍ତିବିଶେଷ ନୁହନ୍ତି, ଅଧିକନ୍ତୁ ଓଡ଼ିଆ ଯାତ୍ରାର ଏକ ସ୍ଵୟଂ ସମୃଦ୍ଧ ଅନୁଷ୍ଠାନ । ସେ ହେଉଛନ୍ତି ଓଡ଼ିଆ ଲୋକନାଟକର ଭୀଷ୍ମ ପିତାମହ ।

 

 

୩୪୮/୨୯୩୭

କପିଳପ୍ରସାଦ,

ଭୁବନେଶ୍ୱର- ୭୫୧୦୦୨

 

***

 

 

ଜଗନ୍ନାଥ ପାଣିଙ୍କ ସୃଷ୍ଟିରେ ଆଳଙ୍କାରିକତା ଓ ରୀତିକାବ୍ୟାଦର୍ଶ

ସଂଘମିତ୍ରା ମିଶ୍ର

 

ଲୋକକବି ଜଗନ୍ନାଥ ପାଣି ଏକାଧାରରେ ନାଟ୍ୟକାର ଓ କବି । ଲୋକନାଟକର ସଂଜ୍ଞା ଦୃଷ୍ଟିରୁ ଦେଖିଲେ ସେ ଥିଲେ ସ୍ଵାଭାବିକ ଭାବରେ କବି ଓ ନାଟ୍ୟକାର, ଯିଏ ସାଧାରଣ ଜନତାର ମନୋରଞ୍ଜନ କରିବା ସହିତ ସମାଜକୁ ମୂଲ୍ୟବୋଧଭିତ୍ତିକ ଶିକ୍ଷା ପ୍ରଦାନ କରୁଥିଲେ । ସାହିତ୍ୟ, ବିଶେଷ ଭାବରେ ନାଟକ ହେଉଛି ମିତ୍ରସମ୍ମତ ଉପଦେଶ ଯାହାକୁ ଇଂରାଜୀରେ କୁହାଯାଏ To delight and teach. ଗ୍ରାମ୍ୟ ଓଡ଼ିଶାରେ ଜଗନ୍ନାଥ ପାଣି ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ନାଟକ ରଚନା ଓ ଅଭିନୟ ମାଧ୍ୟମରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟିକରି ପାରିଥିଲେ । ଗଣକବି ବୈଷ୍ଣବ ପାଣି ତାଙ୍କ ଆତ୍ମଜୀବନୀରେ ଜଗନ୍ନାଥ ପାଣିଙ୍କର ତାଙ୍କ ଉପରେ ଥିବା ପ୍ରଭାବକୁ ସ୍ଵୀକାର କରିଛନ୍ତି ।

 

ନିଜ ରଚିତ ଲୀଳା, ସୁଆଙ୍ଗ ଓ ଛାନ୍ଦନାଟ୍ୟଗୁଡ଼ିକୁ ସେ ମୁଖ୍ୟତଃ ପୁରାଣରୁ ଗ୍ରହଣ କରିଛନ୍ତି । ଯେଉଁ ପୁରାଣ କେବଳ ପଠନରେ ସୀମିତ ଥିଲା ଓ ସମସ୍ତେ ତା’ର ଆନନ୍ଦ ଗ୍ରହଣ କରିପାରୁ ନଥିଲେ ସେମାନଙ୍କ ପାଇଁ ସତେ ଯେପରି ଜଗନ୍ନାଥ ପାଣି ହିଁ ସୁଯୋଗ ସୃଷ୍ଟି କରିଥିଲେ-। ତାଙ୍କ ରଚନାରେ ଆମେ କାବ୍ୟ ଓ ନାଟକର ସମନ୍ୱୟ ଦେଖିପାରିବା । ଓଡ଼ିଶାର ବିରାଟ କାବ୍ୟପରମ୍ପରା ସମ୍ପର୍କରେ ତାଙ୍କର ଯଥେଷ୍ଟ ଧାରଣା ଥିଲା । ପୁଣି ସଂଳାପ ମାଧ୍ୟମରେ ବିଷୟର ଅଗ୍ରଗତି କରାଇବାରେ ସେ ଥିଲେ ଦକ୍ଷ । ୧୮୩୬ ମହାବିଷୁବ ସଂକ୍ରାନ୍ତି ତିଥିରେ ଭଦ୍ରକର ନଳାଂଗ ଗ୍ରାମରେ ଜନ୍ମଗ୍ରହଣ କରିଥିବା ଏହି ଅନନ୍ୟ ପ୍ରତିଭା ବାଲ୍ୟକାଳରେ ଶିକ୍ଷା ପ୍ରତି ଅମନୋଯାଗୀ ଥିଲେ । ନଳାଂଗ ଗ୍ରାମର ନଳେଶ୍ଵର ମହାଦେବଙ୍କ ଶରଣାପନ୍ନ ହେବା ପରେ ତାଙ୍କର ପାଣ୍ଡିତ୍ୟ ଉଦୟ ହୋଇଥିଲା । ଯୁଗ ଯୁଗ ଧରି ସୃଜନଶୀଳ ମଣିଷଟି ଅଲୌକିକ କୃପା ଲାଭ କରେ ବୋଲି କୁହାଯାଏ । ସୃଜନର ଛାୟାଛନ୍ନ ମୁହୂର୍ତ୍ତରେ ମନେହୁଏ କେହି ଇଷ୍ଟଦେବ ତା’ ଉପରେ ପ୍ରସନ୍ନ ଏବଂ ସେହି ଶକ୍ତି ତା’ର ହାତ ଧରି କିଛି ଲେଖାଇ ନେଉଛନ୍ତି ।

 

ଜଗନ୍ନାଥ ପାଣିଙ୍କ ସମ୍ପର୍କରେ ଏତିକି ନିହାତି କୁହାଯିବା ଦରକାର ଯେ ତାଙ୍କର ଛାନ୍ଦନାଟ୍ୟ ବା ଗୀତାଭିନୟଗୁଡ଼ିକ ଅଙ୍କ ଓ ଦୃଶ୍ୟରେ ବିନ୍ୟସ୍ତ ନୁହଁନ୍ତି । ସେଗୁଡ଼ିକ ‘ଛାନ୍ଦ’ ଭାବେ ରଚିତ କୌଣସି ଗଦ୍ୟ ସଂଳାପ ତାଙ୍କ ରଚନାରେ ନ ଥିଲେ ହେଁ ଅଭିନେତା ପରିବେଶ ଅନୁସାରେ କିଛି ସଂଳାପ ତହିଁରେ ଖଞ୍ଜି ଦେଇପାରନ୍ତି ଅର୍ଥାତ୍‌ ସେ ଅଭିନେତାମାନେ ବେଶ ପ୍ରତିଭାଶାଳୀ ଓ ଆତ୍ମବିଶ୍ଵାସ ସମ୍ପନ୍ନ । ଜଗନ୍ନାଥ ପାଣି ନିଜ ନାଟ୍ୟଦଳର କୌଣସି ଅସୁବିଧା ହେବ ନାହିଁ ବୋଲି ଚୁକ୍ତିପତ୍ର ଦସ୍ତଖତ କରାଇ ନେଇଥିଲେ । ଫଳରେ କୌଣସି ଅଭିନେତା ବ୍ୟକ୍ତିଗତ କାର୍ଯ୍ୟର ବାହାନା କରି ନାଟକ ପ୍ରଦର୍ଶନ କାଳରେ ଅନୁପସ୍ଥିତ ରହିବା ସମ୍ଭବ ହେଉନଥିଲା । କୁହାଯାଏ ଯେ ନାଟକ ପାଇଁ ଏକରାରନାମା ଦସ୍ତଖତ କରାଇ ତାହାକୁ ବିଧିବଦ୍ଧ ଆନୁଷ୍ଠାନିକ ଉଦ୍ୟମରେ ପରିଣତ କରିବା ଜଗନ୍ନାଥ ପାଣି ହିଁ ଓଡ଼ିଶାରେ ପ୍ରଥମ ଆରମ୍ଭ କରିଥିଲେ ।

 

ଆଳଙ୍କାରିକତା ସମ୍ପର୍କରେ ଆଲୋଚନା କରିବାବେଳେ ଅଳଙ୍କାର ସଂପ୍ରଦାୟ ବିଷୟର ସୂଚନା ଦେବା ଦରକାର । ରସ, ରୀତି, ବକ୍ରୋକ୍ତି, ଗୁଣ, ଔଚିତ୍ୟ ଓ ଅଳଙ୍କାର ସଂପଦାୟକୁ ନେଇ ସାହିତ୍ୟର ଆଲୋଚନା କରାଯାଏ । ଭାମହ ଅଳଙ୍କାର ସଂପ୍ରଦାୟର ପ୍ରବର୍ତ୍ତକ ଓ ରୁଦ୍ରଟ ତାଙ୍କର ଅନୁଗମନ କରିଥିଲେ । କିନ୍ତୁ ଭରତଙ୍କ ସମୟରୁ ଅଳଙ୍କାର ସମ୍ପର୍କରେ କିଞ୍ଚତ ସୂଚନା ଥିଲା । ଭରତଙ୍କ ନାଟ୍ୟଶାସ୍ତ୍ରରେ ଉପମା, ରୂପକ, ଦୀପକ ଓ ଯମକ ଭଳି ଚାରୋଟି ଅଳଙ୍କାରର ଉଲ୍ଲେଖ ମିଳିଥାଏ । ଭାମହଙ୍କର ‘କାବ୍ୟାଳଙ୍କାର’ ଗ୍ରନ୍ଥ ଅଳଙ୍କାର ସମ୍ପର୍କୀୟ ପୂର୍ଣ୍ଣାଙ୍ଗ ଗ୍ରନ୍ଥ । ଭାମହ ୩୮ଟି ଅଳଙ୍କାରକୁ ସ୍ଵୀକାର କରିଥିଲେ ଓ ଅଳଙ୍କାରକୁ କାବ୍ୟର ଆତ୍ମା ବୋଲି ବିଚାର କରିଥିଲେ । ଭାମହଙ୍କ ପରେ ଦଣ୍ଡୀ ଏହି ଅଳଙ୍କାରକୁ କାବ୍ୟର ଶୋଭାବିଧାୟକ ଧର୍ମ ଭାବେ ଗ୍ରହଣ କରିଥିଲେ-। ତାଙ୍କ ପରେ ଉଦ୍ଭଟ ଓ ରୁଦ୍ରଟ ଏହି ଧାରାକୁ ବ୍ୟାପକ କରିଥିଲେ । ଏହି ଅଳଙ୍କାର, ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାର ଭାବରେ ଦ୍ଵିବିଧ, ଅନୁପ୍ରାସ, ଯମକ, ଶ୍ଳେଷ, ବକ୍ରୋକ୍ତି, ଉପମା, ରୂପକ, ଉତ୍‌ପ୍ରେକ୍ଷା, ପ୍ରତିବସ୍ତୁପମା, ସ୍ଵରାବୋକ୍ତି, ସଂସୃଷ୍ଟି ଓ ଶଂକରକୁ ନେଇ ଅଳଙ୍କାରର ଧାରା ନିର୍ଣ୍ଣିତ । ପୁଣି ଏସବୁ ମଧ୍ୟ ବିଭିନ୍ନ ଉପବିଭାଗରେ ବିନ୍ୟସ୍ତ ।

 

ଜଗନ୍ନାଥ ପାଣିଙ୍କ ନାଟ୍ୟ ସୃଷ୍ଟିରେ ଆଳଙ୍କାରିକତାର ଚର୍ଚ୍ଚା କରିବା ଅର୍ଥ ହେଉଛି ତାଙ୍କ ରଚିତ ଦୃଶ୍ୟକାବ୍ୟରେ କାବ୍ୟିକତାକୁ ଖୋଜିବା । ଆମେ ଜାଣିଛୁ ଯେ ଓଡ଼ିଆ ରୀତିକାବ୍ୟ ଅଳଙ୍କାରର ବୈଚିତ୍ର୍ୟକୁ ନେଇ ରଦ୍ଧିମନ୍ତ । ରୀତିକାବ୍ୟର ନାୟିକା ବିବିଧ ଅଳଙ୍କାରଭୂଷିତା । ଅଳଙ୍କାରର ବ୍ୟୁତ୍ପତ୍ତିଗତ ଅର୍ଥ ହେଉଛି ‘‘ଅଳଂକ୍ରୀୟତେର ନେତେତ୍ୟଳଙ୍କାରଃ ’’ ଅର୍ଥାତ୍‌ ଯାହାଦ୍ଵାରା ଅଳଂକୃତ ବା ଭୂଷିତ କରାଯାଏ ତାହା ଅଳଙ୍କାର । ପୁଣି ‘‘ଅଳଂକରୋତୀତି ଅଳଂକାରଃ’’ । ଯାହା ସୁଶୋଭିତ କରେ ତାହା ହିଁ ଅଳଙ୍କାର । ରସବାଦୀ ବିଶ୍ଵନାଥ ମଧ୍ୟ କୁହନ୍ତି ଯେ ଅଳଙ୍କାର କାବ୍ୟର ଅସ୍ଥିର ଧର୍ମ, ଏହା କାବ୍ୟ ସୌନ୍ଦର୍ଯ୍ୟର ହେତୁ ନୁହେଁ ମାତ୍ର କାବ୍ୟ ସୌନ୍ଦର୍ଯ୍ୟର ବର୍ଦ୍ଧନକାରୀ । ରସ ଓ ଭାବର ଉପକାର ସାଧନ କରି ଏହା କାବ୍ୟକୁ ଗୌରବାନ୍ୱିତ କରିଥାଏ ।

 

ଏହି ଅଳଙ୍କାର ସମ୍ପର୍କରେ ବିଶେଷ ଅନୁଧ୍ୟାନ କରିବା ପାଇଁ କାବ୍ୟତତ୍ତ୍ଵ ଅନୁଶୀଳନ ହିଁ ଆବଶ୍ୟକ ହୋଇଥାଏ । ଯଦିଚ ପରମ୍ପରା ଅନୁକ୍ରମେ କବିଟିଏ କିଛି ଆଳଂକାରିକତା ଆୟତ୍ତ କରିପାରେ, ତଥାପି ଏଥିପାଇଁ ସ୍ୱତନ୍ତ୍ର ଗଠନ ଓ ମନନ ଲୋଡ଼ା । ପୁଣି ତାହା ଯଦି ଦୃଶ୍ୟକାବ୍ୟ ପାଇଁ ଆବଶ୍ୟକ ତେବେ ତାହା ସର୍ବଜନବୋଧ ହେବା ଆବଶ୍ୟକ । ଏସବୁ ଜଗନ୍ନାଥ ପାଣିଙ୍କର ପରମ୍ପରା ବର୍ଣ୍ଣିତ ବିଚାରରେ ନିହିତ ଥିଲା । ତେଣୁ କବିତ୍ୱର ପ୍ରାରମ୍ଭ କାଳରେ ଇଶ୍ଵରକୃପା ଲାଭ କରିଥିଲେ ହେଁ ସେତିକି ତାଙ୍କ ପାଇଁ ଯଥେଷ୍ଟ ନଥିଲା । ନିଜ ପ୍ରୟାସରେ ସେ ଅଳ୍ପକାଳ ମଧ୍ୟରେ ଅମରକୋଷ, ଜୁମର ବ୍ୟାକରଣ, ଛନ୍ଦ ଓ ଅଳଙ୍କାରଶାସ୍ତ୍ରରେ ପାରଙ୍ଗମ ହୋଇଉଠିଥିଲେ । ଏଥିସହିତ ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ସାମନ୍ତସିଂହାର, ଶିଶୁ ଶଙ୍କର, ଦୀନକୃଷ୍ଣ ଓ ଜୟଦେବ ପ୍ରଭୃତିଙ୍କ କୃତି ପାଠକରି ସମସ୍ତଙ୍କୁ ଚକିତ କରିଥିଲେ । ପ୍ରାଚୀନ କବିତାର ଛାନ୍ଦସିକତା ତାଙ୍କୁ ବହୁଭାବରେ ପ୍ରଭାବିତ କରିଛି । ତେଣୁ ସେ କେବଳ ପଦ୍ୟରେ ହିଁ ନାଟକମାନ ରଚନା କରିଛନ୍ତି ।

 

ପଦ୍ୟ ସ୍ମରଣ ରଖିବା ସହଜ । ଏହା ଲୋକଶିକ୍ଷା ପାଇଁ ଗଦ୍ୟଠାରୁ ଅଧିକ ଉପଯୋଗୀ-। ସଂଳାପ ପଢ଼ି ବୁଝିବାରେ ଅସମର୍ଥ ମଣିଷ ସଙ୍ଗୀତ ଶୁଣି ଶୁଣି ମନେ ରଖିଥାଏ ଓ ଅଭ୍ୟାସବଶତଃ ତାହା ନିର୍ଦ୍ଦିଷ୍ଟ ଛନ୍ଦରେ ଗାନ କରି ପରିବେଶର ଗୁରୁତ୍ଵ ବୃଦ୍ଧି କରେ । ତେଣୁ ଜଗନ୍ନାଥ ପାଣିଙ୍କ ନାଟକରେ ରୀତିଯୁଗୀୟ ଛାନ୍ଦସିକତା ଓ ଆଳଙ୍କାରିକତାର ପ୍ରଭାବ ହିଁ ଆମର ଆଲୋଚ୍ୟ । ଷୋଡ଼ଶ ଶତାବ୍ଦୀର ପ୍ରେମାଖ୍ୟାନ କାବ୍ୟ ପରମ୍ପରାରେ ଆମେ ଶିଶୁ ଶଙ୍କରଙ୍କର ଉଷାଭିଳାଷ, ନରସିଂହ ସେଣଙ୍କର ପରିମଳା ଓ ଅର୍ଜୁନ ଦାସଙ୍କ ରାମବିଭାକୁ ଦେଖିଥାଉ, ଯାହା କବି ଉପେନ୍ଦ୍ରଙ୍କୁ ରୀତିକାବ୍ୟ ଲେଖିବା ପାଇଁ ଅନୁପ୍ରେରିତ କରିଛି । ‘ଉଷାଭିଳାଷ’ରେ ଉଷା ଅନିରୁଦ୍ଧଙ୍କର ସ୍ଵପ୍ନ ମିଳନ ଓ ବିଚ୍ଛେଦ ପରେ ଉଷାର ରୋଦନ-

 

‘‘ପଲଙ୍କ ତେଜିଣ ଉଠିଲା ସୁମୁଖୀ ସ୍ଵପନ ସଂକେତ ପାଇଣ

ଆହା ପ୍ରାଣନାଥ କେଣେ ଗଲ ବୋଲି

ଉଚ୍ଚସ୍ଵରେ କରେ କାରୁଣ୍ୟ

ଦଇବ, ଦେଖାଇ ନିଧ ହରିନେଲୁ

ଶିଶୁ କୁମାରୀ ମୁଁ କିଛି ନ ଜାଣଇ

କିମ୍ପାଇ ମୋତେ ଏହା କଲୁ ?’’

 

‘ଲାବଣ୍ୟବତୀ’ରେ ନାୟିକା ନାୟକଙ୍କ ସହିତ ମିଳିତ ହେବା ପରେ ଅନୁରୂପଭାବେ ତାଙ୍କୁ ଝୁରି ହୋଇଛି । ‘‘ଚେତି ଚତୁରୀ ଚାହିଁଲା ନିଶିନାଶେ ପାଶେ ନାହିଁ ଦିବ୍ୟତରୁଣ’’ ପଦଟି ‘‘ଉଷାଭିଳାଷ’’ର ପ୍ରଭାବରେ ଲିଖିତ । ସେହିପରି ଜଗନ୍ନାଥ ପାଣିଙ୍କର ଭଷାବତୀ ହରଣର ୮ମ ଛାନ୍ଦରେ-

 

‘‘ରମଣୀ ରତନ ଚେତିଣ ସ୍ୱପନ ଚିଆଁଇ ବସିଲା ପଲ୍ୟଙ୍କରେ

ଫିଟିଛି ବସନ ନୀବୀବନ୍ଧମାନ ଫିଟିଛି କୁସୁମ ବେଣୀ ଶିରେ ।’’

ଅନୁରୂପ ଭାବରେ ‘ଉଷାବତୀ ହରଣ’ର ୭ମ ଛାନ୍ଦରେ

‘‘ଧୀରଚକ୍ର ହୃଦପଦ୍ମ ମିହିରରୁ ବସନ୍ତକୁ କଲେ ଜନ୍ମ

ମଣିମୟ ଚକ୍ରେ ଗ୍ରୀଷମ ଲଲାଟେ ହେଲେ ଚକ୍ର ବରଷଣ’’

 

ସିଧାସଳଖ ‘ବିଦଗ୍ଧ ଚିନ୍ତାମଣି’ର ‘ଧାରଚକ୍ର ହୃଦପଦ୍ମମିହିର’ ଛାନ୍ଦ ଆମର ମନେ ପକାଇଦିଏ । ସେହିପରି ‘ବିଦଗ୍ଧ ଚିନ୍ତାମଣି’ର ‘ଶ୍ରୀରାଧା ବାତୁଳୀ ପ୍ରେମରସାତୁଳୀ’ ଜଗନ୍ନାଥ ପାଣିଙ୍କ ଗୀତାଭିନୟରେ ଏହିଭଳି ଲିଖିତ-

 

‘‘ଶ୍ରୀରାଧା ପ୍ରେମବାତୁଳୀ      ହରି ହୃଦହାରାବଳୀ

କୃଷ୍ଣଙ୍କୁ ନପାଇ      ଚାରୁଚନ୍ଦ୍ର ମୁହିଁ

ସଖୀକି କହଇ ବଳି, ସେ ନବକାଳି’’

 

ରୀତିକାଳୀନ ନାୟିକାର ରୂପ ବର୍ଣ୍ଣନା ପାଇଁ କବିମାନେ ଛାନ୍ଦପରେ ଛାନ୍ଦ ରଚନା କରିଛନ୍ତି । କିନ୍ତୁ ନାଟକରେ ଏଥିପାଇଁ ସ୍ଥାନ ସଂକୀର୍ଣ୍ଣ । ତଥାପି ଶିଶୁ ପ୍ରହ୍ଲାଦର ରୂପ ବର୍ଣ୍ଣନାରେ କିଭଳି ରୀତିକାଳୀନ ପ୍ରଭାବ ପରିଦୃଷ୍ଟ ହୋଇଛି ଦେଖିବା ।

 

‘‘କଞ୍ଜ ନୟନେ ଦେଲେ ଅଞ୍ଜନ ରଞ୍ଜି

ଲାଞ୍ଜି ବଢ଼ାଇ ଦେଲେ ଧଇର୍ଯ୍ୟ ଭାଞ୍ଜି ଯେ

କସ୍ତୁରୀ ବିନ୍ଦୁ

ଉଇଁ ଆସୁଛି କିବା ପୂର୍ଣ୍ଣିମା ଇନ୍ଦୁ ଯେ

 

ନବରତ୍ନ ହାର, କର୍ଣ୍ଣକୁଣ୍ଡଳ, ସୁବର୍ଣ୍ଣବଳା ବାହୁବନ୍ଧ ଓ ରତ୍ନଘୁଂଘୁର ସହିତ କଟିରେ କ୍ଷୁଦ୍ରଘଣ୍ଟି ମଧ୍ୟ ଶୋଭାପାଇଲା । ଏଠାରେ କସ୍ତୁରୀ ବିନ୍ଦୁକୁ ପୁର୍ଣ୍ଣିମା ଇନ୍ଦୁ ସହିତ ତର୍କଣା କରାଯାଇଛି ଓ ଉତ୍‌ପ୍ରେକ୍ଷା ଅଳଙ୍କାର ସଂଘଟିତ ହୋଇଛି । ସୀତା ବନବାସ ୧୧ଶ ଛାନ୍ଦରେ ସୀତାଙ୍କୁ ନେଇ ଲକ୍ଷ୍ମଣ ବନକୁ ଯିବା ସମୟରେ ‘‘ଶ୍ରୀ ଅଙ୍ଗଶୋଭା, ଝଟକ ବିଜୁଳି ପରାୟେ ଶୋଭା’’ କମଳଲୋଚନ ଚଉତିଶାର ‘‘ଝୀନ ବସନ ଅଙ୍ଗେଶୋଭା, ଝଟକ ବିଦ୍ୟୁତ୍‌ ପ୍ରାୟ ଆଭା’’ର ସ୍ମରଣ କରାଇଦିଏ । ସେହି ‘‘ସୀତା ବନବାସ’’ର ବିଂଶତମ ଛାନ୍ଦରେ-

 

‘‘ବିଧିପୂର୍ବ କରି ମୁନି କହନ୍ତି ସୀତାଙ୍କୁ

ଏ ତୁମ୍ଭର ପୁତ୍ର ପ୍ରତିପାଳ ମାଗୋ ୟାକୁ ।’’ (ପୃ-୬୭)

 

ଏହା ବୈଦେହୀଶ ବିଳାସର ‘‘ଶ୍ରୀରାମଙ୍କ ଗଙ୍ଗାରେ ନୌଯାତ୍ରା’’ ଛାନ୍ଦ ସ୍ମରଣ କରାଇଦିଏ । ରାମ ଲକ୍ଷ୍ମଣ ଗଙ୍ଗାଙ୍କର ଭାଗୀରଥି ନାମ ହେବା ସମ୍ପର୍କୀୟ କାହାଣୀ ବିଶ୍ଵାମିତ୍ରଙ୍କଠାରୁ ଶୁଣିଛନ୍ତି ।

‘‘ବିଧିପୂର୍ବ କରି ଋଷି ସମସ୍ତ ଚରିତ ଭାଷି ତ୍ଵରିତ ତରୀତ ଯାଇ ଲାଗେ କୂଳର

ବିହାରୀ ହେଲେ ମାର୍ଗର ମାର୍ଗତା କମାଣ ଧର ମାର୍ଗଣ ଶୋଭା ଲେଶକୁ କନ୍ଦର୍ପ ଯାର

ବିଦେହମଣ୍ଡଳେ ପ୍ରବେଶ, ବାରବେନିପୁର ସାର ମୋହନ ପୁଂସ’’

 

ବକ୍ରୋକ୍ତି ଅଳଙ୍କାର କାବ୍ୟକୁ ଏକ ସ୍ଵତନ୍ତ୍ର ଚମକ ପ୍ରଦାନ କରିଥାଏ ଯଦି ବକ୍ତାର ଅଭିପ୍ରେତ ବାକ୍ୟକୁ ଶ୍ଳେଷ (ଅନ୍ୟ ସ୍ଵର ପରିବର୍ତ୍ତନ) ଯୋଗେ ଶ୍ରୋତା ଭିନ୍ନ ଅର୍ଥରେ ଗ୍ରହଣ କରେ ତେବେ ବକ୍ରୋକ୍ତି ଅଳଙ୍କାର ହୋଇଥାଏ ଜଗନ୍ନାଥ ପାଣିଙ୍କ ‘ଭୂତକେଳି’ରେ କୃଷ୍ଣ ରାଧାଙ୍କ ସହିତ ମିଳିତ ହେବା ଆଶାରେ ରଜନୀରେ ଆସି ନିଦ୍ରିତା ରାଧାଙ୍କୁ ଡାକିଛନ୍ତି-

 

ଅତି ଆରତେ ଆରତ ଭଞ୍ଜନ କେଶବ, ସଧାରେ କହନ୍ତି ମୁହିଁ ଡାକୁଛି ମାଧବ

ତ୍ରିପୁରମୋହିନୀ କହେ ଚକ୍ର ଚାତୁରୀରେ, ମାଧବତ ବସନ୍ତ କି କାର୍ଯ୍ୟ ମୋହଠାରେ

ରାଧାତର୍କ ବାଣୀ ଶୁଣି ଭୁବନ ସୁନ୍ଦର, ବୋଲନ୍ତି ବସନ୍ତ ମୁହିଁ ନୁହେଁ ଚକ୍ରଧର

‘‘ଚକ୍ରଧର କୁରାଳ ତ ଚକ୍ରକୁ ଭ୍ରମାଇ, ଏତେ ରାତ୍ରେ ମୋତେ ଡାକୁଅଛ କାହିଁପାଇଁ ।

(ଗ୍ରନ୍ଥାବଳୀ ୧ମ ଖଣ୍ଡ, ପୃ-୨୨୫)

 

ରୀତିକାଳୀନ କାବ୍ୟର ଅନେକ ବୈଚିତ୍ର୍ୟ ରହିଛି । ସେଥିମଧ୍ୟରୁ ବିଭିନ୍ନ ଯମକ ପ୍ରୟୋଗରେ ଜଗନ୍ନାଥ ପାଣି ଯଥେଷ୍ଟ କୃତିତ୍ୱ ପ୍ରଦର୍ଶନ କରିଛନ୍ତି । ଯେମିତି ‘‘ସୀତା ବନବାସ’ ରେ-

 

‘‘ଭାବ ଭାବନାରେ ଭବ ଶୁଭଦାୟୀ ସମ୍ଭବରେ ଅଛି ରହି

ମହିଳାବଚନେ ମହିମା ସାଗର ମହୀକୁ ଦେଲେ ଅନାଇ’’

(ସୀତା ବନବାସ ଗ୍ରନ୍ଥାବଳୀ- ୧ମ ଖଣ୍ଡ, ୬୩ ଛାନ୍ଦ, ପୃ୪୮)

 

ଆଦ୍ୟ ଯମକର ଅନ୍ୟ ଏକ ଉଦାହରଣ ‘ଲକ୍ଷ୍ମଣ ଶକ୍ତିଭେଦ’ ରେ-

 

ବୁଡ଼ିଲା ବୁଡ଼ିଲା କୁଳ ବୁଡ଼ିଲା ଏ ଲଙ୍କା

ପଡ଼ିଲା ପଡ଼ିଲା ପରମାଦ ହୁରି ଡକା

x      x      x      x

କରୁ କରୁ ମନା ସୀତା ଚଣ୍ଡୀକୁ ଆଣିଲ

ଧରୁ ଧରୁ କନ୍ଧରୁ ତ ଶିର ଛିଣ୍ଡାଇଲ

(ଗ୍ରନ୍ଥାବଳୀ, ୧ମ ଖଣ୍ଡ, ଲକ୍ଷ୍ମଣ ଶକ୍ତିଭେଦ-ପୃ ୧୯୭)

 

ଦୁଇଟି କାବ୍ୟାର୍ଥରେ ସାଦୃଶ୍ୟ ପ୍ରତୀୟମାନ ହୋଇ ସେଥିରେ ଥିବା ସାଧାରଣ ଧର୍ମ ଭିନ୍ନ ଭିନ୍ନ ଭାବରେ ପ୍ରକାଶିତ ହେଲେ ପ୍ରତିବସ୍ତୁପମା ଅଳଙ୍କାର ହୁଏ । ଏହି ପ୍ରତିବସ୍ତୁପମା ଅଳଙ୍କାରର ଉଦାହରଣ ‘ରୁକ୍ମିଣୀ ପରିଣୟ’ର ପ୍ରଥମ ଛାନ୍ଦରେ-

 

ଭୀଷ୍ମକ ରାଜନବରେ ଋକ୍ମିଣୀ ବଢ଼ଇ

ଜନକ ରାଜାର ଘରେ ଯେହ୍ନେ ବଇଦେହୀ

ବରୁଣ ଭୁବନେ ଯେହ୍ନେ ମହାଲକ୍ଷ୍ମୀ ଜାତ

ହେମବନ୍ତ ଘରେ ଦେବୀ ପାର୍ବତୀ ଯେମନ୍ତ

(ଗ୍ରନ୍ଥାବଳୀ- ୧ମ ଖଣ୍ଡ-ପୃ. ୧୪୪)

 

ଏଠାରେ ଜନ୍ମ ନେଇ ବଢ଼ିବା କଥାଟି ସାଧାରଣ ଧର୍ମ । ଭୀଷ୍ମକଙ୍କ ଗୃହରେ ରୁକ୍ମିଣୀ ବଢ଼ନ୍ତି ଯେଉଁଭଳି ଜନକଗୃହରେ ବୈଦେହୀ, ବରୁଣ ପୁରରେ ମହାଲକ୍ଷ୍ମୀ ଓ ହେମବନ୍ତ ପୁରରେ ପାର୍ବତୀ ଆଦର ଯତ୍ନରେ ବଢ଼ିଥିଲେ । ଏହି ସାଦୃଶ୍ୟ ନେଇ ପ୍ରତିବସ୍ତୁପମା ଅଳଙ୍କାର ହୋଇଅଛି ଯାହା ରୀତିକାଳୀନ କାବ୍ୟରେ ବହୁସ୍ଥାନରେ ପରିଲକ୍ଷିତ ହୋଇଥାଏ ।

 

ଅନୁପ୍ରାସ ଏଭଳି ଏକ ଅଳଙ୍କାର ଯାହା କାବ୍ୟକୁ ସ୍ମରଣଯୋଗ୍ୟ କରାଇବାରେ ସହାୟକ-। ଉଚ୍ଚାରଣରେ ଏହାର ସ୍ଵାତନ୍ତ୍ର୍ୟ ବାରି ହୋଇପଡ଼େ । ଛେକାନୁପ୍ରାସରେ ଗୋଟିଏ ଉଦାହରଣ ‘ମହୀରାବଣ ବଧ’ ଲୀଳା ନାଟକରୁ-

 

ଶୃଗାଳ ମାଳମାଳ ହୋଇ ଅକାଳ କାଳ ଅନଳ ନଳ ଉଦ୍‌ଗାରନ୍ତି

ଶବକୁ ଫାଳ ଫାଳ ଗୃଧ୍ର ହମ୍ପଳପଳ କବଳ ବଳରେ ପକାନ୍ତି

ସେ ମହାଗୋଳ, ଧରଣୀ କମ୍ପେ ଟଳମଳ

ରକ୍ତନଦୀ କଲ୍ଲୋଳ ଲୋଳ ଅତଳାତଳ ଭେଦି ବହଇ ଖଳଖଳ

(ଗ୍ରନ୍ଥାବଳୀ - ୧ମ ଖଣ୍ଡ- ପୃ-୧୧୭)

 

ଏହିଭଳି ଅନୁପ୍ରାସ ପ୍ରୟୋଗର ଶତାଧିକ ଉଦାହରଣ ଜଗନ୍ନାଥ ପାଣିଙ୍କର ଲୀଳା ନାଟକରେ ପରିଦୃଷ୍ଟ ହୋଇଥାଏ । ତାହାପରେ ଧରଣୀଧର -ବାସୁକୀ, ଖଗପତି-ଗରୁଡ଼, ଦେବରାଜ-ଇନ୍ଦ୍ର, ମନ୍ଦରଧର-କୂର୍ମ, ହରି-ହନୁମନ୍ତ, କୃଷ୍ଣ କୋକିଳ ଏହିଭଳି କୃଷ୍ଣଙ୍କର ବିବିଧ ନାମର ଭିନ୍ନ ଅର୍ଥ କରି ରାଧା ତାଙ୍କର ବିରହ ଜ୍ୱାଳା ବଢ଼ାଇଛନ୍ତି । ଉପମା ଅଳଙ୍କାରକୁ କିଭଳି ଲୋକକବି ପ୍ରୟୋଗ କରିଛନ୍ତି ତା’ର ଉଦାହରଣ- ‘ଋକ୍ମିଣୀ ପରିଣୟ’ରେ

 

ଭୃତ୍ତଙ୍ଗୀ ଭଙ୍ଗିମା ଯାର      କାମ କାର୍ମୁକ ପ୍ରକାର

ନୟନ ଖଜନ ଅଂଜନ ରଞ୍ଜନ ମୃଗକୁ କରେ ଧିକ୍‌କାର, ସେ ନାରୀବର

ମହିଳାମଣି ବଦନ            ରାକାଚନ୍ଦ୍ର ନୁହେଁସମ

ଦନ୍ତ ହୀରାପନ୍ତି ଗଳ ଗଜମୋତି ନାସିକା ତିଳସମାନ ସେ ଶୋଭାବନ

(ଗ୍ରନ୍ଥାବଳୀ ୧ମ ଖଣ୍ଡ - ପୃ - ୧୪୯)

 

ଏସବୁ ରୀତିକାଳୀନ - ପରିଚିତ ଉପମା ଯାହାକୁ ପାଣି ମହାଶୟ ଗ୍ରହଣ କରିଛନ୍ତି ।

 

ରୂପକ ଅଳଙ୍କାର ମଧ୍ୟ ଜଗନ୍ନାଥ ପାଣିଙ୍କର ଲୀଳା ନାଟକରେ ଅନେକତ୍ର ଦୃଷ୍ଟିଗୋଚର ହୋଇଥାଏ । ଯେଉଁଠାରେ କୌଣସି ଏକ ଉପମାନର ଆରୋପ ହୋଇ ଅନ୍ୟ ଆରୋପର କାରଣ ହୁଏ ତେବେ ରୂପକ ଅଳଙ୍କାର ହୁଏ । ରୂପକର ଏକ ଉଦାହରଣ ‘ମୀରାଚରିତ’ ରୁ :

 

‘‘କାଳିନ୍ଦୀ କମଳ କାନନେ କରୀବର ପରାୟେ

ମହାତେଜ ଅଗ୍ନି ଭିତରେ ମୀରା ସୁନ୍ଦରୀ ଯାଏ’’

(-ଗ୍ରନ୍ଥାବଳୀ ୧ମ ଖଣ୍ଡ, ପୃ-୩୬୭)

 

କାଳିନ୍ଦୀ କମଳ କାନନରେ କରୀବର ସଦୃଶ ମହାତେଜ ଅନ୍ନ ମଧ୍ୟରେ ମୀରାସୁନ୍ଦରୀଙ୍କ ଗମନ । ମୀରାସୁନ୍ଦରୀଙ୍କଠାରେ କରୀବରର ଆରୋପ ରୂପକ ଅଳଙ୍କାର ସୃଷ୍ଟି କରିଛି ।

 

‘ମହୀରାବଣ ବଧ’ରେ ଏହି ରୂପକ ଅଳଙ୍କାରର ଚମତ୍କାର ପ୍ରୟୋଗ ପରିଦୃଷ୍ଟ ହୁଏ । ରାବଣ ଓ ମନ୍ଦୋଦରୀର କଥୋପକଥନରେ ରାବଣ କହେ ଯେ, ତା’ ବଂଶର ପଦ୍ମବନକୁ ରାମରୂପକ ହିମଋତୁ ସମୂଳେ ବିନଷ୍ଟ କରିଦେଲେ । ଉତ୍ତରରେ ମନ୍ଦୋଦରୀ କହେ-

 

‘‘ପଦ୍ମପ୍ରିୟ ବଂଶୀ ରାମ ରାଜୀବଲୋଚନ

ସେ କିମ୍ପା ଦହିବେ ତୁମ୍ଭ ବଂଶ ପଦ୍ମବନ

ହେ ପ୍ରାଣଧନ, ସୀତା ଶୀତରତୁ କଲା ସମୂଳେ ଦହନ’’

(ଗ୍ରନ୍ଥାବଳୀ ୧ ମ ଖଣ୍ଡ ‘ମହୀରାବଣ ବଧ’- ପୃ. ୧୧୪)

 

ରାମ ପଦ୍ମପ୍ରିୟ ଅର୍ଥାତ୍‌ ସୂର୍ଯ୍ୟବଂଶୀ । ସେ ପଦ୍ମବନ ଦହନ କରିପାରିବେ ନାହିଁ, ବରଂ ସୀତାରୂପୀ ଶୀତଋତୁ ହିଁ ତୁମ ବଂଶନାଶର ହେତୁ । ଶୀତ ଋତୁରେ କାକର ପଡ଼ିଲେ ପଦ୍ମବନ ପୋଡ଼ିଯାଏ । ସୀତାରୂପକ ଶୀତଋତୁ ହିଁ ରାବଣ ବଂଶର ପଦ୍ମବନକୁ ନଷ୍ଟ କରି ଦେଇଛି ।

 

ମାଳୋପମାର ଗୋଟିଏ ଉଦାହରଣ ଆମେ ‘ଉଷାବତୀ ହରଣ’ରୁ ନେଇ ଆଲୋଚନା କରିବା । ଅନିରୁଦ୍ଧ ଗୋପନରେ ଉଷା ସହିତ ମିଳିତ ହୋଇଛି ବୋଲି ସମ୍ବାଦ ପାଇଁ ବାଣାସୁର ଧନୁଶର ଧରି କ୍ରୋଧଭର ହୋଇ ରୁଦ୍ଧ ଗୃହର ବଜ୍ର କିଳିଣୀକୁ ଭାଙ୍ଗି ଘରେ ପଶିଛି । ଏଠାରେ ଲୀଳାକାର ଲୋକକବିଙ୍କ ବିଚାର-

 

‘‘ବିକ୍ରମ କେଶରୀ କି ଦେଖିଲା ମତ୍ତହସ୍ତୀ

ଫଣୀ ଦେଖି ରୋଷେ ଯେହ୍ନେ ଧାଏଁ ଖଗପତି ।

ଶିଶୁ ମୃଗ ବ୍ୟାଘ୍ରମୁଖେ ପଡ଼ିଲା ପ୍ରକାର

ଅହିଗ୍ରାସେ ପଡ଼େ ଯଥା ଦୁର୍ବଳ ଦର୍ଦ୍ଦୁର ।

ସେହିପରି ଅନିରୁଦ୍ଧ ଅସୁର କବଳେ

ବୋଲେଁ ଜଗନ୍ନାଥ ପଡ଼େ କର୍ମର ଅବଳେ’’ ।

(ଗ୍ରନ୍ଥାବଳୀ ୧ମ ଖଣ୍ଡ, ପୃ-୩୨)

 

ଯେଉଁଭଳି ସିଂହ ମତ୍ତହସ୍ତୀକୁ ଦେଖି ରୋଷ କରେ, ଗରୁଡ଼ ସର୍ପକୁ ଦେଖି ଗର୍ଜନ କରେ, ଶିଶୁମୃଗ ଯେମିତି ବ୍ୟାଘ୍ର କବଳରେ ପଡ଼େ ଓ ସର୍ପ ଗ୍ରାସରେ ଦୁର୍ବଳ ବେଙ୍ଗ ଛଟପଟ ହୁଏ ସେହିଭଳି-। ଅନିରୁଦ୍ଧ ବାଣାସୁର କବଳରେ ପଡ଼ି ପ୍ରମାଦ ଗଣିଲା ।

 

ଯଦି ଗୋଟିଏ ବସ୍ତୁ ବିନା (ଅଭାବରେ) କୌଣସି ବସ୍ତୁର ଅଶୋଭନୀୟ/ ଶୋଭନୀୟ ବୋଧହୁଏ ତେବେ ସେଠାରେ ବିଦୋକ୍ତି ଅଳଙ୍କାର ହୋଇଥାଏ । ରାମଚନ୍ଦ୍ରଙ୍କ ବିନା ସୀତାଙ୍କ ପକ୍ଷରେ ସମଗ୍ର ବିଶ୍ଵ ନିରସ ମନେ ହୋଇଥାଏ ଓ ସୀତାଙ୍କ ବିହୁନେ ରାମଚନ୍ଦ୍ରଙ୍କ ଦୁଃଖ ଅସୀମ ମନେହୁଏ । ସେହିଭଳି ଜଗନ୍ନାଥ ପାଣିଙ୍କ ‘ଦକ୍ଷ ଯଜ୍ଞ’ରେ ଯଜ୍ଞକୁଣ୍ଡକୁ ଡେଇଁ ଦେବୀ ସତୀ ଦଗ୍ଧ ହୋଇଯିବା ସମ୍ବାଦ ଶୁଣି ଜଗତକର୍ତ୍ତା ଶିବ ବ୍ୟାକୁଳ ହୋଇଛନ୍ତି ।

 

‘‘ଆଳପ କଥାରେ କଳପ ଲତାରେ ଜୀବନ ଦେଲୁ ହରାଇ

ମୁଁ ତୋର ଅର୍ଦ୍ଧାଙ୍ଗ ପରା ସଙ୍ଗଭଙ୍ଗ କରିଗଲୁ କାହିପାଇଁ ।

ଆରେ ପରମ ସତୀ

କାଳକାଳକୁ ରଖିଲୁ କୀର୍ତ୍ତି ।

ଦୁର୍ଗତିନାଶିନୀ ଦୁର୍ଗା ଦୁର୍ଗମରେ ଏ ଦୁର୍ଗତି ଆଣିଦେଲୁ

ଦରିଦ୍ର ବୋଲି କି ଦାରିଦ୍ର୍ୟ ବରନା ବାଟରେ ବସାଇ ଗଲୁ

ଆରେ ଲାବଣ୍ୟନିଧି

ଆଉ ନ ଦିଶଇ ମୋତେ ବୁଦ୍ଧି ॥’’

(ଗ୍ରନ୍ଥାବଳୀ ୧ମ ଖଣ୍ଡ, ପୃ. ୧୯୨-୧୯୩)

 

ସତେ ଯେପରି ଦେବୀ ସତୀଙ୍କ ବିହୁନେ ଶିବଙ୍କର ବଞ୍ଚିବା କଷ୍ଟକର । ସେଥିପାଇଁ ତାଙ୍କର ଅନୁଶୋଚନା ମଧ୍ୟ ଯଥେଷ୍ଟ । କାରଣ ପତ୍ନୀ ହୋଇ ମଧ୍ୟ ପିତା ଘରକୁ ବିନା ନିମନ୍ତ୍ରଣରେ ଯିବା ପାଇଁ ସେ ତାଙ୍କ ବାରଣକୁ ମାନିଲେ ନାହିଁ । ଫଳରେ ସେ ବିନା କାରଣରେ ମୃତ୍ୟୁମୁଖରେ ପଡ଼ିଲେ ଓ ଭଗବାନ ଶିବଙ୍କୁ ନିଃସଙ୍ଗ କରିଦେଲେ।

 

ରୀତିକାବ୍ୟରେ ଅଳଙ୍କାରର ସୁଷମ ସଂଯୋଗ ସହିତ ରସ ବକ୍ରୋକ୍ତି, ଗୁଣ ଓ ଔଚିତ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ଅଧିକାରୀ । ରୀତିକବି ବହୁଶାସ୍ତ୍ରଦର୍ଶୀ । ପ୍ରାଚୀନ କାବ୍ୟ ପୁରାଣ, ଇତିହାସଠାରୁ ବ୍ୟାକରଣ ପ୍ରଭୃତିରେ ସେ ଅବଗାହୀ । ପୁଣି ହାସ୍ୟ କରୁଣ, ରୌଦ୍ର, ଶୃଙ୍ଗାର ଓ ଶାନ୍ତରସର ପ୍ରୟୋଗରେ ମଧ୍ୟ ସେ ଧୁରୀଣ । ଲୀଳାନାଟକ ସର୍ବଥା ଦୃଶ୍ୟକାବ୍ୟ । ତେଣୁ ସେଥିରେ କାରୁଣ୍ୟ ଓ ହାସ୍ୟବ୍ୟଙ୍ଗର ସ୍ଥାନ ଗୁରୁତ୍ୱପୂର୍ଣ୍ଣ, ଯଦିଚ ଶୃଙ୍ଗାର ରସର ପ୍ରୟୋଗରେ ଜଗନ୍ନାଥ ପାଣି ଆଦୌ ସଙ୍କୋଚ କରିନାହାନ୍ତି, ବେଳେବେଳେ ତାହା ଅଶ୍ଳୀଳତା ଦୋଷଦୁଷ୍ଟ ଭଳି ପ୍ରତୀୟମାନ ହୋଇଛି । କିନ୍ତୁ ରୀତିକାଳୀନ କାବ୍ୟର ମାନଦଣ୍ଡରେ ଏଗୁଡ଼ିକ ସ୍ଵାଭାବିକ । ବିଶେଷକରି ପ୍ରାଚୀନ ଲୀଳାଗୁଡ଼ିକରେ ମଧ୍ୟ ଏତାଦୃଶ ପ୍ରୟୋଗ ଦୃଷ୍ଟିଗୋଚର ହୋଇଥାଏ । (ଯେଉଁଥିପାଇଁ ‘ଉତ୍କଳ ଦୀପିକା’ରେ ପ୍ରାଚୀନ ଯାତ୍ରାକୁ ସମାଲୋଚନା କରାଯାଇଥିଲା ।)

 

କାଳ୍ପନିକତା ମଧ୍ୟ ରୀତିକାବ୍ୟର ଅନ୍ୟ ଏକ ଗୁଣ । କଳ୍ପନାର ଶେଷ ସ୍ତର ପର୍ଯ୍ୟନ୍ତ ଯାଇ ରୀତିକବିମାନେ ଅସଂଖ୍ୟ, ଅର୍ବୁଦ, କୋଟି ଭଳି ସଂଖ୍ୟା ପ୍ରୟୋଗ କରିଛନ୍ତି । ମର୍କତବାଡ଼, ନବକୋଟି, ବଜ୍ର, ଇନ୍ଦ୍ରନୀଳମଣି ଖଚିତ ଅଳଙ୍କାର, ମଣିମୟ ଚକ୍ର, ଦ୍ଵାଦଶ ଯୋଜନ ବନ, ଛତିଶି ସହସ୍ର ସେନା, ବାଉନ କୋଟି ଭଣ୍ଡାର ଭଳି ଅନେକ ପ୍ରୟୋଗ ଏହି ଲୀଳାନାଟକରେ ଦେଖିବାକୁ ମିଳିଥାଏ । ଏଥିସହିତ ଯେଉଁଠି ସେ ସୁଯୋଗ ପାଇଛନ୍ତି ସେଠାରେ ବିଭିନ୍ନ ଦେବତାଙ୍କୁ ସ୍ତୁତି କରିଛନ୍ତି । ଜାତିବର୍ଣ୍ଣର ଉର୍ଦ୍ଧ୍ୱରେ ଯାତ୍ରା ନାଟକ ସବୁ ଶ୍ରେଣୀର ଲୋକଙ୍କର ମନୋରଞ୍ଜନ ପାଇଁ ଅଭିପ୍ରେତ । ତେଣୁ ଧର୍ମୀୟ ଉଦାରତା ଦେଖାଇ ଜଗନ୍ନାଥ ପାଣି କେବେ କାଳୀ, ଚଣ୍ଡୀ, ଦୁର୍ଗାଦେବୀ, ଶିବ, କୃଷ୍ଣ ପ୍ରଭୃତିଙ୍କର ସ୍ତୁତି କରିଛନ୍ତି । ଏହି ସ୍ତୁତି ସମୟରେ ସେ ମୁଖ୍ୟତଃ ସଂସ୍କୃତ ଶ୍ଳୋକର ସ୍ଥାନୀୟ ପ୍ରୟୋଗ ଉପରେ ଗୁରୁତ୍ୱ ଦେଇଛନ୍ତି । ସେହିଭଳି ଯୁଦ୍ଧ କ୍ଷେତ୍ରର ଭୟାବହତା ପ୍ରଦର୍ଶନ କରିବା ଓ ବିଭିନ୍ନ ଲୁପ୍ତପ୍ରାୟ ଓଡ଼ିଆ ଖାନାର ତାଲିକା ପ୍ରସ୍ତୁତ କରି ଗର୍ଭବତୀ ରାଣୀଙ୍କର ମନସାଧ ପୂରଣ କରିବା ମଧ୍ୟ ତାଙ୍କ ସୃଷ୍ଟିରେ ଏକାଧିକ ବାର ଦେଖବାକୁ ମିଳିଥାଏ । ହାସ୍ୟ ବ୍ୟଙ୍ଗର ଦିଗଟି ମଧ୍ୟ ତାଙ୍କର ବେଶ୍‌ ଆକର୍ଷଣୀୟ ।

 

ଦୂତ ଭଳି ଚରିତ୍ର ମାଧ୍ୟମରେ ସେ ହାସ୍ୟରସ ପ୍ରୟୋଗ କରିଛନ୍ତି । କେବେ ସେମାନଙ୍କର ଚାଲିଚଳଣ କେବେ କଥାବାର୍ତ୍ତା ମାଧ୍ୟମରେ ଗୁରୁତ୍ଵପୂର୍ଣ୍ଣ ପରିବେଶ ମଧ୍ୟ ହାଲୁକା ହୋଇଯାଇଛି । କେବେ ସଂସ୍କୃତାୟିତ କ୍ଲିଷ୍ଟ ଶବ୍ଦର ରୂପ ମଧ୍ୟ ବଦଳିଯାଇଛି । ଯେମିତି ଯଜ୍ଞ-ଯାଗ, ଭାଙ୍ଗି-ଭାଞ୍ଜି, କନିଷ୍ଠ-କନେଷ୍ଠ, ଶ୍ରୀମତ୍ସ୍ୟ-ଶ୍ରୀମଚ୍ଛ, ସହୋଦର- ସହୋଦ୍ର, ଭୈରବ-ଭଇରୋବ, ଆକର୍ଷି-ଆକ୍ରୋଶି, ଯୋଗିନୀ-ଯୋଗିଆଣୀ, କାଳନେମୀ- କାଳନଉମୀ ପ୍ରଭୃତି ।

 

ରୀତିକାଳୀନ କାବ୍ୟରେ ବିଶେଷଣ ପ୍ରୟୋଗ ଯଥେଷ୍ଟ ମାତ୍ର ସେସବୁ ପାରମ୍ପରିକ ବିଶେଷଣ, ଯେଉଁଭଳି ଚନ୍ଦ୍ରମାପରାୟେ ପୁତ୍ର, ଶୀତାଂଶୁବଦନୀ ସୀତା, ମଣିହରା ଫଣୀପ୍ରାୟେ, କାମକେଳି କଳ୍ପଲତା, କମଳା ହୃଦୟ ଚନ୍ଦନ, ପ୍ରୀତି ଅନୁରାଗୀ ରାଧା, କଳାଚାନ୍ଦ ହସ, ରସିକ ସିନ୍ଧୁ ସୁଧାଚନ୍ଦ୍ର, କରକରଦନା, ଦୁର୍ବାଦଳ ଶ୍ୟାମରାମ, ତୈଲୋକ୍ୟ ମୋହିନୀ ରାଧା ପ୍ରଭୃତି । ଏଥିସହିତ ଲୋକପ୍ରଚଳିତ ଅଣପାରମ୍ପରିକ ବିଶେଷଣ ହେଉଛି-କଳାପୋଡ଼ା, ବୋକାଟୋକା, ଝୁରୁଝୁରୁ ମୁଣ୍ଡନ ବାରବୁଲି ଗଉରୀ, ପୁରୁଷ ଭଣ୍ଡାର ଚାମୁଣ୍ଡାଇ ପ୍ରଭୃତି । ସେହିଭଳି ସମ୍ବୋଧନରେ ଘନଜଘନା, ନାଗରୀବର, ପ୍ରାଣଧନ, ଜୀବଜୀବନ, ପ୍ରାଣସଜନୀ, ରାମାରତନ, ବୀରବର, ଘନସୁନ୍ଦର, ରଙ୍କୁଣୀନିଧି, ଦୁଃଖୀସଙ୍ଖାଳି, କୁଳରତନ, ହରିଣନୟନୀ, ଚାନ୍ଦମୁହିଁ, ସୁମୁଖୀ, ଗୁଣମଣି, କୁଳସୁନ୍ଦର ଭଳି ପ୍ରଚଳିତ ଶତାଧିକ ବିଶେଷଣ ଜଗନ୍ନାଥ ପାଣି ପ୍ରୟୋଗ କରିଛନ୍ତି ।

 

ଲୀଳାନାଟ୍ୟ ପରେ ଜଗନ୍ନାଥ ପାଣିଙ୍କର କାବ୍ୟ, ଚୌପଦୀ, ଜଣାଣ, କୋଇଲି ପ୍ରଭୃତିରେ ମଧ୍ୟ ରୀତିକାବ୍ୟଦର୍ଶ ସ୍ଵାଭାବିକ ଭାବେ ପ୍ରତିଫଳିତ । ତାଙ୍କର କାବ୍ୟ ଶ୍ରୀଗୁଣ୍ଡିଚା ବିଜେ ଓ ପ୍ରମୋଦ ଚନ୍ଦ୍ରମଣି ପ୍ରଥମେ ଆଲୋଚନା କରାଯିବ । ୭ ଛାନ୍ଦ ବିଶିଷ୍ଟ ଶ୍ରୀଗୁଣ୍ଡିଚା ବିଜେରେ ଶ୍ରୀ ଜଗନ୍ନାଥ ବାହୁଡ଼ା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ଓ ଲକ୍ଷ୍ମୀଙ୍କର ଅଭିମାନ ବର୍ଣ୍ଣିତ । ଅଭିମାନିନୀ ଲକ୍ଷ୍ମୀଙ୍କୁ ବିମଳା ଜଗନ୍ନାଥ ବଳଭଦ୍ର ଭଗିନୀଙ୍କ ସହିତ ଶ୍ରୀମନ୍ଦିରକୁ ଫେରିବାର ବାର୍ତ୍ତା ଦେଇଛନ୍ତି । ମହାଲକ୍ଷ୍ମୀ ଅଭିମାନରେ ମନ୍ଦିର ଦ୍ଵାର ରୁଦ୍ଧ କରିଛନ୍ତି । ପ୍ରଭୁ ତାଙ୍କର ମାନଭଞ୍ଜନ କରି ତାଙ୍କ ଅଭିମାନ ଭାଙ୍ଗିଛନ୍ତି । ଉପେନ୍ଦ୍ର ଭଞ୍ଜ, ‘କୋଟିବ୍ରହ୍ମାଣ୍ଡ ସୁନ୍ଦରୀ’ରେ ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥଙ୍କର ଯେଉଁଭଳି ଭବ୍ୟ ବର୍ଣ୍ଣନା କରିଛନ୍ତି, ‘ଶ୍ରୀ ଗୁଣ୍ଡିଚା ବିଜେ’ରେ ମଧ୍ୟ ଅନୁରୂପ ବର୍ଣ୍ଣନା ସ୍ଥାନିତ । ଦୀନକୃଷ୍ଣଙ୍କର ‘ଜୟ ଜୟ ଜଗନ୍ନାଥ ନୀଳଗିରିପତି’ର ସିଧାସଳଖ ପ୍ରଭାବ ।

 

‘‘ଜଗନ୍ନାଥ ଦାସ ନୀଳଗିରି ରାୟେ, ଜୟ ଜଗମୋହନ ହେ ଗୁଣ୍ଡିଚା ବିଜୟେ’’- (ଜଗନ୍ନାଥ ପାଣି ଗ୍ରନ୍ଥାବଳୀ ୨ୟ ଖଣ୍ଡ-ପୃ ୪୩) । ଏହି କାବ୍ୟ ଶ୍ରୀ ଗୁଣ୍ଡିଚା ବିଜେ ମଧ୍ୟ ବିଭିନ୍ନ ରାଗରାଗିଣୀଯୁକ୍ତ ଏବଂ ନାନାଦି ଅଳଙ୍କାର ବିମଣ୍ଡତ।’’

 

‘‘ପ୍ରମୋଦ ଚନ୍ଦ୍ରମଣି’’ ୩୪ ଛାନ୍ଦ ବିଶିଷ୍ଟ ଗ୍ରନ୍ଥ । ଏଥିରେ କ’ ଠାରୁ କ୍ଷ ଚଉତିଶାକ୍ରମ ପରିଲକ୍ଷିତ ହୁଏ । ଶାନ୍ତନୁ ଗଙ୍ଗାଙ୍କ ବିବାହଠାରୁ ଆରମ୍ଭ କରି ସମଗ୍ର ମହାଭାରତ ଏହି ଚଉତିରିଶି ଛାନ୍ଦ ଭିତରେ ଗୁନ୍ଥା ହୋଇଛି । ଏଥିରେ ରୀତିକାଳୀନ ଅଳଙ୍କାର ଓ ଛାନ୍ଦ ଅତ୍ୟନ୍ତ ସୂନ୍ଦରଭାବରେ ବ୍ୟବହୃତ ହୋଇଅଛି । ସିଂହାବଲୋକନ, ଚକ୍ର, ବିରୋଧାଭାସ, ଯମକ, ଚକ୍ରଶୃଙ୍ଖଳା, ଆଦ୍ୟପ୍ରାନ୍ତ ଯମକ, ଶ୍ଲୋଷ ସହିତ ଚୋଖି, ଶଙ୍କରାଭରଣ, କାମୋଦୀ, ଦେଶାକ୍ଷ, ବଙ୍ଗଳାଶ୍ରୀ, ବସନ୍ତ, ମାଳବ, ବସନ୍ତବିରାଡ଼ି ପ୍ରଭୃତି ପରିବେଷିତ ହୋଇଅଛି । ମଧ୍ୟ ଯମକର ଏକ ଉଦାହରଣ-

 

‘‘ଅନ୍ତଃପୃରେ ବର ବର ବରନୀକି ବାମା ନେଲେ ଜୂତ ଖେଳେଣ’’

(ଜ.ପା. ଗ୍ରନ୍ଥାବଳୀ ୨ୟ ଖଣ୍ଡ, ପୃ-୧୬୩)

 

ରୀତିକାଳୀନ ବର୍ଣ୍ଣନା ‘‘ଗୀର୍ବାଣରୂପେ ନିର୍ବାଣ ସାରୂପକୁ ଦେଇ’’ର ଅନୁରୂପ ‘ଗୀର୍ବାଣବାଣ ମଗଧ ଇନ୍ଦ୍ରରଣେ ସଜ’ (ପୃ ୮୪), ‘ବୈଦେହୀଶବିଳାସ’ର ‘ବିଷ୍ଣୁପଦୀ ବିଷ୍ଣୁପଦ’ ଛାନ୍ଦ ସଦୃଶ ‘ପ୍ରମୋଦ ଚନ୍ଦ୍ରମଣି’ରେ ‘ବିଷ୍ଣୁପଦୀ ସୁତ ଅନ୍ତେ ପାତୁବେ’ (ପୃ:୨୪୧) । ସେହିପରି ବନ୍ଦଇ ଦୀନବାନ୍ଧବ ହରି, ଯେ ତମଚକ୍ର ଖଣ୍ଡନକାରୀ’ର ପ୍ରତିଧ୍ୱନି ଜୟ ହେ ଦୀନବାନ୍ଧବ ହରି (ପୃ: ୧୨୯) ପ୍ରଭୃତି ଜଗନ୍ନାଥଙ୍କର ରୀତିକାବ୍ୟ ଉପଲବ୍ଧିର ଫଳଶ୍ରୁତି ।

 

‘ବୈଦେହୀଶ ବିଳାସ’ରେ ‘ବ’ ଆଦ୍ୟରେ ରଖିବାକୁ ଯାଇ ଉପେନ୍ଦ୍ର ଭଞ୍ଜ ‘ବୀରବେନିପୁରସାର’ ଅର୍ଥାତ୍‌ ଚଉଦଭୁବନସାର କଥା କହିଛନ୍ତି । ଶ୍ରୀରାମଙ୍କର ଗଙ୍ଗାରେ ନୌଯାତ୍ରା ପରେ ବୀରବେନିପୁରସାର ମୋହନ ପୁଂସ ମିଥିଳାରେ ଉପଗତ ହୋଇଛନ୍ତି । ଅନୁରୂପ ଭାବରେ ଜଗନ୍ନାଥ ପାଣି ‘ବ’ ଆଦ୍ୟରେ ରଖି ପ୍ରମୋଦ ଚନ୍ଦ୍ରମଣିର ଛାନ୍ଦ ବିଧାନ କାଳରେ ‘କାରବେନି ଭୁବନ ବୀର’ (ପୃ ୨୧୨) ଶବ୍ଦ ପ୍ରୟୋଗ କରିଛନ୍ତି ।

 

ପଞ୍ଚବିଂଶ ଛାନ୍ଦରେ ମାରକ ଚକ୍ର ସିଂଘାବଲୋକନ, ଆଦ୍ୟ ଯମକ, ମଧ୍ୟଯମକ, ପ୍ରାନ୍ତଯମକ, ଆଦ୍ୟପ୍ରାନ୍ତ ଯମକ, ମଧ୍ୟପ୍ରାନ୍ତ ଯମକ, ରୋଷ୍ଠକ, ଅବନା, ଯୋଡ଼ି ଯମକ, ବିରୋଧାଭାସ, ଗୋମୂତ୍ର ଛାନ୍ଦ, ଅବିଲୋମ ବିଲୋମ, ମେଷଯୁଦ୍ଧ, ସର୍ବନାମକ, ଶରବନ୍ଧ ଭଳି ରୀତିକାଳୀନ କ୍ଲିଷ୍ଟ ପ୍ରୟୋଗମାନ କରିଛନ୍ତି । ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ଜଗନ୍ନାଥ ପାଣି ରୀତିକାଳୀନ କାବ୍ୟ ପରମ୍ପରା ସହିତ କେବଳ ପରିଚିତ ନ ଥିଲେ ସେ ଥିଲେ ରୀତି ପରମ୍ପରାର ଅବଗାହୀ ।

 

ରସ ପରିବେଷଣରେ ମଧ୍ୟ ରୀତିକାଳୀନ କାବ୍ୟ ପରମ୍ପରାର ସେ ଦାୟାଦଭାବେ ପାଠକ ଆଗରେ ଉଭା ହୁଅନ୍ତି । ଶୃଙ୍ଗାର ରସର ବିବିଧ ବର୍ଣ୍ଣନା ଏଥିରେ ଦୃଷ୍ଟିଗୋଚର ହୁଏ । ଏପରିକି ସମ୍ଭୋଗ ଶୃଙ୍ଗାରର ବର୍ଣ୍ଣନା ମଧ୍ୟ ପରିବେଷିତ ହୋଇଛି । ବୀର ରସର ଉଦାହରଣ-

 

‘‘ଭ୍ରମାରଣ ନେତ୍ର ବୋଲେ ବାହୁ ପୁତ୍ର ରେ ସେ କୌରବ ପାମର

ଭୁବନ ଚଉଦେ କେ ତୋତେ ରଖିବ ଆସି ରଖି ହଳଧରରେ

ଭାବ, ଭୟ ୟେକାଳେ ରଖି ବାସେବ ।।

(ଜ.ପ୍ରା.ଗ୍ର. ୨ୟ ଖଣ୍ଡ, ପୃ-୨୧୭)

 

‘ପ୍ରମୋଦ ଚନ୍ଦ୍ରମଣି’ରେ ଏକବିଂଶ ଛାନ୍ଦରେ ଅଭିମନ୍ୟୁ ବଧକାଳୀନ ବର୍ଣ୍ଣନା ପ୍ରଦତ୍ତ । ଏଥିରେ କରୁଣରସର ପ୍ରବାହ ଏହିଭଳି ପରିକଳ୍ପିତ । ଅଭିମନ୍ୟୁ ହତ ହେବାର ସମ୍ବାଦ ପାଇ ଯୁଧିଷ୍ଠିର ବ୍ୟାକୁଳ-

 

ପ୍ରାବୃଟ ସୁତ ହତ ଶୁଣି ଯୁଧେଷ୍ଟି, ପଡ଼ିଲେ ଜଗତୀରୁ ମହୀରେ ଲୋଟି

ପାରୁଶେ ପାରୁଶଦ ଗଣେ ଯେ ଥିଲେ, ପୟର ନୀର ସିଞ୍ଚି ସଚେତ କଲେ ଯେ ।

 

ଭଦ୍ରା ଓ ଉତ୍ତରାଙ୍କର କ୍ରନ୍ଦନ ରୋଳ ମଧ୍ୟରେ କରୁଣରସର ପ୍ରବାହ ବେଶ୍‌ ହୃଦୟସ୍ପର୍ଶୀ । ‘ପ୍ରମୋଦ ଚନ୍ଦ୍ରମଣି’ ରୀତିକାଳୀନ କାବ୍ୟ ପରମ୍ପରାର ସାର୍ଥକ ଉଦାହରଣ । ଏହାର ସ୍ରଷ୍ଟା ଲୋକକବି ଜଗନ୍ନାଥ ପାଣି ଓଡ଼ିଶାର ପ୍ରାଚୀନ ପରମ୍ପରା ସହିତ କେବଳ ସଂପୃକ୍ତ ନୁହଁନ୍ତି ସେ ସମ୍ପର୍କରେ ଅବଗାହୀ । ନଚେତ୍‌ ସେ ଊନବିଂଶ ଶତାବ୍ଦୀର ପୂର୍ବାର୍ଦ୍ଧରେ ଏ ଧରଣର କାବ୍ୟ ଲେଖିବା ପାଇଁ ଆଗ୍ରହ କରିବା ସମ୍ଭବ ହୋଇନଥାନ୍ତା । ରୀତିକାଳୀନ କବିମାନେ ରାଜ୍ୟର ଐଶ୍ୱର୍ଯ୍ୟ ବର୍ଣ୍ଣନା ଦେବା ସମୟରେ ସେ ରାଜ୍ୟକୁ କାଳ୍ପନିକ ସ୍ତରକୁ ନେଇଯାଆନ୍ତି । ଯେମିତି ଶବରୀ ଅରଣ୍ୟକୁ ଯାଇ କୋଳି ସହିତ ଗଜମୋତି ଆଣନ୍ତି ମାତ୍ର ଗଜମୋତି ବିକ୍ରି ହେବ ନାହିଁ ବୋଲି ଫିଙ୍ଗି ଦିଅନ୍ତି । ବାରୁଣାବନ୍ତରେ ଯୁଧିଷ୍ଠିର ରାଜା ହେବା ପରେ ରାଜ୍ୟର ସର୍ବବିଧ ଉନ୍ନତି ହୋଇଛି । ସେ ଦେଶରେ ସମସ୍ତେ ଧାର୍ମିକ । ସମସ୍ତେ ବିଦ୍ୟାବନ୍ତ ତଥା ଦାନଶୀଳ । ସିନ୍ଧୁ ଜାତିର ଅଶ୍ଵ ଓ ମୋତି ଥିବା ହସ୍ତୀମାନେ ପ୍ରତି ଘରେ ଦେଖାଯାଆନ୍ତି ।

 

‘‘ଶବରୀ ବଦରୀ ବୋଲି ଗଜମୋତି ବହୁ ଆଣିନ୍ୟନ୍ତି ଦେଶେ

ସାଧୁ ସେ ଯୁଧେଷ୍ଠି ଭାଗ୍ୟବନ୍ତପଣ କବି ଜଗନ୍ନାଥ ଭାଷେ ।।’’

(ଜ.ପା. ଗ୍ରନ୍ଥାବଳୀ-୨ୟ ଖଣ୍ଡ ୨୫୦)

 

ରୀତିକାଳୀନ କାବ୍ୟରେ ଆମେ କଳ୍ପନାର ଉର୍ଦ୍ଧ୍ୱଉଡ଼ାଣ ଦେଖି ଚକିତ ହେଉ । କେତେବେଳେ ନାୟିକା ପାଲଟିଯାଏ କଳ୍ପନାର ଦେବୀ ଓ କେବେ ସାଧାରଣ ବର୍ଣ୍ଣନା ଅସାଧାରଣ ଭାବେ ଦୃଷ୍ଟିକୁ ଆସେ । ସେହିଭଳି ସଂସ୍କୃତାୟିତ ଦୀର୍ଘ ସମାସନିଷ୍ପନ୍ନ ପଦ ସଂଯୋଜନାରେ ଜଗନ୍ନାଥ ପାଣି ଥିଲେ ଯଶସ୍ଵୀ । ଏହି କାବ୍ୟର ‘ଗ’ ଅର୍ଥାତ୍‌ ତୃତୀୟ ଛାନ୍ଦରେ ଅନୁପ୍ରାସର ଏକ ଉଦାହରଣ ଏହିଭଳି-

 

ଗଳିନାସାନଥ ମନମଥ ଚକ୍ର କି ସେ

ଗଣି ଅଳଙ୍କାର ମଣିହାର ଅଂଗ ଦେଶେ

ଗାର ଲାକ୍ଷା ପାଦ ରୁହେ

ଗମନ ବାସେ ଭ୍ରମନ୍ତି ଭ୍ରମରମାଳାୟେ ।

(ଜ.ପା ଗ୍ରନ୍ଥାବଳୀ-୨ୟ ଖଣ୍ଡ- ପୃ ୭୬)

 

‘ବ୍ରଜ ମନୋହର’ କାବ୍ୟରେ କୃଷ୍ଣଙ୍କର ଶୈଶବ ଓ କଂସବଧର କାହାଣୀ ବର୍ଣ୍ଣିତ । ରୀତିକାବ୍ୟ ରସକଲ୍ଲୋଳର ‘‘କଉତାପ କୁଳେଭାସୀ ହୋଇଧରଣୀ ସୁନ୍ଦରୀ’’ର ଅନୁରୂପ ପଦ ବ୍ରଜ ମନୋହର’ ରେ-

 

ଦନୁଜ କୁଳରେ ଚିନ୍ତା ଲଭି ଅବନୀ ବନିତା

ଶୋକଭର ହୋଇ ବିଧାତାରେ ଜଣାଇ

(ଜ.ପା. ଗ୍ରନ୍ଥାବଳୀ-୨ୟ, ପୃ-୩୫୨)

 

ଏହିଭଳି ‘ମଥୁରା ମଙ୍ଗଳ’ରେ ମଧ କ୍ଷୀରାର୍ଣ୍ଣବରୁ ଉତଥିତ ହୋଇ ବିଷ୍ଣୁ ଦେବଗଣଙ୍କୁ ବ୍ରଜଧାମରେ ଜନ୍ମଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 

‘ବ୍ରଜ ମନୋହର’ର ଦ୍ୱିତୀୟ ଛାନ୍ଦରେ କୃଷ୍ଣଜନ୍ମକାଳୀନ ବର୍ଣ୍ଣନା-

 

କମଳ ନାଭ କମଳ ନାଭି କି ଛେଦି କମଳ

ମୁଖୀ କମଳ ସୁବାସେ ବିହିଲେ ସ୍ନାନ

କମଳାଣ ବାସେ ପୋଛିଣ

ଧୂପ ଧର୍ମ ମଳୟାଗ୍ନି କଲେ ରୋପଣ ।

(ଜ.ପା.ଗ୍ର ୨ୟ ଖଣ୍ଡ, ପୃ ୩୫୫)

 

ଏହି ପଦଟି ଉପେନ୍ଦ୍ର ଭଂଜଙ୍କର ‘ଶ୍ରୀମତୀ ଶ୍ରୀପତି ବୃନ୍ଦାବନେ କେଳି ରଚିଲେ’ର ଅନୁରୂପ-

 

କମଳ ଦେଶେ କମଳ କମଳେ କମଳ ମାଳ

କମଳମୁଖୀ କମଳ କମଳରେ ମାତିଲେ

(ପ୍ରାଚୀନ କବିତା ସମ୍ଭାର, ପୃ-୪୪୦, ସଂ. ପ୍ର. ଯତୀନ୍ଦ୍ରମୋହନ ମହାନ୍ତି)

 

ଏହି କାବ୍ୟରେ ଅନ୍ୟତ୍ର ଉତ୍‌ପ୍ରେକ୍ଷା ଅଳଙ୍କାରର ଏକାଧିକ ଉଦାହରଣ ଏହିଭଳି । କାହା ଅପଘନକୁ ଦେଖି ବିଦ୍ୟୁତ୍‌ଲତା ଲୁଚିଛି । ଭୃଭଂଗ ଚାହିଁ ବାମଦେବଙ୍କ ଧନୁ ଲଜ୍ଜା ଅନୁଭବ କରିଛି । କାହାର ବାହୁଦଣ୍ଡକୁ ଦେଖି ମୃଣାଳ କଣ୍ଟକିତ । ଅଧର ଦେଖି ଅରୁଣ ସନ୍ତାପିତ, ବାଣୀ ଶୁଣି ବୀଣା ଲଜ୍ଜିତ ଓ କୋଇଲି ମଧ୍ୟ ଦୁଃଖିତ । ବାମାର ମନ୍ଦହାସ ଦେଖି ଚନ୍ଦ୍ର କୃଶତର ହୋଇଛି ପୁଣି ଔଦାର୍ଯ୍ୟକୁ ଚାହିଁ ସ୍ଥାବର ଓ ଗାମ୍ଭୀର୍ଯ୍ୟକୁ ଚାହିଁ ସମୁଦ୍ରର ଗମ୍ଭୀରତା ଉଚ୍ଛନ୍ନ ହେବାର ଉଲ୍ଲେଖ ଦୃଶ୍ୟମାନ ବସ୍ତୁରୁ ଅନୁଭବୀ ଗୁଣକୁ ଉନ୍ନୀତ ହୋଇପାରିଛି । ୧୨ଶ ଛାନ୍ଦର ‘‘ଦୂତୀ ଗୋ କହିଚୁ ନାଗରୀ ବରକୁ, କହିଚୁ ସେ ପ୍ରାଣବନ୍ଧୁକୁ ପ୍ରଭୃତିର ଉଲ୍ଲେକ ଆମକୁ ଭକ୍ତଚରଣଙ୍କ ‘ମଥୁରାମଙ୍ଗଳ’ର ‘‘ଉଦ୍ଧବ କହିବଟି ଗୋପୀନାଥଙ୍କୁ, କରପଲ୍ଲବର କନିଷ୍ଠ ମୁଦ୍ରିକା କବିତା ହେଲାଣି ଭୂଜକୁ’’ ମନେ ପକାଇଦିଏ-। ‘ଚୌପଦୀ ରତ୍ନାବଳୀ’ରେ ଗଣେଶଙ୍କୁ ପ୍ରଥମେ ବନ୍ଦନା କରାଯାଇଛି । ତାହା ପରେ ରାଧା କୃଷ୍ଣ ଓ ସଖୀଙ୍କ ଉକ୍ତିପ୍ରତ୍ୟୁକ୍ତି ମଧ୍ୟରେ ଚୌପଦୀ ରତ୍ନାବଳୀର ଅବୟବ ନିର୍ମିତ କିନ୍ତୁ ଏହି ଚୌପଦୀ ମଧ୍ୟରେ ଏଭଳି ପଦମାନ ରହିଛି ଯାହା ଯେକୌଣସି ସାଧାରଣ ପ୍ରେମିକ ପ୍ରେମିକା ପରସ୍ପର ସହିତ ଭାବର ଆଦାନପ୍ରଦାନ ପାଇଁ ଉପଯୋଗ କରି ପାରନ୍ତି । ଯେମିତି ମୋ ବନ୍ଧୁ କି ସ୍ନେହ କଲାରେ, ଏହି ଘନକାଳ କାଳ ହେଲା ମୋତେ କାଳ କାଳ, ନୂଆ ନାଗର, ଆସ ଯିବ ମୋର ପୁର, ଚନ୍ଦ୍ରବଦନୀ ଚାହାଁ ଚନ୍ଦ୍ର ରଜନୀ କରେ ପ୍ରଭୃତି । ପ୍ରୀତିର ବିବିଧ ଲକ୍ଷଣ ବର୍ଣ୍ଣନା ମଧ୍ୟରେ ଆମେ ‘‘ବିଦଗ୍‌ଧ ଚିନ୍ତାମଣି’ର ପ୍ରେମତତ୍ତ୍ଵ ବର୍ଣ୍ଣନାର ଛାପ ଦେଖିଥାଉ । କିନ୍ତୁ ଏଥିରୁ ଆଉ ପାଦେ ଆଗକୁ ଯାଇ ପାଣି ମହାଶୟ ବିବିଧ ପ୍ରୀତିର ଉଲ୍ଲେଖ କରିଛନ୍ତି । ଯେମିତି କବି ପ୍ରୀତି, ରସିକ ପ୍ରୀତି, ନାଗର ପ୍ରୀତି, ମୁର୍ଖପ୍ରୀତି, ବୃଦ୍ଧପ୍ରୀତି, ଯବନପ୍ରୀତି, ପତି ପ୍ରୀତି, ପରପ୍ରୀତି, ବିପ୍ରପ୍ରୀତି, କ୍ଷତ୍ରିୟପ୍ରୀତି, ଧନୀପ୍ରୀତି, ଶୂଦ୍ରପ୍ରୀତି, ସାଧବପ୍ରୀତି, କରଣ ପ୍ରୀତି ଓ ଜଗବନ୍ଧୁ ପ୍ରୀତି । ଗୋଟିଏ ଉଦାହରଣ-

 

ବୃଦ୍ଧଙ୍କ ପୀରତି ସୁଖ ନୁହେଁ କିନ୍ତୁ

ଯବନ ପୀରତି ଦାରୁଣ

ନିଜ ପତି ପ୍ରୀତି ସମ୍ପତ୍ତି

ପରପ୍ରୀତି ଅତି ଦୂଷଣ

(ଜ.ପା. ଗ୍ରନ୍ଥାବଳୀ- ୨ୟ, ପୃ-୧୯)

 

ଏଠାରେ ଉପେନ୍ଦ୍ର ଭଂଜଙ୍କ ଉକ୍ତି ‘‘କି ଲାଭ ହୋଇ ନୃପତି, କି ଲାଭ ଇନ୍ଦ୍ର ସଂପତ୍ତି ସବୁ ସୁଖ ଉତ୍‌ପତ୍ତି ସ୍ଥାନ ଦମ୍ପତ୍ତି’’ କଥାଟି ସ୍ମରଣକୁ ଆସେ । ରୀତିକାବ୍ୟରେ ଅନେକତ୍ର ପାଠକ ବସନ୍ତକାଳୀନ ବର୍ଣ୍ଣନାକୁ ଭେଟିଥାଏ । ଚୌପଦୀ ରତ୍ନାବଳୀରେ ବସନ୍ତ ବର୍ଣ୍ଣନା ସହିତ ବିଦେଶାନୁଚିନ୍ତା ମଧ୍ୟ ସ୍ଥାନିତ । ଯାହା ନାରୀ ପୃରୁଷ ଉଭୟଙ୍କର ମନସ୍ତତ୍ୱକୁ ପ୍ରକଟିତ କରିଛି । ଶ୍ରୀକୃଷ୍ଣଙ୍କର ଅଷ୍ଟାଦଶ ଚିହ୍ନ ବର୍ଣ୍ଣନାରେ ମଥୁରାମଙ୍ଗଳର ଉଦ୍ଧବ ‘‘ଧ୍ଵଜ ଅଂକୁଶ ଚିହ୍ନ ସହିତ ପଦ୍ମପାଦର ଚିହ୍ନ’’ ବାଲିରେ ଦେଖିଥିବା କଥା ସ୍ମୃତିକୁ ଆସେ ।

 

ଧ୍ଵଜ ବଜ୍ରାଙ୍କୁଶ ଛତ୍ରାରି କଳସ କମ୍ବୁ ଉର୍ଦ୍ଧ୍ୱ‌ରେଖା ଯହିଁ

ଅମ୍ବୁଜ ଚରଣ ଦକ୍ଷିଣେ ଦେଖିଲେ, ଏହି ନବଚିହ୍ନ ତାହି

ଅର୍ଦ୍ଧଚନ୍ଦ୍ର ଶକ୍ତିକାର୍ମୂକ ଗୋଷ୍ପଦ ତ୍ରିକୋଣାଷ୍ଟ ଶଙ୍ଖରହି

ସ୍ଵସ୍ତିକ ଯବ ଏ ନବ ଚିହ୍ନ ଶ୍ୟାମ ନମପାଦେ ବିରାଜଇ ।।

(ଜ.ପା.ଗ୍ର. ୨ୟ ଖଣ୍ଡ, ପୃ-୨୭)

 

ସେହିଭଳି ଶ୍ରୀମତୀଙ୍କ ଊନବିଂଶ ଲକ୍ଷଣ, ନାୟିକାର ଜାନୁ, କଟୀ, କୁଚ, ଚାପାଦି ଅଳଙ୍କାର ବାହୁ, ଦନ୍ତ, ନାସା, ନେତ୍ର, କର୍ଣ୍ଣ, ଭ୍ରୁଲତା, କେଶ ପ୍ରଭୃତିର ବର୍ଣ୍ଣନା ଜଗନ୍ନାଥ ପାଣିଙ୍କୁ ରୀତିକାଳୀନ କବିଙ୍କ ସହିତ ତୁଳନୀୟ କରିଥାଏ ।

 

ରୀତିକାଳୀନ ବର୍ଣ୍ଣନାରେ ଉପମାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ । ଜଗନ୍ନାଥ ପାଣିଙ୍କର କାବ୍ୟ ଜଗତରେ ଏଭଳି ବର୍ଣ୍ଣନା ଯଥେଷ୍ଟ । ଯେମିତି ଉଦଧିଜାକାନ୍ତ କାନ୍ତ ଅଟନ୍ତି ମୋହରି, ବରବରନୀରାଧା, କରକଦନ୍ତୀ, ଅମ୍ୱୁଜବଦନୀ, ପଦ୍ମପଲାସ ନେତ୍ର, ବିମଳକମଳ ଲୋଚନ, ହସ୍ତୀରଦ ପଲଙ୍କ, ଝଳି ଶରଦ ଚନ୍ଦ୍ର ଆନନ, ଗଙ୍ଗାଧର ଲପନ, ବଧୂଲିଜିତ ଅଧର, ବିରଧୁ କୁଳମଣି, ସୁଧାନନୀ, ଚିନ୍ତାର୍ଥୀ କଳ୍ପଦ୍ରୁମ, ଜଳଦ ଦୃଶା ନୟନ, ସୁଧାଂଶୁ ମୁହୀଁ, ପବିର ଦମ୍ଭ, ପଦ୍ମଲୋଚନ, ରାଜୀବନୟନୀ, ରତ୍ନାକର ସୁତା ଧବ, ସୁକୃତନିଧାନି-ଏ ସମସ୍ତ ପରିଚିତ ଉପମା, ଯାହା ପ୍ରାୟତଃ କାବ୍ୟ ଶୋଭା ବୃଦ୍ଧି କରିଥାଏ । ଏତଦ୍‌ଭିନ୍ନ ଅନ୍ୟ କେତେକ ନୂତନ ଉପମା ଯେମିତି ସତ୍ୟସୁକୃତ, ବିକର୍ତ୍ତନଜ ଯାନ, ବିଜୟ ତୃଣାକାର, ବିନେତ୍ରଜ ପ୍ରଭୃତି ଅନେକ ଉପମା ଦୃଷ୍ଟିଗୋଚର ହୋଇଥାଏ ।

 

ଜଗନ୍ନାଥ ପାଣି କବି, ନାଟ୍ୟକାର, ପାଲାକାର, ଲୀଳା ଲେଖକ, ଜଣାଣ, ଚୌପଦୀ, ପାଟୁଆଗୀତ ଓ କୋଇଲି ପ୍ରଭୃତିର ଲେଖକ ଭାବେ ଓଡ଼ିଶାର ସାଧାରଣ ଜନତାଙ୍କ ନିକଟରେ ପରିଚିତ । ସମୟ ସଚେତନ ଏହି କବି ଜନମାନସରେ ନିଜ ପାଇଁ ଏକ ସମ୍ମାନଜନକ ସ୍ଥାନ ସୃଷ୍ଟି କରିପାରିଛନ୍ତି ଏହା ସର୍ବବାଦୀସମ୍ମତ । ଲୀଳାନାଟ୍ୟକାର ଭାବରେ ସେ ଯେତିକି ଗଣାଭିମୁଖୀ, କାବ୍ୟ କବିତା ରଚନାରେ ସେ ସେତିକି ସଂଭ୍ରାନ୍ତ ଓ ରୀତି ପରମ୍ପରା ଆଶ୍ରୟୀ ।

 

 

ପ୍ରଫେସର, ଓଡ଼ିଆ ବିଭାଗ

ଉତ୍କଳ ବିଶ୍ଵବିଦ୍ୟାଳୟ, ବାଣୀବିହାର,

ଭୁବନେଶ୍ୱର

 

***

 

ଜଗନ୍ନାଥ ପାଣିଙ୍କ ଛାନ୍ଦ ନାଟ୍ୟରେ ସମାଜ ଚିତ୍ର

ବିଜୟ ମହାନ୍ତି

 

ଊନବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟକୁ ଶ୍ରୀସମ୍ପନ୍ନ କରିଥିବା କବିମାନଙ୍କ ମଧ୍ୟରେ ଜଗନ୍ନାଥ ପାଣି ଅନ୍ୟତମ । ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ନଥିଲେ ମଧ୍ୟ ସରସ୍ୱତୀଙ୍କ କୃପାଲାଭ କରି ଏବଂ ସ୍ଵକୀୟ ବିଦ୍‌ବତ୍ତା ବଳରେ ସେ ନିଜର ଐକାନ୍ତିକ ସୃଜନ ନିଷ୍ଠାର ପରିଚୟ ଦେଇ ପାରିଥିଲେ-ଅଜସ୍ର ସୃଷ୍ଟି ସଂପଦ ମାଧ୍ୟମରେ । ଯେ କୌଣସି ଭାଷାର ଗୋଟିଏ ଉତ୍କୃଷ୍ଟ ସାହିତ୍ୟ ଭିତରେ ସମାଜ ଓ ଜନଜୀବନର ବାସ୍ତବ ଚିତ୍ର ପ୍ରତିଫଳିତ ହୋଇଥାଏ । କାରଣ ସାହିତ୍ୟସ୍ରଷ୍ଟା ସର୍ବଦା ତ୍ରିକାଳଦର୍ଶୀ । ସତ୍ୟଦ୍ରଷ୍ଟା । ଚେତନଶୀଳ । ପ୍ରଜ୍ଞାଦ୍ଦୀପ୍ତ । ତା’ର ସୃଷ୍ଟି ହିଁ ସଂସ୍କୃତିର ସଂବାହକ । ସଭ୍ୟତାର ସଂଚାଳକ । ସମାଜର ପ୍ରତିଫଳକ ଏବଂ ଜୀବନର ନିୟାମକ । ସର୍ଜନଶୀଳତାର ଏଇ ମାନଦଣ୍ଡରେ ହିଁ ସମାଜ ଏବଂ ଜୀବନକୁ ପରଖି ହୁଏ । ନିକଟରୁ ଦେଖିହୁଏ-। ମାପି ହୁଏ ।

 

ଇଂରେଜମାନେ ୧୮୦୩ ମସିହାରେ ଓଡ଼ିଶା ଦଖଲ କଲା ପରେ ଏ ଦେଶର ପ୍ରତିଟି ସ୍ଥିତିରେ ଅନେକ ପରିବର୍ତ୍ତନ ଆସି ମୁଣ୍ଡ ଟେକିଥିଲା । ଓଡ଼ିଆ ଭାଷା ସାହିତ୍ୟ ଷଡ଼ଯନ୍ତ୍ର ଶିକାର ହୋଇଥିଲା । ଅତୀତ ଉତ୍କଳର ଗୌରବ ଶ୍ରୀହୀନ ହୋଇ ମୂକ, ଅଥର୍ବ ପାଲଟି ଯାଇଥଲା । ଉତ୍କଳୀୟ ସମାଜ, ସଂସ୍କୃତି, ପରମ୍ପରା, ଆଚାର ବିଚାରର ଅଧୋପତନ ଘଟିଚାଲିଥିଲା ଦିନକୁଦିନ-। ଜୀବନ ଦୁର୍ବିସହ ହୋଇପଡ଼ୁଥିଲା । ଭାଙ୍ଗି ପଡ଼ୁଥିଲା ଉତ୍କଳୀୟ ଜନମାନସର ଗୌରବମୟ ସୁଦୃଢ଼ ପ୍ରାଚୀର । ଅନ୍ଧକାରାଚ୍ଛନ୍ନ ହୋଇଯାଉଥିଲା ସ୍ଵର୍ଣ୍ଣାଭ ଇତିହାସର ପୃଷ୍ଠା । ଉତ୍କଳର ଏଇ ଦୁର୍ଦ୍ଦିନ ସମୟରେ ୧୮୩୬ ମସିହାରେ ଜନ୍ମଗ୍ରହଣ କରିଥିଲେ ଜଗନ୍ନାଥ ପାଣି । ସ୍ଵକୀୟ ଅଧ୍ୟବସାୟ ଫଳରେ ସେ ପ୍ରାଚୀନ କାବ୍ୟ, ପୁରାଣ ସାହିତ୍ୟ, ବ୍ୟାକରଣ, ଜ୍ୟୋତିଷ ଶାସ୍ତ୍ର, ଚିତ୍ରବିଦ୍ୟା ଏବଂ ସଙ୍ଗୀତ ଶାସ୍ତ୍ର ଅଧ୍ୟୟନ କରି ଗଭୀର ପାଣ୍ଡିତ୍ୟ ଅର୍ଜନ କରିଥିଲେ । ଯାହାର ପ୍ରମାଣ ସେ ରଖିଯାଇଛନ୍ତି ଓଡ଼ିଆ ସାହିତ୍ୟ ଭଣ୍ଡାରରେ । ଓଡ଼ିଶାର ପ୍ରଥମ ଗୀତାଭିନୟର ପ୍ରଣେତା ଜଗନ୍ନାଥ ପାଣି ଲୀଳାନାଟ୍ୟ, ସୁଆଙ୍ଗ, ତାମସା, ଆଳଙ୍କାରିକ କାବ୍ୟ, ଛାନ୍ଦ କାବ୍ୟ, କବିତା, ଚୌପଦୀ ଓ ପାଲା ପ୍ରଭୃତି ରଚନା କରି, ଯାତ୍ରା ଦଳ ଗଠନ କରି ଓ ଅଭିନୟ କରି ଓଡ଼ିଶାରେ ଏକ ସ୍ଵତନ୍ତ୍ର ଅଧ୍ୟାୟ ସୃଷ୍ଟି କରିବାକୁ ସମର୍ଥ ହୋଇଥିଲେ । ସଙ୍ଗୀତ ମାଧ୍ୟମରେ ସମାଜର ଓ ଜନଜୀବନର ପ୍ରତିଟି କଥାକୁ ଲୋକମାନଙ୍କ ପାଖରେ ପହଞ୍ଚାଇ ସେ ସର୍ବଜନାଦୃତ ହୋଇ ରହିଥିଲେ ତାଙ୍କ ଶେଷଜୀବନ ପର୍ଯ୍ୟନ୍ତ-

 

କବି ଜଗନ୍ନାଥ ପାଣିଙ୍କ ରଚିତ ପ୍ରାୟ ପ୍ରତିଟି ସୃଷ୍ଟି ଭିତରେ ସମାଜ ଚିତ୍ର ଓତଃପ୍ରୋତ ଜଡ଼ିତ ଥିଲେ ହେଁ ତାଙ୍କର ଛାନ୍ଦନାଟ୍ୟଗୁଡ଼ିକରେ ଏହାର ବଳିଷ୍ଠ ଚିତ୍ର ବହୁଳଭାବେ ଦୃଷ୍ଟିଗୋଚର ହୋଇଥାଏ । କଥାବସ୍ତୁର ବ୍ୟାପକ ପରିସର ଥିବାରୁ କବି ଇଚ୍ଛାକୃତ ଭାବେ ସମାଜର ଟିକିନିଖି ଚିତ୍ରକୁ ଲୋକଙ୍କ ପାଖରେ ପହଞ୍ଚେଇବାକୁ ସତତ ଚେଷ୍ଟିତ ହୋଇଛନ୍ତି । ପୌରାଣିକ କଥାକୁ ପୌରାଣିକ ଚରିତ୍ରମାନଙ୍କ ଜରିଆରେ ଉପସ୍ଥାପନ କରି ତା’ ଭିତରେ ମାଟି-ମଣିଷକୁ ଉଭା କରାଇଛନ୍ତି । ରକ୍ତ ମାଂସର ନିତି ଦେଖା ଅଦେଖା ଚରିତ୍ରମାନଙ୍କୁ ଜୀବନ୍ତ କରି ତୋଳିଛନ୍ତି । ସମାଜର ପ୍ରତିଟି ଚିତ୍ରକୁ ଖୁବ୍‌ ବାସ୍ତବ ଭାବେ ଉପସ୍ଥାପନ କରିଛନ୍ତି । ସେଥିପାଇଁ ସାରଳା ଦାସଙ୍କ ମହାଭାରତ ପରି ଜଗନ୍ନାଥ ପାଣିଙ୍କ ଛାନ୍ଦ ନାଟକଗୁଡ଼ିକ ଲୋକପ୍ରିୟତାର ଚରମ ସୀମାକୁ ସ୍ପର୍ଶ କରି ପାରିଛି । ଉତ୍କଳୀୟ ସମାଜ ଓ ସଂସ୍କୃତି ହେଉଛି କୃଷି ପ୍ରଧାନ । ସାଧାରଣ ମଣିଷର ସୁଖ ଦୁଃଖ, ଆଶା ନୈରାଶ୍ୟ, ଉଠାଣି ଗଡ଼ାଣି ଭିତରେ ସମାଜ ଓ ଜୀବନ ଯେପରି ଜଡ଼ିତ ହୋଇ ରହିଥାଏ- ସେ ସବୁର ନିଚ୍ଛକ ଚିତ୍ର ତାଙ୍କ ରଚନାକୁ ସମୃଦ୍ଧ କରିଛି । ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ବେଳକୁ ଓଡ଼ିଶାର ସାମାଜିକ, ସାଂସ୍କୃତିକ ଏବଂ ଧାର୍ମିକ ଚେତନାର ଅବକ୍ଷୟ ଜଗନ୍ନାଥ ପାଣିଙ୍କ କବି ଦୃଷ୍ଟିକୁ ସ୍ପର୍ଶ କରିଥିଲା । ତେଣୁ କବି ପ୍ରତ୍ୟକ୍ଷ୍ୟ ଏବଂ ପରୋକ୍ଷ ଭାବେ ଉତ୍କଳର ପରମ୍ପରାଶ୍ରିତ ସମାଜ ଚିତ୍ରକୁ ଲୋକଙ୍କ ନିକଟରେ ପହଞ୍ଚାଇଥିଲେ ସହଜ ସରଳ ଭାଷା ମାଧ୍ୟମରେ । କାବ୍ୟ ରସର ମଧୁର ପ୍ଲାବନ ମାଧ୍ୟମରେ । ସରଳ ସାବଲୀଳ ପ୍ରକାଶ ଭିତରେ ।

 

ହିନ୍ଦୁ ଧର୍ମର ପବିତ୍ର ବୈବାହିକ କର୍ମ ବୈଦିକ ଶାସ୍ତ୍ରାନୁମୋଦିତ । ଏହା ସାମାଜିକ ସ୍ଵୀକୃତି ଭିତ୍ତିରେ ହିଁ ପର୍ଯ୍ୟବସିତ ଏବଂ ପ୍ରତିଷ୍ଠିତ । ଏହି ବିବାହ ବନ୍ଧନରୁ ଉତ୍କଳୀୟ ପରିବାର । ପାରିବାରିକ ସଂସ୍କାର । ଜୀବନ ଚଳଣି । ସାମାଜିକ ସଂସ୍କୃତି ଏବଂ ସଂପ୍ରୀତି । କବିଙ୍କ ବିଭିନ୍ନ ରଚନାରେ ବିବାହ ବିଧି, ଲଗ୍ନ ପତ୍ର, ବରକନ୍ୟା, ବର ଓ ବରଯାତ୍ରୀ, ବରଯାତ୍ରୀ ସତ୍କାର, ବର ଶୋଭାଯାତ୍ରା, ପୁରୋହିତ କର୍ମ, ହୋମ, କନ୍ୟାବିଦା ଏବଂ ଯୌତୁକ ପ୍ରଥା ପ୍ରଭୃତିର ବର୍ଣ୍ଣନା ବୈଚିତ୍ର୍ୟ ଖୁବ୍‌ ଜୀବନ୍ତ । ‘ପ୍ରମୋଦ ଚନ୍ଦ୍ରମଣି’ରେ ଦ୍ରୌପଦୀଙ୍କ ବିବାହ ବର୍ଣ୍ଣନାରେ କବି ଲେଖଛନ୍ତି-

 

‘ଗୁରୁ ଲଗ୍ନେ ନୃପ ବିହି ବିଭାର ବିଧାନ

ଗୁଳ କରି ପଞ୍ଚାଗୁଳି ପଞ୍ଚରେ ପ୍ରଦାନ

ଗତ ତହୁଁ ଲଜ୍ଜା ହୋମ

ଗଉରବେ ଯଉତୁକ ସମର୍ପି ରାଜନ ।’

 

କନ୍ୟା ପିତାଙ୍କର ସାମାଜିକ ପ୍ରତିଷ୍ଠା, ଧନ ଦୌଲତ ଯେତେ ଅଧିକ ଥିଲେ ମଧ୍ୟ ସେ ବରପିତା ଏବଂ ବର ପାଖରେ ନ୍ୟୂନ ପ୍ରକାଶ କରିଥାନ୍ତି । ବରର କୃପା ଭିକ୍ଷା କରିଥାନ୍ତି । ନିଜର ସବୁ ଯାନି ଯୌତୁକକୁ ଗୌଣ ଭାବେ ବିଚାର କରି ଗ୍ରହଣ କରିବାକୁ ଯୋଡ଼ ହସ୍ତରେ ଅନୁରୋଧ କରନ୍ତି । ବିନୟ, ନମ୍ରତା, ସହୃଦୟତା, ଆନ୍ତରିକତା ଏବଂ ଜୀବନର ସକଳ ଶୂନ୍ୟତା ଓ ଅସହାୟତା ପ୍ରକାଶ କରି ସେ କନ୍ୟା ସମର୍ପଣ କରନ୍ତି । କନ୍ୟା ପିତାଙ୍କର ଏତାଦୃଶ ଦୟିନୀ ବୋଧ ଏବଂ ପାରମ୍ପରିକ ସାମାଜିକ ବିଧି ଉଭୟ ପରିବାର ମଧ୍ୟରେ ପ୍ରଥମରୁ ହିଁ ଅନ୍ତରଙ୍ଗ ଭାବ ସୃଷ୍ଟି କରିବାରେ ସକ୍ଷମ ହୋଇଥାଏ । ମଧୁର ବନ୍ଧନରେ ବାନ୍ଧି ରଖିବାକୁ ସମର୍ଥ ହୋଇଥାଏ । ଅଭିମନ୍ୟୁ ଏବଂ ଉତ୍ତରାଙ୍କ ବିବାହ ସମୟରେ କବିଙ୍କ ବର୍ଣ୍ଣନାର ଚମତ୍କାରିତା ଏବଂ ବାସ୍ତବତା ବେଶ୍‌ ପ୍ରଣିଧାନଯୋଗ୍ୟ-

 

‘ଅନେକ ଦକ୍ଷିଣା ଦକ୍ଷିଣା ବ୍ରତରେ

ଜଳ ଦେଇ ନୃପ ଭାଷଣ

ଅଧୀନ ଜନ ମୁଁ ଜନମୁ କି ଦେବି

ମାତୃଳ ଯା ରମା ରମଣୀ ।’

(ପ୍ରମୋଦ ଚନ୍ଦ୍ରମଣି)

 

ସେହିପରି ‘ଉଷାବତୀ ହରଣ’ରେ କବି ଉଷା ଅନିରୁଦ୍ଧଙ୍କର ବିବାହ, ବାଣାସୁରର କନ୍ୟା ସମର୍ପଣ, ଯୌତୁକ ପ୍ରଦାନ, ବିବାହର ଆନନ୍ଦ ଉଲ୍ଲାସ, ବିପ୍ର ବନ୍ଧୁବର୍ଗଙ୍କୁ କୃଷ୍ଣଙ୍କର ନିମନ୍ତ୍ରଣ, ପ୍ରଜାମାନଙ୍କୁ ସୁମିଷ୍ଟ ଭୋଜନ ଦେବା ପ୍ରଭୃତିର ସମ୍ୟକ୍‌ ବର୍ଣ୍ଣନା ଦେଖିବାକୁ ମିଳିଥାଏ । କବିଙ୍କ ଭାଷାରେ-

 

‘‘ଆନନ୍ଦ ଉଲ୍ଲାସେ କମ୍ପେ ଦ୍ଵାରାବତୀ ପୁର ।

ମଙ୍ଗଳ ଲଗନେ ଆରମ୍ଭିଲେ ବିଭାଘର ।

ଗାର୍ଗବ ପ୍ରୋହିତ ବସି ସୁବର୍ଣ୍ଣ ବେଦୀରେ

ଉଷା ଅନିରୁଦ୍ଧ ବିଭା କରାନ୍ତି ବିଧିରେ ।

ବାଣାସୁର ମନ ତୋଷେ କନ୍ୟା ସମର୍ପିଲା

ଗଜ ବାଜୀ ଧନରତ୍ନ ଯଉତୁକ ଦେଲା ।

ବିପ୍ରବନ୍ଧୁବର୍ଗ କୃଷ୍ଣ କରି ନିମନ୍ତ୍ରଣ

ଜନ ପ୍ରଜା ମୁଖେ ପଡ଼େ ଅମୃତ ଭୋଜନ ।।’’

 

‘‘ସୁଭଦ୍ରା ପରିଣୟ’ରେ ବିବାହ, ଯୌତୁକ ବିଧି, ବ୍ୟବସ୍ଥା ଓ ବିବାହ ଭୋଜି ସମ୍ପର୍କରେ ମଧ୍ୟ ପାଣି କବି ବର୍ଣ୍ଣନା କରିଛନ୍ତି-

 

‘‘ସୁଭଦ୍ରାଙ୍କୁ ଶୁଭବେଶ କରି ଅଣାଇଲେ

ବେଦୀରେ ବସାଇ ପୁରୋହିତ ବିଭା କଲେ ।

ଶଙ୍କ ଭେରୀ ତୂରୀ ବାଜେ ମଙ୍ଗଳ ମହୁରୀ

ହୁଳହୁଳି ଦିଅନ୍ତି ସେ ଦ୍ଵାରାବତୀ ନାରୀ ।

ଅର୍ଜୁନକୁ ନନ୍ଦରାଜା କନ୍ୟା ସମର୍ପିଲେ

ଅନେକ ଯୌତୁକ ହରି ବଳରାମ ଦେଲେ ।

ବିଭା ବଢ଼ାଇ ପୁରକୁ ନେଲେ କନ୍ୟା ବର

ଜ୍ଞାତି ବନ୍ଧୁମାନେ ମିଳି କଲେକ ଆହାର ।

 

ଜଗନ୍ନାଥ ପାଣିଙ୍କ ରଚନାରେ ଉତ୍କଳୀୟ ସମାଜରେ ପ୍ରଚଳିତ ବିବାହ ବିଧିର ପ୍ରତିଟି ବାସ୍ତବ ଚିତ୍ର ଯେପରି ମନୋଜ୍ଞ ସେହିପରି ହୃଦୟସ୍ପର୍ଶୀ । ବିବାହ କର୍ମ ପରେ ଦୁଇଟି ଭିନ୍ନ ମଣିଷର ଜୈବିକ ମିଳନ ବିଧି ନିର୍ଦ୍ଦେଶିତ ବୋଲି ଆମ ସମାଜରେ ବିଚାର କରାଯାଇଥାଏ । ବହୁ ପ୍ରତୀକ୍ଷିତ, ଆକାଂକ୍ଷିତ ପ୍ରଥମ ମଧୁର ମିଳନ ରାତିକୁ ବାସର ରାତି/ମଧୁଶଯ୍ୟା/ମଧୁରାତି ନାମକରଣ କରି ଆମ ପରମ୍ପରା ଏହା ଭିତରେ ଦୁଇଟି ଜୀବନର ମହାର୍ଘ୍ୟ ସମ୍ପଦକୁ ଲୁଚାଇ ରଖିଥାଏ । ସମ୍ପର୍କକୁ ବାନ୍ଧି ରଖିଥାଏ । ଯୁବତୀ ଯୁବତୀ ପ୍ରାଣର ସବୁ ଉତ୍ସୁକତାକୁ ସମାଜ, ପରମ୍ପରା, ଆଚାର ବିଚାରର ଶୃଙ୍ଖଳା ଭିତରେ ଜଡ଼ାଇ ରଖିଥାଏ । ସାରଳା ଦାସଙ୍କଠାରୁ ଆରମ୍ଭ କରି ରୀତିଯୁଗୀୟ କାବ୍ୟ ମଧ୍ୟରେ ଏହି ସାମାଜିକ ବିଧି ଏବଂ ଜୀବନ ଚଳଣିର ଚିତ୍ର ବର୍ଣ୍ଣିଳ ଏବଂ ରସାଳ । କବି ଜଗନ୍ନାଥ ପାଣିଙ୍କ ରଚନାରେ ପାରମ୍ପରିକ, ପ୍ରଚଳିତ ମଧୁଶଯ୍ୟାର ବର୍ଣ୍ଣନା ମଧ୍ୟ ବାସ୍ତବାନୁରଞ୍ଜିତ । କବି ଲେଖନୀର କେତୋଟି ପଙ୍‌କ୍ତି-

 

ସୁଭଦ୍ରାକୁ ଘେନି ମଧୁଶଯ୍ୟାରେ ଅର୍ଜୁନ

ରତି ରସେ ସୁଭଦ୍ରାର ବାଂଛାକଲେ ପୂର୍ଣ୍ଣ ।

(ସୁଭଦ୍ରା ପରିଣୟ)

x      x      x

ଉଷା ଅନିରୁଦ୍ଧ କେଳୀପୁରେ ବିଜେ କଲେ

ବିବିଧ ରସ ଉଲ୍ଲାସେ ନିଶି ପୁହାଇଲେ ।

(ଉଷାବତୀ ହରଣ)

x      x      x

ଯଉତୁକ ଦେଇ ଘେନି ଗଲେ କନ୍ୟାବର

କାନ୍ତାକାନ୍ତ ବିଜେ କଲେ ମଧୁଶଯ୍ୟା ପୁର ।

ପ୍ରେମ ଉନ୍ମାଦିନୀ ପ୍ରେମେ ପାଣ୍ଡବ ଅର୍ଜୁନ

ରତି ରସେ ତୋଷ କଲେ ହାରାବତୀ ମନ ।

(ହାରାବତୀ ହରଣ)

 

ବର୍ଣ୍ଣନାର ବିବିଧ ରସୋତ୍ତୀର୍ଣ୍ଣତା, ଆଳଙ୍କାରିକତା, ପ୍ରକାଶ୍ୟ ଆଟୋପତା, ଶୃଙ୍ଗାରିକତା ଏବଂ ଅଶ୍ଳୀଳତାକୁ ଧରି ନରଖି, ସୁସଂହତ ତଥା ମାର୍ଜିତ ଭାବରେ ଆମ ସମାଜର ପ୍ରଚଳିତ କଥାକୁ ଜଗନ୍ନାଥ ପାଣି ଖୁବ୍‌ ଚମତ୍କାର ଭାବେ ଉପସ୍ଥାପନ କରିପାରିଛନ୍ତି । ସେହିପରି କୁଳବଧୂର ଚାଲିଚଳଣି, ରୀତିନୀତି, ଆଚାର ବିଚାର, କର୍ତ୍ତବ୍ୟବୋଧ ପ୍ରଭୃତିର ବର୍ଣ୍ଣନା ଭିତରେ ସାମାଜିକ ପରମ୍ପରା, ଆଦର୍ଶ ଜୀବନଧାରା, ଗାର୍ହସ୍ଥ୍ୟ ଧର୍ମ, ଧାର୍ମିକ ମୂଲ୍ୟବୋଧ, ଏକାନ୍ନବର୍ତ୍ତୀ ପରିବାରର ସ୍ୱର୍ଗୀୟ ଆନନ୍ଦର ଚିତ୍ର ବେଶ୍‌ ହୃଦୟଗ୍ରାହୀ । ପୌରାଣିକ କଥାବସ୍ତୁକୁ ସମ୍ପୂର୍ଣ୍ଣଭାବେ ଗ୍ରହଣ ନ କରି ସମାଜ ଓ ସାମାଜିକ ଜୀବନର ଲୋକପ୍ରିୟ ଆଖ୍ୟାନକୁ ସେ ଉପଜୀବ୍ୟ କରି ସମାଜର ଚିତ୍ର ଆଙ୍କିବାରେ ସଫଳ ହୋଇଛନ୍ତି । ତାହାହିଁ କବିଙ୍କର ପାଣ୍ଡିତ୍ୟ ଓ ପ୍ରତିଭାର ପରିଚୟ ଦେଇଥାଏ । ପରିବାରରେ ସନ୍ତାନ ଜନ୍ମ ଏପରିକି ସନ୍ତାନର ନାମକରଣ ଭଳି ଛୋଟ ଛୋଟ କଥାମାନ ମଧ୍ୟ ପାଣି କବିଙ୍କ ଲେଖନୀକୁ ଛୁଇଁ ପାରିଛି । ହାରାବତୀର ନାମକରଣ ପ୍ରସଙ୍ଗରେ କବି ଲେଖୁଛନ୍ତି-

 

‘‘ପ୍ରେମ ଦ୍ଵାରା ହେରା ପଞ୍ଚମୀରେ ଜନ୍ମିବାରୁ

ହାରାବତୀ ବୋଲି ନାମ ଦେଲେ ଦେବ ଗୁରୁ ।।’

(ହାରାବତୀ ହରଣ)

 

କବି ଜଗନ୍ନାଥ ପାଣିଙ୍କ ରଚନାରେ ପୁରୁଷ ଚରିତ୍ର ଚିତ୍ରଣ ଅପେକ୍ଷା ନାରୀ ଚରିତ୍ରର ବିଶେଷତ୍ୱ ଲକ୍ଷ୍ୟ କରାଯାଏ । ନାରୀର ବିବିଧ ଭୂମିକା, ରୂପ, ଗୁଣ, ତଥା ମହନୀୟତାର ବର୍ଣ୍ଣନା ବେଶ୍‌ ହୃଦୟଗ୍ରାହୀ ଏବଂ ଲୋକପ୍ରିୟ । ସମାଜ ଏବଂ ପରିବାର ମଧ୍ୟରେ ନାରୀକୁ ସ୍ଥାନିତ କରି, ସେମାନଙ୍କ ମନସ୍ତାତ୍ତ୍ୱିକ ଚେତନାକୁ ଅଧ୍ୟୟନ କରି କବି କଥାବସ୍ତୁର ଝଲକ ମାଧ୍ୟମରେ ନାରୀ ଚରିତ୍ରର ବାସ୍ତବଚିତ୍ର ଉପସ୍ଥାପନ କରିବାରେ ସଫଳ ହୋଇଛନ୍ତି । ନାରୀ ଜୀବନର ସାର୍ଥକତା ବିବାହ ବନ୍ଧନରେ ହିଁ ପ୍ରତିଷ୍ଠା ଲାଭ କରିଥାଏ । ବିବାହିତା ନାରୀଟିଏ ତା’ ଜୀବନକୁ ଶ୍ରେୟ ମଣିଥାଏ ତ୍ୟାଗରେ, ଭୋଗରେ ଏବଂ ପ୍ରାପ୍ତିରେ । ପ୍ରେମର ପୂର୍ଣ୍ଣତାରେ । ସ୍ୱାମୀର ଅଣହେଳା, ହତାଦର ଏବଂ ପ୍ରେମଶୂନ୍ୟ ନିଷ୍ଠୁରତାକୁ ସାମୟିକ ଭାବେ ଗ୍ରହଣ କରି ନିଜ ଆଖିଲୁହକୁ ସାକ୍ଷୀ ରଖି, ସାଥୀ କରି ଜୀବନ ବିତାଇ ପାରେ, କିନ୍ତୁ କୌଣସି ସମୟରେ ତା’ ସମର୍ପିତ ପ୍ରେମ ଇଲାକାରେ ଅନ୍ୟ ନାରୀର ପ୍ରବେଶକୁ ସ୍ଵୀକାର କରିପାରେ ନାହିଁ । ସ୍ଵାମୀ ସହିତ ଅନ୍ୟ ନାରୀର ସମ୍ପର୍କକୁ ଗ୍ରହଣ କରି ପାରେ ନାହିଁ । ସପତ୍ନୀବାଦକୁ ବରଦାସ୍ତ କରିପାରେ ନାହିଁ । ଦାମ୍ପତ୍ୟ ପ୍ରେମର ମହନୀୟ ଭାବବୋଧ ଭିତରେ ଧର୍ମ, ନୈତିକତା ଓ ପାପ ପୁଣ୍ୟକୁ ସେ ମାପେ । ସାମାଜିକ ନିକିତିରେ ତଉଲେ । ନାରୀଟିଏ ଯେଉଁ କୁଳର, ଯେଉଁ ବର୍ଗର, ଯେଉଁ ଧର୍ମର ହୋଇଥାଉନା କାହିଁକି ତା’ର ମାନସିକତା ଏହି ବାସ୍ତବ ସତ୍ୟକୁ ହିଁ ଧରି ରଖିଥାଏ । ଆମ ସମାଜରେ ସପତ୍ନୀବାଦ, ସପତ୍ନୀ କଳହ ସାମାଜିକ ଜୀବନ ସହିତ ଜଡ଼ିତ । ସାରଳା ଦାସଙ୍କ ମହାଭାରତ ପୃଷ୍ଠାରେ ଏହାର ବର୍ଣ୍ଣନା ଖୁବ୍‌ ଚମତ୍କାର ଏବଂ ଚିତ୍ତାକର୍ଷକ ହୋଇ ଲୋକାଦୃତ ହୋଇପାରିଛି । କିନ୍ତୁ ଜଗନ୍ନାଥ ପାଣି ଲୋକନାଟକ ମାଧ୍ୟମରେ ଚରିତ୍ରମାନଙ୍କ ମୁହଁରେ ଏହାର ପ୍ରକାଶ ଘଟାଇ ତାଙ୍କ ବର୍ଣ୍ଣନାର ଚିତ୍ରପଟକୁ ଲୋକଙ୍କ ପାଖରେ ପହଞ୍ଚେଇ ପାରିଛନ୍ତି । ସଙ୍ଗୀତ ମାଧ୍ୟମରେ ସମାଜ ଓ ଜୀବନର ବାସ୍ତବ ଛବିକୁ ସାଧାରଣ ମଣିଷର ହୃଦୟ ଭିତରକୁ ପ୍ରତ୍ୟକ୍ଷ ଭାବରେ ଟାଣି ଆଣି ପାରିଛନ୍ତି । ‘ଦକ୍ଷଯଜ୍ଞ’ରେ ପାର୍ବତୀ ଓ ଗଙ୍ଗାଙ୍କ ମଧ୍ୟରେ ହୋଇଥିବା କଳହ ଚିତ୍ରକୁ କବି ଏମିତି ଚମତ୍କାର ଏବଂ ବାସ୍ତବାନୁରଞ୍ଜିତ କରି ବର୍ଣ୍ଣନା କରିଛନ୍ତି-ଯାହା ପ୍ରତ୍ୟେକ ପାଠକ ଏବଂ ଦର୍ଶକକୁ ନିବିଡ଼ ଭାବରେ ବାନ୍ଧି ରଖିଥାଏ । ପାର୍ବତୀଙ୍କୁ ଭର୍ତ୍ସନା କରି ଗଙ୍ଗା ଯେପରି କହିଛନ୍ତି-ଯୁକ୍ତି ଛନ୍ଦରେ ସେହିପରି ଉତ୍ତର ବାଢ଼ିଛନ୍ତି ଉମା । ଯଥା :-

 

ଉମା

-

‘‘ବରପୂର୍ବା ହୋଇ ହିଙ୍ଗୁଲାଟେ ଯାଇ ପାଶୋରିଲୁ ପୂର୍ବ କଥା

 

 

ଶିବ ଛାଡ଼ି ସାୟନ୍ତନୁକୁ ବରିଲୁ ହୋଇଣ ଅମରମତା ଲୋ

 

 

ଗଙ୍ଗା ବୋଇଲେ ଥିବି

 

ଗଙ୍ଗୀ ବୋଲେ ବାରଣାସୀ ଯିବି ଲୋ’’ ବର୍ଣ୍ଣନା ଯେମିତି ବାସ୍ତବ, ଗଙ୍ଗାଙ୍କ ପ୍ରତ୍ୟୁକ୍ତି ସେହିପରି କଟାଳପୂର୍ଣ୍ଣ । ଯଥା:-

 

ଗଙ୍ଗା

-

‘‘ଏହି ମତ୍ତଗର୍ବ କରି ପରାଭବ ପାଇଲୁ ତେବେ ନଗଲା

 

 

ବିଧାତା ଜାଣିତୋ ଗଉର ରୂପକୁ ଛଡ଼ାଇ କାଳୀ ଲେପିଲା ଲୋ’’

 

ପରସ୍ପରର ଗୋଇ ଖୋଳାଖୋଳି, ଚରିତ୍ର ସଂହାର ଯେପରି ହାସ୍ୟୋଦ୍ଦୀପକ ସେହିପରି ଲୋକାଭିମୁଖୀ । କଳିହୁଡ଼ି, ଲଙ୍ଗୁଳୀ, ଅମଙ୍ଗଳୀ, କୁଳକଳଙ୍କୀ, ସବାଖାଇ, ସ୍ଵାମୀ ଦ୍ରୋହୀ, ପୁରୁଷ ଭଣ୍ଡାଇ, ଓଲେଇ, ତୁଣ୍ଡେଇ, ଛାମୁଣ୍ଡାଇ, ପତିତା, ବଂଧ୍ୟା ପ୍ରଭୃତି ଖାଣ୍ଟି ଓଡ଼ିଆ ବିଶେଷଣ ଶବ୍ଦଯୁକ୍ତ ଗାଳିର ଚମତ୍କାର ଉପସ୍ଥାପନରେ ଚରିତ୍ରମାନେ ଯେତିକି ଜୀବନ୍ତ ହୋଇଛନ୍ତି, ଆଉ ପାଦେ ଆଗେଇଯାଇ କବି ସପତ୍ନୀ ନାରୀକୁ କ୍ରୋଧାନ୍ଧ କରାଇ ତାଙ୍କ ମୁହଁରେ-

 

‘ବିପରୀତ ରତା ହୋଇ ଉନମତା ହରଙ୍କୁ କଲୁ ବିହାର

ଭବ ଭାବଦାୟୀ ଭଗକୁ ଦେଖାଇ ମାଇଲୁ ମହିଷାସୁର ଲୋ’

x      x      x

ଛାର ଐରାବତ ସୁରତି ମାଗିଲା କାହିକି ବୁଡ଼ି ନମଲୁ ଲୋ’

 

ଏପ୍ରକାର ଉଦ୍‌ଘୋଷଣ କରାଇ ଚରିତ୍ରକୁ ଅଧିକ ବାସ୍ତବ କରିପାରିଛନ୍ତି । ପୌରାଣିକ ଚରିତ୍ରମାନେ ରକ୍ତମାଂସ ଦେହଧାରୀ ସାଧାରଣ ଗ୍ରାମୀଣ ଚରିତ୍ର ହୋଇଯାଇଛନ୍ତି । ଚରିତ୍ରମାନଙ୍କ ଭିତରୁ ପାଠକ କିମ୍ବା ଦର୍ଶକ ଆଖି ସାମ୍ନାରେ ଉଭା ହୋଇଯାଏ କାଳକାଳ ଧରି ବଞ୍ଚିରହିଥିବା ସମାଜ । ସମାଜର ନିଚ୍ଛକ ଚିତ୍ର । ଜୀବନ ଜୀଇଁବାର ବାସ୍ତବ ପ୍ରତିଛବି ।

 

ଲୋକମୁଖର ଭାଷା ବିଭବକୁ ଧରି ରଖି କବି ଜଗନ୍ନାଥ ପାଣି ଗଙ୍ଗା ଏବଂ ପାର୍ବତୀଙ୍କ କଳହ ଚିତ୍ରପରି ନଣନ୍ଦ ଭାଉଜ କଳହର ଚିତ୍ର ମଧ୍ୟ ବର୍ଣ୍ଣନା କରିଛନ୍ତି । ଆମ ସମାଜରେ ନଣନ୍ଦ ଭାଉଜଙ୍କ ମଧ୍ୟରେ ଯେପରି ଅଭେଦ ପ୍ରୀତି ଥାଏ, ସେହିପରି ବିଭେଦ ପ୍ରୀତି ମଧ୍ୟ ଥାଏ । ପରସ୍ପର ପରସ୍ପରର ପ୍ରତିଦ୍ଵନ୍ଦ୍ୱୀ ହୋଇ ଶତ୍ରୁ ପାଲଟନ୍ତି । ହିଂସ୍ରୁକ ହୁଅନ୍ତି । କଳହରତା ହୋଇ ନିଜର ମାନ, ସମ୍ମାନ, ସଂଭ୍ରମତା ଭୁଲନ୍ତି । ‘ମାନ ଭଂଜନ’ର ପୌରାଣିକ ଚରିତ୍ର କୃଷ୍ଣ ବିନୋଦିନୀ ରାଧା ଏବଂ ତାଙ୍କର ନଣନ୍ଦ କୁଟିଳାଙ୍କ ମଧ୍ୟରେ କବି ଯେଉଁ କଳହର ଚିତ୍ର ଆଙ୍କିଛନ୍ତି ତାହା ଯେପରି ହୃଦୟସ୍ପର୍ଶୀ ସେହିପରି ସମାଜକୈନ୍ଦ୍ରିକ । ନିମ୍ନରେ କେତୋଟି ଉଦାହରଣ ମାଧ୍ୟମରେ ଏହାର ଯଥାର୍ଥତା ଅନୁଭବ କରିହୁଏ –

 

କୁଟିଳା ରାଧାଙ୍କୁ କହିଛି-

‘‘ଅତି ସତୀ ତୁହି ରାତି ରାତି ଯାଇ ବନେ ଶ୍ୟାମ ସଂଗେ ବସୁ

ଯମୁନା କୂଳକୁ ଗଲେ ସକାଳକୁ ବେଳକୁ ବୁଡ଼ାଇ ଆସୁ

x      x      x

ମୋହିନୀ ମୋହନ ମୁହିଁ ମୋ ଆଗେ କହୁ ମୁହଁକୁ ହଲାଇ

ତୋହଲାଗି ମୋହ ଭାଇ ମୁହିଁ ଟେକି କେଣିକି ନ ପାରେ ଯାଇ ଲୋ

ତୋତେ ହେଲାରୁ ବିଭା

ବସିଲାଣି ସାତ ସାଇ ସଭା ।’’

 

ରାଧା ମଧ୍ୟ ସେହିପରି କୁଟିଳାକୁ ଭର୍ତ୍ସନା କରି କହିଛନ୍ତି-

 

‘‘ଭଣ୍ଡି ଖାଇ ରାଣ୍ଡୀ ମୋଟ କରି ଗଣ୍ଡି ଚଣ୍ଡୀ ପରି ପହଣ୍ଡିବୁ

ଦଣ୍ଡୁ ଦଣ୍ଡା ହାଡ଼ ଖଣ୍ଡି ଖଣ୍ଡକରି ଭଣ୍ଡ ଭାଙ୍ଗିବୁ ମରିବୁ

ଆଲୋ ଅଣ୍ଡିରା ଚଣ୍ଡୀ, ଦଣ୍ଡୁଆସୀ ଝୁରୁଝୁରୁ ମୁଣ୍ଡି । ଇତ୍ୟାଦି

 

ଏହି ସଂଳାପ ମାଧ୍ୟମରେ କବି ଗ୍ରାମ୍ୟ ସମାଜର ବାସ୍ତବ ଚିତ୍ର ଆଙ୍କିବାରେ ଯେପରି ସମର୍ଥ ହୋଇଛନ୍ତି, ନଣନ୍ଦ ଭାଉଜ ମଧ୍ୟରେ ଥିବା ଅନାବିଳ ସ୍ନେହ ମମତା ଓ ଅଭେଦ ପ୍ରୀତିର ମହତ୍ୱ ମଧ୍ୟ ‘ମହୀରାବଣ ବଧ’ରେ ସେହିପରି ପ୍ରକାଶ କରିଛନ୍ତି । ପୁରୋହିତ ପୁରଞ୍ଜନର ସ୍ତ୍ରୀ ସ୍ଵାମୀର ଗୋପନ କଥାକୁ ଅନ୍ୟ କାହା ଆଗରେ ପ୍ରକାଶ ନ କରି କେବଳ ନିଜ ନଣନ୍ଦକୁ କହିଛି-

 

 

‘‘କଥାଏ କହିବି ସହୀ ନ କହିବ କାହିଁ

କହିଲେ ନିଶ୍ଚୟ ପ୍ରାଣ ଯିବ ମୋର ସହୀ

ଡର ମାଡ଼ଇ, ଘର ଝିଅ ବୋଲି ସିନା କହଇ ।’’

 

ନଣନ୍ଦ ମଧୁର ସମ୍ପର୍କର ଆତ୍ମୀୟତା ପ୍ରକାଶ କରି କହିଛି-

 

‘‘ନଣନ୍ଦ ଭାଉଜଠାରୁ ଆପଣାର ନାହିଁ

ଅବିଶ୍ୱାସ କରି ତୁମ୍ଭେ ନ କୁହ କିମ୍ପାଇ ।’’

କହି ସକଳ, ହୁଦୟରୁ ସନ୍ଦେହ ଦୂର କର ।’’

 

ଏହି ପଙ୍‌ଙ୍କି ଭିତରେ ଆମ ସମାଜର ବାସ୍ତବ ମଧୁର ଚିତ୍ର ବେଶ୍‌ ପ୍ରକଟିତ ହୋଇଥାଏ । ନଣନ୍ଦ ଭାଉଜ ସମ୍ପର୍କର ମଧୁର ଚିତ୍ର ପରି ଆମ ସମାଜର ପାରିବାରିକ ଜୀବନରେ ଦିଅର ଭାଉଜ ମଧ୍ୟରେ ଥିବା ପବିତ୍ର ଏବଂ ଅନାବିଳ ସ୍ନେହ ମମତା ବନ୍ଧନକୁ ସୁଦୃଢ଼ କରେ । ପରିବାରକୁ ସୁସଂହତ ଏବଂ ମର୍ଯ୍ୟାଦାବନ୍ତ କରେ । ଇଂରେଜ ଶାସନ କାଳରେ ପାଶ୍ଚାତ୍ୟ ଶିକ୍ଷା, ସଭ୍ୟତା, ସଂସ୍କୃତି ଆମ ଉତ୍କଳୀୟ ପାରିବାରିକ ଜୀବନକୁ ଖଣ୍ଡିତ କରିଛି । ବ୍ୟକ୍ତିକୈନ୍ଦ୍ରିକ ମଣିଷ ପାଖରେ ପାରିବାରିକ ଏବଂ ସାମାଜିକ ଜୀବନର ମଧୁର ସମ୍ପର୍କ ମୂଲ୍ୟହୀନ ହୋଇପଡ଼ିଛି । ସ୍ଵାର୍ଥ ସର୍ବସ୍ଵ ମଣିଷ ନିଜ ଇଲାକାରେ ନିଜେ ସମ୍ରାଟ ସାଜି ସକଳ ଅପସଂସ୍କୃତିକୁ ଆପଣେଇ ନେଇଛି । ସାମାଜିକ ଅବକ୍ଷୟର ଏଇମିତି ଘଡ଼ିସନ୍ଧି ମୁହୂର୍ତ୍ତରେ କବି ଜଗନ୍ନାଥ ପାଣି ତାଙ୍କ ରଚନା ମାଧ୍ୟମରେ ଉତ୍କଳୀୟ ସମାଜ ଓ ଜୀବନର ମହାନ୍‌ପରମ୍ପରାକୁ ଲୋକଙ୍କ ପାଖରେ ପହଞ୍ଚେଇ ପାରିଛନ୍ତି । ପରିବାରର ସୁଦୃଢ଼ ଭିତ୍ତିଭୂମି ଉପରେ ସମସ୍ତଙ୍କୁ ଠିଆ କରେଇବାକୁ ସତତ ଚେଷ୍ଟିତ ହୋଇଛନ୍ତି । ‘ସୀତା ବନବାସ’ରେ ରାମଚନ୍ଦ୍ର ସୀତାଙ୍କୁ ବନସ୍ତରେ ଛାଡ଼ି ଆସିବା ପାଇଁ ଅନୁଜ ଲକ୍ଷ୍ମଣଙ୍କୁ ଆଦେଶ ଦେଇଛନ୍ତି । ଭାଇଙ୍କ ଆଦେଶ ତାଙ୍କ ମନକୁ ଭାରାକ୍ରାନ୍ତ କରିଛି । ବ୍ୟଥାତୁର କରିଛି । ତଥାପି ମନର ଦୁଃଖକୁ ମନ ମଧ୍ୟରେ ଚାପିରଖି ସେ ଆସିଛନ୍ତି ମାତୃସମା ଭାଉଜ ସୀତାଙ୍କ ପୁରକୁ । ଦୀର୍ଘଦିନ ପରେ ପୁତ୍ରସମ ଦିଅର ଲକ୍ଷ୍ମଣଙ୍କୁ ଦେଖି ସୀତାଙ୍କର ଅଭିମାନ ତାଙ୍କ ଉପରେ ଅଜାଡ଼ି ହୋଇ ପଡ଼ିଛି । କବିଙ୍କ ଭାଷାରେ-

 

‘‘ଲକ୍ଷ୍ମଣଙ୍କୁ ଦେଖି ପରିହାସେ ବଇଦେହୀ

ଆସ ଆସ ବୋଲି କହେ ହସ ହସ ହୋଇ ।

ଏତେଦିନେ ଦେବର ହେ ପଡ଼ିଲାକି ମନେ

ବଡ଼ ଶୁଭଦିନ ଆଜି ଜାଣିଲି ମୁଁ ମନେ ।

ଚଉଦ ବରଷ ଏକ ସଙ୍ଗେ ଥିଲେ ବନେ

ସେ କଥା କି ତୁମ୍ଭମନେ ପଡ଼ୁ ନାହିଁ ଦିନେ ।

ଉର୍ମିଳାକୁ ପାଇ ପାଶୋରିଲ ପୂର୍ବ ଭାବ

ଯାଇଛି ବିତି ସେଦିନ କିମ୍ପା ପଚାରିବ ।

କେତେ କୁବଚନ ମୁହିଁ କହିଅଛି ବନେ

ସେଥିଲାଗି ଦେବର ନ ଆସ ଅପମାନେ ।’’

 

ଏ ଶବ୍ଦ ବିଭବ ଭାଉଜ ସୀତାଙ୍କର ଅଭିମାନ, ପରିହାସ ଏବଂ ପଶ୍ଚାତାପର ଯେଉଁ ବାସ୍ତବ ଚିତ୍ର ଆଙ୍କି ପାରିଛି ତାହାରି ଭିତରେ ଆମ ସମାଜ ଜୀବନର ନିଖୁଣ ପ୍ରତିଛବି ପାଠକ ଏବଂ ଦର୍ଶକ ପାଖରେ ଖୁବ୍‌ ଆପଣାର ହୋଇଛି । ହିନ୍ଦୁ ନାରୀର ଧର୍ମ, ପାତିବ୍ରତ୍ୟ ଏବଂ ସ୍ଵାମୀ ପରିଚର୍ଯ୍ୟା ସହିତ ପାରିବାରିକ ମହାର୍ଘ୍ୟ ସମ୍ପର୍କର ଅନେକ ଅନେକ ଚିତ୍ର କବିଙ୍କ ରଚନାକୁ ପରିପୁଷ୍ଟ କରିଛି । ‘ସୀତା ବନବାସ’ର ଗୋଟିଏ ଛୋଟ ଉଦାହରଣ ମାଧ୍ୟମରେ କବିଙ୍କର ସୂକ୍ଷ୍ମ ସମାଳଚିତ୍ର ଉପସ୍ଥାପନ କରିବାରେ କିପରି ଚଳଚଞ୍ଚଳ ତାହା ବିଚାର କରିହୁଏ । ବନବାସ ପରେ ପ୍ରଭୁ ରାମଚନ୍ଦ୍ର ଦିନେ ନିଶାର୍ଦ୍ଧରେ ସୀତାଙ୍କ କେଳି ପୁରକୁ ବିଜେ କରିଛନ୍ତି । ସ୍ୱାମୀଙ୍କୁ ଦେଖି ସ୍ତ୍ରୀ ଯେପରି ହରଷ ମନରେ ସ୍ୱାମୀକୁ ସ୍ଵାଗତ କରେ, ପରିଚର୍ଯ୍ୟା କରେ, ମଧୁର ବଚନରେ ଆପାୟିତ କରେ ସୀତା ଠିକ୍‌ ସେହିପରି କରିଛନ୍ତି ।

 

‘‘ପ୍ରଭୁ ଆଗମନ ଦେଖି ଜନକ ନନ୍ଦିନୀ

ଅଭୟ ଚରଣେ ପଡ଼ି କହେ ସ୍ନେହବାଣୀ ।

ଚରଣେ ପଡ଼ି ପଲଙ୍କେ ବସାଇଲେ ନେଇ

ଲବଙ୍ଗ କର୍ପୂର ମିଶା ତାମ୍ବୁଳ ଯୋଗାଇ ।।’’

 

ମାତ୍ର ଚାରୋଟି ପଙ୍‌କ୍ତି ଭିତରେ କବି ସମାଜ ଓ ପରମ୍ପରାର ଅନେକ ମଧୁର ଝଲକ ଦେଇ ପାରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ସାଧାରଣ ପଚିବାରଠାରୁ ଆରମ୍ଭ କରି ରାଜ ଅନ୍ତପୁର ପର୍ଯ୍ୟନ୍ତ ସ୍ନେହ ଆଦରର ପ୍ରତୀକ ହେଉଛି ଆମ ସମାଜ ଚଳଣିରେ ତାମ୍ବୁଳ ସେବା । ସୁବାସିତ ପରିଚର୍ଯ୍ୟା । କବି ଏହାର ସମ୍ୟକ୍‌ ଚିତ୍ର ଉପସ୍ଥାପନ କରି ତାଙ୍କ ରଚନାଳୁ ସମାଜମୁଖୀ କରିଛନ୍ତି ।

 

ସମାଜର ପାରିବାରିକ ଜୀବନଚିତ୍ର ଦେବାରେ କବି ଥିଲେ ଅତୁଳନୀୟ । ସ୍ୱାମୀସ୍ତ୍ରୀ, ମାତାପୁତ୍ର, ମାତାକନ୍ୟା, ପିତାପୁତ୍ରଙ୍କ ମଧ୍ୟରେ ଥିବା ସମ୍ପର୍କର ପ୍ରତିଟି ଦିଗକୁ ନିରୀକ୍ଷଣ କରି କବି ସେସବୁର ବାସ୍ତବ ରୂପାୟନ କରିଛନ୍ତି । ମା’ ପାଖରେ ଝିଅର ଅଳି, ତା’ ମନର କଥା, ଦୁଃଖ ବେଦନାର ମାର୍ମିକ ଚିତ୍ର କବି ‘ଦକ୍ଷଯଜ୍ଞ’ରେ ପ୍ରକାଶ କରିଛନ୍ତି । ଦକ୍ଷରାଜାଙ୍କ କନ୍ୟା ଉମା ପିତାଙ୍କ ଦ୍ଵାରା ନିମନ୍ତ୍ରିତା ନ ହୋଇ ମଧ୍ୟ ପିତ୍ରାଳୟକୁ ଆସିଛି ଉତ୍ସବରେ ଯୋଗଦେବା ଲାଗି । କନ୍ୟା ଏବଂ ଜାମାତାଙ୍କୁ ବରଣ କରାଯାଇ ନଥିବାରୁ ରାଣୀ ଶୋକାତୁରା ଥିଲେ । ଅପ୍ରତ୍ୟାଶିତ ଭାବେ ଉମା ଆସିବାର ସମ୍ୱାଦ ପାଇ ତାକୁ ଆସି କୋଳାଗ୍ରତ କରି ନେଇଛନ୍ତି ଲୋତକାପ୍ଲୁତ ନୟନରେ । ଏକ ଶୋକାକୁଳ ପରିବେଶରେ ଉମା ବ୍ୟକ୍ତ କରିଛି ତା’ ମନର କଥା ସାଧାରଣ ଝିଅଟିଏ ପରି । ଜଗନ୍ନାଥ ପାଣିଙ୍କ ଲେଖନୀରେ ଏହାର ବାସ୍ତବ ଚିତ୍ର ଖୁବ୍‌ ମର୍ମସ୍ପର୍ଶୀ ହୋଇପାରିଛି-

 

ଚନ୍ଦ୍ରଶାଳା ପୁରୁ ଧାଇଁ ଆସି ଦୂରୁଁ କୋଳ କରି ନେଲା ପୁଣି

ସେ ସୁନ୍ଦରି, ବେନି ନୟନରୁ ବହେ ବାରି ।

ଜନନୀକୁ ଦେଖି ଉମା ଚନ୍ଦ୍ରମୁଖୀ ଶୋକ ଭରେ ପ୍ରଣମଇ

ନୀରଜ ନୟନୁ ନୀରଧାର ତାର ଝର ଝର ଯାଏ ବହି ।

x      x      x

ଚଉଦ ଭୁବନେ ଥିଲେ ଯେଉଁମାନେ ତାହାଙ୍କୁ ବରି ଆଣିଲୁ

ମୁଁ ତୋର ସହୋଦ୍ର ଝିଅପରା ଆଉ ପଦେ ମୋତେ ନ କହିଲୁ ।

x      x      x

ଏହା ଯେବେ ଜାଣୁ କାହିଁକି ଆଜନ୍ମୁ ବିଷ ଦେଇ ନ ମାରିଲୁ

ଅଗାଧ ସିନ୍ଧୁରେ ହସ୍ତପଦ ବାନ୍ଧି କିମ୍ପା ଭସାଇ ନ ଦେଲୁ ।’’

 

ଏହି ଗୋଟିଏ ଜୀବନ୍ତ ବର୍ଣ୍ଣନାରେ ଜଗନ୍ନାଥ ପାଣିଙ୍କ ସୃଷ୍ଟି ସମୂହର ଉତ୍କର୍ଷ ବିଚାର କରାଯାଇପାରେ । ସେହିପରି ‘‘ବଭ୍ରୁବାହନ ଯୁଦ୍ଧ’’ ଛାନ୍ଦନାଟ୍ୟରେ ବଭ୍ରୁର ମାତା ଚିତ୍ରାଙ୍ଗଦାଙ୍କ ମାତୃ ହୃଦୟର ବାତ୍ସଲ୍ୟ ପ୍ରେମ ବର୍ଣ୍ଣନା ମଧ୍ୟ ଖୁବ୍‌ ଚମତ୍କାର ଏବଂ ବାସ୍ତବ । କବି ରଚନାରେ-

 

‘‘ଚିତ୍ରାଙ୍ଗଦା ଦେଖିଣ ସେ କୁମର ବଦନ, ମୋ ଜୀବ ଜୀବନ

ଆକୁଳେ କୋଳେ ବସାଇ ବୋଲଇ ବଚନ,

ମଳିନ ଦିଶଇ ତୋର ଚନ୍ଦ୍ରମା ବଦନ

କାହା ବଳେ ଖରାବେଳେ ବୁଲିଗଲୁ ବନ ।

ଦଣ୍ଡେ ନ ଦେଖିଲେ ପିଣ୍ଡେ ନ ରହଇ ଜ୍ଞାନ

ଅତି ସୁଖେ ପୁତ୍ର ମୁଖେ ଦିଅଇ ଚୁମ୍ବନ ।

କାହାର ଅଶ୍ଵ ଗୋଟିକ କରିଛୁ ବନ୍ଧନ

ବୋଲେ ଜଗନ୍ନାଥ କହୁଅଛି ମୋହ ରାଣ ।’’

 

ଏ ଯେଉଁ ବାସ୍ତବ ବର୍ଣ୍ଣବିଭା ପ୍ରକଟିତ ହୋଇଛି ତାହା ଯେକୌଣସି ସାଧାରଣ ପାଠକ କିମ୍ବା ଦର୍ଶକ ପ୍ରାଣକୁ ସମ୍ମୋହିତ କରିପାରିବ । ପୁଣି ପୁତ୍ର ବିଚ୍ଛେଦ ଜନିତ ମାତୃ ହୃଦୟର ମର୍ମାନ୍ତିକ ଶୋକ ଜର୍ଜରିତ କ୍ରନ୍ଦନର ବର୍ଣ୍ଣନା ଜଗନ୍ନାଥ ପାଣିଙ୍କ ଲେଖନୀରେ ମଧ୍ୟ ସହଜ ହୋଇଉଠିଛି । ‘କାମ କାଠୁରିଆ ପାଲା’ରେ କର୍ଣ୍ଣାଟ ଦେଶର ରାଣୀଙ୍କର କ୍ରନ୍ଦନ-

 

‘‘xxx କାଟି ନେଇଗଲା କିଏ ନେଲା ରତ୍ନମାଳୀ

xxx ଦୁଃଖୀର ସନ୍ତାନ ସଙ୍ଖାଳି ସୁଖ ସଦନ ବଦନ

xxx ଆହାରେ ମନ୍ଦ ଦଇବ କିମ୍ପା ଏହା କଲୁ

ଲାବଣ୍ୟନିଧି ପ୍ରତିମା ଦେଖାଇ ହରିଲୁ”-

 

ଯେପରି ପ୍ରାଣସ୍ପର୍ଶୀ ପୁତ୍ର ନିଧନରେ ପିତୃପ୍ରାଣର ଲୋତକାପ୍ଲୁତ କ୍ରନ୍ଦନ ମଧ୍ୟ ସେହିପରି ବିକଳ ବିଦଗ୍ଧ ଏବଂ ହୃଦୟ ବିଦାରକ । ଇନ୍ଦ୍ରଜିତ ମୃତ୍ୟୁରେ ପ୍ରବଳ ପ୍ରତାପୀ ରାବଣ ପୁତ୍ର ଶୋକରେ ଅଧୀର ହୋଇ ଯେପରି କ୍ରନ୍ଦନ କରିଛି ତାହାର ଜୀବନ୍ତ ଚିତ୍ର ଦେଇଛନ୍ତି କବି ଜଗନ୍ନାଥ ପାଣି ତାଙ୍କର ‘ରାବଣର ଶୋକ’ କଥାବସ୍ତୁ ଭିତରେ । ‘‘ହାୟ ପୁତ୍ର ଗୁଣମୁନ୍ତ ବୁଦ୍ଧିମନ୍ତ ହାରି ନଥିଲୁ କାହାକୁ/ସପତବାର ସ୍ଵର୍ଗରେ ପଶି ଜିଣିଥିଲୁ ତୁ ଶଚୀ ନାହାକୁ-’’ ବର୍ଣ୍ଣନାରେ ସମାଜ ଚିତ୍ରର ସ୍ଵର ସୁସ୍ପଷ୍ଟ ହୋଇଉଠିଛି ।

 

ସମାଜରେ ଜାତି ପ୍ରଥା, ଜାତି ଭେଦ, ପ୍ରତ୍ୟେକ ଜାତିର ଧର୍ମ, ନୀତି, ନିୟମ ପ୍ରଭୃତି ମଣିଷକୁ ବାନ୍ଧି ରଖିଛି ବହୁକାଳରୁ । ଉଚ୍ଚ ଜାତି ଠାରୁ ନୀଚ ଜାତି ପର୍ଯ୍ୟନ୍ତ ପ୍ରତ୍ୟେକ ନିଜ ଜାତିର ସ୍ଵାଭିମାନକୁ ଧରି ମଣିଷ ବଞ୍ଚେ । କାରଣ ସମାଜ ନିକଟରେ ଜାତି ଯେପରି ଉତ୍ତରଦାୟୀ-ଜାତି ପାଖରେ ମଣିଷ ବି ସେମିତି ଉତ୍ତରଦାୟୀ । ‘ସୀତା ବନବାସ’ରେ ରଜକ ରଜକିନୀ ପ୍ରସଙ୍ଗରେ କବି ତତ୍କାଳୀନ ସମାଜର ବାସ୍ତବଚିତ୍ର ଦେବାରେ ସଫଳ ହୋଇଛନ୍ତି । ସ୍ଵାମୀର ବିନାନୁମତିରେ ସ୍ତ୍ରୀ ବାପଘରେ ରାତି କଟାଇଥିବାରୁ ସେ ଅସତୀ ଏବଂ ଚରିତ୍ରହୀନା ବୋଲି ରଜକ ଭତ୍ସନା କରିବା ସହିତ ତାକୁ ଘରୁ ବାହାର କରିଦେବା ପାଇଁ ମଧ୍ୟ କହିଛି । ସ୍ତ୍ରୀ ପାଇଁ ଜାତି ପାଖରେ ସେ ଅପମାନିତ ଏବଂ ଲାଞ୍ଛିତ ହେବା ପୂର୍ବରୁ ରଜକ କହିଛି-

 

‘‘ଜାତି ପାଟକରେ ବେଭାର ଆମ୍ଭର କେବେ ନରଖିବି ତୋତେ

ଦୋଚାରୀ ସ୍ତିରୀକୁ ରଖିଲେ ଗୃହରେ ଅପବାଦ ହେବ ମୋତେ

ମୋ’ ଘରୁ ବାହାର

ତୋହଠାରେ କାର୍ଯ୍ୟ ନାହିଁ ମୋର ।’’

 

ସ୍ଵାମୀ କଥା ଶୁଣି ରଜକୀ ନିଜ ପାଇଁ ସଫେଇ ବାଢ଼ିଥିଲେ ହେଁ ରଜକକୁ ସେ ସନ୍ତୁଷ୍ଟ କରି ପାରିନାହିଁ । ଶେଷକୁ ସୀତାଙ୍କୁ ଉପଲକ୍ଷ୍ୟ କରି କହିଛି ସୀତା ରାବଣ ପୁରରେ ଥିଲେ ମଧ୍ୟ ତାଙ୍କର ଜାତି ଯାଇନି । ସେ ଅସତୀ ହୋଇ ନାହାନ୍ତି । ରାମଚନ୍ଦ୍ର ତାଙ୍କୁ ଫେରାଇ ଆଣିଛନ୍ତି । କିନ୍ତୁ ସେ ନିଜ ବାପଘରେ ଥିଲେ ବି କିପରି ଦୋଚାରୀ ଏବଂ ଅଜାତି ହେଲା ବୋଲି ପ୍ରଶ୍ନ କରିବାରୁ ରଜକ ଉତ୍ତରରେ କହିଛି-

 

‘‘ଚଉଦ ଭୁବନେ ରାମ ରାଜା ତାଙ୍କୁ କେହି ନ କହନ୍ତି ଡରେ

ଜାତି ପାଟକରେ ବେଭାର ଆଚାର କେମନ୍ତେ ରଖିବି ଘରେ

ଯେବେ ଜାତି ଶୁଣିବେ

ମୋତେ ସଭାରୁ ଉଠାଇ ଦେବେ ।’’

 

ଏଠାରେ କବି ପାରିବାରିକ କଳହ ଭିତରେ ସୀତା ଏବଂ ରାଜା ରାମଚନ୍ଦ୍ରଙ୍କୁ କେନ୍ଦ୍ରସତ୍ତା ଭାବେ ଚିତ୍ରଣ କରି ରାଜା ପ୍ରଜା ମଧ୍ୟରେ ଥିବା ବ୍ୟବଧାନ ତଥା ସାମାଜିକ ସ୍ଥିତିର ସମ୍ୟକ୍ ସୂଚନା ଦେଇଛନ୍ତି । ଯାହା ରାମଚନ୍ଦ୍ରଙ୍କ ହୃଦୟରେ ଗଭୀର ଆଘାତ ଦେବା ସଙ୍ଗେ ସଙ୍ଗେ ତାଙ୍କ ରାଜପଣକୁ ବ୍ୟଥାସିକ୍ତ କରିଛି । ତେଣୁ ପ୍ରଜାନୁରଞ୍ଜନ ପାଳନକାରୀ ରାଜା ରାମଚନ୍ଦ୍ରଙ୍କ ମନରେ ଭାଷା ପ୍ରକଟିତ ହୋଇଛି-

 

‘‘ଅନାଚାରୀ ସନ୍ନ୍ୟାସୀଏ ସୁରାଚାରୀ ପ୍ରଜା

ଦୋଚାରୀ ଭାରିଯା ଏଙ୍କୁ ନ ରଖନ୍ତି ରାଜା ।।’’

 

ପ୍ରକୃତ ପକ୍ଷରେ ଅନାଚାରୀ ସାଧୁ ସନ୍ନ୍ୟାସୀ, ଦୁରାଚାରୀ ପ୍ରଜା ଏବଂ ଦୋଚାରୁଣୀ ନାରୀ ଶୃଙ୍ଖଳିତ ରାଜ୍ୟ ପାଇଁ ମଙ୍ଗଳକାରୀ ନୁହନ୍ତି ବୋଲି କବି ରାମଚନ୍ଦ୍ରଙ୍କ ମାଧ୍ୟମରେ ପ୍ରକାଶ କରିଛନ୍ତି । ‘ମୀରା ଚରିତ’ରେ ଭଣ୍ଡ ସନ୍ନ୍ୟାସୀର ଚିତ୍ର ସହିତ ମୀରାବତୀ ପ୍ରତି ରାଜାଙ୍କର ଭର୍ତ୍ସନା ଓ କ୍ରୋଧର ବାସ୍ତବ ଚିତ୍ର ମଧ୍ୟ ଖୁବ୍‌ ଜୀବନ୍ତ ହୋଇପାରିଛି । ସମାଜ ଏବଂ ସାମାଜିକ ଜୀବନର ଧର୍ମ ଅଧର୍ମ, ନୀତି ଅନୀତି, ଶୃଙ୍ଖଳା ବିଶୃଙ୍ଖଳା, ପାପ ପୁଣ୍ୟ ଆଚାର ଅନାଚାରର ପ୍ରତ୍ୟେକ ଦିଗକୁ କବି ଜଗନ୍ନାଥ ପାଣିଙ୍କ ଲେଖନୀ ସ୍ପର୍ଶ କରିଛି । ହିନ୍ଦୁ ଧର୍ମଚାରରେ ସ୍ଵାମୀ ଉପରେ ସ୍ତ୍ରୀର ଅଧିକାର ଶାସ୍ତ୍ର ସମ୍ମତ । ବିଶ୍ଵାସନୀୟ ହେଉଛି ଦାମ୍ପତ୍ୟ ସମ୍ପର୍କ । ସ୍ତ୍ରୀର ଅଗୋଚରରେ ସ୍ଵାମୀ କିଛି କାର୍ଯ୍ୟ କରିବା ଅନୁଚିତ୍‌ ଏବଂ ତାହାକୁ ସହଜରେ ସ୍ତ୍ରୀ ଗ୍ରହଣ କରିପାରେ ନାହିଁ । ଏହିପରି ଏକ ବିସମ୍ବାଦିତ କଥାଚିତ୍ରର ସୂତ୍ରପାତ କରିଛନ୍ତି କବି ‘ଗୁଣ୍ଡିଚା ବିଜେ’ରେ । ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ଯାତ୍ରା କରନ୍ତି । ବର୍ଷା ଋତୁରେ ଯୁବତୀ ସ୍ତ୍ରୀକୁ ଛାଡ଼ି ଭଉଣୀକୁ ନେଉଥିବାରୁ ଜଗତମାତା ଲକ୍ଷ୍ମୀ କ୍ରୋଧ ଜର୍ଜରିତା ହୋଇ ସାଧାରଣ ନାରୀଟିଏ ହୋଇଯାଇଛନ୍ତି । ହିତାହିତ ଜ୍ଞାନ ଭୁଲି ଅଶ୍ରାବ୍ୟ ଶବ୍ଦ ପ୍ରୟୋଗ କରିଛନ୍ତି, ଭାଇଭଉଣୀଙ୍କ ଉଦ୍ଦେଶ୍ୟରେ-ବିମଳାଙ୍କ ଆଗରେ । କବି ଶବ୍ଦରେ ସଜେଇଛନ୍ତି-

 

‘‘ଯେ ଯାହାର ପରିବାରୀ ଥାଇ ଘର ମଧ୍ୟେ

ଯିବାବେଳେ ସ୍ଵାମୀ ତାଙ୍କୁ ପଚାରଇ ପଦେ ।

x      x      x

ରାଣ୍ଡ ଭଉଣୀଙ୍କୁ ତାଙ୍କ ଏତେକ ଶରଧା

x      x      x

ଏଡ଼େ ଅଲାଜୁକୀ ନାହିଁ ତା’ ପରି ଏ ଦେଶେ

 

ଭଣ୍ଡ ଗୀତ ଶୁଣି ରାଣ୍ଡ କୁରୁ କୁରୁ ହସେ’’- ଗାଳିରେ ସେ ସନ୍ତୁଷ୍ଟ ହୋଇନାହାନ୍ତି । ଶେଷରେ ଭାଇ ଭଉଣୀର ପବିତ୍ର ସମ୍ପର୍କକୁ ମଧ୍ୟ ଆକ୍ଷେପ କରି କହିଛନ୍ତି-

 

‘‘ସୁଭଦ୍ରା ଶୋଭାରେ ଲୋଭା ଯା’ ମନ

ବିଭା ସ୍ତିରୀ ଠାରେ କି ପ୍ରୟୋଜନ ।’’

 

ସାଧାରଣ ନାରୀଟିଏ ପରି କବି ଜଗନ୍ନାଥ ପାଣି ଲକ୍ଷ୍ମୀଙ୍କୁ ଯେଉଁ ସ୍ତରକୁ ନେଇ ଆସିଛନ୍ତି ସେଠି କେବଳ ସମାଜର ଚିତ୍ରଟିଏ ହିଁ ଦେଖିହୁଏ । ଏହା ସହିତ ଆମ ସମାଜରେ ବହୁ ପୂର୍ବରୁ ପ୍ରଚଳିତ ସ୍ତମ୍ଭନ, ମୋହନ, ବଶୀକରଣ ପ୍ରଭୃତିକୁ ମଧ୍ୟ କବି ରୂପ ଦେଇଛନ୍ତି । ସ୍ଵାମୀଙ୍କୁ ବଶୀଭୂତ କରିବା ପାଇଁ ବିମଳା ଲକ୍ଷ୍ମୀଙ୍କୁ ମନ୍ତ୍ରଧୂଳି ପ୍ରଦାନ କରିବା ଚିତ୍ର ଖୁବ୍‌ ମନୋଜ୍ଞ ହୋଇଛି ‘ଗୁଣ୍ଡିଚା ବିଜେ’ରେ । ଯାହା ଭିତରେ ପାଠକ ଏବଂ ଦର୍ଶକ ଏକ ଏକ ଭିନ୍ନ ସ୍ଵାଦ ଆହରଣ କରିବା ପାଇଁ ସମର୍ଥ ହୋଇଥାଏ । ତତ୍କାଳୀନ ସମାଜରେ ପ୍ରଚଳିତ ଅଳଙ୍କାର ଯଥା- ଚନ୍ଦ୍ରହାର, କିଙ୍କିଣୀ, ଚାପସରି, ନୋଥ, ବାହୁଟି, ବଜ୍ରଚିକ, ହାର, ପପକ, ବାହୁଟି, ନୁପୂର, ଖଡ଼ୁ, ବଳା, ମୁଦ୍ରିକା, ସୁବର୍ଣ୍ଣ ଚଉଁରୀ ପ୍ରଭୃତିର ନାମୋଲ୍ଲେଖ ସହିତ ବେଶ ବର୍ଣ୍ଣନା ସାପବିଷ ହରଣ, ମନ୍ତ୍ର, ତନ୍ତ୍ର, ଗୁଣିଆ, ଭୂତ ପ୍ରେତ, ରାଜସ୍ଵ, ରାଜ୍ୟଶାସନ, ସାମାଜିକ ଓଷାବ୍ରତ, ଯଜ୍ଞ କର୍ମ, ଦାନ ଦକ୍ଷିଣା, ବିଭିନ୍ନ ଧର୍ମଧାରଣା ଓ ଉପାସନା ଆଦି ପ୍ରତିଟି ସାମାଜିକ ଚିତ୍ରର ସଫଳ ରୂପାୟନ କବି ଲେଖନୀରେ ଖୁବ୍‌ ବାସ୍ତବ ମନେ ହୋଇଥାଏ ।

 

ମୋଟାମୋଟି ଭାବେ ବିଚାର କଲେ କବି ଜଗନ୍ନାଥ ପାଣି ତାଙ୍କର ବିପୁଳ ସୃଷ୍ଟି ମଧ୍ୟରେ ଓଡ଼ିଶାର ଜନଜୀବନ ଓ ସମାଜକୁ ବେଶ୍‌ ହୃଦୟର ସହ ସ୍ପର୍ଶ ଦେଇଛନ୍ତି । ନୂତନ ଯୁଗ ରୁଚି, ଭାବରୁଚି ଏବଂ ଭାଷା ସାହିତ୍ୟ ରୁଚିକୁ ଆଧାର କରି ସେ ସରଳ, ତରଳ, ସାବଲୀଳ ପ୍ରକାଶ ଭଙ୍ଗୀ ମାଧ୍ୟମରେ ସାମାଜିକ, ଧାର୍ମିକ ଏବଂ ଆଧ୍ୟାତ୍ମିକତାର ଜୀବନ୍ତ ଚିତ୍ରଶାଳା ସୃଷ୍ଟି କରିଛନ୍ତି । ଜଗନ୍ନାଥ ପାଣିଙ୍କ ରଚନାଗୁଡ଼ିକ ବେଶ୍‌ ଚିତ୍ତସ୍ପର୍ଶୀ, ଯେଉଁଥିରେ ଗଦ୍ୟାତ୍ମକ ସଂଳାପ ନାହିଁ । ରହିଛି କେବଳ କାବ୍ୟ ବିଭବ ଏବଂ ଯଥେଷ୍ଟ ଲୋକ ଉପାଦାନ । କବିତା ପ୍ରାଣରେ ଉର୍ଦ୍ଧ୍ୱସ୍ଵଳ । ଛାନ୍ଦର ସାମାହାର ନାଟକର କଥାବସ୍ତୁ ପରି ଆରମ୍ଭ, ବିକାଶ, ଶୀର୍ଷ ଓ ପରିସମାକ୍ତି । ବିଭିନ୍ନ ରସର ଅବତାରଣା, ଦ୍ୱନ୍ଦ୍ୱ‌, ଉତ୍କଣ୍ଠା ପରିପୂର୍ଣ୍ଣ । ପଦ୍ୟାତ୍ମକ ସଂଳାପର ମଧୁର ତଥା ମଞ୍ଜୁଳ ପରିପ୍ରକାଶ । ଯାହାକି କାବ୍ୟଗୁଣ ଓ ନାଟକଗୁଣର ଏକ ମନୋଜ୍ଞ ସମନ୍ଵୟ । ଏହି ଛାନ୍ଦ ନାଟକର ବିପୁଳ ଐଶ୍ଵର୍ଯ୍ୟ ମଧ୍ୟରେ କବି ଜଗନ୍ନାଥ ପାଣି ସମାଜଚିତ୍ରର ବାସ୍ତବ ପ୍ରତିଛବି ଅଙ୍କନ କରି ତାଙ୍କ ସୃଷ୍ଟିକୁ ସର୍ବ ଜନାଦୃତ କରିବା ସଙ୍ଗେ ସଙ୍ଗେ ଓଡ଼ିଆ ବାଣୀ ଭଣ୍ଡାରକୁ ବିଶେଷ ଭାବରେ ସୁସମୃଦ୍ଧ କରିଛନ୍ତି ଓ ନିଜେ ମଧ୍ୟ କାଳଜୟୀ ହୋଇ ପାରିଛନ୍ତି ।

 

 

ଅବସରପ୍ରାପ୍ତ ପ୍ରାଧ୍ୟାପକ

ସ୍ନେହାଶୀଷ, ପ୍ଲଟ-୧୬୧୯/୩, ଲେନ୍‌-୯

ଏରୋଡ୍ରମ ଏରିଆ, ଭୁବନେଶ୍ୱର-୨୦

 

***

 

କୋଣାର୍କ ୧୬୬ତମ ସଂଖ୍ୟା

ଜଗନ୍ନାଥ ପାଣିଙ୍କ କାବ୍ୟ ନାଟକରେ ଶୃଙ୍ଗାର ଚେତନା

ରମାକାନ୍ତ ରାଉତ

 

ଆଳଙ୍କାରିକ ଭୋଜରାଜ କହନ୍ତି : ‘ଶୃଙ୍ଗାରୀ ଚେତ୍‌ କବିଃ ।’ ଶୃଙ୍ଗାର ଚେତନା କବିର ବୈଶିଷ୍ଟ୍ୟ । ତେଣୁ କାବ୍ୟରେ ଶୃଙ୍ଗାର ରସ ହିଁ ପ୍ରାଧାନ୍ୟ ବିସ୍ତାର କରିଥାଏ । ଏଠାରେ କାବ୍ୟ ଅର୍ଥ ନାବ୍ୟ ଓ ନାଟକ ଉଭୟକୁ ବୁଝାଇଥାଏ । ବିଶ୍ଵନାଥ କବିରାଜ କହନ୍ତି : ‘‘ଦୃଶ୍ୟଶ୍ରବ୍ୟେ ତୁ ଭେଦେନ ପୁନଃ କାବ୍ୟମ୍‌ ଦ୍ୱିଧା ମତମ୍‌ । ଦୃଶ୍ୟଂ ତତ୍ରାଭିନୟଃ ।’’ ଅର୍ଥାତ୍ ଦୃଶ୍ୟ ଓ ଶ୍ରାବ୍ୟ ଭେଦରେ କାବ୍ୟ ଦ୍ଵିବିଧ । ଯାହା ଶ୍ରବଣ ଦ୍ଵାରା ଉପଭୋଗ କରାଯାଏ ତାହା କାବ୍ୟ ଏବଂ ଯାହା ଅଭିନୟ ସର୍ବସ୍ଵ ତାହା ଦୃଶ୍ୟ ଅର୍ଥାତ୍ ନାଟକ । ସେଥିପାଇଁ ନାଟକକୁ ଭରତ ମୁନି ପଞ୍ଚମ ବେଦ ବୋଲି କହିଛନ୍ତି । ଭାରତୀୟ କାବ୍ୟ ନାଟକରେ ଶୃଙ୍ଗାର ରସ ହିଁ ଶ୍ରେଷ୍ଠ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ପାଶ୍ଚାତ୍ୟ ସାହିତ୍ୟ ବିଶେଷତଃ ଗ୍ରୀକ୍‌ ନାଟକରେ କରୁଣରସର ପ୍ରାଧାନ୍ୟ ସ୍ୱୀକାର୍ଯ୍ୟ । ଅବଶ୍ୟ ଭାରତୀୟ ଆଳଙ୍କାରିକମାନେ କରୁଣରସକୁ ଅଣଦେଖା କରିନାହାନ୍ତି । କାଳିଦାସ ପ୍ରେମ ପରାକାଷ୍ଠା ପ୍ରଦର୍ଶନ କରିଥିବାବେଳେ ଭବଭୂତି କରୁଣରସର ପ୍ରବର୍ତ୍ତକ । ତାଙ୍କ ମତରେ କରୁଣ ହେଉଛି ମୁଖ୍ୟରସ ।

 

‘‘ଏକୋ ରସଃ କରୁଣ ଏବ ନିମିତ୍ତ ଭେଦାତ୍‌ ଭିନ୍ନ ।

ପୃଥକ ପୃଥକ ଗବା ଶୟତେ ବିବର୍ତ୍ତନ” ।।

 

ତେଣୁ ତାଙ୍କ ‘ଉତ୍ତର ରାମ ଚରିତ’ରେ କରୁଣରସର ଉତ୍ତରଳ ପ୍ରବାହ ପରିଦୁଷ୍ଟ ହୋଇଥାଏ । ସଚ୍ଚିଦାନନ୍ଦଙ୍କ ପରିପ୍ରକାଶ ଆନନ୍ଦରୁ ରସର ପରିପ୍ରକାଶ ହୁଏ । ପ୍ରକାଶନନ୍ଦ ଚିଦ୍‌ରୂପାଂ ରସଣଂ ପ୍ରତିପଦ୍ୟତେ’’ । ରସର ପ୍ରକାର ଭେଦ ସମ୍ପର୍କରେ ଆଳଙ୍କାରିକମାନଙ୍କ ମଧ୍ୟରେ ଭିନ୍ନ ମତ ରହିଛି । ଭୋଜରାଜ ଦଶପ୍ରକାର ରସର ଅବତାରଣା କରିଛନ୍ତି-

 

‘‘ଶୃଙ୍ଗାରବୀର କରୁଣାଦ୍‌ଭୂତ ରୌଦ୍ର ହାସ୍ୟ

ବିଭତ୍ସବତ୍ସଳ ଭୟାନକ ଶାନ୍ତଃ ନାମ୍ନଃ

ଅସ୍ନାସିଷ୍ଣୁ ଦଶରସାନ୍‌ ସୁଧୀୟୋବୟନ୍ତୁ

ଶୃଙ୍ଗାରମେବ ରସନାଦ ରସମାମନାମ୍‌।’’

 

ଶୃଙ୍ଗାର, ବୀର, କରୁଣ, ଅଦ୍ଭୁତ, ରୁଦ୍ର, ହାସ୍ୟ, ବିଭତ୍ସ, ବାତ୍ସଲ୍ୟ, ଭୟାନକ ଓ ଶାନ୍ତ ଏହି ଦଶ ରସ ବିଷୟ ପଣ୍ଡିତମାନେ ମତଦେବା ବିଷୟ ଭୋଜରାଜ କହନ୍ତି । ତନ୍ମଧ୍ୟରୁ ଶୃଙ୍ଗାର ଶ୍ରେଷ୍ଠ ରସ ବୋଲି ତାଙ୍କର ମତ । ତେଣୁ କବି ମାତ୍ରେଇ ଶୃଙ୍ଗାରିଚେତା ଓ ତା’ର ପ୍ରୟୋଗ ହେତୁ କାବ୍ୟ ରସମୟ ହୋଇଯାଏ ଏବଂ ବିଶ୍ଵ ଆନନ୍ଦମୟ ହୁଏ । କବି ବିରାଗ ବା ବିତସ୍ପୃହ ହେଲେ ଜଗତ ବିଷମୟ ହୋଇଯାଏ । କବି ଜୟକୃଷ୍ଣ ମିଶ୍ର ଏ ପ୍ରସଙ୍ଗରେ କହନ୍ତି : ‘‘ଅନ୍ତର ତୁମ କବି ହେ/ହସ ଯେବେ ତୁମେ କର୍କଶ ଭୂମେ କୋଟିଏ ସୁଷମା ଖସେ ହେ ।’’

 

ସେହି ମର୍ମରେ ଧୂନ୍ୟାଲୋକରେ ମଧ୍ୟ କୁହାଯାଇଛି:-

‘‘ଶୃଙ୍ଗାର ଏବ ମଧୁରଃ ପରପହ୍ଲାଦେନୋ ରସଃ ।

ତନ୍ମୟଂ କାବ୍ୟମାଶ୍ରିତ୍ୟ ମାଧୁର୍ଯ୍ୟଂ ପ୍ରତିତିଷ୍ଠତେ’’ ।

 

ଶୃଙ୍ଗାରଠାରୁ ମଧୁରରସ ନାହିଁ ଏବଂ ତାକୁ ଆଶ୍ରାକରି କାବ୍ୟ ମାଧୁର୍ଯ୍ୟ ମଣ୍ଡିତ ହୋଇଥାଏ । ଠିକ୍‌ ସେଇ ମର୍ମରେ ଅଗ୍ନି ପୁରାଣରେ କୁହାଯାଇଛି : ‘‘ଅପାରେ କାବ୍ୟ ସଂସାରେ କବିରେବ ପ୍ରଜାପତିଃ/ଯଥାସ୍ମୈ ରୋଚତେ ବିଶ୍ୱଂ ତଥେନଂ ପରିବର୍ତ୍ତତେ ।’’ କବି ହେଉଛନ୍ତି ପ୍ରଜାପତି ବା ଦ୍ୱିତୀୟ ଈଶ୍ଵର ଏବଂ ସେ ଯେପରି ଚାହାନ୍ତି ପୃଥିବୀକି ସେପରି ସୁଷମାମୟ କରିପାରନ୍ତି । ତେଣୁ ଶୃଙ୍ଗାର ବା ପ୍ରେମରସ ଦ୍ଵାରା କାବ୍ୟ ଓ ଜଗତକୁ ପ୍ରେମମୟ କରିପାରନ୍ତି । କବି ବା ନାଟ୍ୟକାର ନିରାନନ୍ଦ ହେଲେ ସଂସାର ଓ ଜଗତ ନିରାନନ୍ଦମୟ ହୁଏ । ତେଣୁ ରସମାନଙ୍କ ମଧ୍ୟରେ ଶୃଙ୍ଗାର ପ୍ରଧାନ ।

 

ସଚରାଚର ନବରସ ପ୍ରସଙ୍ଗଃ ଉତ୍‌ଥାପନ କରାଯାଇଥାଏ । କେହି କେହି ବିଭତ୍ସ ବା ବାତ୍ସଲ୍ୟ ରସକୁ ମଧ୍ୟ ବାଦ ଦେଇଥାନ୍ତି । ତେବେ ଦୃଶ୍ୟ କାବ୍ୟ ବା ନାଟକରେ ଅଷ୍ଟରସର ଅବତାରଣା କରନ୍ତି ଭରତ ମୁନି : ‘‘ଶୃଙ୍ଗାର ହାସ୍ୟ କରୁଣା ରୌଦ୍ର ବୀର ଭୟାନକାଃ । ବିଭତ୍ସାଦ୍ଭୁତ ସଜ୍ଞୌ ଚୈତ୍ୟଷ୍ଟୌ ନାଟ୍ୟେରସା ସ୍ମୃତା’’ ।।

 

ନାଟ୍ୟ ରସଗୁଡ଼ିକ ହେଲା ଶୃଙ୍ଗାର, ହାସ୍ୟ, କରୁଣ, ରୁଦ୍ର, ବୀର, ଭୟାନକ, ବିଭତ୍ସ ଓ ଅଦ୍ଭୁତ । ଭରତ ଶାନ୍ତ ଓ ବାତ୍ସଲ୍ୟ ରସକୁ ପରିହାର କରି ନାଟକରେ ଆଠଟି ପ୍ରଧାନ ରସର ଅବତାରଣା କରନ୍ତି । କିନ୍ତୁ ଶୃଙ୍ଗାର ମୁଖ୍ୟରସ ଭାବେ ଗ୍ରହଣ କରାଯାଇଛି । ଜଗନ୍ନାଥ ପାଣିଙ୍କ କାବ୍ୟସ୍ଵର ନାଟକୀୟତାର ମୁଖ୍ୟ ଦିଗ ପ୍ରେମ ଓ ଶୃଙ୍ଗାରିକତା । ସେ ସବୁର ନାତିଦୀର୍ଘ୍ୟ ଆଲୋଚନା କରାଯାଇଛି । ପାଣି ବଂଶୋଦ୍ଭବ ନଳାଙ୍ଗ ଗ୍ରାମନିବାସୀ ଜଗନ୍ନାଥ ଶ୍ରୀ ନଳେଶ୍ଵରଙ୍କ ଉପାସନାରୁ କବିତ୍ୱ ଲାଭ କରିବା କଥା କହନ୍ତି । କାଳିଦାସ, ଉପେନ୍ଦ୍ରଭଞ୍ଜ ଯଥାକ୍ରମେ ମା’ ବାଗ୍‍ଦେବୀ ଓ ରାମ ତାରକ ମନ୍ତ୍ର ଯୋଗୁଁ କବିତ୍ୱ ପ୍ରାପ୍ତ ହେବା ପରି ଜଗନ୍ନାଥ ପାଣି ନଳେଶ୍ଵର ମହାଦେବଙ୍କ ଉପାସନାରୁ କବିତ୍ୱ ପ୍ରାପ୍ତ ହୋଇଥିବା କଥା ସେ ନିଜେ ସ୍ଵୀକାର କରନ୍ତି ।

 

ଜଗନ୍ନାଥଙ୍କ ସମସାମୟିକ ଲେଖକମାନେ ହେଲେ ଗୋପାଳ ଦାସ, (ଯେକି ବଙ୍ଗଳାରେ ‘ଗୋପାଲ ଭଡ଼େ’ ନାମରେ ପରିଚିତ) (୧୮୧୯) ଓ କୃପାସିନ୍ଧୁ ମିଶ୍ର (୧୮୩୨) । ଏହି ସମୟ ଓଡ଼ିଆ ଯାତ୍ରା ପାଇଁ ଏକ ଦୟନୀୟ ସମୟ । ଯାତ୍ରା ଲେଖକ ପ୍ରାୟ ନଥିଲେ, ପୃଷ୍ଠପୋଷକଙ୍କ ସଂଖ୍ୟା ନ କହିବା ଭଲ । ଯାତ୍ରାର ମାନ ଅତି ଅନୁନ୍ନତ । ତା’ ସାଙ୍ଗକୁ ବଙ୍ଗାଳୀ ଯାତ୍ରାଦଳଙ୍କ ପ୍ରତିଦ୍ୱନ୍ଦିତା ଅବସ୍ଥାକୁ ଜଟିଳ କରିଥିଲା ‘ଉତ୍କଳ ଦୀପିକା’ (ତା୧୮.୧୦.୧୮୭୬)ର ବିବରଣୀ ଖୁବ୍‌ ନୈରାଶ୍ୟଜନକ :

 

‘‘ବର୍ତ୍ତମାନ ଓଡ଼ିଶାରେ ଯାହାକୁ ଯାତ୍ରା ବୋଲାଯାଏ ତାହା ରାମଲୀଳା, କୃଷ୍ଣଲୀଳା, ସୁଭଦ୍ରା ହରଣ ପ୍ରଭୃତି ଅଟଇ । ପ୍ରଥମ ଦିୟୋଟି ବହୁତ ସ୍ଥଳରେ ଦେଖାଯାଏ, ଏମନ୍ତକି କଟକ ଜିଲ୍ଲାର ପ୍ରତି ବଡ଼ ବଡ଼ ଗ୍ରାମରେ ଏଥିର ବଡ଼ ବଡ଼ ଆଖଡ଼ା ଅଛି । ସୁଭଦ୍ରା ହରଣ ପ୍ରଭୃତି କେବଳ ଉଦରଖିଆମାନେ କରନ୍ତି, ମାତ୍ର ଆମ୍ଭେମାନେ ଯେତେଦୂର ଦେଖିଅଛୁଁ କୌଣସି ଯାତ୍ରାରେ ସଙ୍ଗୀତର ବାସନା ସୁଦ୍ଧା ପାଇନାହୁଁ ଏବଂ ଆମ୍ଭମାନଙ୍କର ବିଶ୍ଵାସ ଏହି ଯେ ସଙ୍ଗୀତ କାହାକୁ ବୋଲାଯାଏ ଯାତ୍ରାବାଲାମାନେ ଜାଣନ୍ତି ନାହିଁ । କେବଳ ସଜବାଜ ହୋଇ ଗୁଡ଼ାଏ ପୋଥି ବୋଲନ୍ତି ବା କଥାବାର୍ତ୍ତା କରନ୍ତି ଓ ନାନାପ୍ରକାର କଦର୍ଯ୍ୟ ଓ ଭଣ୍ଡରୂପ ଦେଖାଇ ଅଶ୍ଳୀଳ ବାକ୍ୟ ଉଚ୍ଚାରଣ କରି ଦର୍ଶକମାନଙ୍କୁ ସନ୍ତୁଷ୍ଟ କରନ୍ତି । ସଙ୍ଗୀତ ସହକାରେ ଯାତ୍ରା କରିବା ଆଦୌ ଏଠାରେ ଲୋକ ଜାଣନ୍ତି ନାହିଁ ।’’ ସମ୍ୱାଦ ବାହିକା ମଧ୍ୟ ଅନୁରୂପ ମତ ପ୍ରକାଶ କରନ୍ତି । ଦୋଳଯାତ୍ରା ସମୟରେ ଅଭିନୀତ ଜଣେ ଦର୍ଶକଙ୍କ ପ୍ରତିକ୍ରିୟାକୁ ଉଲ୍ଲେଖ କରି ସେହି ଦୀପିକାର ତା. ୨୭.୨.୧୮୬୯ ସଂଖ୍ୟାରେ ପ୍ରକାଶିତ ହୋଇଛି: ‘‘ଇଦାନୀଂ କେବଳ ଗୋଟିଏ ମାତ୍ର ଦୋଷ ଦେଖାଯାଏ ଯେ ପର୍ବ ସମୟରେ ଲୋକେ କୁତ୍ସିତ ଶୃଙ୍ଗାର ଘଟିତ ଗୀତ ଗାୟନ କରି ଲୋକଙ୍କୁ ବିରକ୍ତ କରନ୍ତି । ସୁତରାଂ ସେତେବେଳକାର ଓଡ଼ିଆ ଯାତ୍ରା ସଙ୍ଗୀତ ବିବର୍ଜିତ, ଆଦିରସ ବହୁଳ ନିମ୍ନମାନର ଓ ଅରୁଚିକର ଥିଲା, ଯାହା ଅନେକ ସମୟରେ ଦର୍ଶକଙ୍କ ବିରକ୍ତିଭାବ ଉଦ୍ରେକ କରୁଥିଲା । ତେବେ କଟକ ପରି ଭଦ୍ରଖରେ ‘ସୁଭଦ୍ରା ହରଣ’, ‘ହାରାବତୀ ପରିଣୟ’, ‘ଉଷାବତୀ ହରଣ’ ଆଦି ଯାତ୍ରା ନାଟକ ଅଭିନୀତ ହେଉଥିଲା, ଯେତେବେଳେ କି ଅନ୍ୟତ୍ର ରାମଲୀଳା, କୃଷ୍ଣଲୀଳା ଆଦି ପ୍ରଦର୍ଶିତ ହେଉଥିଲା-। ଅବଶ୍ୟ ଯାତ୍ରାର ନାଟୁଆ ପିଲା ବା ଗୋଟିପୋମାନଙ୍କ ସ୍ଥୂଳ ସଙ୍ଗୀତଠାରୁ ଲୀଳାର ସାଙ୍ଗିତିକମାନ ଉନ୍ନତ ଧରଣର । ସମ୍ୱାଦ ବାହିକା ଓଡ଼ିଆ ଯାତ୍ରାକୁ ଶିକ୍ଷିତ ଲୋକ ଓ ପୃଷ୍ଠ ପୋଷକଙ୍କ ଆଗମନ ଏଇ ଅବସ୍ଥାର ସୁଧାର ହେବା କଥା ଆଶଙ୍କା କରନ୍ତି । ଏଥିରେ ବାଲେଶ୍ଵର ଓଡ଼ିଆଙ୍କ ଉଦ୍ୟମକୁ ମଧ୍ୟ ପ୍ରଶଂସା କରାଯାଇଛି ।

 

ଭଦ୍ରକ ମାଟି ହିଁ ଓଡ଼ିଆ ଯାତ୍ରାର ଭିତ୍ତିଭୂମି । ଜଗନ୍ନାଥ ପାଣିଙ୍କ ପ୍ରାୟ ୧୦୦ ବର୍ଷ ପୂର୍ବରୁ ଅର୍ଥାତ୍‌ ୧୭୨୮ ଖ୍ରୀଷ୍ଟାବ୍ଦରେ ମୋଗଲତାମସାର ରଚଯିତା ବଂଶୀବଲ୍ଲଭ ଗୋସ୍ଵାମୀ ଭଦ୍ରକର ଅନତିଦୂର ସଙ୍ଗତ ଗ୍ରାମରେ ହିଁ ଆବିର୍ଭୂତ ହୋଇଥିଲେ । ସୁଆଙ୍ଗ, ଲୀଳା, କାବ୍ୟ ନାଟିକା ଓ ତାମସା- ଏସବୁ ଯାତ୍ରାର ଅନ୍ତର୍ଗତ । ବିପ୍ର ନୀଳାମ୍ବର ଦାସଙ୍କ ଦେଉଳ ତୋଳା ଓ ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଆଦି ସୁଆଙ୍ଗ, ରାମଲୀଳା, କୃଷ୍ଣଲୀଳା ଓ ଭାରତଲୀଳା ଏବଂ ମୋଗଲ ତାମସା ଏକ ବିଶିଷ୍ଟ ଧରଣର ଯାତ୍ରା ଯାହା କ୍ଷୟୀଷ୍ଣୁ ମୋଗଲ ଦରବାରର ବର୍ଣ୍ଣନାପିଷ୍ଟ ତତ୍କାଳୀନ ଓଡ଼ିଶାର ସାମାଜିକ ଚିତ୍ର ଓ ମୋଗଲ ଶାସକଙ୍କ ଆଚରଣ ଉପରେ ଅବଧାରିତ । ଯଦିଓ ଏହା ଏକ ତାମସା, ଏହା ଶୁଦ୍ଧ ଓଡ଼ିଆ ଗଦ୍ୟରେ ଲେଖାଯାଇଛି ଏବଂ ନାଟକର ସମସ୍ତ ଲକ୍ଷଣ ଏଥିରେ ରହିଛି । ସମ୍ଭବତଃ ପୌରାଣିକ ବିଷୟବସ୍ତୁକୁ ପରିହାର କରି ଯାତ୍ରାରେ ଏପରି ସାମାଜିକ ବିଷୟବସ୍ତୁ ପରିବେଷଣ ଦିଗରେ ବଂଶୀବଲ୍ଲଭଙ୍କର ଏହା ପ୍ରଥମ ପ୍ରୟାସ । ମୀର୍ଜାସାହେବ, ମୋଗଲ ତାମସାର ନାୟକ । ଅନ୍ୟ ଚରିତ୍ରମାନେ ହେଲେ- ଚୋପଦାର, ଝାଡ଼ୁୱାଲା, ପଙ୍ଖାୱାଲା, ଭେସ୍ତିୱାଲା, ହୁକାୱାଲା, ଦହିୱାଲୀ କର୍ମଚାରୀ, ଶିଖ୍‌ ଚାରଣ କବି, ସ୍ଥାନୀୟ ଜମିଦାର ଇତ୍ୟାଦି ମୀର୍ଜାସାହେବ ଫାର୍ଶୀମିଶା ଉର୍ଦ୍ଦୁରେ କଥା ହୁଅନ୍ତି ଓ ଅନ୍ୟ ଚରିତ୍ରମାନେ ଉର୍ଦ୍ଦୁ ସଙ୍ଗେ ବଙ୍ଗଳା, ହିନ୍ଦି ଓ ଓଡ଼ିଆରେ କଥା ହୁଅନ୍ତି । କିନ୍ତୁ ଜମିଦାର ଓ ଭୃତ୍ୟ ଆଦି ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏଥିରେ ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀରେ ଓଡ଼ିଶାର ସାମାଜିକ ତଥା ରାଜନୈତିକ ଚିତ୍ର ବିଶେଷତଃ ମୋଗଲ ବା ପଠାଣ ରାଜତ୍ୱର ଅବକ୍ଷୟର ଚିତ୍ର ରହିଛି । ଏହା ଏକ ହାସ୍ୟରସାତ୍ମକ ଲଘୁନାଟକ ଏବଂ ଉଭୟ ହିନ୍ଦୁ ଓ ମୁସଲମାନ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଅଭିପ୍ରେତ । ଭଦ୍ରକର ଗରଦପୁର, ଉତ୍ତରବାହିନୀ, ସନ୍ଥିଆ, ବଙ୍କ ଆଦି ସ୍ଥାନରେ ଅଭିନୀତ ହେଉଥିଲା । ଆଶ୍ଚର୍ଯ୍ୟ କଥା ଏହା ଏକ ଶିବ ମନ୍ଦିର ନିକଟରେ ହିଁ ଅଭିନୀତ ହୋଇଥାଏ । ବୋଧହୁଏ ଏହାର ରଚୟିତା ଶିବ ଭକ୍ତ ଥିବାରୁ ଏପରି ବ୍ୟବସ୍ଥା ଥିଲା । ଜଗନ୍ନାଥ ପାଣି ନଳେଶ୍ଵର ମହାଦେବଙ୍କ କୃପାରୁ ଜ୍ଞାନ ଲାଭ କଲାପରି ବଂଶୀ ବଲ୍ଲଭ ଶ୍ରାହଟ୍ଟ ନାଗରଙ୍କ ଅନୁଗ୍ରହ ଲାଭ କରିଥିବା କଥା ସ୍ଵୀକାର କରିଛନ୍ତି । ‘‘ବଲ୍ଲଭ ମୂର୍ଖଯେ ଥିଲା ବିଦ୍ୟାପଢ଼ି ନାହିଁ/ଶ୍ରୀହଟ୍ଟ ନାଗର ପୁଜି କବି ସେ ବୋଲାଇ ।’’

 

ବଂଶୀ ବଲ୍ଲଭ ସାତଗୋଟି ତାମସା ଲେଖିଥଲେ । ଏଗୁଡ଼ିକ ହେଲା ଭିଲ୍‌ ତାମସା, ଚେହୋଡ଼ା ତାମସା, ଯୋଗୀ ତାମସା, ଫକୀର ତାମସା, ଲେଲିଂ ମଜ୍‌ବାଇ ତାମସା, ରାଧାକୃଷ୍ଣ ତାମସା ଓ ମୋଗଲ ତାମସା । ଏଗୁଡ଼ିକ ଲେଖିସାରି ବଂଶୀ ବଲ୍ଲଭ ଅଭିନୟ କରାଇଥିଲେ ଏବଂ ଏହା ବେଶ୍‌ ଲୋକପ୍ରିୟତା ଲାଭ କରିଥିଲା । ଏହାଦ୍ଵାରା ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ସଦ୍‌ଭାବନା ଓ ସଂହତି ପ୍ରତିଷ୍ଠା ହୋଇଥିଲା । ଶୈବ ପୀଠରେ ଶ୍ରୀ ସତ୍ୟପୀରଙ୍କ ଆସ୍ଥାନ ସ୍ଥାପନ ସହ ତାମସା ଅଭିନୀତ ହେବା କାରଣରୁ ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ଭ୍ରାତୃଭାବ ଜାଗ୍ରତ ହୋଇଥିଲା । ବହୁଦିଗରୁ ତାମସାର ଭାଷାକୁ ଓଡ଼ିଆ ଗଦ୍ୟଭାଷାର ଆଦ୍ୟରୂପ ଓ ତାମସାକୁ ଓଡ଼ିଆ ଯାତ୍ରାର ମୌଳିକ ସ୍ଵରୂପର ସମ୍ମାନ ଦେବାରେ ଅପ୍ରାସଙ୍ଗିକତା ନାହିଁ ।

 

କୁହାଯାଏ ଯେତେବେଳେ ଓଡ଼ିଶାରେ ଅନ୍ୟତ୍ର ଲୀଳାର ଚର୍ଚ୍ଚା ଯଥା ରାମଲୀଳା, କୃଷ୍ଣଲୀଳା ଆଦି ପ୍ରଚଳିତ ଥିଲା ବାଲେଶ୍ଵରରେ ଯାତ୍ରା ନାଟକମାନ ଅଭିନୀତ ହେଉଥିଲା କିନ୍ତୁ ତାମସା ଯାତ୍ରା ନାଟକର ଅଗ୍ରଲେଖା ଯାହାକି ଗଦ୍ୟରେ ଲେଖା । ଲୀଳାଗୁଡ଼ିକ ସଙ୍ଗୀତ ବହୁଳ ଓ ଏଥିରେ ଅଭିନୟ ପରିପାଟୀ ଅଧିକ ଥିଲା । ଶ୍ରୀଚୈତନ୍ୟ ଦେବଙ୍କ ଆଗମନ ପରେ ଲୀଳାର ଅଭ୍ୟୁଦୟ ହୋଇଥିଲା, ଯଦିଓ ତତ୍‌ପୂର୍ବେ ଗୀତଗୋବିନ୍ଦ ଓ ମାହାରୀ ନୃତ୍ୟର ପ୍ରଭାବ ମଧ୍ୟ ଏଥିରେ ପଡ଼ିଛି, ସେ ଯାହା ହେଉ ଲୀଳା ପ୍ରାଚୀନ ଯାତ୍ରାର ଏକ ମୁଖ୍ୟ ବିଭାବ । ଲୀଳାରୁ ରାସ ମଧ୍ୟ ସୃଷ୍ଟି ହୋଇଥିଲା, ଯାହା ପ୍ରଥମେ ଜମିଦାରଙ୍କ ଉଆସରେ ଅଭିନୀତ ହେଉଥିଲା । ଗୋବିନ୍ଦ ଶୁରଦେଓ, ମୋହନସୁନ୍ଦର ଗୋସ୍ଵାମୀ ଓ କାଳିଚରଣ ପଟ୍ଟନାୟକ ପ୍ରମୁଖ ବିଶିଷ୍ଟ ଲୀଳାକାର । ଏଠାରେ ଗୀତିନାଟ୍ୟ ବା କାବ୍ୟ ନାଟକ ପ୍ରସଙ୍ଗ ଆଲୋଚନା କରାଯାଉଥବାରୁ ଲୀଳା ଓ ଲୀଳାକାର ସମ୍ପର୍କରେ ସବିଶେଷ ବିବରଣୀର ଅବକାଶ ନାହିଁ । ସେହି କାବ୍ୟ ନାଟିକାର ପ୍ରବର୍ତ୍ତକ ଜଗନ୍ନାଥ ପାଣି ଯାତ୍ରା ଓ କାବ୍ୟ ଉଭୟର ୟଶସ୍ୱୀ ସ୍ରଷ୍ଟା ଥିଲେ ।

 

ଜଗନ୍ନାଥ ପାଣି ଥିଲେ କାବ୍ୟକାର । ସଫଳ କାବ୍ୟକାର । ସେ ରୀତିଯୁଗୀୟ କାବ୍ୟଧାରାକୁ ହିଁ ଅନୁବର୍ତ୍ତନ କରିଛନ୍ତି । ଅବଶ୍ୟ ବଂଶୀବଲ୍ଲଭଙ୍କ ପରି ଜଗନ୍ନାଥ ସମାଜ ବା ରାଜନୈତିକ ସଚେତନ ନଥିଲେ । ବଂଶୀ ବଲ୍ଲଭଙ୍କ ଲେଖାରେ ତତ୍କାଳୀନ ରାଜନୈତିକ ତଥା ସାମାଜିକ ଅବକ୍ଷୟର ଚିତ୍ର ପ୍ରତିଫଳିତ ହୋଇଥିଲା । ଜଗନ୍ନାଥଙ୍କ କ୍ଷେତ୍ରରେ ତାହା ହୋଇନାହିଁ । ଜଗନ୍ନାଥଙ୍କ ସାମ୍ନାରେ ଥିଲା ପୂର୍ବସୂରୀଙ୍କ କାବ୍ୟକୃତୀ, ଗଦାଗଦା ପୋଥି, ପୁରାଣ, ଶାସ୍ତ୍ର ସଂହିତାଦି-। ଓଡ଼ିଆ କାବ୍ୟ ଧାରା ଥିଲା ‘ଜଗନ୍ନାଥଙ୍କ ପ୍ରେରଣାର ଉତ୍ସ ଏବଂ ତାଙ୍କ କାବ୍ୟ ରଚନାର ପୃଷ୍ଠଭୂମି-। ରୀତିଯୁଗୀୟ କବିମାନଙ୍କ ପଦାଙ୍କ ଗ୍ରହଣ କରି ସେ ରଚନା କଲେ ବହୁ କାବ୍ୟ କବିତା ଏବଂ ପୌରାଣିକ ଚରିତ୍ରକୁ ନେଇ ସେ ରଚନା କଲେ କାବ୍ୟ ନାଟିକା, ଛାନ୍ଦନାଟ୍ୟ, ପ୍ରହସନ ଓ ପ୍ରହେଳିକାଦି । ଜଗନ୍ନାଥଙ୍କର ବୈଶିଷ୍ଟ୍ୟ ଏଇ ଯେ ସେ କାବ୍ୟ ଓ ନାଟକର ସୀମାରେଖାକୁ ଯଥାସମ୍ଭବ ସଂକୁଚିତ କରି ଦେଇଥିଲେ । କାବ୍ୟ ଓ ନାଟକ ମଧ୍ୟରେ ବିଶେଷ ତଫାତ୍‌ ନାହିଁ । ଓ୍ୱିମ୍‌ସାର୍ଟ ଓକ୍ଲାଏନ୍ଥ ବୃକ୍ସ ଏ ସମ୍ପର୍କରେ କହନ୍ତି : ‘‘Poetry is essentially dramatic and the greatest poetry moves towards drama and the drama is essentially poetic and greatest drama always towards poetry.’’ ଅର୍ଥାତ୍‌ କାବ୍ୟ ସ୍ୱଭାବତଃ ନାଟକ ଏବଂ ଶ୍ରେଷ୍ଠ କାବ୍ୟ ନାଟକକୁ ଉର୍ତ୍ତୀର୍ଣ୍ଣ ହୋଇଥାଏ, ସେହିପରି ନାଟକ ବସ୍ତୁତଃ କାବ୍ୟ ଏବଂ ଶ୍ରେଷ୍ଠ ନାଟକ କାବ୍ୟରେ ରୂପାନ୍ତର ହୋଇଯାଏ । ତେଣୁ ଜଣେ କବି ହିଁ ନାଟ୍ୟକାର । ପୂର୍ବେ ନାଟ୍ୟକାରମାନଙ୍କୁ କବିରାଜ କୁହାଯାଉଥିଲା ଏବଂ ନାଟକର ସଂଳାପ କବିତାଧର୍ମୀ ଥିଲା । ସେ ଦୃଷ୍ଟିରୁ କାଳିଦାସ ଓ ସେକ୍ସପିୟରଙ୍କୁ ଶ୍ରେଷ୍ଠ କବି ଓ ନାଟ୍ୟକାର ଭାବେ ଗ୍ରହଣ କରାଯାଇଥାଏ । ଜଗନ୍ନାଥ ପାଣି ଉଭୟ କବି ଓ ନାଟ୍ୟକାର ତାଙ୍କ କାବ୍ୟରେ ରୀତିଯୁଗୀୟ ଲକ୍ଷଣ ଓ ଶୈଳୀ ବିଦ୍ୟମାନ । ପାଣିଙ୍କ କାବ୍ୟରେ ଗୀତି ସଂଳାପ ମନ ସଂଯୋଜିତ ହୋଇଛି ।

 

ରୀତିକବିଙ୍କ ପରି ଜଗନ୍ନାଥଙ୍କ ଲେଖା ଆଦିରସ ପୂର୍ଣ୍ଣ । ‘ହାରାବତୀ ହରଣ’, ‘ଉଷାବତୀ ହରଣ’, ‘ମାନ ଭଞ୍ଜନ’ ଓ ‘ଭୂତକେଳି’ ଆଦିରେ ଏହି ଶୃଙ୍ଗାରକତାର ତୀବ୍ରତା ଲକ୍ଷଣୀୟ । ତାଙ୍କ କାବ୍ୟ ନାଟକରେ ରୀତିଯୁଗୀୟ କାବ୍ୟ ପରି ଆଦିରସର ଉତ୍କଟ ବର୍ଣ୍ଣନା ପରିଦୃଷ୍ଟ ହୁଏ । ଭରତଙ୍କ ମତରେ ‘ତତ୍ର ବିଭାନୁଭାବ ବ୍ୟଭିଚାରୀ ଭାବ ସଂଯୋଗାଦ୍ରରସ ନିଷ୍ପଭିଃ ଅର୍ଥାତ୍‌ ବିଭାବ, ଅନୁଭାବ ଓ ବ୍ୟଭିଚାରୀଭାବ ଭାବ ଯୋଗରୁ ରସ ନିଷ୍ପନ୍ନ ହୁଏ । ଏହିଭାବେ ବିବିଧ ରସର ଉତ୍ପତ୍ତି ହୋଇଥାଏ-। ଶୃଙ୍ଗାର ଏକ ମୁଖ୍ୟ ରସ ଓ ମଣିଷର ଆଦିମ କାମନାର ହେତୁ । ତେଣୁ ଶୃଙ୍ଗାର ରସର ପ୍ରଭାବ ମଣିଷ ଉପରେ ଢେର ବେଶି ।

 

ଜଗନ୍ନାଥ ପାଣି ରୀତିଯୁଗୀୟ କବିମାନଙ୍କ ପରି ଶୃଙ୍ଗାରିକତାକୁ ହିଁ ପ୍ରାଥମିକତା ଦେଇଛନ୍ତି । ଶୃଙ୍ଗାରିକତା, ଆଳଙ୍କାରିକତା ଓ ସ୍ଵପ୍ନରେ ମିଳନ ତଥା ରାତ୍ରି ଶେଷରେ ନାୟକର ଅନ୍ତର୍ଦ୍ଧାନ ଆଦି ଜଗନ୍ନାଥଙ୍କ ଲେଖାରେ ପ୍ରତିଫଳିତ ହୋଇଛି । ‘ପାରିଜାତ ହରଣ’ ଯମକାଳଙ୍କାର ପ୍ରୟୋଗ ପ୍ରସଙ୍ଗରେ ଶୃଙ୍ଗାର ବର୍ଣ୍ଣନା କରାଯାଇଛି । ନିମ୍ନ ଉଦାହରଣଟି ଦ୍ରଷ୍ଟବ୍ୟ :

 

ଝରଝର ଝରି ସ୍ରୋତ ଯୁଗ ଜରଜର

ପରିହାସ ପ୍ରେମରସ ପୀୟୁଷ ନିର୍ଝର ।

ସରିତ ସରି, ତରିତରି ଇହପଦ ମାଧୁରୀ

କାମ କାମନା ଦାୟିନୀ ଜିତା ସତ୍ୟଭାମା

ବାମ ବାମନାକ୍ଷୀ ନାରଦରେ ହୋଇ ଭ୍ରମା ।

ଯାମ ଯାମରେ, ଝାମଝାମ ଯାଇ ଶ୍ୟାମ ପ୍ରେମରେ ।

 

ଶ୍ରୀକୃଷ୍ଣଙ୍କ ପ୍ରତି ସତ୍ୟଭାମାଙ୍କ ହାସ ପରିହାସ ଜନିତ ପ୍ରେମରସ ଏକ ସ୍ରୋତସ୍ଵିନୀରେ ପରିଣତ ହୋଇଛି । ଶ୍ୟାମ ପ୍ରେମରେ ଉଚ୍ଚାଟ ସତ୍ୟଭାମା ଅଚେତ୍‌ ହେବା କଥା କବି କହନ୍ତି । ଦାମ୍ପତ୍ୟ ପ୍ରେମଭାବକୁ କବି ସଂଯତ ଓ ସାତ୍ତ୍ଵିକ ପରିବେଶ ମଧ୍ୟରେ ବର୍ଣ୍ଣନା କରିଛନ୍ତି । ଝ,ର,ସ,ମ ଆଦି ବ୍ୟଞ୍ଜନ ବର୍ଣ୍ଣର ପ୍ରୟୋଗରେ ଯମକ ଅଳଙ୍କାର ବର୍ଣ୍ଣନା କରାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ବର୍ଣ୍ଣନାରେ ଶୃଙ୍ଗାରିକତାର ସୂଚନା ପ୍ରତୀତ ହୁଏ :

 

‘‘ଳଳଦ ଜଳଦ ଶ୍ୟାମ ଜଳଦ କେଶୀକି

ଅଞ୍ଚଳେ ଚଞ୍ଚଳେ ବିଞ୍ଚି ଝାଡ଼ନ୍ତି ଧୂଳିକି

ସେ ଯଦୁପତି

ବିକଚକୁଚୁ କଜ୍ଜଳ ଜଳକୁ ପୋଛନ୍ତି ।’’

 

ନାୟକ, ନାୟିକାଙ୍କ ପ୍ରଣୟ ଭାବ, ନାୟକର ନାୟିକା ପ୍ରତି ଆକର୍ଷଣ ଏବଂ ଶୃଙ୍ଗାର ନିମନ୍ତେ ଅଗ୍ରସର ହେବାର ବର୍ଣ୍ଣନା କବି ଏଠାରେ ବର୍ଣ୍ଣନା କରିଛନ୍ତି । ରୀତିଯୁଗୀୟ କବିତାରେ ଯେପରି ନାୟକ ନାୟିକା ପ୍ରେମାସକ୍ତ ହୁଏ, ଜଗନ୍ନାଥ ଅନୁରୂପ ବର୍ଣ୍ଣନା ଏଠାରେ କରିଛନ୍ତି । ନାୟକ ନାୟିକା ଦେହରୁ ନିଜ ବସ୍ତ୍ରାଞ୍ଚଳରେ ଧୂଳି ଝାଡ଼ିବା ସଙ୍ଗେ ସଙ୍ଗେ ତା’ ଚକ୍ଷୁରୁ ନିର୍ଗତ କଜ୍ଜ୍ୱଳ ଜଳକୁ ପୋଛିଦିଅନ୍ତି । ଏହା ସତ୍ୟଭାମା ଓ ଶ୍ରୀକୃଷ୍ଣଙ୍କ ପ୍ରାତ୍ୟହିକ ଦାମ୍ପତ୍ୟ ପ୍ରେମର ଚିତ୍ର । ଏହା ଏକ ସଦ୍‌ବଂଶଜ କୁଳୀନ, ନାୟକ ନାୟିକାଙ୍କ ପ୍ରେମଚିତ୍ର । କବି ମଧ୍ୟ ଆଉ ଏକ ଭିନ୍ନ ଧରଣର ନାୟକ ନାୟିକାଙ୍କ ବର୍ଣ୍ଣନା କରିଛନ୍ତି ।

 

ଜଗନ୍ନାଥ ପାଣିଙ୍କ ଲେଖାରେ ବିବିଧ ଚରିତ୍ରର ସମାବେଶ ଘଟିଛି । ତନ୍ମଧ୍ୟରୁ କେଳାକେଳୁଣୀ ଚରିତ୍ର ଉଲ୍ଲେଖଯୋଗ୍ୟ । ଜଗନ୍ନାଥ ପାଣି ବିଭିନ୍ନ ଜାତିର କେଳାଙ୍କ ବିଷୟ ବର୍ଣ୍ଣନା କରିଛନ୍ତି । ଏଥିପାଇଁ କେବଳ ଓଡ଼ିଆ ନୁହେଁ, ବଙ୍ଗଳା, ହିନ୍ଦି, ତେଲୁଗୁ ଆଦି ଭାଷାର ପ୍ରୟୋଗ କରାଯାଇଛି । ଅବଶ୍ୟ କେତେକ ସ୍ଥଳରେ ଗ୍ରାମଦୋଷ ଦୁଷ୍ଟତା ବା ପ୍ରଣବ ଅଶୁଦ୍ଧ ଲକ୍ଷ୍ୟ କରାଯାଇଥାଏ । ତା’ସତ୍ତ୍ଵେ ଏହାକୁ ଅପାଙ୍‍ତେୟ କହିହେବ ନାହିଁ । କେଳା କେଳୁଣୀଙ୍କ କଥୋପକଥନରେ ସଂଳାପର ପ୍ରୟୋଗ ଓ ନାଟକୀୟତା ଚମତ୍କାର ଭାବେ ଫୁଟି ଉଠିଛି । କେଳା କେଳୁଣୀଙ୍କ କଥୋପକଥନରେ ରସିକତା ସାଙ୍ଗକୁ ହାସ୍ୟରସ ଓ ଶୃଙ୍ଗାର ରସର ଯୁଗପତ୍‌ ବିଳାସ ପରିଲକ୍ଷିତ ହୋଇଥାଏ । ନଳୁଆ କେଳା ଗୀତ (ଛଟା)ରେ ଗାଁଉଲୀ ଶବ୍ଦ ସଙ୍ଗେ କିଛି ଅଶ୍ଳୀଳତା ମଧ୍ୟ ରହିଛି । ଏସବୁ ଗାଉଁଲୀ ଦର୍ଶକଙ୍କ ମନୋରଞ୍ଜନ ନିମନ୍ତେ ଲେଖକ ପ୍ରୟୋଗ କରିଛନ୍ତି ।

 

କେଳୁଣୀ ଛଟା

-

ଛିରେ ଅଲଣା ଚଲଣା ବିକା

 

 

ନାଣ୍ଡିଆ ମୁଣ୍ଡିଆ ଚଣ୍ଡିଆ ଟୋକା

 

 

କେତେ ହେଉ ବରବରରେ

 

 

କୁଳ ମୂଳ ନାହିଁ ମୂଳରୁ ଅଭେଡ଼ା

 

 

ଦେଖାଉ ବଡ଼ ଚାତରରେ ।

କେଳା ଛଟା

-

ରଙ୍ଗେଇ ଟୋକଳୀ ଡେଙ୍ଗେଇ ଅପା

 

 

ଯଙ୍ଘେଇ ଶାଢ଼ୀକି ଭଙ୍ଗେଇ ପକା

 

 

କଙ୍ଗେଇ ଖୋଷାକୁ ଛାଡ଼

 

 

ଚେଙ୍ଗେଇ ଚାଉଳ କୁଟିବାକୁ ତୋର

 

 

ଭଙ୍ଗେଇ ଉଠୁଛି ଗୋଡ଼ ।

 

ଚେଙ୍ଗେଇ ଚାଉଳ ଭଦ୍ରକ ଅଞ୍ଚଳର ଗାଇଆଳ ପିଲାମାନଙ୍କ ମଧ୍ୟରେ ପ୍ରଚଳିତ । ସେମାନେ ପାଚିଲା ଧାନ ଛିଞ୍ଚା ଆଣି ମାଟିରେ ଗାଡ଼ ଖୋଳି ବାଡ଼ିରେ କୁଟି ଚାଉଳ ବାହାର କରନ୍ତି-। ଏଠାରେ ଚେଙ୍ଗେଇ ଚାଉଳ କୁଟାକୁ ରତିକ୍ରୀଡ଼ା ଅର୍ଥରେ ବ୍ୟବହାର କରାଯାଇଛି । କିନ୍ତୁ ଲେଖକ ଏହାକୁ ଶବ୍ଦର ଆଢ଼େଣିରେ ଆବୃତ୍ତ କରି ରଖିଛନ୍ତି । ଗାଉଁଲୀ ଦର୍ଶକ ଏଥିରୁ ହସର ଖୋରାକ ପାଏ-। ସେହିପରି କେଳା ଗୀତରେ ବଙ୍ଗଳା ଓ ତେଲୁଗୁ ଶବ୍ଦର ପ୍ରୟୋଗ ଜଗନ୍ନାଥ କରିଛନ୍ତି । ଉଦାହରଣ ସ୍ୱରୂପ –

 

‘‘ଛନାର ଛୋକରୀ ଛୁଣ୍ଡୀ ଭୁଷରୀ ଜୁଲମ୍‌ ଚଲାଏ ସାରି

କପଡ଼ା ଖୋଲ୍‌କେ ଥାପଡ଼ ଦେଓଙ୍ଗି ଛୋଡ଼ ଯାଏଗା ମସ୍କରୀ ।’’

ଏହା ନଳୁଆ କେଳା ଗୀତ । ନଳୁଆ କେଳାମାନେ ଶିକାରୀ । ସେମାନେ ନଳକୁ ନଳ ଯୋଡ଼ି ଶେଷ ନଳରେ ଅଠା ଲଗେଇ ଡାଳରେ ବସିଥବା ପକ୍ଷୀକି ଶିକାର କରନ୍ତି । ବାଉଁଶ ନଳକୁ ଯୋଖି ଅଠାକାଠିରେ ଚଢ଼େଇ ଶିକାର କରୁଥିବାରୁ ସେମାନଙ୍କୁ ନଳୁଆ କେଳା କୁହାଯାଏ । ଏପରି ସମାଜର ଅବହେଳିତ ଚରିତ୍ରମାନଙ୍କୁ ଜଗନ୍ନାଥ ତାଙ୍କ ରଚନାରେ ଚିତ୍ରଣ କରିଛନ୍ତି, ସେମାନଙ୍କ ଦୈନନ୍ଦିନ ହସକାନ୍ଦ, ଦାମ୍ପତ୍ୟ ପ୍ରେମ ସୋହାଗର ବାସ୍ତବ ଚିତ୍ର ଅଙ୍କନ କରି ।

 

ଜଗନ୍ନାଥ ପାଣିଙ୍କର ଏକ ସଫଳ ରଚନା ନାରଦ ଗୀତା, ଯହିଁରେ ସେ କୈବର୍ତ୍ତ ଓ ନିଆରି ସଂପ୍ରଦାୟ କଥା କହିଛନ୍ତି । ନିଆରିମାନେ ଆଗେ ଜଳସ୍ପର୍ଶୀ ଥିଲେ କିନ୍ତୁ କେଉଟମାନେ ମାଛଧରି ଜୀବିକାର୍ଜନ କରୁଥିଲେ । ନିଆରି ଚୂଡ଼ା କୁଟନ୍ତି, ତାହା- ଠାକୁରଙ୍କ ନୈବେଦ୍ୟ ହୁଏ । ନିଆରିମାନେ ନାରଦ ବଂଶୀ । ଜୀବିକା ନିର୍ବାହ ପାଇଁ ନାରଦ ତାଙ୍କ ଢିଙ୍କି ବାହାନକୁ ପ୍ରଦାନ କରିଥିଲେ । ଜଣେ ଅସବର୍ଣ୍ଣ ସୁନ୍ଦରୀ ତରୁଣୀର ପ୍ରେମରେ ପଡ଼ି ନାରଦଙ୍କ ପରି ବାଳବ୍ରହ୍ମଚାରୀ ତପଚାରୀଙ୍କର କିପରି ସ୍ଖଳନ ଘଟିଲା ଓ ସେ ଶେଷରେ ସାଂସାରିକ ଜୀବନରେ ବାନ୍ଧି ହୋଇଗଲେ ଜଗନ୍ନାଥ ତାହା ବର୍ଣ୍ଣନା କରିଛନ୍ତି । ପ୍ରଥମ ଦେଖାରେ ନାରଦ ଶ୍ରୀୟା ଚଣ୍ଡାଳୁଣୀ ପ୍ରେମରେ ପଡ଼ିଗଲେ । ଶ୍ରୀୟାର ରୂପ ବର୍ଣ୍ଣନା କବି ଖୁବ୍‌ ଚମତ୍କାର ଭାବେ କରିଛନ୍ତି :

 

‘‘ମଇଳା ଚାଙ୍ଗୁଡ଼ି ମହିଳା ସଜାଡ଼ି ଧରିଛି ପହିଁରା ହାତେ

ରାଜହଂସୀ ପ୍ରାୟ ଚାଲଇ ସୁନ୍ଦରୀ କାମବାଇ ହୋଇ ପଥେ ।

ସରୁ କଟୀ ପରେ ଗୁରୁକୁଚ ତାର ଦୂରୁବାସ ଫୁଟି ଦିଶେ

ମନ୍ଦ ମନ୍ଦ ହସି ପନ୍ଦରବୟସୀ ମିଳିଲା ମୁନିଙ୍କ ପାଶେ ।

ଶରଦ ଚନ୍ଦ୍ରମା ବଦନକୁ ତା’ର ନାରଦ ଅନେଇ ଦେଇ

ଆଜନ୍ମ ତପସ୍ଵୀ ଜିତେନ୍ଦ୍ରିୟ ୠଷି ମଦନେ ହୋଇଲେ ବାଇ ।’’

(ନାରଦ ଗୀତା, ଜଗନ୍ନାଥ ପାଣି ଗ୍ରନ୍ଥାବଳୀ- ୨ୟ ଖଣ୍ଡ, ୧୯୮୬)

 

କବି ବେଶ ଶାଳୀନତା ଓ ସଂଯମତା ସହକାରେ ଶ୍ରୀୟାର ରୂପ ବର୍ଣ୍ଣନା କରିଛନ୍ତି । ରୀତିକବିଙ୍କ ପରି ସରୁକଟୀ, ଗୁରୁକୁଚ ମଦନ ଆଦି କାମୋଦ୍ଦୀପକ ଶବ୍ଦ ବ୍ୟବହାର କରିଥଲେ ହେଁ ନଗ୍ନତା ପରିଦୃଷ୍ଟି ହୁଏ ନାହିଁ ।

 

ଏପରି ନିମ୍ନ ମଧ୍ୟବିତ୍ତ ଦମ୍ପତ୍ତିଙ୍କ ପ୍ରେମ ଶୃଙ୍ଗାର ବ୍ୟତୀତ ଜଗନ୍ନାଥ ଉଚ୍ଚବଂଶୀ ବିଦଗ୍ଧ ନାୟକ ନାୟିକାଙ୍କ ପ୍ରେମୋକ୍ତି ମଧ୍ୟ ବର୍ଣ୍ଣନା କରିଛନ୍ତି । ଏସବୁରେ ରୀତିକବିମାନଙ୍କର ଅପ୍ରତିହତ ପ୍ରଭାବ ନିହିତ । ୪୮ ଛାନ୍ଦ ବିଶିଷ୍ଟ ତାଙ୍କ ‘ଚୌପଦୀ ରତ୍ନାବଳୀ’ ଏହିପରି ଏକ ଉଚ୍ଚକୋଟୀର କାବ୍ୟଗ୍ରନ୍ଥ । ଏଥିରେ ପ୍ରେମିକ ପ୍ରେମିକା, ପତି ପତ୍ନୀଙ୍କ ମଧ୍ୟରେ ରସରଙ୍ଗ, ରସାଳ ଉକ୍ତି ପ୍ରତ୍ୟୁକ୍ତି, ବାକ୍‌ ଚାତୁରୀ, ପ୍ରେମ ଶୃଙ୍ଗାର ଭାବ, ବିପରୀତ ରତି ପ୍ରସଙ୍ଗ ଆଦି ସ୍ଥାନ ପାଇଛି । ଉପେନ୍ଦ୍ର ଭଞ୍ଜଙ୍କ ଲାବଣ୍ୟବତୀ କାବ୍ୟର ସପ୍ତମ ଛାନ୍ଦ ବା ଗଙ୍ଗାଧର ମେହେରଙ୍କ ପ୍ରଣୟବଲ୍ଲରୀର ବାର୍ତ୍ତାଳାପ ପରି ଏଥିରେ ମନୋଜ୍ଞ ଚିତ୍ର ରହିଛି । ତା’ ସଙ୍ଗେ ସଙ୍ଗେ ବିବିଧ ଅଳଙ୍କାରର ପ୍ରୟୋଗ ଏହାର ମହିମା ବୃଦ୍ଧି କରିଛି । ନାୟିକାର ରୂପ ବର୍ଣ୍ଣନା ପ୍ରସଙ୍ଗରେ ଜାନୁ, ସ୍ତନ, ଉରୁ ଆଦିରେ ଯୌନଭାବ ଉଦ୍ରେକ କରୁଛି । ବିବିଧ ଶ୍ଲେଷ ଭାଷା, ବିରୋଧାଭାସ, ମାନଭଞ୍ଜନ, ବାସକସଜା, ପ୍ରେମାନୁଚିନ୍ତା, ପ୍ରୀତିଲକ୍ଷଣ, ସିଂହାବଲୋକନ, ପୂର୍ବାନୁରାଗ, ମିଳନ, ବିଚ୍ଛେଦ ଓ ପୁନର୍ମିଳନର ଚିତ୍ର ଜଗନ୍ନାଥ ଆଙ୍କିଛନ୍ତି । ଶ୍ରୀମତୀଙ୍କ ଊନବିଂଶ ଲକ୍ଷଣ ପ୍ରସଙ୍ଗରେ ଜଗନ୍ନାଥଙ୍କ ଜାନୁବର୍ଣ୍ଣନା ଯେତିକି ରସାଳ ସେତିକି ଉତ୍ତାଳ ଓ ଚମତ୍କାର –

 

ବୃଶାଳ ରସାଳ ଏ ରମ୍ଭାଯୁଗଳ ଓଲଟିଛି ମଙ୍ଗଳକୁ

ଖେଳା ଖଞ୍ଜନାକ୍ଷୀ ଭେଳାକି ବାନ୍ଧିଛି କାମସିନ୍ଧୁ ଅଞ୍ଚଳକୁ ।

ନିତମ୍ବ ବିମ୍ବ ଏ କନକ ତୁମ୍ବ ଏ ବୀଣାଦଣ୍ଡ ସରଳକୁ

ଶ୍ରେଣୀ ତୀର୍ଥଶିଳା କରୁଣ କୁଶଳା ହୃଦତାର ସବଳକୁ ।

 

ଫକୀରମୋହନ ଚମ୍ପାର ରୂପ ବର୍ଣ୍ଣନା ପ୍ରସଙ୍ଗରେ କହନ୍ତି ‘ଓଲଟ ରମ୍ଭା ପରାୟ ଜାନୁ ।’ ଜଗନ୍ନାଥଙ୍କ ନାୟିକାର ବୃଶାଳ ରସାଳ ପକ୍ୱରମ୍ଭା ସଦୃଶ ଜାନୁ ମଙ୍ଗଳକୁ ଓଲଟି ରହିଛି ଏବଂ ଖଞ୍ଜନାକ୍ଷୀ କାମସିନ୍ଧୁ ଭେଳା ବାନ୍ଧିଛି । ଏ ପ୍ରସଙ୍ଗରେ ଲାବଣ୍ୟବତୀର ପଙ୍‌କ୍ତି ମନକୁ ଆସେ :

 

ଉତ୍ତାନ ପ୍ଳବନେ ଉରଜମାନେ କି ମନୋହର ।

ନଳଦୀକ୍ଷା ପାଇ ନାରୀକି ଭେଳା କଲେ ଭୂଧର ।।

 

ଲାବଣ୍ୟବତୀ ଓ ତା’ର ସହଚରୀଙ୍କ ଉତ୍ତାନ ସନ୍ତରଣ କାଳରେ ସ୍ତନକୁ ଭୁଧର ସଙ୍ଗେ ଏବଂ ସେଗୁଡ଼ିକ ଭାସିବାକୁ ନଳଦୀକ୍ଷା ମିଥ୍‌ ସଙ୍ଗେ ଯୋଡ଼ା ଯାଇଛି । ନିତମ୍ବ ତୁମ୍ବା ମଧ୍ୟ ସେହି ଭଞ୍ଜୀୟ ଉପମା ସଙ୍ଗେ ତୁଳନୀୟ ।

 

କବି ବିଚାରିଲା ବିଚିତ୍ର ହେଲା ତୁମ୍ବୀ ବୁଡ଼ିଲା

ନବୁଡ଼ି ଶଇଳ ସଲିଳ ଉପରରେ ରହିଲା ।

 

ସୁତରାଂ ଜଗନ୍ନାଥ ପାଣିଙ୍କ ରୀତିଯୁଗୀୟ ଶୈଳୀ, ଆଳଙ୍କାରିକତା, ଶବ୍ଦ ସଂଯୋଜନା, ଲକ୍ଷଣ ଓ ଅନ୍ତଃସ୍ଵର ତାଙ୍କୁ ଜଣେ ସଫଳ ରୀତିକବିର ଗୌରବ ପ୍ରଦାନ କରିଥାଏ । ଶେଷ ପଙ୍‌କ୍ତିରେ ଉପେନ୍ଦ୍ରଙ୍କ ପରି ଭଣତିରେ କହିଥିବା ‘‘ବୋଲେ ଜଗନ୍ନାଥ ଏହି ଜାନୁରଥ ମନମଥ ପ୍ରଚଳକୁ ।’’ ରୀତିଯୁଗୀୟ ଶୃଙ୍ଗାର ବର୍ଣ୍ଣନା କରିଛନ୍ତି । କନ୍ଦର୍ପର ଚଳପ୍ରଚଳ ନିମନ୍ତେ ନାୟିକାର ଏଇ ଜାନୁରଥ ହିଁ ଉଦ୍ଦିଷ୍ଟ । ରୀତିକବିଙ୍କୁ ଚମତ୍କାର ଭାବେ ଗ୍ରହଣ କରିଛନ୍ତି ।

 

ସ୍ୱପ୍ନରେ ନାୟକ ନାୟିକାଙ୍କ ମିଳନ ରୀତିକାବ୍ୟ ଧାରାରେ ଏକ ବିଶେଷ ଲକ୍ଷଣ । ଜଗନ୍ନାଥ ତାହା ହିଁ ଅବଲମ୍ବନ କରିଛନ୍ତି । ସ୍ୱପ୍ନରେ ଆସି ନାୟକ ନାୟିକା ସଙ୍ଗେ ପ୍ରେମାଳାପ ଓ ରତିରସ ରଙ୍ଗ କରିବା ବିଧି ଭଂଜୀୟ କାବ୍ୟଧାରା ବିଶେଷତଃ ଲାବଣ୍ୟବତୀରେ ଚନ୍ଦ୍ରଭାନୁ ଆସି ପ୍ରେମିକାସଙ୍ଗେ ମିଳିତ ହୋଇଛି ଏବଂ ରାତି ଶେଷରେ ନାୟକକୁ ନ ଦେଖି ବହୁ ଖୋଜାଖୋଜି ପରେ ଅଚେତ ହୋଇଯାଇଛି । ଉଷାବତୀ ହରଣରେ ଶ୍ରୀକୃଷ୍ଣଙ୍କ ପୌତ୍ର ଅନିରୁଦ୍ଧ ଓ ବାଣାସୁର କନ୍ୟା ଉଷା ମଧ୍ୟରେ ଏପରି ମିଳନ ହୋଇ ପ୍ରେମାଳାପ ଓ ରତିକ୍ରିୟା ହୋଇଛି । ଜଗନ୍ନାଥଙ୍କ ଭାଷାରେ :

 

‘‘ଗଜରାଜ ଗତି ଗଜଦନ୍ତ ପାତି ପଲ୍ୟଙ୍କେ ପୁରୁଷ ଆସିବଳେ

ଧରିବେନି ସ୍ତନ ବଦନେ ଚୁମ୍ବନ ଦେଇ ରତିକଲା ଘନଘନ

ସେ ବିଧିବଶେ

ଅନ୍ତର୍ଦ୍ଧାନ ହେଲା ରାତି ଶେଷେ ।’’

 

ରତିକ୍ରିୟା ପୁରୁଷ ସ୍ତ୍ରୀ ଶୟନ କରିଥିବାବେଳେ ନାୟକ ଅନ୍ତର୍ଦ୍ଧାନ ହେବା ରୀତିଯୁଗୀୟ କାବ୍ୟବିଧି । ବର୍ଣ୍ଣନାରେ ନଗ୍ନତା ପରିଲକ୍ଷିତ ହୁଏ । ଖୋଲାଖୋଲିଭାବେ ରତିକ୍ରିୟା ବର୍ଣ୍ଣନା କରାଯାଇଛି । ଶୃଙ୍ଗାର ରସର ତୀବ୍ରତା ଲକ୍ଷଣୀୟ । ଏହା ତମଗୁଣ ସଂପନ୍ନ। ଆଳଙ୍କାରିକମାନଙ୍କ ମତରେ ରତି ପରିପୋଷଣଦ୍ଵାରା ସ୍ତ୍ରୀ ପୁରୁଷ ଅବଲମ୍ବନ, ଉଦ୍ଦୀପନ ରୂପ ବିଭାବ, କଟାକ୍ଷ ଭୂକ୍ଷେପ, ସ୍ତମ୍ଭ ସ୍ଵେଦାଦି ଅନୁଭାବ, ଜୁଗୁପ୍ସା, ଆଳସ୍ୟାଦି ବ୍ୟଭିଚାରୀଯୋଗେ ସମ୍ଭୋଗ ଏବଂ ବିପ୍ରଲମ୍ଭ ଶୃଙ୍ଗାର ରସରେ ପରିଣତ ହୁଏ । ଶୃଙ୍ଗାର ଏକ ମୌଳିକ ରସ ବୋଲି ଭରତ ମୁନି ନାଟ୍ୟଶାସ୍ତ୍ରରେ କହିଛନ୍ତି । କୁହାଯାଇଛି ‘‘ସଙ୍ଗମ ପ୍ରତ୍ୟାଶୟା ରତେରୁ ଭବାତ୍‌ ।’’ ସଙ୍ଗମ ପ୍ରତ୍ୟାଶାକୁ ରତି ଓ ତହିଁରୁ ଶୃଙ୍ଗାର ରସ ଉତ୍ପତ୍ତି ହେବା କଥା ଅନେକ ଆଳଙ୍କାରିକ ମତ ଦେଲେ ହେଁ ଅନ୍ୟ କେହି କେହି ଏହାକୁ ଅସ୍ଵୀକାର କରିଥାନ୍ତି । ବାତ୍ସାୟନ ‘କାମ ସୂତ୍ର’ରେ ଶୃଙ୍ଗାର ନିମନ୍ତେ ଚତୁଷଷ୍ଠି ରତି ସଂପ୍ରୟୋଗ ଭେଦ ଯଥା- ରତ, ରହ, ଶୟନ, ମୋହନ, ଆଲିଙ୍ଗନ, ଚୁମ୍ବନ, ନଖଚ୍ଛେଦ୍ୟ, ଦଶନ ଛେଦ୍ୟ, ସଂବେଶନ ଆଦି ବିଷୟ ବର୍ଣ୍ଣନା କରିଛନ୍ତି । ବିପ୍ରଲମ୍ଭରେ ପ୍ରତୀକ୍ଷା ଅଛି ଏବଂ ବିଚ୍ଛେଦ ପରେ କରୁଣ ରସର ଉପତ୍ତି ହୋଇଥାଏ ବୋଲି ଆଳଙ୍କାରିକମାନଙ୍କ ମତ । ତାହାହିଁ ଲାବଣ୍ୟବତୀ ସମେତ ଅନ୍ୟାନ୍ୟ ରୀତିକାବ୍ୟରେ ହୋଇଅଛି । ଜଗନ୍ନାଥଙ୍କ ‘ପାରିଜାତ ହରଣ’, ‘ ହାରାବତୀ ହରଣ’, ‘ସୁଭଦ୍ରା ପରିଣୟ’, ‘ଉଷାବତୀ ହରଣ‘ ଆଦିରେ ତାହାହିଁ ଘଟିଛି । ତେବେ ଏ ସବୁ ବର୍ଣ୍ଣନାରେ ଇନ୍ଦ୍ରିୟ ଲାଳସାର, ସମ୍ଭାବନାକୁ ପରିହାର କରାଯାଇ ନ ପାରେ । ତେଣୁ ଏହାକୁ ପ୍ରେମ ନ କହି କାମ କହିଲେ ଭୁଲ୍‌ ହେବ ନାହିଁ, ଚୈତନ୍ୟ ଚରିତାମୃତକୁ ଉଦ୍ଧାର କରି କହିଲେ ‘‘ଆମେନ୍ଦ୍ରିୟ ତୃପ୍ତି ଇଚ୍ଛା ତାରେ ବଲେ କାମ । କୃଷ୍ଣେନ୍ଦ୍ରିୟ ତୃପ୍ତି ବାଞ୍ଚା ତାରେ ବଲେ ପ୍ରେମ ।’’ ଉଷାବତୀ ହରଣରେ କାମଭାବ ଅଧିକ । କିନ୍ତୁ ନାରଦ ଗୀତାର ଶ୍ରୀୟା ଓ ନାରଦଙ୍କ ମଧ୍ୟରେ ବୀରା ଚରିତ, ଧ୍ରୁବ, ପ୍ରହ୍ଲାଦଙ୍କ ବିଭୂ ପ୍ରେମ ହିଁ ସାତ୍ତ୍ଵିକ ପ୍ରେମ, ନୈସିର୍ଗିକ ଓ ଅତିମାନବୀୟ ଚେତନା । ପ୍ରଥମୋକ୍ତ ଉଦ୍ଧୃତିଗୁଡ଼ିକରେ ଦୈହିକ ପ୍ରେମ ବା କାମର ବର୍ଣ୍ଣନା ଥିବାବେଳେ ମୀରା ଚରିତାଦିରେ ବିଭୁ ଚେତନା ଓ ଆଧ୍ୟାତ୍ମିକ ଭାବ ରହିଛି । ସାଂସାରିକ ଜୀବନର ଅସାରତା ଓ କ୍ଷଣଭଙ୍ଗୁରତା ସମ୍ପର୍କରେ ଜଗନ୍ନାଥ ଆଲୋକପାତ କରିଛନ୍ତି :

 

‘‘ଏ ଦେହ ଜୀବନ ଯୁବା ଯଉବନ ଚିର ନୁହେଁ ଆତ୍ମସୁଖ

ଜୀବ ଅନୁଭବ ଦେହର ସ୍ଵଭାବ ଜଙ୍ଗ ମୃତ୍ୟୁ ସୁଖ ଦୁଃଖ ହେ ॥’’

 

କବିଙ୍କ ମତରେ ଜୀବନ ଯୌବନ ଓ ତଜ୍ଜନିତ ଆତ୍ମସୁଖ ଅନିତ୍ୟ, ଅସାର । ପ୍ରାଣୀର ଅନୁଭବ ତଥା ଦୈହିକ ଏବଂ ଦେହର ସ୍ଵଭାବିକ ଅବସ୍ଥାଦି ଓ ସାଂସାରିକ ଜୀବନ ମୂଲ୍ୟହୀନ, ସାଂସାରିକ ସୁଖ ଅଳିକ ଓ ପ୍ରାଣୀ ଅଜ୍ଞାନତାବଶତଃ ଜନ୍ମବେଳେ ସୁଖରେ ଆତ୍ମହରା ହେବା ସଙ୍ଗେ ସଙ୍ଗେ ପ୍ରିୟଜନର ବିଚ୍ଛେଦ ଓ ମୃତ୍ୟୁରେ ଦୁଃଖାଭିଭୂତ ହୋଇପଡ଼େ । ଏସବୁ ତା’ର ଭ୍ରମ । ମୀରା ଏହି ଜୀବନ ତତ୍ତ୍ଵ ସମ୍ପର୍କରେ ଅବହିତ । ସେ ଶାସ୍ତ୍ର ଅଧ୍ୟୟନରୁ ତାଙ୍କର ଜ୍ଞାନୋଦୋୟ ଓ ବୈରାଗ୍ୟ ଜାତ ହୋଇଛି । ମୀରାଙ୍କର ଏ ଚେତନା ଏକ ସୂକ୍ଷ୍ମ ତଥା ଦିବ୍ୟ ଅନୁଭବ ଯେଉଁଥିପାଇଁ ସେ ରୁଦ୍ର ମାଧବଙ୍କ ଶରଣାଗତ ହୋଇଛନ୍ତି । ତେଣୁ ମୋକ୍ଷ ନିମନ୍ତେ ସେ ଗୁରୁଙ୍କର ଶରଣାଶ୍ରିତ ହୋଇଛନ୍ତି । ମୀରାଙ୍କର ଭକ୍ତି ସୁଧାଭକ୍ତି । ସେ ରାଧାଙ୍କ ପରି ଶ୍ରୀକୃଷ୍ଣକ୍ତ ଚରଣରେ ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିଦେଇଛନ୍ତି । ଭକ୍ତି ବିବିଧ-ସବୁ ଭକ୍ତିର ଅନ୍ତିମ ଲକ୍ଷ୍ୟ ମୋକ୍ଷ- ଏ ସାଂସାରିକ ବନ୍ଧନରୁ ମୁକ୍ତି । ଜଗନ୍ନାଥ ତାଙ୍କ କାବ୍ୟ ନାଟକରେ ଏ ସମସ୍ତ ଭକ୍ତିର ଅବତାରଣା କରିଛନ୍ତି । ବାଣାସୁର, କଂସ, ହିରଣ୍ୟକଶ୍ୟପ ପ୍ରମୁଖ ଅସୁରମାନେ ରିପୁଭାବରେ ମୋକ୍ଷମାର୍ଗ ଖୋଜିଛନ୍ତି । କୃଷ୍ଣଙ୍କ ସଙ୍ଗେ ଦ୍ୱନ୍ଦ୍ୱ ଯୁଦ୍ଧରେ ମୃତ୍ୟୁବରଣ କରିବା ପ୍ରସଙ୍ଗରେ ଭକ୍ତ ଚରଣ ଦାସ ମଥୁରା ମଙ୍ଗଳ କାବ୍ୟରେ କହିଛନ୍ତି : ‘‘ରିପୁଭାବରେ ଶ୍ରୀକୃଷ୍ଣ କରେ ମଲା/ରହିଲା ଅପୂର୍ବ ଧାମରେ/ପାମର ମରନ୍ତା ନାହିଁକି କାଳରେ ?’’ ଏମାନେ ବୈରତା ଆଚରଣ କରି ମୁକ୍ତି ଖୋଜିଛନ୍ତି । ଧ୍ରୁବ ପ୍ରହ୍ଲାଦ ଓ ନାରଦ ସ୍ଵାଭାବିକ ଭକ୍ତିଭାବର ପ୍ରତୀକ । ସାମାନ୍ୟ ସ୍ଖଳନ ପରେ ନାରଦ ଆତ୍ମସଚେତନ ହୋଇ ସାଂସାରିକ ଜୀବନ ପରିହାର କରି ଆଧ୍ୟାତ୍ମିକ ଜୀବନରେ ପୂର୍ବପରି ସ୍ଵାଭାବିକତାକୁ ଫେରିଆସିଛନ୍ତି । କବି କର୍ଣ୍ଣଙ୍କ ପାଲା ଅନୁବର୍ତ୍ତନରେ-। ସେ ଲେଖିଥିବା ଓଡ଼ିଆ ପାଲାରେ ମଧ୍ୟ ଭକ୍ତିଭାବର ଉଦାହରଣ ଦ୍ରଷ୍ଟବ୍ୟ । ସେ ଅନେକତ୍ର ଭଣତିରେ ଶ୍ରୀ ସତ୍ୟନାରାୟଣଙ୍କୁ ହିଁ ମୋକ୍ଷ କାମନା କରନ୍ତି :

 

ଦାରୁବ୍ରହ୍ମ ପରିକର ଭଣେ ଜଗନ୍ନାଥ

ଦୟାକର ଜଗନ୍ନାଥ ମୁଁ ବଡ଼ ଅନାଥ

ପତିତପାବନ କୃପାକର ରମାନାଥ

ଅନ୍ତେ ମାଗୁଅଛି ପ୍ରଭୁ ନେବ ତୁମ୍ଭ ପୁରେ ।’’

 

ଜଗନ୍ନାଥଙ୍କ ପ୍ରାଣର ମୋକ୍ଷ ପାଇଁ ବ୍ୟାକୁଳତା ପ୍ରକାଶ ପାଇଛି । କିନ୍ତୁ ମୀରା ଭକ୍ତିର ପଟାନ୍ତର ନାହିଁ-ତାଙ୍କ ପ୍ରେମ ଅମୃତ ତୁଲ୍ୟ । ଜଗନ୍ନାଥଙ୍କ ଭାଷାରେ ‘ପ୍ରେମ ମଧୁରସ ସିନ୍ଧୁ ପିଅ ବିଦ୍ୱୁଜନ ।’ ତେଣୁ ମୀରା ହିଁ ଜଗନ୍ନାଥଙ୍କ ଭକ୍ତି ରସର ଆଦର୍ଶ ଚରିତ୍ର । ଉଷାବତୀ ହରଣରେ ବର୍ଣ୍ଣିତ ପ୍ରେମ ‘ଚୌପଦୀ ରତ୍ନାବଳୀ’ ବିଦଗ୍ଧ ପର୍ଯ୍ୟାୟକୁ ଏବଂ ମୀରା ଚରିତରେ ତାହା ଆଧ୍ୟାତ୍ମିକ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଯାଇଛି । ଜଗନ୍ନାଥଙ୍କ ପ୍ରେମର ଏହା ଏକ ବିବର୍ତ୍ତିତ ଉତ୍ତରଣ ଏହା ଶୃଙ୍ଗାରିକତା ବା ଦେହଜରୁ ବାଚିକ ବା ବିଦଗ୍ଧ ଚାତୁର୍ଯ୍ୟ ଓ ପରିଶେଷରେ ଏକ ଆଧ୍ୟାତ୍ମିକ ବା ଅତିନ୍ଦ୍ରିୟ ଚେତନାକୁ ଉତ୍ତୀର୍ଣ୍ଣ ହୋଇଯାଇଛି । ଅନ୍ୟ କଥାରେ କହିଲେ ଜଗନ୍ନାଥ ପ୍ରେମକୁ ସାଧାରଣ ବା ଅତିନ୍ଦ୍ରିୟ ଚେତନାକୁ । ଉତ୍ତୀର୍ଣ୍ଣ କରିପାରିଛନ୍ତି । ସେ ତାଙ୍କ କଳାକୁଶଳତା, କାବ୍ୟ ନାଟକରେ ପ୍ରେମକୁ ରୂପଦେବାର ଅଭିନବ ଉପଚାର ଗ୍ରହଣ କରିଛନ୍ତି । ଲୋକକବି ଜଗନ୍ନାଥ ପାଣିଙ୍କ କାବ୍ୟଧାରା, ଛାନ୍ଦନାଟ୍ୟ, କାବ୍ୟନାଟିକା, ପାଲା, ପ୍ରହସନ, ଆଳଙ୍କାରିକତା, ପ୍ରେମ ଓ ଆଧ୍ୟାତ୍ମିକତାର ତୁଳନା ନାହିଁ । ସେ ଓଡ଼ିଆ କାବ୍ୟନାଟିକାକୁ ଏକ ନୂତନ ଧାରାରେ ଅତ୍ୟନ୍ତ ସଜୀବ କରି ସଜାଇଛନ୍ତି । ତେଣୁ ସେ ଏକ ସ୍ଵତନ୍ତ୍ର ମର୍ଯ୍ୟାଦାର ଅଧିକାରୀ ।

 

 

ପ୍ଲଟ ନଂ.୧୧୭୫/୩୨୦୩,

ଉପରସାହି, ଲକ୍ଷ୍ମୀସାଗର,

ଭୁବନେଶ୍ୱର-୭୫୧୦୦୬

 

***

 

ଓଡ଼ିଆ ଛାନ୍ଦନାଟ୍ୟର ପ୍ରବକ୍ତା ଜଗନ୍ନାଥ ପାଣି

ସୁରେନ୍ଦ୍ର କୁମାର ମହାରଣା

 

ଛାନ୍ଦନାଟ୍ୟ ଲୋକନାଟ୍ୟର କ୍ରମବିବର୍ତ୍ତିତ ରୂପ । ଛାନ୍ଦନାଟ୍ୟ କହିଲେ ବୁଝାଯାଏ ବିଭିନ୍ନ ଲୀଳା ବିଷୟକ ରଚନା, ଯାହା ଅଭିନୟକ୍ଷମ ଓ ବିଭିନ୍ନ ରାଗରାଗିଣୀଯୁକ୍ତ ଛାନ୍ଦରେ ରଚିତ । ଆବୃତ୍ତି କରାଯାଇପାରେ ଏବଂ ପାତ୍ରପାତ୍ରୀଙ୍କ ଅଭିନୟ ମାଧ୍ୟମରେ ନାଟକ ଆକାରରେ ପ୍ରଦର୍ଶନ କରାଯାଇ ପାରେ । ଛାନ୍ଦନାଟ୍ୟରେ ଅଙ୍କା/ଦୃଶ୍ୟ ନଥାଏ । ଏହା ଗୀତିସଂଳାପଯୁକ୍ତ ଏବଂ ଗଦ୍ୟସଂଳାପ ବିବର୍ଜିତ । ମୁକ୍ତ ମଞ୍ଚରେ ପାତ୍ରପାତ୍ରୀ ବା ଚରିତ୍ରମାନେ ସଂଳାପ ଭାବରେ ଛାନ୍ଦର ସଂପ୍ତୃକ୍ତ ପଦମାନଙ୍କୁ ଗାୟନ କରନ୍ତି । ଛାନ୍ଦୋକ୍ତ ପଦଗୁଡ଼ିକ ପାତ୍ରପାତ୍ରୀମାନଙ୍କ ସଂଳାପ ହୋଇଥିବାରୁ ସେମାନଙ୍କ ମୁଖରେ ସେମାନଙ୍କ ପରିଚୟ, ଆଗମନ ଓ ପ୍ରସ୍ଥାନର ସୂଚନା ପ୍ରକାଶ ପାଇଥାଏ । ପରବର୍ତ୍ତୀ କାଳରେ ଛାନ୍ଦନାଟ୍ୟରେ ଅଙ୍କ ଓ ଦୃଶ୍ୟ ଯୋଗ କରାଯାଇ ଗୀତାଭିନୟ ଓ ଗୀଚିନାଟ୍ୟ ରଚିତ ହୋଇଛି । ଗୀତାଭିନୟର ସଂଳାପ ମୁଖ୍ୟତଃ ସଙ୍ଗୀତଧର୍ମୀ ଓ ଏଥିରେ ସାମାନ୍ୟ ଗଦ୍ୟସଂଳାପର ଉପସ୍ଥିତି ଥିବାସ୍ଥଳେ ଗୀତିନାଟ୍ୟରେ ସଙ୍ଗୀତ ସହିତ ଅଧିକ ପରିମାଣର ଗଦ୍ୟ ସଂଳାପ ସଂଯୋଜିତ । ପୌରାଣିକ କଥାବସ୍ତୁ ବ୍ୟତୀତ ସାମାଜିକ, ରାଜନୀତିକ ଓ କାଳ୍ପନିକ କଥାବସ୍ତୁ ଆଧାରିତ ହେବା ଫଳରେ ଏ ପ୍ରକାର ରଚନାର ଲୋକପ୍ରିୟତା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଲା । ସେତେବେଳେ ଛାନ୍ଦନାଟ, ଗୀତିନାଟ୍ୟ ଓ ଗୀତାଭିନୟକୁ ଯାତ୍ରା ବୋଲି କୁହାଯାଉଥିଲା-।

 

ଛାନ୍ଦନାଟ୍ୟର ଭିତ୍ତି ହେଉଛି ବିଭିନ୍ନ ଲୀଳା, ଯଥା- ରାମଲୀଳା, କୃଷ୍ଣଲୀଳା ଓ ଭାରତଲୀଳା । ରାସଲୀଳା, ଦ୍ଵାରିକାଲୀଳା, ଗୋପଲୀଳା, ବ୍ରଜଲୀଳା, ରାଧାପ୍ରେମଲୀଳା ଇତ୍ୟାଦି କୃଷ୍ଣଲୀଳାର ଅନ୍ତର୍ଗତ । ରାମଲୀଳା ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜୀବନ-କାହାଣୀ ଆଧାରିତ । ରାମଲୀଳା ବିଷୟକ ରଚନାରେ ହାତ ଦେଇ ଯେଉଁ କବିମାନେ ଓଡ଼ିଆ ଲୀଳା ସାହିତ୍ୟକୁ ଏଯାବତ୍‌ ସମୃଦ୍ଧ କରିଆସିଛନ୍ତି ସେମାନଙ୍କ ମଧ୍ୟରୁ ବିଶ୍ଵନାଥ ଖୁଣ୍ଟିଆ, ରଘୁନାଥ ଦାସ, ବୈଶ୍ୟ ସଦାଶିବ, କୃଷ୍ଣଚନ୍ଦ୍ର ରାଜେନ୍ଦ୍ର, ପୀତାମ୍ବର ରାଜେନ୍ଦ୍ର, କଳ୍ପତରୁ ଦାସ, ରଘୁନାଥ ସିଂହ, ବିମ୍ବାଧର ସାମନ୍ତ, ଅନଙ୍ଗ ନରେନ୍ଦ୍ର, ବିକ୍ରମ ନରେନ୍ଦ୍ର, ଈଶ୍ଵର ଦାସ, ପୀତବାସ, ବ୍ରଜବନ୍ଧୁ ସାମନ୍ତସିଂହାର, କେଶବ ପଟ୍ଟନାୟକ, ଧନଞ୍ଜୟ ଭଞ୍ଜ, ଉପେନ୍ଦ୍ର ଭଞ୍ଜ, ବାଲୁଙ୍କେଶ୍ଵର ମର୍ଦ୍ଦରାଜ, ବିପ୍ର ଜନାର୍ଦ୍ଦନ ଦାସ, ବିପ୍ର ଲକ୍ଷ୍ମୀଧର, ବନମାଳୀ ମାଗୁଣି ପଟ୍ଟନାୟକ, ରାସବିହାରୀ ନାୟକ, ରଘୁନାଥ ବେଉରା, ଗୋପୀନାଥ ମିଶ୍ର, ଧନେଶ୍ୱର ଶତପଥୀ ପ୍ରମୁଖ କବିମାନଙ୍କ ନାମ ଉଲ୍ଲେଖନୀୟ । ସେହିପରି ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କ ବିଭିନ୍ନ ଲୀଳା ଆଧାରିତ ଲୀଳାସାହିତ୍ୟର ରଚୟିତା ଭାବରେ ପ୍ରସିଦ୍ଧି ଅର୍ଜନ କରିଥିବା କବିମାନଙ୍କ ମଧ୍ୟରେ ଅଛନ୍ତି ଶିଶୁ ବନମାଳୀ ଦାସ, ନୀଳାମ୍ବର ଦାସ, କୃପାସିନ୍ଧୁ ଦାସ, ଦୁଃଖୀରାମ ଦାସ, ବିଶ୍ଵମ୍ବର ରାଜେନ୍ଦ୍ରଦେବ, ଗୌରଚରଣ, ଦ୍ଵିଜ ଚୈତନ୍ୟ, ବିପ୍ର ସଦାଶିବ ପ୍ରମୁଖ ବହୁ ସ୍ମରଣୀୟ ପ୍ରତିଭା । ‘ମହାଭାରତ’ର ବିଭିନ୍ନ ଉପାଖ୍ୟାନ ସମ୍ବଳିତ ଲୀଳାମାନହିଁ ଭାରତଲୀଳା । ‘ମହାଭାରତ’ର ବିଭିନ୍ନ ଉପାଖ୍ୟାନ ସମ୍ବଳିତ ଲୀଳାମାନ ରଚିତ ହୋଇ ଓଡ଼ିଆ ଲୀଳା ସାହିତ୍ୟର କଳେବର ପୁଷ୍ଟ ହୋଇଥିଲେହେଁ ସୁଭଦ୍ରା ହରଣ ଉପାଖ୍ୟାନର ଲୀଳାରୂପ ସାଧାରଣତଃ ଭାରତଲୀଳା ଭାବରେ ଖ୍ୟାତ । ଉକ୍ତ ଲୀଳାଟି ମୁଖ୍ୟତଃ ଦକ୍ଷିଣ ଓଡ଼ିଶାରେ ଅତି ଲୋକପ୍ରିୟ । ଭାରତଲୀଳାକୁ କୌଣସି ଜଣେ ଲୀଳାକାରଙ୍କ ରଚନା ବୋଲି କହିହେବ ନାହିଁ । ବହୁ କବିଙ୍କ ରଚନାରୁ ଉଦ୍ଧୃତାଂଶ ଏଥିରେ ଗୃହୀତ-। ସୁଭଦ୍ରା ହରଣକୁ ଲେଖନୀରେ ରୂପ ଦେଇଥିବା ଉଲ୍ଲେଖଯୋଗ୍ୟ ଦୁଇ ପ୍ରତିଭା ହେଉଛନ୍ତି ସମ୍ବଲପୁରର ଗଙ୍ଗାଧର ପ୍ରଧାନ (ଭାରତଲୀଳା) ଓ ଚିକିଟୀ ରାଜା କିଶୋର ଚନ୍ଦ୍ର ରାଜେନ୍ଦ୍ର (ସୁଭଦ୍ରା ହରଣ) । ‘ମହାଭାରତ’ର ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ରଚିତ ଲୀଳାକୁ ଭାରତ ଲୀଳା କହିବାରେ କିଛି ଆପତ୍ତି ନାହିଁ । ମହାଭାରତରେ ଭିନ୍ନ ଭିନ୍ନ ଉପାଖ୍ୟାନକୁ ନେଇ ଲୀଳା ରଚନା କରିଛନ୍ତି କୀର୍ତ୍ତନ ରାଉତ, ତ୍ରିନାଥ ପଟ୍ଟନାୟକ, ଅର୍ଜୁନ ହୋତା ପ୍ରମୁଖ କବିଗଣ-। ଓଡ଼ିଆ ଲୀଳାସାହିତ୍ୟକୁ ୠଦ୍ଧିମନ୍ତ କରିବାରେ ଉକ୍ତ ସାହିତ୍ୟସାଧକମାନଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ।

 

ଲୀଳା ସାହିତ୍ୟର ସଂସ୍କାରିତ ରୂପ ଛାନ୍ଦନାଟ୍ୟକୁ ଯେଉଁ କେତେଜଣ ପ୍ରତିଭା ସେମାନଙ୍କ ଲେଖନୀରେ ବଳିଷ୍ଠ ରୂପଦେଇ ଓଡ଼ିଆ ସାହିତ୍ୟରେ ଚିରସ୍ମରଣୀୟ ହୋଇରହିଛନ୍ତି, ସେମାନଙ୍କ ମଧ୍ୟରେ ଜଗନ୍ନାଥ ପାଣି (୧୮୩୬) ଅନ୍ୟତମ । ଓଡ଼ିଆ ସାହିତ୍ୟର ମଧ୍ୟଯୁଗରୁ ପ୍ରସରି ଆସିଥିବା ଅଭିନୟୋପଯୋଗୀ ଛାନ୍ଦକାବ୍ୟ ବା ଛାନ୍ଦନାଟ୍ୟ-ରଚନା ପରମ୍ପରାର ସେ ଜଣେ ଅଗ୍ରଗଣ୍ୟ ଦାୟାଦ-। ଓଡ଼ିଆ ଛାନ୍ଦ ନାଟ୍ୟକୁ ସେ ନୂତନ ବର୍ଣ୍ଣବିଭାବରେ ମଣ୍ଡିତ କରିଅଛନ୍ତି । ସେ କେବଳ ଛାନ୍ଦନାଟ୍ୟ ସ୍ରଷ୍ଟା ନଥିଲେ, ରାଶି ରାଶି କାବ୍ୟକବିତା, ପାଲା, ଭଜନ, ଜଣାଣ, ଚଉତିଶା, ଲୀଳା, ସୁଆଙ୍ଗ ଆଦି ରଚନା କରି ସେ ଓଡ଼ିଆ ବାଣୀଭଣ୍ଡାରକୁ ପୁଷ୍ଟ କରିଥିଲେ; କିନ୍ତୁ ଦୁଃଖର ବିଷୟ, ତାଙ୍କର କେତେକ ରଚନାର ସନ୍ଧାନ ଏ ପର୍ଯ୍ୟନ୍ତ ମିଳିନାହିଁ । ଯେଉଁସବୁ ରଚନାର ସନ୍ଧାନ ମିଳିଛି, ସେସବୁ ବିଭିନ୍ନ ସୂତ୍ରରୁ* ସଂଗୃହୀତ ହୋଇ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ ଏବଂ ପରେ ରାଜ୍ୟ ସଂସ୍କୃତି ନିର୍ଦ୍ଦେଶାଳୟ ଦ୍ଵାରା ତିନିଖଣ୍ଡ ଗ୍ରନ୍ଥାବଳୀରେ ପ୍ରକାଶିତ । ଗ୍ରନ୍ଥାବଳୀ ପ୍ରକାଶିତ ହେବା ପୂର୍ବରୁ କବିଙ୍କର ତିନୋଟି ରଚନା ପ୍ରକାଶ ପାଇଥିଲା । ପ୍ରଥମଟି ‘ଶଶିଜିତ ବିଭା ବା କାମକାଠୁରିଆ ପାଲା’, ଯାହା ୧୯୨୯ରେ ଉଦୟନାଥ ପାଣିଙ୍କ ଦ୍ଵାରା ଯାଜପୁରର ବିରଜା ପ୍ରେସରେ ମୁଦ୍ରିତ ହୋଇ ପ୍ରକାଶ ଲାଭ କରିଥିଲା । କବିଙ୍କର ଦ୍ୱିତୀୟ ପ୍ରକାଶିତ ରଚନା ହେଉଛି- ‘ଚୌପଦୀ ରତ୍ନାବଳୀ’ ଯାହା ୧୯୩୩ରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ଭଦ୍ରକର ଗୋପୀନାଥ ପ୍ରେସ୍‌ରେ ମୁଦ୍ରିତ ହୋଇ ପ୍ରକାଶିତ । ‘ଦକ୍ଷ ଯଜ୍ଞ’ ତୃତୀୟ ପ୍ରକାଶିତ ଗ୍ରନ୍ଥ । ଏହା ପଣ୍ଡିତ ନୀଳମଣି ମିଶ୍ରଙ୍କ ସମ୍ପାଦନାରେ ୧୯୭୮ରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ପ୍ରକାଶିତ ।

 

 

‘ଜଗନ୍ନାଥ ପାଣି ଗ୍ରନ୍ଥାବଳୀ’ର ପ୍ରଥମ ଖଣ୍ଡ (୧୯୮୨) ସତରଟି ଛାନ୍ଦନାଟ୍ୟରେ ସମୃଦ୍ଧ-। ଅନ୍ୟ ଦୁଇ ଖଣ୍ଡରେ ତାଙ୍କର ଅନ୍ୟାନ୍ୟ ରଚନା ସଙ୍କଳିତ । ଗ୍ରନ୍ଥାବଳୀର ପ୍ରଥମ ଖଣ୍ଡରେ ସ୍ଥାନ ପାଇଥିବା ଛାନ୍ଦନାଟ୍ୟଗୁଡ଼ିକ ହେଉଛି- ‘ଉଷାବତୀ ହରଣ’, ‘ସୀତା ବନବାସ’, ‘ମାନଭଞ୍ଜନ’ ‘ମହୀରାବଣ ବଧ’, ‘ରୁକ୍ମିଣୀ ପରିଣୟ’, ‘ଦକ୍ଷ ଯଜ୍ଞ’, ‘ଲକ୍ଷଣ ଶକ୍ତିଭେଦ’, ‘ଭୂତକେଳି’, ‘ସୁଭଦ୍ରା ପରିଣୟ’, ‘ହାରାବତୀ ହରଣ’, ‘ପାରିଜାତ ହରଣ’, ‘ମୀରା ଚରିତ’, ‘କପଟପାଶା’, ‘ଧ୍ରୁବ ଚରିତ, ‘ବିଲଙ୍କା ଚରିତ’, ‘ପ୍ରହ୍ଲାଦ ଚରିତ’ ଓ ‘ବଭ୍ରୁବାହନ ଯୁଦ୍ଧ’ ।

 

ଏହିସବୁ ଛାନ୍ଦନାଟ୍ୟର ଭିତ୍ତି ହେଉଛି ‘ଭାଗବତ, ‘ରାମାୟଣ’, ‘ମହାଭାରତ’, ‘ହରିବଂଶ’ ପ୍ରଭୃତି ପୁରାଣ । ‘ଗୀତଗୋବିନ୍ଦ’ ଓ ହରିଦାସକୃତ ‘ଭକ୍ତି ରତ୍ନମାଳା’ର କଥାବସ୍ତୁ ମଧ୍ୟ ସେ ବିନିଯୋଗ କରିଛନ୍ତି କେତୋଟି ରଚନାରେ । ‘ଶ୍ରୀମଦ୍‌ ଭାଗବତ’ ଓ ‘ହରିବଂଶ’ର ଅନୁରୂପ କଥାବସ୍ତୁ ଉପରେ କବିଙ୍କ ‘ପାରିଜାତ ହରଣ’ ଛାନ୍ଦନାଟ୍ୟର କଥାବସ୍ତୁ ନିର୍ଭର କରୁଥିଲେ ମଧ୍ୟ ଏହା ‘ହରିବଂଶ’ ଦ୍ଵାରା ଅଧିକ ପରିମାଣରେ ପ୍ରଭାବିତ । ‘ଭାଗବତ’ ଓ ‘ପଦ୍ମପୁରାଣ’ ଅବଲମ୍ବନରେ କବିଙ୍କ ‘ରୁକ୍ମିଣୀ ପରିଣୟ’ ରଚିତ । ଭାଗବତରୁ କଥାବସ୍ତୁ ଗ୍ରହଣ କରି ତାଙ୍କ ‘ଦକ୍ଷ ଯଜ୍ଞ’, ‘ପାରିଜାତ ହରଣ’ ‘ଧ୍ରୁବ ଚରିତ’ ଓ ‘ପ୍ରହ୍ଲାଦ ଚରିତ’ ମଧ୍ୟ ରଚିତ । ‘ରାମାୟଣ’ ଉପରେ ତାଙ୍କ ‘ସୀତା ବନବାସ’ ଓ ‘ଲକ୍ଷ୍ମଣ ଶକ୍ତିଭେଦ’ ନିର୍ଭରଶୀଳ । ‘ମହାଭାରତ’ର କଥାବସ୍ତୁ ତାଙ୍କ ‘ସୁଭଦ୍ରା ପରିଣୟ’, ‘ହାରାବତୀ ହରଣ’, ‘କପଟ ପାଶା’ ଓ ଜୈମିନୀ ମହାଭାରତରୁ ‘ବଭ୍ରୁବାହାନ ଯୁଦ୍ଧ’ର ଆଧାର । ସାରଳା ଦାସଙ୍କ ‘ବିଲଙ୍କା ରାମାୟଣ’ର କଥାବସ୍ତୁ ସହିତ ପାଣିଙ୍କ ‘ବିଲଙ୍କା ଚରିତ’ର କଥାବସ୍ତୁ ଅନେକ ପରିମାଣରେ ସାମ୍ୟ ରକ୍ଷାକରେ । ‘ମାନଭଞ୍ଜନ’ର କଥାବସ୍ତୁ ‘ଗୀତଗୋବିନ୍ଦ’ରୁ, ‘ମହୀରାବଣ ବଧ’ର କଥାବସ୍ତୁ ସଂସ୍କୃତ ‘ମହାନାଟକ’ରୁ ଏବଂ ‘ମୀରା ଚରିତ’ର କଥାବସ୍ତୁ ହରିଦାସକୃତ ‘ଭକ୍ତି ରତ୍ନମାଳା’ରୁ ଗୃହୀତ ।

 

ଲୀଳାନାଟକର ସୁଦୃଢ଼ ପରମ୍ପରାଟିଏ ଜଗନ୍ନାଥ ପାଣିଙ୍କ ସମୟକୁ ଥିଲା ଏବଂ ଲୀଳାନାଟକରୁ ଛାନ୍ଦନାଟ୍ୟର ବିକାଶକ୍ରମରେ ତାଙ୍କୁ ଅନ୍ୟତମ ଆଦି ଛାନ୍ଦନାଟ୍ୟକାର ଭାବେ ଗ୍ରହଣ କରାଯାଇପାରେ । ଉନ୍ମେଷ ପରେ ପରେ ଏଥିରେ ବହୁ ନୂତନ ପ୍ରବୃତ୍ତିର ସଂଚରଣପୂର୍ବକ ଏହାର ବିକାଶଧାରାକୁ ତ୍ୱରାନ୍ୱିତ କରିବାରେ ଏବଂ ପରବର୍ତ୍ତୀ କାଳରେ ଏଥିରୁ ଗୀତାଭିନୟ ଓ ଗୀତିନାଟ୍ୟର ଉତ୍ପତ୍ତି ହେବା ନିମିତ୍ତ ପଥ ପରିଷ୍କାର କରିବାରେ ତାଙ୍କର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ-। ଓଡ଼ିଆ ଛାନ୍ଦନାଟକର ସେ ଜଣେ ସ୍ମରଣୀୟ ପ୍ରବକ୍ତା । ଛାନ୍ଦନାଟ୍ୟ ରଚନାରେ ତାଙ୍କ କୃତି ଓ କୃତିତ୍ୱର ମୂଲ୍ୟାୟନ କରାଯାଇପାରେ ।

 

ପ୍ରସ୍ତାବନା :

ଲୋକନାଟ୍ୟ ପରମ୍ପରାରେ ବିଷୟବସ୍ତୁର ପ୍ରାକ୍‌-ଭାଗ ବା ଆମୁଖ ପ୍ରସ୍ତାବନା ଭାବରେ ଗୃହୀତ ହୋଇଥାଏ । ପରମ୍ପରାପ୍ରେମୀ ଜଗନ୍ନାଥ ପାଣିଙ୍କ ଛାନ୍ଦନାଟ୍ୟମାନଙ୍କ ପ୍ରାରମ୍ଭରେ ତେଣୁ ରହିଛି ପ୍ରସ୍ତାବନା । ସେ କେଉଁ ନାଟକରେ ଚରିତ୍ର ମୁହିଁରେ ପ୍ରସ୍ତାବନା ବାଢ଼ିଛନ୍ତି ତ କେଉଁ ନାଟକରେ ବନ୍ଦନା, ପ୍ରାର୍ଥନା ବା ଇଷ୍ଟସ୍ତୁତି ଗାନ ମାଧ୍ୟମରେ ପ୍ରସ୍ତାବନା ଖଞ୍ଜି ଦେଇଛନ୍ତି । ଯଥା-

 

(କ)

‘‘ଶୁଣ ହେ ସୁଧୀର ଜନେ ହୋଇ ମନତୋଷ

 

ଉଷାବତୀ ହରଣ ଏ ସୁଧାସିନ୍ଧୁ ରସ ।୧।’’

 

(ଉଷାବତୀ ହରଣ, ୧ ମ ଛାନ୍ଦ, ଜଗନ୍ନାଥ ପାଣି ଗ୍ରନ୍ଥାବଳୀ-୧ମ, ପୃ: ୧)

(ଖ)

‘‘ଅପୂର୍ବ କୌତୁକ ରସ ଶୁଣ ସାଧୁଜନେ

 

ବିଚିତ୍ର ଚରିତ ଦକ୍ଷଯଜ୍ଞର ବିଧାନ ।୧।’’

 

(ଦକ୍ଷଯଜ୍ଞ, ୧ମ ଛାନ୍ଦ, ଜ.ପା.ଗ-୧ମ/ପୃ: ୧୬୩)

 

ଏହି ଉଦାହରଣ ଦୁଇଟିରେ ଚରିତ୍ର ବା ନଟନଟୀ ମୁଖରେ ପ୍ରସ୍ତାବନା ଫୁଟିଉଠିଛି । ଇଷ୍ଟସ୍ତୁତି ଗାନ ମାଧ୍ୟମରେ କବି ମଧ୍ୟ ପ୍ରସ୍ତାବନା ବାଢ଼ିଛନ୍ତି । ଯଥା :-

 

‘‘ହରି ହରି ଶବ୍ଦ କରି ଭକ୍ତଜନମାନେ

ହରିଭକ୍ତି ଯଶ କୀର୍ତ୍ତି ଶୁଣ ସାଧୁଜନେ ।୧।

ଶ୍ରୀଭାଗବତ ସପ୍ତମସ୍କନ୍ଧ ପ୍ରେମଗୀତ

ପରମ ବୈଷ୍ଣବ ପ୍ରହଲାଦର ଚରିତ ।୨।’’

(ପ୍ରହ୍ଲାଦ ଚରିତ, ଗ୍ରନ୍ଥାବଳୀ-୧ମ, ପୃ:୪୭୫)

 

କଥାବସ୍ତୁ :

ନାଟକରେ କାହାଣୀ ବା କଥାବସ୍ତୁର ଆବଶ୍ୟକତା ଅପରିହାର୍ଯ୍ୟ; ନହେଲେ ନାଟକଟିଏ ରଚିତ ହେବ କିପରି ? ଜଗନ୍ନାଥ ପାଣିଙ୍କ ଛାନ୍ଦନାଟ୍ୟର ମୁଖ୍ୟ ଅବଲମ୍ବନ ପୌରାଣିକ କଥାବସ୍ତୁ, ଯାହାର ମୂଳଉତ୍ସ ‘ମହାଭାରତ’‘, ‘ଭାଗବତ’, ‘ରାମାୟଣ’, ‘ହରିବଂଶ’ ଆଦି ପୁରାଣ । କେଉଁ ଛାନ୍ଦନାଟ୍ୟ କେଉଁ ପୁରାଣରୁ ଗୃହୀତ, ତାହାର ସୂଚନା ପୂର୍ବରୁ ପ୍ରଦତ୍ତ । ପୌରାଣିକ କଥାବସ୍ତୁକୁ କବି ବର୍ଣ୍ଣନାଚାତୁରୀ, କଳ୍ପନାବିଳାସ ଓ ନାଟକୀୟତାରେ ମଣ୍ଡିଦେଇ ଛାନ୍ଦନାଟ୍ୟଗୁଡ଼ିକୁ ଅଧିକ ସୁନ୍ଦର ଓ ଲୋକାଭିମୁଖୀ କରିପାରିଛନ୍ତି ।

 

ଚରିତ୍ର ଚିତ୍ରଣ :

କଥାବସ୍ତୁକୁ ରୂପ ଦେବାକୁ ହେଲେ ଭିନ୍ନ ଭିନ୍ନ ଚରିତ୍ରର ଅବତାରଣା କରିବାକୁ ହୁଏ । କାରଣ ଚରିତ୍ର ବ୍ୟତିରେକ ନାଟକ ପରିକଳ୍ପନା ଅସମ୍ଭବ । ଜଗନ୍ନାଥ ପାଣି ଛାନ୍ଦନାଟ୍ୟଗୁଡ଼ିକୁ ଦେବଦେବୀ ଓ ଅନ୍ୟାନ୍ୟ ଚରିତ୍ରର ସୁସମାବେଶରେ ମନଛୁଆଁ କରିପାରିଛନ୍ତି । ତାଙ୍କ ଛାନ୍ଦନାଟ୍ୟରେ ଉଷାବତୀ, ଶ୍ରୀରାଧା, ସୀତା, ହାରାବତୀ, ସୁଭଦ୍ରା, ପାର୍ବତୀ, ରୁକ୍ମିଣୀ ଆଦି ନାରୀ ଚରିତ୍ର ମୁଖ୍ୟ ଓ ଚିତ୍ରରେଖା, କାମକଳା, ଚିତ୍ରାଙ୍ଗଦା, ଦୂତୀ ଇତ୍ୟାଦି ଚରିତ୍ରମାନେ ଗୌଣ । ସେହିପରି ପୁରୁଷ ଚରିତ୍ରମାନଙ୍କ ମଧ୍ୟରେ ରହିଛନ୍ତି ଅନିରୁଦ୍ଧ, ଶ୍ରୀକୃଷ୍ଣ, ଶ୍ରୀରାମ, ଅର୍ଜୁନ, ଧ୍ରୁବ, ପ୍ରହ୍ଲାଦ, ବବ୍ରୁବାହନ, ଶିବ, ମହୀରାବଣ ଆଦି ମୁଖ୍ୟ ଚରିତ୍ର ଓ ବଳରାମ, ପ୍ରଦ୍ୟୁମ୍ନ ନାରଦ, ନନ୍ଦ, ଚନ୍ଦ୍ରସେଣା, ପ୍ରହରୀ ପ୍ରଭୃତି ଗୌଣ ଚରିତ୍ର । ମୁଖ୍ୟ ହେଉ ବା ଗୌଣ, କବି ସମସ୍ତ ଚରିତ୍ରଙ୍କ ମୁଖରେ ଖଞ୍ଜି ଦେଇଛନ୍ତି ପାତ୍ରୋଚିତ ସଂଳାପ । ଚରିତ୍ରଗୁଡ଼ିକୁ ସେ ଯଥାସମ୍ଭବ ମାନବୀୟ କରିବାକୁ ଚେଷ୍ଟା କରିଛନ୍ତି । ପୌରାଣିକ ଉପାଖ୍ୟାନ ମଧ୍ୟରେ ସମକାଳୀନ ସାମାଜିକ ମଣିଷର ଦୁଃଖସୁଖ, ହସକାନ୍ଦ, ସ୍ନେହସଂପ୍ରୀତି, ଈର୍ଷାସନ୍ଦେହ ଇତ୍ୟାଦିକୁ ନିପୁଣ ଭାବରେ ସେ ନିଜ ରଚନାରେ ପ୍ରକାଶ କରିଛନ୍ତି । ପୌରାଣିକ ହେଲେ ହେଁ ଚରିତ୍ରଗୁଡ଼ିକ ଏଇ ମାଟିର ଜଣେ ଜଣେ ସାଧାରଣ ମଣିଷ ଭଳି ପ୍ରତୀତ ହୁଅନ୍ତି । ଛାନ୍ଦନାଟକ ଛାନ୍ଦ ରୂପରେ ଲିଖିତ ହୋଇଥିବାରୁ ଚରିତ୍ରମାନେ ନିଜ ନିଜର ପରିଚୟ ଦିଅନ୍ତି ଛାନ୍ଦାନ୍ତର୍ଗତ ସଂପୃକ୍ତ ପଙ୍‌କ୍ତିମାନ ଉଚ୍ଚାରଣ କରି । ଏହି ଛାନ୍ଦସଂଳାପ ମାଧ୍ୟମରେ ମଧ୍ୟ ସେମାନଙ୍କ ପରିଚୟ, ପ୍ରବେଶ ଓ ପ୍ରସ୍ଥାନର ସୂଚନା ରହିଥାଏ । ଯେପରି-

(କ)

‘‘ଶିଶଂପା ବୃକ୍ଷର ଡାଳେ/ହନୁ ମନେ ମନେ ଭାଳେ’’

 

(ବିଶ୍ଵନାଥ ଖୁଣ୍ଟିଆଙ୍କ ବିଚିତ୍ର ରାମାୟଣ)

(ଖ)

‘‘ଏକ ଦିନେ ସୂର୍ପଣଖା ଦଇତୁଣୀ ଆସି ’’

 

(ବୈଶ୍ୟ ସଦାଶିବକୃତ ରାମଲୀଳା)

 

ଜଗନ୍ନାଥ ପାଣିଙ୍କ ‘ମାନଭଞ୍ଜନ’ ଛାନ୍ଦ ନାଟକରୁ ଗୋଟିଏ/ଦୁଇଟି ପଦ ଉଦ୍ଧାର କରି ଏଥିରେ ଚରିତ୍ର କିପରି ନିଜ ମୁଖରେ ନିଜର ପରିଚୟ ପ୍ରଦାନ କରେ ଏବଂ ନିଜ ପ୍ରବେଶର ସୂଚନା ଦିଏ ତାହାର ଉଦାହରଣ-

 

(କ)

‘‘ଶ୍ରୀରାଧା ଗାନ୍ଧର୍ବୀ ଶୁଣି କୃଷ୍ଣ ବଂଶୀସ୍ଵନ

 

ଦୂତୀ କର ଧରି କହେ ବିନୟ ବଚନ ’’... ଇତ୍ୟାଦି

 

(୨ୟ ଛାନ୍ଦ, ଗ୍ରନ୍ଥାବଳୀ-୧ମ, ପୃ:୮୬)

(ଖ)

‘‘ରାଧାର ସନ୍ଦେଶ ଦୂତୀ ଘେନି ଦିନାନ୍ତରେ

 

ପ୍ରବେଶ ହୋଇଲେ ଯାଇ ଗୋବିନ୍ଦ ପାଶରେ ।’’

 

(୩ୟ ଛାନ୍ଦ, ଗ୍ରନ୍ଥାବଳୀ-୧ମ, ପୃ: ୮୭)

 

ରଚନାଶୈଳୀ :

ଜଗନ୍ନାଥ ପାଣିଙ୍କ ରଚନାଶୈଳୀ/ବର୍ଣ୍ଣନାଶୈଳୀ କାବ୍ୟିକ ଓ ବହୁ ବିଶେଷତ୍ଵରେ ପୂର୍ଣ୍ଣ ପ୍ରଥମତଃ ତାଙ୍କ ଛାନ୍ଦନାଟ୍ୟମାନ ଛାନ୍ଦାକାରରେ ରଚିତ ହେତୁ ସେସବୁର ପଙ୍‌କ୍ତିମାନ ଚରିତ୍ର ମୁଖରେ ସଂଳାପରୂପେ ଉଚ୍ଚାରିତ ହେଉଥିଲା । ଏହିପ୍ରକାର ରଚନାରୀତି ଗୀତାଭିନୟ/ଗୀତିନାଟ୍ୟର ଉନ୍ମେଷ ପଥରେ ଆଦି ସୋପାନ ।

 

କବିଙ୍କ ଛାନ୍ଦନାଟ୍ୟଗୁଡ଼ିକ ପୌରାଣିକ କଥାବସ୍ତୁ ଆଧାରିତ ହେଲେ ମଧ୍ୟ ଏସବୁର ରଚନାକାଳରେ କବି କେତେକ ସ୍ଥଳରେ କଳ୍ପନାବିଳାସକୁ ତ୍ୟାଗ କରିପାରି ନାହାନ୍ତି । ‘ଲକ୍ଷ୍ମଣ ଶକ୍ତିଭେଦ’ ଛାନ୍ଦନାଟ୍ୟରୁ କେତୋଟି ପଦ ଉଦ୍ଧାର କରାଯାଇ ସେଥିରେ କବିଙ୍କ କଳ୍ପନାପ୍ରବଣତା କିପରି ରୂପ ପାଇଛି, ତାହା ପ୍ରଦର୍ଶନ କରାଯାଇପାରେ ।

 

‘‘ଜନକ ସୁତା କନକ ହାର ସିନ୍ଧୁ ଜଳେ

ଖୋଜୁ ଖୋଜୁ ମାଣିକ ପଡ଼ିଲା ସିନ୍ଧୁ ଜଳେ ।୮।’’

(୧୧ଶ ଛାନ୍ଦ, ଗ୍ରନ୍ଥାବଳୀ- ୧ମ/, ପୃ: ୨୦୮)

 

ଏଠାରେ କବି ସୀତାଙ୍କୁ କନକ ହାର ସହିତ ଓ ଲକ୍ଷ୍ମଣଙ୍କ ଅମୂଲ୍ୟ ଜୀବନକୁ ମାଣିକ୍ୟ ସହିତ ତୁଳନାକରି ନିଜ କଳ୍ପନାପ୍ରିୟତାର ପରିଚୟ ଦେଇଛନ୍ତି । ଆଉ ଗୋଟିଏ ଉଦାହରଣ ଏହି କାବ୍ୟରୁ-

x      x      x

‘‘ଚୌରାଶି ଲକ୍ଷ ଗନ୍ଧର୍ବ ବନରକ୍ଷୀ ଥିଲେ

ମାରୁତିକୁ ଦେଖି ଘୋର ୠଣ ଆରମ୍ଭିଲେ ।୮।

x      x      x

ଲାଙ୍ଗୁଡ଼େ ବାନ୍ଧି ଚୌରାଶି ଲକ୍ଷ ଗନ୍ଧର୍ବଙ୍କୁ

ବୋଲେ ଜଗନ୍ନାଥ ଫିଙ୍ଗିଦେଲା ସମୁଦ୍ରକୁ ।୧୧।’’

(୧୮ଶ ଛାନ୍ଦ, ଗ୍ରନ୍ଥାବଳୀ-୧ମ, ପୃ: ୨୧୬)

 

ଏହି ଛାନ୍ଦରେ ହନୁମାନଙ୍କ ଅଲୌକିକ ଶକ୍ତିର ପରିଚୟ ଦେବାକୁ ଯାଇ କବି ଯେଉଁ ଅତିରଞ୍ଜିତ ବର୍ଣ୍ଣନା ଦେଇଛନ୍ତି, ତାହା ଅବିଶ୍ଵାସ ହେଲେ ହେଁ ତତ୍‌କାଳୀନ ନିରକ୍ଷର ଶ୍ରୋତା/ଦର୍ଶକଙ୍କ ପାଇଁ ବିଶେଷ ମନୋରଞ୍ଜନର ବସ୍ତୁ । ଆଲୋଚ୍ୟ ଅଷ୍ଟାଦଶ ଛାନ୍ଦରେ ରାବଣ ଆଦେଶରେ ସୂର୍ଯ୍ୟଦେବ ଅସମୟରେ (ରାତ୍ରିରେ) ଉଦୟ ହେବାର ଦେଖି ହନୁମାନ ତାଙ୍କ ରଥକୁ ଟାଣିଧରିଛି ଏବଂ ତାଙ୍କୁ ଦକ୍ଷପୁରରେ ଲୁଚାଇରଖି ରାତିକୁ ଦୀର୍ଘ କରିବାରେ ସହାୟକ ହୋଇଛି । ଗନ୍ଧମାର୍ଦ୍ଦନ ପର୍ବତ ନିକଟରେ ପହଞ୍ଚିବା ପରେ ସେଠାରେ ବନରକ୍ଷକ ଥିବା ଚଉରାଶୀ ଲକ୍ଷ ଗନ୍ଧର୍ବ ତାଙ୍କ ସହିତ ଯୁଦ୍ଧ କରିବାକୁ ଆଗେଇ ଆସିବା ଏବଂ ସେ ସେମାନଙ୍କୁ ଲାଞ୍ଜରେ ବାନ୍ଧି ସମୁଦ୍ରରେ ଫିଙ୍ଗିଦେବାର ଯେଉଁ ଅତିରଞ୍ଜିତ କଳ୍ପନାବିଳାସ ତାହା ସାରଳା ଦାସଙ୍କୁ ମନେପକାଇ ଦିଏ । ସାରଳା ଦାସଙ୍କ ଲେଖନୀରେ ସେହିପରି ସୈନ୍ୟମାନଙ୍କର ସଂଖ୍ୟା ଲକ୍ଷ, କୋଟିରୁ ତଳକୁ ଖସେନା । ପୂର୍ବସୂରୀଙ୍କ ଅନୁସରଣରେ କବି ଜଗନ୍ନାଥ ପାଣିଙ୍କର ଏହା ଏକ ଅନାବିଳ ମଧୁର ଅତିରଞ୍ଜନ ଏବଂ ଗ୍ରାମ୍ୟଜନର ଚିତ୍ତବୃତ୍ତିର ଅପରିହାର୍ଯ୍ୟ ଅଙ୍ଗ ।

 

ରୀତିଯୁଗୀୟ ବର୍ଣ୍ଣନାଶୈଳୀର ଉପଯୋଗ କରିଛନ୍ତି କବି ଜଗନ୍ନାଥ ପାଣି ନିଜ ଛାନ୍ଦନାଟ୍ୟର ବିଭିନ୍ନ ଛାନ୍ଦରେ । କବିଙ୍କ ‘ଉଷାବତୀ ହରଣ’ ଛାନ୍ଦନାଟିକାରେ ଉଷାର ସ୍ଵପ୍ନମିଳନ ଓ ସ୍ଵପ୍ନଭଙ୍ଗ ପରେ ପ୍ରେମିକ-ପୁରୁଷକୁ ଖୋଜିବାର ବର୍ଣ୍ଣନା ଉପେନ୍ଦ୍ର ଭଞ୍ଜଙ୍କ ‘ଲାବଣ୍ୟବତୀ’ କାବ୍ୟରେ ଥିବା ଲାବଣ୍ୟବତୀର ଅନୁରୂପ ସ୍ଵପ୍ନମିଳନ ଓ ପରେ ପ୍ରିୟପୁରୁଷ ଚନ୍ଦ୍ରଭାନୁକୁ ଖୋଜିବାର ବର୍ଣ୍ଣନାକୁ ଅନୁସରଣ କରେ । ବିଭିନ୍ନ ୠତୁ ବର୍ଣ୍ଣନା କାଳରେ କବି ପାଣି ଅଭିମନ୍ୟୁ ସାମନ୍ତସିଂହାରଙ୍କ ‘ବିଦଗ୍ଧ ଚିନ୍ତାମଣି’ର ତତ୍ତୂଲ୍ୟ ବର୍ଣ୍ଣନାକୁ ମଧ୍ୟ ବିସ୍ମରି ଯାଇନାହାନ୍ତି । ଏହିଭଳି ଅନେକ ଉଦାହରଣ ଦିଆଯାଇ କବିଙ୍କ ରୀତିଶୈଳୀ ପ୍ରୀତିର ପରିଚୟ ଦିଆଯାଇପାରେ ।

 

ବହୁବିଧ ଅଳଙ୍କାରର ସମାବେଶ ଘଟାଇ କବି ନିଜ ଛାନ୍ଦନାଟ୍ୟଗୁଡ଼ିକୁ ରସାଳ କରିବା ସଙ୍ଗେ ସଙ୍ଗେ ସେଥିପ୍ରତି ସୁଧୀଜନଙ୍କ ଦୃଷ୍ଟି ଆକର୍ଷଣ କରାଇ ପାରିଛନ୍ତି । ଆଦ୍ୟ ଯମକର ଉଦାହରଣଟିଏ-

 

‘‘ସଧୀରେ ସଧୀରେ ଧୀରେ ସମର ବହନ୍ତି

ମଧୁରେ ମଧୁରେ ମଧୁ ମଧୁପ ଚୁମ୍ବନ୍ତି ।୮।’’

(ପାରିଜାତ ହରଣ, ୧୪ଶ ଛାନ୍ଦ, ଗ୍ରନ୍ଥାବଳୀ- ୧ମ/ପୃ: ୩୨୩)

 

ଉପମା ଅଳଙ୍କାରରୁ ଗୋଟିଏ -

‘‘ମଣିହରା ଫଣୀପ୍ରାୟେ ରମଣୀ ରତନ

ପ୍ରାଙ୍ଗଣେ ଅନାଇ କାନ୍ଦେ ବୀର ହନୁମାନ ।୬।’’

(ସୀତା ବନବାସ, ୨୯ଶ ଛାନ୍ଦ, ଗ୍ରନ୍ଥାବଳୀ, ପୃ: ୭୮)

 

ଏହିପରି ଖୋଜିବସିଲେ ପାଣିଙ୍କ ଛାନ୍ଦନାଟ୍ୟରେ ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାରର ବହୁ ଦୃଷ୍ଟାନ୍ତ ଦୃଷ୍ଟିକୁ ଆସିବ।

 

ଭାଷା :

କବି ଓ ନାଟ୍ୟକାର ଜଗନ୍ନାଥ ପାଣି ପ୍ରଥମେ ଜଣେ ଗ୍ରାମୀଣ ମଣିଷ ଓ ପରେ କବି, ଛାନ୍ଦକାର । ତେଣୁ ତାଙ୍କ ରଚନାବଳୀରେ ଗ୍ରାମ୍ୟ ଜନତାର ଭାଷା ଉକୁଟି ଉଠିବାବେଳେ ସଂସ୍କୃତ ପ୍ରଭାବିତ ସାଧୁଭାଷା ମଧ୍ୟ ଆସ୍ଥାନ ଜମାଏ । ତାଙ୍କ ରଚନା ଛାନ୍ଦବଦ୍ଧ କାବ୍ୟାକାରରେ ରଚିତ ଏବଂ ନାଟ୍ୟଭାବରେ ମଧ୍ୟ ଅଭିନୟଯୋଗ୍ୟ ଶୈଳୀରେ ମଣ୍ଡିତ । ଏ ଦୃଷ୍ଟିରୁ ଏଥରେ ଗାଉଁଲି ଭାଷା ସହିତ କ୍ଳିଷ୍ଟ ଅଭିଜାତ ଭାଷାର ସମନ୍ଵୟ ଏକାନ୍ତ ସ୍ଵାଭାବିକ ।

 

ପୂର୍ବରୁ କୁହାଯାଇଛି, କବି ପୌରାଣିକ ଚରିତ୍ରକୁ ଏଇ ମାଟିର ସାଧାରଣ ଗାଉଁଲି ମଣିଷଟିଏ ଭଳି ଉଭା କରାଇ ସମକାଳୀନ ଦର୍ଶକ/ପାଠକଙ୍କୁ ମୋଦିତ କରିବାକୁ ଯତ୍ନ କରିଛନ୍ତି । ସମାଜରେ ଦୁଇ ସଉତୁଣୀ ମଧ୍ୟରେ କଳିତକରାଳ ସର୍ବଦା ଲାଗି ରହିଥାଏ । ଏହିପରି ଏକ ନିଚ୍ଛକ ସତ୍ୟକୁ କବି ନିଜ ରଚନାରେ କେତେକ ସ୍ଥଳରେ ଫୁଟାଇଛନ୍ତି । ଗଙ୍ଗା ଓ ଗୌରୀ (ପାର୍ବତୀ) ଦୁଇ ପତ୍ନୀଙ୍କୁ ନେଇ ପୁରାଣର ଶିବଙ୍କ ସଂସାର । ଏ ଦୁହେଁ ସପତ୍ନୀ । ତେଣୁ ସେମାନଙ୍କ ମଧ୍ୟରେ ଆମ ସାମାଜିକ ଚଳଣୀ ଅନୁଯାୟୀ କଳହର ସୂତ୍ରପାତ ନ କରାଇଲେ ଶ୍ରୋତା ଓ ଦର୍ଶକଙ୍କ ପାଇଁ ନାଟକର କିଛି ମାଦକତା ରହିବ ନାହିଁ । ତେଣୁ ସେମାନଙ୍କ ରୁଚିକୁ ସମ୍ମାନ ଦେଇ କବି ଲୋକମୁଖର ଭାଷାରେ ଏହି ଦୁଇ ସପତ୍ନୀ ମଧ୍ୟରେ କଳହ ଉପୁଜାଇ ତାହାର ଯେଉଁ ଚିତ୍ର ଦେଇଛନ୍ତି ତାହା ଗାଉଁଲି ମଣିଷର ଚିତ୍ତ । ମୋହିବାରେ ଯେ ଏକ ସଫଳ ଉଦ୍ୟମ, ଏଥିରେ ସନ୍ଦେହର ଅବକାଶ ନାହିଁ ।

 

‘ଦକ୍ଷଯଜ୍ଞ’ରେ କଳହରତା ଗଙ୍ଗା ଓ ପାର୍ବତୀଙ୍କର ଗ୍ରାମୀଣ ଉକ୍ତି-ପ୍ରତ୍ୟୁକ୍ତି ଯେପରି ସମାଜର ଏକ ଜୀବନ୍ତ ଚିତ୍ର ଏବଂ ଗାଉଁଲି ଭାଷାର ଏକ ରୋଚକ ଉଦାହରଣ । ସେହିପରି ବହୁ ଉଦାହରଣ ‘ପାରିଜାତ ହରଣ’, ‘ଭୂତକେଳି’, ‘ମାନଭଞ୍ଜନ’, ‘ସୀତା ବନବାସ’, ‘ରୁକ୍ମିଣୀ ପରିଣୟ’ ଇତ୍ୟାଦି ଛାନ୍ଦନାଟ୍ୟରୁ ମଧ୍ୟ ଦେଖିବାକୁ ମିଳେ ।

 

ପଲ୍ଲିଜନର ଭାଷା ବା କଥିତ ଭାଷାକୁ କବି କାବ୍ୟିକ ପ୍ରୟୋଗବଳରେ କିପରି ମନୋରମ କରିପାରିଛନ୍ତି, ତାହାର ଏକ ଉଦାହରଣ :-

 

‘‘ପାନଖଣ୍ଡେ କଳତୁଣ୍ଡେ ବହିପଡ଼େ ବୋଳ

ଖଣ୍ଡେ ଚାଲେ ଦଣ୍ଡେ ଚାହେଁ ଭଣ୍ଡି କରେ ଗୋଳ ।୩।

ବାଙ୍କ ନାକଶିରା ଟେକି ମୁହିଁକୁ ହଲାଇ

ବସଣି ହଲାଇ କହେ ବଚନ ଗେହ୍ଲାଇ ।୪।

ହାତକରେ ଶଙ୍ଖା ତାର ହାତକରେ ଖଡ଼ୁ

ହାତକରେ ରାଣ୍ଡ ହାତ କରେ ଦାଣ୍ଡ ଝାଡ଼ୁ ।୫।

(ସୀତା ବନବାସ, ୪ର୍ଥ ଛାନ୍ଦ, ଗ୍ରନ୍ଥାବଳୀ-୧ମ, ପୃ: ୪୬)

 

ଏଠାରେ ମନ୍ଥରାର ରୂପ ବର୍ଣ୍ଣନାରେ କବି କେବଳ କଥିତ ଭାଷାକୁ କାବ୍ୟିକ ପ୍ରୟୋଗ ଦ୍ଵାରା ମନଛୁଆଁ କରିନାହାନ୍ତି, ହାସ୍ୟ ଉଦ୍ରେକକାରୀ ବ୍ୟଙ୍ଗ-ବିଦ୍ରୂପଭରା ଦୃଶ୍ୟଟିଏ ମଧ୍ୟ ଭେଟି ଦେଇଛନ୍ତି ।

 

ବିଦ୍ଵଜନଙ୍କ ନିମନ୍ତେ ତାଙ୍କ ଛାନ୍ଦନାଟକରେ ରୀତିଯୁଗୀୟ କାବ୍ୟସମ୍ମତ ରଚନା ପଦ୍ଧତି ଅନେକତ୍ର ଅନୁଭୂତ । ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାରର ପ୍ରୟୋଗରେ ଏହାର କାବ୍ୟିକ ସୌନ୍ଦର୍ଯ୍ୟ ବୃଦ୍ଧିପ୍ରାପ୍ତ । ରୀତିଯୁଗୀୟ କ୍ଲିଷ୍ଟ ସମାସନିଷ୍ପନ୍ନ ଦୀର୍ଘ ପଦମାନଙ୍କର ଉପସ୍ଥିତି ମଧ୍ୟ ଏଥିରେ ପରିଦୃଷ୍ଟ । କେତେକ ସ୍ଥଳରେ ସଂସ୍କୃତ ଶ୍ଳୋକର ପ୍ରସଙ୍ଗୋଚିତ ଉଦ୍ଧୃତି ମଧ୍ୟ ପ୍ରଦତ୍ତ ଏସବୁ ଛାନ୍ଦରସିକ, ଅର୍ଥଅର୍ଥାନ୍ତରରେ ରୁଚି ରଖିଥିବା ବିଦ୍ଵାନମାନଙ୍କ କାବ୍ୟରସ/ନାଟ୍ୟରସ ତୃଷ୍ଣାର ପ୍ରଶମନ ନିମିତ୍ତ ବେଶ୍‌ ସହାୟକ ।

 

କବିଙ୍କ ଛାନ୍ଦନାଟକରେ ଯୋଗସାଧନା/ନିର୍ଗୁଣ ସାଧନା ସଂପର୍କୀୟ କେତେକ ଗୂଢ଼ତତ୍ତ୍ଵ ଓ ତଥ୍ୟର ଅବତାରଣାର ସୁଯୋଗକୁ କବି ହାତଛଡ଼ା କରିନାହାନ୍ତି । ‘ଧ୍ରୁବ ଚରିତ’ରେ ଧୃବର ତପସ୍ୟା ସମୃଦ୍ଧରେ ସେ ଅଗସ୍ତିଙ୍କ ମୁଖରେ ପିଣ୍ଡବ୍ରହ୍ମାଣ୍ଡବାଦର ରହସ୍ୟ ବର୍ଣ୍ଣନା କରିଛନ୍ତି । ଯଥା:-

 

‘‘ପ୍ରଥମେ ଆଧାର ଚକ୍ରେ ଧ୍ୟାନକର ଅରୁଣ ବର୍ଣ୍ଣ କମଳେ,

ଦ୍ୱିତୀୟରେ ସ୍ଵାଧିଷ୍ଠାନ ଚକ୍ରଭେଦି ଜ୍ୟୋତି ଦେଖ ଷଟ ଦଳେ ।

ମଣିପୁର ଚକ୍ରରେ,

ଦଶ ଦଳେ ନାଦ ବିନ୍ଦୁ କ୍ଷରେ ।୨।

x      x      x

ମନପବନକୁ ବ୍ରହ୍ମରନ୍ଧ୍ରେ ତୋଳ ମୃଣାଳ ଜ୍ୟୋତି ପଥରେ

ଚନ୍ଦ୍ରସୂର୍ଯ୍ୟ ଘରେ ଅନଳ ଜଳୁଛି ଚକ୍ଷୁ ବୁଜି ଚାହାଁ ଥରେ

ଶୂନ୍ୟ ଶବଦ ପୁରେ,

ହଂସ ଆସନ ଏକ ପାଦରେ ।୬।

x      x      x

ସତରଜ ତମ ତ୍ରିଗୁଣେ ତ୍ରିବେଣୀ ବହଇ ଉଜାଣି ନଦୀ,

ଗୋଲାହାଟ ପରେ ଧନ୍ଦା ଲାଗିଅଛି ଦେଖ ଇନ୍ଦ୍ରିୟ ନିରୋଧି ।

ହର ଜଟାରୁ ଝର

ଝର ଝର ବହେ ଗଙ୍ଗାଧର ।୮।

ଓଁକାର ଋକାର ଅକାର ଅକ୍ଷର ଅର୍ଦ୍ଧମାତ୍ରା ପରେ ଥାଇ,

ତାହାପରେ ଯେଉଁ ସ୍ଥୂଳ ବ୍ରହ୍ମବିନ୍ଦୁ ସେହି ନିରଞ୍ଜନ ଦେହୀ ।

ଚେତ ଚେତନା ପରେ,

ହର ବ୍ରହ୍ମା ଦ୍ଵାରୀ ସେହିଠାରେ ।୯।’’

(ବିଂଶ ଛାନ୍ଦ, ଗ୍ରନ୍ଥାବଳୀ-୧ମ, ପୃ: ୪୨୫-୨୬)

 

ଏଠାରେ ଲକ୍ଷ୍ୟ କରିବା କଥା, ଓଡ଼ିଆ ସନ୍ଥ-ସାହିତ୍ୟର ଶାଶ୍ୱତ ଧାରାରେ କବିଙ୍କ ଏହି ରଚନାଟିର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଯୋଗସାଧନା ସମ୍ପର୍କିତ କେତେକ ତାତ୍ତ୍ଵିକ ଶବ୍ଦ ବା ପାରିଭାଷିକ ଶବ୍ଦ (technical words)ର ପ୍ରୟୋଗରେ କବି ସ୍ୱପାଣ୍ଡିତ୍ୟର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି । ତତ୍‌ସମ ତଦ୍‌ଭବ, କଥିତ ଓ ପାରିଭାଷିକ ଶବ୍ଦାବଳୀର ସହାବସ୍ଥାନରେ ସମୃଦ୍ଧ କବିଙ୍କ ଭାଷା ସର୍ବଜନଗ୍ରାହ୍ୟ ।

 

ପାଣ୍ଡିତ୍ୟ :

କବି ଜଗନ୍ନାଥ ପାଣିଙ୍କର ଆନୁଷ୍ଠାନିକ ଶିକ୍ଷା କିଛି ନ ଥିଲା । ଆଠ ବର୍ଷ ବୟସରୁ ବାରବର୍ଷ ବୟସ ପର୍ଯ୍ୟନ୍ତ ଚାଟଶାଳୀର ଛାତ୍ର ରହି ମଧ୍ୟ ସେ ଆଶାନୁରୂପ ବିଦ୍ୟା ଲାଭକରି ପାରି ନ ଥିଲେ । ତାଙ୍କ ପିତା ତାଙ୍କୁ ବଂଶଗତ ବିଦ୍ୟା କର୍ମକର୍ମାଣିରେ ଅଭ୍ୟସ୍ତ କରିବାକୁ ଚେଷ୍ଟା କଲେ । ସେଥିରେ ମଧ୍ୟ ପାଣି ଆଗ୍ରହ ପ୍ରକାଶ କଲେ ନାହିଁ । ସେଥିପାଇଁ ତାଙ୍କୁ ବହୁ ନିନ୍ଦା ଗାଳି ଶୁଣିବାକୁ ପଡ଼ିଲା । ଶେଷରେ ବିଦ୍ୟାପ୍ରତି ତାଙ୍କର ଅନୁରାଗ ଜନ୍ମିବାରୁ ନିଜ ଇଷ୍ଟଦେବ ନଳେଶ୍ଵର ମହାଦେବ ଓ ସରସ୍ୱତୀଙ୍କ ପାଖରେ ସେ ଅଧିଆ ପଡ଼ିଲେ ଏବଂ ଦୈବୀକୃପାବଳରେ ଅଶେଷ ପାଣ୍ଡିତ୍ୟର ଅଧିକାରୀ ହେଲେ; ବିଭିନ୍ନ ଶାସ୍ତ୍ରପୁରାଣରେ ବ୍ୟୁତ୍ପତ୍ତି ଲାଭ କଲେ । ସଂସ୍କୃତ ଶାସ୍ତ୍ର ବ୍ୟତୀତ ମଧ୍ୟଯୁଗୀୟ କାବ୍ୟକବିତାରେ ମଧ୍ୟ ମନ ବଳାଇ ସେ ଦୀନକୃଷ୍ଣ ଦାସ, ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ସାମନ୍ତସିଂହାର, ଭକ୍ତଚରଣ ଦାସ ପ୍ରମୁଖ କବିମାନଙ୍କର ରୀତିଧର୍ମୀ ଓ ଭକ୍ତିଧର୍ମୀ କାବ୍ୟମାନ ପାଠକଲେ । ତେଣୁ ସଂସ୍କୃତ ସାହିତ୍ୟ ଓ ମଧ୍ୟଯୁଗୀୟ ସାହିତ୍ୟର ପ୍ରଭାବ ତାଙ୍କ ରଚନାବଳୀରେ ପରିଦୃଷ୍ଟ ହୁଏ । ପ୍ରସ୍ତୁତ ଆଲୋଚନାରେ ତାଙ୍କ ପାଣ୍ଡିତ୍ୟର ପ୍ରସଙ୍ଗୋଚିତ ସୂଚନା ଦିଆଯାଇଛି ।

 

ନିଜ ଛାନ୍ଦନାଟ୍ୟମାନଙ୍କରେ କବି ଆମୂଳଚୂଳ ନାଟକୀୟ ଉତ୍କଣ୍ଠା ଜାତ କରିବା ସଙ୍ଗେ ସଙ୍ଗେ ଅନ୍ତର୍ଦ୍ୱନ୍ଦ୍ୱ ଓ ବହିର୍ନ୍ଦ୍ୱନ୍ଦ୍ୱ ଭଭୟର ସମାବେଶ ଘଟାଇ ନାଟକକୁ ନାଟକୀୟତାରେ ଭରିଦେଇଛନ୍ତି-। ଛାନ୍ଦନାଟ୍ୟ-ରଚନାରେ ତାଙ୍କର ଏହିପ୍ରକାର ପାଣ୍ଡିତ୍ୟ ଓ କୃତିତ୍ୱର ଯଥେଷ୍ଟ ପରିଚୟ ମିଳିଥାଏ ।

 

ଭକ୍ତିଚେତନା :

ଉତ୍କଳୀୟ ପରମ୍ପରାରେ ଭକ୍ତିଚେତନା ସାଧାରଣ ମଣିଷର ଏକ ସହଜାତ ଗୁଣ । ପରମ୍ପରା ଲାଳିତ ଜଗନ୍ନାଥ ପାଣି ତେଣୁ ବହୁ ଦେବଦେବୀରେ ବିଶ୍ଵାସୀ । କବି ହେବା ପୂର୍ବରୁ ସେ ଥିଲେ ଜଣେ ଏକନିଷ୍ଠ ଭକ୍ତ । ପିଲାଦିନେ ଅମନଯୋଗିତା ଓ ଅବହେଳା କାରଣରୁ ସେ ବିଶେଷ ଶିକ୍ଷା ଲାଭ କରିପାରି ନଥିଲେ; କିନ୍ତୁ ତାଙ୍କର ଥିଲା ଅଚଳା ଭକ୍ତି । କଠୋର ନିଷ୍ଠାର ସହିତ ନଳେଶ୍ଵରଙ୍କ ଆରାଧନା କରି ସେ ଶାସ୍ତ୍ରଜ୍ଞ ପଣ୍ଡିତ ହୋଇପାରିଥିଲେ । ‘ଦକ୍ଷଯଜ୍ଞ’ ଛାନ୍ଦନାଟ୍ୟରେ ଦେବଗଣ ରୁଦ୍ରଙ୍କ ଉଦ୍ଦେଶ୍ୟରେ କରିଥିବା ସ୍ତୁତିରେ ଶିବଙ୍କର ଅନେକ ନାମ ସହିତ ‘ନଳେଶ୍ଵର’ ନାମଟି ମଧ୍ୟ ଉଚ୍ଚାରିତ । ଯେପରି –

 

‘‘ନମୋନମ ଚନ୍ଦ୍ରମୌଳି ଯୋଗୀନ୍ଦ୍ର ଈଶ୍ଵର

ନମୋନମ ନୀଳକଣ୍ଠ ନଳେଶ୍ଵର ହର ।’’

(୩୦ଶ ଛାନ୍ଦ, ଗ୍ରନ୍ଥାବଳୀ -୧ମ, ପୃ: ୧୯୫)

 

କିନ୍ତୁ ଶିବଙ୍କର ନଳେଶ୍ଵର ନାମ କୁତ୍ରାପି ପରିଦୃଷ୍ଟ ହୁଏ ନାହିଁ । ପାଣି କବି ଏହି ନାମଟି ଉଚ୍ଚାରଣ କରି ନିଜ ଆରାଧ୍ୟ ଦେବତା ନଳେଶ୍ଵରଙ୍କର ମହତ୍ତ୍ୱ ବୃଦ୍ଧି କରିଛନ୍ତି । ନିଜର ଅନ୍ୟ କେତେକ ରଚନାରେ ନଳେଶ୍ଵରଙ୍କ ପ୍ରତି ମଧ୍ୟ ସେ ଭକ୍ତିନୈବେଦ୍ୟ ବାଢ଼ିଛନ୍ତି । ଶିବ-ବନ୍ଦନାର ବହୁ ଉଦାହରଣ ତାଙ୍କ ରଚନାବଳୀରେ ଦେଖିବାକୁ ମିଳେ ।’ ରୁକ୍ମିଣୀ ପରିଣୟ’ର ସମ୍ପୂର୍ଣ୍ଣ ଚତୁର୍ଥ ଛାନ୍ଦଟି କେବଳ ଶିବଙ୍କ ମହିମାଗାନରେ ମୁଖରିତ ।

 

କବିଙ୍କ ଶାକ୍ତ ଚେତନାର ପରିଚୟ ମିଳେ ‘ଦକ୍ଷଯଜ୍ଞ’, ‘ଭୂତକେଳି’, ‘ସୀତା ବନବାସ’ ପ୍ରଭୃତି ଛାନ୍ଦନାଟ୍ୟରେ । ‘ଭୂତକେଳି’ରୁ ଉଦାହରଣଟିଏ-

 

‘‘ସଙ୍କଟ ଭଞ୍ଜନି ମଙ୍ଗଳା, ମା ସାରଳା

ମୋ କଣ୍ଠେ ପଦ କର ଖେଳା ।ଘୋଷା।

ଜୟ ସିଂହବାହିନୀ ଝଙ୍କଡ଼ ନିବାସିନୀ

ପଙ୍କଜ ନୟନୀ ଚଞ୍ଚଳା ।୧। ”.....ଇତ୍ୟାଦି

(ବନ୍ଦନା, ଗ୍ରନ୍ଥାବଳୀ-୧ମ, ପୃ: ୨୨୨)

 

କେବଳ ଘୋଷା ସମେତ ଏଇ ପଦଟି ନୁହେଁ, ସାତପଦ ବିଶିଷ୍ଟ ସମ୍ପୂର୍ଣ୍ଣ ବନ୍ଦନାଟି ଦେବୀ ବନ୍ଦନାରେ ବ୍ୟୟିତ । ତାଙ୍କ ଗ୍ରନ୍ଥରାଜିରୁ ଦେବୀ ବନ୍ଦନାମୂଳକ ବହୁ ଉଦାହରଣ ଗ୍ରହଣ କରାଯାଇ ତାଙ୍କ ଶାକ୍ତଚେତନାର ବଳିଷ୍ପତା ପ୍ରମାଣ କରାଯାଇପାରିବ ।

 

ଭଗବାନ ବିଷ୍ଣୁଙ୍କ ମହିମାଗାନ ମଧ୍ୟ ତାଙ୍କ ରଚନାବଳୀରେ ଅପ୍ରତୁଳ ନୂହେଁ । ‘ପ୍ରହ୍ଲାଦ ରଚିତ’ ଛାନ୍ଦନାଟ୍ୟଟି ବିଷ୍ଣୁଙ୍କ କୃପାରୁ ରଚନା କରିବାକୁ ସମର୍ଥ ହୋଇଛନ୍ତି ବୋଲି କହି କବି ଗ୍ରନ୍ଥଟିର ସମାପ୍ତି ଘୋଷଣା କରିଛନ୍ତି ।

 

‘‘ବିଷ୍ଣୁର ମହିମା ଧ୍ୟାୟି କବି ଜଗନ୍ନାଥ ।

ପ୍ରହଲାଦ ଚରିତକୁ କଲେ ସମାପତ ।୬।’’

(୩୮ଶ ଛାନ୍ଦ, ଗ୍ରନ୍ଥାବଳୀ-୧ମ, ପୃ: ୫୧୭)

 

ଓଡ଼ିଶାରେ ବୈଷ୍ଣବଧର୍ମର ରହିଛି ତିନୋଟି ଧାରା - ଛାନ୍ଦ ଉପାସନା, କୃଷ-ଉପାସନା ଓ ଜଗନ୍ନାଥ- ଉପାସନା । କବି ଜଗନ୍ନାଥ ପାଣି ବୈଷ୍ଣବଧର୍ମକୁ ସମ୍ମାନ ଜଣାଇ ଶ୍ରୀରାମ, ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥଙ୍କୁ ପ୍ରସଙ୍ଗକ୍ରମେ ସ୍ତୁତି କରିଛନ୍ତି ଏବଂ ନିଜ ଆଧ୍ୟାତ୍ମିକ ତୃଷ୍ଣା ଦୂର କରିଛନ୍ତି । ‘ସୀତା ବନବାସ’ ଛାନ୍ଦନାଟିକାର ଶେଷରେ କବି ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଚରଣରେ ଭକ୍ତି ନିବେଦନ କରି ଗାଇଛନ୍ତି-

 

‘‘ଶ୍ରୀରାମ ଚରଣେ ଭଣେ ଜଗନ୍ନାଥ ପାଣି ।’’

(୩୫ଶ ଛାନ୍ଦ, ଗ୍ରନ୍ଥାବଳୀ-୧ମ, ପୃ: ୮୪)

 

‘ଉଷାବତୀ ହରଣ’ ଶେଷରେ କବି ଲୀଳା-ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କ ପାଦପଦ୍ମରେ ଭକ୍ତିସୁମନ ଚଢ଼ାଇଛନ୍ତି ଏହିପରି-

 

‘‘ଦ୍ଵାରିକାଧୀଶ ଶ୍ରୀକୃଷ୍ଣ ଚରଣ ପଙ୍କଜ ।

ଛାନ୍ଦ ଶେଷେ ସେବେ ବିପ୍ର ଜଗନ୍ନାଥ ଦ୍ୱିଜ ।୮।’’

(୩୩ଶ ଛାନ୍ଦ, ଗ୍ରନ୍ଥାବଳୀ-୧ମ, ପୃ ୪୧)

 

ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତି ନିବେଦନ ମଧ୍ୟ କବିଙ୍କର କେତେକ ରଚନାରେ ଦେଖାଯାଏ-। ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥ ଏକ ଓ ଅଭିନ୍ନ ଭାବେ ତାଙ୍କ ଦ୍ଵାରା ପରିକଳ୍ପିତ । ଏଠାରେ ଲକ୍ଷ୍ୟ କରିବାର କଥା, କବି ନଳେଶ୍ଵର ମହାଦେବଙ୍କ କୃପା ଲାଭକରି କବିତ୍ୱର ଅଧିକାରୀ ହୋଇଥିଲେ ମଧ୍ୟ ହିନ୍ଦୁଧର୍ମରେ ଆରାଧିତ ସମସ୍ତ ଦେବଦେବୀଙ୍କୁ ଭକ୍ତି ନିବେଦନ କରିବାକୁ ଭୁଲି ନାହାନ୍ତି । ଏ କ୍ଷେତ୍ରରେ ସେ ସାରଳା ଦାସଙ୍କ ପଦାଙ୍କ ଅନୁସରଣ କରି ନିଜକୁ ଜଣେ ପ୍ରକୃତ ସନାତନଧର୍ମପ୍ରେମୀ ଭାବରେ ନିଜର ପରିଚୟ ରଖିଛନ୍ତି । ସୁତରାଂ ଧର୍ମବିଶ୍ଵାସରେ କବି ଜଗନ୍ନାଥ ପାଣି ଯେ ଉଦାର ଥିଲେ ଏଥିରେ ସନ୍ଦେହ ନାହିଁ ।

 

ରସଚେତନା :

ସୌନ୍ଦର୍ଯ୍ୟ ଓ ଆନନ୍ଦର ଆଧାର ହେଉଛି ରସ । ଜଗନ୍ନାଥ ପାଣିଙ୍କ ଛାନ୍ଦକାବ୍ୟ/ଛାନ୍ଦନାଟ୍ୟ ରଚନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦର୍ଶକଙ୍କୁ ଆନନ୍ଦ ପ୍ରଦାନ । ତେଣୁ ତାଙ୍କ ଛାନ୍ଦନାଟ୍ୟରେ ବିଭିନ୍ନ ରସର ପ୍ରସଙ୍ଗୋଚିତ ପରିବେଷଣ କରାଯାଇଛି ।

 

ଶୃଙ୍ଗାରରସର ଅନ୍ୟନାମ ଆଦିରସ । ପାଣିଙ୍କ ରଚନାରେ ଶୃଙ୍ଗାରରସର ପ୍ରାବଲ୍ୟ ଦେଖାଯାଏ । ବାଣାସୁର-ନନ୍ଦିନୀ ଉଷା ଯୌବନରେ ପଦାର୍ପଣ କରିବା ପରେ କାମପୀଡ଼ିତା ହୋଇ ଜଣେ ସୁପୁରୁଷର ଅଙ୍ଗସଙ୍ଗ ଲାଭ ନିମନ୍ତେ ବ୍ୟାକୁଳ ହୋଇଉଠିଛି । ସ୍ଵପ୍ନରେ ତାକୁ ମିଳିଯାଇଛି, ତା’ର ବାଞ୍ଛିତ ପୁରୁଷ, ଯେ ପରବର୍ତ୍ତୀ କାଳରେ ଶ୍ରୀକୃଷ୍ଣଙ୍କ ପୌତ୍ର ଅନିରୁଦ୍ଧ ବୋଲି ଜଣାପଡ଼ିଛି । କବିଙ୍କ ବର୍ଣ୍ଣନାରେ ଏହି ସ୍ଵପ୍ନମିଳନଜନିତ ରତିକ୍ରୀଡ଼ା ବର୍ଣ୍ଣିତ ହୋଇଚି ଗୋଟିଏ ପଦରେ, ମାତ୍ର କେତୋଟି ଶବ୍ଦରେ । କବି ଅଳ୍ପ କହି ମଧ୍ୟ ବହୁ ଭାବନାର ଉପାଦାନ ଖଞ୍ଜି ଦେଇଛନ୍ତି । ଏହାହି ତାଙ୍କ ବର୍ଣ୍ଣନାର ବାହାଦୁରୀ । ପଦଟି ଏହିପରି-

 

‘‘ଗଜରାଜ ଗତି      ଗଜଦନ୍ତ ପାତି

ପଲ୍ୟଙ୍କେ ପୁରୁଷ ଆସି ବଳେ ।

ଧରି ବେନି      ସ୍ତନ ବଦନେ ଚୁମ୍ଭନ

ଦେଇ ରତି କଲା ଭାବଭୋଳେ ।

ସେ ବିଧି ବଶେ,

ଅନ୍ତର୍ଦ୍ଧାନ ହେଲା ରତିଶେଷେ ।୨।’’

 

(ଉଷାବତୀ ହରଣ, ୮ ମ ଛାନ୍ଦ, ଗ୍ରନ୍ଥାବଳୀ-୧ମ, ପୃ: ୯)

 

ପରବର୍ତ୍ତୀ କାଳରେ ଅନିରୁଦ୍ଧର ଉଷାପୁରରେ ଅବସ୍ଥାନ ଓ ଉଷା ସହିତ ତା’ର ରତିକ୍ରୀଡ଼ାର ବିଶଦ ବର୍ଣ୍ଣନା ଉପଲବ୍ଧ ହୁଏ ଏହି ଛାନ୍ଦନାଟ୍ୟରେ । ଏଥିରେ ନାୟିକାର ଅଙ୍ଗସ୍ପର୍ଶଠାରୁ ଆରମ୍ଭକରି ଚରମ କାମତୃପ୍ତି ରତିକ୍ରୀଡ଼ାର ବିଭିନ୍ନ ପର୍ଯ୍ୟାୟ ବା ଉପଚାରର କ୍ରମିକ ବର୍ଣ୍ଣନା ପାଠକଙ୍କୁ ଆମୋଦିତ କରେ ଏବଂ କବିଙ୍କ ପାଣ୍ଡିତ୍ୟ ସୂଚାଇ ଦିଏ ।

 

କେବଳ ‘ଉଷାବତୀ ହରଣ’ରେ ନୁହେଁ ରସିକ କବିଙ୍କ ‘ରୁକ୍କିଣୀ ପରିଣୟ’, ‘ହାରାବତୀ ହରଣ’, ‘ସୁଭଦ୍ରା ପରିଣୟ’, ‘ଭୂତକେଳି’ ଆଦି ଛାନ୍ଦନାଟ୍ୟରେ ଶୃଙ୍ଗାରରସ ପରିବେଷିତ ଏବଂ ରସଗ୍ରାହୀ ଦର୍ଶକଙ୍କୁ ରସତୃପ୍ତି ଦେବାରେ ଏକାନ୍ତ ସହାୟକ ।

 

ବୀରରସ ପରିବେଷଣରେ ଛାନ୍ଦନାଟ୍ୟକାର ଜଗନ୍ନାଥ ପାଣିଙ୍କ ସିଦ୍ଧହସ୍ତତା ଅବଶ୍ୟ ଲକ୍ଷଣୀୟ । ତାଙ୍କ ନ୍ଥାନ୍ଦନାଟ୍ୟର ବିଭିନ୍ନ ଯୁଦ୍ଧବର୍ଣ୍ଣନାରେ ବୀରରସ ଉପଲବ୍ଧ ହୁଏ । ‘ଦକ୍ଷଯଜ୍ଞ’ ରେ ସତୀଙ୍କ ପ୍ରାଣତ୍ୟାଗ ସମ୍ବାଦ ପାଇବା ପରେ ଶିବ କ୍ରୋଧାନ୍ଵିତ ହୋଇ ନିଜର ଜଟାଭାର ଛିଡ଼ାଇ ପକାଇବାରୁ ସେଥିରୁ ନିର୍ଗତ ବହ୍ନିରୁ ଜନ୍ମ ନେଇଛି ପ୍ରବଳ ଶକ୍ତିମାନ ବୀରଭଦ୍ର । ବୀରଭଦ୍ର ଅତ୍ୟନ୍ତ କ୍ରୋଧରେ ଦକ୍ଷଯଜ୍ଞ ଭାଙ୍ଗିବାକୁ ଆଗେଇ ଯିବାର ବର୍ଣ୍ଣନା କବିଙ୍କ କଲମରେ ବୀରରସ ବ୍ୟଞ୍ଜିତ ଭାଷାରେ ଫୁଟିଉଠିଛି ଏହିପରି-

 

‘‘ରେ ରେ କାର କରି ବୀରଭଦ୍ର ଗଲା ଧାଇଁ-

ଦକ୍ଷ ବକ୍ଷସ୍ଥଳେ ମାଡ଼ି ବସିଲାକ ଯାଇ ।୪।

ମୁଣ୍ଡ ଧରି ତୁଣ୍ଡ ଚିରି ବୋଲେରେ ପାପିଷ୍ଠ

ଏହି ମୁଖେ ଶିବ ନିନ୍ଦା କଲୁ ହେଲୁ ନଷ୍ଟ ।୫।

ଝୁଙ୍କାଇ ଝୁଙ୍କାଇ ମୁଣ୍ଡ ମୋଡ଼ି ଛିଡ଼ାଇଲା

ଆରେ ପଶୁ ବୋଲି ଯଜ୍ଞକୁଣ୍ଡେ ପକାଇଲା।୬।’’

(୧୯ଶ ଛାନ୍ଦ, ଗ୍ରନ୍ଥାବଳୀ -୧ମ, ପୃ: ୧୯୪)

 

କବିଙ୍କ ଛାନ୍ଦନାଟ୍ୟ ‘ଲକ୍ଷଣ ଶକ୍ତିଭେଦ’, ‘ସୁଭଦ୍ରା ପରିଣୟ’, ‘ପାରିଜାତ ହରଣ’, ‘ବିଲଙ୍କା ରାମାୟଣ’ ଇତ୍ୟାଦିରୁ ବୀରରସର ବହୁ ଉଦାହରଣ ଦିଆଯାଇପାରେ ।

 

କରୁଣରସ ଅବତାରଣା କବିଙ୍କ ‘ମହୀରାବଣ ବଧ’, ‘ଦକ୍ଷ ଯଜ୍ଞ’, ‘ଉଷାବତୀ ହରଣ’, ‘କପଟପାଶା’ ଇତ୍ୟାଦି ଛାନ୍ଦନାଟ୍ୟରେ କରାଯାଇଛି । ‘ଉଷାବତୀ ହରଣ’ ରୁ ଦୃଷ୍ଟାନ୍ତଟିଏ –

 

‘‘ଆହାରେ ଦାରୁଣ ବିହି ଏହି ଦଶା ଦେଲୁ

ଲବଣୀ ପିତୁଳା ଦେହେ ମାଡ଼ ମରାଇଲୁ ।୪।

x      x      x

କାହିଁକି ନିର୍ଲଜ୍ଜ ପ୍ରାଣ ନ ଯାଇ ରହିଛି

ଏହି ଦଣ୍ଡ ଦେବାକୁ ଦଇବ ରଖିଅଛି ।୬।’’...ଇତ୍ୟାଦି

(୫ମ ଛାନ୍ଦ, ଗ୍ରନ୍ଥାବଳୀ-୧ମ, ପୃ:୩୧)

 

ଉଷାପୁରରେ ଅନିରୁଦ୍ଧର ଉପସ୍ଥିତି ଜାଣି ବାଣାସୁର ଉଷାର ସଖୀ ଚିତ୍ରରେଖାକୁ ଶାସ୍ତି ଦେଇଛି । ଚିତ୍ରରେଖା ଦୁଃଖରେ ଭାଙ୍ଗିପଡ଼ି କ୍ରନ୍ଦନ କରିଛି । ସମ୍ପୂର୍ଣ୍ଣ ପଞ୍ଚବିଂଶ ଛାନ୍ଦଟି ଚିତ୍ରରେଖାର କ୍ରନ୍ଦନ ମଧ୍ୟରେ ଥିବା କାରୁଣ୍ୟରେ ଆର୍ଦ୍ର ।

 

ବାସ୍ତଲ୍ୟରସ ପରିବେଷଣରେ କବିଙ୍କ ଲେଖନୀ ବେଶ୍‌ ଚଳଚଞ୍ଚଳ । ସନ୍ତାନର ବିଚ୍ଛେଦରେ ପିତାମାତାଙ୍କ ହୃଦୟରେ ଜାତି ଖେଦର ପରିପ୍ରକାଶ ଘଟିଥାଏ ଏହି ରସରେ । ଉଦାହରଣ ସ୍ଵରୂପ ‘ଧ୍ରୁବ ଚରିତ’ ଛାନ୍ଦନାଟିକାର ‘ବିଂଶ ଛାନ୍ଦ’କୁ ଗ୍ରହଣ କରାଯାଇପାରେ । ବାଳକ ଧ୍ରୁବର ବନଗମନ ସିଦ୍ଧାନ୍ତ ଶୁଣିବା ପରେ ମାତା ସୁନୀତିଙ୍କର ହୃଦୟ କୋହରେ ଭରିଯାଇଛି । ତାଙ୍କ କ୍ରନ୍ଦନରେ ବାସ୍ତଲ୍ୟରସର ପ୍ଲାବନ ଖେଳିଯାଇଛି । ଏହି ଛାନ୍ଦର ଯେକୌଣସି ପଦ ବାସ୍ଥଲ୍ୟରସସିକ୍ତ ଓ ହୃଦୟବିଦାରକ । ଉଦାହରଣ ପାଇଁ ପଦଟିଏ ଯଥେଷ୍ଟ ।

 

‘‘ସ୍ୱଭାବେ ବାଳକ ଏକୋଇର ବଳା ଲବଣୀ ପିତୁଳା ଦେହ

ଦୁର୍ଗମ ବନସ୍ତେ ଯାଇ ତୁ କେମନ୍ତେ ତପ କରିବୁ ତନୟ

କେଉଁ ଦେବତା ଧ୍ୟାୟି

ଯୋଗ ସାଧିବୁକି ଜାଣୁ ତୁହି ।୪ ।’’

(୨୦ଶ ଛାନ୍ଦ, ଗ୍ରନ୍ଥାବଳୀ, ପୃ: ୪୧୮)

 

ଅନୁରୂପ ବାତ୍ସଲ୍ୟପ୍ରୀତି ‘ଦକ୍ଷ ଯଜ୍ଞ’ରେ ଦକ୍ଷରାଣୀଙ୍କ କଣ୍ଠରେ ମଧ୍ୟ ଶୁଣିବାକୁ ମିଳେ । ଏତଦ୍‌ବ୍ୟତୀତ ‘ପ୍ରହ୍ଲାଦଚରିତ’, ‘ବିଲଙ୍କା ଚରିତ’, ‘ସୀତା ବନବାସ’ ଆଦିରେ ବାତ୍ସଲ୍ୟ ରସ ଦେଖିବାକୁ ମିଳେ ।

 

ଭକ୍ତିରସ ପ୍ରଭୁଙ୍କ ଭଜନ, କୀର୍ତ୍ତନ ନାମସ୍ମରଣ ଓ ତାଙ୍କ ପଦରେ ଆତ୍ମସମର୍ପଣରେ ଭକ୍ତିରସ ଭରି ରହିଥାଏ । କବି ଜଗନ୍ନାଥ ପାଣିଙ୍କ ପ୍ରତ୍ୟେକ ଛାନ୍ଦନାଟ୍ୟରେ ତାଙ୍କ ନିଜ ଭକ୍ତି- ନିବେଦନରେ ବା ଚରିତ୍ରମାନଙ୍କର ଭକ୍ତି ପ୍ରଦର୍ଶନରେ ଭକ୍ତିରସ ଭରି ରହିଥାଏ । ‘ପ୍ରହ୍ଲାଦ ଚରିତ’ରେ ନୃସିଂହଙ୍କ ଆବିର୍ଭାବ ଓ ହିରଣ୍ୟକଶିପୁର ମୃତ୍ୟୁବିଧାନ ପରେ ନୃସିଂହଙ୍କ ଉଦ୍ଦେଶ୍ୟରେ କରାଯାଇଥିବା ପ୍ରହ୍ଲାଦଙ୍କ ସ୍ତୁତିରେ କିପରି ଭକ୍ତିରସର ଫୁଆରା ଫିଟିଛି, ତାହା ଦର୍ଶାଇବାକୁ ପଦଟିଏ-

 

‘‘ବୈକୁଣ୍ଠନାଥ ବିଷ୍ଣୁ ବିଶ୍ୱମଙ୍ଗଳ,

ଭବଭୟ ଭଞ୍ଜନ ଭକ୍ତବତ୍ସଳ

ହେ ମୁକୁନ୍ଦ ହରି

ଜାନକୀ ପତି ଜୟ ରାବଣ ଅରି ହେ ।୧୨।

(୩୭ଶ ଛାନ୍ଦ, ଗ୍ରନ୍ଥାବଳୀ-୧ମ/ପୃ: ୫୧୬)

 

ହାସ୍ୟରସ କବି ଜଗନ୍ନାଥ ପାଣିଙ୍କ ଛାନ୍ଦ ନାଟ୍ୟରେ ପର୍ଯ୍ୟାପ୍ତଭାବେ ନହେଲେ ମଧ୍ୟ ହାସ୍ୟରସ ଦେଖିବାକୁ ମିଳେ । ଯଥା-

 

‘‘ଥାଳିରେ ପକାଇ ମୁନି ତାଳି ମାରୁଥିବ

ଘଣ୍ଟାକୁ ହଲାଇ ଦେଇ ଅଣ୍ଟା ସଜାଡ଼ିବ ।୭।

ଢିଙ୍କି ଚଢ଼ି ଆସିଥିଲେ ଛିଙ୍କିବାର ବେଳେ

ବଡ଼ ଲାଭ ହେଲା ଯାଅ ଏହି ଅନୁକୂଳେ ।୮।

x      x      x

ତାଳି ଦେଇ ଧୂଳି ମାଳି ଆଳିଏ ହସନ୍ତି

ବୋଲେ ଜଗନ୍ନାଥ ଡରେ ନାରଦ ପଳାନ୍ତି ।୧୦।’’

(ପାରିଜାତ ହରଣ, ୨୨ ଶ ଛାନ୍ଦ, ଗ୍ରନ୍ଥାବଳୀ-୧ମ, ପୃ: ୩୪୨)

 

ଏଠାରେ ସତ୍ୟଭାମାଙ୍କ ସମେତ ଶ୍ରୀକୃଷ୍ଣଙ୍କର ଅନ୍ୟ ରାଣୀମାନେ ନାରଦଙ୍କୁ ଯେଉଁ ପରିହାସ କରିଛନ୍ତି ସେଥିରେ ହାସ୍ୟରସ ଭରିରହିଛି । ପୁନଶ୍ଚ ସେଠାରୁ ନାରଦଙ୍କ ପଳାୟନର ଚିତ୍ର ମଧ୍ୟ ହାସ୍ୟରସକୁ ଅଧିକ ଘନୀଭୂତ କରେ ଏତଦ୍‌ବ୍ୟତୀତ ‘ସୀତା ବନବାସ’ରେ ମନ୍ଥରାର ରୂପ ବର୍ଣ୍ଣନା, ‘ମହୀରାବଣ ବଧ’ରେ ସ୍ଵାନଘାଟରେ ନଣନ୍ଦ ଭାଉଜଙ୍କ ଉକ୍ତି ପ୍ରତ୍ୟୁକ୍ତି ଓ ପୁରଞ୍ଜନ ପଣ୍ଡାର ସଂଳାପରୁ ହାସ୍ୟରସ ଦେଖିବାକୁ ମିଳେ । ଏସବୁ ରସ ବ୍ୟତୀତ ରୌଦ୍ରରସ, ଭୟାନକରସ, ଅଦ୍ଭୁତରସ, ଶାନ୍ତରସ ଆଦିର ଉପସ୍ଥିତି ମଧ୍ୟ କବିଙ୍କ ଛାନ୍ଦନାଟ୍ୟମାନଙ୍କରେ ଦୃଷ୍ଟିକୁ ଆସେ ।

 

ପୂର୍ବରୁ କୁହାଯାଇଛି, ଜଗନ୍ନାଥ ପାଣିଙ୍କ ଆବିର୍ଭାବ କାଳକୁ ଲୀଳାସାହିତ୍ୟର ଏକ ସୁଦୃଢ଼ ପରମ୍ପରା ଥିଲା ଏବଂ କାଳକ୍ରମେ ତାହାର ସଂସ୍କାରିତ ରୂପ ଛାନ୍ଦନାଟକର ସ୍ଥିତି ମଧ୍ୟ ଥିଲା । ସେଥିରେ ପୁନଃ ସଂସ୍କାର ଆଣି ନୂତନ ରୂପରେ ଉପସ୍ଥାପନ କରିବାରେ ଜଗନ୍ନାଥ ପାଣି ଆଗେଇ ଆସିଲେ ଏ କ୍ଷେତ୍ରରେ ବାସ୍ତବିକ୍‌ ତାଙ୍କ ପରାକାଷ୍ଠାର ପଟାନ୍ତର ନାହିଁ । ସେହି ଛାନ୍ଦନାଟ୍ୟ-ପରମ୍ପରାରେ ଏକମାତ୍ର ଦାୟାଦ, ଯେ ଏତେ ସଂଖ୍ୟାରେ (ଆଜି ପର୍ଯ୍ୟନ୍ତ ଆବିଷ୍କୃତ ସତରଟି) ଛାନ୍ଦନାଟକ ରଚନା କରି ଓଡ଼ିଆ ନାଟ୍ୟଜଗତକୁ ବହୁ ସମ୍ଭାବନାରେ ଆବେଦନ ଭରି ଦେଇଛନ୍ତି । ଛାନ୍ଦ ଭାବରେ ଏଗୁଡ଼ିକ ଛାନ୍ଦରସିକଙ୍କ ପାଇଁ ଯେପରି ହୃଦୟଗାହୀ, ନାଟ୍ୟଭାବରେ ନାଟ୍ୟପ୍ରେମୀ ଦର୍ଶକଙ୍କ ନିମନ୍ତେ ସେହିପରି ଆମୋଦଦାୟକ । ଏ ଦୃଷ୍ଟିରୁ ଛାନ୍ଦନାଟ୍ୟର ସେ ଯେ ଜଣେ ସୁଯୋଗ୍ୟ ପ୍ରବକ୍ତା ଏବଂ ଓଡ଼ିଆ ନାଟ୍ୟ ସାହିତ୍ୟରେ ଜଣେ ବରଣୀୟ ଓ ସ୍ମରଣୀୟ ପ୍ରତିଭା ଏଥିରେ ସନ୍ଦେହ ନାହିଁ ।

 

 

ଏନ୍‌-୫/୩୭ ୪, ଆଇଆରସି ଭିଲେଜ୍‌,

ଭୁବନେଶ୍ୱର- ୧୫

 

***

 

ଅଲୌକିକ କାବ୍ୟ-ସାଧକ କାବ୍ୟକାର ଜଗନ୍ନାଥ ପାଣି

ଅପୂର୍ବ ରଞ୍ଜନ ରାୟ

 

ଭାରତ ବର୍ଷ ନାଟ୍ୟ-ସୃଷ୍ଟିର ଆଦିଭୂମି ବୋଲି ଅନେକ ଗବେଷକ ମତ ଦିଅନ୍ତି । ଉତ୍କଳ ଏହାର ଏକ ଅଂଶବିଶେଷ ହୋଇଥିବାରୁ, ଏଠାରେ ଏହି ନାଟ୍ୟକଳା ବିଭିନ୍ନ ରୂପ ଓ ରୂପାନ୍ତରରେ ବହୁ କାଳରୁ ଅଭିନୀତ ହୋଇ ଆସୁଛି । ଏହି କଳା ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ହୋଇଥିଲା । ମହାମେଘବାହନ ଐର ଖାରବେଳ କେବଳ ଯୋଦ୍ଧା ନଥିଲେ- ଦୃଢ ପ୍ରଶାସକ ନଥଲେ, ତାଙ୍କର କଳାପ୍ରେମ ବିଶେଷତଃ ନାଟ୍ୟକଳା ପ୍ରତି ଆଗ୍ରହ ଓ ଶ୍ରଦ୍ଧା ମଧ୍ୟ ରହିଥିଲା । ତାଙ୍କ ଶାସନ କାଳରେ, ନାଟ୍ୟକଳା ବେଶ୍‌ ସମୃଦ୍ଧ କଳା ଭାବେ ପ୍ରତିଭାତ ହୋଇଥିଲା । ଏହାକୁ ଏହି ସମୟରେ ଶାସ୍ତ୍ର ସମ୍ମତ କରାଯାଇଥିବା ଜଣାଯାଏ । ତେବେ ଉତ୍କଳରେ ନାଟ୍ୟକଳା ଯେଉଁ ରୂପ ଦେଇ ଗତି କରିଥିଲା, ସେଥିମଧ୍ୟରେ ‘ତାମସା’ ଥିଲା ଅନ୍ୟତମ । ‘ଲୀଳା’, ‘ସୁଆଙ୍ଗ’, ‘ଯାତ୍ରା’, ‘ଦଣ୍ଡନାଟ’ ଓ ‘ଘୋଡ଼ାନାଚ’ ଆଦି ଲୋକନାଟ୍ୟ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ । ଆଞ୍ଚଳିକ ଭାବରେ କେତେକ ଅଭିନୟକୁ ଗ୍ରହଣ କରାଯାଇଥାଏ । କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଏହି ପ୍ରସଙ୍ଗରେ କହନ୍ତି- ‘‘ଲୀଳା, ସୁଆଙ୍ଗ ବା ଗୀତିନାଟ୍ୟ ଆଜିର ରଙ୍ଗମଞ୍ଚର ସୃଷ୍ଟିକର୍ତ୍ତା । ମରହଟ୍ଟା ଓ ମୁସଲମାନ ଆକ୍ରମଣ, ଅଧିକାର କାଳରେ ଓଡ଼ିଶାର ଏହି ପ୍ରକାର ଲୀଳା ଅନ୍ତର୍ମୁଖୀ ହୋଇଥିଲା । ତେବେ ଏଗୁଡ଼ିକ ହିଁ ନାଟକ ଆଡ଼କୁ ପ୍ରବର୍ତ୍ତନା ଦେଲା ୧୯ ଶ ଶତାବ୍ଦୀର ମଧ୍ୟ ଭାଗରେ ।’’ (୧୯୭୧ ମସିହା ଷଷ୍ଠବର୍ଷ-ପ୍ରଥମ ସଂଖ୍ୟା ‘କୋଣାର୍କ’) ଏହି ପରିପ୍ରେକ୍ଷୀରେ, ଯାତ୍ରାର କ୍ରମ ବିକାଶ ତଥା ନାଟକର ବିକାଶରେ ଅନ୍ୟତମ ଆଦି ଗୀତିନାଟ୍ୟକାର ଜଗନ୍ନାଥ ପାଣି ସ୍ମରଣ ହୁଅନ୍ତି । ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀ ହେଉଛି ଓଡ଼ିଆ ଭାଷା ସାହିତ୍ୟରେ ନାଟ୍ୟକଳାର ବିକାଶ ସମୟ । କବି ବିଶ୍ଵନାଥ ଖୁଣ୍ଟିଆ ଓଡ଼ିଆ ଭାଷାରେ ପ୍ରଥମ ଲୀଳା ରଚୟିତା । ଏ କ୍ଷେତ୍ରରେ ତାଙ୍କ ରାମଲୀଳା ହେଉଛି ସର୍ବପ୍ରଥମ ଲୀଳା ରଚନା । ମନୋରଞ୍ଜନ ପାଇଁ ଅଚ୍ୟୁତାନନ୍ଦ ଦାସଙ୍କ ରଚିତ ‘ରାସଲୀଳା’ ସେ ସମୟରେ ବିଭିନ୍ନ ଅଞ୍ଚଳରେ ପରିବେଷିତ ହେଉଥିଲା-। କବି ବିଶ୍ଵନାଥଙ୍କ ଲୀଳା ଅନୁକରଣରେ ଆଉ କେତେଜଣ କାବ୍ୟକାର ରାମଲୀଳା ରଚନା କରିଥିବା ଦେଖାଯାଏ । ଏମାନଙ୍କ ମଧ୍ୟରେ କବି କୃଷ୍ଣଚନ୍ଦ୍ର ରାଜେନ୍ଦ୍ର ରଘୁନାଥ ଦାଶ ଓ ବୈଶ୍ୟ ସଦାଶିବ ପ୍ରମୁଖଙ୍କ ନାମ ଉଲ୍ଲେଖନୀୟ । ସାରା ଓଡ଼ିଶା ଏବଂ ଓଡ଼ିଆ ଭାଷା ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ଏହି ‘ରାମ ଲୀଳା’ ଜନଜୀବନରେ ମନୋରଞ୍ଜନ କରିପାରୁଥିଲା । ଗୀତି ସଂଳାପ ରଚିତ ହେବା ସଙ୍ଗେ ସଙ୍ଗେ, ଏହାର ଭାଷା ସରଳ ସହିତ ବୋଧଗମ୍ୟ କରାଯାଇଥାଏ ।

 

ଓଡ଼ିଆ ନାଟକର ବିବର୍ତ୍ତନ ଧାରାରେ ଗୋପାଳ ଉଡ଼େ ଓ ଜଗନ୍ନାଥ ପାଣି ଦୁଇଜଣ ନାଟ୍ୟ ରଚୟିତାଙ୍କ ନାମ ସ୍ମରଣୀୟ । ସ୍ଵର୍ଗତ ଉଡ଼େ ହେଉଛନ୍ତି ଓଡ଼ିଶାର ଯାଜପୁର ଜିଲ୍ଲାର ବାସିନ୍ଦା-। ସ୍ଵର୍ଗତ ପାଣିଙ୍କ ଘର ଭଦ୍ରକ ନିକଟବର୍ତ୍ତୀ ନଳାଙ୍ଗ ଗ୍ରାମ । ପ୍ରଫେସର ଡ. ରଞ୍ଜିତ ମୁଖୋପାଧ୍ୟାୟଙ୍କ ରଚିତ ‘ଗୋପାଳ ଉଡ଼େ’ ଗ୍ରନ୍ଥରୁ ଓଡ଼ିଆ ନାଟକ ସମ୍ପର୍କରେ ସୂଚନା ମିଳିଥାଏ । କଲିକତାର ରବିନ୍ଦ୍ର ଭାରତୀ ବିଶ୍ଵବିଦ୍ୟାଳୟରେ ସେ ନାଟ୍ୟକଳା ଅଧ୍ୟାପନା କରୁଥିଲେ । ପ୍ରଫେସର ମୁଖୋପାଧ୍ୟାୟ, ଗୋପାଳ ଉଡ଼େ ନାମଧାରି ବ୍ୟକ୍ତିଙ୍କୁ ଗୋପାଳ ଦାସ ବୋଲି ଚିହ୍ନିତ କରିଛନ୍ତି । ତାଙ୍କ ଘର ଓଡ଼ିଶା- ସେ ଓଡ଼ିଆ ପରିବାରରେ ଜନ୍ମିତ । ବଙ୍ଗ ପ୍ରଦେଶରେ ଅଭିନୀତ ହେଉଥିବା ବଙ୍ଗଳା ଯାତ୍ରା, ଓଡ଼ିଆ ଗୋପାଳ ଦାସଙ୍କ ପ୍ରବର୍ତ୍ତନ, ସେ ଏହାର ଦିଗ୍‌ଦର୍ଶକ ବୋଲି ଏହି ଗ୍ରନ୍ଥରେ ଉଲ୍ଲେଖ ରହିଛି । ଜୀବିକାର୍ଜନ ପାଇଁ କଲିକତା ଚାଲିଯାଇଥିଲେ ସତ, କିନ୍ତୁ ସମୟ ଚକ୍ରରେ ସେହି ଗୋପାଳ ଦାସ ହେଲେ ବଙ୍ଗଭାଷାର ଯାତ୍ରା-ନାଟକର ବିକାଶରେ ଆଦ୍ୟ-ସ୍ପୁଲିଙ୍ଗ । ପ୍ରଥମେ ଅଭିନୟ କରି ବହୁ ସୁନାମ ଅର୍ଜନ କରିବା ପରେ ଯାତ୍ରା ନିର୍ଦ୍ଦେଶକ ଭାବେ ପ୍ରତିଷ୍ଠା ଅର୍ଜନ କଲେ ।

 

ସେହି ନାଟ୍ୟନିର୍ଦ୍ଦେଶକ ଗୋପାଳ ଉଡ଼େ ବଙ୍ଗଳାରେ ନାଟ୍ୟ-ସାହିତ୍ୟ କ୍ଷେତ୍ରରେ ଯେଭଳି ପରିଚିତ, ସେପରି ସୁନାମ ତାଙ୍କର ଓଡ଼ିଆ ନାଟ୍ୟ ସାହିତ୍ୟରେ ମିଳୁନାହିଁ ତାଙ୍କ ସ୍ଵାକ୍ଷର ଓଡ଼ିଆ ନାଟ୍ୟ-ସାହିତ୍ୟରେ ନଥିବାରୁ, ପରବର୍ତ୍ତୀ ନାଟ୍ୟକାର ରୂପେ ଜଗନ୍ନାଥ ପାଣି ଆଖିକୁ ଆସନ୍ତି-। ଗୋପାଳଙ୍କର ଓଡ଼ିଆ ଭାଷାରେ କୌଣସି ରଚନା ମିଳୁନଥିବାରୁ, ତାଙ୍କ ପରବର୍ତ୍ତୀ ନାଟ୍ୟକାର ଜଗନ୍ନାଥ ପାଣି ହେଉଛନ୍ତି ନିଶ୍ଚିତ ରୂପେ ଓଡ଼ିଆ ନାଟ୍ୟ ସାହିତ୍ୟର ପ୍ରଥମ ସ୍ରଷ୍ଟା । ତାଙ୍କର ଜୀବନ ଅଦ୍‌ଦ୍ଭୂତ ଭାବରେ ଗତି କରିଥିଲା । ପାଠ ଶୁନ୍ୟ ମଣିଷ ସାରସ୍ଵତ କ୍ଷେତ୍ରରେ ଏତେ ଉଚ୍ଚ ଆସନର ଅଧିକାରୀ ହେବା ମୂଳରେ ତାଙ୍କ ଏକନିଷ୍ଠ ସାଧନା ନିହିତ । ବିଶ୍ୱବିଖ୍ୟାତ ନାଟ୍ୟକାର ଉଇଲିୟମ୍‌ ସେକ୍‌ଶପିଅରଙ୍କ ପରି ତାଙ୍କ ସାଧନା । ପିତା ଭାଗବତ ପାଣି ପୁଅକୁ ଶିକ୍ଷିତ କରିବା ପାଇଁ ବ୍ୟାକୁଳ ଥିବାବେଳେ, ସେ ପାଠ ପ୍ରତି ଆଦୌ ଆଗ୍ରହୀ ହେଲେ ନାହିଁ । ଏଥିପାଇଁ ବହୁ ଧିକ୍‌କାର ଓ କଟୁକ୍ତି ଶୁଣିବାକୁ ହେଲା । ମନକୁ ମନ ମହାପ୍ରଭୁଙ୍କୁ ସ୍ମରଣ କରି, ନିଜ ଗ୍ରାମ୍ୟ ଠାକୁର ନଳେଶ୍ଵରଙ୍କ ନିକଟରେ ନିଜକୁ ସମର୍ପଣ କରିଦେଲେ । ଏକୋଇଶଦିନ ପରେ, ନଳେଶ୍ଵର ତାଙ୍କୁ ଆଶୀର୍ବାଦ କଲେ । ଶାରଳା ଠାକୁରାଣୀଙ୍କ ଆଶୀର୍ବାଦରେ ସାରଳା ଦାସ ବିରାଟ କାବ୍ୟକାର ହୋଇପାରିଲା ପରି, ଜଗନ୍ନାଥ ପାଣିଙ୍କ ଜୀବନରେ ଏହା ଘଟିଥିବା ଅନୁଭୂତ ହେଲା । ମୂର୍ଖ କାଳିଦାସଙ୍କଠାରେ ଯେଭଳି କାବ୍ୟ-ପ୍ରତିଭା ପ୍ରସ୍ଫୁଟିତ ହୋଇ ଉଠିଥିଲା, ଏହାଙ୍କଠାରେ ତାହାହିଁ ସମ୍ଭବ ହେଲା । ମାତ୍ର ଷୋହଳ ବର୍ଷ ବୟସରେ ପୌରାଣିକ ଗ୍ରନ୍ଥମାନ ଅଧ୍ୟୟନ କରି ସେ ସବୁର କଥାବସ୍ତୁକୁ ଜଗନ୍ନାଥ ଆୟତ୍ତ କରିନେଲେ । ମୁଖେ ମୁଖେ ସେ ବିଭିନ୍ନ ପ୍ରାଚୀନ କାବ୍ୟ ଓ ପୁରାଣ ଗାନ କରିବା ଦେଖାଗଲା । ତାପରେ ଧୀରେ ଧୀରେ ଲେଖନୀ ଚାଳନା ଆରମ୍ଭ କଲେ ।

 

ଆଦି ଗୀତିନାଟ୍ୟକାର ଜଗନ୍ନାଥ ପାଣି (୧୮୩୬-୧୮୯୭) ଓଡ଼ିଆ ନାଟ୍ୟ-ଜଗତରେ ପଚାଶରୁ ଅଧିକ ବର୍ଷ ଧରି, ବେଶ୍‌ ପ୍ରଭାବ ବିସ୍ତାର କରି ପାରିଥିଲେ । ତାଙ୍କ ଛାନ୍ଦ ନାଟକଗୁଡ଼ିକ, ନିଜ ଦ୍ୱାରା ଗଠିତ ଓ ପରିଚାଳିତ ନାଟକ ଦଳ ଦ୍ଵାରା ଅଭିନୀତ କରାଇ, ଲୋକପ୍ରିୟତା ଅର୍ଜନ କରିଥିଲେ । ପ୍ରଖ୍ୟାତ ଗୀତିନାଟ୍ୟକାର ବୈଷ୍ଣବ ପାଣି, ଏହାଙ୍କ ଦ୍ଵାରା ପ୍ରଭାବିତ ହୋଇ ନାଟ୍ୟ ରଚନାରେ ବ୍ରତୀ ହୋଇଥିବା ସେ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ।

 

ଜଗନ୍ନାଥ ପାଣିଙ୍କ ଗୀତାଭିନୟରେ କେବଳ ପଦ୍ୟ-ଛନ୍ଦ ପ୍ରୟୋଗ କରାଯାଇଥିବାବେଳେ, ବୈଷ୍ଣବ ପାଣି ପଦ୍ୟ ସହିତ ଗଦ୍ୟ-ଛନ୍ଦ ସଂଯୋଜିତ କରିଛନ୍ତି । ପ୍ରାଚୀନ କାବ୍ୟ-କବିତା ଅଧ୍ୟୟନ ଫଳରେ ଜଗନ୍ନାଥ, ବୀର, କରୁଣ ଓ ଶୃଙ୍ଗାର ଆଦି ପ୍ରତିଟି ରସ ସହିତ ପରିଚିତ ହୋଇଯାଇଥିଲେ । ତାଙ୍କ ରଚିତ ‘ମାନଭଞ୍ଜନ’, ‘ଉଷାବତୀ ହରଣ’, ‘ଭୂତକେଳି’ ‘ସୁଭଦ୍ରା ପରିଣୟ’ ଓ ‘ହାରାବତୀ ହରଣ’ ଆଦି ରଚନାରେ କବି ଜଗନ୍ନାଥ, ଆଦି ରସ ସଂଯୋଜିତ କରିଛନ୍ତି। ସାହିତ୍ୟରେ ରସର ଭୂମିକା ଯଥେଷ୍ଟ ରହିଥାଏ । କୁହାଯାଇଥାଏ- ‘ବାକ୍ୟ ରସାତ୍ମକ କାବ୍ୟମ୍‌’ । ରସ ସହିତ ବାକ୍ୟ ହେଉଛି ଯଥାର୍ଥ କାବ୍ୟ ପଦବାଚ୍ୟ । ଏପରିକି ସଂଳାପରେ ରସ ରହିବା ଉଚିତ ବୋଲି, ଅନୁଭବ କରି ଆଚାର୍ଯ୍ୟ ଭରତ ତାଙ୍କ ପ୍ରଣୀତ ନାଟ୍ୟ ଗ୍ରନ୍ଥର ଷଷ୍ଠ ଓ ସପ୍ତମ ଅଧ୍ୟାୟରେ ରସର ସଂଜ୍ଞା ନିରୂପଣ କରି, ସାହିତ୍ୟ ରଚନାରେ, ଏହାର ଆବଶ୍ୟକତାକୁ ଗୁରୁତ୍ୱରୋପ କରିଛନ୍ତି । ସେହି ରସକୁ କାବ୍ୟକାରମାନେ ଯୁଗଭେଦରେ ଓ ଭାବ ନିର୍ବିଶେଷରେ କେବଳ ଗ୍ରହଣ କରିନାହାନ୍ତି, ଏହାକୁ କାବ୍ୟର ଆତ୍ମା ଭାବରେ ଗ୍ରହଣ କରିଛନ୍ତି । ବେଦରେ ଏହି ରସର ଚିହ୍ନ ଓ ସ୍ଵର ଶୁଣାଯାଇଥାଏ । ସେଥିରେ ଉଲ୍ଲେଖ ଅଛି, ‘ରସୋ ବୈ ସଃ’ ଏବଂ ‘ରସଂ ହ୍ୟୟଂ ଲବ୍‌ଧା ଆନନ୍ଦୋ ଭବତି’ । କାବ୍ୟରେ ସଚ୍ଚିଦାନନ୍ଦ ବ୍ରହ୍ମଙ୍କର ପ୍ରତୀକ ଭାବରେ ରସ ଆନନ୍ଦ ବିତରଣ କରିଥାଏ । ଆହୁରି ଆଳଙ୍କାରିକମାନେ କହିଥାଆନ୍ତି- ‘ବ୍ରହ୍ମାନନ୍ଦ ସହୋଦରଃ’ ଓ ‘ଲୋକୋତ୍ତର ଚମତ୍କାର ପ୍ରାଣଃ’ । ରସ ଭିତରେ ଦେଇ, ଅନୁଭାବ, ସ୍ଥାୟୀ ଭାବ, ସାତ୍ତ୍ୱିକ, ବିଭାବ ଓ ବ୍ୟଭିଚାରୀ ଭାବଗୁଡ଼ିକ ପ୍ରକାଶିତ ହୋଇଥାଆନ୍ତି । ଏହା ଭିତରେ ଦର୍ଶକ କି ଶ୍ରୋତା କି ପାଠକ, ସତ୍ୟ ଶିବ ସୁନ୍ଦରକୁ ଅନୁଭବ କରିପାରନ୍ତି । ସଭ୍ୟତାର ଉନ୍ମେଷ ସମୟରୁ ମାନବ ଜୀବନ ସହିତ ଏହି ରସର ସମ୍ପର୍କ ରହିଆସିଛି । ସେହି ରସର ଅବତାରଣା କରାଇ କବି ଜଗନ୍ନାଥ ପାଣି, ରଚନାକୁ ଆକର୍ଷଣୀୟ କରିଛନ୍ତି । ଆଦିରସ ଭିତରେ ଶୃଙ୍ଗାରିକତା ପରିପୂର୍ଣ୍ଣ ହୋଇ ରହିଥାଏ । ପାଠକ, ଶ୍ରୋତା କି ଦର୍ଶକଙ୍କ ମନରେ ବିହ୍ଵଳ ଏହାଦ୍ଵାରା ମଣିଷ ଅଭିଭୂତ ହୋଇପଡ଼େ । ମନରେ ଜାଗରଣ ଭାବ ଉଦ୍ରେକ ହୁଏ । ‘ସାହିତ୍ୟ ଦର୍ପଣ’ରେ ବିଶ୍ୱନାଥ କବିରାଜ କହିଛନ୍ତି-

 

‘‘ଶୂନ୍ୟଂ ବାସଗୃହଂ ବିଲୋକ୍ୟ ଶୟନା ଦୁତ୍‌ଥାୟ କିଞ୍ଚିଚ୍ଛ ନୈଃ

ନିଦ୍ରାବ୍ୟାଜ ମୁଖାଗତସ୍ୟ ସୁଚିରଂ ନିର୍ବର୍ଣ୍ଣ୍ୟ ପତିର୍ମୁଖମ୍‌ ।

ନିସ୍ତବ୍‌ଧଂ ପରିଚୁମ୍ବ୍ୟଜାତ ମହକାମାଲୋକ୍ୟ ଗଣ୍ଡସ୍ଥଳୀଂ

ଲଜ୍ଜା ନମ୍ରମୁଖୀ ପ୍ରିୟେଣ ହସତା ବାଳା ଚିରଂ ଚୁମ୍ବିତା ।।’’

 

ଛାନ୍ଦ ନାଟ୍ୟକାର ଜଗନ୍ନାଥ, ତାଙ୍କ ରଚିତ କେତୋଟି ଗୀତାଭିନୟରେ ଆଦି ରସକୁ ପ୍ରବେଶ କରାଇ, ସେସବୁରେ ସେହି ରସର ଉଚ୍ଛଳ ସ୍ରୋତକୁ ବଜାୟ ରଖିଛନ୍ତି । ପାଠକ ଓ ଦର୍ଶକଙ୍କ ପାଇଁ ଆଦିରସାତ୍ମକ ଏପରି ଗୀତାଭିନୟ, ଆକର୍ଷଣୀୟ ହୋଇଥାଏ । ବୀରରସର ଅବତାରଣାରେ ମଧ୍ୟ କବି ପାଣି ପଛାଇ ନାହାନ୍ତି । ତାଙ୍କ ଲିଖିତ ‘ପାରିଜାତ ହରଣ’, ‘ମହୀରାବଣ ବଧ’, ‘ବିଲଙ୍କା ଚରିତ’ ଓ ‘ଲକ୍ଷ୍ମଣ ଶକ୍ତିଭେଦ’ ପ୍ରଭୃତି ଗୀତିନାଟ୍ୟରେ ନାଟ୍ୟକାର ବୀରରସର ବର୍ଣ୍ଣନା କରିଛନ୍ତି । ଏପରି ପରିବେଷଣ ସାଧାରଣତଃ ଭୟ ସଞ୍ଚାର କରିଥାଏ । ତାଙ୍କ ନାଟକ ଓ ଗୀତାଭିନୟରେ କରୁଣ ରସ ବି ପରିଲକ୍ଷିତ ହୋଇଥାଏ । ଏହି ରସରୁ ଶ୍ରୋତା ବା ଦର୍ଶକ ଅଶ୍ରୁ ବୁହାଏ, ଶୋକ ପରିପ୍ଲୁତ ହୋଇଉଠେ । ଏହି ରସର ‘ଶୋକ’ ହେଉଛି ସ୍ଥାୟୀ ଭାବ । ଏଥିରେ ଯେଉଁ ପୁଲକ ଥାଏ, ତାହା ଅତ୍ୟନ୍ତ ଚିତ୍ତଉଲ୍ଲସକାରୀ । କାରଣ ସେହି ପୁଲକ ହେଉଛି ଅଲୌକିକ । ବିଶ୍ୱନାଥ କବିରାଜ ରସ ବିଶ୍ଲେଷଣ କରି ତାଙ୍କ ‘ସାହିତ୍ୟ ଦର୍ପଣ’ରେ କହିଛନ୍ତି-

 

‘‘ଅଲୌକିକ-ବିଭାବତ୍ୱଂ ପ୍ରାପ୍ତଭ୍ୟୋ କାବ୍ୟ ସଂଶ୍ରୟାତ୍‌

ସଞ୍ଜାୟତେ ତେଭ୍ୟଃ ସର୍ବେଭ୍ୟୋଃ ପ୍ରୀତିକାଂକ୍ଷିତଃ ॥’’

 

ରତିକ୍ରୀଡ଼ାରେ ନଖ ଓ ଦାନ୍ତର ଆଘାତରେ ଶରୀର କ୍ଷତ ବିକ୍ଷତ ହେବା ସତ୍ତ୍ଵେ, ସେଥିରେ ଅକଳ୍ପନୀୟ ଆନନ୍ଦ ମିଳିଥାଏ । ମାତ୍ର ଏହା ହେଉଛି କେବଳ ସଚେତନ ଅନୁଭବୀର ଶ୍ରେୟ । କବି ଜଗନ୍ନାଥ ପାଣି ତାଙ୍କ ଗୀତାଭିନୟରେ ଏହି ଲକ୍ଷ୍ୟରେ କରୁଣ ରସର ବର୍ଣ୍ଣନା କରିଛନ୍ତି । ତାଙ୍କ ପ୍ରଣୀତ ‘ମୀରା ଚରିତ’, ‘ପ୍ରହ୍ଲାଦ ଚରିତ’ ଓ ‘ଧ୍ରୁବ ଚରିତ’ ଆଦି ରଚନା ଭକ୍ତିରସ ଓ କରୁଣ ରସାପ୍ଲୁତ । ସେ ନାଟକର ବିଷୟବସ୍ତୁ କଳ୍ପନାରୁ ପ୍ରସ୍ତୁତ ନକରି, ଜନ ଜୀବନରେ କାୟା ବିସ୍ତାର କରିଥିବା ପୁରାଣର କଥାବସ୍ତୁକୁ କାବ୍ୟ ଓ ନାଟକରେ ଗ୍ରହଣ କରିଥିଲେ । ସେ ସବୁକୁ ଉପସ୍ଥାପନରେ ସ୍ଵର ଓ ସଙ୍ଗୀତର ଆଶ୍ରୟ ନେଇଥିଲେ । ସାଙ୍ଗୀତିକତାପୂର୍ଣ୍ଣ ରଚନା ଜନ ଜୀବନକୁ ସହଜରେ ସ୍ପର୍ଶ କରିଥାଏ, ଏହା ସେ ଅନୁଭବ କରିଥିଲେ । ‘ମାନଭଞ୍ଜନ’ରେ ଅଭିମାନ ଅବସ୍ଥାକୁ ଯେତେବେଳେ କବି ବର୍ଣ୍ଣନା କରୁଛନ୍ତି, ସେତେବେଳେ ନାୟକ କିପରି ବିପ୍ରଲମ୍ଭ ଶୃଙ୍ଗାରିକତା ଭିତରେ ନିମଗ୍ନ ତା’ର ଚିତ୍ର ଦେବାକୁ ଭୁଲି ନାହାନ୍ତି-

 

‘‘ଅତିମାନେ ମାନଧାତା ମାନ ଦୁର୍ଯ୍ୟୋଧନ,

ନଷ୍ଟ ହେଲା ଅତି ଦାନେ ବଳି ରାଜା ଧନ ।

ଅତିଶୟ ମାନ କଲେ ହୁଏ ଅପମାନ,

ବୋଲେ ଜଗନ୍ନାଥ ଉଠ ତେଜି ଅଭିମାନ ॥’’

 

ଓଡ଼ିଆ ସାହିତ୍ୟରେ ଓଡ଼ିଆ କବିଙ୍କ ଦୃଷ୍ଟିରେ ଶ୍ରୀରାଧା ଭକ୍ତିମତୀ, ପରମ ଆରାଧ୍ୟ ଶ୍ରୀକୃଷ୍ଣଙ୍କ ନିକଟରେ ସେ ନିଜକୁ ଉତ୍ସର୍ଗ କରି ଧନ୍ୟା ହୋଇଛନ୍ତି । ସେ କାହାର ଦେହଜପ୍ରେମିକା ନୁହନ୍ତି- ପ୍ରେମର ବଶବର୍ତ୍ତୀ ସତ, କିନ୍ତୁ ସେଥିରେ ଭକ୍ତି, ସମର୍ପଣ ଓ ଆତ୍ମୀୟତାର ଆଲିଙ୍ଗନ ରହିଥାଏ । ଶ୍ରୀରାଧା ଓଡ଼ିଆ କାବ୍ୟ ସାହିତ୍ୟରେ ଅନେକ ଶତାବ୍ଦୀ ଧରି ବିଶିଷ୍ଟ ଭୂମିକା ଗ୍ରହଣ କରି ଆସିଛନ୍ତି । କବି ଜଗନ୍ନାଥ ପାଣି ପ୍ରେମମୟୀ ଶ୍ରୀରାଧାଙ୍କୁ ତାଙ୍କ ‘ବ୍ରଜମନୋହର’ ଗ୍ରନ୍ଥରେ ଅତିମାନସୀ ସ୍ତରକୁ ଘେନିଯାଇଛନ୍ତି । ତାଙ୍କୁ କୁଳ ହୁଡ଼ିବା ଅପବାଦରେ କଳଙ୍କିତା କରାନଯାଉ, ଏହା ଯେପରି ଶ୍ରୀରାଧାଙ୍କ ଦୃଢ଼ୋକ୍ତି ମନେହୋଇଛି-

 

‘‘ଯେଉଁ ମନୋହର ସ୍ତୁତିବନ୍ତ ଦେଖି

ଅନଙ୍ଗ ହେଲା ମୋହିତ,

ଅବଳା ହୋଇକି ଧୈର୍ଯ୍ୟ ବଳାଇବି

ଯହିଁ ନ ରହିବ ସତୀବ୍ରତ ଗୋ ସଜନୀ ।’’

 

ଭକ୍ତ ଭଗବାନ ସମ୍ପର୍କରେ ବାନ୍ଧି ହୋଇପଡ଼ିବା ସହଜ ନୁହେଁ ଶ୍ରୀକୃଷ୍ଣ ଅବିଚଳିତ ଭାବରେ ଆପଣା ସ୍ଥାନରେ ଅଧିଷ୍ଠିତ ହୋଇଥିବାବେଳେ କିଏ ତାଙ୍କୁ ବିଚଳିତ କରିପାରନ୍ତା ! ଯେଉଁ ଦିନରୁ ପ୍ରେମ- ବାତୁଳୀ ରାଧା ତାଙ୍କୁ ଦର୍ଶନ କରିସାରିଲେଣି, ସେହିଦିନୁ ତାଙ୍କ ସାନିଧ୍ୟ ପାଇଁ ବ୍ୟାକୁଳା-। କିନ୍ତୁ କୁଳହୁଡ଼ି ଅନ୍ୟ ପଥରେ ଯାତ୍ରୀ ହେବା ପାଇଁ ସେ ଆଦୌ ବ୍ୟଥିତ ହୋଇନାହାନ୍ତି । ତାଙ୍କ ପ୍ରତି ସେ ପ୍ରେମ-ନୈବେଦ୍ୟ ଅର୍ପଣ କରିବାକୁ ପ୍ରସ୍ତୁତ । ଯାହାଙ୍କ ନିକଟରେ ନିଜେ ନିକଟତର ହୋଇସାରିଛନ୍ତି, ଯାହାଙ୍କୁ ପ୍ରାଣର ପ୍ରିୟତମ ରୂପେ ଗ୍ରହଣ କରି ସାରିଛନ୍ତି, ଦୂରେଇ ଆସନ୍ତେ କିପରି-? କୃଷ୍ଣଙ୍କ ସ୍ପର୍ଶରେ ରାଧାଙ୍କର ମୋକ୍ଷପ୍ରାପ୍ତି - ରାଧା ଚିରକାଳ ଭକ୍ତିମତୀ ହୋଇ ରହନ୍ତୁ, ଏହା ତାଙ୍କର ଅଭିଳାଷ । ରାଧା ଅଭିସାରିକା ସାଜିବାରେ ଦ୍ୱିଧା ନାହିଁ- ସେ ସେଇଠି ନିଜକୁ ସଂପୂର୍ଣ୍ଣ ହଜାଇ ଦେବାରେ ଆତ୍ମବିଭୋର । ଏହି ମର୍ମରେ କବି ଜଗନ୍ନାଥ ପାଣି ତାଙ୍କ ‘ବ୍ରଜମନୋହର’ କାବ୍ୟରେ ଲେଖିଛନ୍ତି-

 

‘‘ଦୀନବନ୍ଧୁ ତନୟା ତଟରେ            ପଡ଼ିଗଲେ ଯେ ଦିନୁ ଭେଟରେ

ସେ ଦିନୁ ମୋ ମନ ଧ୍ୟାନ ଚଇତନ୍ୟ

ରହିଅଛି ତାଙ୍କ ନିକଟରେ ଗୋ ସଜନୀ ।’’

 

ରାଧାତତ୍ତ୍ୱକୁ କବି ଅତ୍ୟନ୍ତ ପ୍ରାଞ୍ଜଳ ଭାବରେ ତାଙ୍କ କାବ୍ୟରେ ବର୍ଣ୍ଣନା କରିଛନ୍ତି । ପ୍ରେମମୟୀ ଓ ଭକ୍ତିମତୀ ଶ୍ରୀରାଧାଙ୍କୁ ପ୍ରତୀକ କରି, କବି ଲେଖନୀ ଚଳଚଞ୍ଚଳ ହୋଇଉଠିଛି- ‘ମାନଭଞ୍ଜନ’ ଛାନ୍ଦନାଟ୍ୟରୁ କେଇଧାଡ଼ି-

 

‘‘ଆଲୋ ଲୋ କଳଙ୍କ କୁଳେ ଲଗାଇଲୁ କାଳି,

ପୋଡ଼ୁ ପୋଡ଼ୁ କଳାପୋଡ଼ା ପ୍ରୀତି ବାରୁଆଳି ।

ଧିକ୍‌ ଧିକ୍‌ ମାତା-ପିତା ଧିକ୍‌ ତୋ ଜନମ,

ଧିକ୍‌ ଧିକ୍‌ କୃଷ୍ଣପ୍ରୀତି ଧିକ୍‌ ତୋ ଜୀବନ ।

ଛି ଛି ଏଡ଼େ ଅଲଜ୍ଜ୍ୟା ଲୋ ଲାଜନାହିଁ ତୋତେ,

ପତିଛାଡ଼ି ମାତିଅଛୁ ଭଣଜା ସଙ୍ଗତେ ।’’

 

କବିଙ୍କ ରଚିତ କାବ୍ୟଗୁଡ଼ିକ ମଧ୍ୟରେ ‘ପ୍ରମୋଦ ଚନ୍ଦ୍ରମଣି’ ହେଉଛି ମହାକାବ୍ୟ । ଏହି କାବ୍ୟ ରଚନାରେ କବି ଜଗନ୍ନାଥ, କବିସମ୍ରାଟ ଉପେନ୍ଦ୍ରଙ୍କୁ ଅନୁସରଣ କରିଛନ୍ତି । ଭଞ୍ଜୀୟ ଶୈଳୀରେ ଏହା ରଚିତ ହୋଇଛି । ସାରଳା ମହାଭାରତରୁ ଆଖ୍ୟାୟିକା ଆଣି କାବ୍ୟର ବିଷୟବସ୍ତୁ କରିଥିବାବେଳେ ଲିଖନ ଶୈଳୀଟି ହୋଇଛି ଭଞ୍ଜୀୟ । ଏହି କାବ୍ୟଗ୍ରନ୍ଥରେ ଚଉତିଶାର ଧର୍ମ ରକ୍ଷିତ ହୋଇଛି । ଓଡ଼ିଆର ବର୍ଣ୍ଣମାଳାକୁ ଆଦ୍ୟରେ ରଖାଯାଇଛି । ଏଥିରେ ‘କ’ ରୁ ‘କ୍ଷ’ ଯାଏଁ ବ୍ୟବହୃତ ହୋଇଛି । କବି ଆଦ୍ୟାନୁପ୍ରାସ ପ୍ରୟୋଗର ସାଧକ-କାର୍ଯ୍ୟରେ ସିଦ୍ଧହସ୍ତ ଏଥିରୁ ପ୍ରମାଣିତ ହୁଏ । ନିଜର ଭଣିତା କରିବାବେଳେ, ସେ ଓଡ଼ିଆ ବର୍ଣ୍ଣମାଳାର ‘କ୍ଷ’ ଶେଷ ଅକ୍ଷରକୁ ଆଦ୍ୟରେ ପ୍ରୟୋଗ କରିଛନ୍ତି ।

 

‘‘କ୍ଷେତ୍ରଜ୍ଞ ମୋ ନାମ ଜଗନ୍ନାଥ ପାଣି ସୌକ୍ଷ,

କ୍ଷୋଣ ନୋହେ କବି ପଣ ବେନି ଅର୍ଥେ ଦକ୍ଷ ହେ ।

କ୍ଷିତି ନଳାଙ୍ଗ ନିଳୟା ମଳୟା ବଳାକ୍ଷ,

କ୍ଷୁଦ୍ର ବୁଦ୍ଧି ନିଷେଧି ରହିଛି ସାଧି ଯକ୍ଷ ହେ ।’’

(ପ୍ରମୋଦ ଚନ୍ଦ୍ରମଣି)

 

ଓଡ଼ିଆ ଭାଷାରେ ଚଉତିଶା ରଚିତ ହୋଇଛି । କବିମାନେ ଚଉତିରିଶ ପଦ ସଂଯୋଜନା କରିବାର ଦକ୍ଷତା ପ୍ରମାଣିତ କରିଥିବା ଲକ୍ଷ୍ୟ କରାଯାଇଛି । ମାତ୍ର ଏପରି କଳା କୌଶଳ ବିମଣ୍ଡିତ ଚଉତିଶା ରଚନା କରାଯିବା କୌଣସି କବିଙ୍କପକ୍ଷେ ସମ୍ଭବପର ହୋଇନଥିଲା । ଚଉତିଶା ହେଉଛି ଗୀତି କବିତାର ଏକ ରୂପ-ଏକ ଅଂଶ । ଗୀତିକବିତାର କ୍ରମ ବିକାଶରେ ଆଦ୍ୟ ଓକାର ଧ୍ଵନି ଶୁଣାଯାଇଥିଲା, ଢଗଢମାଳି, ଲୋକବାଣୀ, ଗ୍ରାମ୍ୟଗୀତି, ଲୋକଗୀତି ତଥା ଓଡ଼ିଆ ପରିବାରର କାନ୍ଦଣାରୁ । ଚଉତିଶାର ବିଶେଷତ୍ୱ ହେଉଛି, ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ବର୍ଣ୍ଣମାଳାର କ୍ରମ ଅନୁସାରେ କାବ୍ୟ ରଚିତ ହୋଇନଥିବାବେଳେ, ଆମ ଭାଷାରେ ରଚିତ ଏପରି ଧରଣର ଚଉତିଶା ଦୃଷ୍ଟିଗୋଚର ହୋଇଥାଏ । ଏପରି ଚଉତିଶା କେବେ ରଚିତ ହେଲା, ତା’ର ସଠିକ୍‌ ସୂଚନା କିଛି ମିଳୁନଥିଲେ ହେଁ, ଖ୍ରୀଷ୍ଟିୟ ପଞ୍ଚଦଶ ଶତାବ୍ଦୀ ସମୟରେ ଏହିପରି ରଚନା ଲିଖିତ ହୋଇଥିବା ଅନୁମାନ କରାଯାଏ । କବି ବଚ୍ଛା ଦାସ ହେଉଛନ୍ତି ‘କଳସା ଚଉତିଶା’ ର ରଚୟିତା । ଏହା ଅତ୍ୟନ୍ତ ପ୍ରାଚୀନତମ କାବ୍ୟ ବୋଲି, ପ୍ରାଚୀ ସାହିତ୍ୟ ସମିତି ସଙ୍ଗଠନର ପୁରୋଧା ପ୍ରଖ୍ୟାତ ଗବେଷକ ପ୍ରଫେସର ଡ. ଆର୍ତ୍ତବଲ୍ଲଭ ମହାନ୍ତି ମତଦେଇ କହନ୍ତି ଯେ, ‘‘ବଚ୍ଛାଦାସଙ୍କ ପ୍ରଣୀତ ‘କଳସା ଚଉତିଶା’ ପୂର୍ବରୁ ଓଡ଼ିଆ ଭାଷାରେ ଅନ୍ୟ କୌଣସି ଖଣ୍ଡକାବ୍ୟ ରଚିତ ହୋଇଥିବା ଦୃଷ୍ଟିଗୋଚର ହୁଏ ନାହି ।’’ (ପ୍ରାଚୀନ ଗଦ୍ୟ ପଦ୍ୟାଦର୍ଶ)

 

ଏଇଠି ଲକ୍ଷ୍ୟ କରିବାର ପ୍ରସଙ୍ଗ ଯେ, ବଚ୍ଛା ଦାସଙ୍କ ପରବର୍ତ୍ତୀ ସମୟରେ ଯେଉଁ ତଉତିଶା ରଚିତ ହେଲା, ସେତେବେଳକୁ ଏହି ରଚନା ପାଇଁ ବିଷୟବସ୍ତୁ ରୂପେ, ରାମଚନ୍ଦ୍ର ଓ ସତୀସୀତାଙ୍କ ସହିତ, ପ୍ରେମମୟୀ ରାଧା ଓ କୃଷ୍ଣଙ୍କ ଆଖ୍ୟାୟିକା ଗ୍ରହଣ କରାଗଲା । କେତେକ କ୍ଷେତ୍ରରେ ନାୟକ ନାୟିକା ରୂପେ କାଳ୍ପନିକ ଚରିତ୍ର ସୃଷ୍ଟି କରାଯାଇଥିବା ଲକ୍ଷ୍ୟ କରାଯାଏ । ଏହା ପୂର୍ବରୁ ଚଉତିଶା ରଚନାରେ କେବଳ ହର ଓ ପାର୍ବତୀଙ୍କୁ ଆଧାର କରାଯାଇଥିଲା । ଓଡ଼ିଆରେ ଚଉତିଶା ରଚନା ଦିଗରେ ନାରାୟଣ ପଟ୍ଟନାୟକ, ବାସୁଦେବ ପଟ୍ଟନାୟକ, ରାମଚନ୍ଦ୍ର ଦାସ, ଲୋକନାଥ ବିଦ୍ୟାଧର, କୃଷ୍ଣଚନ୍ଦ୍ର ରାଜେନ୍ଦ୍ର, ବୃନ୍ଦାବନ ପଟ୍ଟନାୟକ, ତିଗିରିଆ ମାନଧାତା, ବିପ୍ର ଦାଶରଥ ଦାସ ଓ ଗୋପୀନାଥ ହରିଚନ୍ଦନ ପ୍ରମୁଖ ସ୍ମରଣୀୟ । କବି ଜଗନ୍ନାଥ ପାଣି ଚଉତିଶା ରଚନାରେ ନିଜର ଦକ୍ଷତା ପ୍ରଦର୍ଶନ କରି କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପରି ଓଡ଼ିଆ କାବ୍ୟ ସାହିତ୍ୟରେ ଚମତ୍କାରିତା ପ୍ରଦର୍ଶନ କରି ପାରିଥିଲେ ।

 

ପ୍ରାଚୀନ କାବ୍ୟ ସାହିତ୍ୟରେ ନାୟିକାର ଚିତ୍ରଣରେ ନାରୀର ଅଙ୍ଗପ୍ରତ୍ୟଙ୍ଗକୁ ସ୍ଥାନ ଦିଆଯାଇଥାଏ । କବି ପାଣି ‘ଚଉପଦୀ-ରତ୍ନାବଳୀ’ରେ ଏହା ଅନୁକରଣ କରିଛନ୍ତି । ପୁରାତନ ଆଖ୍ୟାୟିକା, ପୌରାଣିକ ଓ ଐତିହାସିକ କଥାବସ୍ତୁ ପ୍ରତି କବିଙ୍କର ଥିଲା ଅଶେଷ ଶ୍ରଦ୍ଧା । ତାଙ୍କ ‘ଗୁଣ୍ଡିଚା ବିଜେ’ କାବ୍ୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରୀତି ଓ ପରମ୍ପରା ବର୍ଣ୍ଣନାରେ ସେ ସଫଳ ହୋଇଛନ୍ତି । ଜଗନ୍ନାଥଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ବିଶ୍ଵ ପ୍ରସିଦ୍ଧ । ଶ୍ରୀଜଗନ୍ନାଥଙ୍କ କରୁଣା ଓ ଉଦାରତା ପ୍ରତି ସମଗ୍ର ବିଶ୍ଵର ଶ୍ରଦ୍ଧା ଓ ଭକ୍ତି ଅତୁଳନୀୟ । ସେହି ରଥଯାତ୍ରାକୁ ଆଧାରକରି ଓଡ଼ିଆ ଭାଷାରେ ବହୁ କାବ୍ୟ କବିତା ରଚିତ ହୋଇଥିଲେ ହେଁ, କବି ପାଣିଙ୍କ ବର୍ଣ୍ଣିତ ଏହି ଯାତ୍ରାର ଦୃଶ୍ୟ ବେଶ୍‌ ଆକର୍ଷଣୀୟ । ସର୍ବୋପରି ହେରାପଞ୍ଚମୀ ଅବସରରେ ମହାଲକ୍ଷ୍ମୀଙ୍କ କ୍ରୋଧମିଶ୍ରିତ ଅଭିମାନ, କବିଙ୍କ ଲେଖନୀରେ ଜୀବନ୍ତ ରୂପେ ଚିତ୍ରିତ ହୋଇଛି । ବାହୁଡ଼ା ବିଜୟ ପରବର୍ତ୍ତୀ କାଳରେ ଲକ୍ଷ୍ମୀଙ୍କ ମାନଭଞ୍ଜନ ହୋଇଛି । ଏହି ମାନଭଞ୍ଜନରେ ଶ୍ରୀଜଗନ୍ନାଥ ପ୍ରମୁଖ ଭୂମିକା ନେଇଥିବା, ଯେଉଁ ଆଖ୍ୟାୟିକା ରହିଛି, ତା’ରି ପୃଷ୍ଠଭୂମିରେ, କବି ପାଣି, ଏହି ଦୃଶ୍ୟ ବର୍ଣ୍ଣନା କରିଛନ୍ତି ।

 

କୋଇଲି ସାହିତ୍ୟ ଆଧାରରେ ସେ ‘ଯଶୋଦା- କୋଇଲି’ ରଚନା କରିଥିଲେ । ଆତ୍ମୀୟ ଓ ଅନ୍ତରଙ୍ଗ ସ୍ଵରରେ ଅବ୍ୟକ୍ତ ଭାବରାଜିକୁ, ଅତି ଆପଣାର ଶ୍ରଦ୍ଧାଭାଜନ ନିକଟରେ ପ୍ରକାଶ କରିବା ପାଇଁ କୋଇଲି ହେଉଛି ଏକମାତ୍ର ମାଧ୍ୟମ । ଏହି ସ୍ଵରରେ ବ୍ୟଥା, ବନ୍ଧନ କି ପ୍ରତିବନ୍ଧକ ନଥାଏ କିମ୍ବା ବିସ୍ମୟକର ସ୍ଵର ସମ୍ପଦ ନ ଥାଏ । ବରଂ ଚନ୍ଦ୍ରାଲୋକର ଶୀତଳତା ମନ-ପ୍ରାଣରେ ଅଲୌକିକ ପୁଲକ ଭରି ଦେଇଥାଏ । ଏଥରେ ପାଇବା ଅପେକ୍ଷା, ଦାନର ସ୍ଵପ୍ନ ଅଧିକ ଥାଏ । ତେଣୁ ଏହା ମଣିଷର ଅତି ପ୍ରିୟ-ଆପଣାର । ଭାରତ ବର୍ଷରେ ଓଡ଼ିଆ ସାହିତ୍ୟ ବ୍ୟତୀତ ଅନ୍ୟ କୌଣସି ଭାଷା ଓ ସାହିତ୍ୟରେ ଏପରି କୋଇଲିକୁ କେନ୍ଦ୍ରକରି ସାହିତ୍ୟ ସୃଷ୍ଟି ହୋଇଥିବା ଦେଖାଯାଏ ନାହିଁ । କିନ୍ତୁ ଜୀବଜନ୍ତୁକୁ ଭିତ୍ତିକରି ସାହିତ୍ୟ ସୃଷ୍ଟି ହୋଇଥିବା କାଁ ଭାଁ ଲକ୍ଷ୍ୟ କରାଯାଇଥାଏ । କୋଇଲି ଅନ୍ୟ କୌଣସି ସାହିତ୍ୟରେ ଏପରି କେନ୍ଦ୍ରବିନ୍ଦୁ ହୋଇନଥବାରୁ, ଓଡ଼ିଆ କାବ୍ୟ ସାହିତ୍ୟରେ କୋଇଲି । ଭିତ୍ତିକ ରସାଳ ରଚନା ଅତ୍ୟନ୍ତ ଆକର୍ଷଣୀୟ । ତେଣୁ କୋଇଲି ଚଉତିଶାର ଭାବ ଅତ୍ୟନ୍ତ ବାସ୍ତବ- ନୈସର୍ଗିକ । ଏଥିରେ ବ୍ୟବହୃତ ଭାଷା ଓ ଭାବ ଅତ୍ୟନ୍ତ ଚିତ୍ତାକର୍ଷକ । ଉଦାହରଣ ସ୍ଵରୂପ କବି ପାଣିଙ୍କ ରଚନାର ଏକ ଅଂଶବିଶେଷ ଏଠାରେ ଦିଆଯାଇପାରେ-

 

‘‘ଝର ପ୍ରାୟେ ଝରଝର

ଝରୁଅଛି ନୟନରୁ ନୀର,

ଝଳି ଶରଦଚନ୍ଦ୍ର ଆନନ

କୋଇଲି ।

ଝିମିଟେ ଆଉ ନ କଲି ଦର୍ଶନେ ଲୋ

ଝାସିବି ଗଙ୍ଗାସାଗରେ ଯାଇ ।

କୋଇଲି ।

ଝୀନ ବସନିଆ ପାଇବି କାହିଁ ଲୋ !’’

(‘ଯଶୋଦା-କୋଇଲି’)

 

କୋଇଲିକୁ ଦୂତ କରି କବି ଦୂତକାବ୍ୟ ରଚନା କରିଛନ୍ତି । କବି ପାଣି ମଧ୍ୟ ସେହି ଧାରା ଅନୁସରଣରେ କାବ୍ୟ ରଚନା କରିଥିବା ଲକ୍ଷ୍ୟ କରାଯାଏ । କାବ୍ୟ କବିତାରେ ପକ୍ଷୀର ଭୂମିକା ଅତୁଳନୀୟ । ତାକୁ ଦୂତ ମନେକରି କବି ପାଣି, ଦୂରକୁ ଏହି ବାର୍ତ୍ତା ପ୍ରେରଣ କରିବା ଉଦ୍ଦେଶ୍ୟରେ ଲେଖିଛନ୍ତି-

‘‘ଅଳି ତା’ର ନ ସହିଲି,

ଅଣ ଆଦର ବହୁତ କଲି ।

ଅବା ଏ ଦୋଷ ଘେନିଣ ମୋର,

କୋଇଲି,

ଆଉ ନଇଲେ ସେ ମୁରଲୀଧର ଲୋ ।’’

କ୍ଷଣେ ସେ ଯେଉଁ ସୁଖ ଦିଅଇ

କୋଇଲି,

କ୍ଷୁଦ୍ରବୁଦ୍ଧି ଜଗନ୍ନାଥ କହଇ ଲୋ ।’’

 

କବି ଜଗନ୍ନାଥ ପାଣି ପାଲା-ସାହିତ୍ୟ ରଚନାରେ ଥିଲେ ସିଦ୍ଧହସ୍ତ । ଓଡ଼ିଆ ପାଲାର ପ୍ରବର୍ତ୍ତକ କବିକର୍ଣ୍ଣ ହେଉଛନ୍ତି କବି ପାଣିଙ୍କର ପାଲା ରଚନା କ୍ଷେତ୍ରରେ ଦିଗ୍‌ଦର୍ଶକ । ସେ ସର୍ବପ୍ରଥମ ଓଡ଼ିଆ ଭାଷାରେ ପାଲା ରଚନା କରି ସ୍ମରଣୀୟ ହୋଇଛନ୍ତି । ବଙ୍ଗଳା ଭାଷାରେ, ଓଡ଼ିଆ ତୁଳନାରେ ବହୁ ପୂର୍ବରୁ ବଙ୍ଗ ପ୍ରଦେଶରେ ପାଲାର ପ୍ରଚଳନ ହୋଇଥିବା ଜଣାଯାଏ । ପଞ୍ଜାବ ପ୍ରଦେଶରେ ‘ପଞ୍ଚପୀର’ ପୂଜା ସର୍ବପ୍ରଥମ ଆରମ୍ଭ ହୋଇଥିବା କୁହାଯାଏ । ପରବର୍ତ୍ତୀ କାଳରେ ପଞ୍ଚଦଶ ଶତାବ୍ଦୀରେ କିମ୍ବା ଚତୁର୍ଦ୍ଦଶ ଶତାବ୍ଦୀର ଶେଷ ଭାଗରେ ବଙ୍ଗ ପ୍ରଦେଶରେ ଏହି ପାଲା ପ୍ରଚଳିତ ହେଲା । ବଙ୍ଗ ଭାଷା ସାହିତ୍ୟର ପାଲା ରଚୟିତା ରୂପେ ଦ୍ୱିଜେବିଶେଶ୍ଵର, ଦ୍ୱିଜ ରାମକୃଷ୍ଣ କବିଚନ୍ଦ୍ର, ଶଙ୍କର ଆଚାର୍ଯ୍ୟ, ଅଯୋଧ୍ୟା ରାମରାୟ, ରାମେଶ୍ୱର ଓ ଫକୀରରାମ ଦାସ ପ୍ରମୁଖ ସୁନାମ ଅର୍ଜନ କରିଛନ୍ତି । ସେମାନେ ହେଉଛନ୍ତି ଓଡ଼ିଆ ପାଲା ଲେଖକ କବିକର୍ଣ୍ଣଙ୍କ ପ୍ରେରଣାର ଉତ୍ସ । ସର୍ବପ୍ରଥମ ଓଡ଼ିଆ ପାଲାର ଲେଖକ କବିକର୍ଣ୍ଣ ଖ୍ରୀଷ୍ଟିୟ ସପ୍ତଦଶ ଶତାବ୍ଦୀର ବୋଲି ଗବେଷକମାନେ ମତ ଦିଅନ୍ତି । କବିକର୍ଣ୍ଣ ଓଡ଼ିଆ ସମାଜ ଓ ପରିବାରରେ ‘ସତ୍ୟନାରାୟଣ ପାଲା’ର ପ୍ରବର୍ତ୍ତକ । ତାଙ୍କ ପ୍ରେରଣାରେ ଉଦ୍‌ବୁଦ୍ଧ ହୋଇ, ଦ୍ଵିଜ ବିଶ୍ଵନାଥ, କବି ବଲ୍ଲଭ, ଦ୍ୱିଜ ବିଶ୍ଵମ୍ଭର, ଭୃଗୁରାମ ଓ ଦ୍ୱିଜ ବାସୁଦେବ ପ୍ରମୁଖ ଯେଉଁ ପାଲା ରଚନା କରିଥିଲେ, ତାହା ଓଡ଼ିଆ ଓ ବଙ୍ଗଳା ମିଶ୍ରିତ ଭାଷାର ରଚନା ବୋଲି ଜଣାଯାଏ । କେହି କେହି ମଧ୍ୟ ଶୁଦ୍ଧ ଓଡ଼ିଆ ଭାଷା ପ୍ରୟୋଗରେ ପାଲା ରଚନା କରିଥିବା ଦେଖାଯାଏ । ତେବେ ଯାହାହେଉ, କବି ଜଗନ୍ନାଥ ପାଣି ‘ପାଲା’ ରଚନା କଲାବେଳକୁ ଓଡ଼ିଆ ଭାଷାରେ ପାଲା ରଚନାର ଏକ ସୁସ୍ଥ ପରମ୍ପରା ସୃଷ୍ଟି ହୋଇ ସାରିଲାଣି । ସେହି ଧାରା ଅନୁସରଣରେ ତାଙ୍କ ପାଲା ରଚନା ଆରମ୍ଭ ହୋଇଥିଲା । କବି ପାଣିଙ୍କ ଲିଖିତ ‘ଶଶୀଜିତ ବିଭା’ ପାଲା ତାଙ୍କ ପାଲା ରଚନାର ଦକ୍ଷତା ପ୍ରତିପାଦନ କରିଥାଏ । ଏହା ଏକ ଆଖ୍ୟାୟିକା ଉପରେ ରଚିତ । କାମଜିତ ଥିଲେ କର୍ଣ୍ଣାଟକର ରାଜା । ସେ ନିଃସନ୍ତାନ ଥିଲେ । ସତ୍ୟନାରାୟଣଙ୍କୁ ପୂଜାକରି, ପୁତ୍ରଟିଏ ପାଇଲେ । ସେହି ପୁତ୍ରର ନାମ ରଖାଗଲା ଶଶୀଜିତ୍‌ । ସେହି ସତ୍ୟନାରାୟଣଙ୍କ କୃପାରୁ ରାଜପୁତ୍ର ଶଶୀଜିତ୍‌ ପକ୍ଷୀରାଜ ଘୋଡ଼ା ପାଇବାର ସୌଭାଗ୍ୟ ଲାଭକଲେ । କାମମୋହିନୀ ନାମକ ଏକ ରାଜକନ୍ୟା ଥିଲେ । ସେ ହେଉଛନ୍ତି କାଉଁରୀ ଦେଶ ରାଜାଙ୍କ ଅସାମାନ୍ୟ ସୁନ୍ଦରୀ କନ୍ୟା । ତାଙ୍କୁ ଶଶୀଜିତ୍‌ ବିବାହ କରିଥିଲେ । ସେଥିରେ ଅନ୍ୟାନ୍ୟ ବର୍ଣ୍ଣନା ସହିତ, ସମ୍ପ୍ରଦାୟର ସମନ୍ୱୟ ଅଣାଯାଇଥିବା ଲକ୍ଷ୍ୟ କରାଯାଏ । ହିନ୍ଦୁ-ମୁସଲମାନ ଭିତରେ ଗଢ଼ି ଉଠିଥିବା ବନ୍ଧୁତ୍ୱପୂର୍ଣ ସମ୍ପର୍କକୁ କବି ପାଣି ଏହି ପାଲାରେ ଗୁରୁତ୍ୱ ଦେଇଛନ୍ତି । ସେଥିପାଇଁ ଦୁଇ ସମ୍ପ୍ରଦାୟ ଏହି ପାଲାକୁ ଉପଭୋଗ କରିଥାଆନ୍ତି । କବିଙ୍କ ଭାଷାରେ-

 

‘‘ରାଜାର ବଚନ ଶୁଣି ଭୁବନ ଈଶ୍ଵର

ବୋଲନ୍ତି ବସତି ଦ୍ଵାରବତୀ ମଦିନାର ।

ରାମ ରହୀମନ ବେନି ଧର୍ମ ପରିଚାର

ନାମ ସତ୍ୟନାରାୟଣ ଶୁଣ ନୃପବର ।’’

 

ପୁନଶ୍ଚ ସମ୍ପ୍ରଦାୟର ଉର୍ଦ୍ଧ୍ୱରେ ରହି, ସେ ଲେଖି ପାରିଛନ୍ତି-

 

‘‘ଜଗନ୍ନାଥ ବୋଲେ ଦେଖ ପ୍ରଭୁର ମହିମା,

କାହିଁ ରାଜପୁତ୍ର କାହିଁ ପାରାବାର ସୀମା ।

ଶରଣ ସୋଦର ହରି ଅରୁଣ ଚରଣେ

ନିରବଧି ଧ୍ୟାୟି ନିରବଂଶୀ ତେଣୁ ଭଣେ ।’’

 

ଦ୍ୱିଜ ବିଶ୍ଵନାଥଙ୍କ ପ୍ରଣୀତ ‘ସତ୍ୟ ନାରାୟଣ ଜନ୍ମ’ ପାଲାକୁ କବି ପାଣି ଗଭୀର ଭାବେ ଅନୁଧ୍ୟାନ କରିଥିବା ଜଣାଯାଏ । କବି ଜଗନ୍ନାଥ ପାଣି ଲେଖିଛନ୍ତି ଛାନ୍ଦନାଟ୍ୟ ଚଉତିଶା, ପାଲା, ପ୍ରହସନ ଓ କାବ୍ୟ-କବିତା ଆଦି । ଲୋକନାଟ୍ୟକାର ରୂପେ କବି ପାଣି ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି । ସବୁସତ୍ତ୍ୱେ ତାଙ୍କଠାରେ ଥିବା ବିଭୁଦତ୍ତ କବି ପ୍ରତିଭାକୁ ଅସ୍ଵୀକାର କରାଯାଇ ନପାରେ । ଓଡ଼ିଆ ଗୀତିନାଟ୍ୟ କ୍ଷେତ୍ରରେ ବିଶେଷ ପ୍ରସିଦ୍ଧି ଲାଭ କରିଥିବା କବି ବୈଷ୍ଣବ ପାଣି କବି ଜଗନ୍ନାଥ ପାଣିଙ୍କ ଦ୍ଵାରା ବହୁଭାବରେ ଅନୁପ୍ରାଣିତ ହୋଇ ପାରିଥିବା ସ୍ଵୀକାର କରିଛନ୍ତି । ତାହାହିଁ କବି ଓ ନାଟ୍ୟକାର ଜଗନ୍ନାଥଙ୍କ ପ୍ରତିଭା ପରିଚୟର ସର୍ବଶ୍ରେଷ୍ଠ ପରିଚୟ ।

 

ସହାୟକ ଗ୍ରନ୍ଥରାଜି

୧.

ଜଗନ୍ନାଥ ପାଣି ଗ୍ରନ୍ଥାବଳୀ : ରାଜ୍ୟ ସଂସ୍କୃତି ବିଭାଗ, ଭୁବନେଶ୍ଵର ।

୨.

Hand book of poetics : by F.B. Gummer.

୩.

Typical selections from oriya literature - Ed. by B.C. Mazumdar (Vol-1), University of Kolkata.

୪.

ପାଣି ଆତ୍ମଜୀବନୀ : ବୈଷ୍ଣବ ପାଣି, (ନ୍ୟାସନାଲ ଲାଇଟ୍ରେରୀରୁ ସଂଗ୍ରହ ତଥ୍ୟ)

୫.

ସାହିତ୍ୟ ଦର୍ପଣ : ବିଶ୍ଵନାଥ କବିରାଜ ।

୬.

ଓଡ଼ିଶାରେ ଲୋକନୃତ୍ୟ ପାଲା : ୧୧ଶ ବର୍ଷ, ୯ମ ଓ ୧୦ମ ସଂଖ୍ୟା, ନବଜୀବନ ।

୭.

History of Oriya Literature : Dr. M. Mansing, Sahitya Akademi, New Delhi.

 

ମଂସୀଭି, ଭଦ୍ରକ

***

 

କୋଣାର୍କ ୧୬୬ତମ ସଂଖ୍ୟା

ଓଡ଼ିଆ ଯାତ୍ରାର ଅଗ୍ରଦୂତ : ଜଗନ୍ନାଥ ପାଣି

ଅଚ୍ୟୁତାନନ୍ଦ ସାମଲ

 

ଯାତ୍ରା ହେଉଛି ମନୋରଞ୍ଜନର ବଳିଷ୍ଠ ମାଧ୍ୟମ ଓ ସବୁଠାରୁ ଲୋକପ୍ରିୟ ପ୍ରଦର୍ଶନ । ସାଧାରଣତଃ ମୁକ୍ତମଞ୍ଚରେ ଅଭିନୟକୁ ଯାତ୍ରା କୁହାଯାଏ । ଜନସାଧାରଣ ଯାତ୍ରା ଦେଖିବା ପାଇଁ ସଦାସର୍ବଦା ବ୍ୟାକୁଳ । ଗ୍ରାମାଞ୍ଚଳ ହେଉ ବା ସହରାଞ୍ଚଳ ହେଉ ଯାତ୍ରାଦଳଟିଏ ତମ୍ବୁ ଟାଣିଲେ ଅପୂର୍ବ ଚଞ୍ଚଳତା ପ୍ରକାଶ ପାଏ ।

 

ପୂର୍ବରୁ ଏହି ଯାତ୍ରା ଦେୟଯୁକ୍ତ ଥିଲା । ମାତ୍ର ଏବେ ଅତ୍ୟାଧୁନିକ ଶୈଳୀର ଯାତ୍ରା ପରିବେଷଣ କରୁଥିବା ଯାତ୍ରାଦଳ ଟିକେଟ୍‌ କାଟି ନାଟ୍ୟ ପ୍ରଦର୍ଶନ କରୁଛନ୍ତି । ନାଟ୍ୟ ପ୍ରେମୀମାନେ ଅର୍ଥଶ୍ରାଦ୍ଧ କରି ତାହା ଦେଖିଛନ୍ତି ଓ ମନୋରଞ୍ଜନର ଖୋରାକ୍‌ ପାଉଛନ୍ତି ।

 

ପ୍ରାଚୀନ ଲୀଳା, ସୁଆଙ୍ଗ ଓ ଗୀତିନାଟ୍ୟର ହାତଧରି ଆଜିର ନାଟକ ଅତ୍ୟାଧୁନିକ ସ୍ତରରେ ପହଞ୍ଚି ପାରିଛି । ଆଜିର ଯାତ୍ରା ପ୍ରାଚୀନ ଅଭିନୟର ବିକଶିତ ରୂପ ।

 

ଭଦ୍ରକରେ ଓଡ଼ିଆ ଯାତ୍ରାର ଜନ୍ମତଜାକ ପ୍ରସ୍ତୁତ ହୋଇଛି ବୋଲି ଅନେକ ଯାତ୍ରା-ଗବେଷକ ମତ ଦିଅନ୍ତି । ପ୍ରକୃତରେ ଭଦ୍ରକ ହେଉଛି ଓଡ଼ିଆ ଯାତ୍ରାର ଅନ୍ତୁଡ଼ିଶାଳ ।

 

ଡଃ. ପଦ୍ମଲୋଚନ ମହାକୁଡ଼ କହନ୍ତି- ‘‘ଓଡ଼ିଆ ଯାତ୍ରା ସାହିତ୍ୟକୁ ଭଦ୍ରକ ଜିଲ୍ଲାର ଅବଦାନ ଅବିସ୍ମରଣୀୟ । ମୁକ୍ତମଞ୍ଚର ଯାତ୍ରାକଳାର ଅନ୍ତୁଡ଼ିଶାଳ : ଭଦ୍ରକ - ଏହା ଯାତ୍ରାଜଗତ ସହିତ ସର୍ବଜନବିଦିତ ।’’ (୧)

 

ଅନ୍ୟତମ ଆଲୋଚକ ଡଃ ଅଜୟ କୁମାର ମିଶ୍ର ମତ ଦିଅନ୍ତି ‘‘ଓଡ଼ିଆ ଯାତ୍ରା ଜଗତର ସୂତିକାଗୃହରେ ଯେଉଁ ସ୍ରଷ୍ଟାମାନଙ୍କ ମଙ୍ଗଳ ଧ୍ଵନି ଶୁଣା ଯାଉଥିଲା, ସେମାନେ ଆପାତତଃ ଭଦ୍ରକ ସାଂସ୍କୃତିକ ପରିମଣ୍ଡଳର ଜଣେ ଜଣେ ବିଚକ୍ଷଣ ବିନ୍ଧାଣୀ । ଏମାନଙ୍କଠାରୁ ଅତି ବିଚକ୍ଷଣ ଓ ଜ୍ୟେଷ୍ଠ ପ୍ରତିଭା ଥିଲେ କବି ବଂଶୀବଲ୍ଲଭ, ଯିଏ ଅତୁଳନୀୟ ପ୍ରତିଭା ବଳରେ ଓଡ଼ିଆ ଯାତ୍ରାଧାରାର ଷଠୀଘର ପ୍ରସ୍ତୁତ କରି ଏଥିରେ ନବସର୍ଜନର କଉଡ଼ି ବସାଇ ଦେଇ ଯାଇଛନ୍ତି । ଏମିତି ଅନେକ ଦୃଷ୍ଟି କୋଣରୁ ବିବେଚନା କଲେ, ଭଦ୍ରକକୁ ଓଡ଼ିଆ ଯାତ୍ରାର ଅନ୍ତୁଡ଼ିଶାଳ ଭାବରେ ପ୍ରମାଣିତ କରିବାରେ ଦ୍ୱିଧାବୋଧ କରାଯାଇ ନପାରେ।’’ (୨)

 

ଓଡ଼ିଆ ଯାତ୍ରା ଇତିହାସର ପୃଷ୍ଠା ଓଲଟାଇଲେ ୰ବଂଶୀବଲ୍ଲଭ ଗୋସ୍ଵାମୀ (୧୭୨୮)ଙ୍କ ରଚିତ ‘‘ମୋଗଲ ତାମସା’’ ଦୃଷ୍ଟିକୁ ଆସେ । ଶିବ ମନ୍ଦିର ସାମ୍ନାରେ ଏହି ତାମସାର ପ୍ରଦର୍ଶନ ସେତେବେଳଠାରୁ ଅଦ୍ୟାବଧି ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ ହେଉଛି ଏବଂ ଏପର୍ଯ୍ୟନ୍ତ ଲୋକପ୍ରିୟତା ହରାଇ ନାହିଁ । ଭଦ୍ରକର ୰ବଂଶୀବଲ୍ଲଭ ଗୋସ୍ଵାମୀ ହେଉଛନ୍ତି ଅନ୍ୟତମ ଆଦି ଲୋକନାଟ୍ୟକାର । ତାଙ୍କ ପରେ ଓଡ଼ିଆ ନାଟ୍ୟ ରଚନା କ୍ଷେତ୍ରରେ ଲୋକକବି ୰ଜଗନ୍ନାଥ ପାଣିଙ୍କ ନାମ ନିଶ୍ଚୟ ଚର୍ଚ୍ଚାକୁ ଆସିବ । ମୋଗଲ ତାମସା ରଚୟିତା ବଂଶୀବଲ୍ଲଭ ଅଭିନେତାମାନଙ୍କୁ ନେଇ ନାଟ୍ୟ ପ୍ରଦର୍ଶନ କରୁଥିବାବେଳେ ନଳାଙ୍ଗଠାରେ ଜନ୍ମିତ ୰ଜଗନ୍ନାଥ ପାଣି ସ୍ଵରଚିତ ଗୀତାଭିନୟକୁ ମୁକ୍ତମଞ୍ଚରେ ପରିବେଷଣ କରୁଥିଲେ । ବାସ୍ତବରେ ତାହା ଆଜିର ଯାତ୍ରାଭିନୟର ମୂଳଦୂଆ ଥିଲା ।

 

ପୁଣି ୰ଜଗନ୍ନାଥ ପାଣି (୧୮୩୬-୧୮୯୭) ହେଉଛନ୍ତି ଏକମାତ୍ର ପ୍ରଥମ ଯାତ୍ରାକାର ଯିଏ ଭ୍ରାମ୍ୟମାଣ ଯାତ୍ରାଦଳକୁ ନେଇ ବିଭିନ୍ନ ସ୍ଥାନରେ ଯାତ୍ରା ପ୍ରଦର୍ଶନ କରୁଥିଲେ । ଓଡ଼ିଆ ଯାତ୍ରାର ପ୍ରାରମ୍ଭିକ ପର୍ବରେ ସେଥିପାଇଁ ଜଗନ୍ନାଥ ପାଣିଙ୍କ ଭୂମିକା ଅନସ୍ଵୀକାର୍ଯ୍ୟ ।

 

ଡଃ ସଂଘମିତ୍ରା ମିଶ୍ର କହନ୍ତି- ‘‘ଜଗନ୍ନାଥ ପାଣି ହେଉଛନ୍ତି ଯାତ୍ରାକାର, ଯେ କି ଭ୍ରାମ୍ୟମାଣ ଯାତ୍ରାଦଳ ନେଇ ଓଡ଼ିଶାର ବିଭିନ୍ନ ସ୍ଥାନରେ ଯାତ୍ରା କରୁଥିଲେ।’’ (୩)

 

ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ଜଗନ୍ନାଥ ପାଣି । ଲୋକଙ୍କ ନିମନ୍ତେ ସୁନ୍ଦର କାବ୍ୟ କବିତା ରଚନା ପାଇଁ ତାଙ୍କୁ ଲୋକକବି କୁହାଯାଏ । ମାତ୍ର ନାଟ୍ୟ ରଚନା ଓ ପରିବେଷଣ ପାଇଁ ସେ ଆମ ରାଜ୍ୟ ଓଡ଼ିଶା ତଥା ଓଡ଼ିଶା ବାହାରେ ନିଜକୁ ପରିଚିତ କରାଇ ପାରିଥିଲେ । ତାଙ୍କ ଦ୍ଵାରା ରଚିତ ଗୀତାଭିନୟଗୁଡ଼ିକ ନୂତନ ଢଙ୍ଗରେ ପ୍ରଦର୍ଶିତ ହୋଇ ଅଗଣିତ ଜନତାଙ୍କୁ ଆକୃଷ୍ଟ କରୁଥିଲା । ମୁକ୍ତମଞ୍ଚର ଅଭିନୟ ପାଇଁ ଜଗନ୍ନାଥ ପାଣି ବାଣୀ ଓ ଠାଣିର ଅପୂର୍ବ ସଂଯୋଗ ସୃଷ୍ଟି କରିଥିଲେ ।

 

ବିଶିଷ୍ଟ ସମାଲୋଚକ ଡଃ ରମାକାନ୍ତ ରାଉତ ମତ ଦିଅନ୍ତି. ‘‘ଯେତେବେଳେ ଓଡ଼ିଆ ଯାତ୍ରା ଏକ ଅନ୍ଧକାର ଯୁଗରେ ପଦାର୍ପଣ କରୁଥିଲା ଏବଂ ନିରାଶାର ଘନାବର୍ତ୍ତ ଭିତରେ ପଥହରା ହୋଇ ଓଡ଼ିଶୀ ଅପେରା ବିଲୟ ଭଜୁଥିଲା, ଠିକ୍‌ ସେହି ସମୟରେ ବାଲେଶ୍ଵର ଏକ ଜ୍ୟୋତିରିଂଗଣ ଭଳି ଜୁକୁ ଜୁକୁ ହୋଇ କ୍ଷୀଣାଲୋକରେ ପାଶ୍ଵବର୍ତ୍ତୀ ଆସରକୁ କିୟତ ଆଲୋକିତ କରିଥିଲା । ଓଡ଼ିଶାର ଚରମ ଦୁର୍ବିପାକ ଓ ବିପର୍ଯ୍ୟୟବେଳେ ମଧ୍ୟ ବଂଶୀବଲ୍ଲଭଙ୍କ ମୋଗଲ ତାମସା, ଜଗନ୍ନାଥ ପାଣିଙ୍କ ଗୀତାଭିନୟ ଓଡ଼ିଆ ଯାତ୍ରା ଆସରକୁ କିଛି କାଳ ପାଇଁ ଉଷ୍ମମୁଖର କରି ରଖିଥଲା ।’’ (୪)

 

ମନୋରଞ୍ଜନଧର୍ମୀ ଗୀତାଭିନୟ ପ୍ରଦର୍ଶନର ପ୍ରଥମ ପଥ ପ୍ରଦର୍ଶକ ଥିଲେ ଜଗନ୍ନାଥ ପାଣି । ଖୋଲାମଞ୍ଚରେ ଅଭିନୟ ବେଳେ ସେ ଯେଉଁ ନୂତନ କୌଶଳ ଖଞ୍ଜିଥିଲେ, ତାହାକୁ ଉପଭୋଗ କରି ଶହ ଶହ ଦର୍ଶକ ମୁଗ୍ଧ ହେଉଥିଲେ । ଏକକାଳୀନ ଅନେକ ଅନେକ ଦର୍ଶକଙ୍କୁ ଆନନ୍ଦଦାନର ନବୀକରଣ ଥିଲା ତାଙ୍କ କୃତିତ୍ୱର ଆଉ ଏକ ପ୍ରମାଣ ।

 

ଯାଜପୁରର ଗୋପାଳ ଦାସ (ଉଡ଼େ) (୧୮୧୯-୧୮ ୫୯) ଯଦିଓ ଯାତ୍ରା ପ୍ରଦର୍ଶନ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ, ତାହା ପଶ୍ଚିମବଙ୍ଗର କୋଲକତାରେ ସୀମାବଦ୍ଧ ଥିଲା । ସେ ବଙ୍ଗଳା ଭାଷାରେ ସେ ସବୁକୁ ପ୍ରଚାର ଓ ପ୍ରସାର କରିଥିବା ଶୁଣାଯାଏ ।

 

ଏଠାରେ ରାଜ୍ୟ ଗବେଷଣାଗାରର ପୂର୍ବତନ କ୍ୟୁରେଟର ପଣ୍ଡିତ ନୀଳମଣି ମିଶ୍ରଙ୍କ ଉକ୍ତିଟିକୁ ଉଦ୍ଧାର କରାଗଲେ କଥାଟି ଅଧିକ ସ୍ପଷ୍ଟ ହେବ ।

 

ଶ୍ରୀ ମିଶ୍ର କହନ୍ତି- ‘‘ଗୋପାଳ ଉଡ଼େଙ୍କ ପରେ ଓଡ଼ିଆ ଯାତ୍ରାର ବିକାଶ ଦିଗରେ ଜଗନ୍ନାଥ ପାଣି ଦ୍ୱିତୀୟ ଉତ୍ତରସାଧକର କାର୍ଯ୍ୟନିର୍ବାହ କରିଛନ୍ତି । ଗୋପାଳ ଉଡ଼େଙ୍କ କୌଣସି ଓଡ଼ିଆ ରଚନା ଓଡ଼ିଶାରେ ଉପଲବ୍ଧ ହେଉନଥିବାରୁ ଜଗନ୍ନାଥ ପାଣିଙ୍କ ଓଡ଼ିଆ ନାଟକର ପ୍ରଥମ ରଚୟିତା ଓ ଓଡ଼ିଶାର ଯାତ୍ରା ଦଳର ପ୍ରଥମ ସଙ୍ଗଠକ ରୂପେ ଗ୍ରହଣ କରାଯାଏ।’’ (୫)

 

ଏହା ଅକ୍ଷରେ ଅକ୍ଷରେ ସତ୍ୟ । ଜୀବିକା ନିର୍ବାହ ପାଇଁ ହେଉ ବା ନିଜର କଳାକୁଶଳତା ପ୍ରଦର୍ଶନ ପାଇଁ ହେଉ ଭଦ୍ରକ ମାଟିରୁ ଜଗନ୍ନାଥ ପାଣି ହିଁ ପ୍ରଥମ ଯାତ୍ରାଦଳ ଗଠନ କରି ରାଜ୍ୟର ବିଭିନ୍ନ ସ୍ଥାନ ତଥା ରାଜ୍ୟ ବାହାରକୁ ଯାଇ ନାଟ୍ୟ ପ୍ରଦର୍ଶନ କରି ପ୍ରଶଂସିତ ହୋଇଛନ୍ତି ।

 

ସତ କହିଲେ ଯାତ୍ରା ହିଁ ଥିଲା ସେତେବେଳର ସାଧାରଣଜନତାଙ୍କ ପାଇଁ ଖୁସି ଖୁଣ୍ଟିବାର ଏକମାତ୍ର ମାଧ୍ୟମ । ନିର୍ଦ୍ଧାରିତ ସ୍ଥାନରେ ଶତ ସହସ୍ର ସଂଖ୍ୟାରେ ସମବେତ ହୋଇ ସେମାନେ ମୁକ୍ତାଙ୍ଗନରେ ଯାତ୍ରା ଦେଖୁଥିଲେ ।

 

ଜଗନ୍ନାଥ ପାଣି ଜଣେ ଚିନ୍ତାଶୀଳ ଓ ଅଭିଜ୍ଞ ଅଭିନେତା ଏବଂ ଦୂରଦୃଷ୍ଟିସଂପନ୍ନ ଯାତ୍ରାଦଳ କର୍ତ୍ତା ଥିଲେ । ବିଶୃଙ୍ଖଳାକୁ ଏଡ଼ାଇବା ପାଇଁ ସେ କଳାକାରମାନଙ୍କ ଠାରୁ ଏକରାରନାମା ଲେଖାଇ ସେମାନଙ୍କୁ ଚୁକ୍ତିବଦ୍ଧ କରାଇଥିଲେ ।

 

ଓଡ଼ିଆ ଯାତ୍ରା : ଉନ୍ମେଷ ଓ ଉତ୍ତରଣ ପୁସ୍ତକରେ ଡଃ ଅଜୟ କୁମାର ମିଶ୍ର ଲେଖିଛନ୍ତି- ‘‘ଯେତେଦୂର ମନେ ହୁଏ, ଯାତ୍ରାକାର ଜଗନ୍ନାଥ ପାଣି ଥିଲେ ଦଳ ଗଠନ ଦୃଷ୍ଟିରୁ ପ୍ରଥମ । ୧୮୬୫ ମସିହାରେ ସେ ଭଦ୍ରକର ନଳାଙ୍ଗଠାରେ ଯାତ୍ରାଦଳ ଗଠନ କରି ଏକରାରନାମା ଲେଖାଇ ଅଭିନେତାମାନଙ୍କୁ ନିଯୁକ୍ତ କରୁଥିଲେ । ନିଜ ଅଞ୍ଚଳ ସହିତ ସାରା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ତାଙ୍କ ଦଳ ଯାତ୍ରାଭିନୟ କରୁଥିଲା ।’’(୬)

 

ରାଜ୍ୟ ପର୍ଯ୍ୟଟନ, କ୍ରୀଡ଼ା ଓ ସଂସ୍କୃତି ନିର୍ଦ୍ଦେଶାଳୟ, ଓଡ଼ିଶା, ଭୁବନେଶ୍ୱରଙ୍କ ପକ୍ଷରୁ ୧୯୮୩ରେ ପ୍ରକାଶିତ ଜଗନ୍ନାଥ ପାଣି ଗ୍ରନ୍ଥାବଳୀର ପ୍ରଥମଖଣ୍ଡର ପୃ.୫୩୫ରୁ ୫୪୪ ପର୍ଯ୍ୟନ୍ତ ଚାରିଗୋଟି ଚୁକ୍ତିନାମାର ଅବିକଳ ନକଲ ମୁଦ୍ରିତ ହୋଇଛି । ( ୭)

 

ସଂପ୍ରତି ଆମ ରାଜ୍ୟରେ ଅତ୍ୟାଧୁନିକ ମଞ୍ଚମାୟା ସୃଷ୍ଟି କରୁଥିବା ସୁସଙ୍ଗଠିତ ଯାତ୍ରାଦଳର ମାଲିକମାନେ ସେହି ଧାରାକୁ ଅନୁସରଣ କରି କଳାକାରମାନଙ୍କ ସହ ଚୁକ୍ତିନାମା କରୁଛନ୍ତି । ଜଗନ୍ନାଥ ପାଣିଙ୍କ ଶୃଙ୍ଖଳିତ ନାଟ୍ୟଧାରାର ପ୍ରଭାବ ଏବେ ବି ପ୍ରତ୍ୟେକ ଯାତ୍ରାଦଳ ପାଇଁ ଅନୁକରଣୀୟ ଓ ଅନୁସରଣୀୟ ହେଉଥିବା ଆନନ୍ଦର ବିଷୟ ।

 

ଶୃଙ୍ଖଳିତ ଭାବରେ ଯାତ୍ରାଦଳଟିଏ ପରିଚାଳନା କରିବା ଏବେ କାଠିକର ପାଠ । ପୁଣି ନାମୀ ଦାମୀ କଳାକାରଙ୍କୁ ମନେଇବା ମଧ୍ୟ ଆହୁରି କଷ୍ଟକର ବ୍ୟାପାର । ମାତ୍ର ଶତାଧିକ ବର୍ଗ ଆଗରୁ ଜଗନ୍ନାଥ ପାଣି କିପରି ସ୍ଵଦକ୍ଷତା ବଳରେ ଶୃଙ୍ଖଳିତ ଯାତ୍ରାଦଳ ପରିଚାଳନା କରୁଥିଲେ ଡଃ ଉପେନ୍ଦ୍ର ପ୍ରସାଦ ନାୟକଙ୍କ ଉକ୍ତିରୁ ତାହା ଅନୁମିତ ହୁଏ ।

 

ଜଗନ୍ନାଥ ପାଣିଙ୍କ ସାହିତ୍ୟର ଗବେଷକ ଡଃ. ଉପେନ୍ଦ୍ର ପ୍ରସାଦ ନାୟକ କହନ୍ତି- ‘‘ଜଗନ୍ନାଥ ପାଣିଙ୍କର ଜୀବନ ଯେପରି ଶୃଙ୍ଖଳିତ ଥିଲା, ତାଙ୍କ ଦ୍ଵାରା ଗଠିତ ନାଟ୍ୟଦଳରେ ମଧ୍ୟ ସେହିପରି ଶୃଙ୍ଖଳା ସେ ରକ୍ଷା କରି ପାରିଥିଲେ । ନାଟ୍ୟଦଳର ଅଭିନେତା ଓ ନାଟ୍ୟକର୍ମୀମାନଙ୍କୁ କେବଳ ଯେ ଉପଯୁକ୍ତ ନାଟ୍ୟଶିକ୍ଷା ଦେଇ ଉତ୍ତମ ପରିପାଟୀରେ ନାଟ୍ୟ ପରିଚାଳନା ପୂର୍ବକ ଜନସାଧାରଣଙ୍କ ସମ୍ମୁଖରେ ନାଟ୍ୟ ପରିବେଷଣ କରି ଲୋକପ୍ରିୟତା ଅର୍ଜନ କରି ପାରୁଥିଲେ ତା ନୁହେଁ, ସେ ମଧ୍ୟ ସମସ୍ତ ଅଭିନେତା, କଳାକାର ଓ ନାଟ୍ୟକର୍ମୀଙ୍କୁ ସ୍ନେହ ଶ୍ରଦ୍ଧା ଭିତରେ ଯଥାର୍ଥ ଶାସନ କରି ସୁଚାରୁରୂପେ ନାଟ୍ୟଦଳ ଚଳାଇ ରଖିଥିଲେ । (୮)

 

ଜଗନ୍ନାଥ ପାଣିଙ୍କ ଦେହାନ୍ତ ପରେ ମଧ୍ୟ ନଳାଙ୍ଗଠାରେ ତାଙ୍କ ଆଦର୍ଶକୁ ଅନୁସରଣ କରି ଉତ୍ତରାଧିକାରୀମାନେ ଯାତ୍ରାଦଳକୁ ବଞ୍ଚାଇ ରଖିଥିଲେ । ୧୯୫୫ ମସିହାରେ ପାଣିବଂଶର ନାଟ୍ୟଦଳ ଭାଙ୍ଗିଲା । (୯)

 

ବର୍ତ୍ତମାନ ସମୟର ଅନ୍ୟତମ ନାଟ୍ୟକାର ଡଃ. ସୁଧାଂଶୁ ଶେଖର ନାୟକ ମଧ୍ୟ ଜଗନ୍ନାଥ ପାଣିଙ୍କ ଯାତ୍ରାଦଳ ଗଠନ କଥା କହିଛନ୍ତି । ତାଙ୍କ ମତରେ- ‘‘ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଓଡ଼ିଆ ଲୋକନାଟକକୁ ବଞ୍ଚେଇ ରଖିବା ପାଇଁ ଜଗନ୍ନାଥ ପାଣି ନିଜେ ଏକ ଯାତ୍ରାଦଳ ମଧ୍ୟ ଗଠନ କରିଥିଲେ । ନିଜେ ଅଭିନୟ କରିବା ଏବଂ ନାଟ୍ୟ ନିର୍ଦ୍ଦେଶନା ଦେବାରେ ମଧ୍ୟ ସେ ପ୍ରବୀଣ ଥିଲେ ।’’ (୧୦)

 

ଆଜି ଆମ ରାଜ୍ୟରେ ନାଟ୍ୟ ଜଗତରେ ଚହଳ ପଡ଼ିଛି । ନୂତନ ଢ଼ଙ୍ଗରେ ନୂତନ ବିଷୟବସ୍ତୁକୁ ନେଇ ନାଟକ ରଚନା ପାଇଁ ଏକ ପ୍ରକାର ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟି ହେଉଛି । ଏବେ ନାଟ୍ୟକାର, ଅଭିନେତା ଓ ଯାତ୍ରାଦଳ ମାଲିକମାନେ ଅଲଗା ଅଲଗା ସ୍ୱପ୍ନରେ ବିଭୋର... ।

 

ମାତ୍ର ଏକାଧାରରେ ନାଟ୍ୟକାର, ଅଭିନେତା, ନିର୍ଦ୍ଦେଶକ ଓ ଯାତ୍ରାଦଳର ଅଧିକାରୀ ହେବାରେ ଜଗନ୍ନାଥ ପାଣି ଯେଉଁ ଯୋଗ୍ୟତା ପ୍ରଦର୍ଶନ କରି ଯାଇଛନ୍ତି, ତାହା ବାରମ୍ବାର ଆଲୋଚନାର ଅପେକ୍ଷା ରଖେ । ପାତ୍ରୋଚିତ ସଂଳାପ ସଂଯୋଜନ, ଲୋକରୁଚିକୁ ସମ୍ମାନ ଦେଇ ବିଷୟବସ୍ତୁ ପରିବେଷଣ, ନିଚ୍ଛକ ଅଭିନୟ ପ୍ରଦର୍ଶନ ଜଣେ ବହୁମୁଖୀ ନାଟ୍ୟକର୍ମସିଦ୍ଧ ପ୍ରତିଭାର ପ୍ରକୃଷ୍ଟ ପ୍ରମାଣ ।

 

ଲୋକକବି ଜଗନ୍ନାଥ ପାଣି ଓଡ଼ିଆ ଯାତ୍ରାର ମଞ୍ଚାୟନ ପାଇଁ ଯେପରି ମୂଲ୍ୟଯୁକ୍ତ ଉଦ୍ୟମ ଜାରି ରଖିଛନ୍ତି, ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ପାଞ୍ଚମନକୁ ଯୋଡ଼ି କାମଟିଏ ଉଠାଇବା ମୁସ୍କିଲ୍କଥା । ମାତ୍ର ଯାତ୍ରାଦଳ ଗଢ଼ି, ନିଜେ ଯେଉଁ ପଥ ପ୍ରଦର୍ଶନ କରି ଯାଇଛନ୍ତି- ତା’ର ପଟ୍ଟାନ୍ତର ନାହିଁ । ଓଡ଼ିଆ ଯାତ୍ରା ନିମନ୍ତେ ସେ ଯେଉଁ ଉଦାହରଣ ଛାଡ଼ି ଦେଇ ଯାଇଛନ୍ତି ସେଥିପାଇଁ ତାଙ୍କୁ ଓଡ଼ିଆ ଯାତ୍ରାର ଆଦିପର୍ବର ଅଧିନାୟକ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଲୋଚନାକ୍ରମେ ବିଚାରକୁ ନିଆଗଲେ ପ୍ରକୃତରେ ଜଗନ୍ନାଥ ପାଣି ହଁ ହେଉଛନ୍ତି ଓଡ଼ିଆ ଯାତ୍ରାର ଅଗ୍ରଦୂତ ।

 

 

ସା/ପୋ-ଭଣ୍ଡାରିପୋଖରୀ

ଜି.: ଭଦ୍ରକ-୭୫୬୧୨୦

 

 

କାୟାସ୍ପର୍ଶ :

୧.

ଓଡ଼ିଆ ଯାତ୍ରାର ଜନ୍ମଜାତକ (ଉଦ୍ଧୃତ -୧,୨)

୨.

ଜଗନ୍ନାଥ ପାଣି ସ୍ମରଣିକା -୧୯୯୨ (ଉ-୩)

୩.

ମିଳନୀ : ମଇ -୧୯୮୪ (ଉ ୪,୫)

୪.

ଓଡ଼ିଆ ଯାତ୍ରା : ଉନ୍ମେଷ ଓ ଉତ୍ତରଣ (ଉ-୬)

୫.

ଜଗନ୍ନାଥ ପାଣି ଗ୍ରନ୍ଥାବଳୀ (ପ୍ରଥମ ଖଣ୍ଡ) (ଉ-୭)

୬.

ଲୋକକବି ଜଗନ୍ନାଥ ପାଣି-ଡଃ. ଭପେନ୍ଦ୍ର ପ୍ରସାଦ ନାୟକ (ପ୍ରକାଶକ-ଓଡ଼ିଆ ସାହିତ୍ୟ ଏକାଡେମୀ) (ଉ-୮,୯)

୭.

ଅନନ୍ୟ ଉଦ୍ରକ (ଉ-୧୦)

 

***

 

ଲୋକକବି : ଏକ ଅନ୍ତରଙ୍ଗ ଦୃଷ୍ଟିପାତ

ପବିତ୍ର ପାଣିଗ୍ରାହୀ

 

ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀରେ ଓଡ଼ିଶୀ ସଂସ୍କୃତିର ଅବକ୍ଷୟ ପ୍ରକ୍ରିୟା ଆରମ୍ଭ ହେଲା ଓ ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟରେ ଆମ ଭାଷା, ସାହିତ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଲା । ସେତିକିବେଳକୁ ଶ୍ରୀ ଚୈତନ୍ୟ ନଦିଆ ନବଦ୍ଵୀପରୁ ଓଡ଼ିଶା ଆସି କୀର୍ତ୍ତନ ଓ ସଂକୀର୍ତ୍ତନର ଅଫିମ ଦେଇ ବୀର ଓଡ଼ିଆ ଜାତିକୁ ସ୍ଥାଣୁ ଓ ନିଶ୍ଚେଷ୍ଟ କରିଦେଲେ । ୧୫୬୮ରୁ ୧୭୫୧ ଯାଏ ଓଡ଼ିଶୀ ସାମ୍ରାଜ୍ୟ ଆଫଗାନ ଓ ମୋଗଲ ଶାସନାଧିନ ହେଲା ଏବଂ ଆମର ସାଂସ୍କୃତିକ ଦିଗନ୍ତ ସେଇମିତି ଧୂମ୍ରାଭ ହୋଇ ରହିଲା । ଅଷ୍ଟାଦଶ ଶତାବ୍ଦୀରେ ଭଦ୍ରକରେ ଜନ୍ମିତ କବି ବଂଶୀବଲ୍ଲଭ ଗୋସ୍ଵାମୀ ‘ମୋଗଲ ତାମ୍‍ସା’ ଭଳି ଏକ ଲୋକନାଟ୍ୟ ଶୈଳୀ ବା ହାସ୍ୟରସ ସମ୍ବଳିତ ତାମ୍‍ସା ରଚନା କରି ଓଡ଼ିଶାର ନାଟ୍ୟ ସାହିତ୍ୟକୁ ମାର୍ଗଦର୍ଶନ କରିବାର ପ୍ରୟାସ କଲେ । ତାଙ୍କର ପ୍ରାୟ ଏକ ଶତାବ୍ଦୀ ପରେ ଭଦ୍ରକର ନଳାଙ୍ଗ ଗ୍ରାମରେ ଭୂମିଷ୍ଠ ଜଗନ୍ନାଥ ପାଣି ଶିବମନ୍ଦିର ସମ୍ମୁଖରୁ (ମୋଗଲ ତାମ୍‍ସାର ଅଭିନୟ ସ୍ଥଳ), ଭାଗବତ ଟୁଙ୍ଗିରୁ, ସପ୍ତାଘରୁ (ହାଡ଼ିଆ ଓ ସନା ସେଇଠି ଗୀତାଭିନୟ ବା ଲୀଳା ପ୍ରଦର୍ଶନ କରୁଥିଲେ) ମୁକ୍ତ ରଙ୍ଗମଞ୍ଚକୁ ନେଇ ଆସିଥିଲେ ଓଡ଼ିଆ ନାଟକକୁ ।

 

କବିବର ରାଧାନାଥ ରାୟ, ବ୍ୟାସକବି ଫକୀରମୋହନ ଓ ସ୍ଵଭାବକବି ଗଙ୍ଗାଧର ମେହେର ପ୍ରମୁଖ ଦିଗ୍‍ଗଜ ସ୍ରଷ୍ଟାମାନଙ୍କର ପୂର୍ବରୁ ଯେଉଁ ସାରସ୍ଵତ ସାଧକ ନିଜର ସମଗ୍ର ଜୀବନକାଳ ସାହିତ୍ୟ-ସାଧନାରେ ବ୍ରତୀ ହୋଇ ନିଜସ୍ଵ କବିତ୍ୱ, ପାଣ୍ଡିତ୍ୟ, ବର୍ଣ୍ଣନା ଚାତୁରୀ ଓ ରସିକତା ସହାୟତାରେ ସାହିତ୍ୟକୁ ସର୍ବଜନାଦୃତ କରିବାରେ ବିଶେଷ ଭୂମିକା ଗ୍ରହଣ କରିଥିଲେ ସେ ହେଉଛନ୍ତି ଲୋକକବି ଜଗନ୍ନାଥ ପାଣି । ତାଙ୍କ ଜୀବଦ୍ଦଶାରେ ସେ ରାଶି ରାଶି କାବ୍ୟ, ଛାନ୍ଦ, ଚଉପଦୀ, ନାଟ୍ୟାଭିନୟ, ପାଲା, ଲୀଳା, ସୁଆଙ୍ଗ, ପ୍ରହସନ, ବ୍ୟାକରଣ, ଅଳଙ୍କାର, ଜ୍ୟୋତିଷଶାସ୍ତ୍ର ଆଦି ପୁସ୍ତକର ସେ ଯୋଗଜନ୍ମା ସ୍ରଷ୍ଟା ।

 

ତେଣୁ ଜଗନ୍ନାଥ ପାଣି (୧୮୩୬-୧୮୯୭)ଙ୍କୁ ଓଡିଆ ଲୋକନାଟକର ଜନ୍ମଦାତା କୁହାଯାଇପାରେ । ୧୮୦୩ରେ ଓଡ଼ିଶା ବ୍ରିଟିଶ ଶାସନାଧନ ହେଲା ପରେ ଓଡ଼ିଶୀ ସଂସ୍କୃତିର ଯେଉଁ ଦୁର୍ଦ୍ଦଶା ଆରମ୍ଭ ହୋଇଥିଲା ଓ ନଅଙ୍କ ଦୁର୍ଭିକ୍ଷ ପରେ ଓଡ଼ିଶାବାସୀଙ୍କୁ ହୀନବୀର୍ଯ୍ୟ କରିଦେବା ପାଇଁ ଯେଉଁ ଚକ୍ରାନ୍ତ ହୋଇଥିଲା, ସେ ଦୁର୍ଦ୍ଦିନରୁ ସେଇ ନିଦ୍ରାଗ୍ରସ୍ତ ଜାତିକୁ ଉଠାଇ ତା’ ଭିତରେ ନୂତନ ପ୍ରାଣ ସଞ୍ଚାର କରିବା ପାଇଁ ଜଗନ୍ନାଥ ପାଣି ତାଙ୍କ ନାଟକ ମାଧ୍ୟମରେ ଉଦ୍ୟମ କରିଥିଲେ ।

 

କବିବର ରାଧାନାଥ, ବ୍ୟାସକବି ଫକୀରମୋହନ ଓ ସ୍ଵଭାବକବିଙ୍କ ଆବିର୍ଭାବର ପ୍ରାୟ ଦୁଇଦଶନ୍ଧି ପୂର୍ବରୁ ଲୋକକବି ଜଗନ୍ନାଥ ପାଣି ୧୮୩୬ ମସିହାରେ ତତ୍କାଳୀନ ଅବିଭକ୍ତ ବାଲେଶ୍ଵର ଜିଲ୍ଲା ତଥା ଏବର ଭଦ୍ରକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଜଗନ୍ନାଥଙ୍କ ଆଶୀର୍ବାଦରୁ ସେ ଦୁନିଆକୁ ଆସିଥିବାରୁ ତାଙ୍କର ନାମ ରହିଥିଲା ଜଗନ୍ନାଥ ଓ ବିଷୁବ ସଂକ୍ରାନ୍ତିରେ ସେ ଜନ୍ମଲାଭ କରିଥିବାରୁ ସେ ଥିଲେ ସଂକ୍ରାନ୍ତି ପୁରୁଷ । ତାଙ୍କୁ ବାରବର୍ଷ ହେବାଯାଏ ସେ ନିରକ୍ଷର ଥଲେ ମଧ୍ୟ ତାଙ୍କ ଗ୍ରାମ ନଳାଙ୍ଗର ସୁଖ୍ୟାତ ଆରାଧ୍ୟ ଦେବତା ପ୍ରଭୁ ନଳେଶ୍ଵରଙ୍କ କରୁଣାରୁ ସେ ସଂସ୍କୃତ, ବଙ୍ଗଳା ଓ ଓଡ଼ିଆ ଭାଷା ଜ୍ଞାନ ଆହରଣ କରିଥିଲେ । ମୁକ୍ତ ରଙ୍ଗମଞ୍ଚରେ ଛାନ୍ଦ ନାଟ୍ୟ ଅଭିନୟକୁ ଗୋଟିଏ ଜାତିକୁ ଆକର୍ଷିତ କରିବାର ମାଧ୍ୟମ ଭାବେ ଗ୍ରହଣ କରିଥିଲେ । ତାଙ୍କ ଛାନ୍ଦ ନାଟ୍ୟଗୁଡ଼ିକର ରଚନା ପାଇଁ ସେ ପୁରାଣର ଚିରନ୍ତନ କଥାବସ୍ତୁକୁ କରିଥିଲେ ଆଧାର ଓ ଚରିତ୍ରଗୁଡ଼ିକୁ କରିଥିଲେ ଆୟୁଧ । ସେଥିପାଇଁ ମଧ୍ୟ ପୂର୍ବରୁ ପ୍ରଚଳିତ ଥିବା ଯାତ୍ରା, ପାଲା, କାବ୍ୟ, ତାମସା, ସୁଆଙ୍ଗ, ଗୀତାଭିନୟ ଓ ଛାନ୍ଦ ଚଉପଦୀରୁ ଗ୍ରହଣ କରିଥିଲେ ଆବଶ୍ୟକୀୟ ଉପାଦାନ । ତାଙ୍କ ସାମ୍ନାରେ ଉପେନ୍ଦ୍ର ଭଞ୍ଜଙ୍କ ସମ୍ଭ୍ରାନ୍ତ ସାହିତ୍ୟ ଭଣ୍ଡାର ଥିଲେ ମଧ୍ୟ ସେ ଏ କ୍ଷେତ୍ରରେ ସହଜ, ସରଳ ପରମ୍ପରା ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ । ସେଥପାଇଁ ଲୀଳା ଗୀତାଭିନୟକୁ ସେ ମୁଖ୍ୟ ଅସ୍ତ୍ର ଭାବେ ଆପଣେଇ ଥିଲେ ।

 

ଖୋଲା ହୃଦୟରେ ଚିନ୍ତାକଲେ ସେ ହିଁ ଓଡ଼ିଆ ଲୋକନାଟକର ଅନ୍ୟତମ ଆଦ୍ୟ ରଚୟିତା ଓ ଓଡ଼ିଶାରେ ବିଧିବଦ୍ଧ ଯାତ୍ରାଦଳର ପ୍ରଥମ ସଙ୍ଗଠକ । ଖୁବ୍‍ ସମ୍ଭବତଃ, ୧୮୬୪ ମସିହା ବେଳକୁ ପ୍ରଥମ କରି ତାଙ୍କର ଯାତ୍ରା ମଞ୍ଚସ୍ଥ ହୋଇଥିବ । ଓଡ଼ିଆ ପତ୍ରପତ୍ରିକାରେ ରୁଚିହୀନ ତଥା ଅଶ୍ଳୀଳତାର ସ୍ପର୍ଶଥିବା ଯାତ୍ରାର ଯେଉଁ ସମାଲୋଚନାମାନ ପ୍ରକାଶିତ ହେଉଥିଲା ଜଗନ୍ନାଥ ପାଣିଙ୍କର ସୃଷ୍ଟିଗୁଡ଼ିକ ଥିଲା ତାହା ବିରୁଦ୍ଧରେ ମୃଦୁ ପ୍ରତିବାଦ । ସ୍ଵକୀୟ ସୃଷ୍ଟିରେ ନିରୋଳା ପୌରାଣିକ କଥାବସ୍ତୁ, ଅଶ୍ଳୀଳତା ବିହୀନ ସଙ୍ଗୀତ ପରିବେଷଣ କରି ସେ ଜନମାନସରେ ଓଡ଼ିଆ ଯାତ୍ରାର ନୂଆଚିତ୍ର ଆଙ୍କିଥିଲେ । ବିମଳ ହାସ୍ୟରସର ଅବତାରଣା କରି ଯାତ୍ରା ଦୁନିଆକୁ ସେ ଦେଖାଇଥିଲେ ନୂଆ ଦିଗ । ସୁସଂଯତ ଭାଷାରେ ସାରଲ୍ୟ ଓ ତାରଲ୍ୟ, ଅନୁପ୍ରାସିକତା ତଥା ପ୍ରାସଙ୍ଗିକତା ଆଦି ବିଭବ ପ୍ରତି ସେ ଗୁରୁତ୍ୱାରୋପ କରିଥିଲେ । ଅନେକତ୍ର ପ୍ରହସନ ମାଧ୍ୟମରେ ଶୁଦ୍ଧ ହାସ୍ୟରସ ସୃଷ୍ଟିର କମନୀୟ ପ୍ରୟାସ ମଧ୍ୟ କରିଥିଲେ । ମୋଗଲ-ଗଉଡ଼ୁଣୀ, ବାବୁ-ବାବୁଆଣୀ, ଗୋପାଳ-ଗୋପାଳୁଣୀ, କେଳା-କେଳୁଣୀ, ଧୋବା-ଧୋବଣୀ, ବୈଦ୍ୟ-ରୋଗୀ, ମାଳୀ-ମାଳିଆଣୀ ଓ ରାଧାକୃଷ୍ଣ କୌତୁକ ଆଦି ପ୍ରହସନରେ ହାସ୍ୟରସର ଅବତାରଣା-ପୂର୍ବକ ମାର୍ଜିତ ଶୃଙ୍ଗାରରସର ଆଶ୍ରୟରେ ସେସବୁକୁ ରସାଳ ଓ ମନୋଜ୍ଞ କରିପାରିଥିଲେ । ନବରସ ମଧ୍ୟରୁ ବୀର, ହାସ୍ୟ, ଶୃଙ୍ଗାର ଓ କରୁଣ ଭଳି ଚାରିଟି ରସକୁ ନିର୍ବାଚନ କଲେ ମଧ୍ୟ ମୁଖ୍ୟ ରସ ଭାବେ ଗ୍ରହଣ କଲେ ଶୃଙ୍ଗାର ରସକୁ-। ସେ ଭଲକରି ବୁଝିଥିଲେ ସମୟର ସ୍ଵରକୁ, ଅବସର ବିନୋଦନରେ ଅନ୍ୟ କୌଣସି ମାଧ୍ୟମ ନଥିଲାବେଳେ ଶୃଙ୍ଗାର ରସ ହିଁ ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଜାଣିଥିଲେ । ସୁଲଳିତ ସଙ୍ଗୀତ ପରିବେଷଣ ଉପରେ ମଧ୍ୟ ସେ ଯୋର ଦେଇଥଲେ । ୧୮୯୭ରେ ତାଙ୍କର ଦେହାବସାନ ପର୍ଯ୍ୟନ୍ତ ଅର୍ଦ୍ଧଶତାବ୍ଦୀ କାଳଧରି ସେ ଓଡ଼ିଶାର ସଙ୍ଗୀତ ଓ ନାଟକକୁ ରୁଦ୍ଧିମନ୍ତ କରିବାରେ ବ୍ରତୀ ଥଲେ । ଓଡ଼ିଶାର ବିଭିନ୍ନ ସ୍ଥାନକୁ ନିଜ ସଙ୍ଗଠିତ ଯାତ୍ରାଦଳକୁ ନେଇ ସେ ଯାତ୍ରା ପରିବେଷଣ କରୁଥିଲେ ।

 

ପ୍ରାଚୀନ ଓ ମଧ୍ୟଯୁଗୀୟ ସାହିତ୍ୟରେ ଶୃଙ୍ଗାର ରସ ବା ଆଦି ରସର ବହୁଳ ପ୍ରୟୋଗ ଦେଖିବାକୁ ମିଳେ । ସେଥିପାଇଁ କୁହାଯାଏ ଶୃଙ୍ଗାରୀ ଚେତ୍‍ କବିଃ । ଜଗନ୍ନାଥ ପାଣି ଶୃଙ୍ଗାର ରସକୁ ପ୍ରାଧାନ୍ୟ ଦେଇଥିଲେ । ବିଶେଷତଃ ନାୟିକାର ରୂପ ବର୍ଣ୍ଣନାରେ ସେ ପ୍ରଭାବିତ ହୋଇଛନ୍ତି ଉପେନ୍ଦ୍ର ଭଞ୍ଜଙ୍କ ଦ୍ଵାରା । ଉଷାବତୀ ହରଣରୁ ଏହା ଲକ୍ଷ୍ୟ କରାଯାଇ ପାରେ । ପ୍ରକୃତି ବର୍ଣ୍ଣନାରେ ସେ କାଳିଦାସଙ୍କୁ ଗ୍ରହଣ କରିଥିଲେ ଆଦର୍ଶ ଭାବରେ । ହାସ୍ୟ ଓ ବ୍ୟଙ୍ଗକୁ ଆୟୁଧ କରି ପ୍ରତିଟି ନାଟକରେ ସେ ଆଦର୍ଶବାଦର ପ୍ରତିଷ୍ଠା କରିବାକୁ ପ୍ରୟାସ କରିଛନ୍ତି । ‘ଛ’ ମାଣ ଆଠଗୁଣ୍ଠ’ ଉପନ୍ୟାସର ଚମ୍ପା ଚରିତ୍ର ଚିତ୍ରଣ ଭଳି ସେ ‘ସୀତା ବନବାସ’ରେ କରିଛନ୍ତି ମନ୍ଥରାର ରୂପ ବର୍ଣ୍ଣନା । ଦେବା ଦେବୀ ଚରିତ୍ରଙ୍କୁ ମାନବୀୟ ସ୍ତରକୁ ଆଣି ସେ ଯେଉଁ ନିର୍ମଳ ହାସ୍ୟରସ ସୃଜିବାକୁ ଯତ୍ନବାନ ହୋଇଛନ୍ତି ତାହା ସତରେ ଅନନ୍ୟ । ତାଙ୍କ ଲେଖାସବୁରେ ଅନୁପ୍ରାସ, ଯମକ, ଉପମା, ଅଳଙ୍କାରର ପ୍ରୟୋଗ ଯେମିତି ପ୍ରତ୍ୟକ୍ଷ କରିହୁଏ ସେମିତି ଅନୁଭବି ହୁଏ ଶବ୍ଦ ଗୁମ୍ଫନର ଚମତ୍କାରିତା ଓ ଜଡ଼ସଡ଼ ହେବାକୁ ହୁଏ କାରୁଣ୍ୟ ଚେତନାରେ । ଜଗନ୍ନାଥଙ୍କ ସୃଷ୍ଟିରାଜି ହୃଦୟକୁ ଆଲୋଡ଼ିତ କରୁନକରୁ ମନକୁ ଛୁଇଁଯାଏ । ସେଇ ମନଛୁଆଁ ଗୁଣଟି ହେଉଛି ତାଙ୍କ ଛାନ୍ଦନାଟ୍ୟ ଗୁଡ଼ିକର ବିଶେଷତ୍ୱ । ଯାତ୍ରା ଦେଖି ଯାଉଥବା ଗ୍ରାମ୍ୟ ଲଳନା ପରି ତାହା ସରଳ ଅଥଚ ଆକର୍ଷଣୀୟ ।

 

‘ଦକ୍ଷ ଯଜ୍ଞ’ରେ ସେ ଦୁଇ ସଉତୁଣୀ ଉପାଖ୍ୟାନ ମାଧ୍ୟମରେ ଯେଭଳି ନାରୀର କର୍ତ୍ତବ୍ୟବୋଧ ଓ ପୁରୁଷର ପବିତ୍ରତାର ଉଦ୍‍ଘୋଷଣ କରିବା ସହ ଶୃଙ୍ଗାର ଓ ବିରହ ରସର ଅବତାରଣା କରିଛନ୍ତି ତାହା ତାଙ୍କ ସାରସ୍ଵତ ସାଧନାର ବହୁବର୍ଣ୍ଣା ଦିଗନ୍ତର ପରିଚୟ ଦିଏ । ଏବେର ନାଟକରେ ଆଧୁନିକ ଜନଜୀବନର ଅସହାୟତା, ଅପୂର୍ଣ୍ଣତା, ବିଫଳତା ଓ ନଗ୍ନତାର ଚିତ୍ର ପରିବେଷିତ ହେଉଥିଲାବେଳେ ସେବେଳର ସମାଜ ବ୍ୟବସ୍ଥାରେ ଦେଖଣାହାରୀଙ୍କୁ ନିର୍ମଳ ଆନନ୍ଦ ଦେବା ପାଇଁ ସେ ପୁରାଣକୁ ଉପଜୀବ୍ୟ ଭାବେ ଗ୍ରହଣ କରିଥିଲେ । ସମୟର ପରିବର୍ତ୍ତନ ସହ ସାହିତ୍ୟ, ସଙ୍ଗୀତ ଓ ନାଟକର ମୋଡ଼ ବଦଳେ । ଜଗନ୍ନାଥ ପାଣିଙ୍କ ସୃଜନ ସାଧନା ସମୟରେ ସମାଜ ବ୍ୟବସ୍ଥାରେ ବିଶେଷ ସମସ୍ୟା ନଥିଲା କି ନଥିଲା ଘଟଣାର ଘନଘଟା । ତେଣୁ ସାଧାରଣ ଦର୍ଶକଙ୍କର ଚିତ୍ତବିନୋଦନର ମାଧ୍ୟମ ଭାବେ ସେ ଶୃଙ୍ଗାର ରସର ସାହାଯ୍ୟ ନେବା ଥିଲା ଖୁବ୍ ପ୍ରାସଙ୍ଗିକ ।

 

ମାତ୍ର ଶୃଙ୍ଘାର ରସର ପ୍ରୟୋଗ ବେଳେ ସେ କୌଣସିଠାରେ ସୀମା ଲଂଘନ କରିନାହାନ୍ତି-। ଶୃଙ୍ଗାର ରସ ବର୍ଣ୍ଣନା କଲାବେଳେ ଉପେନ୍ଦ୍ର ଭଞ୍ଜଙ୍କ ଅପେକ୍ଷା କାଳିଦାସଙ୍କ ଶିଷ୍ୟତ୍ୱ ଗ୍ରହଣ କରିଛନ୍ତି ଅଧିକ । ସେଠି ଉଗ୍ରଦେହବାଦ ବଦଳରେ କରୁଣ ରସର ଫଲଗୁ ପ୍ରବାହିତ ହେଉଥିବାରୁ ପାଣି କବି କେବେ ବି ଶୃଙ୍ଗାରୀ ନୁହନ୍ତି । କବିକୃତୀରେ ଶୃଙ୍ଗାର ରସର ବର୍ଣ୍ଣନା ଖୁବ୍ ଆକର୍ଷଣୀୟ । ତାଙ୍କ ‘ଉଷାବତୀ ହରଣ’ କାବ୍ୟରେ ବାଣାସୁର ନନ୍ଦିନୀ ଉଷାର ସ୍ଵପ୍ନ ଦର୍ଶନ ଓ ଜାଗରଣ ପରେ ପ୍ରିୟତମ ପୁରୁଷ ଅନିରୁଦ୍ଧର ଅଦର୍ଶନରେ ଉଷାର ମନୋଭାବନା ଓ ବେଦନା ପ୍ରକାଶ ପାଇଛି ଭଞ୍ଜୀୟ ରୀତିରେ ଅତି ଚମତ୍କାର ଢଙ୍ଗରେ । ଜଗନ୍ନାଥ ବର୍ଣ୍ଣନା କରିଛନ୍ତି- ‘‘ପୁଣି ନବବାଳୀ ଖୋଜଇ ଅଣ୍ଡାଳି/ପଲଙ୍କ ସୁପାତି ଶଯ୍ୟାମାନ/ପିନ୍ଧିଲା ବସନ ଅଂଗରୁ କାଢ଼ିଣ/କାହିଁଗଲା ବୋଲି ଖୋଝେ ଧନ/ଆଜନ୍ମ ଦୁଃଖୀ/ଫିଟାଇ ଖୋଜଇ କବରୀକି/ବେନି ଜାନୁ ସନ୍ଧି ଖୋଜେ କୁଚ କନି/ରତନ ହାରକୁ ଥୋଇ ତଳେ/ପଡ଼ଇ ଗଡ଼ଇ ଅଞ୍ଚଳ ଝାଡ଼ଇ/ମୋହଯାଇ ପଡ଼େ ବେଳେବେଳେ/ତା’ ଛାଇ ଚାହିଁ/ଏହି ଏହି କୋଳ କରେ ଯାଇ ।’’ ସେମିତି ଉଷାବତୀ ଅନିରୁଦ୍ଧ ମିଳନ କାଳୀନ ବର୍ଣ୍ଣନା ପ୍ରସଙ୍ଗରେ ଜଗନ୍ନାଥ ପାଣି ଶୃଙ୍ଗାର ଭାବବର୍ଣ୍ଣନା ସହିତ ଶବ୍ଦ ଗୁମ୍ଫନର ଯେଉଁ ଅନନ୍ୟ ପରିଚୟ ଦେଇଛନ୍ତି ତାହା କବି ସମ୍ରାଟଙ୍କ ବର୍ଣ୍ଣନା ଚାତୁରୀ ସହ ତୁଳନୀୟ । ଯଥା- ‘ହୁଉ ହୁଉ ମର୍ମ ଜଳେ ଉହୁଉହୁ ଭାଷେ/ନାନା ନାନା ବୋଲି ଭାଷେ ନାନା ନାନା ରସେ ।’

 

ପୁନଶ୍ଚ ପ୍ରକୃତି ବର୍ଣ୍ଣନାର ଚମତ୍କାରିତା ତାଙ୍କର କାବ୍ୟରେ ଏତେ ଜୀବନ୍ତ ଭାବେ ରୂପାୟିତ ହୋଇଛି ଯେ ତାହା କବିଙ୍କର ଅପୂର୍ବ କଳା ଚାତୁର୍ଯ୍ୟର ପରିଚୟ ଦିଏ । ‘ବସନ୍ତ’ର ବର୍ଣ୍ଣନା ଦେଇ କବି କହନ୍ତି- ‘କାମିନୀ କାମିନୀକୁ ପ୍ରମୋଦା ପ୍ରମାଦ/ଯୁବା ଯୁବତୀଙ୍କ ହୃଦୟ ବିଚ୍ଛେଦ/ସୁବାସ ସୁବାସ ପୁଷ୍ପେ ବସି ଭୃଙ୍ଗମାଳ/ରସାଳେ ରସାଳେ ରାବଦ୍ୟନ୍ତି ପିକ-କୁଳ ।’ ସେହିପରି ବାସନ୍ତୀ ସୁଷମାର ବର୍ଣ୍ଣନା ଆମେ ଦେଖିବାକୁ ପାଇବା ‘ମାନଭଞ୍ଜନ’ରେ- ‘ବସନ୍ତ ସମୟ ଅତି ରସମୟ କାଳେ/କୁହୁକୁହୁ କୋକିଳ ରାବନ୍ତି ସୁରଶାଳେ/ପିଉ ପିଉ ବୋଲି ପୁଷ୍ପ ମଧୁଚୁମ୍ବେ ଭୃଙ୍ଗ/ହୁ ହୁ କାମାନଳେ ଜଳେ ରାଧା ଅଙ୍ଗ/ମନ୍ଦ ମନ୍ଦ ମରୁତ ବହେ ଧୀରେ/ବୃନ୍ଦ ବୃନ୍ଦ ପରାଗ ପଡ଼ଇ ପ୍ରବାହରେ-।’

 

ହାସ୍ୟ ବ୍ୟଙ୍ଗର ସହାୟତାରେ ବିଭିନ୍ନ ପ୍ରସଙ୍ଗ ବର୍ଣ୍ଣନାକୁ ଅଧିକ ଚଟୁଳ ଓ ପ୍ରାଣବନ୍ତ କରିଛନ୍ତି ସେ । ଏ କ୍ଷେତ୍ରରେ ଆମେ ଫକୀରମୋହନଙ୍କ ‘ଛ’ ମାଣ ଆଠଗୁଣ୍ଠ’ରେ ଚମ୍ପାର ରୂପ ବର୍ଣ୍ଣନା ପରି ଜଗନ୍ନାଥ ପାଣିଙ୍କ ‘ସୀତା ବନବାସ’ରେ ମନ୍ଥରା ଚରିତ୍ରର ବର୍ଣ୍ଣନାକୁ ବିଚାର କରିବା । କବି ଯଥେଷ୍ଟ ଦକ୍ଷତା ଓ ନିପୁଣତାର ସହିତ ଏହାକୁ ରୂପାୟିତ କରିଛନ୍ତି, ଯେପରି- ‘ପାନଖଣ୍ଡେ କଳତୁଣ୍ତେ ବହିପଡ଼େ ବୋଳ/ଖଣ୍ଡେ ଚାଲେ ଦଣ୍ତେ ଚାହେଁ ଭଣ୍ଡି କରେ ରୋଳ/ବାଙ୍କ ନାକଶିରା ଟେକି ମୁହଁକୁ ହଲାଇ/ବସଣି ହଲାଇ କହେ ବଚନ ଗେହ୍ଲାଇ । ହାତକରେ ଶଙ୍ଖୀ ତାର ହାତକରେ ଖଡ଼ୁ/ହାତ କରେ ରାଣ୍ଡ ହାତ କରେ ଦାଣ୍ଡ ଝାଡ଼ୁ ।’’ ପୁନଶ୍ଚ ସତୀ ସୀତାଙ୍କର ସୌନ୍ଦର୍ଯ୍ୟ ବର୍ଣ୍ଣନାର ଚମତ୍କାରିତା ଓ ଶବ୍ଦ ସଂଯୋଜନା ମଧ୍ୟ ବିଶେଷ ଲକ୍ଷଣୀୟ- ‘ଚମ୍ପାଚାରୁ ସମ୍ଭାଭୂରୁ କମ୍ପା କାନି ଦେଖି/ଦ୍ଵାଦଶ ଯୋଜନା ବନ ମହାଶୋଭା ଲେଖି/ବଳାହକ ବଳା ବାଳା କୁନ୍ତଳା ପ୍ରସନ୍ନେ/ପୂର୍ଣ୍ଣକଳାକାର କଳା ନିନ୍ଦଇ ବଦନେ ।’ ବର୍ଣ୍ଣନାର ଚାତୁରୀ ସହ ବିବିଧ ରସର ପରିପ୍ରକାଶରେ ତାଙ୍କ ଲେଖନୀ ସଦାଚଞ୍ଚଳ ଥିବାର ପରିଲକ୍ଷିତ ହୁଏ । ସୌନ୍ଦର୍ଯ୍ୟ ପରିକ୍ରମା କେବଳ ନୁହେଁ କିମ୍ବା ହାସ୍ୟ ଉଦ୍ରେକ ନୁହେଁ ବରଂ କାରୁଣ୍ୟ ଓ ସାମାଜିକ ସଚେତନତାରେ ମଧ୍ୟ ଜଗନ୍ନାଥ ପାଣି ଜଣେ ଅନନ୍ୟ ରୂପକାର । ସୀତାଙ୍କ ପାତାଳ ପ୍ରବେଶରେ ମାତୃହରା ଲବକୁଶଙ୍କର ବିଳାପ ସାଧାରଣ ଜନତାର ହୃଦୟତନ୍ତ୍ରୀକୁ ଯେଭଳି ବିଦାରିତ କରେ ତାହା ଅତୁଳନୀୟ ।

 

କବି ଯେ ଅସମ୍ଭବକୁ ସମ୍ଭବ କରିପାରେ ତା’ର ବହୁ ବହୁ ଦୃଷ୍ଟାନ୍ତ ଆମେ ତାଙ୍କର ରଚନାମାନଙ୍କରୁ ପାଇଥାଉଁ । ଦେବା ଦେବୀଙ୍କୁ ନିତାନ୍ତ ମାନବୀୟ ସ୍ତରକୁ ଆଣି ତାଙ୍କ ତୁଣ୍ଡରେ ମନୁଷ୍ୟ ସୁଲଭ ଈର୍ଷା, ଅସୂୟା, କ୍ରୋଧକୁ ଅତି ସହଜ ସରଳ ଢଙ୍ଗରେ ପ୍ରକାଶ କରି କବି ସାହିତ୍ୟକୁ କେବଳ ଲୋକାଭିମୁଖୀ କରିନାହାନ୍ତି ବରଂ ସାହିତ୍ୟକୁ ଜନତାର ପ୍ରତୀକ ଭାବେ ପ୍ରକାଶ କରିଛନ୍ତି । ସାଧାରଣ ଦର୍ଶକ ବା ପାଠକଟିଏ ନିଜକୁ ତାଙ୍କର ରଚନା ଭିତରେ ଆପେ ଖୋଜିପାଏ । ଗଙ୍ଗାଙ୍କର କାଳୀକୁ ଭର୍ତ୍ସନାରେ ଅତି ସାଧାରଣ ସପତ୍ନୀ କଳିର ଛିଟା- ‘ସ୍ତୀରି କୁଳେ ସବାଖାଇ କି କଳଙ୍କ କଲା /ଉଲଗ୍ନ ହୋଇଣ ପତି ଛାତିରେ ଚଢ଼ିଲା ।’ ପୁଣି କାଳୀଙ୍କର ଗଙ୍ଗାଙ୍କ ପ୍ରତି ଉକ୍ତି- ‘ଛି ଲୋ ଲଙ୍ଗୁଳି ବାର ବାଙ୍କ ଗଳି/ଅମଙ୍ଗଳୀ ତୋ ମୁହାଣୀ/ଜୁଆର ବାରେଣି ହେଲେ ତୋ ଉଜାଣି ଉପରକୁ ଉଠେ ପାଣିଲୋ ।’ ଏହାର ପ୍ରତ୍ୟୁତ୍ତରରେ ଗଙ୍ଗାଙ୍କର ଉକ୍ତି- ‘ବିପରୀତ ରଥା ହୋଇ ଉନମତା/ହରଙ୍କୁ କଲୁ ବିହାର/ଭାବ ଭାବଦାୟୀ ଭଗକୁ ଦେଖାଇ/ମାଇଲୁ ମହିଷାସୁର ଲୋ/ଦୁଷ୍ଟ ସ୍ଵଭାବ ତୋର /ଦେଖି ଶିବ ହେଲେଣି ପଥର ଲୋ...।’ ଏହି ବର୍ଣ୍ଣନା ସମୂହରେ କଳାକାରିତା ନଥିଲେ ନଥାଉ ପଛେ ସାଧାରଣ ମଣିଷର ସ୍ଵାଭାବିକ କ୍ରିୟା ପ୍ରତିକ୍ରିୟାର ଯେଉଁ ମନସ୍ତାତ୍ତ୍ଵିକ ରୂପ ବିମ୍ବିତ ହୋଇଛି ତାହାହିଁ ଜଗନ୍ନାଥ ପାଣିଙ୍କୁ ଲୋକକବିର ମାନ୍ୟତା ଦିଏ । ସମସ୍ତ ରଚନାରେ ନିର୍ମଳ ହାସ୍ୟ ସହ ଦେଶଜ ତଥା ତତ୍ସମ ଶବ୍ଦର ପ୍ରୟୋଗ ବଡ଼ କଳାତ୍ମକ ଭାବେ ଉପସ୍ଥାପିତ ହୋଇଛି । ଅନୁପ୍ରାସ, ଜମକ ସହିତ ଶବ୍ଦାଡ଼ମ୍ବର ଓ ବିଚିତ୍ର ବର୍ଣ୍ଣନା ସମୂହ ତାଙ୍କ ରଚନାକୁ ସମୃଦ୍ଧ କରିଛି । ବିପୁଳ ସୃଷ୍ଟି ସମ୍ଭାରର ସରଳ ତରଳ ଭାବ, ଅସାଧାରଣ ବର୍ଣ୍ଣନା ଚାତୁରୀ, ଅନନ୍ୟ ଅଳଙ୍କାର ଓ ରସ ସମ୍ଭାର ପାଠକକୁ ମୁଗ୍ଧ ବିସ୍ମିତ କରେନାହିଁ, ବରଂ ତାକୁ ବିଦଗ୍ଧ ତଥା ବିଭୋର କରିରଖେ ବହୁକ୍ଷଣ ଧରି ।

 

ତାଙ୍କ ସୃଷ୍ଟିରେ କିଛିଟା ଶବ୍ଦର ମାୟାଜାଲ ଥିଲେ ମଧ୍ୟ ସେ ଐନ୍ଦ୍ରଜାଲିକ ନୁହନ୍ତି । କାରଣ ତାହା ସ୍ଵଚ୍ଛ ଓ ସରଳ, ଯାହା ଶୃଙ୍ଗାର ରସକୁ ଶିହରିତ ସ୍ପର୍ଶ ଦିଏ ଓ ଅଳଙ୍କାରର ଶ୍ରୁତି-ସୁଖଦାୟୀ ପ୍ରୟୋଗରେ ଅଗଣିତ ଦର୍ଶକ ଓ ଶ୍ରୋତାଙ୍କୁ ମୁଗ୍ଧ କରିବାର ସାମର୍ଥ୍ୟ ତୋଳିଧରେ । ପୁରାତନ ଶୈଳୀରେ ନୂତନତା, ନୂଆ ଢଙ୍ଗ, ବାଗ ଓ ଶୈଳୀର ପ୍ରବର୍ତ୍ତନ କରିଥିବାରୁ ସେ ସାହିତ୍ୟରେ ମଧ୍ୟମ ମାର୍ଗର ଅନୁସରଣ କରିଥିଲେ ଓ ପ୍ରାଚୀନ ସହ ଆଧୁନିକତାର ସଂଯୋଗ ସେତୁଟିଏ ଥିଲେ କହିଲେ ଭୁଲ୍ ବି ନାହିଁ । ଉପେନ୍ଦ୍ର ଭଞ୍ଜଙ୍କ ସାମ୍ନାରେ ସେ ସମୟର ଅନ୍ୟ କବିମାନେ ନିଷ୍ପ୍ରଭ ହୋଇପଡ଼ିଥିଲାବେଳେ ଗ୍ରାମୀଣ ଜନତାଙ୍କ ରୁଚିକୁ ଦୃଷ୍ଟିରେ ରଖି ଅଳଙ୍କାର ଓ ଶବ୍ଦଶାସ୍ତ୍ର ପାରଦର୍ଶିତା ସହ ଗୀତାଭିନୟ ଓ ନୃତ୍ୟଭଙ୍ଗିମାର କଳା ନୈପୁଣ୍ୟ ପ୍ରଦର୍ଶନ କରି ସେ ନିଜସ୍ଵ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ । ନାଟକ ପ୍ରାରମ୍ଭରେ ନଟନଟୀଙ୍କ କଥୋପକଥନ ବା ଦୁଆରୀ କିମ୍ବା ଶବରଶବରୁଣୀ ନାଟର ପରିକଳ୍ପନା କରି ସେ ବିମଳ ହାସ୍ୟରସ ତଥା ଶୃଙ୍ଗାର ରସ ସୃଜିବା ସହ ସମାଜିକ ସଚେତନତା ସୃଷ୍ଟି କରିବାର ଉଦ୍ୟମ କରିଥିଲେ । ତାହା ହିଁ ଲୋକନାଟ୍ୟର ମୌଳିକ ଗୁଣ-

 

ଉପେନ୍ଦ ଭଞ୍ଜଙ୍କ ପରି ଦଶଜଣ ପଣ୍ଡିତଙ୍କ ପାଇଁ ନଲେଖି ଶହେଜଣ ସାଧାରଣ କଳାପିପାସୁ ମଣିଷଙ୍କ ପାଇଁ ଲେଖିଥିବାରୁ ସେ ଯଥାର୍ଥରେ ଲୋକଙ୍କର କବି, ଅର୍ଥାତ୍‍ ଲୋକକବି । ଗଣକବି ବୈଷ୍ଣବ ପାଣି ଜଗନ୍ନାଥ ପାଣିଙ୍କ ଗୀତାଭିନୟ ଦ୍ଵାରା ପ୍ରଭାବିତ ହୋଇଥିଲେ । ବୈଷ୍ଣବ ପାଣିଙ୍କ ଆତ୍ମଜୀବନୀରୁ ଜଣାଯାଏ ଯେ ଜଗନ୍ନାଥଙ୍କ ମୃତ୍ୟୁବେଳକୁ ସେ ଥିଲେ ତରୁଣ ବୟସର କିଶୋର । ମାତ୍ର ଗଣକବିଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଯଥୋଚିତ ଉଦ୍ୟମ ଯୋଗୁଁ ଓଡ଼ିଶାର ଗଣନାଟ୍ୟ ଶୈଳୀ ଓ ପରମ୍ପରାର ପ୍ରବର୍ତ୍ତକ ତଥା ପଥ ପ୍ରଦର୍ଶକ ଭାବେ ସେ ଯେତିକି ଆଲୋଚିତ ଓ ପରିଚିତ ହୋଇଛନ୍ତି ସେ ତୁଳନାରେ ତାଙ୍କ ପୂର୍ବରୁ ଲୋକନାଟ୍ୟ ପରମ୍ପରାର ମଙ୍ଗୁଆଳ ଥିଲେ ମଧ୍ୟ ଜଗନ୍ନାଥ ପାଣି କମ୍ ଚର୍ଚ୍ଚିତ ।

 

ଓଡ଼ିଆ ଯାତ୍ରାର ଅନ୍ୟତମ କିମ୍ବଦନ୍ତୀ ପୁରୁଷ ଗଣକବି ବୈଷ୍ଣବ ପାଣିଙ୍କର ସେ ଥିଲେ ମୁଖ୍ୟ ଆଦର୍ଶ । ବିଭିନ୍ନ ଲୋକପ୍ରିୟ ରାଗ-ରାଗିଣୀ, ପାତ୍ରମୁଖୀ ସଙ୍ଗୀତ ସଂଯୋଜନା, ରସୋତ୍ତୀର୍ଣ୍ଣ ହୃଦୟସ୍ପର୍ଶୀ ଭାଷା ଓ ଭାବ, ନାଟକୀୟତା, ସଂଳାପଧର୍ମୀ ସଙ୍ଗୀତ ଏବଂ ଯୁକ୍ତିନିଷ୍ଟ ତଥା ସ୍ଵାଭାବିକ ଚରିତ୍ର ଚିତ୍ରଣରେ ତାଙ୍କର ବୈଶିଷ୍ଟ୍ୟ ପ୍ରତିଭାତ ହୁଏ । ଜଣେ ମୌଳିକ ଯାତ୍ରାକାର ଭାବେ ନିଜ ପ୍ରତିଭାର ପରାକାଷ୍ଠାରେ ସେ ତାଙ୍କ ସମସାମୟିକ ଓ ପରପୀଢ଼ିର ଯାତ୍ରାକାରମାନଙ୍କୁ ଦିଗ୍‍ଦର୍ଶନ ଦେଇ ଯାଇଛନ୍ତି । ଜଗନ୍ନାଥଙ୍କ ଯାତ୍ରାର ପ୍ରଭାବ ବୈଷ୍ଣବ ପାଣିଙ୍କର ଅନେକ ଯାତ୍ରାରେ ପରିଲକ୍ଷିତ ହୁଏ । ଜଗନ୍ନାଥ ପାଣିଙ୍କ ‘ଦକ୍ଷଯଜ୍ଞ’ର ପ୍ରଭାବରେ ବୈଷ୍ଣବଙ୍କ ‘ଦକ୍ଷଯଜ୍ଞ’ ରଚିତ । ‘ଦକ୍ଷଯଜ୍ଞ’ରେ ଗଙ୍ଗା ଓ ପାର୍ବତୀଙ୍କ ସପତ୍ନୀ କଳି ପ୍ରସଙ୍ଗକୁ ଉଦାହରଣ ଭାବେ ଏହି ପ୍ରସଙ୍ଗରେ ସ୍ମରଣ କରାଯାଇପାରେ । ବୈଷ୍ଣବଙ୍କ ‘ମହୀରାବଣ ବଧ’ ଜଗନ୍ନାଥଙ୍କ ‘ମହୀରାବଣ ବଧ’ର ଅନ୍ୟ ଏକ ରୂପ କହିଲେ ଅତ୍ୟୁକ୍ତି ହେବ ନାହିଁ । ପାତାଳପୁରୀରେ ହନୁମାନ କାଳୀଙ୍କ ପ୍ରତି ଯେଉଁ କୋପବାକ୍ୟ ପ୍ରୟୋଗ କରିଛନ୍ତି, ଉଭୟଙ୍କ ସୃଷ୍ଟିରେ ତାହା ଭାବ ଓ ଭାଷା ଦୃଷ୍ଟିରୁ ସମାନ ଭାବେ ପରିପ୍ରକାଶ ହୋଇଛି । ଜଗନ୍ନାଥଙ୍କ ‘ସୀତା ବନବାସ’ରେ ମନ୍ଥରାର ସୀତାଙ୍କ ପ୍ରତି ଉକ୍ତିର ପ୍ରତିଧ୍ଵନି ବୈଷ୍ଣବଙ୍କ କୃତିରେ ପରିଲକ୍ଷିତ ହୁଏ ।

 

ସେମିତି ଲକ୍ଷ୍ମଣଙ୍କ ସହିତ ବନଗମନ ବେଳେ ରଥରେ ବସି ସୀତା ପ୍ରତ୍ୟକ୍ଷ କରିଥିବା ଅମଙ୍ଗଳ ଦୃଶ୍ୟରାଜି ବର୍ଣ୍ଣନାରେ ଉଭୟଙ୍କ ମଧ୍ୟରେ ପ୍ରଚୁର ସାମ୍ୟ ଲକ୍ଷ୍ୟ କରାଯାଏ । ‘ପାରିଜାତ ହରଣ’ ରଚନାବେଳେ ବୈଷ୍ଣବ ଜଗନ୍ନାଥ ପାଣିଙ୍କ ଦ୍ଵାରା ବହୁଳଭାବରେ ପ୍ରଭାବିତ ହୋଇଥିବାର ପ୍ରମାଣ ତୁଳନାତ୍ମକ ଅଧ୍ୟୟନରୁ ଜାଣିହେବ । ପାରିଜାତ ପୁଷ୍ପର ମହତ୍ତ୍ଵ ବର୍ଣ୍ଣନ ହେଉ ବା ‘କପଟପଶା’ରେ ପାଣ୍ଡବ-ଅସହଣୀ ଦୁର୍ଯ୍ୟୋଧନର କାତରୋକ୍ତି ପ୍ରକାଶନରେ ହେଉ ବୈଷ୍ଣବ ଜଗନ୍ନାଥଙ୍କୁ ଅନୁସରଣ ତଥା ଅନୁକରଣ କରିଛନ୍ତି । ‘ଧ୍ରୁବ ଚରିତ’ ଓ ‘ପ୍ରହ୍ଲାଦ ଚରିତ’ ରଚନାରେ ମଧ୍ୟ ଜଗନ୍ନାଥଙ୍କ ଦ୍ଵାରା ବୈଷ୍ଣବ ପ୍ରଭାବିତ ହୋଇଥିବାର ଜଣାଯାଏ । ଏବେର ଭଦ୍ରକ ବିଧାୟକ ଅତୀତରେ ସଂସ୍କୃତି ବିଭାଗର ମନ୍ତ୍ରୀ ଥିଲାବେଳେ ଏ କ୍ଷେତ୍ରରେ ଅବଶ୍ୟ କିଛିଟା ସକରାତ୍ମକ ପଦକ୍ଷେପ ଗ୍ରହଣ କରିଥିଲେ । ଏବେ କବିଙ୍କ ବଂଶଧରମାନଙ୍କ ପୃଷ୍ଠପୋଷକତା ଓ କିଛି ଆଗ୍ରହୀ ଅଞ୍ଚଳବାସୀଙ୍କ ଉଦ୍ୟମରେ ବାର୍ଷିକ ସ୍ମୃତିସଭାଟିଏ ତାଙ୍କ ଗ୍ରାମରେ ପାଳିତ ହେଉଥିଲେ ମଧ୍ୟ ତାହା ଯଥେଷ୍ଟ ନୁହେଁ ।

 

ପ୍ରତାପରୁଦ୍ରଙ୍କ ବେଳେ ଓଡ଼ିଶୀ ଭାଷା ଓ ସାମ୍ରାଜ୍ୟର ଅବକ୍ଷୟ ଆରମ୍ଭ ହୋଇଥିଲା ବେଳେ ଚୈତନ୍ୟଙ୍କ ପ୍ରେମଧର୍ମର ପ୍ରଚାର ଯୋଗୁଁ ସମଗ୍ର ରାଜ୍ୟରେ ଯେତେବେଳେ ଶ୍ମଶାନର ଶାନ୍ତି ବିରାଜୁଥିଲା, ପଞ୍ଚସଖାମାନେ ଯେତେବେଳେ ସ୍ଵର୍ଗୀୟ ସୁଖର ସନ୍ଦେଶ ଦେଉଥିଲେ, ଦେବା ଦେବୀଙ୍କ ଶୃଙ୍ଗାର ଲୀଳା ପ୍ରଦର୍ଶନ ଜରିଆରେ ଲୋକଙ୍କ ମନୋରଞ୍ଜନ କରି ସେମାନଙ୍କ ଭିତରୁ ନିଶ୍ଚେଷ୍ଟତା ଦୂର କରି ଉନ୍ମାଦନା ସୃଷ୍ଟି କରିବା ପାଇଁ ଜଗନ୍ନାଥ ପାଣିଙ୍କ ଐକାନ୍ତିକ ଉଦ୍ୟମର ପଟ୍ଟାନ୍ତର ନାହିଁ । କବିସମ୍ରାଟ ରାଜପୁରୁଷ ଓ ସମ୍ଭ୍ରାନ୍ତବଂଶଜକୁ ନାୟକ ନାୟିକା କରି କ୍ଲୀଷ୍ଟ ଶବ୍ଦାଡ଼ମ୍ବରର ପ୍ରାଚୁର୍ଯ୍ୟ ଭିତରେ ସମ୍ଭ୍ରାନ୍ତ ସାହିତ୍ୟ ସୃଜିଥିଲାବେଳେ ଜଗନ୍ନାଥ ସହଜ, ସରଳ ଭାଷାରେ ଅଳଙ୍କାରର ପ୍ରୟୋଗ ଓ ସାଂଗୀତିକତାକୁ ନେଇ ରାମାୟଣ, ମହାଭାରତର ଘଟଣା ଓ ଚରିତ୍ର ତଥା ଲୋକକଥା ଓ ଲୋକସାହିତ୍ୟକୁ ଭିତ୍ତି କରି ନିଜ ସୃଷ୍ଟିକୁ ରସାଳ କରିପାରିଥିଲେ । ଉପେନ୍ଦ୍ର, ଅଭିମନ୍ୟୁ ଓ ଦୀନକୃଷ୍ଣ ଦାସଙ୍କ ପରି ଯଶସ୍ଵୀ କବି ବର୍ଣ୍ଣନାର ପ୍ରାବଲ୍ୟ ଓ ଚାତୁରୀରେ ପାଠକଙ୍କୁ ମୋହାବିଷ୍ଟ କରିଥିଲାବେଳେ ବର୍ଣ୍ଣନାର କିମିଆଁରେ ଭାସିଯାଇ ପାଠକ କଥାବସ୍ତୁର ଖିଅକୁ ଖୋଜିବାକୁ ଧନ୍ଦି ହେଉଥିଲାବେଳେ ଜଗନ୍ନାଥ ପାଣି ବର୍ଣ୍ଣନା ସହିତ କଥାବସ୍ତୁକୁ ଅଗ୍ରସର କରାଇ ପାଠକଙ୍କୁ ଭାରାକ୍ରାନ୍ତ ହେବାକୁ ଦେଇନଥିଲେ । ନବରସ ମଧ୍ୟରୁ ଗୋଟିଏକୁ ପ୍ରାଧାନ୍ୟ ଦେଇ ଶିଳ୍ପୀ ଓ ଦର୍ଶକଙ୍କ ମଧ୍ୟରେ ମାନସିକ ସେତୁ ନିର୍ମାଣର ପ୍ରୟାସୀ ହୋଇଥିଲେ ଜଗନ୍ନାଥ ପାଣି । ଭାରତୀୟ ତଥା ଓଡ଼ିଶୀ ନାଟ୍ୟ ପରମ୍ପରାରେ ବିୟୋଗାନ୍ତକ କାହାଣୀକୁ ପ୍ରତ୍ୟାଖ୍ୟାନ କରାଯିବାର ବିଧି ବିଷୟରେ ସେ ଅବଗତ ଥିବାରୁ ଏବଂ ମଣିଷର ଉଦ୍ଭବ, ଜୀବନଧାରଣ ଓ ବିଲୟ ଆନନ୍ଦରୁ ବୋଲି ତାଙ୍କର ବିଶ୍ଵାସ ଥିବାରୁ ଶୃଙ୍ଗାର ରସ ଉପରେ ସେ ପ୍ରାଧାନ୍ୟ ଆରୋପ କରିଥିଲେ ।

 

ଏବେ ଯାତ୍ରା, ଲୋକନାଟ୍ୟ ଓ ଅପେରାର ପରିଭାଷା ଯଥେଷ୍ଟ ବଦଳି ଯାଇଥଲା ବେଳେ ନାଟ୍ୟକାର ଜଗନ୍ନାଥ ପାଣି ଆମ ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରତୀକ ହୋଇ ରହିଛନ୍ତି । ତାଙ୍କର ସ୍ମୃତି ରୋମନ୍ଥନ ତଥା ତାଙ୍କ ସୃଷ୍ଟିରାଜି ବିଷୟରେ ଆଲୋଚନା ପର୍ଯ୍ୟାଲୋଚନା କଲେ ଯାଇ ଆମେ ଆମ ପାଦତଳର ମାଟିକୁ ଚିହ୍ନିପାରିବା ଆଉ ଆମର ନିଜର ମୁହଁ ଦେଖିପାରିବା ନିଜସ୍ଵ ଦର୍ପଣରେ ।

 

ତାହେଲେ ଜଗନ୍ନାଥ ପାଣି ଆମ ମାଟିର କାହିଁକି, ଆମ ରାଜ୍ୟର ଭାଷା ସାହିତ୍ୟ ତଥା ନାଟ୍ୟ ପରମ୍ପରାର ଜଣେ ସତର୍କ ଦିଗପାଳ ଥିଲେ ଓ ଏବେ ବି ମଙ୍ଗୁଆଳ ଆସନରେ ଆସୀନ ଅଛନ୍ତି ବୋଲି ଆମେ ଯୋର୍ ଦେଇ କହିପାରିବା ।

 

 

ଅଧ୍ୟାପକ, ଇତିହାସ ବିଭାଗ

ବି.ଏନ୍.ଏମ୍.ଏ. କଲେଜ, ପାଳିଆବନ୍ଧା,

ଭଦ୍ରକ

 

***

 

ଜଗନ୍ନାଥ ପାଣିଙ୍କ ଉଷାବତୀ ହରଣ ଏବଂ ଶିଶୁଶଙ୍କର ଦାସଙ୍କ ଉଷାଭିଳାଷ;ଏକ ତୁଳନାତ୍ମକ ଅଧ୍ୟୟନ

ତମସା ଦାସ ମହାପାତ୍ର

 

ଓଡ଼ିଆ ଛାନ୍ଦନାଟ୍ୟ ଓ ଗୀତାଭିନୟ କ୍ଷେତ୍ରରେ କବି ଜଗନ୍ନାଥ ପାଣି ଏକ ଅନନ୍ୟ ଉଚ୍ଚାରଣ । ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ଓଡ଼ିଆ ନାଟ୍ୟସାହିତ୍ୟରେ ତାଙ୍କର ଅବଦାନ କେବଳ ଓଡ଼ିଆ ନାଟ୍ୟ ପରମ୍ପରାର ବୀଜ ବପନ କରିନଥିଲା ବରଂ ଏହାକୁ କରିଥିଲା ଶ୍ରୀବୃଦ୍ଧି ସମ୍ପନ୍ନ । ରୀତି ସାହିତ୍ୟର ପ୍ରଭାବ ତାଙ୍କ ରଚନାରେ ପରିଦୃଷ୍ଟ ହୋଇଥଲେ ବି ତାଙ୍କ ରଚନା ସମ୍ଭାରରେ ସ୍ଵକୀୟ ମୌଳିକତା ପ୍ରତିପାଦିତ ହୁଏ ।

 

କବି ଜଗନ୍ନାଥ ପାଣିଙ୍କ ଗୀତାଭିନୟ ଅଙ୍କ ବା ଦୃଶ୍ୟରେ ବିଭକ୍ତ ହୋଇନାହିଁ, ବରଂ ଏହା ଛାନ୍ଦ ଆକାରରେ ରଚିତ ହୋଇଥିବାରୁ ଛାନ୍ଦନାଟ୍ୟର ମାନ୍ୟତା ପାଏ । ଏହା ତାଙ୍କ ଛାନ୍ଦନାଟ୍ୟକୁ ଅନୁଶୀଳନ କଲେ ଜଣାଯାଏ ଯେ ସେ ଛାନ୍ଦର କଳେବର ଚାରିପଦରୁ ଆରମ୍ଭ ହୋଇ ସତର ପଦ ମଧ୍ୟରେ ସୀମିତ ଥିଲା । ତାଙ୍କ ରଚିତ ଛାନ୍ଦନାଟ୍ୟରେ ସେ ପ୍ରାଚୀନ ପରମ୍ପରାକୁ ନୂତନ ଭାବରେ ସଂଯୋଜିତ କରିଛନ୍ତି ହେଲେ ସେ କୌଣସି ଛାନ୍ଦନାଟ୍ୟରେ ରାଗରାଗିଣୀର ନାମ ଉଲ୍ଲେଖ କରିନଥିଲେ ମଧ୍ୟ ତାହା ଆମ ମଧ୍ୟଯୁଗୀୟ ଓ ରୀତିଯୁଗୀୟ କାବ୍ୟଧାରାରେ ପ୍ରଚଳିତ ରାଗରାଗିଣୀର ଅନ୍ତର୍ଭୁକ୍ତ । ପ୍ରବାଦ ଅଛି, ଯୁବକ ଜଗନ୍ନାଥ ପଞ୍ଚାକ୍ଷର ସରସ୍ଵତୀ ସାଧନା ମନ୍ତ୍ରରେ ବ୍ରତୀ ହୋଇ ଅଳ୍ପଦିନ ମଧ୍ୟରେ ଅଗାଧ ପାଣ୍ଡିତ୍ୟ ଓ ଧୀଶକ୍ତି ସମ୍ପନ୍ନ ହେବା ସଙ୍ଗେ ସଙ୍ଗେ ବିଶେଷ ସୃଜନୀ ପ୍ରତିଭାର ଅଧିକାରୀ ହୋଇପାରିଥିଲେ । ଏତଦ୍‍ବ୍ୟତୀତ ସେ ପ୍ରାଚୀନ କାବ୍ୟ, ପୁରାଣ, ବ୍ୟାକରଣ, ଜ୍ୟୋତିଷ ଶାସ୍ତ୍ର, ଚିତ୍ରବିଦ୍ୟା ପ୍ରଭୃତି ଏକବିଂଶ ବିଦ୍ୟାରେ ପାରଦର୍ଶିତା ଲାଭ କରିପାରିଥିଲେ ।

 

ମାତ୍ର ୬୧ ବର୍ଷର ଜୟଯାତ୍ରା ଭିତରେ ଓଡ଼ିଆ ସାହିତ୍ୟକୁ କବି ଜଗନ୍ନାଥ ପାଣିଙ୍କର ଅବଦାନ ଅତୁଳନୀୟ । ତାଙ୍କ ସମୟରେ ଗ୍ରାମମାନଙ୍କରେ ମନୋରଞ୍ଜନର ପ୍ରଧାନ ସାଧନ ଥିଲା ରାମଲୀଳା, କୃଷ୍ଣଲୀଳା, ଭାରତଲୀଳା, ଗୋପଲୀଳା, ସୁଆଙ୍ଗ ଓ ତାମସା ଆଦି । କବି ଜଗନ୍ନାଥ ପାଣି ଏହାର ଏକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରି ରଚନା କଲେ କାବ୍ୟଧର୍ମୀ ଓ ନାଟକ ଧର୍ମୀ ସଂଯୋଗରେ ଛନ୍ଦାଭିନୟ । ଏଥିରେ ସଂଯୋଜିତ ହେଉଥିବା ଚରିତ୍ରମାନେ ଗୀତିସଂଳାପ ଉଚ୍ଚାରଣ ପୂର୍ବକ ଅଭିନୟ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରି ରଖୁଥିଲେ ।

 

ଓଡ଼ିଆ ଲୋକନାଟ୍ୟ ଧାରାରେ ସେ ପରିବର୍ତ୍ତନ ଆଣିଥିଲେ ଅର୍ଥାତ୍‍ ସେ ଥିଲେ ଓଡ଼ିଆ ଯାତ୍ରାର ଅଗ୍ରଦୂତ । ବିଶିଷ୍ଟ ସମାଲୋଚକ ଡକ୍ଟର ହେମନ୍ତ ଦାସଙ୍କ ଭାଷାରେ- ‘‘ଭାଷା ବ୍ୟବହାରରେ କବି ମଧ୍ୟଯୁଗୀୟ କାବ୍ୟକାରଙ୍କୁ ଉପେକ୍ଷା କରିନଥିଲେ ହେଁ, ମୁଖ୍ୟତଃ ସାରଳା ଦାସଙ୍କୁ ନିଜର ଆଦର୍ଶରୂପେ ଗ୍ରହଣ କରିନେଇଛନ୍ତି । ତେଣୁ ତାଙ୍କର ଭାଷା ହେଉଛି, ଏ ଦେଶର ଅଗଣିତ ଜନତାର ମୁହଁ ଏବଂ ମନର ଭାଷା । ଏହି ଭାଷା ସେକାଳର ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିବା ନିମନ୍ତେ ଅଭିପ୍ରେତ । ଏହାରି ସାହାଯ୍ୟରେ ସେ ନାଟକୀୟତା ସୃଷ୍ଟି କରିଛନ୍ତି । ପରିବେଶ କଳ୍ପନା କରିଛନ୍ତି । ପୁଣି ଚରିତ୍ର ଉପସ୍ଥାପନା କରିଛନ୍ତି ।’’

 

ଜଗନ୍ନାଥ ପାଣିଙ୍କର ପୁରାଣଭିତ୍ତିକ ଛାନ୍ଦନାଟ୍ୟ ‘‘ଉଷାବତୀ ହରଣ’’ ଏକ ଅନବଦ୍ୟ କୃତି । ଏହି ବିଷୟବସ୍ତୁ ସାରଳା ଦାସଙ୍କ ‘‘ମହାଭାରତ’’ (ମଧ୍ୟପର୍ବ), ଜଗନ୍ନାଥ ଦାସଙ୍କ ଶ୍ରୀମଦ୍ଭଗବତ୍‍ ଗୀତା (୧୦ମ ସ୍କନ୍ଧ, ଦ୍ଵାରକାଲୀଳା), ଅଚ୍ୟୁତାନନ୍ଦ ଦାସଙ୍କ ‘ହରିବଂଶ’, ଶିଶୁଶଙ୍କର ଦାସଙ୍କ ‘‘ଭଷାଭିଳାଷ’’, ରାଜକବି ବିଶ୍ୱମ୍ଭର ରାଜେନ୍ଦ୍ରଙ୍କ ‘‘ଉଷାହରଣ ଲୀଳା’’, ସଂସ୍କୃତ କବି ଚନ୍ଦ୍ରଶେଖର ରାଜଗୁରୁଙ୍କ ‘‘ମଥୁରା ନିରୁଦ୍ଧ’’ ରଚନାରେ ପରିଦୃଷ୍ଟ ହୋଇଛି ।

 

ଶିଶୁଶଙ୍କରଙ୍କ ‘ଉଷାଭିଳାଷ’ ଦ୍ଵାଦଶ ଛାନ୍ଦ ମଧ୍ୟରେ ସୀମିତ । ଜଗନ୍ନାଥ ପାଣିଙ୍କ ଉଷାବତୀ ହରଣ ୩୩ (ତେତିଶ) ଛାନ୍ଦ ବିଶିଷ୍ଟ ହେଲେ ମଧ୍ୟ କଳେବର ଦୃଷ୍ଟିରୁ ଶିଶୁଶଙ୍କର ଉଷାଭିଳାଷ ଠାରୁ କ୍ଷୁଦ୍ର । ଉଭୟ କବି ହରିବଂଶ ଓ ଶ୍ରୀମଦ୍‍ ଭାଗବତରୁ କଥାବସ୍ତୁ ଗ୍ରହଣ କରିଛନ୍ତି । ଶିଶୁଶଙ୍କର ‘ଉଷାଭିଳାଷ’ ପ୍ରାରମ୍ଭରେ ନୀଳାଚଳନାଥ ଜଗନ୍ନାଥଙ୍କୁ ସ୍ତୁତି କରି କାବ୍ୟାରମ୍ଭ କରିଛନ୍ତି ।

 

ଜମ୍ବୁଦୀପ ଉତ୍ତରଖଣ୍ଡ ଶେଷେ

ଦକ୍ଷିଣ ସିନ୍ଧୁ ଉତ୍ତର ପାରୁଶେ

।।

ଶ୍ରୀ ପୁରୁଷୋତ୍ତମ ପବିତ୍ର ଦେଶେ

ନୀଳ ମହୀଧର ନାମ ପ୍ରକାଶେ

।।

ଅଶେଷ ବ୍ରହ୍ମାଣ୍ଡ ଭୂରୂହ କଳ

ତଥିରେ ବିଜୟ ପରମା ନନ୍ଦ

।।

ଭକତି-ଜନ-ଭୃଙ୍ଗ-ଅରବିନ୍ଦ

ସାଧକ ଲୋଚନ-ଚକୋର-ଚନ୍ଦ୍ର

।।

 

ପ୍ରାଚୀନ ଶାସ୍ତ୍ର ପରମ୍ପରା ପରି ତାଙ୍କ କାବ୍ୟରେ ଖଳନିନ୍ଦା ଓ ସାଧୁସ୍ତୁତି କରାଯାଇଛି । ଶିଶୁଶଙ୍କରଙ୍କ ରଚନାରେ କାଳ ସମ୍ପର୍କରେ ଉଲ୍ଲେଖ ନାହିଁ, ମାତ୍ର ସୃଷ୍ଟି ସମ୍ଭାରରେ ବୈଷ୍ଣବ ଚେତନାର ସ୍ପଷ୍ଟ ଛାପ ପରିଲକ୍ଷିତ; କାରଣ ମଧ୍ୟଯୁଗୀୟ କାବ୍ୟର ବିଶେଷତଃ କେତେକ ନିର୍ଦ୍ଦିଷ୍ଟ ଲକ୍ଷଣ ରହିଛି, ଯଥା-ପ୍ରଥମେ ନମସ୍କାର, ତା ପରେ ପରେ ବସ୍ତୁ ନିର୍ଦ୍ଦେଶ, ଖଳନିନ୍ଦା ସାଧୁସ୍ତୁତି ଇତ୍ୟାଦି । ଖଳ ବ୍ୟକ୍ତିଙ୍କ ସମ୍ପର୍କରେ ‘‘ଉଷାଭିଳାଷ’’ ୧ମ ଛାନ୍ଦରେ ରହିଛି-

 

ସର୍ପ ସ୍ୱରୂପ ହୋୟେ ଖଳଜନ

ଯଦି ଦେଇତାକୁ କ୍ଷୀର ଭୋଜନ

।।

ଗରଳ ଛାଡ଼ଇ ସେ କୋପମନ

କର ଚାଳନ୍ତେଣ ଦଂଶିତ ମନ

।।

 

ଅରସିକ ବ୍ୟକ୍ତିଙ୍କୁ ଯେତେ କାବ୍ୟରସରେ ଅଭିଷିକ୍ତ କଲେହେଁ ସେ ଈର୍ଷା ପରାୟଣ ହୋଇ ନିନ୍ଦା ଗାନ କରେ ।

 

ବାଣାସୁର ସମ୍ପର୍କରେ ଉଷାଭିଳାଷରେ ବର୍ଣ୍ଣନା :

ବାଣାସୁର ଶୋଣିତପୁର ରାଜ୍ୟର ରାଜା । ଏହି ରାଜ୍ୟ ଏଭଳି ସମୃଦ୍ଧଶାଳୀ ଯେ ତା’ ସମ୍ମୁଖରେ ସ୍ଵର୍ଗର ଅମରାବତୀ ମଧ୍ୟ ସମାନ ନୁହେଁ । କାରଣ ସ୍ଵୟଂ ବ୍ରହ୍ମାହିଁ ଏହାକୁ ନିର୍ମାଣ କରିଥିଲେ । ବାଣାସୁର ଘୋର ତପସ୍ୟାରେ ଶିବପାର୍ବତୀଙ୍କୁ ସନ୍ତୁଷ୍ଟ କରିଥିଲେ । ଶିବ ଅତ୍ୟନ୍ତ ପ୍ରୀତ ହୋଇ ଜଗତର ସୂର୍ଯ୍ୟ ଚନ୍ଦ୍ର ଥିବାଯାଏ ବାଣାସୁରର ସହସ୍ର ଭୂଜ ରହିଥିବ ବୋଲି ବରଦାନ କରିଥିଲେ । ଶିବ ଓ ପାର୍ବତୀ ବାଣାସୁରର ନବରରେ ଅଧିଷ୍ଠିତ ହୋଇଥିଲେ । ପୁରାଣ କହେ ଶୋଣିତ ନବର ପରି ଦୁର୍ଭେଦ୍ୟ ନଗର ଭିତରକୁ ଦେବତା, ମନୁଷ୍ୟ, ଅସୁର କେହି ପ୍ରବେଶ କରିପାରିବେ ନାହିଁ । ଇତିହାସକୁ ପର୍ଯ୍ୟାଲୋଚନା କଲେ ଶୋଣିତପୁର ହେଉଛି ବାଲେଶ୍ଵର ଜିଲ୍ଲାର ସଦର ମହକୁମାରେ ଅବସ୍ଥିତ ସୁନହଟ ଅଞ୍ଚଳ ଏବଂ ବାଣାସୁର ଅପଭ୍ରଂଶ ହୋଇ ବାଣେଶ୍ଵର ବା ବାଲେଶ୍ଵର ହୋଇଛି । ମୁଖ୍ୟତଃ ହରିବଂଶର ବର୍ଣ୍ଣନାକୁ ଶିଶୁଶଙ୍କର ଅବିକଳ ଭାବରେ ବର୍ଣ୍ଣନା କରିଛନ୍ତି । ହେଲେ ସାରଳା ଦାସଙ୍କ ମହାଭାରତରେ ଶୋଣିତପୁର ବୈତରଣୀ ଉପକୂଳରେ ଅବସ୍ଥିତ ବୋଲି କୁହାଯାଇଛି ।

 

ବାଣାସୁର ବରପ୍ରାପ୍ତ ହେବାପରେ ତାହାର ସମକକ୍ଷ କୌଣସି ଯୋଦ୍ଧା ନଥିଲେ । ଏଣୁ ବାଣାସୁର ଶିବଙ୍କ ନିକଟରେ ଯୁଦ୍ଧ ଲାଗି କାମନା ଜଣାଇଥିଲା । ଶିବ ଭବିଷ୍ୟତରେ ଏକ ଭୀଷଣ ଯୁଦ୍ଧର ସୂଚନା ଦେଇଥିଲେ ।

 

ଜଗନ୍ନାଥ ଦାସଙ୍କ ଶ୍ରୀମଦ୍ ଭାଗବତରେ ୧୦ମ ସ୍କନ୍ଧ ଦ୍ଵାରକାଲୀଳାରେ ବର୍ଣ୍ଣିତ ଅଛି ଯେ ଅତ୍ୟନ୍ତ ପରାକ୍ରମଶାଳୀ ସହସ୍ରଭୁଜଧାରୀ ବାଣାସୁର ସମସ୍ତ ଯୁଦ୍ଧରେ ବିଜୟୀ ହେଉଥିଲା । ମାତ୍ର ସମୟକ୍ରମେ ଆଉ ଯୁଦ୍ଧ କରିବା ପାଇଁ କୌଣସି ସୁଯୋଗ ମିଳିଲା ନାହିଁ । ତେଣୁ ସେ ଶିବଙ୍କ ନିକଟରେ ନିଜର ଅଭିଳାଷ ଜଣାଇଲା । ଶିବ ତାଣ୍ଡବ ନୃତ୍ୟ କରୁଥିବା ସମୟରେ ବାଣାସୁର ବାଦ୍ୟ ବଜାଇ ତାକୁ ସନ୍ତୁଷ୍ଟ କରିଥିଲେ । ଶିବ ପ୍ରୀତ ହୋଇ ବର ପ୍ରାର୍ଥନା ପାଇଁ କହିଲେ, ମାତ୍ର ବାଣାସୁର ଶିବଙ୍କ ନିକଟରେ ଯୁଦ୍ଧ ପାଇଁ ପ୍ରାର୍ଥନା କଲେ । ଏଥିରେ ଶିବ କ୍ରୋଧପରାୟଣ ହୋଇ କହିଥିଲେ, ଯେଉଁଦିନ ବାଣାସୁରର ରଥରୁ ଧ୍ଵଜ ପଡ଼ିଯିବ ସେହିଦିନ ସେ ଏପରି ଏକ ଯୁଦ୍ଧର ସମ୍ମୁଖୀନ ହେବ, ଯାହାଦ୍ଵାରା ତା’ର ସମସ୍ତ ଗର୍ବ ଚୂର୍ଣ୍ଣ ହେବ, ମାତ୍ର ଅଚ୍ୟୁତାନନ୍ଦଙ୍କ ହରିବଂଶରେ ଶିବ କ୍ରୋଧୀ ହୋଇନାହାନ୍ତି ।

 

ଶୁଣି ପ୍ରକୋପେ ହର ଆଜ୍ଞା ଦେଲେ

ରଥରୁ ତୋହର ଧ୍ଵଜ ଖସିଲେ

ମୋର ସମାନ ଜଣେ ତୋର ତୁଲେ

ଯୁଦ୍ଧରେ ତୋତେ ସେ ତୋଷିବେ ଭଲେ

 

କବି ଜଗନ୍ନାଥ ପାଣି ତାଙ୍କ କାବ୍ୟାରମ୍ଭରେ ପରମ୍ପରାଠାରୁ ଦୂରେଇ ସିଧାସଳଖ ବାଣାସୁର ବୃତ୍ତାନ୍ତ ଆରମ୍ଭ କରିଛନ୍ତି । ଶିଶୁଶଙ୍କରଙ୍କ ଉଷାଭିଳାଷରେ ବର୍ଣ୍ଣିତ ଛନ୍ଦରେ ରାଗରାଗିଣୀର ସୂଚନା ରହିଛି ମାତ୍ର ଜଗନ୍ନାଥ ପାଣି ଏ ସମ୍ପର୍କରେ ଉଲ୍ଲେଖ କରିନାହାନ୍ତି । ତାଙ୍କ ଛାନ୍ଦନାଟ୍ୟ ‘ଉଷାବତୀ ହରଣ’ରେ ଶୃଙ୍ଗାର ରସକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ଜଗନ୍ନାଥ ପାଣି ଥିଲେ ଜଣେ ଦକ୍ଷ ଅଭିନେତା, ନିର୍ଦ୍ଦେଶକ, ଗାୟକ, ମଞ୍ଚ ସଂଯୋଜକ, ସଙ୍ଗଠକ ତଥା କବି । ଏଣୁ ‘ଉଷାବତୀ ହରଣ’ ସାଙ୍ଗିତିକତା ସହିତ ଅଧିକ ଅଭିନୟଧର୍ମୀ ଓ ମଞ୍ଚ ଉପଯୋଗୀ ହୋଇପାରିଛି । ସେ ତାଙ୍କ ରଚନାରେ ଅଧିକମାତ୍ରାରେ ଗୀତିସଂଳାପ ସଂଯୋଜନା କରିବାକୁ ବାଧ୍ୟ ହୋଇଛନ୍ତି ।

 

ଉଷାବତୀ ହେଉଛି ଶୋଣିତ ରାଜ୍ୟର ରାଜା ବଳିପୁତ୍ର ବାଣାସୁରର ଏକମାତ୍ର କନ୍ୟା । ବାଣାସୁର ତା’ର ଅପୂର୍ବ ସୁନ୍ଦରୀ କନ୍ୟା ଉଷାବତୀଙ୍କୁ ମହାଦେବଙ୍କ ପୁତ୍ର କାର୍ତ୍ତିକେୟଙ୍କ ସହ ବିବାହ ଦେବାଲାଗି ମନସ୍ଥ କରିଥିଲେ । ଉଷାବତୀର ରୂପ ଲାବଣ୍ୟରେ ମୁଗ୍ଧ ହୋଇ କୌଣସି ଦେବତା, କନ୍ଦର୍ପ, ଗନ୍ଧର୍ବ ତାକୁ ଚୋରାଇ ନେବାର ଆଶଙ୍କା ବାଣାସୁରକୁ ବିଚଳିତ କରିରଖିଥିଲା । ଏଣୁ ବାଣାସୁର ସେ ରାଜ୍ୟର ମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ଶିଳ୍ପୀମାନଙ୍କ ସହାୟତାରେ ଅଭେଦ୍ୟଦୁର୍ଗ ନିର୍ମାଣ କରିଥିଲା । ଏହାର ଗଡ଼ଦ୍ଵାରରେ ରୂପାର ପାଚେରୀ, ଚାରିପାଖରେ ଗଡ଼ଖାଇ, ଚାରିଦିଗରେ ସୁବର୍ଣ୍ଣ କବାଟ ଓ କୀଳାବନ୍ଧ ହୀରାରେ ନିର୍ମିତ ହୋଇଥିଲା । ସୁରକ୍ଷା ପାଇଁ ବଳବନ୍ତ ହସ୍ତୀ, ଅଶ୍ଵ, କୋଟ କୋଟି ଯୁଦ୍ଧାସ୍ତ୍ରଧାରି ଜଗିରହିଥିଲେ । ଉଷାବତୀର ମନୋରଞ୍ଜନ ପାଇଁ ସୁନ୍ଦର ଉପବନ ରହିଥିଲେ ମଧ୍ୟ ସେ ସେଠାରେ ସୁଖରେ ନଥିଲେ । ଦାସଦାସୀମାନଙ୍କର ପରିଚର୍ଯ୍ୟା ସତ୍ତ୍ୱେ ତାଙ୍କ ଭିତରେ କାମନାବାସନା ଜାଗ୍ରତ ହୋଇଥିଲା । ଉଷାବତୀଙ୍କ ରୂପ ବର୍ଣ୍ଣନାକୁ କବି ସଂକ୍ଷିପ୍ତରେ ସୂଚାଇଛନ୍ତି- ‘‘ମୋହର କୁଳରେ ହେଲା ଉଷାବତୀ ଜନ୍ମ । ଦେବଙ୍କ ଦୁର୍ଲଭ ତ୍ରିଭୂବନେ ନାହିଁ ସମ । (ଉଷାବତୀ ହରଣ, ପ୍ରଥମ ଛାନ୍ଦ)

 

ଉଷାଙ୍କ ରୂପ ବର୍ଣ୍ଣନା :

ଜଗନ୍ନାଥ ପାଣିଙ୍କ ‘ଉଷାବତୀ’ଠାରୁ ଶିଶୁଶଙ୍କରଙ୍କର ଉଷାର ରୂପବର୍ଣ୍ଣନା ଅଧିକ ସ୍ପଷ୍ଟ । ଶିଶୁଶଙ୍କରଙ୍କ ବର୍ଣ୍ଣନା ପରବର୍ତ୍ତୀ ସମୟରେ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟମାନଙ୍କରେ ପରିଲକ୍ଷିତ ହୁଏ । ଉଷାଭିଳାଷରେ ଉଷାଙ୍କ ରୂପ ବର୍ଣ୍ଣନା-

 

‘‘ଯୁବା-ଜନ-ମନ-ଚୂତ ଚନ୍ଦନ ସମୀର

ପୁରୁଷ-ହୃଦୟ- ଚନ୍ଦ୍ରମଣି ନିଶାକର

ଶରତ ସମ୍ପୂର୍ଣ୍ଣ ଅକଳଙ୍କ ହିରିଣାଙ୍କେ

ଲପନ ଲାବଣ୍ୟ ଲକ୍ଷ୍ମୀ ଚାହିଁବା ଆଙ୍କେ

ସ୍ମିତ ଭାବ ଚାହିଁବା ସେବିଲା ଯହୁଁ ହର

ଆହାଲାଦ ଗୁଣ ତେଣୁ ବହେ ନିଶାକର

ନିର୍ମଳ ସ୍ଵଭାବେ ବହେ ମଦନ ଦର୍ପଣ

ଜଳରୁହ ବହେ ତା’ର ସୁଗନ୍ଧ ଲାବଣ୍ୟ

ସୁସଞ୍ଜ ନାସିକା ପୁଟେ ଲୁକେ ଗଜମୋତି

ସୁଧୁାବିନ୍ଦୁ ଘେନିକି ପୌର୍ଣ୍ଣମୀ ନିଶାପତି”

 

ନାରୀର ରୂପ ବର୍ଣ୍ଣନା :

ଜଗନ୍ନାଥ ପାଣିଙ୍କ ରଚନାରେ ନାରୀ ଚରିତ୍ର ସାଧାରଣ ଗ୍ରାମୀଣ ପରିବେଶରୁ ସୃଷ୍ଟି । ବିଶିଷ୍ଟ ସମାଲୋଚକ ଓ ଗବେଷକ ଡକ୍ଟର ଉପେନ୍ଦ୍ର ପ୍ରସାଦ ନାୟକଙ୍କ ଭାଷାରେ- ‘‘ଜଗନ୍ନାଥ ପାଣିଙ୍କ ଦୃଷ୍ଟିରେ ପୌରାଣିକ ନାରୀ ଚରିତ୍ରମାନେ ସାର୍ବଜନୀନ ସ୍ଵଭାବିକତା ଭିତରେ ହୋଇଉଠିଛନ୍ତି ଅତ୍ୟନ୍ତ ଗ୍ରାମୀଣ ବା ମର୍ତ୍ତ୍ୟର ଅତି ସାଧାରଣ ନାରୀ ସଦୃଶା । ତାଙ୍କ ଦୃଷ୍ଟିରେ ନାରୀ କେତେବେଳେ ଅନାବିଳ ଅନନ୍ତପ୍ରେମର ଜିଜ୍ଞାସା କରିଛି ତ ପୁଣି କେବେ ଅତ୍ୟନ୍ତ କାମ ଜର୍ଜରିତା ବା କାମନାରେ ଉନ୍ନତ୍ତ ହୋଇ ସକଳ ଲଜ୍ଜା ପରିତ୍ୟାଗ କରି ପୁରୁଷ ନିକଟରେ ପ୍ରେମ ନିବେଦନ କରିଛି ।’’

 

‘‘ନଦେଖି ସୁନ୍ଦର ନୟନରୁ ନୀର

ଝର ଝର ଝରିପଡ଼େ କୁଚେ

ଥର ଥର ଦେହୀ ତରତର ହୋଇ

ଘର ଘର ଖୋଜି ଡାକେ ଉଚ୍ଚେ’’

।।

ହେ ପ୍ରାଣବନ୍ଧୁ, ଦେଖାଅ ବାରେ ତୋ ମୁଖ ଇନ୍ଦୁ

(ଉଷାବତୀ ହରଣ-୮ମ ଛାନ୍ଦ)

 

 

ଜଗନ୍ନାଥ ଦାସଙ୍କ ଶ୍ରୀମଦ୍‍ ଭାଗବତରେ ଉଷା ଅନିରୁଦ୍ଧ ‘‘ସ୍ଵପ୍ନଦର୍ଶନ’’ ପ୍ରସଙ୍ଗ ବର୍ଣ୍ଣନା ହୋଇଥିଲେ ମଧ୍ୟ ଏହା କ୍ଷୁଦ୍ର କଳେବର ବିଶିଷ୍ଟ । ଜଗନ୍ନାଥ ଦାସଙ୍କ ଅନୁପ୍ରେରଣାରେ ପରବର୍ତ୍ତୀ ସମୟରେ ଶିଶୁଶଙ୍କର ତାଙ୍କ ‘ଉଷାଭିଳାଷ’, ବିଶ୍ୱମ୍ଭର ରାଜେନ୍ଦ୍ରଙ୍କ ଉଷାବିଳାସ ଏବଂ ଜଗନ୍ନାଥ ପାଣିଙ୍କ ଉଷାବତୀ ହରଣରେ ସ୍ଵପ୍ନ ଦର୍ଶନ ପ୍ରସଙ୍ଗ ଅଧିକ ପ୍ରାଞ୍ଜଳ ଭାବେ ବର୍ଣ୍ଣିତ ହୋଇଅଛି । ଏହି ପରବର୍ତ୍ତୀ ତିନିଜଣ କବିଙ୍କ ବର୍ଣ୍ଣନାରେ ଶୃଙ୍ଗାରିକତା ଅଧିକ ସ୍ପଷ୍ଟ ବୋଲି ମନେହୁଏ ।

 

‘‘ସେ କନ୍ୟା ରାତ୍ରେ ନିଦ୍ରା କାଳେ

ସ୍ୱପ୍ନେ ମିଳିଲା କାନ୍ତମେଳେ

ପ୍ରଦ୍ୟୁମ୍ନ ପୁତ୍ରେ ତୁଲେ ରମି

ପ୍ରଳାପ କଲା ଶୋକ ଧ୍ଵନି

ହେ କାନ୍ତ, କାହିଁ ଗଲ ଛାଡ଼ି

ଶୋକ ସାଗରେ ମୋତେ ଏଡ଼ି

ନ ଦେଖି ଛାଡ଼ିବି ଜୀବନ

ଦେଖାଅ ସୁନ୍ଦର ବଦନ

 

(ଶ୍ରୀମଦ୍ ଭାଗବତ ଗୀତା, ୬୭ ଅଧ୍ୟାୟ, ଜଗନ୍ନାଥ ଦାସ)

 

ଜଗନ୍ନାଥ ଦାସଙ୍କ ନବାକ୍ଷରୀ ଛନ୍ଦରେ ଲିଖିତ ଏହି ପଦଟି ପାଠକଲା ମାତ୍ରେ ପାଠକ ମନରେ ଏକ ଈଶ୍ଵରୀୟ ଚେତନା ଜାଗ୍ରତ ହୁଏ । ଜଗନ୍ନାଥ ଦାସ ଥିଲେ ବୈଷ୍ଣବ ମତବାଦର ଦୃଢ଼ ସମର୍ଥକ । ଭକ୍ତିମାର୍ଗ ଓ ଜ୍ଞାନମାର୍ଗର ଉପାସକ । ଏହି ପଞ୍ଚସଖା ସାଧକଙ୍କ ମତରେ ସାଧୁସଙ୍ଗ, ଶାସ୍ତ୍ରଚର୍ଚ୍ଚା, ତଥା ଚିତ୍ତସଂଯମ ଦ୍ଵାରା ମାନବୀୟତାର ବିକାଶ ଘଟିଥାଏ । ତେଣୁ ଜ୍ଞାନମିଶ୍ରା ଭକ୍ତିର ସାଧକ ଜଗନ୍ନାଥ ଦାସ ଅତି ସଂଯତ ଭାବରେ ‘ଉଷାବତୀର ସ୍ଵପ୍ନଦର୍ଶନ’ ପ୍ରସଙ୍ଗକୁ ଅବତାରଣା କରିଛନ୍ତି । ବିଶ୍ଵମ୍ବର ରାଜେନ୍ଦ୍ରଙ୍କ ‘ଉଷାବିଳାସ’ରେ ସ୍ଵପ୍ନ ବୃତ୍ତାନ୍ତ ପ୍ରସଙ୍ଗ ନିମ୍ନରେ ଦିଆଯାଇପାରେ ।

 

‘‘ମନେ ଥିଲା ଏ ପ୍ରସଙ୍ଗ ଉଷାର

ସ୍ୱପ୍ନ ସଙ୍ଗ ହେଲା ଅନିରୁଦ୍ଧର

ଏହିପରି ସେ ସୁଖେ ମାତିଥିଲା

ପାପ ଦଇବ ସେ କ୍ଷଣି ହରିଲା

ଚେତି ସେ ସୁଖ ଅଙ୍କୁ ନବ ଯୋଷା

ଉଚ୍ଚେ କାନ୍ଦିଲା ବୋଲେ ରାଜଦୃଶା

।’’

 

ଦେଖାଅ ଦେଖିବି କଳାକାର ବଦନଟି ।

ମନ ପୁଆ କରି ପିଇ ନଥିଲି ଅଧର ।

ଚୁମ୍ବି ଜାଣି ନାହିଁ ଗଣ୍ଡ-ଖଣ୍ଡର ମଧୁର ।

ବିଶ୍ୱମ୍ବର ରାଜେନ୍ଦ୍ର, ଉଷା ବିଳାସ (ସ୍ଵପ୍ନଦର୍ଶନ ପ୍ରସଙ୍ଗ)

 

‘ଭଷାଭିଳାଷ’ରେ-

‘‘ଚିରକାଳେ ନିଦ୍ରା ହୋୟେ ନୟନେ ତାର

ସପନେ ସଙ୍ଗତେ ହୋୟେ କାମ କୁମର

ଯେସନେ ରମିଲା ତାକୁ ରମଣୀ ମଣି

ଅନିରୁଦ୍ଧ ତେସନ ରମିଲା ତରୁଣୀ

ସ୍ଵରୂପ ବିଚାରି କଣ୍ଠେ କରନ୍ତେ କୋଳ

ନିଶିଶେଷେ ନିଦ୍ରାଗତ ବିରହେ ଭୋଳ

(ଉଷାଭିଳାଷ, ୪ର୍ଥ ଛାନ୍ଦ)

 

‘ସ୍ଵପ୍ନ ଦର୍ଶନ ପ୍ରସଙ୍ଗ’ ଉଷା ବିଳାସର କବି ବିଶ୍ଵମ୍ଭର ରାଜେନ୍ଦ୍ର ଏବଂ ଉଷାଭିଳାଷର କବି ଶିଶୁଶଙ୍କର ଦାସ ଯଥାସମ୍ଭବ ସଂଯମତା ରକ୍ଷା କରିଛନ୍ତି, ମାତ୍ର ଜଗନ୍ନାଥ ପାଣିଙ୍କ ଉଷାବତୀ ହରଣରେ ଏହି ପ୍ରସଙ୍ଗ ଅତ୍ୟନ୍ତ ନାଟକୀୟ ଶୈଳୀରେ ଅଙ୍କିତ ହୋଇଅଛି । ଲାଗେ, ସତେ ଯେପରି ଉଷାବତୀଙ୍କ ସ୍ଵପ୍ନଦର୍ଶନ ସମୟରେ ଅନିରୁଦ୍ଧ ସ୍ଵପ୍ନରେ ଆସି ନାହାଁନ୍ତି, ବରଂ ସ୍ୱଦେହରେ ଆସି ଉଷାବତୀଙ୍କ ସହ ରତିଫାଶରେ ବାନ୍ଧିହୋଇ ପଡ଼ିଛନ୍ତି । ବସନ ଫିଟିବା, ବେଣୀ ଅସ୍ତବ୍ୟସ୍ତ ହେବା, ବେନି କୁଚରେ ନଖଘାତ ହେବା ଏବଂ ମୋତିମାଳ ଛିଡ଼ି ପଡ଼ିବା ବର୍ଣ୍ଣନା କୌଣସି ସ୍ଵପ୍ନଦର୍ଶନ ବର୍ଣ୍ଣନାରେ ହେବାଭଳି ମନେହୁଏ ନାହିଁ ।

 

‘‘ଗଜରାଜଗତି, ଗଜଦନ୍ତ ପାତି, ପଲ୍ୟଙ୍କେ ପୁରୁଷ ଆସିବଳେ,

ଧରିବେନି ସ୍ତନ, ବଦନେ ଚୁମ୍ବନ, ଦେଇ ରତି କଲାଭାବ ଭୋଳେ ।

ସେ ବିଧିବଶେ

ଅନ୍ତର୍ଦ୍ଧାନ ହେଲା ରତି ଶେଷେ ।

ରମଣୀ ରତନ ଚେତିଣ ସ୍ଵପନ ଚିଆଁଇ ବସିଲା ପଲ୍ୟଙ୍କରେ,

ଫିଟିଛି ବସନ, ନୀବୀବନ୍ଧମାନ ଫିଟିଛି କୁସୁମ ବେଣୀ ଶିରେ ।

ସେ ରସ ନଦୀ, ଦୁଇ ଜାନୁ ଦେଇ ଯାଏ ଭେଦି

ଝାଳେ ଜରଜର, ହୃଦୟ ଅସ୍ଥିର ନଖଘାତେ ଜଳେ ବେନି କୁଚ ।’’

(ଉଷାବତୀ ହରଣ ଅଷ୍ଟମ ଛାନ୍ଦ)

ଇତ୍ୟାଦି ଭିତ୍ତିଭୂମି ଉପରେ ପର୍ଯ୍ୟବେଶିତ ।

 

ଜଗନ୍ନାଥ ପାଣିଙ୍କ ରଚନାଗୁଡ଼ିକ ପୌରାଣିକ କିମ୍ବଦନ୍ତୀ ଭିତ୍ତିଭୂମି ଉପରେ ପର୍ଯ୍ୟବେସିତ-। ରାମ, କୃଷ୍ଣ, ବଳରାମ, ଶିବ, ଇନ୍ଦ୍ର, ଅର୍ଜୁନ, ଦକ୍ଷ ପ୍ରଜାପତି, ରାବଣ, ଧୃବ, ପ୍ରହଲ୍ଲାଦ, ବବ୍ରୁବାହନ, ମହୀରାବଣ, ପ୍ରମୁଖ ପୁରୁଷ ଚରିତ୍ର, ଉଷାବତୀ, ସୀତା, ରୁକ୍ମଣୀ, ସୁଭଦ୍ରା, ହାରାବତୀ, ପାର୍ବତୀ, ରାଧା, ମୀରା ପ୍ରମୁଖ ନାରୀ ଚରିତ୍ରମାନେ ଦେବା ଦେବୀ ଭାବରେ ପରିଚିତ । କିନ୍ତୁ କବି ଜଗନ୍ନାଥ ପାଣିଙ୍କ ଦୃଷ୍ଟିଭଙ୍ଗୀରେ ସେମାନେ ଜଣେ ଜଣେ ମାନବ । ସେମାନଙ୍କଠାରେ ଥାଇପାରେ ଅଲୌକିକ ଶକ୍ତି, ମାତ୍ର ଆହାର, ଶୃଙ୍ଗାର, ନିଦ୍ରା, କାମନାଠାରୁ ସେମାନେ ଦୂରରେ ନୁହଁନ୍ତି । ସେଥିପାଇଁ ସେମାନେ ଅସାଧ୍ୟ ସାଧନ ମଧ୍ୟ କରିପାରନ୍ତି ।

 

କାମନା ବିରହୀଣୀ ଉଷାବତୀର ଚାଟୁଳପୂର୍ଣ୍ଣ ବାକ୍ୟକୁ ଏଡ଼ିପାରିନାହିଁ ଅନିରୁଦ୍ଧ । ଶେଷରେ ଅନିରୁଦ୍ଧ ଉଷାର ପ୍ରେମ ନିବେଦନକୁ ସ୍ଵୀକାର କରିଛି । ନିଜକୁ ସମର୍ପଣ କରି ଦେଇଛି ଉଷା ନିକଟରେ । କବି ଜଗନ୍ନାଥ ପାଣି ଉଷାବତୀ ହରଣର ୧୦ ମ ଛାନ୍ଦରେ ରତିକ୍ରୀଡ଼ାର ଏକ ନିଛକ ରୂପ ଦେବାକୁ ପଛାଇ ନାହାନ୍ତି, ଯଥା-

 

‘‘ସୁରତିରେ ମାତିଲା ଅତି ପ୍ରେମ ଭରେ

ଚଉଷଠି ପରି ବନ୍ଧ ବାସ୍ତରି କ୍ରୀଡ଼ାରେ ।

ନାଗବନ୍ଧରେ, ନାଗର ନାଗରୀ ମାତି ରଙ୍ଗରେ ।

ପ୍ରଥମେ ଅଙ୍ଗ ସ୍ପରଶ, ଦ୍ୱିତୀୟେ ସ୍ତମ୍ଭନ,

ତୃତୀୟେ ଧାରଣ କରି କୋଳ ସମ୍ଭାଷଣ

ସେ ଚତୁର୍ଥରେ, ଚେତାବୁଡ଼ି ଭାସେ ପ୍ରେମ ସାଗରେ

ପଞ୍ଚମରେ ଆଲିଙ୍ଗନ, ଷଷ୍ଠେ ମୋହମାନ,

ସପ୍ତମରେ ମାନ ଭଙ୍ଗ ଅଷ୍ଟେ ଓଷ୍ଠ ପାନ,

ଧୈର୍ଯ୍ୟ ହତରେ, ଲାଜ ଛାଡ଼ି ପଳାଇଲା ସତ୍ଵରେ ।

(ଉଷାବତୀ ହରଣ, ୧୦ମ ଛାନ୍ଦ)

 

ରୀତି ସାହିତ୍ୟରେ ସନ୍ନିବେଶିତ ହେଉଥିବା କ୍ଲିଷ୍ଟତାକୁ ଯଥାସମ୍ଭବ ପରିହାର କରିବାକୁ ଜଗନ୍ନାଥ ପାଣି ଚାହିଁଛନ୍ତି । ହେଲେ ଅନେକ ସମୟରେ ଶୃଙ୍ଗାରିକତାରେ ରୀତି ସାହିତ୍ୟକୁ ସେ ଅତିକ୍ରମ କରି ଯାଇଛନ୍ତି ଯଦିଓ ତାଙ୍କ ଛାନ୍ଦନାଟ୍ୟ ଗୁଡ଼ିକରେ କବି ସମ୍ରାଟଙ୍କ ପ୍ରଭାବ ବେଶ୍‌ ପରିଲକ୍ଷିତ ହୋଇଥାଏ ।

 

ବିଶିଷ୍ଟ ସମାଲୋଚକ ଡକ୍ଟର ଅମୂଲ୍ୟକୃଷ୍ଣ ମିଶ୍ରଙ୍କ ଭାଷାରେ ‘‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରୀତିରେ ଅଥଚ ସରଳ ଯଥାର୍ଥ ଓ ହୃଦୟଗ୍ରାହୀ ଶବ୍ଦ ଯୋଜନା କରିବାରେ ଜଗନ୍ନାଥ ପାଣି ସଫଳତା ଲାଭ କରିଥିଲେ । ତାଙ୍କର ବର୍ଣ୍ଣନା ଶୈଳୀ ଏଭଳି ଅନୁପମ ଥିଲା ଯେ ଦର୍ଶକମାନଙ୍କୁ ବର୍ଣ୍ଣିଳ କଥାବସ୍ତୁର ପରିବେଶକୁ ଅକ୍ଲେଶରେ ନେଇଯାଇପାରୁଥିଲା । ଏଣୁ ଆବାଳ ବୃଦ୍ଧବନିତା ସମସ୍ତେ ତାଙ୍କର ଗୀତାଭିନୟଗୁଡ଼ିକୁ ପୂର୍ଣ୍ଣମାତ୍ରାରେ ଉପଭୋଗ କରିବାରେ ସକ୍ଷମ ହୋଇପାରୁଥିଲେ ।’’ (ଜଗନ୍ନାଥ ପାଣିଙ୍କ ଉଷାବତୀ ହରଣ ଏକ ଅଧ୍ୟୟନ : ଡକ୍ଟର ଅମୂଲ୍ୟକୃଷ୍ଣ ମିଶ୍ର)

 

‘‘ଉଷାବତୀ ହେଉଛି ରାଜକନ୍ୟା । ଭୋଗ ବିଳାସ ବ୍ୟସନ ଭିତରେ ସେ ନିଜ ଜୀବନକୁ ଗଢ଼ି ତୋଳିଛି । ସୁଖ, ପ୍ରାଚୁର୍ଯ୍ୟ ଭିତରେ ହୁଏତ ଜୀବନର ପ୍ରଥମ ପାହାଚରେ ଦୁଃଖ ଯନ୍ତ୍ରଣାକୁ ଅନୁଭବ କରିପାରିନାହିଁ, ମାତ୍ର ପ୍ରେମ ନିକଟରେ ତା’ର ଭୋଗ ବିଳାସ ନିରର୍ଥକ ମନେ ହୋଇଛି । ଅନେକ ସ୍ଥଳରେ ସେ ନୀରବ ଅଭିମାନ ଭିତରେ ସମୟ ଅତିବାହିତ କରିଛି । ଯୌବନର ମାଦକତା ତାକୁ ବିହ୍ଵଳିତ କରିଛି । ‘ସ୍ଵପ୍ନ ଦର୍ଶନ’ ପରେ ଆକାଂକ୍ଷିତ ପୁରୁଷ ନିକଟରେ ନିଜକୁ ସମର୍ପଣ କରିଦେବାର ସଂକଳ୍ପ ନେଇଛି ।

 

ବର୍ଣ୍ଣନା ଶୈଳୀ

ଜଗନ୍ନାଥ ପାଣିଙ୍କ ‘ଉଷାବତୀ ହରଣ’ ଏବଂ ଶିଶୁଶଙ୍କର ଦାସଙ୍କ ‘ଭଷାଭିଳାଷ’ ଅଧ୍ୟୟନ କଲେ ଜଣାଯାଏ, ଜଗନ୍ନାଥ ପାଣି ପାଠକମାନଙ୍କ ନିକଟରେ ଉଷାବତୀକୁ ଅଧିକ ପରିଚିତ କରାଇବାକୁ ଚେଷ୍ଟା କରିଛନ୍ତି । ମାତ୍ର ଶିଶୁଶଙ୍କର ଦାସ ଉଷା ମାଧ୍ୟମରେ ବୈଷ୍ଣବ ଚେତନା ଓ ଭକ୍ତିଧର୍ମକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି । କବି ଶିଶୁଶଙ୍କରଙ୍କ ‘ଭଷାଭିଳାଷ’ରେ ପ୍ରତ୍ୟେକ ଛାନ୍ଦରେ ଆରମ୍ଭ ଏବଂ ଶେଷରେ କୃଷ୍ଣଙ୍କର ଗୁଣ କୀର୍ତ୍ତନ ଓ ବର୍ଣ୍ଣନା ରହିଛି । ବିଶେଷତଃ ୬ଷ୍ଠ ଛାନ୍ଦର ଆରମ୍ଭରେ ଚିତ୍ରରେଖାର ଦ୍ଵାରକା ଗମନ ଓ ଉଷା ଅନିରୁଦ୍ଧର ମିଳନ ବର୍ଣ୍ଣନା ଅପେକ୍ଷା ଶ୍ରୀକୃଷ୍ଣଙ୍କର ଗୁଣ କୀର୍ତ୍ତନ ଅଧିକ ଭାବରେ କରାଯାଇଛି । ଯଥା-

 

‘‘ଭାବର ନିକଟ ଯେ ଜଗତ ଜନ

ଆରତ ଜନର ସେ କରୁଣାମୟ ସିନ୍ଧୁଗୋ

ତାହାଙ୍କ ଚରଣ ମନେ ଧରି ସହଚରୀ

ଉଷା ମୁଖ ଚାହିଁ ରସ ବଚନ ପଚାରି ଗୋ

ଅନାଦି ପୁରୁଷ ଯାର ଆଦି ଅନ୍ତ ନାହିଁ

ଅବନୀ ଜନମ ହେଲେ କ୍ଷିତିଭାର ପାଇ

(ଉଷାଭିଳାଷ-୬ଷ୍ଠ ଛାନ୍ଦ)

 

କବି ଜଗନ୍ନାଥ ପାଣିଙ୍କ ରଚନାରେ ବର୍ଣ୍ଣନା ଶୈଳୀର ଦୀର୍ଘତା ନାହିଁ । ସମଗ୍ର କାବ୍ୟଟି ୩୩ ଛାନ୍ଦ ବିଶିଷ୍ଟ ହୋଇଥିଲେ ମଧ୍ୟ ପ୍ରତ୍ୟେକ ଛାନ୍ଦର କଳେବର କ୍ଷୁଦ୍ର । ସେ ଦୀର୍ଘବର୍ଣ୍ଣନା ଅପେକ୍ଷା ବିଷୟବସ୍ତୁ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି, ମାତ୍ର ‘ଭଷାଭିଳାଷ’ର କବି ଶିଶୁଶଙ୍କର ତାଙ୍କର ବର୍ଣ୍ଣନା ଭିତରେ ଦୀର୍ଘତା ପ୍ରକାଶ କରି ଅନେକ ସ୍ଥଳରେ ବଷୟବସ୍ତୁଠାରୁ ଦୂରେଇ ଯାଇଛନ୍ତି-। କବି ଶ୍ରୀକୃଷ୍ଣଙ୍କ ବାଲ୍ୟକାଳର ବର୍ଣ୍ଣନା କରିବାକୁ ଯାଇ କଂସର ଡରରେ ବସୁଦେବ ନବଜାତକ ଶ୍ରୀକୃଷ୍ଣଙ୍କୁ ଗୋପପୁରରେ ନନ୍ଦରାଜାଙ୍କ ଘରେ ଛାଡ଼ିବା ଠାରୁ କୃଷ୍ଣ ବଳରାମଙ୍କ ସଙ୍ଗକ୍ରୀଡ଼ା, ପୁତନା ରାକ୍ଷସୀ, ଶକଟାସୁର, ବତ୍ସାସୁର, ଅର୍ଘାସୁର, ପ୍ରଳମ୍ବାସୁର, ଧେନୁକାସୁର, ତୃଣା ଶଙ୍ଖଚୂଡ଼ ଓ ବିଷ୍ଣୁ ବେଦଚୋର, ଶଙ୍ଖାସୁର ବଧ ଆଦି ବିଷୟବସ୍ତୁକୁ ଅତି ପ୍ରାଞ୍ଜଳ ଭାବରେ ଦର୍ଶାଇଛନ୍ତି । ସେହିପରି କୃଷ୍ଣ ଯକ୍ଷରାଜ କୁବେରଙ୍କ ଦୁଇପୁତ୍ର ନଳକୁବେର ଓ ମଣିଭଦ୍ରକୁ ଶାପମୁକ୍ତ କରିଥିଲେ । ଗୋପପୁରରେ ଶ୍ରୀକୃଷ୍ଣ ଗିରିଗୋବର୍ଦ୍ଧନ ପର୍ବତକୁ ନିଜର କାଣି ଆଙ୍ଗୁଠିରେ ଧାରଣ କରି ଗୋପପୁରବାସୀଙ୍କୁ ଇନ୍ଦ୍ରକୋପରୁ ରକ୍ଷା କରିଥିଲେ । ବ୍ରହ୍ମା ମାୟା ବଳରେ ଗୋପବାଳକ, ଧେନୁ ଓ ବତ୍ସାକୁ ନିଜ କମଣ୍ଡଳୁ ମଧ୍ୟରେ ଲୁଚାଇ ରଖିଥିଲେ, ଶ୍ରୀକୃଷ୍ଣ ଏହା ଜାଣିପାରି ନିଜ ଅଙ୍ଗରୁ ବତ୍ସା, ଧେନୁ ଓ ଗୋପବାଳକମାନଙ୍କୁ ଜାତ କରିଥିଲେ । ଏହା ଦେଖି ବ୍ରହ୍ମା ଲଜିତ ହୋଇଥିଲେ ।

 

‘‘ପୁତନା ଶକଟା ବଚ୍ଛା ବକା ଅର୍ଘାସୁର / ପ୍ରଳମ୍ବା, ଧେନୁକା, ତ କେଶୀ ମହାବୀର ଗୋ ।

ଶଙ୍ଖଚୂଡ଼, ବେଦଚୋର ବ୍ୟୋମସୁର ଆଦି / ଲୀଳାମାତ୍ରେ ମାଇଲେ ସେ ଅମର ପୁର ।

କୁବେର ନାଦନ କଲେ ଶାପରୁ ମୁକତ / ଗିରିତୋଳି ସୁରପତି ଗର୍ବ କଲେ ହତଗୋ ।

ଶିଶୁ ବକା ହାରିଲା ଯା ବ୍ରହ୍ମ / କାଳୀ ବଳି ରୁହାଇଲେ କାଳନ୍ଦୀ ମହିମା ଗୋ ।

 

କବି ଶିଶୁଶଙ୍କର କୃଷ୍ଣଙ୍କ ବାଲ୍ୟଲୀଳା ବର୍ଣ୍ଣନା ପରେ ଜରାସନ୍ଧ ବଧ ଆଦି ପ୍ରସଙ୍ଗ ପରେ ପ୍ରଦ୍ୟୁମ୍ନଙ୍କ ବିଷୟ ଏବଂ ଶେଷରେ ପ୍ରଦ୍ୟୁମ୍ନଙ୍କ ପୁତ୍ର ଅନିରୁଦ୍ଧ ସମ୍ପର୍କରେ ଉଲ୍ଲେଖ କରିଛନ୍ତି-। ଶ୍ରୀକୃଷ୍ଣଙ୍କ ଆଠରାଣୀ ମଧ୍ୟରେ ରୁକ୍ମିଣୀଙ୍କ ପୁତ୍ର ପ୍ରଦ୍ୟୁମ୍ନ । ସେହି ପ୍ରଦ୍ୟୁମ୍ନଙ୍କ ଓରସରୁ ମାତୁଳ କନ୍ୟା କୁକୁଦମତୀଙ୍କ ଗର୍ଭରେ ଅନିରୁଦ୍ଧଙ୍କ ଜନ୍ମ । ତେଣୁ ଅନିରୁଦ୍ଧ ମଧ୍ୟ କନ୍ଦର୍ପଙ୍କ ପୁତ୍ର ବୋଲି ଶିଶୁଶଙ୍କର ବର୍ଣ୍ଣନା କରିଛନ୍ତି ।

 

ଉଭୟ ଶିଶୁଶଙ୍କର ଏବଂ ଜଗନ୍ନାଥ ପାଣି ଉଲ୍ଲେଖ କରିଛନ୍ତି ଯେ ଅନିରୁଦ୍ଧଙ୍କ ନିକଟକୁ ଯିବା ପାଇଁ ଚିତ୍ରରେଖା ନାରଦ ଋଷିଙ୍କ ମନ୍ତ୍ର ଉଚ୍ଚାରଣ କରିଛନ୍ତି । ଶିଶୁଶଙ୍କରଙ୍କ ଉଷାଭିଳାଷରେ କବି ଲେଖିଛନ୍ତି-

 

‘‘ଶୁଣିଣ ସାନନ୍ଦେ ବୃତ୍ତାନ୍ତ- ଦୁହିତା

କମଳ-ଦଳ ଲୋଚନ ମନେ ଚିନ୍ତା ଗୋ

ମଙ୍ଗଳ ସଙ୍କେତ ତାକୁ ହୋଇଲା ଦର୍ଶନ

ଅନ୍ତରୀକ୍ଷେ ଚଳିଗଲା ଦ୍ଵାରକା ଭୁବନ ଗୋ

ସମୁଦ୍ର ନିକଟେ ରହି ନ ପାରଇ ପଶି

ମନୁ ଭାନୁ ଭେଟିଲା ନାରଦ ମହାଋଷି ଗୋ

ମୁନିଙ୍କୁ କାର୍ପୁର୍ଣ୍ଣ ହୋଇ ବୋଲଇ ଗୋସାଇଁ

କେମନ୍ତେ ଦ୍ଵାରକା ମୁହିଁ ପାରିବଇଁ ଯାଇ ଗୋ

ସର୍ବଜ୍ଞ ପୁରୁଷ ସେ କହିଲେ ମନ୍ତ୍ର ସାର

ତାହା ଘେନି ପଶିଲା ସେ କୃଷ୍ଣର ନବର ଗୋ

(ଶିଶୁଶଙ୍କର, ଉଷାଭିଳାଷ - ୬ଷ୍ଠ ଛାନ୍ଦ)

 

ଜଗନ୍ନାଥ ପାଣିଙ୍କ ‘ଉଷାବତୀ ହରଣ’ ରେ ରହିଛି-

‘‘ଉଷାର ବିରହ ଦଶା ଦେଖି ଚିତ୍ରରେଖା / ପ୍ରବୋଧ ଦେଇଣ ଖରେ ଚଳିଲା ଦ୍ଵାରକା ।

ନାରଦ ଋଷିଙ୍କ ମନ୍ତ୍ର କରି ସୁମରଣ / ଆକାଶ ମାର୍ଗରେ ଚଢ଼ି ଚଢ଼ି ମନ ଯାନ ।

ଅଶୀ ସହସ୍ର ଯୋଜନ ଦ୍ଵାରକା ନବର / ନବ ନିମିଷରେ ଯାଇ ମିଳିଲା ସେଠାରେ ।

(ଜଗନ୍ନାଥ ପାଣି, ଉଷାବତୀ ହରଣ - ପଞ୍ଚଦଶ ଛାନ୍ଦ)

 

ଚିତ୍ରରେଖା ମାୟାବଳରେ ଅନିରୁଦ୍ଧକୁ ହରଣ କରି ଉଷାବତୀ ନିକଟରେ ପହଞ୍ଚାଇଛନ୍ତି-। ଶିଶୁଶଙ୍କର ଏହି ପ୍ରସଙ୍ଗକୁ ୩୯ଟି ପଦ ମଧ୍ୟରେ ଶେଷ କରିଥିବାବେଳେ, ଜଗନ୍ନାଥ ପାଣି ମାତ୍ର ୮ଟି ପଦ ମଧ୍ୟରେ ପ୍ରସଙ୍ଗଟିର ପରିସମାପ୍ତି ଘଟାଇଛନ୍ତି ।

 

ଉଷା ମନରେ ଉଦୟ ହେଉଥିବା ଜାମଭାବନାକୁ ବର୍ଦ୍ଧିତ କରିବା ପାଇଁ କବି ଶିଶୁଶଙ୍କର ଶିବପାର୍ବତୀଙ୍କ ଜଳକ୍ରୀଡ଼ାର ସଂଯୋଜନା କରିଛନ୍ତି । ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପରେ ଅସହ୍ୟ ହୋଇ ଉଷା ସରୋବର ତଟରେ ଶିବପାର୍ବତୀଙ୍କ ଜଳକେଳି ସନ୍ଦର୍ଶନ କରିଛନ୍ତି, ଯାହାଦ୍ଵାରା ତାଙ୍କ ମନ ଭିତରେ କାନ୍ତ ସଙ୍ଗଲାଭର ଅଭୀପ୍‌ସା ଜାଗ୍ରତ ହୋଇଛି । ସେ କାନ୍ତସଙ୍ଗ ନିମନ୍ତେ ହୋଇଛନ୍ତି ଆଗ୍ରହୀ ଏବଂ ଚିନ୍ତା କରିଛନ୍ତି ଯୌବନ ସମୟରେ କାନ୍ତ ସଙ୍ଗଲାଭ ନକଲେ ଜୀବନ ବୃଥା ହୋଇଯାଏ । ଉମା ଉଷାଙ୍କର ମନୋଭାବ ଜାଣିପାରି କହିଛନ୍ତି, ବୈଶାଖ ଶୁକ୍ଳ ତ୍ରୟୋଦଶୀ ତିଥିରେ ଉଷା ଯାହାକୁ ସ୍ୱପ୍ନରେ ଦେଖବେ, ତାହାକୁ ସ୍ଵାମୀ ଭାବେ ଲାଭ କରିବେ ।

 

ତରଳ ଲୋଚନେ ତାର ଜାଣିଲେ ଉମା / ମଧୁର ସଧୀରେ ଭାଷେ ଶଙ୍କର ବାମା ।

ବର ତୁ ପାଇବୁ ଯାହା ଦେଖିବୁ ସ୍ଵପ୍ନେ / ବଇଶାଖ ଶୁକ୍ଳ ତ୍ରୟୋଦଶୀ ଦନେ ।

 

‘ଉଷାହରଣ’ କାବ୍ୟରେ ଉଷା ବୈଶାଖ ମାସରେ ନିଜର ଇପ୍‌ସିତ ପୁରୁଷକୁ ଦେଖିଛନ୍ତି, ମାତ୍ର ‘ଉଷାବତୀ ହରଣ’ କାବ୍ୟରେ ଉଷାବତୀ ବସନ୍ତ ସମୟରେ ସ୍ଵପ୍ନରେ ନିଜର ଇପ୍‌ସିତ ପୁରୁଷକୁ ଦେଖିଛନ୍ତି । ପୁରୁଷଠାରୁ ଦୂରରେ ରହିଲେ ନାରୀର ଅଧିକ ଆସକ୍ତି ପ୍ରକାଶ ପାଏ ବୋଲି ‘ଉଷାବତୀ ହରଣ’ ଏବଂ ଉଷାଭିଳାଷ କାବ୍ୟରେ ବର୍ଣ୍ଣନା କରାଯାଇଛି ।

 

‘ଭଷାବତୀ ହରଣ’ କାବ୍ୟରେ ମୁଖ୍ୟ ନାୟିକା ଉଷା ତା’ର ସ୍ଵପ୍ନର ପୁରୁଷକୁ ପାଇବାକୁ ବ୍ୟାକୁଳିତ ହୋଇଉଠିଛି । କବି ଜଗନ୍ନାଥ ପାଣି ଚିତ୍ରରେଖା ଓ ଉଷାବତୀର ସଂଳାପ ମାଧ୍ୟମରେ ପୁରୁଷ ପ୍ରତି ନାରୀର ପ୍ରେମକୁ ଅତ୍ୟନ୍ତ ସ୍ପଷ୍ଟ ଓ ଜୀବନ୍ତକରି ଗଢ଼ି ତୋଳିଛନ୍ତି । ଯଥା-

 

ଉଷାବତୀ

:

ବଡ଼ ଦାରୁଣ ହୃଦୟ ପିତାମାତାଙ୍କର /

 

 

ଏ ଜନ୍ମ ବିଅର୍ଥ ଗଲା ନ ବରିଲେ ବର ।

ଚିତ୍ରରେଖା

:

ବଡ଼ ଘର କଥା ବଡ଼ ଗହନକୁ ଯିବା /

 

 

ବଡ଼ ବର ହେଲେ ତୋତେ ଦେବେ ସିନା ବିଭା ।

ଉଷାବତୀ

:

ବନରେ ମାଳତୀ ପ୍ରାୟ ହେଲି ଆସି ମୁହିଁ /

 

 

ବନେ ଫୁଟି ଝରିଗଲି ନ ଜାଣିଲେ କେହି ।

ଚିତ୍ରରେଖା

:

ବାସ ଫୁଲ ଦେଖି ସିନା ଭୃଙ୍ଗ ହୁଏ ବାଇ/

 

 

ଯେଉଁ ବନେ ଫୁଟେ ସେହି ଖୋଜେ ଚୁମ୍ବେ ଯାଇ ।

ଉଷାବତୀ

:

ପୋଡ଼ୁ ଏ ବସନ୍ତ ସଖି ପୋଡ଼ୁ ଏ ଜୀବନ/

 

 

ପୋଡ଼ୁ ପୋଡ଼ୁ ମଧୁପ ମାଧବୀ ମଧୁବନ ।

ଚିତ୍ରରେଖା

:

ଏ ସଂସାରେ ସ୍ତିରୀଙ୍କର ପତିବଡ଼ ଧନ /

 

 

ଯାହା କୋଳେ ପତି ନାହିଁ ବ୍ୟର୍ଥ ତା ଜୀବନ ।

 

ଉଷା ସ୍ଵପ୍ନରେ ଅନିରୁଦ୍ଧଙ୍କୁ ଭେଟିଛନ୍ତି ଓ ତାଙ୍କ ସହିତ ମିଳନ ହୋଇଛି । ନିଦ୍ରାଭଙ୍ଗ ପରେ ଉଷା ତାଙ୍କ ସ୍ଵପ୍ନର ପୁରୁଷ ଅନିରୁଦ୍ଧଙ୍କୁ ନ ପାଇ ବିଳାପ କରିଛନ୍ତି । ପରବର୍ତ୍ତୀ ସମୟରେ ଉଷାଭିଳାଷର ସ୍ଵପ୍ନ ବର୍ଣ୍ଣନା ଉପେନ୍ଦ୍ରଭଞ୍ଜଙ୍କ ‘ଲାବଣ୍ୟବତୀ’ କାବ୍ୟର ଲାବଣ୍ୟବତୀ ଓ ଚନ୍ଦ୍ରଭାନୁର ସ୍ଵପ୍ନ ମିଳନ ଏବଂ ଜଗନ୍ନାଥ ପାଣିଙ୍କ ଉଷାବତୀ କାବ୍ୟରେ ଉଷାବତୀ ଓ ଅନିରୁଦ୍ଧର ସ୍ଵପ୍ନ ମିଳନ ସହିତ ସାମଞ୍ଜସ୍ୟ ପରିଲକ୍ଷିତ ହୁଏ ।

 

ଉଷାଭିଳାଷ, ୫ ମ ଛାନ୍ଦ :

ପଲଙ୍କ ତେଜିଣ ଉଠିଲ ସୁମୁଖୀ ସପନ ସଙ୍କେତ ପାଇଣ

ଆହା ପ୍ରାଣନାଥ କେଣେ ଗଲୁ ବୋଲି ଉଚ୍ଚସ୍ଵରେ କରେ କାରୁଣ୍ୟ

ଦଇବ, ଦେଖାଇ ନିଧି କରି ନେଲୁ

ଶିଶୁ କୁମାରୀ ମୁଁ କିଛି ନ ଜାଣଇ କିମ୍ପାଇ ମୋତେ ଏହା କଲୁ ।

 

ଲାବଣ୍ୟବତୀ ସ୍ଵପ୍ନ ଦର୍ଶନ, ଏକାଦଶ ଛାନ୍ଦ :

ଚେତି ଚତୁରୀ ଚାହିଁଲା ନିଶି ନାଶେ ପାଶେ ନାହିଁ ଦିବ୍ୟ ତରୁଣ

ମାରେ ହୃଦେ ହାତ ନାଥ ନାଥ ବୋଲି ଅତି ଉଚ୍ଚେ କଲା କାରୁଣ୍ୟ ।

ଖୋଜେ ଅଧୀରେ

ଚେତନା ହତ ସେ ବିଧିରେ ।

 

ଉଷାବତୀ ହରଣ, ୮ମ ଛାନ୍ଦ :

ରମଣୀ ରତନ ଚେତିଶ ସ୍ଵପନ / ଚିଆଁଇ ବସିଲା ପଲ୍ୟଙ୍କରେ

ଫିଟିଛି ବସନ ନୀବୀ ବନ୍ଧ ମାନ ! ଫିଟିଛି କୁସୁମ ବେଣୀ ଶିରେ

ସେ ରସ ନଦୀ

ଦୁଇ ଜାନୁ ଦେଇ ଯାଏ ଭେଦି ।

 

ଋତୁବର୍ଣ୍ଣନା

ଉଷାଭିଳାଷ କାବ୍ୟର ଦଶମ ଛାନ୍ଦରେ ବିଭିନ୍ନ ରତୁର ବର୍ଣ୍ଣନା ଭିତରେ ଉଷାଙ୍କର ସୌନ୍ଦର୍ଯ୍ୟ ବର୍ଣ୍ଣନା ଅନିରୁଦ୍ଧର ଚାଟୁ ବାକ୍ୟ ମଧ୍ୟରେ ପ୍ରକାଶ ପାଇଛି । ‘ଉଷାଭିଳାଷ’ କାବ୍ୟରେ ବିଷୟବସ୍ତୁ ଭିନ୍ନ କୃଷ୍ଣ ବର୍ଣ୍ଣନା ଅଧିକ ଥିବାବେଳେ ‘ଉଷାବତୀ ହରଣ’ କାବ୍ୟରେ ଶୃଙ୍ଗାରିକତାର ଅଧିକ ବର୍ଣ୍ଣନା ରହିଛି । କବି ଜଗନ୍ନାଥ ପାଣି ୬୪ ପରିବନ୍ଧ, ୭୬ କ୍ରୀଡ଼ା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଚିତ୍ରରେଖା ମାଧ୍ୟମରେ ବିଭିନ୍ନ ରତୁର ବିଭିନ୍ନ ଚକ୍ର ସମ୍ପର୍କରେ ଉଲ୍ଲେଖ କରିଛନ୍ତି-। ଧୀରଚକ୍ର (ବସନ୍ତ ଋତୁ) ମଣିମୟ ଚକ୍ର (ଗ୍ରୀଷ୍ମଋତୁ) ଲଲାଟ ଚକ୍ର (ବର୍ଷାଋତୁ) ଅନାହତ ଚକ୍ର (ଶରତ ଋତୁ), କଣ୍ଠ ଚକ୍ର (ହେମନ୍ତ ଋତୁ) ଏବଂ ସ୍ଵାଧୀଷ୍ଠାନ ଚକ୍ର (ଶୀତ ଋତୁ/ ସୂର୍ଯ୍ୟଙ୍କର ଷଢ଼ ଅଂଶରୁ ଜାତ ବୋଲି ସୂଚନା ମିଳେ ।

 

ଶୃଙ୍ଗାରିକତାରେ ‘ଉଷାବତୀ ହରଣ’ ଉନବିଂଶ ଛାନ୍ଦରେ ଉଷା ଓ ଅନିରୁଦ୍ଧର ବାର୍ତ୍ତାଳାପ ମାଧ୍ୟମରେ ରାଜଜେମା ସୁଲୋଚନାର ବିଦ୍ୟାଧରକୁ ଛାଡ଼ି ମାଧବ ସହିତ, ଅହଲ୍ୟା ସୁନ୍ଦରୀର ଗୌତମ ସହିତ, ଋକ୍ମଣୀଙ୍କର ଶ୍ରୀକୃଷ୍ଣ ସହିତ ପରକୀୟା ପ୍ରୀତିର ଉଦାହରଣ ଦେଇଛନ୍ତି । ଅର୍ଥାତ୍‌ ଉଷାବତୀ ତାଙ୍କ ପିତାଙ୍କ ଦ୍ଵାରା ମନୋନୀତ କାର୍ତ୍ତିକେୟଙ୍କୁ ଛାଡ଼ି ଅନିରୁଦ୍ଧ ସହ ପ୍ରୀତ କଲେ କୌଣସି ପ୍ରତିବନ୍ଧକ ନାହିଁ ବୋଲି କହିବାକୁ ଚାହାଁନ୍ତି । ମାତ୍ର ଶିଶୁଶଙ୍କରଙ୍କ ଉଷାଭିଳାଷରେ ଏସବୁ ତଥ୍ୟର ସୂଚନା ନାହିଁ ।

 

ଯୁଦ୍ଧ ବର୍ଣ୍ଣନା :

ବାଣାସୁର ପ୍ରହରୀଠାରୁ ଉଷା ଓ ଅନିରୁଦ୍ଧ ମିଳନ ସମ୍ପର୍କରେ ଖବର ପାଇ ଅନିରୁଦ୍ଧ ସହତ ଯୁଦ୍ଧ କରିଛି, ଶେଷରେ ମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ବାଣାସୁର ଅନ୍ୟ ଉପାୟ ନପାଇ ଅନିରୁଦ୍ଧକୁ ନାଗପାଶରେ ବନ୍ଦୀ କରିଛି । ‘ଉଷାବତୀ ହରଣ’ରେ ଏହି ପ୍ରସଙ୍ଗ ସଂକ୍ଷିପ୍ତ ବର୍ଣ୍ଣନା ଥିବାବେଳେ ‘ଉଷାଭିଳାଷ’ରେ ଏହାର ବିସ୍ତୃତ ବର୍ଣ୍ଣନା ରହିଛି । ବାଣାସୁର ସହିତ ସମଗ୍ର ଯଦୁକୁଳର ଯୁଦ୍ଧ ହେବା ଫଳରେ ବାଣାସୁର ପରାସ୍ତ ହୋଇ ଶିବ (ହର)ଙ୍କ ଶରଣାପନ୍ନ ହୋଇଛି । ଶିବ (ହର) ବାଣାସୁରକୁ ସୁରକ୍ଷା ପ୍ରଦାନ କରିବାକୁ ଆଗେଇ ଆସିଛନ୍ତି । ଶିବ (ହର) ଏବଂ କୃଷ୍ଣ (ହରି)ଙ୍କ ମଧ୍ୟରେ ଭୀଷଣ ସମର ହେବା ସମୟରେ ସ୍ୱୟଂ ବ୍ରହ୍ମା ଆବିର୍ଭୂତ ହୋଇ ଉଷାବତୀ ସହିତ ଅନିରୁଦ୍ଧର ବିବାହ ପାଇଁ ବାଣାସୁରକୁ ପ୍ରସ୍ତାବ ଦେଇଛନ୍ତି । ବାଣାସୁର ଶ୍ରୀକୃଷ୍ଣ, ପ୍ରଦ୍ୟୁମ୍ନ ଓ ବ୍ରହ୍ମାଙ୍କ ଉପସ୍ଥିତିରେ ଉଷା ଓ ଅନିରୁଦ୍ଧଙ୍କର ବିବାହ ଶେଷ ହୋଇଛି । ତା’ ପରେ ଶ୍ରୀକୃଷ୍ଣ ଯଦୁକୁଳ ସହ ଦ୍ଵାରକା ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହି ଯୁଦ୍ଧ ବାଣାସୁର ଓ ଅନିରୁଦ୍ଧ ମଧ୍ୟରେ ହୋଇଥିଲେ ମଧ୍ୟ ପ୍ରକୃତପକ୍ଷେ ବିଷ୍ଣୁଶକ୍ତି ଓ ଶିବଶକ୍ତି ମଧ୍ୟରେ ସମର ହୋଇଛି । ବାଣାସୁର ହେଉଛି ଶିବ ଭକ୍ତ ତଥା ପାର୍ବତୀଙ୍କ ମାନସ ପୁତ୍ର । ଅନିରୁଦ୍ଧ ଶ୍ରୀକୃଷ୍ଣଙ୍କ ନୀତି, ଅର୍ଥାତ୍‌ ପ୍ରଦ୍ୟୁମ୍ନଙ୍କ ପୁତ୍ର । ଉଭୟଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧର ପରିଣାମସ୍ଵରୂପ ବାଣାସୁରର ଅନେକ ସୈନ୍ୟ ନିହତ ହୋଇଛନ୍ତି । ଅନିରୁଦ୍ଧର ଅସ୍ତ୍ରାଘାତରେ ବାଣାସୁର ରଥ ଉପରେ ଅଚେତନ ହୋଇ ପଡ଼ିଛି । ମନ୍ତ୍ରୀ କୁମ୍ଭାଣ୍ଡଙ୍କ ପରାମର୍ଶରେ ଯୁଦ୍ଧକୁ ମୁକାବିଲା କରିନପାରି ନାଗଫାଶରେ ବନ୍ଧନ କରିଛି । ଉଭୟଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଯୁଦ୍ଧ ନ ହୋଇ ବାକ୍‍ଯୁଦ୍ଧ ହୋଇଛି । ଯଥା-

 

ସୂର୍ଯ୍ୟମଣି ଯେହ୍ନେ ରବି କି ଦେଖ

ତେସନ ବୀର ଦନୁଜ ନିରେଖ

ବିକ୍ରମେ ବିକ୍ରମ କେଶରୀ ମତ

ବହୁ ସୈନ୍ୟ ସେ କଲା ନିପାତ

ତା ପରିଘାତେ, ମୋହ ହୋଇଲା ବାଣାସୁର ରଥେ ।

 

(ଉଷାଭିଳାଷ, ୧୦ମ ଛାନ୍ଦ)

 

ବାଣାସୁର ଅତିଶୟ କ୍ରୋଧ କଲା

ମଲୁମଲୁ ବୋଲି ଲକ୍ଷେ ବାଣ ପ୍ରହାରିଲା

ଅନିରୁଦ୍ଧ ବେଗେ ଯମ କତୁରୀ ପ୍ରହାରି

ବାଣାସୁର ଶରଚ୍ଛେଦେ କ୍ରୋଧେ ପରଜ୍ୱଳି

ରୋଷେ ପେଷିଲା ଅବ୍ୟର୍ଥ ନାଗଫାଶ ଶର

ଅଷ୍ଟକୁଳା ନାଗ ଯାଇ ବେଢ଼ିଲେ ଦେହର

(ଉଷାବତୀ ହରଣ, ୨୭ ଛାନ୍ଦ)

 

ଉଷାଭିଳାଷରେ ବର୍ଣ୍ଣିତ ଯେ ଶ୍ରୀକୃଷ୍ଣଙ୍କ ଯଦୁକୁଳ ସୈନ୍ୟ ସହିତ ବାଣାସୁର ଅସୁରକୁଳ ସୈନ୍ୟ ସହ ଘୋର ମୁକାବିଲା ସଙ୍ଗଠିତ ହୋଇଛି । ଶ୍ରୀକୃଷ୍ଣ ବାଣାସୁରର ଦୁଇଗୋଟି ବାହୁରଖି ଅନ୍ୟ ସମସ୍ତ ବାହୁକୁ ଚକ୍ରରେ ଛେଦନ କରିଛନ୍ତି ଏବଂ ଶେଷରେ ବାଣାସୁର ପରାଜୟ ବରଣ କରିଛି-। ଶ୍ରୀକୃଷ୍ଣ ନିଜର ବାହନ ଗରୁଡ଼ ପୃଷ୍ଠରେ ବସି ଅନିରୁଦ୍ଧର ବନ୍ଦୀସ୍ଥାନକୁ ଗମନ କରିଛନ୍ତି । ଗରୁଡ଼କୁ ଦେଖିବାମାତ୍ରେ ନାଗସର୍ପମାନେ ଭୟରେ ପଳାୟନ କରିଛନ୍ତି, ଫଳରେ ଅନିରୁଦ୍ଧ ବନ୍ଧନ ମୁକ୍ତ ହୋଇଛନ୍ତି । ହେଲେ ଉଷାବତୀ ହରଣ କାବ୍ୟରେ ବାଣାସୁର ସପକ୍ଷରେ ତା’ର ସୈନ୍ୟ ଓ ଶିବଙ୍କ ପୁତ୍ର ଗଣେଶ ଓ କାର୍ତ୍ତିକ ଯୁଦ୍ଧ କରିଛନ୍ତି । ଅନ୍ୟପକ୍ଷରେ ଶ୍ରୀକୃଷ୍ଣ, ଭ୍ରାତା ବଳରାମ, ପୁତ୍ର ପ୍ରଦ୍ୟୁମ୍ନ ପିତା ଉଗ୍ରସେନ ଓ ସୈନ୍ୟ ସାମନ୍ତ ଯୁଦ୍ଧ କ୍ଷେତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି । ଶ୍ରୀକୃଷ୍ଣ କ୍ରୋଧାନ୍ଵିତ ହୋଇ ବାଣାସୁରର ଚାରିବାହୁ ରଖି ଅନ୍ୟ ସମସ୍ତ ବାହୁକୁ ଛେଦନ କରିଛନ୍ତି । ତେଣୁ ଯୁଦ୍ଧ ବର୍ଣ୍ଣନା କ୍ଷେତ୍ରରେ ଉଭୟ କାବ୍ୟରେ କିଛି ସାମ୍ୟ ତଥା ବୈଷମ୍ୟ ପରିଲକ୍ଷିତ ହୁଏ ।

 

ଆଳଙ୍କାରିକତା :

ଊଷାଭିଳାଷ ଓ ଉଷାବତୀ ହରଣ କାବ୍ୟରେ ଅଳଙ୍କାରର ଜଟିଳତା ପରିଲକ୍ଷିତ ହୁଏ ନାହିଁ । ଶିଶୁଶଙ୍କରଙ୍କ ରଚନା କାଳ ବେଳକୁ ଓଡ଼ିଆ କାବ୍ୟରେ ଆଳଙ୍କାରିକତା ବିଶେଷ ଭାବରେ ପ୍ରବେଶ କରିନଥିଲା । ମାତ୍ର ଜଗନ୍ନାଥ ପାଣିଙ୍କ ସମୟରେ ଯଦିଓ କାବ୍ୟରେ ଆଳଙ୍କାରିକତାର ପ୍ରାଧାନ୍ୟ ରହିଥିଲା ମାତ୍ର ସାଧାରଣ ପାଠକଙ୍କ ପାଇଁ ତାହା ଥଲା ଦୁର୍ବୋଧ୍ୟ । ସୁତରାଂ କବି ଜଗନ୍ନାଥ ପାଣି ସରଳ ତଥା ବୋଧଗମ୍ୟ ଭାଷାରେ ତାଙ୍କ ଛାନ୍ଦନାଟ୍ୟ ‘ଉଷାବତୀ ହରଣ’କୁ ରଚନା କରିବାକୁ ଶ୍ରେୟସ୍କର ମଣିଛନ୍ତି । ପୂର୍ବବର୍ତ୍ତୀ ରୀତିକାବ୍ୟରେ ଆଳଙ୍କାରିକତା ଭିତରେ ଫୁଟି ଉଠିଥିଲା ବିଳାସ ବ୍ୟସନର ଚିତ୍ର । ଅନେକ ପଂକ୍ତି ମଧ୍ୟରେ ଥିଲା ଅଶ୍ଳୀଳତାର ଛାପ, ଯାହା ତତ୍‌କାଳୀନ ଶିକ୍ଷିତ ସମାଜ ଗ୍ରହଣ କରିପାରିନଥିଲା । ଏ ସମ୍ପର୍କରେ ଡକ୍ଟର ଭଗବାନ ପଣ୍ଡାଙ୍କ ମତରେ- ‘‘ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ ମୁଷ୍ଟିମେୟ ଓଡ଼ିଆ ତଥାକଥିତ ଶିକ୍ଷିତ ଯେତେବେଳେ ନିଜ ପରମ୍ପରା, ଐତିହ୍ୟ ଓ ସଂସ୍କୃତିକୁ ଅନାଦର ଓ ଅବହେଳା କରିବା ସଙ୍ଗେ ସଙ୍ଗେ ଘୁଣା ଚକ୍ଷୁରେ ଦେଖୁଥିଲେ, ପାରମ୍ପରିକ ଚିତ୍‌ ବିନୋଦକ ଅନୁଷ୍ଠାନ ଓ ସଙ୍ଗୋଷ୍ଠିକୁ ଅସଭ୍ୟ ଓ ଅଶ୍ଳୀଳ ବୋଲି କହି ନାସିକା କୁଞ୍ଚନ କରୁଥିଲେ, ସେତେବେଳେ କବି ଜଗନ୍ନାଥ ପାଣିଙ୍କ ପରି ସାଧକ କବି ଓଡ଼ିଶାର ଜନସାଧାରଣଙ୍କୁ ନିଜର ଗୌରବମୟ ପରମ୍ପରା ସମ୍ବନ୍ଧରେ ସଚେତନ କରିଥିଲେ । ‘ଯାତ୍ରା’ ଥିଲା ସେହି ଉଦ୍ୟମର ମାଧ୍ୟମ ।’’

 

ଉଭୟ ଉଷାବତୀ ହରଣ ଓ ଉଷାଭିଳାଷ କାବ୍ୟରେ ନାୟିକା କାୟ-ମନ-ବାକ୍ୟରେ ତା’ର ଶରୀର ଓ ମନ ଅନ୍ୟ ପୁରୁଷ ପାଖରେ ସମର୍ପଣ କଲା ପରେ ମଧ୍ୟ ପ୍ରତିବନ୍ଧକ ସାଜିଛନ୍ତି ପିତା-ବାଣାସୁର ।

 

ଗୀତିମୟତା :

ଜଗନ୍ନାଥ ପାଣିଙ୍କ ଛାନ୍ଦ ନାଟ୍ୟରେ ନାଟକୀୟତା ଅପେକ୍ଷା ସାଙ୍ଗିତିକତା ଅଧିକ । ‘ଉଷାବତୀ ହରଣ’ କାବ୍ୟ ପୌରାଣିକ ପୃଷ୍ଠଭୂମି ଉପରେ ପର୍ଯ୍ୟବସିତ ହୋଇଥିଲେ ମଧ୍ୟ ଦେବଦେବୀଙ୍କ ବର୍ଣ୍ଣନା କିମ୍ବା ଭକ୍ତିରସର ପ୍ରୟୋଗ ଦୃଷ୍ଟିଗୋଚର ହୁଏ ନାହିଁ । ମାତ୍ର ସଂଳାପରେ ଛନ୍ଦବଦ୍ଧତା ରହିଥିବାରୁ ଶ୍ରୁତିମଧୁର ହୋଇଥାଏ । ବାଣାସୁର ଓ ଅନିରୁଦ୍ଧର କଥୋପକଥନ ସଂଳାପଧର୍ମୀ ହୋଇଥିଲେ ମଧ୍ୟ ଏଥିରେ ସଙ୍ଗୀତମୟତା ସ୍ପଷ୍ଟ ଅନୁମେୟ ।

 

ବାଣାସୁର

:

କହରେ ପାପିଷ୍ଠ ତୋର, କେଉଁ ରାଜ୍ୟେ ଘର ।

 

 

କି ନାମ ତୋହର କହ, କାହାର କୁମର ।

ଅନିରୁଦ୍ଧ

:

ଅଜୟ ଦ୍ଵାରକା ପୁରେ ଅଟେ ମୋର ଘର ।

 

 

ପ୍ରଦ୍ୟୁମ୍ନ କୁମର ଅନିରୁଦ୍ଧ ନାମ ମୋର ।

ବାଣାସୁର

:

ଅଗମ୍ୟ ପୁରକୁ ତୁରେ କେମନ୍ତେ ଅଇଲୁ ।

 

 

ଏଡ଼େକ ସାହସ ଯମପୁରେ ତୁ ପଶିଲୁ ।

ଅନିରୁଦ୍ଧ

:

ଯମପୁରେ ଦ୍ୱିତୀ ଯମ ପରି ଯେ ଜଗତେ ।

 

 

ତାଙ୍କ ପ୍ରସାଦେ ଏ ପୁର ମାତ୍ର ଅବା କେତେ ।

 

 

(ଉଷାବତୀ ହରଣ, ୨୭ଶ ଛାନ୍ଦ)

 

ଜଗନ୍ନାଥ ପାଣିଙ୍କ ଛାନ୍ଦନାଟ୍ୟ ରଚନା ସମୟରେ ବଙ୍ଗଳା ନାଟକ ଓଡ଼ିଶାରେ ବିଶେଷକରି ଉତ୍ତର ଓଡ଼ିଶାରେ ଅଭିନୀତ ହେଉଥିଲା । ମାତ୍ର ଜଗନ୍ନାଥ ପାଣିଙ୍କ ଲୀଳା ନାଟକରେ ଏପରି କଳା କୁଶଳତାର ଯାଦୁକରୀ ସ୍ପର୍ଶ ଥିଲା ଯେ ଏହା ଦର୍ଶକଙ୍କୁ ବଙ୍ଗଳା ନାଟକଠୁ ଦୂରେଇଦେଲା-। ଏପରିକି ତାଙ୍କ ଦ୍ଵାରା ଗଠିତ ନାଟ୍ୟଦଳ ଓଡ଼ିଶାର ସୀମା ସରହଦ ପାରହୋଇ ବଙ୍ଗ, ବିହାର ଆଦି ଅଞ୍ଚଳରେ ଅଭିନୀତ ହେଉଥିଲା । ସେହି ଦୃଷ୍ଟିରୁ ବିଚାର କଲେ ଜଗନ୍ନାଥ ପାଣି ହେଉଛନ୍ତି ଓଡ଼ିଆ ଯାତ୍ରାର ପ୍ରାଣ ପ୍ରତିଷ୍ଠାତା । କବି ଜଗନ୍ନାଥ ପାଣି ପୁରାଣମାନଙ୍କରୁ ବିଷୟବସ୍ତୁ ନିର୍ବାଚିତ କରିଥିଲେ ମଧ୍ୟ ତାକୁ ନିଜସ୍ଵ ଶୈଳୀରେ ଗଢ଼ି ତୋଳିଛନ୍ତି । ଅନେକ ସ୍ଥଳରେ କେତେକ ଚରିତ୍ରମାନଙ୍କୁ ବାଦ୍‌ ଦେଇଛନ୍ତି, ପୁଣି କେତେକ ସ୍ଥଳରେ ଘଟଣାକୁ ନାଟକୀୟ କରି ଗଢ଼ି ତୋଳିଛନ୍ତି-। ତାଙ୍କର ଛନ୍ଦ ବନ୍ଧ କାବ୍ୟଗୁଡ଼ିକ ସଂଳାପଧର୍ମୀ ହୋଇଥିଲେ ମଧ୍ୟ ଚରିତ୍ରମାନଙ୍କ ପରିଚୟ ସଂଳାପ ପୂର୍ବରୁ ଦେଇ ନାହାଁନ୍ତି । ସମସାମୟିକ ନାଟ୍ୟ ପରମ୍ପରାକୁ ଆଗେଇ ନେବା ପାଇଁ ସେ ଅପୂର୍ବ ଦକ୍ଷତାର ପରିଚୟ ଦେଇଛନ୍ତି ।

 

ଜଗନ୍ନାଥ ପାଣି ଥିଲେ ଯଥାର୍ଥରେ ଲୋକକବି । ଓଡ଼ିଆ ଜାତି, ଓଡ଼ିଆ ଭାଷା ପ୍ରତି ତାଙ୍କର ଥିଲା ଗଭୀର ମମତ୍ଵବୋଧ । ତାଙ୍କ ସୃଷ୍ଟି ସମ୍ଭାର କେବଳ ଯେ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରୁଥିଲା, ତାହା ନୁହେଁ, ନାଟ୍ୟ ପ୍ରୟୋଗ ମାଧ୍ୟମରେ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା । ସୁତରାଂ କବି ଜଗନ୍ନାଥ ପାଣି ଥିଲେ ଉଭୟ ଦୃଶ୍ୟ ଓ ଶ୍ରାବ୍ୟକାବ୍ୟର ଅପୂର୍ବ ବିନ୍ଧାଣୀ ।

 

 

ଅଧ୍ୟକ୍ଷା, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ

ଭୁବନେଶ୍ୱର

 

***

 

କୋଣାର୍କ ୧୬୬ତମ ସଂଖ୍ୟା

ସଙ୍ଗୀତ, ସାହିତ୍ୟ ଗୀତିନାଟ୍ୟର ତ୍ରବେଣୀ :

ଜଗନ୍ନାଥ ପାଣି, ଗୋପାଳ ଦାସ ଓ ବୈଷ୍ଣବ ପାଣି

ବିଶ୍ଵେଶ୍ଵର ମହାନ୍ତି

 

ଲୋକକବି ଜଗନ୍ନାଥ ପାଣିଙ୍କର ଜନ୍ମ ଭଦ୍ରକ ସହର ସନ୍ନିକଟ ନଳାଙ୍ଗ ଗ୍ରାମରେ । ଉନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ତାଙ୍କର ଜନ୍ମ । ଅସୁମାରୀ ଲୀଳା ସୁଆଙ୍ଗ, ଛାନ୍ଦନାଟ ଆଦି ରଚନା କରି ସେ ଆମ ଓଡ଼ିଆ ନାଟ୍ୟସାହିତ୍ୟକୁ ଋଦ୍ଧିମନ୍ତ କରି ଗୀତାଭିନୟର ଆଦିସ୍ରଷ୍ଟା ଭାବରେ ସ୍ଵୀକୃତ ଓ ସମ୍ମାନିତ ହୋଇପାରିଛନ୍ତି । ତାଙ୍କର ଅସାଧାରଣ କବିପ୍ରତିଭା ଓ ନାଟ୍ୟ ପ୍ରତିଭା କେବଳ ପଣ୍ଡିତ ସମାଜରେ ସୀମିତ ନଥିଲା; ଓଡ଼ିଶାର ଅଗଣିତ ଅପାଠୁଆ, ଅର୍ଦ୍ଧଶିକ୍ଷିତ ଜନତାଙ୍କ ମଧ୍ୟରେ ମଧ୍ୟ ପରିବ୍ୟାପ୍ତ ହୋଇଥିଲା ।

 

ଓଡ଼ିଆ ଯାତ୍ରା ପରମ୍ପରା ତଥା ଗୀତିନାଟ୍ୟ, ଲୀଳା, ସୁଆଙ୍ଗ ଓ ଗୀତାଭିନୟକୁ ନୂତନ ରୂପ-ରସ-ଛନ୍ଦରେ ଯେଉଁମାନେ ବିମଣ୍ଡିତ କରିଥିଲେ ସେମାନଙ୍କ ମଧ୍ୟରେ ଲୋକକବି ଜଗନ୍ନାଥ ପାଣି, ଗୋପାଳ ଦାସ, ଗଣକବି ବୈଷ୍ଣବ ପାଣି, ବାଳକୃଷ୍ଣ ମହାନ୍ତି, ଗୋବିନ୍ଦଚନ୍ଦ୍ର ଶୂରଦେଓ, ରାମଚନ୍ଦ୍ର ସ୍ଵାଇଁ, କୃଷ୍ଣପ୍ରସାଦ ବସୁ/ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ପ୍ରମୁଖ ଅନ୍ୟତମ । ଏହି ସ୍ରଷ୍ଟାଗଣଙ୍କ ମଧ୍ୟରେ ବୈଷ୍ଣବ ପାଣି ପ୍ରଥମେ ପାତ୍ରପାତ୍ରୀଙ୍କ ମୁଖରେ ଗଦ୍ୟ ସଂଳାପ ଓ ଭାବାନୁସାରୀ ଛନ୍ଦ ପ୍ରୟୋଗ କରି ଗୀତିନାଟ୍ୟ ଦିଗନ୍ତକୁ ନୂଆମୋଡ଼ ଦେବାରେ ସମର୍ଥ ହୋଇଥିଲେ-। ଲୋକମାନଙ୍କର କଥିତ ଭାଷାକୁ ପ୍ରୟୋଗ କରି ସେ ତାଙ୍କର ସୃଷ୍ଟି ସମ୍ଭାରଗୁଡ଼ିକୁ ମଞ୍ଜୁଳ ସଙ୍ଗୀତରେ ବେଶ୍‌ ରୂପାନ୍ତରିତ କରି ଧନ୍ୟ ଓ ମାନ୍ୟ ହୋଇଛନ୍ତି । କିନ୍ତୁ ଲୋକକବି ଜଗନ୍ନାଥ ପାଣି ଯେ ଗଣକବି ବୈଷ୍ଣବ ପାଣିଙ୍କ ମୂଳ ପ୍ରେରଣାର ଉତ୍ସ ସେ ନିଜେ ତାଙ୍କ ଆତ୍ମଜୀବନୀରେ ସ୍ଵୀକାର କରିଯାଇଛନ୍ତି ।

 

ଯେ କୌଣସି ସାହିତ୍ୟରେ ଗଦ୍ୟଠାରୁ ପଦ୍ୟର ଆଦର ସର୍ବାଧିକ । ଗଦ୍ୟ, ଭାଷାର ମାଧ୍ୟମରେ ଆତ୍ମପ୍ରକାଶ କଲାବେଳେ ପଦ୍ୟ ଓ ସଙ୍ଗୀତ ହୃଦୟର ସ୍ଵତଃସ୍ଫୁର୍ତ୍ତ ଆବେଗକୁ ପ୍ରକାଶ କରିଥାଏ । ହୃଦୟର ଗଭୀରତମ ପ୍ରଦେଶରୁ ଏହାର ସୃଷ୍ଟି । ସାହିତ୍ୟର ବହୁ ପୂର୍ବରୁ ସଙ୍ଗୀତର ସୃଷ୍ଟି-। ଓଁକାର ସୃଷ୍ଟିରେ ଆଦ୍ୟ ସଙ୍ଗୀତ । ଏହି ଆଦ୍ୟ ସଙ୍ଗୀତର ମୁର୍ଚ୍ଛନାରେ ସୃଷ୍ଟି ପ୍ରଥମେ ଶବ୍ଦାୟିତ ହୋଇଛି । ଏହି ପରିପ୍ରେକ୍ଷୀରେ ଗୀତାଭିନୟ ଯୁଗର ଆଦ୍ୟସ୍ରଷ୍ଟା ଲୋକକବି ଜଗନ୍ନାଥ ପାଣି, ଗୋପାଳ ଦାସ, ଗଣକବି ବୈଷ୍ଣବ ପାଣିଙ୍କ କୃତି ଓ କୀର୍ତ୍ତିର ତୁଳନା ବିଚାର୍ଯ୍ୟ ।

 

୧୮୮୨ ମସିହା ପବିତ୍ର କୁମାର ପୂର୍ଣ୍ଣିମାରେ ବୈଷ୍ଣବ ପାଣି କଟକ ଜିଲ୍ଲା ମାହାଙ୍ଗା ଥାନାସ୍ଥିତ କୋଠପଦା ଗ୍ରାମରେ ଜନ୍ମଲାଭ କରିଥିଲେ । ଜଗନ୍ନାଥ ପାଣି ୧୮୩୬ ମସିହା ଏପ୍ରିଲ୍‌ ମାସ ୧୪ ତାରିଖ ମହାବିଷୁବ ସଂକ୍ରାନ୍ତିରେ ଜନ୍ମଲାଭ କରିଥିଲେ । ଜଗନ୍ନାଥ ପାଣିଙ୍କ ମୃତ୍ୟୁବେଳକୁ ବୈଷ୍ଣବ ପାଣିଙ୍କୁ ମାତ୍ର ୧୫ ବର୍ଷ ଦୁଇମାସ । ବୈଷ୍ଣବ ପାଣି ୨୧ ବର୍ଷ ବୟସରେ ପ୍ରଥମେ ଲେଖନୀ ଚାଳନା କରିଥିଲେ । ତାଙ୍କର ପ୍ରଥମ ସୃଷ୍ଟି ଏ ‘ମେଘନାଦ ବଧ’ । ଯାତ୍ରାଦଳ ଆରମ୍ଭ କାଳରେ ଜଗନ୍ନାଥ ପାଣିଙ୍କ ରଚିତ ମହୀରାବଣ ବଧ, ଦକ୍ଷଯଜ୍ଞ, ପାରିଜାତ ହରଣ ଓ ସୀତା ବନବାସ ଆଦି ବୈଷ୍ଣବ ପାଣିଙ୍କର ପ୍ରଧାନ ସମ୍ବଳ ଥିଲା ବୋଲି ସେ ନିଜ ଆତ୍ମଜୀବନୀରେ ଉଲ୍ଲେଖ କରିଛନ୍ତି । ପୁରାଣ, ଇତିହାସ, କିମ୍ୱଦନ୍ତୀକୁ ଆଧାର କରି ବୈଷ୍ଣବ ପାଣିଙ୍କ ଅସଂଖ୍ୟ ଅନବଦ୍ୟ ରଚନା ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଅଛି । ବୈଷ୍ଣବ ପାଣିଙ୍କ ରଚନାରେ ପୂର୍ବଜ ଲୋକକବି ଜଗନ୍ନାଥ ପାଣିଙ୍କ ରଚନାର ପ୍ରଭାବ ପଡ଼ିବା ସ୍ଵାଭାବିକ । କାରଣ ‘ବିନାଶ୍ରୟେ ନବର୍ତ୍ତନ୍ତେ କବିତା, ବନିତା, ଲତା’ ନ୍ୟାୟରେ ବୈଷ୍ଣବ ପାଣି ଜଗନ୍ନାଥ ପାଣି ଓ ଗୋପାଳ ଦାସଙ୍କ ଲୋକନାଟ୍ୟମାନ ଯାତ୍ରାଦଳରେ ଓସ୍ତାଦ୍‌ ଭାବେ ପ୍ରଥମେ ଶିଖାଉଥିଲେ । ଜଗନ୍ନାଥ ପାଣି, ଗୋପାଳ ଦାସ ଓ ବୈଷ୍ଣବ ପାଣି - ଏହି ଅନନ୍ୟ ସ୍ରଷ୍ଟାଗଣଙ୍କର କେବଳ ଗୋଟିଏ ଗୀତିନାଟ୍ୟ ‘ଦକ୍ଷଯଜ୍ଞ’କୁ ଅନୁଧ୍ୟାନ କଲେ କିଛିଟା ସାମଞ୍ଜସ୍ୟ ପରିଲକ୍ଷିତ ହୋଇଥାଏ । ତୁଳନାତ୍ମକ ଦୃଷ୍ଟିକୋଣ ନେଇ ସେଇଥିରୁ ସ୍ରଷ୍ଟାଗଣଙ୍କର ସାହିତ୍ୟ-ସଙ୍ଗୀତ ସମ୍ବଳିତ ସାହିତ୍ୟିକ ମୂଲ୍ୟାୟନ କରିହେବ । ସାହିତ୍ୟିକର କଳ୍ପନାବିଳାସୀ ମନ ଭିତରେ କ୍ରିୟା ପ୍ରତିକ୍ରିୟା । ମୁଖ୍ୟ ସଞ୍ଚାଳକ ଭାବେ କବି ହାତରେ କଲମ ଧରାଏ । ଶୈଳୀ ବୈଶିଷ୍ଟ୍ୟ ଓ ମନ୍ମୟ ଭାବସତ୍ତାର ଅନ୍ତରାୟ ଉପଲବ୍‍ଧି ସେହି ଦୃଷ୍ଟିରୁ କବି କର୍ମକୁ ଦିଏ କାଳଜୟୀ କଳା । ପୁଣି, ସାଧାରଣ ଭାବରେ କୁହାଯାଇଅଛି ଯେ, ‘‘ଷ୍ଟାଇଲ ଇଜ୍‌ ଦି ମ୍ୟାନ୍‌’ । ଅର୍ଥାତ୍‌ ପ୍ରତ୍ୟେକ ବ୍ୟକ୍ତିର ଢଙ୍ଗ ଢାଙ୍ଗ, ଚିନ୍ତା ଓ ବ୍ୟକ୍ତିତ୍ଵ ଅନ୍ୟଠାରୁ ନିଶ୍ଚିତ ଭାବରେ ପୃଥକ । ସାହିତ୍ୟ ସୃଷ୍ଟି ଭିତରେ ବି ସେମିତି ଥାଏ ଶୈଳୀ- ସ୍ଵାତନ୍ତ୍ରୀ । ସାହିତ୍ୟ ସୃଷ୍ଟିରେ ମଧ୍ୟ ପ୍ରତିଟି ଶ୍ରେଣୀ ସ୍ରଷ୍ଟାଙ୍କ ଶୈଳୀ ଇନ୍ଦ୍ରଧନୁର ବର୍ଣ୍ଣାଢ଼୍ୟ ଶୋଭା-ସଂପଦ ପରି ବିଚିତ୍ରବର୍ଣ୍ଣା । କିନ୍ତୁ ଏ କଥା ମଧ୍ୟ ସତ୍ୟ ଯେ, ପ୍ରତ୍ୟେକ ଯୁଗରେ ଏକ ଏକ ମାଇଲଖୁଣ୍ଟ ଭଳି ଜଣେ ଜଣେ ବିରାଟ ବ୍ୟକ୍ତିତ୍ଵର ଆବିର୍ଭାବ ହୋଇଥାଏ । ନିଜର ଅସାଧାରଣ ସାଧନା, ପ୍ରତିଭା, ଏବଂ ଦୂରଦୃଷ୍ଟି ବଳରେ ଗତାନୁଗତିକତାର ନିଗଡ଼ କାଟି ସେମାନେ ଏକ ନୂତନ ପଥରେ ସାହିତ୍ୟକୁ ଅଗ୍ରଣୀ କରାଇବାରେ ସାଜନ୍ତି ପଥଦ୍ରଷ୍ଟା । ଏହି ନୂତନତା ହୋଇଯାଏ ଉତ୍ତର- ପିଢ଼ିର ହୃଦୟନିଧି ।

 

ତୁଳନାତ୍ମକ ଅନୁଶୀଳନ ଶିଳ୍ପ ପାଟବର ଉତ୍କର୍ଷ- ଅପକର୍ଷ ବିଧାୟକ । ତୁଳନାତ୍ମକ ଅଧ୍ୟୟନରେ ବିଭିନ୍ନ ପ୍ରତିଭାବାନ୍‌ ଲେଖକଙ୍କ କୃତିକୁ ଅନୁଶୀଳନ କରିବା ଦ୍ଵାରା ଲେଖନୀରେ ନିହିତ ମୌଳିକ ଭାବସତ୍ତା ଦୃଷ୍ଟି ସାମ୍‌ନାକୁ ଆସେ । ଗୋଟିଏ ପ୍ରତିଭା ସହ ଅନ୍ୟ ଏକ ପ୍ରତିଭାର ତୁଳନାତ୍ମକ ବିଚାର କାଳରେ ଏହି ତୁଳନାର ନିୟାମକ ହୁଏ ଉଭୟଙ୍କ ଶୈଳୀ ସ୍ଵାତନ୍ତ୍ର୍ୟ ହେଉଛି ତୁଳନାତ୍ମକ ସାହିତ୍ୟର ମୂଳଭିତ୍ତି । ତେଣୁ, ତୁଳନାତ୍ମକ ଅଧ୍ୟୟନ ହିଁ ବିଭିନ୍ନ କୃତି ମୂଲ୍ୟାୟନର ନିର୍ଭୁଲ ମାନଦଣ୍ଡ । ଲୋକକବି ଜଗନ୍ନାଥ ପାଣି (୧୮୩୬-୧୮୯୭), କବି ଗୋପାଳ ଦାଶ (୧୮୭୬-୧୯୩୮) ଏବଂ ଗଣକବି ବୈଷ୍ଣବ ପାଣି (୧୮୮୨-୧୯୫୬)ଙ୍କ ଏକ ତଥା ଅଭିନ୍ନ ପୌରାଣିକ ଉପାଖ୍ୟାନ ସମ୍ବଳିତ ଗୀତାଭିନୟ ‘ଦକ୍ଷଯଜ୍ଞ’ରୁ ତୁଳନାତ୍ମକ ଅନୁଶୀଳନ ମୁଖ୍ୟତଃ ବିଷୟ ବିନ୍ୟାସ, ଭାଷା ଓ ଭାବର ପ୍ରାକୃତିକତା ଏବଂ ତନ୍ନିହିତ ଉପମା-ରୂପକାଦି ଅଳଙ୍କାର ସମୂହ ରଚନା ବୈଶିଷ୍ଟ୍ୟରେ ସାମ୍ୟ-ବୈଷମ୍ୟ, ଚରିତ୍ର ଚିତ୍ରଣ, ରସ-ବୈଚିତ୍ର୍ୟ, ସାଙ୍ଗୀତକତା, ସର୍ବୋପରି ମଞ୍ଚୋପଯୋଗିତା ଓ ଆଦି ଦିଗ-ଦିଗନ୍ତ ଉପରେ ଅବଧାରିତ ।

 

ଦକ୍ଷଯଜ୍ଞ : ଆଙ୍ଗିକ ବିଭବର ଏକ ତୁଳନାତ୍ମକ ଅନୁଶୀଳନ :

ଚରିତ୍ର ଚିତ୍ରଣ: ଜଗନ୍ନାଥ, ଗୋପାଳ ଦାଶ ଓ ବୈଷ୍ଣବଙ୍କ ଚରିତ୍ର ଚିତ୍ରଣ ଭିତରେ କେତେକ ପ୍ରଭେଦ ପରିଲକ୍ଷିତ ହୁଏ । ସମସ୍ତେ ପୌରାଣିକ ଚରିତ୍ରରେ ମାନବତ୍ୱ ଆରୋପକରି ସେମାନଙ୍କୁ ସାମାଜିକ ଚରିତ୍ର ରୂପରେ ଅବତୀର୍ଣ୍ଣ କରାଇଛନ୍ତି । ନନ୍ଦି, ଦକ୍ଷରାଣୀ - ପ୍ରସୂତି ତଥା ଚନ୍ଦ୍ରକାମିନୀ ଇତ୍ୟାଦି ଅତିମାନବୀୟ ଚରିତ୍ରମାନଙ୍କୁ କାହିଁ କେତେଦୂରର କଳ୍ପଲୋକରୁ ଧରଣୀପୃଷ୍ଠକୁ ଟାଣିଆଣିଛନ୍ତି । ଜଗନ୍ନାଥ ଓ ଗୋପାଳଙ୍କ ଚରିତ୍ର ଚିତ୍ରଣଠାରୁ ବୈଷ୍ଣବ ହୋଇ ଯାଇଛନ୍ତି ଅଧିକ ସାମାଜିକ । ତାଙ୍କ ଚରିତ୍ରମାନଙ୍କର ବାସ୍ତବବାଦୀ ଭୂମିକା ତଥା ସେମାନଙ୍କ ମୁଖରେ ପାତ୍ରମୁଖୀ ଭାଷାର ସଫଳ ସଂଯୋଜନା ଭିତରେ ସେମାନେ ପାଲଟିଯାଇଛନ୍ତି ସମାଜର ଏକ ଏକ ବିଶ୍ଵସ୍ତ ପ୍ରତିନିଧି । ସତୀଙ୍କ ଭଉଣୀ କୃତ୍ତିକା, ରୋହିଣୀ, ହସ୍ତା ଓ ଚିତ୍ରା ଇତ୍ୟାଦିଙ୍କୁ ସଜାଇଛନ୍ତି ମର୍ତ୍ତ୍ୟମାନବୀ ରୂପରେ ବୈଷ୍ଣବ ପାଣି । କବିଙ୍କ ଭାଷାରେ-

 

‘‘କାହିଁ ପାଇଁ ଭଉଣୀ ମୋତେ ଡାକୁଅଛ

ପିତାପୁର ଯିବାକୁ ଗୋ

କେଉଁ ଦୋଷ କରିଥଲି ମୁଁ ତାଙ୍କରି

ବରଣ ନକଲେ ଶିବ ଶିବାଙ୍କୁ ଗୋ

ଜନ୍ମ କରି ଗୋଡ଼ ନଦେଇ ଗଳାରେ

ଏବେ ପେଲି ଦେଲେ ଦୁଃଖାନଳକୁ ଗୋ ॥’’

 

ପାଣି କବିଙ୍କ ଦକ୍ଷଯଜ୍ଞରେ ସତୀଙ୍କ ଚରିତ୍ରରେ ମାନବତ୍ୱ ଆରୋପ ଯୋଗୁ ସେ ହୋଇଯାଇଛନ୍ତି ଏକ ଅଭିମାନିନୀ କନ୍ୟା । ମାତାଙ୍କ ପାର୍ଶ୍ଵରେ ନିଜକୁ ନିଜେ ଧିକ୍କାର କରିଥିବାର ଚିତ୍ର ହୋଇଛି ଉପସ୍ଥାପିତ ।

 

‘‘ଜନ୍ମ କରି ଜହର ନ ଦେଲୁ ମୋର ତୁଣ୍ଡେ

ନଯାଇ ନିର୍ଲଜ୍ଜ ଜୀବନ ରହିଛି ଯା ଦଣ୍ଡେ ।

(ବୈଷ୍ଣବ ପାଣି ଗ୍ରନ୍ଥାବଳୀ ତୃତୀୟଖଣ୍ଡ, ପୃ- ୧୫୧)

 

ବାସ୍ତବବାଦୀ ଚରିତ୍ର ସହ ଖାପଖୁଆଇ ସମାଜଚିତ୍ର ଏବଂ ପରିବେଶ ଅଙ୍କନରେ ମଧ୍ୟ ପାଣି କବିଙ୍କ ଧୁରୀଣତା ଅନନ୍ୟ । ସମାଜ ପରିସର ଭିତରେ ଜ୍ଵାଇଁମାନେ ଶ୍ୱଶୁରଘରକୁ ଆସିଲେ ଯେପରି ସାଜସଜ୍ଜାରେ ଆସିଥାନ୍ତି, ସେହିପରି ଚକଚକିଆ ପୋଷାକ, ଯୋତା ଓ ମୋଜା ଇତ୍ୟାଦି ରୂପଚର୍ଯ୍ୟାର ଅବିକଳ ସ୍ଵରୂପ ଉଦ୍‌ଘାଟିତ ହୁଏ ନନ୍ଦି ସଂଳାପରେ । ସାମାଜିକ ଉତ୍ସବମାନଙ୍କରେ ପ୍ରାଚୁର୍ଯ୍ୟ ଆଉ ଐଶ୍ଵର୍ଯ୍ୟର ବିପୁଳ ସମ୍ଭାର ଦୃଶ୍ୟମାନ ହେଲାପରି ଭୃଗୁ ଯଜ୍ଞାନୁଷ୍ଠାନରେ ପରିବେଷିତ ସୁମିଷ୍ଟ ଖାଦ୍ୟପେୟର ତାଲିକା ନନ୍ଦି ମୁଖରେ ସ୍ଥାନିତ ହୋଇଛି । ବର୍ଣ୍ଣାଢ଼୍ୟ ଆଲୋକମାଳାର ସମାବେଶ ସହିତ ବିଭିନ୍ନ ପଶୁପକ୍ଷୀ ତଥା ଲୋକମାନଙ୍କର ଉପସ୍ଥିତି, ନାନା ବାଦ୍ୟ ପରିବେଷଣ ଏବଂ ବିଭିନ୍ନ ନୃତ୍ୟଗୀତର ଆୟୋଜନ କଥା ଗୀତିନାଟ୍ୟ ମଧ୍ୟରେ ସ୍ମରଣ କରାଇଦେବା ଭିତରେ ପାଣିକବିଙ୍କ ପରିବେଶ ହୋଇଯାଇଛି ଅତ୍ୟନ୍ତ ମଞ୍ଜୁଳ ତଥା ହୃଦ୍ୟ । ପ୍ରଚଳିତ ସାମାଜିକ ପରମ୍ପରା ତଥା ବିଧିବିଧାନ ଏଡ଼ାଇଦେଇ ବନ୍ଧୁତ୍ୱର ବନ୍ଧନ ଛିନ୍ନ କରିବା ପାଇଁ ‘ଗୁଆ କାଟିଦେବା’ ପରି ସମାଜର ନିତ୍ୟନୈମିତ୍ତିକ ଚିତ୍ର ହୋଇଛି ପାଣିଙ୍କ ଦକ୍ଷଯଜ୍ଞର ଅଙ୍ଗାଭରଣ-। ‘ଦକ୍ଷଯଜ୍ଞ’ ପରି ପୌରାଣିକ ଆଖ୍ୟାୟିକାର ଚରିତ୍ରମାନେ ପୁରାଣ ସମ୍ଭୂତ । ତେଣୁ ତିନିଙ୍କ ରଚନାରେ ସେହି ପୌରାଣିକ ଚରିତ୍ରମାନେ ହିଁ ବେଶ୍‌ ମଞ୍ଜୁଳ ପରିପାଟୀରେ ଚିଚ୍ରିତ ହୋଇଆସନ୍ତି-।

 

ରସଚର୍ଯ୍ୟା: ନାଟକର ଅନ୍ୟତମ ମୁଖ୍ୟ ଆଙ୍ଗିକ ବିଭବ ହେଉଛି ରସଚର୍ଯ୍ୟା । ଜଗନ୍ନାଥ ପାଣି, ଗୋପାଳ ଦାଶ ଓ ବୈଷ୍ଣବ ପାଣିଙ୍କ ଦକ୍ଷଯଜ୍ଞରେ ସଂଯୋଜିତ ଚରିତ୍ରମାନଙ୍କ ସହାୟତାରେ କରୁଣ, ବାତ୍ସଲ୍ୟ, ରୌଦ୍ର, ହାସ୍ୟ ଓ ଶୃଙ୍ଗାର ରସର ଉକୂଳ ପ୍ଲାପନ ଘଟିଛି । ନାରଦ ଓ ନନ୍ଦିଙ୍କ କଣ୍ଠରେ ଖାଣ୍ଟ ଦେଶଜ ଶବ୍ଦ, ଢଗ-ଢମାଳି, ପ୍ରବଚନ, ଲୋକକଥା, ରୂଢ଼ି ଓ ସୁକ୍ତି ଇତ୍ୟାଦିର ସଂଯୋଜନା ହାସ୍ୟରସର ବିକାଶକୁ ଉନ୍ନୀତ କରିପାରିଛି ।

 

(ଖ) ସଂଳାପ ସଂଯୋଜନା- ଜଗନ୍ନାଥ ପାଣିଙ୍କ ଲୀଳାନାଟକ କାବ୍ୟସଦୃଶ ବିସ୍ତୃତ ବର୍ଣ୍ଣନାଧର୍ମୀ ଏବଂ ଗୋପାଳ ଦାଶଙ୍କ ସଂଳାପ ବହୁ ସ୍ଥଳରେ ତ୍ରୁଟିଯୁକ୍ତ ମନେହୁଏ । ବୈଷ୍ଣବ ପାଣିଙ୍କ ଲେଖନୀରେ ଏହା ଛନ୍ଦୋବଦ୍ଧ ଓ ପଦ୍ୟଧର୍ମୀ । ଶିବଙ୍କୁ ନିମନ୍ତ୍ରଣ ନଦେବାଲାଗି ଦକ୍ଷଙ୍କ ପ୍ରତିଜ୍ଞାରେ ଦକ୍ଷପତ୍ନୀ ମର୍ମାହତ ହୋଇ ପଡ଼ିଛନ୍ତି । ଯଜ୍ଞାନୁଷ୍ଠାନକୁ ନିଜର କନ୍ୟା ସତୀ ଶିରୋମଣୀ ଉମା ଓ ଜାମାତା ଶିବଙ୍କୁ ବରଣ କରିବା ପାଇଁ ନିଜର ପତିଙ୍କଠାରେ ବେଦନାଜର୍ଜରିତ ପ୍ରାଣରେ ଦକ୍ଷରାଣୀ ପ୍ରସୂତି ଅନୁରୋଧ ଜଣାଇଛନ୍ତି । ରାଣୀଙ୍କ ଅନୁନୟ ଓ ବିନୟ କିନ୍ତୁ ନିଷ୍ଠୁରଭାବରେ ହୋଇଛି ପ୍ରତ୍ୟାଖ୍ୟାନ । କନ୍ୟା ଓ ଜାମାତାଙ୍କୁ ନିଜର ମନୋଜ୍ଞ ଉତ୍ସବକୁ ନିମନ୍ତ୍ରଣ କରାଯିବ ନାହିଁ- ଏହି ପ୍ରତିଜ୍ଞାରେ ଦକ୍ଷ ହୋଇଛନ୍ତି ଅଟଳ ଓ ଅଚଳ । ଏଠାରେ ଏକ ତୁଳନାତ୍ମକ ଦୃଷ୍ଟାନ୍ତ ଦିଆଯାଇପାରେ ।

 

ଜଗନ୍ନାଥ ପାଣି

-

‘‘ପୂର୍ବ ଭାନୁ ଯଦି ଯାଇ ପଶ୍ଚିମେ ଉଇଁବ

 

 

ପୃଥ୍ୱୀ ପ୍ରଳୟ ହୋଇଲେ ନ ବରିବି ଶିବ ।’’

 

 

(ଜଗନ୍ନାଥ ପାଣି ଗ୍ରନ୍ଥାବଳୀ : ପ୍ରଥମ ଖଣ୍ଡ, ପୃ୧୭୨)

 

ଗୋପାଳ ଦାଶ

-

‘‘ଭଣ୍ଡ କଥା ଆଉ ସଖି ନକହ ତୁଣ୍ଡରେ

 

 

ବ୍ରହ୍ମାଣ୍ତ ହୋଇବ ଶେଷ ମୋ ପ୍ରତିଜ୍ଞା ଖଣ୍ଡରେ

 

 

ନହେବ ଅଖଣ୍ଡନ

 

 

ଖଣ୍ଡ ପର୍ଶୁ ଚଣ୍ଡୀକି ନଦେବି ବରଣ

 

 

ପୁଣ୍ଡରିକ ଯଦି ଗିରି ଶିଖେ ବିକଶିବ

 

 

ଚଣ୍ଡକର ଉଦେ ହେବା ଯଦି ନ ଦିଶିବ ।’’

 

 

(ଦକ୍ଷ ଯଜ୍ଞ : ୧୯୩୩, ପୃ- ୧୩)

 

ବୈଷ୍ଣବ ପାଣି

-

‘‘ମହଷି, ଜଳାନାତୁ ଛଳ କଥା କହି

 

 

ଗଞ୍ଜେୟା ବାଳୁଙ୍ଗା ହର ଲଙ୍ଗଳା ପାଗଳା;

 

 

ହାଡ଼ବୁହା ହଡ଼ାଚଢ଼ା ଅତ୍ରିୟ ଭାଣ୍ଡକୁ,

 

 

ନ ଆଣିବି କେବେ ମୋର ଯଜ୍ଞେ ।

 

 

ପୂର୍ବର ମାର୍ତ୍ତଣ୍ତ ଯେବେ ଉଇଁବ ପଶ୍ଚିମେ

 

 

ସାନୁମାନେ ବିନା ନୀରେ ଫୁଟିବ ନଳିନୀ

 

 

କାଳକୁଟ ବିଷ ଯେବେ ପୀୟୁଷ ହୋଇବ

 

 

ଆଷାଢ଼େ ଶ୍ରାବଣେ ଯେବେ ବସନ୍ତ ବହିବ

 

 

ନ କରିବି କେବେ ମୁହିଁ ବରଣ ହରକୁ ।’’

 

 

(ବୈଷ୍ଣବ ପାଣି ଗ୍ରନ୍ଥାବଳୀ : ତୃତୀୟ ଖଣ୍ଡ, ପୃ ୧୪୪)

 

ବୈଷ୍ଣବଙ୍କ ରଚନା ଭିତରେ ଗୋଟିଏ ପଟେ ଦୁଃଖର ସମୁଦ୍ର ଅର୍ଥାତ୍‌ ଉମା ଓ ଦକ୍ଷରାଣୀଙ୍କ କରୁଣ ରସର ନିର୍ଝର, ପୁଣି ମାତା ପ୍ରସୂତିଙ୍କ ବାସ୍ତଲ୍ୟ ରସର ଫେନାୟିତ ଉର୍ମିମାଳା । ଅନ୍ୟପଟରେ ସମୁଦ୍ରର ଭୟଙ୍କରୀ ଉତ୍ତାଳ ତରଙ୍ଗ ପରି ପ୍ରତିଶୋଧ ପରାୟଣ ଦକ୍ଷଙ୍କ କୋପ ସହିତ ଅଚଳ ଓ ଅଟଳ ପ୍ରତିଜ୍ଞାବାଣୀ । ‘ଦକ୍ଷଯଜ୍ଞ’ରେ ଜଗନ୍ନାଥ ପାଣିଙ୍କଠାରୁ ମୁଖ୍ୟତଃ ବୈଷ୍ଣବ ପାଣି ଓ ଗୋପାଳ ଦାସ ଭାବ ଆହରଣ କରି ନିଜ ରଚନାକୁ ସଜୀବ କରିପାରିଛନ୍ତି ।

 

(ଗ) ଭାଷା ବିନ୍ୟାସ : ଭାଷା ରସସ୍ଫୂର୍ତ୍ତିର ଉପଯୁକ୍ତ ବାହକ । ଭାବଦ୍ୟୋତନା ଓ ବଳିଷ୍ଠ ଭାଷା ବିନା ରସ ପରିପ୍ରକାଶ ଅସମ୍ଭବ । ଚରିତ୍ରାଭିମୁଖୀ ଭାଷା ଓ ଉପଯୁକ୍ତ ଉପଧା ବ୍ୟବହାର କରି ଜଗନ୍ନାଥ ପାଣି, ଗୋପାଳ ଦାଶ ଓ ବୈଷ୍ଣବ ପାଣି ଚରିତ୍ରମାନଙ୍କର ଚାରିତ୍ରିକ ମହତ୍ତ୍ଵ ପ୍ରକାଶ କରିବା ଦିଗରେ ସଫଳତା ଅର୍ଜନ କରିଛନ୍ତି । ପ୍ରକୃତରେ ଜଣେ ସୁଅଭିନେତା ତଥା ଜନୈକ ନାଟ୍ୟବିତ୍ ରୂପେ ଏମାନେ ଦର୍ଶକମାନଙ୍କର ଅଭାବବୋଧକୁ ହୃଦୟଙ୍ଗମ କରିପାରିଥିଲେ । ସେହି ଦୃଷ୍ଟିରୁ ସେମାନଙ୍କ ଭାଷାବିନ୍ୟାସ ଯେପରି ଉର୍ଜସ୍ଵଳ ତଥା ଭାବ ଗମ୍ଭୀରପୂର୍ଣ୍ଣ, ତାଙ୍କ ସଂଳାପ ସଂଯୋଜନା ସେପରି ବୀରତ୍ଵବ୍ୟଞ୍ଜକ ଏବଂ ଶୌର୍ଯ୍ୟ ଶକ୍ତିର ପରିପ୍ରକାଶକ । ପୌରାଣିକ କଥାବସ୍ତୁକୁ ନେଇ ତହିଁରେ ଥିବା ନାଟକୀୟ ଭାବାବେଗକୁ ଆଧାର କରି ଜଗନ୍ନାଥ, ଗୋପାଳ ଓ ବୈଷ୍ଣବ ନାଟ୍ୟ ରଚନା କରିଛନ୍ତି ।

 

ନାଟକୀୟତା : ସମଗ୍ର କୃତିରେ ଅର୍ନ୍ତଦ୍ଵନ୍ଦ, ବର୍ହିଦ୍ଵନ୍ଦ, ସଂଘାତ ଏବଂ ନାଟ୍ୟୋତ୍କଣ୍ଠା ଇତ୍ୟାଦି ଆଙ୍ଗିକ ମଣ୍ଡନରେ ସାର୍ଥକ ଓ ସଫଳ ନାଟ୍ୟସମ୍ପଦରେ ପରିଣତ ହୋଇପାରିଛି । ନାଟ୍ୟ ସାହିତ୍ୟରେ ନାଟକୀୟତା ରକ୍ଷା କରିବା ନାଟ୍ୟକାରର ପ୍ରଧାନ ଧର୍ମ । ତାହା ସେମାନଙ୍କ ଦ୍ଵାରା ସାଧିତ ହୋଇଅଛି । ଗଦ୍ୟ ସଂଳାପ ସଂଯୋଜନା କରି ବୈଷ୍ଣବ ପାଣି ଏ ଦିଗରେ ଆଉ କେତେ ପାଦ ଆଗକୁ ଯାଇପାରିଛନ୍ତି ।

 

ମଞ୍ଚୋପଯୋଗିତା : ସ୍ଥାନ-କାଳ-ପାତ୍ର ଔଚିତ୍ୟବୋଧ ଦୃଷ୍ଠିରୁ ଆଲୋଚ୍ୟ ସ୍ରଷ୍ଟାମାନଙ୍କ ମାନସ ସନ୍ତାନ ବହୁ ସ୍ଵାତନ୍ତ୍ର୍ୟରେ ବିଳସିତ । ଏହାର କାରଣ ସ୍ଵରୂପ କୁହାଯାଇ ପାରେ ଯେ, ପୁରାଣ ବା କାବ୍ୟଗ୍ରନ୍ଥ କେବଳ ପଠନୋପଯୋଗୀ ହୋଇଥିବାରୁ କବିମାନେ ଯେକୌଣସି ଦୁଃସାଧ୍ୟ ବର୍ଣ୍ଣନାର ଅନ୍ତରାଳରେ ବହୁ ବାହ୍ୟ କଥାବସ୍ତୁକୁ ସହଜରେ ଉପସ୍ଥାପନ କରିପାରନ୍ତି । କିନ୍ତୁ ମୁକ୍ତ ରଙ୍ଗମଞ୍ଚରେ ଅଭିନୟ ମାଧ୍ୟମରେ ଏପରି ଅଦ୍ଭୁତ ବର୍ଣ୍ଣନା ତଥା ଅତିମାନବୀୟ ଓ ଅମାନବୀୟ ଘଟଣାବଳୀର ଅଲୌକିକ ଦୃଶ୍ୟରାଜି ପରିବେଷଣ କରି ସେମାନେ ଯେପରି ନିଜର ସ୍ଵାତନ୍ତ୍ର୍ୟ ପ୍ରଦର୍ଶନ କରିଯାଇଛନ୍ତି, ତାହାର ପଟ୍ଟାନ୍ତର ନାହିଁ । ଆଲୋଚ୍ୟ ସ୍ରଷ୍ଟାମାନେ ରଙ୍ଗମଞ୍ଚର କ୍ଷୁଦ୍ର ପରିସର ମଧ୍ୟରେ ନାଟ୍ୟୋପଯୋଗୀ ଉପାଦାନମାନ ସ୍ଵୀୟ ଲେଖନୀର ସୀମିତ ବୃତ୍ତ ମଧ୍ୟରେ ଗ୍ରହଣ କରିଛନ୍ତି । ଦକ୍ଷଯଜ୍ଞରେ ସତୀଙ୍କର ଦେହତ୍ୟାଗ ସମ୍ବାଦରେ ମହାଯୋଗେଶ୍ଵର ହର କ୍ରୋଧିତ ହୋଇଉଠିଛନ୍ତି । ତାଙ୍କ ଚକ୍ଷୁଦ୍ଵୟ ହୋଇଛି ପିଙ୍ଗଳ ବର୍ଣ୍ଣ କ୍ରୋଧ ଜର୍ଜରିତ ଶିବଙ୍କ ଜଟାରୁ ବୀରଭଦ୍ର ଏବଂ ଭୈରବ ମହାକାଳଦ୍ୱୟ ଜନ୍ମ ନେଇଛନ୍ତି । ନାଟ୍ୟୋତ୍କଣ୍ଠା ସୃଷ୍ଟି କରିବା ପାଇଁ ସେ ଉପକଥାବସ୍ତୁର ଆଶ୍ରୟ ନେଇଛନ୍ତି । ଉପକଥାବସ୍ତୁରେ ସଂଯୋଜିତ ଚରିତ୍ରକୁ ବ୍ୟଞ୍ଜନା ମଧ୍ୟରେ ଇଙ୍ଗୀତଧର୍ମୀ ସଂଳାପକୁ ଆବିଷ୍କାର କରାଯାଇପାରେ । ଏପରି ସଂଳାପର ପ୍ରୟୋଗଯୋଗୁଁ ପରିବେଶ ଯେତିକି ମଞ୍ଜୁଳତର ହୋଇଉଠିଛି, ଭୟାନକ ରସମାଧ୍ୟମରେ ଦର୍ଶକଙ୍କ ଚିତ୍ତବିନୋଦନ ପାଇଁ ସେତିକି ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରିଛି ।

 

ଜଗନ୍ନାଥ ପାଣି ଏବଂ ଗୋପାଳ ଦାଶଙ୍କ ପରବର୍ତ୍ତୀ ଗୀତିନାଟ୍ୟକାର ରୂପେ ଲେଖନୀ ଚାଳନା କରିଥିଲେ ବୈଷ୍ଣବ ପାଣି । ଏହି ପୂର୍ବଜମାନଙ୍କ ଦ୍ଵାରା ବହୁଭାବରେ ପ୍ରଭାବିତ ହୋଇଥିଲେ ସୁଦ୍ଧା ନିଜ ନାଟ୍ୟକୃତିର ବ୍ୟାପକ ସଜ୍ଜୀକରଣ କରି ସେ ସ୍ଵକୀୟ ମୌଳିକତା ପ୍ରଦର୍ଶନ କରିଅଛନ୍ତି । ଜଗନ୍ନାଥ ପାଣି ଲୋକନାଟ୍ୟକୁ ଯେଉଁ ନୂତନ ମୋଡ଼ ଦେଇଥିଲେ, ବୈଷ୍ଣବ ପାଣି ତା’ର ପ୍ରାଣ ସ୍ପନ୍ଦନ ପ୍ରତି ଗଭୀର ଭାବରେ ସଚେତନ ହୋଇ ଗୀତାଭିନୟକୁ ନୂତନ ସ୍ପର୍ଦ୍ଧିତ ରୂପ ପ୍ରଦାନ କରିଅଛନ୍ତି । ଯାତ୍ରା ସାହିତ୍ୟର ବିପୁଳ ପରିବର୍ତ୍ତନ, ଆଧୁନିକୀକରଣ ଏବଂ ସଂସ୍କାର ଆନୟନ ପାଇଁ ବୈଷ୍ଣବଙ୍କ ଏକନିଷ୍ଠ ଉଦ୍ୟମ ଅଭିନନ୍ଦନୀୟ । ସେଥିପାଇଁ କେହି କେହି ତାଙ୍କୁ ମହାନ ବିପ୍ଳବୀ ରୂପରେ ଚିତ୍ରଣ କରିଛନ୍ତି । ବିଷୟବସ୍ତୁ ପରିବେଷଣରେ ନୂତନତ୍ୱ ପ୍ରଦର୍ଶନ, ସରଳ ଭାଷା ମାଧ୍ୟମରେ ସଂଳାପଗୁଡ଼ିକର ଅଭିନବ ଅଭିବ୍ୟକ୍ତି ଚରିତ୍ର ସଂଯୋଜନା ଏବଂ ଘଟଣା ଅବତାରଣାରେ ବୈଚିତ୍ର୍ୟ ସମ୍ପାଦନା ପ୍ରଭୃତି କାରଣରୁ ଜଗନ୍ନାଥ ପାଣିଙ୍କ ପରି ବୈଷ୍ଣବ ପାଣି ଥିଲେ ଅନନ୍ୟ । ବୈଷ୍ଣବ ପାଣି ଯେପରି ଭାବରେ ଚରିତ୍ରମାନଙ୍କୁ ଚିତ୍ରଣ କରିଛନ୍ତି ଓ ସେମାନଙ୍କ ସଂଳାପ ମଧ୍ୟ ଦେଇ ବିଷୟବସ୍ତୁର ଆରୋହ, ଶୀର୍ଷ ଓ ଅବରୋହ ଦେଖାଇ ପରିସମାପ୍ତି ଆନୟନ କରିଛନ୍ତି, ସେଥିରୁ ତାଙ୍କର ଦକ୍ଷତା ଅନ୍ୟମାନଙ୍କଠାରୁ ବାରିହୋଇଯାଏ । ଓଡ଼ିଆ ଭାଷାକୋଷ ପ୍ରଣେତା ଗୋପାଳ ପ୍ରହରାଜ କହିଛନ୍ତି- ‘‘କ୍ରମେ ଏ ଦେଶର ଯାତ୍ରାଦଳ ଭିତରେ ଟିକିଏ ସଂସ୍କାର ପ୍ରବେଶ କଲା । ପ୍ରଥମ ସଂସ୍କାରକ ଅଟନ୍ତି ବୈଷ୍ଣବ ପାଣି । ସେ ଅନେକଗୁଡ଼ିଏ ଗୀତାଭିନୟ ଲେଖି ପ୍ରଚାର କଲେ ଏବଂ ପୋଷାକପତ୍ର, ଯନ୍ତ୍ର ପ୍ରଭୃତି ଓ ବଚନିକାରେ ଟିକିଏ ଆଧୁନିକ ଧରଣ ପ୍ରବେଶ କରାଇଲେ ।’’

 

ବୈଷ୍ଣବ ପାଣି ଗୀତାଭିନୟକୁ ଆଧୁନିକ ରୂପ ଦେଲେ ଓ ସେଥିରେ ବିପ୍ଳବ ଆଣିଲେ । ଡକ୍ଟର ମାୟାଧର ମାନସିଂହ ଓଡ଼ିଆ ସାହିତ୍ୟ ଇତିହାସରେ ପାଣିଙ୍କ ପ୍ରତିଭାରେ ଶତମୁଖ ହୋଇଛନ୍ତି-। ‘‘ଯେଉଁମାନେ ପ୍ରାଚୀନ ଓଡ଼ିଶା ଯାତ୍ରାକୁ ଆଧୁନିକ କରିଗଲେ, ସେମାନଙ୍କ ମଧ୍ୟରେ ବିଖ୍ୟାତତମ ହେଉଛନ୍ତି ବୈଷ୍ଣବ ପାଣି । ଓଡ଼ିଆ ରଙ୍ଗମଞ୍ଚର ପିତା ସ୍ଵରୂପ କୋଠପଦା ମଠର ମହନ୍ତଙ୍କ ଥିଏଟରରେ ସେ ଦିନେ ନଟବାଳକ ହୋଇ ଦେଖା ଦେଇଥିଲେ । ସେଦିନର ସେହି ନଟବାଳକ ପାଣି, ଶତାଧିକ ଯାତ୍ରା ନାଟକ ଛାଡ଼ି ଯାଇଛନ୍ତି, ଯେଉଁଥିରୁ କେତେକ ତିରିଶ ଚାଳିଶ ସଂସ୍କରଣ ପର୍ଯ୍ୟନ୍ତ ଉଠିଥିଲା ପାଣିଙ୍କ ଜୀବନ କାଳରେ । ଆଧୁନିକ ଓଡ଼ିଶାର ଗଣଚିତ୍ତକୁ ପାଣିଙ୍କ ଦାନ ପ୍ରକୃତରେ ଅମୂଲ୍ୟ ଓ ଶାଶ୍ୱତ ।” ପ୍ରାଚୀନ ବିଷୟକୁ ସମସାମୟିକ ସମସ୍ୟା ସହିତ ମିଶାଇ ଦେଇ ଗଣକବି ପ୍ରକୃତରେ ଓଡ଼ିଆ ଯାତ୍ରାକୁ ଶିଳ୍ପବିଭବ ମଣ୍ଡିତ କରିଦେଇଛନ୍ତି । ବୈଷ୍ଣବ ପାଣିଙ୍କ କୃତି ବିପୁଳ । ସେଥିରେ ଅଛି ନିରୋଳ ସାହିତ୍ୟର ରସମୟ ଅଭିବ୍ୟକ୍ତି ଅଛି ମଧ୍ୟ ବିଦଗ୍‌ଧ ରୂପଲାବଣ୍ୟ । ନାଟକର ପ୍ରବୃତ୍ତି ଓ ସଙ୍ଗୀତର ମାଧୁର୍ଯ୍ୟ ତାଙ୍କର ଗୀତିନାଟ୍ୟକୁ ଦେଇଛି କାଳଜୟୀ କଳାମୂଲ୍ୟ । ପଙ୍କରୁ ପଙ୍କଜର ଜନ୍ମ ପରି ଜୀବନର ପାପ ପଙ୍କ ମଧ୍ୟରୁ ସେ ଫୁଟାଇଛନ୍ତି ସାହିତ୍ୟର ଲାବଣ୍ୟମୟ ସୌରଭଯୁକ୍ତ ପଙ୍କଜ । ଓଡ଼ିଆ ସାହିତ୍ୟ କ୍ରମବିକାଶରେ ପାଣି କବିଙ୍କ ସମ୍ପର୍କରେ ମନ୍ତବ୍ୟ ବାସ୍ତବିକ ପ୍ରଣିଧାନ ଯୋଗ୍ୟ । ‘‘ରାମଶଙ୍କର ପ୍ରମୁଖ ଇଂରେଜୀ ଶିକ୍ଷିତ ନାଟ୍ୟକାରମାନଙ୍କ ରଚନାରେ ଓଡ଼ିଆ ନାଟକ, ସାହିତ୍ୟ ଓ ସେଥି ସଙ୍ଗେ ସଙ୍ଗେ ରଙ୍ଗମଞ୍ଚରେ କ୍ରମ ବିକାଶ ଘଟୁଥିବାବେଳେ ଯେଉଁ ଗ୍ରାମ୍ୟ ଗୀତିନାଟ୍ୟକାରଙ୍କ ଅସାଧାରଣା ପ୍ରତିଭା ପୁରପଲ୍ଲୀର ଜନତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା- ସେ ହେଲେ ଗଣକବି ବୈଷ୍ଣବ ପାଣି । ବସ୍ତୁତଃ, ବୈଷ୍ଣବ ପାଣିଙ୍କ ମୃତ୍ୟୁଠାରୁ କାଳ ଯେତିକି ଅତୀତ ହେଉଛି, ତାଙ୍କ ପ୍ରତିଭାର ଦ୍ୟୁତି ସେତିକି କ୍ରମେ ବିକଶିତ ହୋଇଉଠୁଛି । ଯାହାଙ୍କର ଗୀତିନାଟ୍ୟସବୁ ଏକଦା ପଲ୍ଲୀ ସମାଜର ମନୋରଞ୍ଜନ କରୁଥିଲା, ତାହା କ୍ରମେ ଶିକ୍ଷିତ, ବିଦଗ୍‌ଧ ମଣ୍ଡଳୀରେ ମଧ୍ୟ ନୂତନ ମର୍ଯ୍ୟାଦା ଲାଭ କରୁଛି । ବସ୍ତୁତଃ, ବୈଷ୍ଣବ ପାଣିଙ୍କର ଯେଉଁ ‘ରିଭାଇଭାଲ୍‌’ ଦେଖାଦେଇଛି ତାହା ଅଭୂତପୂର୍ବ କହିଲେ ଅତ୍ୟୁକ୍ତି ହେବ ନାହି ।’’

 

ଜଗନ୍ନାଥ ପାଣିଙ୍କ ପରି ବୈଷ୍ଣବଙ୍କ ରଚନାର ଭାଷା କଥିତ ଓ ସାବଲୀଳ । ପୁନଶ୍ଚ, ଏହା ପ୍ରାଚୀନ ଛାନ୍ଦ, ଚୌପଦୀ, ଯମକ, ଉତ୍‌ପ୍ରେକ୍ଷା, ଅନୁପ୍ରାସାଦି ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାରରେ ମଧ୍ୟ ରସସ୍ନିଗ୍‌ଧ । ଜନଜୀବନକୁ ସେମାନେ ଯେପରି ଭାବରେ ଜାଣିଥିଲେ, ଚିହ୍ନିଥିଲେ, ଅଙ୍ଗେ ଲିଭେଇଥିଲେ, ସେହିପରି ଭାବରେ ସେମାନେ ସଂଳାପ ଗୀତ ଲେଖୁଥିଲେ । ସମାଜର ଚିତ୍ରକୁ ପ୍ରାଧାନ୍ୟ ଦେଉଥିଲେ ଏବଂ ଜନମନ ହରଣ କରିବାକୁ ଗଭୀର ଉଦ୍ୟମ କରିଥିଲେ । ସେମାନଙ୍କ ନିଷ୍ଠାବଳରେ ଆଜି ଓଡ଼ିଆ ନାଟ୍ୟ ସାହିତ୍ୟ ଯେ ସମୃଦ୍ଧ ହୋଇଛି, ଏଥିରେ ସନ୍ଦେହ ନାହିଁ ।

 

 

ସାହାପୁର, କୁମୁଡ଼ାଜୟପୁର,

ମାହାଙ୍ଗା, କଟକ

 

***

 

ଜଗନ୍ନାଥ ପାଣିଙ୍କ ବହୁମୁଖୀ ପ୍ରତିଭା

ନିବେଦିତା ରାଉତ

 

ଜଗନ୍ନାଥ ପାଣି (୧୮୩୬-୧୮୯୭)କୁ ଓଡ଼ିଆ ଯାତ୍ରାର ଆଦ୍ୟ ଉଦ୍‌ଗାତା କହିଲେ ଭୁଲ୍‌ ହେବନାହିଁ । କାବ୍ୟର ସଂଳାପ ସଂଯୋଜନା କରି ଏହାକୁ ସେ ଖୁବ୍‌ ଲୋକପ୍ରିୟ କରିଥିଲେ । ତାଙ୍କ ପୂର୍ବରୁ ଗୋପାଳ ଦାସ (୧୮୧ ୯- ୧୮୫୯) (ବଙ୍ଗଳାରେ ଗୋପାଳ ଉଡ଼େ ନାମରେ ପରିଚିତ) ଏ ଦିଗରେ ଲେଖନୀ ଚାଳନା କରିଥିଲେ ହେଁ, ଓଡ଼ିଆରେ ତାଙ୍କ ଲେଖା ଉପଲବ୍ଧ ହୁଏନାହିଁ । ଜଗନ୍ନାଥ ପାଣି ବହୁକାବ୍ୟ, ଖଣ୍ଡକାବ୍ୟ, ଛାନ୍ଦନାଟ୍ୟ, ଲୀଳା, ସୁଆଙ୍ଗ ଆଦିର ସ୍ରଷ୍ଟା । ଉନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ତାଙ୍କ କାବ୍ୟନାଟିକା ଓ ଲୀଳାଦି ଓଡ଼ିଶାର ସର୍ବତ୍ର ଅଭିନୀତ ହେଉଥିଲା । ପରବର୍ତ୍ତୀ ସମୟରେ କେନ୍ଦ୍ରାପଡ଼ାସ୍ଥ ପଳସିଂହାର ଗୋପାଳ ଦାସ ଓ ମାହାଙ୍ଗାର ବୈଷ୍ଣବ ପାଣି ତାଙ୍କ ଦ୍ଵାରା ବହୁଭାବେ ଅନୁପ୍ରାଣିତ ହୋଇଥିଲେ । ବହୁ କାବ୍ୟ, ନାଟିକା, ଲୀଳା, ସୁଆଙ୍ଗ ସେ ଲେଖି ଯାଇଛନ୍ତି । ଏସବୁ ତିନିଖଣ୍ଡି ଗ୍ରନ୍ଥାବଳୀରେ ପ୍ରକାଶିତ ହୋଇଥିଲେ ହେଁ ଆହୁରି ଅନେକ ପାଣ୍ଠୁଲିପି ଅପ୍ରକାଶିତ ଥିବା ଜଣାଯାଏ ।

 

ଜଗନ୍ନାଥ ପାଣି ପୁରାଣ, କାବ୍ୟ, ସାହିତ୍ୟ, ବ୍ୟାକରଣ, ଜ୍ୟୋତିଷଶାସ୍ତ୍ର ଅଧ୍ୟୟନ କରି ବ୍ୟୁତ୍ପତ୍ତି ଲାଭ କଲେ ଏବଂ ସେହି ଅନୁକ୍ରମରେ କାବ୍ୟ କବିତା ଆଦି ରଚନା କଲେ । କିନ୍ତୁ ତାଙ୍କ ରଚନାର ବୈଶିଷ୍ଟ୍ୟ ହେଲା ତାଙ୍କ ରଚନା ସଂଳାପ ଧର୍ମୀ । ଏହା ଛାନ୍ଦସିକ ଓ ସଙ୍ଗୀତଧର୍ମୀ । ତେଣୁ ଏହା ଅଭିନୟ ପାଇଁ ଉଦ୍ଦିଷ୍ଟ ।

 

ସେତେବେଳେ ନାଟ୍ୟଧର୍ମୀ ଲେଖା ବିଶେଷ ନଥିଲା । ତାଙ୍କ ସମସାମୟିକ କୃପାସିନ୍ଧୁ ମିଶ୍ର (୧୮୩୨) ଓ ତାଙ୍କ ପୂର୍ବବର୍ତ୍ତୀ ଗୋପାଳ ଦାସଙ୍କ ଲେଖା କଲିକତା ଓ ମେଦିନୀପୁର ଆଦି ବିଭିନ୍ନ ସ୍ଥାନରେ ଅଭିନୀତ ହୋଇ ଲୋକପ୍ରିୟତା ଅର୍ଜନ କରିଥିଲା । ଜଗନ୍ନାଥ ସେମାନଙ୍କ ଲେଖାଦ୍ଵାରା ପ୍ରଭାବିତ ହୋଇ ପୁରାଣରୁ ଉପାଖ୍ୟାନ ମାନ ବାଛି ଗୀତାଭିନୟ ରଚନା କଲେ । ତାହାକୁ ମଧ୍ୟ ସେ ପ୍ରୟୋଗ କଲେ ଅଭିନୟ ମାଧ୍ୟମରେ । ସେ ନିଜେ ନିର୍ଦ୍ଦେଶନା ଦେଲେ ଏବଂ ନିଜ ନାଟ୍ୟଦଳର ଅଭିନେତାଙ୍କୁ ଚାହିଁ ଗୀତାଭିନୟ ଲେଖିଲେ । ବିଷୟବସ୍ତୁ ଥିଲା ପୌରାଣିକ । ପୁରୁଷମାନେ ସ୍ତ୍ରୀ ଭୂମିକାରେ ଅଭିନୟ କରୁଥିଲେ । ଦର୍ଶକମାନଙ୍କୁ ଆଖିଆଗରେ ରଖି ସରଳ ଓ ସୁବୋଧ୍ୟ ଭାଷାରେ ସେ ଲେଖୁଥିଲେ । ଓଡ଼ିଶାର ବିଭିନ୍ନ ଗାଁ ଓ ରାଜବାଟୀମାନଙ୍କରେ ସେ ଯାତ୍ରା ପ୍ରଦର୍ଶନ କରି ପ୍ରଶଂସାର ପାତ୍ର ହୋଇଥିଲେ । ପ୍ରତିବେଶୀ ରାଜ୍ୟ, ବଙ୍ଗଳା ଓ ବିହାରରେ ମଧ୍ୟ ସେ ଯାତ୍ରା ପ୍ରଦର୍ଶନ କରୁଥିଲେ ।

 

ଜଗନ୍ନାଥ ପାଣିଙ୍କୁ ନାଟ୍ୟକାର ଅପେକ୍ଷା ଜଣେ ସଫଳ କାବ୍ୟକାର କହିବାରେ ଅଧିକ ଯଥାର୍ଥତା ରହିଛି । ଅବଶ୍ୟ ପୂର୍ବେ ପ୍ରାଚୀନ ସଂସ୍କୃତ ନାଟକ ଓ କାବ୍ୟ ମଧ୍ୟରେ ତଫାତ୍‌ ପ୍ରାୟ ନଥିଲା କହିଲେ ଚଳେ । ପୂର୍ବେ ନାଟକର ମାଧ୍ୟମ ଥିଲା ପଦ୍ୟ । ତେଣୁ ଜଣେ ସମାଲୋଚକ କହିଥିଲେ, ଉଚ୍ଚାଙ୍ଗ ନାଟକ ଓ ଉଚ୍ଚାଙ୍ଗ କାବ୍ୟ ପରସ୍ପରର ଅତି ନିକଟବର୍ତ୍ତୀ । ସେ ଦୃଷ୍ଟିରୁ କାଳିଦାସ ଉଭୟ ଶ୍ରେଷ୍ଠ କବି ଓ ଶ୍ରେଷ୍ଠ ନାଟ୍ୟକାର । ନୈଷଧକୁ ମଧ୍ୟ ସେ ମାନ୍ୟତା ଦିଆଯାଇଥାଏ । ଅବଶ୍ୟ ପ୍ରାଚୀନ ଗ୍ରୀକ୍‌ ସାହିତ୍ୟରେ ନାଟକର ପୃଥକ୍‌ ଧାରା ଅବ୍ୟାହତ ଥିଲା । ସେକ୍ସପିୟର ଓ ତାଙ୍କ ପୂର୍ବବର୍ତ୍ତୀ ନାଟ୍ୟକାର, ମାର୍ଲୋ, କିଡ଼୍‍ ପ୍ରମୁଖ ‘ଇଭନିଭରସିଟି ଉଇଟସ୍’ ନାଟ୍ୟକାରମାନେ କବିତା ବା ବ୍ଲାଙ୍କଭର୍ସକୁ ଗୁରୁତ୍ୱ ଦେଇଛନ୍ତି । ସେମାନେ ନାଟକକୁ ଅଙ୍କ ଓ ଦୃଶ୍ୟରେ ବିଭକ୍ତ କରିଛନ୍ତି । କିନ୍ତୁ ଜଗନ୍ନାଥ ପାଣିଙ୍କ ଗ୍ରନ୍ଥସବୁ କାବ୍ୟିକ ଧାରାରେ ବିଭିନ୍ନ ଛାନ୍ଦରେ ବିଭାଗୀକରଣ କରାଯାଇଛି । ତା’ ସତ୍ତ୍ଵେ ତାଙ୍କ ଯାତ୍ରାଦଳ ଓ ତାଙ୍କ ସମୟରେ ତଥା ପରବର୍ତ୍ତୀ ସମୟରେ ଯାତ୍ରାକାର ଯଥା ବୈଷ୍ଣବ ପାଣି, ଗୋପାଳ ଦାସ ପ୍ରମୁଖଙ୍କ ଦଳ ଏହାକୁ ମୁକ୍ତ ମଞ୍ଚରେ ଅଭିନୟ କରାଉଥିଲେ ।

 

ଜଗନ୍ନାଥ ପାଣିଙ୍କ ଲେଖାରେ ରୀତିକବିଙ୍କ ପ୍ରଭାବ ଯଥେଷ୍ଟ ଲକ୍ଷଣୀୟ । ସେ ରୀତି ଧାରାରେ ହିଁ ଏଗୁଡ଼ିକର ବିକାଶ ଘଟାଇଛନ୍ତି । ଆରମ୍ଭରେ ଆଶୀର୍ବାଦାତ୍ମକ, ନମସ୍କାରାତ୍ମକ ଓ ବସ୍ତୁନିର୍ଦ୍ଦେଶର ମଧ୍ୟ ଅବତାରଣା କରିଛନ୍ତି, ଯାହା ରୀତି କବିମାନଙ୍କର ବୈଶିଷ୍ଟ୍ୟ ଥିଲା । ଚିରାଚରିତ ଶୈଳୀରେ କବି ଲେଖିଛନ୍ତି ।

 

ସଙ୍କଟ ଭଞ୍ଜନ ସାରଳା ମୋ କଣ୍ଠେ ପଦକର ଖେଳା

 

ଜୟ ସିଂହବାହିନୀ ଝଙ୍କଡ଼ ନିବାସିନୀ ପଙ୍କଜନୟନୀ ଚଞ୍ଚଳା

।୧।

ସୁଖଦାୟିନୀଦେବୀ ମୁର୍ଖକୁ କରୁକବି ଦୁଃଖ ସିନ୍ଧୁକୁ ନାମ ଭେଳେ

।୬।

ବୋଲଇ ଜଗନ୍ନାଥ ତୋଦୟା ହେଲେ ମାତ ସୁଖେ ଗାଇବି କୃଷ୍ଣ ଲୀଳା

।୭।

 

କବି ସାରଳା ଦାସଙ୍କଠାରୁ ଆରମ୍ଭ କରି ପଞ୍ଚସଖା ଓ ରୀତିଯୁଗୀୟ କବିମାନେ କାବ୍ୟର ଆରମ୍ଭରେ ଦେବୀ ବା ଅଭୀଷ୍ଟ ଦେବତାଙ୍କୁ ସ୍ତୁତି କରି କାବ୍ୟର ସଫଳତା କାମନା କରିଥାନ୍ତି । ଏପରିକି ଆଧୁନିକ କବି ରାଧାନାଥ ରାୟ ମହାଯାତ୍ରାର ପ୍ରାରମ୍ଭରେ ଦେବୀ ସାରଳାଙ୍କ ସ୍ତୁତି କରି କହନ୍ତି ‘‘ଝଙ୍କଡ଼ ବାସିନୀ ଦେବୀ ଉତ୍କଳ ଭାରତୀ/ସାରଳେ କି କଲେ କହ କୁରୁ ଚୂଡ଼ାମଣି ।’’ ସେହିପରି ଗଙ୍ଗାଧର ମେହେର ସରସ୍ଵତୀଙ୍କି ସ୍ତୁତି କରିଛନ୍ତି-

 

କିଏ ଗୋ ତୁ ଜ୍ୟୋତିର୍ମୟୀ ଶୁଦ୍ଧ ଶୁଭ୍ରବେଶା

ଇନ୍ଦ୍ରନୀଳ ଦ୍ୟୁତିଜିତା ମନୋହର କେଶା

କୌମୁଦୀକି ଘନ ହୋଇ ବୋଳିଛୁ ଶରୀରେ

କେଶଛଳେ ତିମିରକି ଲୋଟୁଛି ପୟରେ ।

 

ଉପେନ୍ଦ୍ର ଭଞ୍ଜ ଲାବଣ୍ୟବତୀରେ ରାମଚନ୍ଦଙ୍କୁ ବନ୍ଦନା କରି ତାଙ୍କ ସ୍ଵକୀୟ ଢଙ୍ଗରେ ବହୁ ଅର୍ଥ ପ୍ରତୀତ ପ୍ରତିପାଦନ କରିଛନ୍ତି:-

 

‘‘ଜୟ ଜୟ ଜୟ ରାମ ଜନକ ସୁଖଦ

ଭୀମ ହାଷ ଦାନରେ ସଦା ବିଶାରଦ ହେ ।’’

 

ଏ ସବୁ ଥଲା କାବ୍ୟାରମ୍ଭ ପ୍ରବିଧି, ଯାହାକୁ ଜଗନ୍ନାଥ ପାଣି ସର୍ବତ୍ର ପାଳନ କରିଛନ୍ତି । ରୀତିକାବ୍ୟର ଅନ୍ୟ ଏକ ବୈଶିଷ୍ଟ୍ୟ ଶୃଙ୍ଗାରିକତା, ଯାହା ପୁଣି ସାହିତ୍ୟରେ ଅନେକତ୍ର ପ୍ରତିପାଦିତ ହୋଇଛି । ଅଳଙ୍କାର ପ୍ରୟୋଗରେ ଜଗନ୍ନାଥଙ୍କର ବିଶେଷ ଦକ୍ଷତାର ପ୍ରମାଣ ମିଳେ । ନିମ୍ନ ଉଦାହରଣରେ ଅନୁପ୍ରାସ ଓ ଯମକର ସଫଳ ପ୍ରୟୋଗ ପରିଲକ୍ଷିତ ହୁଏ ।

 

(୧)

ଜଳଦ ଜଳଦ ଶ୍ୟାମ ଜଳଦ କେଶିକୀ

 

ଅଞ୍ଚଳେ ଚଞ୍ଚଳେ ବିଞ୍ଚି ଝାଡ଼ନ୍ତି ଧୂଳିକି

 

ସେ ଯଦୁପତି

 

ବିକଚକୁଚୁ କଜ୍ଵଳ ଜଳକୁ ପୋଛନ୍ତି

 

ଏହିଭାବେ ଜଗନ୍ନାଥ ପାଣିଙ୍କର ରଚନାରେ ରୀତିଯୁଗୀୟ ଅଳଙ୍କାରର ବିବିଧ ପ୍ରୟୋଗମାନ ଦେଖାଯାଏ । ପୂର୍ବାନୁରାଗ, ସ୍ୱପ୍ନ ମିଳନ, ବିଛେଦ ଓ ପୁନର୍ମିଳନ ଏବଂ ସର୍ବୋପରି ଆଳଙ୍କାରିକତା, ଶୃଙ୍ଗାରିକତା, ଶବ୍ଦଭୋଜବାଜି ଏବଂ ବିବିଧ ଛାନ୍ଦର ପ୍ରୟୋଗ ହୋଇଛି । ମାଳ ଯମକର ଉଦାହରଣ ଦ୍ରଷ୍ଟବ୍ୟ :-

 

ଅବଧିବିଧି ବିଧିବର କାହାଣୀ

ଦ୍ଵବିଧି ବିଧି ବିଧିର ସରଣୀ

କିଙ୍କିଣୀ କିଣି କିଣି ନିଏ ମୋତେ

ଶୁଭଶୁଭ ଶୁଭ ଶୁଭଜଗତେ

ଜଗନ୍ନାଥ ଲେଖେ ।

ଶବ୍ଦମାଳ ମାଳ ମାଳ ଯମକେ ।

 

କବି ଯୋଡ଼ି ଯମକ, ଆଦ୍ୟ-ପ୍ରାନ୍ତ ଯମକ, ମାଳ ଯମକ, ଉପମାଳଙ୍କାର, ବିରୋଧାଭାସ, ଚକ୍ରସିଂହାବଲୋକନ, ଚକ୍ର ଶୃଙ୍ଖଳା, ଗୋମୂତ୍ର ଛନ୍ଦ ରସକୂଲ୍ୟା, ଚୋଖୀ, ପଞ୍ଚମବରାଡ଼ି, ଶଙ୍କରାଭରଣ ଆଦି ବିବିଧ ଛାନ୍ଦର ପ୍ରୟୋଗ କରିଛନ୍ତି । ସାଙ୍ଗୀତିକତା ଜଗନ୍ନାଥ ପାଣିଙ୍କ କାବ୍ୟ ନାଟିକାକୁ ସମୃଦ୍ଧ କରିଅଛି । ନାୟିକା, ସଖୀ ଆଦି ବିଦୂଷୀମାନଙ୍କ ରସାଳ ଉକ୍ତି ପ୍ରତ୍ୟୁକ୍ତି ମଧ୍ୟରେ କେବଳ ରସାଳ ପ୍ରେମାଳାପ ଘଟିନାହିଁ, ବରଂ ପ୍ରତ୍ୟୁତ୍ପନ୍ନମତିତା, ବିଦ୍‌ବତ୍ତା ଓ ବ୍ୟଞ୍ଜନାଦିର ଯଥେଷ୍ଟ ପରିଚୟ ସେଥିରୁ ମିଳିଥାଏ ।

 

ଏଗୁଡ଼ିକର ଏତେ କାବ୍ୟଗୁଣ ନିହିତ ଥିବା ସତ୍ତ୍ଵେ ଏଥିରେ ଯେ ନାଟକୀୟତାର ଯଥେଷ୍ଟ ଉପାଦାନ ନିହିତ ଏହା କହିବା ଅସମିଚୀନ ନୁହେଁ । ବିବିଧ ଛନ୍ଦ ଓ ସଙ୍ଗୀତର ପ୍ରଚ୍ଛନ୍ନ ପ୍ରୟୋଗ ହେତୁ ଏହାକୁ ଗୀତାଭିନୟ ଭାବେ ପ୍ରୟୋଗ କରାଯାଇଥାଏ । ଅନେକତ୍ର ସଂଳାପର ପ୍ରୟୋଗ ହେତୁ ଏହା ମଞ୍ଚ ଉପଯୋଗୀ ଓ ଦର୍ଶକଙ୍କ ଉପଭୋଗ୍ୟ ହୋଇଥାଏ ।

 

ଜଗନ୍ନାଥ ପାଣିଙ୍କ ଲେଖାରେ ବିବିଧ ରସର ଉତ୍ତରଳ ପ୍ରବାହ ପରିଲକ୍ଷିତ ହୁଏ । ବିଶେଷତଃ ଶୃଙ୍ଗାର ଓ ବୀର ରସକୁ ସେ ପ୍ରାଧାନ୍ୟ ଦେଇଛନ୍ତି । ରୀତି କବିମାନଙ୍କ ପରି ଅନେକତ୍ର ସେ ବିଭତ୍ସ ଶୃଙ୍ଗାର ବର୍ଣ୍ଣନା ମଧ୍ୟ କରିଛନ୍ତି । ଉଦାହରଣ ସ୍ଵରୂପ-

 

‘‘ଫିଟିଛି ବସନ ନୀବୀବନ୍ଧମାନ ଫିଟିଛି କୁସୁମ ବେଣୀଶିରେ ।

ସେ ରସ ନଦୀ ।

ଦୁଇ ଜାନୁ ଦେଇ ଯାଏ ଭେଦି ।

 

ଏତଦ୍‌ବ୍ୟତୀତ ଜଗନ୍ନାଥ ପାଣିଙ୍କ ରଚନାରେ ବାତ୍ସଲ୍ୟ, କରୁଣ ଓ ହାସ୍ୟରସ ମଧ୍ୟ ପରିବେଷିତ ହୋଇଅଛି । ଅବଶ୍ୟ ଶବ୍ଦର ଆଢ଼େଣୀ ମଧ୍ୟରେ ରତିବର୍ଣ୍ଣନା ସଂଗୁପ୍ତ ରହିଛି । କେବଳ ରତିବର୍ଣ୍ଣନା ବା କାମ ବର୍ଣ୍ଣନାରେ ଜଗନ୍ନାଥ ପାଣିଙ୍କୁ ସୀମିତ କରିବା ଠିକ୍‌ ହେବ ନାହିଁ । ସେ ଶୁଦ୍ଧ ସାତ୍ତ୍ୱିକ ପ୍ରେମର ବର୍ଣ୍ଣନା ମଧ୍ୟ ଅନେକ ସ୍ଥଳରେ କରିଛନ୍ତି । ରୁକ୍ମିଣୀ ପରିଣୟ’, ‘ଧ୍ରୁବ ଚରିତ’, ‘ପ୍ରହ୍ଲାଦ ଚରିତ’, ‘ମୀରା ଚରିତ’ ପ୍ରଭୃତିରେ ସେ ଗଭୀର ବିଭୁପ୍ରେମର ବର୍ଣ୍ଣନା କରିଛନ୍ତି । ବିବିଧ ଭକ୍ତି ପ୍ରସଙ୍ଗ ସେ ଉଲ୍ଲେଖ କରିଅଛନ୍ତି । ମୀରା, ରୁକ୍ମିଣୀ, ରାଧା, ସତୀମାନଙ୍କର ପ୍ରେମ ଭକ୍ତିବଳରେ ଭଗବତ୍‌ ପ୍ରାପ୍ତିର ମାର୍ଗ ଉଲ୍ଲେଖ କରାଯାଇଛି । ଏପରିକି ବାଣାସୁର, ରାବଣ ଓ ଦକ୍ଷ ରିପୁଭାବେ ମୋକ୍ଷ ଲାଭ କରିଛନ୍ତି ।

 

ଜଗନ୍ନାଥ ପାଣିଙ୍କ କାବ୍ୟପାଟବର ଅନନ୍ୟ ଦିଗ ଭକ୍ତିଭାବ ଓ ଆଧ୍ୟାତ୍ମିକ ଚେତନା । ଅନେକ ଭକ୍ତ ଭଗବତ୍‌ ଆରାଧନା କରି ମୁକ୍ତିଲାଭ କରିଛନ୍ତି । ଧ୍ରୁବ, ପ୍ରହଲ୍ଲାଦଙ୍କ ପରି ଭକ୍ତମାନେ ବିଷ୍ଣୁଙ୍କଠାରେ ଗଭୀର ନିଷ୍ଠା, ପ୍ରତ୍ୟୟ ଓ ସମର୍ପଣ ଦ୍ଵାରା ମୁକ୍ତିର ମାର୍ଗ ଖୋଜିଛନ୍ତି । ପ୍ରହଲ୍ଲାଦଙ୍କ ଗଭୀର ଆତ୍ମପ୍ରତ୍ୟୟ ଓ ଭଗବତ୍‌ ବିଶ୍ଵାସରୁ ନରସିଂହ ଖମ୍ବ ମଧ୍ୟରୁ ଆବିର୍ଭୂତ ହୋଇଛନ୍ତି । ଏହି ଭକ୍ତିଭାବକୁ ସେ ନିରକ୍ଷର ପଲ୍ଲୀଜନତା ମଧ୍ୟରେ ପ୍ରଚାର କରିଛନ୍ତି ଅଭିନୟ ମାଧ୍ୟମରେ ଗ୍ରନ୍ଥ ଆରମ୍ଭରେ ମଧ୍ୟ ସେ ସୂଚନା ଦିଅନ୍ତି ‘‘କୃଷ୍ଣ କାମକେଳୀ କଳ୍ପଲତା ଶୁଣ ଜନେ/ବ୍ରଜ ମନୋହର କାବ୍ୟ ଯାତ୍ରାର ବିଧାନେ’’ । ସେହିପରି ଅନ୍ୟତ୍ର କହନ୍ତି : ‘‘ପ୍ରେମ ମଧୁରସ ସିନ୍ଧୁ ପିଅ ବିଦ୍ୟୁଜନ / ଚମତ୍କାର ଏ ରୁକ୍ମିଣୀ ପ୍ରଣୟ ବିଧାନ ।’’ ମୀରା ମୁଖରେ କବିଙ୍କର ଦାର୍ଶନିକ ଭାବ ଫୁଟିଉଠେ । ଗୁରୁ ମାଧବାନନ୍ଦଙ୍କୁ ମୀରାଙ୍କ ଉକ୍ତି:

 

‘‘ଏ ଦେହ ଜୀବନ ଯୁବା ଯଉବନ ଚିର ନୁହେଁ ଆତ୍ମାସୁଖ ।

ଜୀବ ଅନୁଭବ ଦେହର ସ୍ଵଭାବ ଜନ୍ମମୃତ୍ୟୁ ଦୁଇ ଦୁଃଖ ହେ ।।

ଏହା ବୁଝି ଚିତ୍ତେ ଶାସ୍ତ୍ର ଉପାର୍ଜିତେ ବୈରାଗ୍ୟ ଜନ୍ମିଲା ମୋର ।

ଆସିଅଛି ଦାସୀ ହେବାକୁ ଉଦାସୀ ପରିତ୍ରାଣ ବାରେ କର ।।

 

ଏ ଅନୁଭବ ଏକ ଅତିନ୍ଦ୍ରିୟ ଚେତନାର ସୂକ୍ଷ୍ମଭାବ । ମୀରା ଥିଲେ ରାଧାଙ୍କ ସମ ପରମ ବୈଷ୍ଣବୀ । ଜଗନ୍ନାଥ ପାଣି ଏହା ସ୍ପଷ୍ଟ ରୂପେ ଅନୁଭବ କରିଥିଲେ ।

 

‘କେଳା କେଳୁଣୀ ପ୍ରହସନ’ ପ୍ରଭୃତିରେ ହାସ୍ୟରସ ଉଦ୍ରେକ ନିମନ୍ତେ ପ୍ରୟାସ କରାଯାଇଛି । ପ୍ରକୃତିର ବିକୃତି ଘଟିଲେ ହାସ୍ୟରସ ଉଦ୍ରେକ ହୋଇଥାଏ । ଏଠାରେ ହିନ୍ଦି, ବଙ୍ଗଳା ଓ ଓଡ଼ିଆ ଭାଷାର ବିକୃତ ପ୍ରୟୋଗ କରାଯାଇଛି । ସେ ବିଭିନ୍ନ କେଳା ସମ୍ପ୍ରଦାୟ ଯଥା ସାପୁଆକେଳା, ଶିକାରୀ ବା ନଳୁଆ କେଳା, ସବାଖିଆ କେଳା, ମାଟିଆ କେଳା ଆଦିଙ୍କୁ ଚରିତ୍ରଭାବେ ଗ୍ରହଣ କରିଛନ୍ତି । ସେହିପରି ନାଗପୁରୀ କେଳାର ସଂଳାପ ହିନ୍ଦି ବା ଭୋଜପୁରୀ ମିଶା ଏବଂ ମେଦିନାପୁରୀ କେଳୁଣୀର ସଂଳାପ କେରାବଙ୍ଗଳା ମିଶା । ସେହିପରି ହିନ୍ଦି, ବଙ୍ଗଳା ଓ ଓଡ଼ିଆ ବାକ୍ୟ ବ୍ୟବହାରରେ ଦର୍ଶକର ହର୍ଷ ଉଦ୍ରେକ ଲାଗି ଚେଷ୍ଟା କରାଯାଇଛି । ତାହା ପୁଣି ଗ୍ରାମ୍ୟ ନାରୀ ପୁରୁଷଙ୍କ ନିତିଦିନିଆ ପହଳି ଓ ଛଟାରେ, ଯଥା :-

 

କେଳୁଣୀ ! ଆରେ ବଣଭୁଆ ଅଜାଣ ମିଛୁଆ ହାତୀକୁ ପାଇଲୁ କାହୁଁ ।

ସାତଗଣ୍ଠିପକା ଲୁଗା ପିନ୍ଧି ଟୋକା ବାଲିଙ୍ଗୀ ମୋତେ ଦେଖାଉ

ବିଲ ମଶାଲ ଧରା,

ତେଲ ଆଣିଲୁ କାହୁଁ ନୁଖୁରା ।’’

 

ସେହିପରି :-

‘‘ଛିରେ ଅଲଣା ଚଲଣା ବିକା, ନାଣିଆ ମୁଣ୍ଡିଆ ଚଣ୍ରିଆ ଟୋକା

କେତେ ହେଉ ତରତରରେ

କୂଳମୂଳ ନାହିଁ ମୂଳରୁ ଅଭେଡ଼ା ଦେଖାଉ ବଡ଼ ଚାତକରେ ।’’

 

ପ୍ରତ୍ୟୁତ୍ତରେ କେଳା କହେ :-

ଯଘେଂଇ ଶାଢ଼ୀକି ଭଙ୍ଗେଇ ପକା

କଙ୍ଗେଇ ଖୋଷାକୁ ଛାଡ଼

ଚେଙ୍ଗେଇ ଚାଉଳ କୁଟିବାକୁ ତୋର

ଭଙ୍ଗେଇ ଉଠୁଛି ଗୋଡ଼ ।

 

ଏସବୁରେ ରସିକତା ଅଛି । ବିମଳ ହାସ୍ୟରସ ବି ରହିଛି । ଭଦ୍ରକ ଅଞ୍ଚଳରେ ପ୍ରଚଳିତ ବାଲିଙ୍ଗୀ (ଦେଖେଇ ହେବା), ଚଲଣା (ତରଭୁଜ), ଚେଙ୍ଗେଇ ଚାଉଳ (ପିଲାମାନେ ଗାତଖୋଳି ବାଡ଼ିରେ କୁଟିବା ଚାଉଳ), କଙ୍ଗେଇ ଖୋଷା (କୁଣ୍ଢା ଯାଇଥିବା କେଶ) ଆଦି ଶବ୍ଦ ବ୍ୟବହାର କରାଯାଇଛି ।

 

ସେହିପରି କେଳା କେଳୁଣୀ ସଂଳାପ ଦ୍ୱିର୍ଥବୋଧକ ଭାଷାରେ ସଂଯୋଜିତ ହୋଇଛି । ହୁଏତ ଏହା ବୁଝିବାରେ ଦର୍ଶକଙ୍କ ବିଦ୍‌ବତ୍ତାର ପ୍ରମାଣ ମିଳେ । ଲଢ଼େଇ ଯାତ୍ରାବେଳେ ଦର୍ଶକର ଦୃଷ୍ଟି ଆକର୍ଷଣ ନିମନ୍ତେ ଏହା ହୁଏତ ଏକ ଇଚ୍ଛାକୃତ ଉପଚାର ହୋଇପାରେ । ନିମ୍ନ ଉଦାହରଣ ଦ୍ରଷ୍ଟବ୍ୟ: -

 

 

କେଳା

-

ଆଗୋ ଚନ୍ଦମନି ବିୟେଦିନ ଆମି ମଧୁଶଯ୍ୟା ମଣ୍ଡପେତେ,

କ୍ଷୁଧାତୁରହୟେ ଆମାନୀ ବୁରିୟେ ଖେଏଚି ହୋମ ରାତେ ।

ଗୋ ମନ୍‌ମୋହିନୀ, ମନ୍‌ ମାଜାଏଛ ପରେ ନା ଚିହ୍ନି ।

କେଳୁଣୀ

-

ଏକି ଅପବାଦ କପଟ ସମ୍ବାଦ ବଲିଲେ ଆମାରେ ମିଥ୍ୟେ

 

 

ଲାଜ ନାହିଁ ମୁଖେ କେ ଦିଏଛେ ତୋକେ ଆମାନୀ ମଧୁଶଯ୍ୟାତେ ।

ସେହିପରି ତେଲେଙ୍ଗା କେଳା ଗୀତରେ ଭିନ୍ନ ଭାଷାର ପ୍ରୟୋଗ କରାଯାଇଛି:-

 

‘‘ସାଜୀ ମେଁ ଜୋ ବାଜୀ କିଆଁ ମେ ତାଳି ତୁ କର୍ମ ଲେକେ

ଧମକ୍‌ ଧମକ୍‌ ତେରା ଚମକ୍‌ ପୈଛାଁ ତିମାସ ଦେଖେ ଭବରାକେ ।

 

ଗୋରୀୟା ସୁନ୍ଦରୀ ନଗରିୟାର ଏ ସାଲେ ଫିସାଲେ ଆୟେ ଯୁଆଚୋରୀ ଦଗାଦାର ।’’ ଇତ୍ୟାଦି ଜଗନ୍ନାଥ ପାଣିଙ୍କର କେଳା-କେଳୁଣୀ ପ୍ରହସନ ଯେ ଏକ ଭିନ୍ନ ସ୍ଵାଦର ସଫଳ ସୃଷ୍ଟି, ଏଥିରେ ସନ୍ଦେହ ନାହିଁ ।

 

ବ୍ରହ୍ମ ବୈବର୍ତ୍ତ ପୁରାଣ ଅବଲମ୍ବନରେ ରଚିତ ଜଗନ୍ନାଥ ପାଣିଙ୍କ ନାରଦ ଗୀତା ଏକ ଚମତ୍‌କାର ରଚନା । ବର୍ଣ୍ଣନା ସରଳ କିନ୍ତୁ ଭାବୋଦ୍ଦୀପକ । ଶ୍ରୀୟା ଚଣ୍ଡାଳୁଣୀ ରୂପ ବର୍ଣ୍ଣନା ପ୍ରସଙ୍ଗରେ ରୀତିଯୁଗୀୟ ଢାଞ୍ଚା ସ୍ପଷ୍ଟ ପ୍ରତିଫଳିତ ।

 

‘‘ମଇଳା ଚାଙ୍ଗୁଡ଼ି ମହିଳା ସଜାଡ଼ି ଧରିଛି ପହଁରା ହାତେ

ରାଜହଂସ ପ୍ରାୟେ ଚୀଲଇ ସୁନ୍ଦରୀ କାମବାଇ ହୋଇପଥେ ।

ସରୁକଟୀ ପରେ ଗୁରୁ କୁଚତାର ଦୂରୁବାସ ଫୁଟି ଦିଶେ

ମନ୍ଦମନ୍ଦ ହସି ପନ୍ଦର ବୟସୀ ମିଳିଲା ମୁନିଙ୍କ ପାଶେ ।

ଶରଦ ଚନ୍ଦ୍ରମା ବଦନକୁ ତାର ନାରଦ ଅନାଇ ଦେଇ

ଆଜନ୍ମ ତପସ୍ୱୀ ଜୀତେନ୍ଦ୍ରୀୟ ଋଷି ମଦନେ ହୋଇଲେ ବାଇ ।’’

 

ନାରଦଙ୍କ ସ୍ଫଳନ ଓ ସାଂସାରିକ ମାୟା ବନ୍ଧନରେ ଆଚ୍ଛନ୍ନ ପରେ ଗଭୀର ଅନୁତାପ ଓ ସ୍ଵର୍ଗ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗ ଏଠାରେ ବର୍ଣ୍ଣନା କରାଯାଇଛି । କିନ୍ତୁ ତାଙ୍କ ଔରସରୁ ଶ୍ରୀୟା ଗର୍ଭଜାତ ପୁତ୍ର ପିଶୁନ ଦକ୍ଷଙ୍କ ନିକଟରେ ଯେତେବେଳେ ନାରଦ ତା’ର ପିତା ବୋଲି ପରିଚୟ ଦିଏ ଏବଂ ଯୋଗବଳରେ ଏହାର ସତ୍ୟତା ଜାଣି ଦକ୍ଷ ନାରଦଙ୍କୁ ଭର୍ତ୍ସନା କରି କହିଲେ, ‘‘ଯୋଗେନ୍ଦ୍ର ହୋଇତୁ ଚାଣ୍ଡାଳୀ ହରିଲୁ କି ବୋଲିବେ ହରିହର । ଯାଅ ୟେବେ ଯେବେ ଭଲଗତି ଅଛି ପୁତ୍ର ପ୍ରତିପାଳ କର-।’’ ଏଥିରେ ନାରଦ ଶଙ୍କିତ ହୋଇ ମର୍ତ୍ତ୍ୟକୁ ପୁତ୍ରସଙ୍ଗେ ଗମନ କଲେ ଏବଂ ମାଧବ ଶୁଣ୍ଢିର ଝିଅ ସଙ୍ଗେ ପୁତ୍ରକୁ ବାହା କରାଇ ଗ୍ରାମ ବାହାରେ ଏକ ନିଆରା (ପୃଥକ) ସ୍ଥାନରେ ସେମାନଙ୍କ ସହବାସର ବ୍ୟବସ୍ଥା କଲେ । ନିଜର ବାହାନ ଢିଙ୍କି ପ୍ରଦାନ କରି ତଦ୍ଦ୍ୱାରା ନିଜ ସଂସାର ପ୍ରତିପୋଷଣ ନିମନ୍ତେ ଉପଦେଶ ଦେଲେ । ନିଆରା ସ୍ଥାନରେ ବସବାସ ହେତୁ ସେମାନଙ୍କ ପୁତ୍ରକନ୍ୟାଦି ‘ନିଆରି’ ପାଟକରେ ଗଣାହେଲେ । ଏମାନେ ଜଳସ୍ପର୍ଶୀ ଓ ଏମାନେ କୁଟୁଥିବା ଚୁଡ଼ା ଦେବତାଙ୍କ ଭୋଗରେ ଲାଗେ । ନିଆରିମାନଙ୍କୁ ନାରଦ ଅଂଶୀ କୁହାଯାଇଥାଏ । ଢିଙ୍କିବାନ ପରେ ନାରଦ ବିଶ୍ଵକର୍ମାଙ୍କ ଅନୁଗ୍ରହରୁ କଠଉ ବା ମନଯାନ ବାହାନ ଲାଭକଲେ । ଧାମନଗର ଅଞ୍ଚଳରେ ବହୁ ନିଆରି ବାସ କରନ୍ତି ଏବଂ ଚୁଡ଼ାକୁଟା ଏମାନଙ୍କ ବେଉଷା । ଏଠାରେ ଚୂଡ଼ାକୁଟି ନାମରେ ଏକ ଗାଁ ମଧ୍ୟ ଅଛି ।

 

ଜଗନ୍ନାଥ ପାଣିଙ୍କର ‘ଚୌପଦୀ ରତ୍ନାବଳୀ’ ଏକ ଚମତ୍କାର କାବ୍ୟଗ୍ରନ୍ଥ । ଏହା ୪୮ଟି କ୍ଷୁଦ୍ର କବିତାର ସଙ୍କଳନ । ତାହାର ଉତ୍ତରଳ ପ୍ରବାହ ଏଠାରେ ପରିଲକ୍ଷିତ ହୁଏ । ରତି ରସରଙ୍ଗ, ଅଳଙ୍କାର ଆଦିର ପ୍ରୟୋଗ ସଙ୍କଳନଟିକୁ ଚମତ୍କାର ଭାବେ ଗଢ଼ି ତୋଳିଛି । ରୀତିଯୁଗୀୟ କାବ୍ୟ ଲକ୍ଷଣ ସର୍ବତ୍ର ପରିଲକ୍ଷିତ ହୁଏ । ବିପରୀତ ରତି ବାକ୍‌ଚତୁରୀ ତଥା ବିଦୂଷୀ ନାରୀ ଓ ବିଚକ୍ଷଣ ପୁରୁଷଙ୍କ ଭକ୍ତିପ୍ରତ୍ୟୁକ୍ତି ପରି ଏହା ପ୍ରତୀତ ହୋଇଥାଏ ।’’

 

ନାୟିକାର ଉକ୍ତି:-

‘‘ଅଦୃଷ୍ଟ ଅଶ୍ରୁତ ଏ ଅତି ଅନୀତି କ୍ଷିତିରେ ଯା ଶୁଣା ନାହିଁ,

କମଳ ଲତାରେ ମତ୍ତ କରିବର ବାନ୍ଧିବକେ ଗଣ୍ଠି ଦେଇ ।

ଆହେ ନାଥ, ଦେଖାଅ ଏ ବିପରୀତ ।’’

 

ଉତ୍ତରରେ ନାୟକର ପ୍ରତ୍ୟୁକ୍ତି :-

‘‘ଦେଖରେ ବାନ୍ଧବୀ ଏ ନବ ମାଧବୀ ଶେଯେ ମତ୍ତକରୀ ମୁହିଁ,

ତୁ ପଦ୍ମିନୀ ପଦ୍ମଲତା କରେ ବାନ୍ଧି ପ୍ରେମ ଆଲିଙ୍ଗନ ଦେଇ

ଆହେ ସହି, ନଖାଙ୍କୁଶେ ଚିରେ ଦେହୀ ।’’

 

ଏହିପରି ସମଗ୍ର କବିତାଟି ବିପରୀତ ରତି ରସରେ ବିକାଶ ଲାଭ କରିଛି । ସେହିପରି ରାଧାକୃଷ୍ଣଙ୍କ ‘ବିବିଧ ଶ୍ଳେଷ ବର୍ଣ୍ଣନା’, ‘ତ୍ରିବିଧ ଶ୍ଳେଷ ଭାଷା’, ‘ବିରୋଧାଭାଷ’, ‘ଦ୍ୱିତୀୟାର୍ଥ, ‘ସିଂହାବଲୋକନ’, ‘ମାନଭଞ୍ଜନ’, ‘ବାସକ ସଜ୍ଜା’,‘ପ୍ରୀତିର ଲକ୍ଷଣ’, ‘ପୁରୁଷ ପ୍ରତି ସ୍ତ୍ରୀର ଉକ୍ତି’, ‘ବସନ୍ତ ଅନୁଚିନ୍ତା’, ‘ବଶ୍ୟତା- ସ୍ତ୍ରୀର ଉକ୍ତି’, ‘ମାନଭଙ୍ଗ ପୁରୁଷୋକ୍ତି’, ‘ବସନ୍ତାନୁ ଚିନ୍ତା’, ‘ବିଦେଶ ଯିବାବେଳେ ପୁରୁଷୋକ୍ତି’, ‘ଚନ୍ଦ୍ର ଚାଳକ’, ‘ଶ୍ରୀମତୀଙ୍କ ଉନବିଂଶ ଲକ୍ଷଣ’ ଆଦି ନଗ୍ନାତାକୁ ଆବୁତ୍ତ କରି ଦେଇଛି । ଉଦାହରଣ ସ୍ଵରୂପ ଜାନୁବର୍ଣ୍ଣନା ପ୍ରସଙ୍ଗରେ ଯୋଡ଼ି ଯମକରେ ଲେଖାଯାଇଛି

 

‘‘ବୃଶାଳ ରସାଳ ଏ ରମ୍ଭା ଯୁଗଳ ଓଲଟିଛି ମଙ୍ଗଳକୁ

ଖେଳା ଖଞ୍ଜାନାକ୍ଷୀ ଭେଳାକି ବାନ୍ଧିଛି କାମସିନ୍ଧୁ ଅଞ୍ଚଳକୁ ।

ନିତମ୍ବ ବିମ୍ବ ଏ କନକ ତୁମ୍ବ ଏ ବୀଣାଦଣ୍ଡ ସରଳକୁ

ବୋଲେ ଜଗନ୍ନାଥ ଏହି ଜାନୁରଥ ମନମଥ ପ୍ରଚଳକୁ ।’’

 

ଗ୍ରନ୍ଥଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସହାୟତାରେ ଭଦ୍ରକର ଗୋପୀନାଥ ପ୍ରେସ୍‌ରୁ ଆତ୍ମପ୍ରକାଶ କରିଥଲା । ଏହା ଜଗନ୍ନାଥ ପାଣିଙ୍କର ଏକ ସଫଳ ଗ୍ରନ୍ଥ । ଏହାଛଡ଼ା ତାଙ୍କର ସଫଳ କାବ୍ୟ ମଧ୍ୟରେ ‘ପ୍ରମୋଦ ଚନ୍ଦ୍ରମଣି’, ‘ଗୋପାଳ ଲୀଳା’, ‘ବ୍ରଜ ମନୋହର’ ପ୍ରଣିଧାନ ଯୋଗ୍ୟ ।

 

ଓଡ଼ିଆରେ ମାର୍କଣ୍ଡ ଦାସଙ୍କ ‘କେଶବ କୋଇଲି’ ବେଶ୍‌ ଲୋକପ୍ରିୟ । ସେହିପରି ଜଗନ୍ନାଥ ଦାସଙ୍କ ‘‘ଅର୍ଥ କୋଇଲି, କେଶବ ଚ୍ୟାଉ ପଟ୍ଟନାୟକଙ୍କ ‘ବନବାସ କୋଇଲି ଓ ଶଙ୍କର ଦାସଙ୍କ ‘ବାରମାସୀ କୋଇଲି’ ଆଦି ପ୍ରଣିଧାନ ଯୋଗ୍ୟ । ସେଇ ଧାରାରେ ଜଗନ୍ନାଥ ପାଣି ‘ଯଶୋଦା କୋଇଲି’ ରଚନା କରିଛନ୍ତି । ଏହା ଏକ ଚଉତିଶା, ଅର୍ଥାତ୍‌ ‘କ’ ରୁ ‘କ୍ଷ’ ଯାଏ ଅକ୍ଷରକୁ ଆଦ୍ୟରେ ରଖୁ ପଦ ସଂଯୋଜନା କରାଯାଇଛି । ‘କେଶବ କୋଇଲି’ ଧାରାରେ ଏହା ରଚିତ । କୃଷ୍ଣଙ୍କ ବିଚ୍ଛେଦରେ ଯଶୋଦା ନିଜର ମନୋଭାବ କୋଇଲି ଆଗରେ ବ୍ୟକ୍ତ କରିଛନ୍ତି । ପକ୍ଷୀ ବା ଅନ୍ୟବସ୍ତୁକୁ ସାକ୍ଷୀରଖି ବା ସମ୍ବୋଧନ କରି କାବ୍ୟ କବିତା ଲେଖିବାର ପରମ୍ପରା ଖୁବ୍‌ ପ୍ରାଚୀନ । କାଳିଦାସ ମେଘକୁ ଦୂତକରି ବିରହୀ ଯକ୍ଷର ବାର୍ତ୍ତା ପ୍ରେରଣ କରିଛନ୍ତି । ନୈଷଧରେ ହଂସକୁ ଦୂତରୁପେ ପ୍ରେରଣ କରାଯାଇଛି । ‘ଯଶୋଦା କୋଇଲି’ରେ ମାତୃ ହୃଦୟର ଗଭୀର ମର୍ମ ବେଦନା ରୂପାୟିତ ହୋଇଛି ଅତି ସରଳ ଓ ଲୌକିକ ଭାଷାରେ । ଅକ୍ରୂର ଉପରେ ସମସ୍ତ ଦୋଷ ବର୍ଷଣ କରିଛନ୍ତି ମା’ ଯଶୋଦା । ପ୍ରଥମରେ ସେ କହନ୍ତି, ‘‘କି କର୍ମ କଲା ଅକ୍ରୂର କୃଷ୍ଣ ଘେନିଗଲା ମଧୁପୁର’’ ଓ ତା ପରେ, ‘‘ଛିଡ଼ାକଲା ଦାରୁଣ ଅକ୍ରୂର ଲୋ କୋଇଲିପିଣ୍ଡରୁ ଛାଡ଼ୁଛି ପ୍ରାଣ ମୋହୋର ଲୋ’’ ଇତ୍ୟାଦି ।

 

ପୁନଶ୍ଚ ଭକ୍ତ ଚରଣଙ୍କ ‘‘ଆରେବାବୁ ଶ୍ୟାମ ଘନ...’ ଶୈଳୀରେ ସେ ଏହା ଲେଖିଛନ୍ତି- ଜଳ ବିହୁନେ ମୀନ ଯେସନ କୋଇଲି ଯଶୋଦା ଜୀବନ ହେଲା ତେସନ ଲୋ ।’’

 

ଏହି ଭାବେ ଚଉତିଶାଟି ଅତି ସରଳ ତରଳ ଭାଷାରେ ରଚନା କରାଯାଇ ଅତି ମର୍ମସ୍ପର୍ଶୀ ହୋଇପାରିଛି । ଜଗନ୍ନାଥ ପାଣିଙ୍କର ଅନନ୍ୟ ବୈଶିଷ୍ଟ୍ୟ ନିହିତ ତାଙ୍କ ପାଲାରେ ପ୍ରାୟ ସବୁ ପାଲାରେ କବି ନିଜ ନାମ ଭଣିତା କରିଛନ୍ତି । ଏହା ମୂଳରେ ଆଉ ଏକ ଉଦ୍ଦେଶ୍ୟ ନିହିତ । କବି କର୍ଣ୍ଣଙ୍କ ବିରଚିତ ଷୋଳପାଲା ଉପକୂଳ ଓଡ଼ିଶାରେ ବିଶେଷତଃ ବାଲେଶ୍ଵର, ଭଦ୍ରକ, କଟକର ଯାଜପୁର ଓ କେନ୍ଦ୍ରାପଡ଼ା ଅଞ୍ଚଳରେ ଅତି ଲୋକପ୍ରିୟ ଥିଲା । ଜଗନ୍ନାଥ ପାଣି ତାଙ୍କର ପାଲାଗୁଡ଼ିକ ସେହି ନାମରେ ରଚନା କରି ଅଶେଷ ଲୋକପ୍ରିୟତା ଅର୍ଜନ କରିଛନ୍ତି । ଶୈଳୀ, ଭାଷା, ପ୍ରକାଶଭଙ୍ଗୀ ଓ ପରିବେଷଣ ପରିପାଟୀ ତାଙ୍କର ନିଜସ୍ଵ । ଏହା କବି କର୍ଣ୍ଣଙ୍କ ରଚନାରେ ଥିବା ଭାଷା ବିବିଧତାକୁ ପରିହାର କରି କେବଳ ଓଡ଼ିଆ ଭାଷାରେ ହିଁ ରଚିତ ହୋଇଛି । କେବଳ କାହାଣୀ ବର୍ଣ୍ଣନା ବା ସତ୍ୟ ନାରାୟଣଙ୍କ ମହତ୍‌ ପ୍ରତି ଗୁରୁତ୍ୱ ଦିଆ ନଯାଇ କାବ୍ୟିକ ଛଟା ଓ ସାହିତ୍ୟିକ ଅନୁଶୀଳନ ପ୍ରତି ସମଧିକ ଗୁରୁତ୍ୱ ତଥା ଭାକ୍ତିକ ଅଭିନିବେଶ ଓ ଜୀବନ ଦର୍ଶନ ସମ୍ପର୍କରେ ଧ୍ୟାନ ଦିଆଯାଇଛି । ହୁଏତ ଏହା କବି କର୍ଣ୍ଣ ବା ଅନ୍ୟ କାହାରି ରଚନା ହେବାର ଆଶଙ୍କା ଦୂର କରିବା ଅଭିପ୍ରାୟରେ ଜଗନ୍ନାଥ ହୁଏତ ଏହିପରି ଭଣତି ଦ୍ଵାରା ନିଜ ଅଧିକାର ସାବ୍ୟସ୍ତ କରିଛନ୍ତି । ଭଣତିର କେତୋଟି ନମୁନା ଉଦ୍ଧାର କରାଯାଇଛି-

 

‘‘କବିଦ୍ୱିଜ ଜଗନ୍ନାଥ ଚିନ୍ତେ ସେ ଚରଣେ’’ ।

ଦୀନ ଜଗନ୍ନାଥ ଏତେ ମାଗୁଛି ତୁମ୍ଭକୁ ।’’

 

‘‘ନଳାଙ୍ଗ ନିଳୟ ନୀରକୂଳ କଳାକାର ପ୍ରବନ୍ଧ ରଚିଲେ ଜଗନ୍ନାଥ କବିବର । ଇତ୍ୟାଦି

 

ଜଗନ୍ନାଥ ପାଣି ମହାଭାରତର ଏଗାର ପର୍ବ ରଚନା କରିଛନ୍ତି । ଏସବୁ ଗ୍ରନ୍ଥାବଳୀର ତୃତୀୟ ଖଣ୍ଡରେ ସ୍ଥାନିତ ହୋଇଛି । ଏହା ଜଗନ୍ନାଥ ଦାସଙ୍କ ଭାଗବତ ପରି ନବାକ୍ଷରୀ ବୃତ୍ତରେ ରଚିତ । ଏସବୁ ସାରଳା ମହାଭାରତର ଅବଲମ୍ବନରେ ଲେଖାହେବା ଭଳି ପ୍ରତୀତ ହୁଏ । କିନ୍ତୁ ଦାଣ୍ଡିବୃତ୍ତ ପରିବର୍ତ୍ତେ ନବାକ୍ଷରୀ ବୃତ୍ତର ପ୍ରୟୋଗ କରାଯାଇଛି । ସାରଳା ମହାଭାରତର କାହାଣୀକୁ ମଧ୍ୟ ଗ୍ରହଣ କରାଯାଇଛି । ଅନେକ ଶବ୍ଦ ସାରଳା ମହାଭାରତରୁ ଗ୍ରହଣ କରାଯାଇଛି, ଯାହା ହୁଏତ ଜଗନ୍ନାଥ ପାଣିଙ୍କ ସମୟରେ ପ୍ରଚଳିତ ନଥିଲା । ଭାଷାତାତ୍ତ୍ୱିକ ଦିଗରୁ ଏସବୁ ଶବ୍ଦ ନା ଜଗନ୍ନାଥ ଦାସଙ୍କ ସମୟର ନା ଜଗନ୍ନାଥ ପାଣିଙ୍କ ସମୟର କହିବା କଷ୍ଟକର । ତନ୍ମଧ୍ୟରୁ କେତେକ ଶବ୍ଦ, ‘ପ୍ରୋହିତ’ (ପୁରୋହିତ), ‘ଟିକିରା’ (ହୁଡ଼ା), ‘କିଂକେ’ (କାହିଁକି), ‘ହେମ’ (ଥଣ୍ଡା ବା ହେମାଳ), ‘ଚୟାଣୋ’ (ଛୟାନବେ), ସ୍ଥକା (ଥକା) ପଦ ସଂଯୋଜନା ନବାକ୍ଷରୀ ହେଲେବି ଅନେକତ୍ର ସାରଳାଙ୍କ ପ୍ରଭାବରେ ପ୍ରଭାବିତ ପ୍ରତୀତ ହୁଏ ।

 

କାବ୍ୟ କବିତାଠାରୁ ଛାନ୍ଦନାଟ୍ୟ ଯାଏ ଅଥବା ପାଲା, ଚଉତିଶା ଠାରୁ ଭଜନ ଜଣାଣ ଯାଏ ପ୍ରତିଟି ରଚନାରେ ଜଗନ୍ନାଥ ପାଣିଙ୍କ ବହୁମୁଖୀ ପ୍ରତିଭାର ପରିଚୟ ମିଳେ । ତେଣୁ ଓଡ଼ିଆ ସାହିତ୍ୟରେ ସେ ଯେ ଏକ ସ୍ଵତନ୍ତ୍ର ମର୍ଯ୍ୟାଦାର ଅଧିକାରୀ- ଏଥିରେ ସନ୍ଦେହ ନାହିଁ ।

 

 

ସ୍ନାତକୋତ୍ତର ଓଡ଼ିଆ ବିଭାଗ

ରେଭେନ୍ସା ବିଶ୍ଵବିଦ୍ୟାଳୟ, କଟକ-୩

***

 

ଜଗନ୍ନାଥ ପାଣିଙ୍କୁ ମନେ ରଖିଛୁ କାହିଁକ

ବାବାଜୀ ଚରଣ ପଟ୍ଟନାୟକ

 

ଜଗନ୍ନାଥ ପାଣିଙ୍କୁ ମନେ ରଖିଛୁ କାହିଁକି -ଏଭଳି ଏକ ଶିରୋନାମା କାହା କାହାକୁ ଅସ୍ଵାଭାବିକ ଏପରିକି ଅବାନ୍ତର ଲାଗିପାରେ । କାହିଁକି ନା ଜଗନ୍ନାଥ ପାଣିଙ୍କ ସାହିତ୍ୟ କୃତିଗୁଡ଼ିକ ମଧ୍ୟରୁ କେତେକ ‘‘ଜଗନ୍ନାଥ ପାଣି ଗ୍ରନ୍ଥାବଳୀ (ପ୍ରଥମ ଖଣ୍ଡ, ଦ୍ୱିତୀୟଖଣ୍ଡ ଓ ତୃତୀୟ ଖଣ୍ଡ) ଦେଇ ସମ୍ପ୍ରତି ପାଠକମାନଙ୍କ ନିକଟରେ ଉପଲବ୍ଧ ହେଉଛି । କେତେଜଣ ବିଦ୍ଵାନଙ୍କ ପୋଥି ସଂଗ୍ରହ, ଅଧ୍ୟୟନ, ପାଠ ନିର୍ଦ୍ଧାରଣ, ସଂସ୍କରଣ ଓ ସର୍ବୋପରି ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ, କ୍ରୀଡ଼ା ଓ ସଂସ୍କୃତି ନିର୍ଦ୍ଦେଶାଳୟ ତରଫରୁ ତହିଁର ସଙ୍କଳନ ଆଜିର ଆଲୋଚ୍ୟ ଶୀର୍ଷିକର ‘‘ମନେରଖିଛୁ କାହିଁକି’’ ଉକ୍ତିକୁ ଅସାର କରୁଥିବା କାହା-କାହା-ପକ୍ଷେ ବୋଧ ହେଉଥିବ । କିନ୍ତୁ ଜଗନ୍ନାଥ ପାଣିଙ୍କ ସାହିତ୍ୟକୃତି ପୁସ୍ତକଦେଇ ପ୍ରକାଶ ନପାଇବାଆଗରୁ ସେଗୁଡ଼ିକୁ ଲୋକେ ମନେ ରଖିଥିଲେ । ଏବେବି ମନେରଖିଥିବା ଲୋକ ମିଳିପାରନ୍ତି । ଲୋକସ୍ମୃତିରେ ଜଗନ୍ନାଥ ପାଣିଙ୍କ ସାହିତ୍ୟ ବଞ୍ଚି ରହିଥିବାରୁ ପୋଥି ଖୋଜା ଓ ଗ୍ରନ୍ଥାବଳୀ ପ୍ରକାଶନ ସମ୍ଭବପର ହୋଇଛି । ସାହିତ୍ୟ ତତ୍ତ୍ଵରେ ପଢ଼ାଯାଏ; There are poems or stories which have never been fixed in writing and still continue to exist. Thus the lines in black ink are merely a method of recording a poem which must be conceived as existing else where. If we destroy the writing or even all copies of a printed book we still may not destroy the poem, as it might be preserved in Oral tradition or in the memory of a man like Macaulay, who boasted of knowing Paradise Lost and Pilgrim's progress by heart. (Theory of Literature by Rene Wellek and Austin Warren Third edition 1963, Page.142) ବାସ୍ତବରେ ସାହିତ୍ୟ ବଞ୍ଚି ରହିଥାଏ ସ୍ମୃତିରେ । ଲୋକ ସ୍ମୃତିରେ ସେହି ସାହିତ୍ୟ ବଞ୍ଚିରହେ ଯାହା ପ୍ରତି ପାଠକର ଅନୁକୂଳ ରୁଚି ପ୍ରକାଶ ପାଇଥାଏ । ପାଶ୍ଚାତ୍ୟ ସମାଲୋଚକ Irving Babbitt ରୁଚି (taste)କୁ ବ୍ୟକ୍ତିର ହିତାହିତ ଜ୍ଞାନ ଏବଂ ଅନ୍ତଃଚକ୍ଷୁର ବ୍ୟାପାର କହିଛନ୍ତି । ତେଣୁ ଯାହାକୁ ପଢ଼ି ପାଠକ ଅନ୍ତଃ ଉନ୍ମାଦନା ଓ ଆବେଗର ଶିକାର ହୁଏ ସେହି ପଢ଼ା ପ୍ରସଙ୍ଗ ତାର ମନେ ରହିଯାଏ । ପ୍ରସଙ୍ଗକ୍ରମେ ଏଠି ଏତେକଥା ଏଇଥିପାଇଁ ଆଲୋଚନା କରାଯାଇଛି ୟେ; ଜଗନ୍ନାଥ ପାଣିଙ୍କ ଲିଖିତ ସାହିତ୍ୟ, ବହି ହେବା ଆଗରୁ ଲୋକସ୍ମୃତିରେ ବଞ୍ଚିରହିଥିଲା । ଅବଶ୍ୟ ସ୍ମୃତି ସପକ୍ଷରେ ସଞ୍ଚିତ ତାଳପତ୍ର ପୋଥିର ଉପାଦାନ ସାକ୍ଷ୍ୟଦେଇଛି; ପରିଣତିରେ ଓଡ଼ିଆ ସାହିତ୍ୟ ଭଣ୍ଡାର ଜଗନ୍ନାଥ ପାଣିଙ୍କ ପୁସ୍ତକାବଳୀ ଲାଭ କରିଛି । ତେବେ ପ୍ରଶ୍ନ ଉଠେ; ଜଗନ୍ନାଥ ପାଣିଙ୍କ ସାହିତ୍ୟରେ ଏମିତି କ’ଣ ଅଛି ଯେ ତାକୁ ମନେ ରଖାଯାଇଛି ? ଏବେବି ମନେ ରହିଯାଉଛି । ଏଥିର ଉତ୍ତର ଅବଶ୍ୟ ଅସହଜ । କାହାରି କାହାରି ଧାରଣା ଥିବ, ଗୀତାଭିନୟ, ଲୀଳା, ଫାର୍ସ ଆଦି ପ୍ରଦର୍ଶନକଳାର ସାହିତ୍ୟ ସେ ଲେଖିଥିବାରୁ ତାଙ୍କ କୃତିରାଜି ଲୋକଚେତନାସ୍ପର୍ଶୀ ହୋଇଛି । କାରଣ ଯେଉଁ ସାହିତ୍ୟ ପଢ଼ାଯାଏ ତାହା ଉଚ୍ଚାରଣ ଭିତ୍ତିରେ ଆବୃତ୍ତି କରାଗଲେ ତହିର ତଟକା ପୁନଃ ସର୍ଜନ ଘଟେ । ସେହି ସାହିତ୍ୟ ଯଦି ଅଭିନୟ ଜରିଆରେ ପ୍ରଦର୍ଶନ କରାଯାଏ ତେବେ ଦର୍ଶକ ତା ସହିତ ଏକାତ୍ମ ହୋଇଯାଏ । ବୋଧହୁଏ ଏଇଥିପାଇଁ କାଳିଦାସ ଅଭିନୟକୁ ଦର୍ଶକମାନଙ୍କ ‘ଚକ୍ଷୁ-ଯଜ୍ଞ’ କହିଛନ୍ତି ଏବଂ କାବ୍ୟମାନଙ୍କ ମଧ୍ୟରେ ନାଟକକୁ ରମଣୀୟ ବୋଲି ଦର୍ଶାଇଛନ୍ତି । ଜଗନ୍ନାଥ ପାଣିଙ୍କ ସାହିତ୍ୟ ଖାସ୍‌ ଏଇଥିପାଇଁ ଲୋକ-ସ୍ମୃତି-ସଞ୍ଚିତ ମହାର୍ଘ ଉପାଦାନ ହୋଇଛି । ସେହି ଆଳରେ ଜଗନ୍ନାଥ ପାଣି ମନେ ରହିଛନ୍ତି, ରହିବେ ମଧ୍ୟ । ଓଡ଼ିଆ ସାହିତ୍ୟର ଇତିହାସ ଧାରାରେ ତାଙ୍କୁ କେବଳ ଗୀତାଭିନୟ ପ୍ରଣେତା କହି ତାଙ୍କ ପ୍ରତିଭାକୁ ସଙ୍କୁଚିତ କରି ଦେବାର ପ୍ରୟାସ କରାଯାଇଛି । ତାଙ୍କ ସାହିତ୍ୟକୃତି ଆଧାରରେ ଓଡ଼ିଆ ସାହିତ୍ୟର ଇତିହାସ ପୁନଃ ମୂଲ୍ୟାୟନ ଦୃଷ୍ଟିରୁ ରଚିତ ହେବା ଆବଶ୍ୟକ ହେଉଅଛି ।

 

ଓଡ଼ିଆ ସାହିତ୍ୟର ଇତିହାସ ପ୍ରଣେତାଏ ପାଦ୍ରୀମାନଙ୍କର ଓଡ଼ିଶା ଆଗମନ (ଫେବୃଆରୀ ୧୨, ୧୮୨୨)ଠାରୁ ୧୮୭୩ରେ ‘ଉତ୍କଳ ଦର୍ପଣ’ ପତ୍ରିକା ପ୍ରକାଶନ ପର୍ଯ୍ୟନ୍ତ ଅର୍ଦ୍ଧଶତାବ୍ଦୀ କାଳକୁ ଅନ୍ଧକାର ଯୁଗ ନାମରେ ନାମିତ କରିଥାନ୍ତି । ଜଗନ୍ନାଥ ପାଣି ଗ୍ରନ୍ଥାବଳୀ (ତିନିଖଣ୍ଡ) ପ୍ରକାଶନ ପରେ ପୁର୍ବୋକ୍ତ ଧାରଣା ପରିବର୍ତ୍ତନ ହେବା ଆବଶ୍ୟକ ହେଉଅଛି । ଭଦ୍ରକର ଅନତିଦୂରରେ ଅବସ୍ଥିତ ନଳାଙ୍ଗ ଗାଁରେ କବି ଜଗନ୍ନାଥ ପାଣି ଜନ୍ମଗ୍ରହଣ କରିଥିଲେ ୧୮୩୬, ବିଷୁବ ସଂକ୍ରାନ୍ତି ଦିନ । ତାଙ୍କ ଜୀବନୀ ହୁଏତ ସମ୍ପତି ଅନୁପଲବ୍ଧ କିନ୍ତୁ ତାହା ଖୁବ୍‌ ବେଶୀ ପ୍ରାଚୀନ ଘଟଣା ନୁହେଁ । ବ୍ୟାସକବି ଫକୀର ମୋହନ ସେନାପତି ଓ କବିବର ରାଧାନାଥ ରାୟଙ୍କଠାରୁ ସେ ଯଥାକ୍ରମେ ସାତବର୍ଷ ଓ ବାରବର୍ଷ ବଡ଼ । ରାଧାନାଥ ରାୟ ୧୮୪୮ରେ ଜନ୍ମିଥିବାରୁ ବାଲେଶ୍ଵର ଜିଲ୍ଲାସ୍କୁଲ । (ପ୍ରତିଷ୍ଠା ୧, ନଭେମ୍ବର, ୧୮୫୩)ରେ ପଢ଼ିବାର ସୁଯୋଗ ପାଇଛନ୍ତି । କାଗଜରେ ଲେଖିବା ଅଥବା ଛାପା ଅକ୍ଷରରେ ସାହିତ୍ୟ ପଢ଼ିବା ଫକୀର ମୋହନ (ଜନ୍ମ ୧୮୪୩) ଓ ରାଧାନାଥଙ୍କ ପକ୍ଷେ ସମ୍ଭବପର ହୋଇଛି । ଛପାଛପି ପାଇଁ କଟକରେ ପାଦ୍ରୀମାନଙ୍କ ଜରିଆରେ ପ୍ରଥମେ ମୁଦ୍ରଣ ଯନ୍ତ୍ର ପ୍ରତିଷ୍ଠା ହୋଇଛି ଜଗନ୍ନାଥଙ୍କ ଜନ୍ମର ଗୋଟିଏ ବର୍ଷ ପରେ ଅର୍ଥାତ୍‌ ୧୮୩୭ରେ । ନଅଙ୍କ ଦୁର୍ଭିକ୍ଷର ଭୟାବହତାକୁ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ ଦେଇ ପ୍ରକାଶ କରାଯିବା ନିମିତ୍ତ ଆଉ ଏକ ପ୍ରେସ୍‌ ପ୍ରତିଷ୍ଠା ହୋଇଛି କଟକରେ- ‘କଟକ ପ୍ରିଣ୍ଟିଂ ପ୍ରେସ୍‌/(୧୮୬୬)-। ଫକୀର ମୋହନ ସେନାପତି ବାଲେଶ୍ଵରଠାରେ ‘ଉତ୍କଳ ପ୍ରିଣ୍ଟଂ କମ୍ପାନି’ ପ୍ରତିଷ୍ଠା କରିଛନ୍ତି ୧୮୬୮ରେ । ଜଗନ୍ନାଥ ପାଣିଙ୍କ ଦେହାନ୍ତ (୧୧, ଡିସେମ୍ବର, ୧୮୯୭) ହେବାର ଦଶମାସ ପୂର୍ବରୁ କଟକଠାରେ ଆଧୁନିକ ଓଡ଼ିଆ ସାହିତ୍ୟ ସୃଷ୍ଟି ନିମିତ୍ତ ପ୍ରକାଶ ପାଇଛି ‘ଉତ୍କଳ ସାହିତ୍ୟ’ (ଜାନୁଆରୀ, ୧୮୯୭) ପତ୍ରିକା ବସ୍ତୁତଃ ଜଗନ୍ନାଥ ପାଣିଙ୍କ ଜୀବନକାଳ ମଧ୍ୟରେ ଆଧୁନିକ ଓଡ଼ିଆ ସାହିତ୍ୟ ସୃଷ୍ଟି ପାଇଁ ବହୁବିଧ କାର୍ଯ୍ୟକ୍ରମ ସଂଘଟିତ ହୋଇଛି । ହେଲେ, କବି ପାଣି ଓଡ଼ିଆ କାବ୍ୟ ରଚନାରେ ଯେଉଁ ନୂତନ ରୁଚିବୋଧର ସ୍ୱାକ୍ଷର ଛାଡ଼ିଯାଇଛନ୍ତି ତାହା ତାଳପତ୍ର ପୋଥିମାନଙ୍କରେ ରହିଯାଇଥିବାରୁ ଓଡ଼ିଆ ସାହିତ୍ୟର ଇତିହାସ ପ୍ରଣେତାମାନଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି । ୧୯୮୩ ମସିହାପରେ ବି ତାଙ୍କର ନୂତନ ରୁଚିବୋଧ ଦର୍ଶାଇବା ପାଇଁ ବିଶେଷ କିଛି ଆଲୋଚନା ହୋଇ ନଥିବା ପରିତାପର ବିଷୟ । ଆଧୁନିକ ଓଡ଼ିଆ ସାହିତ୍ୟ ନିର୍ମାଣରେ ରାଧାନାଥ ରାୟଙ୍କ କାବ୍ୟର ଗଠନରେ ଯେତେସବୁ ଅଣପାରମ୍ପରିକତା ପ୍ରସଙ୍ଗ ଚର୍ଚ୍ଚା କରାଯାଏ ତନ୍ମଧ୍ୟରେ ମଙ୍ଗଳାଚରଣ/ସାଧୁସ୍ତୁତି, ଖଳନିନ୍ଦା ବର୍ଣ୍ଣନା ନ ଥିବା ଅନ୍ୟତମ । ଜଗନ୍ନାଥ ପାଣିଙ୍କ ‘ଉଷାବତୀ ହରଣ’, ‘ସୀତା ବନବାସ’, ‘ମାନ ଭଞ୍ଜନ’ ‘ମହୀରାବଣ ବଧ’ , ‘ରୁକ୍ମିଣୀ ପରିଣୟ’, ‘ଦକ୍ଷ ଯଜ୍ଞ’, ‘ଲକ୍ଷ୍ମଣ ଶକ୍ତିଭେଦ’, ‘ହାରାବତୀ ହରଣ’ ଆଦି ଆଖ୍ୟାନମୂଳକ କାବ୍ୟରେ ପୂର୍ବୋକ୍ତ କାବ୍ୟରୀତି ଯଥା; ମଙ୍ଗଳାଚରଣ, ସାଧୁସ୍ତୁତି, ଖଳନିନ୍ଦା ଆଦି ଅନୁସରଣ କରାଯାଇ ନାହିଁ-। କେବଳ ଶୁଭ ପ୍ରାପ୍ତି ନିମିତ୍ତ ‘ଭୂତକେଳି’ କାବ୍ୟର ଆରମ୍ଭରେ ସାରଳାଦେବୀଙ୍କ ବନ୍ଦନା କରାଯାଇଛି । ଯେପରି;

 

ସଙ୍କଟ ଭଞ୍ଜନି ମଙ୍ଗଳା,             ମା ସାରଳା

ମୋ କଣ୍ଠେ ପଦ କର ଖେଳା । (ଘୋଷା)

ଜୟ ସିଂହବାହିନୀ            ଝଙ୍କଡ଼ ନିବାସିନୀ

ପଙ୍କଜ ନୟନୀ ଚଞ୍ଚଳା । ୧

ଝଟକି ଦେହାସୁର            ଅଟକ କରେ ତୋର

ଛଟକ ଚାହାଣି ଚଞ୍ଚଳା । ୨

+      +      +      +

ସୁଖ ଦାୟିନୀ ଦେବୀ            ମୂର୍ଖକୁ କରୁ କବି

ଦୁଃଖ ସିନ୍ଧୁକୁ ନାମ ଭେଳା । ୬

ବୋଲଇ ଜଗନ୍ନାଥ            ତୋ ଦୟା ହେଲେ ମାତ

ସୁଖେ ଗାଇବି କୃଷ୍ଣ ଲୀଳା । ୭

 

ଗ୍ରନ୍ଥ ରଚକ ପକ୍ଷେ ଗ୍ରନ୍ଥ-ସୃଷ୍ଟିର ପ୍ରେରଣା ଦ୍ୱିବିଧ-ଐଶୀ ଓ ଗ୍ରନ୍ଥ । ଅର୍ଥାତ୍‌ କାବ୍ୟକାରମାନେ ନିଜ ସୃଷ୍ଟି ପାଇଁ କୌଣସି ଠାକୁର-ଠାକୁରାଣୀଙ୍କୁ ଈଷ୍ଟ ରୂପେ ବନ୍ଦନା କରନ୍ତି ନତୁବା ପୂର୍ବବର୍ତ୍ତୀ ଗ୍ରନ୍ଥକାର ଅଥବା ଗ୍ରନ୍ଥ ଉଦ୍ଦେଶ୍ୟରେ ସମ୍ମାନ ଜ୍ଞାପନ କରନ୍ତି । କବିବର ରାଧାନାଥ ରାୟଙ୍କ ମହାକାବ୍ୟ ‘ମହାଯାତ୍ରା’ର ଆରମ୍ଭରେ ପଙ୍କଜ ବାସିନୀ, ଉତ୍କଳ ଭାରତୀ ସାରଳାଙ୍କ ନାମୋଚ୍ଚାରଣ କରାଯାଇଛି । ଗଙ୍ଗାଧର ମେହେର ତାଙ୍କ ‘ପ୍ରଣୟବଲ୍ଲରୀ’ କାବ୍ୟର ଆରମ୍ଭରେ ବେଦବ୍ୟାସ ଓ କାଳିଦାସଙ୍କ ପଦ ବନ୍ଦନା କରିଛନ୍ତି । ପରୋକ୍ଷରେ ସେମାନଙ୍କ ଗ୍ରନ୍ଥ ଉଦ୍ଦେଶ୍ୟରେ ଭକ୍ତିଭାବାପନ୍ନତା ପ୍ରକାଶ କରିଛନ୍ତି । କିନ୍ତୁ ଜଗନ୍ନାଥ ପାଣି ‘ସୁଭଦ୍ରାପରିଣୟ’ କାବ୍ୟର ଆରମ୍ଭରେ ସାରଳା ଦାସଙ୍କ ମହାଭାରତ ଉଦ୍ଦେଶ୍ୟରେ ବନ୍ଦନା କରିବା ତାଙ୍କ ନୂତନ ରୁଚିବୋଧର ସୂଚକ । ପାଶ୍ଚାତ୍ୟ ରୀତିର ଶିକ୍ଷା ପାଇଥିବା ରାଧାନାଥ ଓଡ଼ିଆ କାବ୍ୟ ପରମ୍ପରାରେ ନୂଆ ରୁଚିବୋଧର ସଂକେତ ରଖି ଯାଇଥିବା ଯାହା କୁହାଯାଉଛି ତହିଁର ପୃଷ୍ଠ ଭୂମି ଲକ୍ଷ୍ୟ କରି ହେଉଛି ଜଗନ୍ନାଥ ପାଣିଙ୍କ କାବ୍ୟ ସାଧନାରୁ; ଯେ କି ପାଶ୍ଚାତ୍ୟ ରୀତିର ଶିକ୍ଷାରୁ ବଞ୍ଚିତ ଥିଲେ । ଆମ ପରମ୍ପରାରେ ଗ୍ରନ୍ଥ ଓ ଗ୍ରନ୍ଥର ଈଷ୍ଟ ଏକ ନାମ ବାଚକ । ଯେପରି ଭାଗବତ ଓ ଭାଗବତ ଗ୍ରନ୍ଥ । ଭାଗବତ ବି ସ୍ଵୟଂ ବାସୁଦେବ । ଏଇଥିପାଇଁ ତାଳପତ୍ର ଖେଦାରେ ଲିଖିତ ପୋଥିଗୁଡ଼ିକୁ ଗାଦି କରାଯାଇ ଭାଗବତ ଗୋସେଇଁ କୁହାଯିବାର ପରମ୍ପରା ଏବେ ବି ଓଡ଼ିଶାର ଗାଁମାନଙ୍କରେ ବଞ୍ଚି ରହିଛି । ସାରଳା ଦାସଙ୍କ ମହାଭାରତ ଗ୍ରନ୍ଥ ଉଦ୍ଦେଶ୍ୟରେ ଜଗନ୍ନାଥ ପାଣିଙ୍କ ବନ୍ଦନା ଉନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟାୟ କାଳୀନ ଓଡ଼ିଶାର ସାହିତ୍ୟ ପରମ୍ପରାରେ କେବଳ ଗୋଟିଏ ଉଦାହରଣ ନୁହେଁ, ବିସ୍ମୟାବହ ନୂତନ କାବ୍ୟ ରୁଚିର ଏକ ନମୁନା । କବିଙ୍କ ଏହି ବନ୍ଦନା ଉଦ୍ଧାର କରାଯାଉଛି-

 

ବନ୍ଦଇ ଯେ ମହାଗ୍ରନ୍ଥ ଶ୍ରୀ ମହାଭାରତ

ସର୍ବଶାସ୍ତେ ମହାଶ୍ରେଷ୍ଠ ଯଜୁର୍ବେଦ ଜାତ । ୧

ବିଷ୍ଣୁ ଭକ୍ତି ମାର୍ଗ ସୁଧା ସିନ୍ଧୁ ପ୍ରେମ ରସ ।

ଚାଳିଶ ସହସ୍ର ଶ୍ଳୋକ ପର୍ବ ଅଷ୍ଟାଦଶ । ୨

ଆଦ୍ୟ ମଧ୍ୟ ସଭାପର୍ବ ଅରଣ୍ୟ ବିରାଟ ।

ଉଦ୍‌ଯୋଗ ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ଶ୍ରେଷ୍ଠ । ୩

ଗଦାପର୍ବ କାଇଁଶିକା ପର୍ବ ଗର୍ଭୁଜାତ ।

ଶାନ୍ତିପର୍ବ ସ୍ତ୍ରୀ ପର୍ବ ଶିଶୁପର୍ବ ଖ୍ୟାତ । ୪

ଅଶ୍ଵମେଧ ସ୍ଵର୍ଗ ଆରୋହଣ ହରିବଂଶ ।

ବୋଲେ ଜଗନ୍ନାଥ ଅଷ୍ଟାଦଶ ପର୍ବଶେଷ ।

 

ଏଠାରେ ମଧ୍ୟପର୍ବ ଓ ଗଦାପର୍ବକୁ ଲକ୍ଷ୍ୟ କରି ସାରଳା ଦାସଙ୍କ ମହାଭାରତ ବୋଲି କୁହାଯାଉଛି; ଶ୍ଳୋକ ଅନ୍ୟାନ୍ୟ ଅନୁଷଙ୍ଗ ଆଧାରରେ କବିଙ୍କ ବନ୍ଦନା ବ୍ୟାସଙ୍କ ମହାଭାରତ ପ୍ରତି ଅଭିପ୍ରେତ ବୋଲି ମଧ୍ୟ କୁହାଯାଇ ପାରିବ ।

 

ଓଡିଆ ସାହିତ୍ୟର ସମାଲୋଚକମାନେ ଅର୍ଜୁନ ଦାସଙ୍କୁ ଓଡ଼ିଆ ସାହିତ୍ୟର ଆଦ୍ୟ କାବ୍ୟକାର ଓ ତାଙ୍କ ରଚିତ ‘ରାମବିଭା’କୁ ପୁରାଣ ଏବଂ କାବ୍ୟ ଗଠନ ପଦ୍ଧତିର ସମନ୍ଵୟାତ୍ମକ ପ୍ରଥମ ଓଡ଼ିଆ କାବ୍ୟ କହିଥାନ୍ତି । ଏହାକୁ ଷୋଡ଼ଶ ଶତାବ୍ଦୀର ସୃଷ୍ଟିରୂପେ ଗ୍ରହଣ କରାଯାଇଛି । ଅର୍ଜୁନ ଓ ଜଗନ୍ନାଥ ପାଣିଙ୍କ ମଧ୍ୟରେ କାଳଗତ ବ୍ୟବଧାନ ପାଖାପାଖି ତିନିଶହ ପଚାଶ ବର୍ଷରୁ ଉର୍ଦ୍ଧ୍ୱ-। ଓଡ଼ିଆ କାବ୍ୟ ପରମ୍ପରାକୁ ପାଣ୍ଡିତ୍ୟର ଅହଂକାରରେ ଉପେନ୍ଦ୍ରଭଞ୍ଜ ସମ୍ପୃଦ୍ଧ କରିଥିବା ସର୍ବଜ୍ଞାତ ପ୍ରସଙ୍ଗ । ଏପରିକି ରାଧା-କୃଷ୍ଣଙ୍କ ପ୍ରସଙ୍ଗକୁ ମଧୁର କାବ୍ୟାୟନ କରିବାକୁ ଯାଇ ଅଭିମନ୍ୟୁ ସାମନ୍ତସିଂହାର ବି ଉପେନ୍ଦ୍ର ଆବିଷ୍କୃତ କାବ୍ୟ-ପଦ୍ଧତି-ଫାଶରେ ପଡ଼ିଯାଇଛନ୍ତି । ହୁଏତ ଅଷ୍ଟାଦଶ ଶତାବ୍ଦୀ ବେଳକୁ ଭକ୍ତଚରଣ ଦାସ, (ବୈରାଗୀ ଚରଣ ପଟ୍ଟନାୟକ) ‘ମଥୁରା ମଙ୍ଗଳ’ କାବ୍ୟ ମାଧ୍ୟମରେ ପାଠକମାନ, ମାଧୁର୍ଯ୍ୟ ଓ ପ୍ରସାଦ ଗୁଣ ଚଖାଇବାକୁ ସମର୍ଥ ହୋଇ ପାରିଛନ୍ତି । ଉପେନ୍ଦ୍ର କର୍ଷିତ କ୍ଲିଷ୍ଟ କାବ୍ୟ ପରମ୍ପରାକୁ ଓଡ଼ିଆ କାବ୍ୟ ପରମ୍ପରାରେ ଧରିରଖିଛନ୍ତି ଯଦୁମଣି ମହାପାତ୍ର । ଏସବୁ ଏଇଥିପାଇଁ କହିବାକୁ ପଡ଼ୁଛି ଯେ; ଜଗନ୍ନାଥ ପାଣି ନୂଆ ରୁଚିବୋଧର କାବ୍ୟ ପ୍ରଣୟନ କରିବା ପଛରେ କି ଧରଣର କାବ୍ୟିକ ପୃଷ୍ଠଭୂମି ଥିଲା । ଉପେନ୍ଦ୍ର ଭଞ୍ଜ ଓଡ଼ିଆ ଭାଷାର ଶକ୍ତିକୁ ସଂସ୍କୃତ ଅନୁରୂପ କରିବାକୁ ଯାଇ ପଣ୍ଡିତ କବି ହୋଇପାରିଛନ୍ତି । ହୃଦୟର ନିରୁତା ପ୍ରେମକୁ ଉଦ୍‌ବୋଧନ କରିବା ଉପଯୋଗୀ ଯଥାର୍ଥ ଓଡ଼ିଆ ଭାଷା ଖୋଜି ଭକ୍ତଚରଣ ଦାସ ମାଧୁର୍ଯ୍ୟର କବି ହୋଇ ପାରିଛନ୍ତି । କିନ୍ତୁ ଓଡ଼ିଶାର ସାମାଜିକ ଜୀବନକୁ ବହୁ ଭାବେ ପ୍ରଭାବିତ କରିଥିବା ଓଡ଼ିଆ ପଞ୍ଚୁ ପୁରାଣ (ସାରଳା ଦାସଙ୍କ ମହାଭାରତ, ବଳରାମଙ୍କ ଜଗମୋହନ ରାମାୟଣ, ନାରାୟଣ ଦାସଙ୍କ ଖଣ୍ଡିକିଆ ହରିବଂଶ ଅଥବା ଅଚ୍ୟୁତାନନ୍ଦ ଦାସଙ୍କ ସାତଖଣ୍ଡିଆ ହରିବଂଶ, ଜଗନ୍ନାଥ ଦାସଙ୍କ ଭାଗବତ, ବିପ୍ର ପୀତାମ୍ବର ଦାସଙ୍କ ନୃସିଂହ ପୁରାଣ) ଏବଂ ଲୋକଙ୍କ ଭିତରେ ଗୁରୁପ୍ରାୟ ଭୀତି ଉଦ୍ରେକ କରୁଥିବା କ୍ଲିଷ୍ଟ ଓଡ଼ିଆ କାବ୍ୟକୁ ନିଜ କାବ୍ୟ ରଚନାରେ ସମନ୍ଵୟ କରାଇ ଯେଉଁ ନୂତନ ତଥା ସହଜବୋଧ୍ୟ ଏବଂ ଲୀଳା ଅଭିପ୍ରେତ କାବ୍ୟ ରଚନା କରିଛନ୍ତି ଜଗନ୍ନାଥ ପାଣି ତାହା ପାଠକମାନଙ୍କ ପକ୍ଷେ ସଖୀପ୍ରାୟ ସ୍ମରଣୀୟ ହୋଇଛି । ତାଙ୍କର ଛପାବହି ନ ଥିଲେ ବି ସେ ସ୍ମୃତିରେ ବଞ୍ଚିଛନ୍ତି, ଲୋକମାନଙ୍କ ଦ୍ଵାରା ମନେ ରହିଛନ୍ତି । ଯଥାର୍ଥତଃ ସେ ଲୋକ କବି ।

 

ପୁରାଣ ପରମ୍ପରା ଓ କାବ୍ୟ ପରମ୍ପରାର ସମନ୍ଵୟ ସେ ଯେଭଳି କରିଛନ୍ତି ତାହା ଦେଖିବା ଆୟାସ ସାପେକ୍ଷ କାର୍ଯ୍ୟ ନୁହେଁ । ତେବେ ତହିଁରୁ ଅଳ୍ପ କେତୋଟି କଥା ଦୃଷ୍ଟାନ୍ତ ଭିତ୍ତିରେ ଦର୍ଶାଇ ଦିଆଯାଉଛି । ପୁରାଣ ରଚନାର ବୈଶିଷ୍ଟ୍ୟ ‘ସମ୍ବାଦଶୈଳୀ’ । ଜଣେ ପଚାରିବେ, ଆଉ ଜଣେ ଉତ୍ତର ଦେବେ- ଏହାକୁ ସମ୍ବାଦଶୈଳୀ କୁହାଯାଏ । ‘ଉଷାବତୀ ହରଣ’ ଛାନ୍ଦ ଲେଖନ୍ତି ଜଗନ୍ନାଥ (ଦ୍ଵାରିକାଧୀଶ ଶ୍ରୀକୃଷ୍ଣ ଚରଣ ପଙ୍କଜ/ଛାନ୍ଦ ଶେଷେ ସେବେ ବିପ୍ର ଜଗନ୍ନାଥ ଦ୍ୱିଜ-ତେତିଶ ଛାନ୍ଦ) ଓଡ଼ିଆରେ ‘ଛାନ୍ଦ’ ମଧ୍ୟ ‘କାବ୍ୟ' ଅର୍ଥରେ ବ୍ୟବହୃତ; ଯେପରି ‘ଛାନ୍ଦ ଭୂଷଣ’ (ଉପେନ୍ଦ୍ର ଭଞ୍ଜ) । ଏହି କାବ୍ୟରୁ ପୁରାଣ ଢାଞ୍ଚା ବି ଲକ୍ଷ୍ୟ କରିହୁଏ । ଯେପରି-

 

ଅଗସ୍ତି କହନ୍ତି ଶୁଣ ବିଲଙ୍କ ନୃପତି

ବିଚିତ୍ର ଚିତ୍ର ଛବିକି ଧରି ଉଷାବତୀ ।

(ଏକାଦଶ ଛାନ୍ଦ)

 

ପୁରାଣ ଆବୃତ୍ତି ପ୍ରଧାନ, ଗାନଯୋଗ୍ୟ, ଲୋକ ନିବେଦନକ୍ଷମ ରଚନା । ଆଖ୍ୟାନ ବର୍ଣ୍ଣନା ଦୀର୍ଘ ହେବାବେଳେ ଶ୍ରୋତାମାନଙ୍କ କ୍ଳାନ୍ତି ଅପନୋଦନ ପାଇଁ ‘ହରିବୋଲ’ ଓ ‘ହୁଳହୁଳି’ ପକାଇବା ପାଇଁ ଆହ୍ୱାନ ପୁରାଣ ସାହିତ୍ୟର ଅନ୍ୟତମ ଚାତୁରୀ ଏବଂ କାରିଗରି । ଜଗନ୍ନାଥ ପାଣିଙ୍କ ‘ସୀତାବନବାସ’ କାବ୍ୟରୁ ଲକ୍ଷ୍ୟ କରିହୁଏ ଏହି ଶୈଳୀ-

 

ହରିହରି ବୋଲ ହେ ସକଳ ସଭାଜନ

ରାମ ରସାମୃତଗୀତ ପବିତ୍ର ଆଖ୍ୟାନ ।

(ସୀତାବନବାସ-ଏକବିଂଶ ଛାନ୍ଦ)

 

ଲୋକମାନଙ୍କ ମଧ୍ୟରେ ଧର୍ମଭାବ ଜଗାଇବା ଓ ସାମାଜିକ ଶୃଙ୍ଖଳା ଆଣିବା ପୁରାଣ ସାହିତ୍ୟର ଲକ୍ଷ୍ୟ ହୋଇଥିବାରୁ ମନୋରଞ୍ଜନ ନିମିତ୍ତ ତହିଁରେ ହାସ୍ୟ ଉଦ୍ରେକକାରୀ ବର୍ଣ୍ଣନା ଦେଖିବାକୁ ମିଳେ । ଗାଁ ଲୋକଙ୍କ ବୁଝିବା ଭଳି ଭାଷା, ବିଶେଷକରି ଗାଉଁଲି ଲୋକମାନେ ବ୍ୟବହାର ତଥା ଉଚ୍ଚାରଣ କରୁଥିବା ଭାଷାରେ ପୁରାଣ ଲେଖାଯିବା ଏକ ଅଲିଖିତ ପରମ୍ପରା ହୋଇଛି ଓଡ଼ିଆ ପୁରାଣ ସୃଷ୍ଟିରେ । କବିଙ୍କ ‘ମାନଭଞ୍ଜନ’ କାବ୍ୟରେ ରାଧା କୃଷ୍ଣଙ୍କ କୁଞ୍ଜ ଉଦ୍ଦେଶ୍ୟରେ ତିମିରାଭିସାର କରିଛନ୍ତି । ତାଙ୍କ ପଛେ ପଛେ ଚାଲିଛି କୁଟିଳା । ଭେଟ ପଡ଼ିବାରୁ ରାଧା କୁଟିଳାକୁ ଗାଳି ଦେଇଛନ୍ତି । କୁଟିଳା କି ସମ୍ଭାଳେ । ଆରମ୍ଭ କରେ ଗାଳି ଦବା-

 

ମରକଟ ସ୍ତନୀ ସରକଟ ବାଂଝ କରକଟ ତୁଟା କିଏ

ଅଘଟ ଘଟଣ କରୁ ପ୍ରଘଟଣ ନନ୍ଦସୁତ ସଙ୍ଗେ ଥାଏ ଲୋ ।

ପଡ଼ିଶାଙ୍କୁ ରୁଣ୍ଡାଇ, ଡକା ପକାଉ ଟୋକା ଉଣ୍ଡାଇ ।

ଅତି ସତୀ ତୁହି ରାତି ରାତି ଯାଇ ବନେ ଶ୍ୟାମ ସଙ୍ଗେ ବସୁ

ଯମୁନା କୂଳକୁ ଗଲେ ସକାଳକୁ ବେଳକୁ ବୁଡ଼ାଇ ଆସୁ ଲୋ ।

ବଂଶୀ ବାଜିଲା କ୍ଷଣି, ମିଛେ ଯାଉ ଯାଉ ପାଣି ଆଣି ।

ଭଣ୍ଡି ଖାଇ ରାଣ୍ଡୀ ମୋଟକରି ଗଣ୍ଡି ଚଣ୍ଡୀପରି ପହଣ୍ଡିବୁ

ଦଣ୍ଡୁ ଦଣ୍ଡାହାଡ଼ ଖଂଡ଼ି ଖଂଡ଼ିକରି ଭଣ୍ଡି ଭାଙ୍ଗିବି ମରିବୁ ।

ଆଲୋ ଅଣ୍ତିରା ଚଣ୍ଡୀ, ଦଣ୍ଡୁଆସୀ ଝୁରୁଝୁରୁ ମୁଣ୍ଡି ।

(ମାନଭଞ୍ଜନ ସପ୍ତମ ଛାନ୍ଦ)

 

ଓଡ଼ିଆ ସାହିତ୍ୟର ସାରଳା ମହାଭାରତ, ଜଗମୋହନ ରାମାୟଣ ଦାଣ୍ଡୀ ରୀତିରେ ଲେଖା ଯାଇଥିଲେ ହେଁ ପରବର୍ତ୍ତୀ କାଳରେ ସେସବୁକୁ ଚତୁର୍ଦ୍ଦଶାକ୍ଷରୀ ଛନ୍ଦ କରାଯାଇଛି । ଚଉଦ ଅକ୍ଷରୀର ଗାନଯୋଗ୍ୟ ଛନ୍ଦକୁ ‘ମଙ୍ଗଳ’ କୁହାଯାଏ । ଏହି ଛନ୍ଦର ପ୍ରଚୁର ବ୍ୟବହାର କରିଛନ୍ତି କାବ୍ୟକାର ଜଗନ୍ନାଥ ପାଣି । ସେ ନିଜ ଲେଖା ସମ୍ପର୍କରେ ସଚେତନ ଥିଲେ । ‘ଲକ୍ଷ୍ମଣ ଶକ୍ତି ଭେଦ-- ଏକ କାବ୍ୟ ତାହା ତାଙ୍କରି ଭାଷାରେ ସୂଚିତ - ‘ଦ୍ୱିଜବର ଜଗନ୍ନାଥ ପ୍ରବନ୍ଧ ଲେଖଇ’ (ତ୍ରୟୋବିଂଶ ଛାନ୍ଦ-ପୃ. ୨୧୨) କାବ୍ୟ ଅର୍ଥରେ ‘ପ୍ରବନ୍ଧ’ ଶବ୍ଦ ବ୍ୟବହାର ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର’ରୁ ଉପଲବ୍ଧ । ‘ସୀତାବନବାସ’ ରଚନା ସମ୍ପର୍କରେ ତାଙ୍କ ଅଭିବ୍ୟକ୍ତି ଏହିପରି-

 

ବାଲ୍ମୀକି ଜୈମିନୀକୃତ ଭାଷା ରାମାୟଣ

କହେ ଜଗନ୍ନାଥ ପଞ୍ଚତିରିଶ ଛାନ୍ଦେଣ ।

 

ପୁଣି ଯାତ୍ରା ପାଇଁ ‘ମାନଭଞ୍ଜନ’ ଭଳି ମନୋହର କାବ୍ୟ ଲେଖିଥିବା ତାଙ୍କ ସ୍ଵୀକାରୋକ୍ତିରୁ ଉପଲବ୍ଧ ହୁଏ –

 

କୃଷ୍ଣ କାମକେଳି କଳ୍ପଲତା ଶୁଣ ଜନେ

ବ୍ରଜ ମନୋହର କାବ୍ୟ ଯାତ୍ରାର ବିଧାନେ ।

(ପ୍ରଥମ ଛାନ୍ଦ)

 

ଜଗନ୍ନାଥ ପାଣି ପୁରାଣ ଓ କାବ୍ୟର ସମନ୍ଵରେ ଯାତ୍ରା ଉଦ୍ଦିଷ୍ଟ ଭିନ୍ନରୁଚିର ଓଡ଼ିଆ କାବ୍ୟ ଲେଖି ଯାଇଛନ୍ତି; ଯାହା ଭିତ୍ତିରେ ପୂର୍ବ ପ୍ରଚଳିତ ଓଡ଼ିଆ ସାହିତ୍ୟର ଇତିହାସରେ ଲିଖିତ ‘ଅନ୍ଧାରିଯୁଗ’ ମତକୁ ଅକ୍ଲେଶରେ ଖଣ୍ଡନ କରିହେବ ।

 

ସଂସ୍କୃତ ଭାଷାରେ ଲିଖିତ ମହାଭାରତ, ରାମାୟଣ, ଶିବତାଣ୍ଡବ ସ୍ତବ, ଗୀତଗୋବିନ୍ଦ, ଓଡ଼ିଆ ପୁରାଣ ଓ କାବ୍ୟମାନଙ୍କର ପ୍ରଭାବ ତାଙ୍କ ସାହିତ୍ୟକୃତିମାନଙ୍କରୁ ଉପଲବ୍ଧହୁଏ । କେତୋଟିର ତୁଳନାତ୍ମକ ଦୃଷ୍ଟାନ୍ତ ନିମ୍ନରେ ଉଲ୍ଲେଖ କରାଯାଉଛି ।

 

(କ)

 

ଝଂ ଝଂ ଝଂ ଝଂ ଝମକ ଝଙ୍କାର ତାଣ୍ଡବର

 

 

ଘଂ ଘଂ ଘଂ ଘଂ ଘଣ୍ଟାରବ ବାଜେ ଘର୍ଘରୀର ।

(ରୁକ୍ମିଣୀ ପରିଣୟ-ଚତୁର୍ଥଛାନ୍ଦ)

ତୁଳନୀୟ

-

ଡମତ୍‌ଡମ ଡମତ୍‌ଡମ ଡମନ୍ନିନାଦ ବଡ଼୍‌ଡମର୍ବ୍ୟୟମ

 

 

ଚକାର ଚଣ୍ଡ ତାଣ୍ଡବଃ ତନୋତୁନଃ ଶିବଃ ଶିବମ୍‌ ।

(ଶିବତାଣ୍ଡବ ସ୍ତବ)

(ଖ)

 

ଲଳିତ ଲବଙ୍ଗଲତା କଳିତ କୁସୁମେ

 

 

ମନୋହର କୁଞ୍ଜକୁଟୀ ପିକ କୁହୁ ସ୍ଵନେ ।

(ମାନଭଞ୍ଜନ-ଷଡବିଂଶ ଛାନ୍ଦ)

ତୁଳନୀୟ

-

ଲଳିତ ଲବଙ୍ଗଲତା ପରିଶୀଳନ କୋମଳ ମଳୟ ସମୀରେ,

 

 

ମଧୁକର ନିକର କରମ୍ବିତ କୋକିଳ କୂଜିତ କୁଞ୍ଜ କୁଟୀରେ ।

(ଗୀତଗୋବିନ୍ଦ-ପ୍ରଥମସର୍ଗଃ)

(ଗ)

 

ପାନଖଣ୍ଡେ କଳତୁଣ୍ଡେ ବହିପଡ଼େ ବୋଳ

 

 

ଖଣ୍ଡେ ଚାଲେ ଦଣ୍ଡେ ଚାହେଁ, ଉଣ୍ଡି କରେ ଗୋଳ ।

 

 

ବାଙ୍କ ନାକଶିରା ଟେକି ମୁହଁକୁ ହଲାଇ

 

 

ବସିଣ ହଲାଇ କହେ ବଚନ ଗେହ୍ଲାଇ ।

(ସୀତାବନବାସ ଚତୁର୍ଥ ଛାନ୍ଦ)

ତୁଳନୀୟ

-

ପାନକଳ ପୂରି ତୁଣ୍ଡେ, ଫୁଟି ଦିଶୁଅଛି ଗଣ୍ଡେ ।

(ଲାବଣ୍ୟବତୀ)

 

 

କଣିଆଇଁ ଚାହୁଁଥିବ ନାସିକା ଫୁଲାଇ

 

 

କହୁଥିବ ବକ୍ରବାଣୀ ଅଳପ ଗେଲାଇ ।

(ରସକଲ୍ଲୋଳ)

(ଘ)

 

ଧୀର ଚକ୍ର ହୃଦ ପଦ୍ମ ମିହିରରୁ

 

 

ବସନ୍ତକୁ କଲେ ଜନ୍ମ ।

(ଉଷାବତୀ ହରଣ - ସପ୍ତମ ଛାନ୍ଦ)

ତୁଳନୀୟ

-

ଧୀରଚକ୍ର ହୃଦ ପଦ୍ମ ମିହିର ।

ରସିକ ରସ ରତନ ଭଣ୍ଡାର ।

 

 

(ବିଦଗ୍ଧ ଚିନ୍ତାମଣି- ଅଣଚାଳିଶ ଛାନ୍ଦ)

(ଙ)

 

ବାହେ ବାଜୁବନ୍ଧ ତାର ରତନ ଘୁଙ୍ଗୁର

 

 

ବଜାଇ ହେଜାଇ ଦିଏ କକ୍ଷ ବକ୍ଷ ତା’ର ।

 

 

ଝମକ ଝୁଣ୍ଟିଆ ବାଜେ ଲାଜେ ରହ ରହ ।

 

 

ଢାଙ୍କିଲୁଣି ଚର୍ମଯାକ ନ ଦିଶିବ ଦେହ ।

(ଭୂତକେଳି-ଏକାଦଶ ଛାନ୍ଦ)

ତୁଳନୀୟ

-

ଚରଣ ଅରୁଣ ରାଜେ

 

 

କନକ ନୂପୁର ସାଜେ

 

 

କଟି-କିଙ୍କିଣୀ-ଘଣ୍ଟି ଠଣରଣ କଙ୍କଣ ଝଙ୍କବାଜେ ।

(ରହସ୍ୟ ମଞ୍ଜରୀ-ନବମଛାନ୍ଦ,ଦେବଦୁର୍ଲ୍ଲଭ ଦାସ)

(ଚ)

 

ଯୁବାକାଳେ ପତିନାହିଁ ଯାର ଧିକ ଜଗତେ ଜନମ ତାର

 

 

ଧିକ ଧିକ ନବ ଯୌବନ ବିଭବ ବୋଲେ ଜଗନ୍ନାଥ କବିବର । ହେ ଦଇବ ।

 

 

(ଉଷାବତୀ ହରଣ-ଅଷ୍ଟବିଂଶ ଛାନ୍ଦ)

ତୁଳନୀୟ

-

ଯେବେ ଏ ଯୁବା ବୟସେ ମନର ଯୁବତୀ ପାଶେ

 

 

ନାହିଁ ତାରେ ଜିଇବାରେ କି ପ୍ରୟୋଜନ

 

 

ମାରଦଣ୍ଡ ପରାହୋଇ ତ୍ରିଭୁବନେ କଷ୍ଟ ନାହିଁ

 

 

ଏକାକରି ତହୁଁ ବଞ୍ଚିବାରେ ଜୀବନ ।

 

 

(ଭାବବତୀ- ଉପେନ୍ଦ୍ର ଭଞ୍ଜ)

 

ଜଗନ୍ନାଥ ପାଣିଙ୍କ କାବ୍ୟାବଳୀରେ ପୂର୍ବବର୍ତ୍ତୀ ଓଡ଼ିଆ ପୁରାଣ କାବ୍ୟମାନଙ୍କର ପ୍ରଭାବ ପ୍ରାଚୁର୍ଯ୍ୟ ଲକ୍ଷ୍ୟ କରିହୁଏ । ଏଥିପାଇଁ ଜଗନ୍ନାଥ ପାଣିଙ୍କ ପ୍ରତିଭାକୁ ନ୍ୟୁନ ବିଚାରିବା ସଙ୍ଗତ ନୁହେଁ । କଥାଟାକୁ ଓଡ଼ିଆ ସାହିତ୍ୟର ଇତିହାସ ଧାରା ଏବଂ ସମାଜର ଜନଜୀବନ ସହିତ ତହିଁର ସମ୍ପୃକ୍ତି ଦୃଷ୍ଟିରୁ ବିଚାର କରାଯାଉ । ଅନେକେ ଭାବନ୍ତି ଭାଷାର ସୌନ୍ଦର୍ଯ୍ୟ ଫସଲ ସାହିତ୍ୟ । ତାହା ବ୍ୟକ୍ତିର ଦୃଷ୍ଟି ଓ ଚିତ୍ତ ହାରକ । ସାମାଜିକଙ୍କ ମନୋରଞ୍ଜନ ଉଦ୍ଦିଷ୍ଟ ଅକ୍ଷର-କଳା-କୀର୍ତ୍ତ । ହେଲେ ଭାଷାର ନିତ୍ୟ-ନୈମତ୍ତିକ ଆବଶ୍ୟକତା ସାହିତ୍ୟରେ ନାହିଁ । ସାହିତ୍ୟଦେଇ ଭାଷାକୁ ବିକଶିତ କରିହୁଏ । କିନ୍ତୁ ଭାଷାର ଲୋକ ବ୍ୟବହାର ଓ ପ୍ରକାଶରେ ରହିଥିବା ସ୍ଵାଭାବିକତା ସାହିତ୍ୟ-ପିଞ୍ଜରାରେ ଆବଦ୍ଧ ହେଲାପରେ ଶବ୍ଦ-ପକ୍ଷୀ ଅସହାୟ ହୁଏ । ସେଭଳି ପୋଷା-ଶବ୍ଦର ଅର୍ଥ କାଳକ୍ରମେ ପାଠକପକ୍ଷେ ଶୁଆ-ଘୋଷା ଏକକ କୃତ୍ରିମତାରେ ପରିଣତ ହୁଏ । ବୋଧହୁଏ ଏଇଥି ପାଇଁ କବୀର କହିଥିଲେ ସଂସ୍କୃତ ଭାଷା ହେଉଛି କୂପଜଳ କିନ୍ତୁ ତାଙ୍କ ଭାଷା ହେଉଛି କୁଳୁ କୁଳୁକରି ବହିଯାଉଥିବା ନଦୀର ଜଳ । ନଦୀର ଜଳକୁ ଯେଉଁଠି ବାଡ଼ପକଲେ ଅଟକେଇ ଦିଆଯାଏ, ତାହା ପର୍ଯ୍ୟୁଷିତ ହେଲାଭଳି ସାହିତ୍ୟର ଭାଷା ଲୋକ ବ୍ୟବହୃତ ଭାଷାଠାରୁ ଦୂରେଇଯାଇ ସଂସ୍କୃତ ମୁହା ହେଲେ କ’ଣ ହୁଏ ତାହା ଓଡ଼ିଆଙ୍କର ଅଙ୍ଗେ ନିଭା କଥା । ସାରଳା ଦାସଙ୍କ ସାହିତ୍ୟର ଭାଷା ଯେଉଁ ପାଇଁ ଲଢ଼େଇ କରି ମୁଣ୍ଡ ଟେକି ପାରିଥିଲା ସେ ଓଡ଼ିଆ ଭାଷାରେ ସାହିତ୍ୟ- ବିକାଶ ଘଟିଲା କେଉଁଠି ? ବରଂ ‘ତାର’ ଦେଖି ଆମର ଡେଇଁଲା ଡାହାଣ ଆଖି ନ୍ୟାୟରେ କେତେଜଣ ଓଡ଼ିଆ ଭାଷାକୁ ସଂସ୍କୃତମୁଖୀ କରିବାକୁ ଉଦ୍ୟମ କଲେ । ଏଭଳି ହେବାର ଅନ୍ତରାଳରେ ଯେଉଁ ସମାଜ-ସାଂସ୍କୃତିକ ରାଜନୀତି ରହିଛି ତାହା ଆଲୋଚନା କରାଯିବାର ଅବକାଶ ଏଠି ନାହିଁ । କେବଳ ଗୋଟିଏ ବାକ୍ୟରେ କୁହାଯାଇପାରେ ଭାଷା ଦେଇ ମୁଣ୍ଡ ଟେକିଥିବା ଓଡ଼ିଆ ଭାଷାର ସ୍ଵାତନ୍ତ୍ରୀ ଓ ଓଡ଼ିଆର ସ୍ଵାଭିମାନୀ ଅସ୍ତିତ୍ୱ ସଂସ୍କୃତ ଭାଷାର ପଦାଙ୍କ ଅନୁସରଣରେ ବିପର୍ଯ୍ୟସ୍ତ ଏବଂ କ୍ଷତିଗ୍ରସ୍ତତାକୁ ସାମ୍ନା କରିଛି । ପ୍ରବଳ ବେଗରେ ବହୁଥିବା ଗୃହଶତ୍ରୁଙ୍କ ଅଭିଧାନ-ଲୋଡ଼ା-ସାହିତ୍ୟପବନ ଓଡ଼ିଆ ଭାଷାକୁ କୋଉ କଣରେ ପକେଇ ଦେଇଛି । କେହି କେହି ତାକୁ ସାଉଁଟି ଧରି ବ୍ୟକ୍ତିକୁ ଦୁର୍ବୋଧ୍ୟ-ଶବ୍ଦ କରକା ବୃଷ୍ଟି କାରୀ ସାହିତ୍ୟ ବାତ୍ୟାରୁ ଓଡ଼ିଆ ଭାଷା-ସାହିତ୍ୟକୁ ଆପଟେଇ ରଖିବାକୁ ଚେଷ୍ଟା କରିଛନ୍ତି । ଭାଗବତ ପ୍ରଣେତା ଜଗନ୍ନାଥ ଦାସ, ରସକଲ୍ଲୋଳାକାର ଦୀନକୃଷ୍ଣ ଦାସ, ଜଗତେ କେବଳ ଜନେ ହସିବେର କବି ବଳଦେବ ରଥ ପ୍ରଭୃତିଙ୍କ ଧାରାରେ ଓଡ଼ିଆ ଲୋକ ଭାଷା ଦେଇ ସୁବୋଧ୍ୟ କାବ୍ୟ ପ୍ରଣୟନ କରିବା ପାଇଁ ସତେଯେପରି ଶପଥ ନେଇଥିଲେ ଜଗନ୍ନାଥ ପାଣି । ପୁଣି ଥରେ ପୁନରାବୃତ୍ତି କରୁଛି-କବି ପାଣିଙ୍କ ସାହିତ୍ୟକୃତି ଆଧାରରେ ଓଡ଼ିଆ ସାହିତ୍ୟର ଇତିହାସ ଧାରା ଆଉଥରେ ନିର୍ଣ୍ଣୟ ହେବା ଲୋଡ଼ା । ଲୋକେ ବୁଝିବା ଭଳି ଭାଷାରେ କାବ୍ୟ ଲେଖ କବି ପାଣି ଲୋକମାନଙ୍କ ଭିତରେ ମନେ ରହିଥିଲେ, ରହିଛନ୍ତି ଓ ରହିବେ ମଧ୍ୟ । ତାଙ୍କ କାବ୍ୟାବଳୀରୁ ପୂର୍ବବର୍ତ୍ତୀ ପୁରାଣକାର ଓ କାବ୍ୟକାରମାନଙ୍କର ପ୍ରଭାବ ଦେଖିବା ହୀନ କଥା ନୁହେଁ, ବରଂ ଗୌରବର କଥା । ଯେଉଁ ସୃଷ୍ଟିର ପିତା-ମାତାଙ୍କୁ ଜାଣିହୁଏ ନାହିଁ ସମାଜ ତାକୁ କି ଦୃଷ୍ଟିରେ ଗ୍ରହଣ କରେ ତାହା ଭାବନୀୟ । ପ୍ରାଚ୍ୟ ଆଳଂକାରିକ, ଧ୍ୱନ୍ୟାଲୋକ ପ୍ରଣେତା ଆନନ୍ଦବର୍ଦ୍ଧନ ଲେଖିଛନ୍ତି ‘ସମ୍ବାଦୋ ହ୍ୟନ୍ୟ ସାଦୃଶ୍ୟଂ’ ଅର୍ଥାତ୍‌ ଗୋଟିଏ ଲେଖା ସହିତ ଆଉ ଗୋଟିକର ସାଦୃଶ୍ୟ ହେଉଛି ‘ସମ୍ବାଦ’ । ଏହା ତିନି ପ୍ରକାର ହୁଏ ପ୍ରତିବିମ୍ବବତ୍‌, ଆଲେଖ୍ୟାକାରବତ୍‌, ତୁଲ୍ୟଦେହି । ତୁଲ୍ୟ ଦେହି ହେଉଛି ସମାନ ଦେହ ଭଳି ଅର୍ଥାତ୍‌ ଦୁଇଟି ଲୋକ ସମାନ ଦେଖାଯାଇ ପାରନ୍ତି, କିନ୍ତୁ ସେମାନଙ୍କ ମଧ୍ୟରେ ସ୍ଵାତନ୍ତ୍ର୍ୟ ଚିହ୍ନିହୁଏ । ସେଥିପାଇଁ ଆନନ୍ଦବର୍ଦ୍ଧନ ଲେଖିଛନ୍ତି- ‘ନହି ଶରୀରୀ ଶରୀରିଣାଽନ୍ୟେ ସଦୃଶୋଽପ୍ୟେକ ଏବେତି ଶକ୍ୟତେ ବକ୍ତୁମ୍‌ । (ଧ୍ୱନ୍ୟାଲୋକ-୪/୧୨୨) ଅର୍ଥାତ୍‌ ଗୋଟିଏ ଶରୀର ଅନ୍ୟ ଏକ ଶରୀର ସହିତ ଯେତେ ସମାନ ପରି ଦେଖାଯାଉଥିଲେ ମଧ୍ୟ ସେ ଦୁହେଁ ଏକ ବୋଲି କେହି କହିପାରିବ ନାହିଁ । ଏହି ଦୃଷ୍ଟିରୁ ଦେଖିଲେ ଜଗନ୍ନାଥ ପାଣିଙ୍କ କୃତି ରାଜିରୁ ପୂର୍ବବର୍ତ୍ତୀମାନଙ୍କ କୃତିର ଛାପ ଦେଖି ହେଉଥିଲେ ହେଁ ଜଗନ୍ନାଥ ପାଣି-ଜଗନ୍ନାଥ ପାଣି ରୂପେ ଅନ୍ୟମାନଙ୍କଠାରୁ ବାରି ହୋଇ ପଡ଼ୁଛନ୍ତି । ଲୋକଭାଷାରେ ଲୋକମାନଙ୍କୁ କଠିନ ଭାଷାର ସାହିତ୍ୟ ଓ ଦୁର୍ବୋଧ୍ୟ ତଥା ଜଟିଳ ତତ୍ତ୍ଵାଶ୍ରୟୀ ପୁରାଣ-ଆଖ୍ୟାନ ବୁଝାଇ ଦେବାପାଇଁ କବି ଯେଉଁ ନିଷ୍ଠା ଦେଖାଇଛନ୍ତି ତାଙ୍କ କାବ୍ୟକୃତି ଗୁଡ଼ିକରେ ତାହା ତାଙ୍କୁ ଓ ତାଙ୍କ ବାଙ୍‌ମୟ କୃତିଗୁଡ଼ିକୁ ମନେରଖିବାର ଏକମାତ୍ର କାରଣ ବୋଲି ବିଶ୍ଵାସ କରାଯାଇପାରେ ।

 

 

ବି/୪୯, ସେକ୍ଟର-୮, ସିଡ଼ିଏ,

ମର୍କତ ନଗର, କଟକ- ୧୪

 

***

 

ଜଗନ୍ନାଥ ପାଣିଙ୍କ ଛାନ୍ଦନାଟ୍ୟରେ ନାରୀ

ଉପେନ୍ଦ୍ର ପ୍ରସାଦ ନାୟକ

 

କେବଳ ଆଜି ନୁହେଁ, ସୃଷ୍ଟିର ଆରମ୍ଭ କାଳରୁ ଏପରିକି ପୁରାଣ ଇତିହାସ ଠାରୁ ଆରମ୍ଭକରି ସାମ୍ପ୍ରତିକ ସମାଜ ଜୀବନ ପର୍ଯ୍ୟନ୍ତ ସବୁଠି ନାରୀର ଭୂମିକା ଅତ୍ୟନ୍ତ ରହସ୍ୟମୟ ଚରିତ୍ରରେ ପରିଗଣିତ ହୋଇଆସିଛି । କେତେବେଳେ ନାରୀ ପ୍ରଳୟଙ୍କାରୀ, ଭୟଙ୍କରୀ, କରାଳମୟୀ ତ ପୁଣି କେତେବେଳେ ମାୟାମୟୀ, ଛଳନାମୟୀ ଓ ରହସ୍ୟମୟୀ । ନାରୀ କେତେବେଳେ ସ୍ନେହମୟୀ, ମମତାମୟୀ ବା କରୁଣାମୟୀ ରୂପରେ ସ୍ନେହ, ପ୍ରେମ ଓ କରୁଣାର ଅଫୁରନ୍ତ ନିର୍ଝର ବୁହାଇ ପାରେ ତ ପୁଣି କେତେବେଳେ ସୃଷ୍ଟି ସଂହାରିଣୀ ଚଣ୍ଡୀ ରୂପରେ ତା’ର ଲେଲିହାନ ଜିହ୍ଵା ବିସ୍ତାରକରେ । ନାରୀ କେତେବେଳେ ଶୁଭଙ୍କରୀ ଓ ଶାନ୍ତିର ପ୍ରତୀକ ତ ପୁଣି କେତେବେଳେ ରାକ୍ଷସୀ ଓ ବିଭତ୍ସ ପ୍ରତିଛବିର ଜୀବନ୍ତ ପ୍ରତିବିମ୍ବ । କେତେବେଳେ ନାରୀ ହାସ୍ୟମୟୀ, ଲାସ୍ୟମୟୀ ଓ ଶାନ୍ତିମୟୀ ରୂପରେ ଜଗତକୁ ଦିଏ ଅନାବିଳ ଅମୃତର ଧାରା ଓ ପୁଣି କେତେବେଳେ ସକଳ ବିଭ୍ରାଟକାରିଣୀ, ହିଂସ୍ର ଖଳନାୟିକା ଭାବେ ଛନ୍ଦିଦିଏ ଅଜସ୍ର ମାୟାତାନ୍ତ୍ରିକ ଜାଲ ।

 

ଜନନୀ, ଜାୟା ଓ ଭଗିନୀରୂପରେ ନାରୀ ବୁହାଇଦିଏ ଅବିରତ ସ୍ନେହ ପ୍ରେମର ଉତ୍ସ, ପୁଣି କେବେ ସେ ସର୍ବନାଶୀ, ସର୍ବଗ୍ରାସୀ ରୂପରେ ଏ ଧରିତ୍ରୀର ନିତ୍ୟ ସହଜମୟଧାରାକୁ କରିଦିଏ ଖଣ୍ଡ ବିଖଣ୍ଡିତ । ନାରୀ ସର୍ବଂସହା ପୁଣି କେବେ ସକଳ କ୍ଷୟକାରିଣୀ । ନାରୀର ଚିତ୍ର ଚରିତ୍ର ଯେପରି ରହସ୍ୟମୟ, ତାହାକୁ ଯଥାରୀତିରେ ଅନୁଧ୍ୟାନ କରିବା ମଧ୍ୟ କଷ୍ଟସାପେକ୍ଷ ।

 

ସୃଷ୍ଟି ଆରମ୍ଭରୁ ଏଯାବତ୍‌ ଯେତେସବୁ ପୁରାଣକାର, ସାହିତ୍ୟକାର ବା କାବ୍ୟକାର ନାରୀ ଚରିତ୍ର ଚିତ୍ରଣ କରିଛନ୍ତି, ସବୁଠି ସେହି ବୈଚିତ୍ର୍ୟର ବୈଜୟନ୍ତୀ ହିଁ ଉଡ଼ିଛି । କେଉଁଠି ସହଜ, ସରଳ ଚିତ୍ରଧାରାର କମନୀୟ ଛବି ଭିତରେ ନାରୀ ଫୁଲର କୋମଳ ପାଖୁଡ଼ାଟିଏ ହୋଇ ଝରିଯାଇଛି ତ ପୁଣି କେତେବେଳେ ବିଷକଳିରୁ ପୁଷ୍ପଫୁଟି ତା’ର ବିଷାକ୍ତ ଗନ୍ଧରେ ସରଳ ଜୀବନଧାରାକୁ କରିଛି କ୍ଷତବିକ୍ଷତ ।

 

ଏ ଜଗତରେ ସୀତା, ସାବିତ୍ରୀ ପରି ନାରୀଙ୍କର ଦୃଷ୍ଟାନ୍ତ ଯେପରି ଆଦର୍ଶର ପରାକାଷ୍ଠା ପ୍ରଦର୍ଶନ କରେ, ଠିକ୍‌ ସେହିପରି ମନ୍ଥରା, କୈକେୟୀ, ସୁରୁଚି ପରି ନାରୀଙ୍କର କୁଟିଳ ଚକ୍ରାନ୍ତ ମଣିଷର ନିତ୍ୟନିୟତ ସହଜ ଜୀବନଧାରାକୁ ବଦଳାଇ ଦିଏ ଓ ଅନନ୍ତ ଯନ୍ତ୍ରଣାର ଜଉଘରେ ବେତ୍ରାଘାତ କରି ଦଗ୍ଧିଭୂତ କରିପକାଏ ।

 

କାହାର ଲେଖନୀରେ ନାରୀ କରୁଣାମୟୀ ରୂପରେ ଚିତ୍ରିତ ତ କାହାର ତୂଳୀରେ ବିଭତ୍ସ, କଦାକାର, ପେତିନୀ, ଡାଙ୍କିଣୀ ବା କରାଳମୟୀ ।

 

ସେହି ପରିପ୍ରେକ୍ଷୀରେ ଉନବିଂଶ ଶତାବ୍ଦୀର ଲୋକକବି ଓଡ଼ିଶାର ଅନ୍ୟତମ ଆଦିଗୀତିନାଟ୍ୟକାର ଜଗନ୍ନାଥ ପାଣିଙ୍କ ଛାନ୍ଦନାଟ୍ୟରେ ନାରୀ ଭିନ୍ନ ଭିନ୍ନ ପରିବେଶରେ ବା ଭିନ୍ନ ଭିନ୍ନ ସ୍ଥଳବିଶେଷରେ ଭିନ୍ନ ଭିନ୍ନ ରୂପରେ ପ୍ରତିଭାତ ହୁଅନ୍ତି ।

 

ଜଗନ୍ନାଥ ପାଣିଙ୍କର ସମଗ୍ର ସୃଷ୍ଟିସମ୍ଭାର ସାଧାରଣତଃ ପୁରାଣ ଆଧାରିତ । ତେଣୁ ପୌରାଣିକ ପରିବେଶରେ ଯଦିଓ ନାରୀର ରୂପ, ଚରିତ୍ର ଓ ସ୍ଵଭାବ ପରିବର୍ତ୍ତନ କରିବା ତାଙ୍କପକ୍ଷେ ସମ୍ପୂର୍ଣ୍ଣ ଅସମ୍ଭବ, ତଥାପି ସେ ସେହି ପରିବେଶରେ ବି ନାରୀକୁ ସ୍ଵତନ୍ତ୍ର ପରିପାଟୀରେ ଗଢ଼ି ସ୍ଵକୀୟ ମୌଳିକତାର ପରିଚୟ ଦେବାକୁ ଉଦ୍ୟମକରି ସଫଳ ହୋଇପାରିଛନ୍ତି । ତାଙ୍କ ଛାନ୍ଦନାଟ୍ୟ ପରିସର ମଧ୍ୟକୁ ସୀତା, ମନ୍ଦୋଦରୀ, କୁନ୍ତୀ, ଦ୍ରୌପଦୀ, ରାଧା, ରୁକ୍କିଣୀ, ସୁଭଦ୍ରା, ସତ୍ୟଭାମା, ଚିତ୍ରାଙ୍ଗଦା, ଶଚୀ, ବିଦ୍ୟୁଛାୟା ଆଦି ମହତ୍ଵପୂର୍ଣ୍ଣ ତଥା ଗୁରୁତ୍ୱପୂର୍ଣ୍ଣ ଏବଂ ସର୍ବୋପରି ସମାଜରେ ସୁପରିଚିତ । ତଥା ଲୋକପ୍ରିୟ ନାରୀଚରିତ୍ରମାନେ ଯେପରି ପ୍ରବେଶ କରିଛନ୍ତି, ପ୍ରସଙ୍ଗକ୍ରମେ ମନ୍ଥରା, ସୁରୁଚି, ଗଙ୍ଗା ଓ କୁଟିଳା ପରି ଖଳନାୟିକା ଏବଂ ସୁମେଧା, ଚିତ୍ରରେଖା, କାମକଳା, ଚନ୍ଦ୍ରାବଳୀ, ବୃନ୍ଦା, ବିଶାଖା ଓ ସୁରେଖି ପରି ସାଧାରଣ ନାରୀ ଚରିତ୍ରମାନେ ମଧ୍ୟ ଆସିଛନ୍ତି ।

 

ଜଗନ୍ନାଥ ପାଣିଙ୍କ ତୂଳୀରେ ଏହି ପୌରାଣିକ ନାରୀ ଚରିତ୍ରମାନେ ସାର୍ବଜନୀନ ଓ ସ୍ଵାଭାବିକତା ଭିତରେ ସାମୟିକ ଭାବରେ ହୋଇଉଠିଛନ୍ତି ଅତ୍ୟନ୍ତ ଗ୍ରାମୀଣ ବା ମର୍ତ୍ତ୍ୟର ଅତି ସାଧାରଣ ନାରୀ ସଦୃଶା ।

 

ଲୋକକବି ଜଗନ୍ନାଥଙ୍କ ଛାନ୍ଦନାଟ୍ୟରେ ନାରୀ କେତେବେଳେ ଅନାବିଳ ପ୍ରେମର ସମ୍ଭ୍ରମତା ଭିତରେ ଆତଯାତ ତ ପୁଣି କେବେ ଅତ୍ୟନ୍ତ କାମଜର୍ଜରିତା ବା କାମପ୍ରବଣପ୍ରଖରା । ଲଜା ହେଉଛି ନାରୀର ଭୁଷଣ । କିନ୍ତୁ ଜଗନ୍ନାଥ ପାଣିଙ୍କ ଲେଖନୀରେ କେତେକ ଚରିତ୍ର ନାଟକୀୟତାର ପରିସର ମଧ୍ୟରେ ସକଳ ଲାଜଲଜ୍ଜାକୁ ପରିହାର କରି ପୁରୁଷ ନିକଟରେ ମୁକ୍ତଭାବରେ ପ୍ରେମ ନିବେଦନ କରିଛନ୍ତି । ପୁଣି କେତେବେଳେ ନାରୀ ଓହ୍ଲାଇ ଆସିଛି ଖଳନାୟିକାର ଭୂମିକାକୁ । ସରଳ ହୃଦୟ ଫଲ୍‌ଗୁରେ ଢାଳି ଦେଇଛି ଗରଳର ଅବାରିତ ଧାରା ।

 

ସ୍ଵଚ୍ଛ ସଲିଳା ପ୍ରେମର ଧାରା :- ଜଗନ୍ନାଥ ପାଣିଙ୍କ ‘ମାନଭଞ୍ଜନ’, ‘ଭୂତକେଳି’, ‘ମୀରାଚରିତ’ ଆଦି ଲୀଳା ବା ଛାନ୍ଦନାଟ୍ୟରେ ରାଧାକୃଷ୍ଣ ପ୍ରେମ ବା ମୀରା-କାହ୍ନୁ ପ୍ରେମର ଅଫୁରନ୍ତ ପ୍ରବାହ, ପାରମ୍ପରିକ ରୀତିରେ, ସ୍ଵାଭାବିକ ଛନ୍ଦରେ ସ୍ଵଚ୍ଛସଲିଳା ପ୍ରେମର ସ୍ରୋତ ସଦୃଶା ପରମ ପ୍ରେମମୟୀ ଶ୍ରୀରାଧା ଓ ମୀରାଙ୍କ ହୃଦୟ ତଟିନୀରେ ପ୍ରବାହିତ ହୋଇଛି । ସ୍ଵଭାବିକ ଧାରାରେ ପ୍ରକୃତ ପ୍ରେମିକାର ମାନ-ଅଭିମାନ, ହାସ୍ୟବିରାଗ, ସାନିଧ୍ୟ ବା ମିଳନଲିପ୍‌ସା ଯଥାରୀତିରେ ନାରୀ ହୃଦୟରେ ପ୍ରକଟିତ ହୋଇଛି । ବୃଷଭାନୁ ଜେମା ବ୍ରଜେଶ୍ଵରୀ ରାଧା କୃଷ୍ଣପ୍ରେମରେ ବାତୁଳୀ ହୋଇ ଦୂତୀକୁ ଶ୍ରୀକୃଷ୍ଣଙ୍କ ପାଖକୁ ପ୍ରେରଣ କରିଛନ୍ତି । ଦୂତୀ ଯାଇ ଶ୍ରୀକୃଷ୍ଣଙ୍କୁ ସାକ୍ଷାତକରି ଫେରିଛି । ଦୂତୀକୁ ଫେରିବା ଦେଖି ଶ୍ରୀରାଧା ଯେପରି ଉତ୍କଣ୍ଠିତ ହୃଦୟରେ ଜିଜ୍ଞାସା କରିଛନ୍ତି, ତାହା ତାଙ୍କ ସଫଳ ପ୍ରେମ ଓ ନିଷ୍ଠାର ପରିଚୟ ଦେବା ସଙ୍ଗେ ସଙ୍ଗେ ଜଣେ ଶାଶ୍ୱତ ପ୍ରେମିକାର ପ୍ରକୃତ ସ୍ଵରୂପ ପ୍ରତିପାଦିତ ହୋଇପାରିଛି ।

 

ରାଧା ଦୂତୀଙ୍କୁ ପଚାରିଛନ୍ତି: -

‘‘କହରେ ବାନ୍ଧବୀ କେମନ୍ତେ ଗଲୁ

ସେ ନାଗରବରେ କାହିଁ ଭେଟିଲୁ

ସେ ବ୍ରଜକିଶୋର

କହ କି କରୁଥିଲେ ସେ ଚିତ୍ତଚୋର ।

ମୋର କଷ୍ଟଯାକ କୃପାନିଧିଙ୍କି

ଜଣାଇ ମଣାଇ କହିଲୁ ଟିକି

ଶୁଣି କି କହିଲେ ଶ୍ୟାମସୁନ୍ଦର

ମୋହଠାରେ କେତେ ସ୍ନେହ ତାଙ୍କର

କହ କହ ଆଜ

କି ସନମାନ କଲେ ଦେବରାଜ ।

x      x      x

ଆସିବାକୁ କହିଛନ୍ତି ନା ହରି

କହ କହ ଗୋ ବିଳମ୍ବ ନ କରି ।’’

(ମାନଭଞ୍ଜନ, ୪ ର୍ଥ ଛାନ୍ଦ, ଜଗନ୍ନାଥ ପାଣି ଗ୍ରନ୍ଥାବଳୀ, ୧ମ ଖଣ୍ଡ ୧୯୮୩, ପୃ-୮୭, ୮୮)

 

ଏଥିରୁ ପ୍ରେମିକାର ପ୍ରେମିକ ସହ ମିଳିତ ହେବାର ଆବେଗ, ଭଲମନ୍ଦ ଜାଣିବାର ଉତ୍କଣ୍ଠା, ଜଣେ ପ୍ରକୃତ ଦରଦୀ ପ୍ରେମିକାର ପରିଚୟ ପ୍ରଦାନ କରେ ।

 

ଶ୍ରୀରାଧାଙ୍କ ପରି ଚନ୍ଦ୍ରାବଳୀ ଆଉ ଜଣେ ଗୋପାଙ୍ଗନା । ସୁହଟ ନାଗର ଶ୍ରୀକୃଷ୍ଣ ଶ୍ରୀରାଧାଙ୍କ ନିକଟକୁ ଆସିବା ବାଟରେ ରାଧାକୁଞ୍ଜ ବୋଲି ଚନ୍ଦ୍ରାବଳୀ ପୁରରେ ପହଞ୍ଚିଛନ୍ତି । କୃଷ୍ଣପ୍ରେମରେ ମୋହଗ୍ରସ୍ତା ଚନ୍ଦ୍ରାବଳୀ ଶ୍ରୀକୃଷ୍ଣଙ୍କୁ ପାଇ ଅତ୍ୟନ୍ତ ଆଦରଯତ୍ନ ମଧ୍ୟରେ ଗଭୀର ଆବେଗର ସହିତ ପ୍ରେମ ଫାଶରେ ବନ୍ଦୀକରି ରଖିଛି । ନାରୀର ପୁରୁଷ ସହିତ ସାନିଧ୍ୟ ଏଠାରେ ଅତ୍ୟନ୍ତ ବଳବତ୍ତର ହୋଇଉଠିଛି । ଶ୍ରୀକୃଷ୍ଣ ଚନ୍ଦ୍ରାବଳୀପୁର ଛାଡ଼ି ରାଧାକୁଞ୍ଜକୁ ଆସିବାକୁ ଚଞ୍ଚଳମନା ହୁଅନ୍ତେ, ଚନ୍ଦ୍ରାବଳୀ, ଅତ୍ୟନ୍ତ ଅନାବିଳ ହୃଦୟରେ ପ୍ରେମଭିକ୍ଷା କରିଛି, ଯାହାକି ନାରୀର ସ୍ଵଚ୍ଛ ସଲିଳା ପ୍ରେମର ଫଲ୍‌ଗୁ ପ୍ରବାହିତ ହେବାର ଦୃଷ୍ଟାନ୍ତ ଦିଏ । କବିଙ୍କ ଭାଷାରେ-

 

‘‘ରାଧା ତୁମ୍ଭ ରାଣୀ ବ୍ରଜେ ଆମ୍ଭେ ତୁମ୍ଭ ଦାସୀ

ଅନୁଗ୍ରହ କରି ଆଜ ହୁଅ ପରବାସୀ ।

କମଳା ତୁମ୍ଭରି ନିତ୍ୟ ପ୍ରିୟ ବିଳାସିନୀ

ରାତ୍ରକ ମଧ୍ୟରେ ସେ କି ହେବ ବିଯୋଗିନୀ। ।

ଦାସୀ ମନ ରଖ ପ୍ରଭୁ ଆରତ ନାଶନ

ଆଜରାତ୍ର ଏହି କୁଞ୍ଜେ କରନ୍ତୁ ଶୟନ ।

ଦାସୀ ଯୋଗ୍ୟ ନାହିଁ ଆଉ ପ୍ରଭୁ ଆସିବାର

କି ଭାଗ୍ୟରେ ପାଦରଜ ପଡ଼ିଲା ତୁମ୍ଭର ।

ଜନ୍ମାନ୍ତରେ ବହୁଦିନୁ ଆଶା ଅଛି କରି

ମୋ ଆଶାକୁ ନ ଭାଞ୍ଜ ହେ ନିକୁଞ୍ଜବିହାରୀ ।

(ମାନଭଞ୍ଜନ, ୧୦ମ ଛାନ୍ଦ, ଜଗନ୍ନାଥ ପାଣି ଗରନ୍ୟାବଳୀ- ୧ମ ଖଣ୍ଡ- ୧୯୮୩, ପୃ-୯୩)

 

ଚନ୍ଦ୍ରାବଳୀର ମିନତୀରେ ଶ୍ରୀକୃଷ୍ଣ ଟଳି ପାରିନାହାନ୍ତି । ଚନ୍ଦରାବଳୀକୁ ପ୍ରେମଦାନକରି ନାରୀର ଆଶା ଓ ତୃଷା ନିବାରଣ କରିବାରେ ସହାୟକ ହୋଇଛନ୍ତି । ନାରୀ ଏଠି ହୋଇଛି କାମ ଜର୍ଜରିତା-କାମନାମୟୀ । କିନ୍ତୁ ଶ୍ରୀରାଧା ଶ୍ରୀକୃଷ୍ଣଙ୍କୁ ପ୍ରତୀକ୍ଷା କରି କରି ଅତିଷ୍ଠ ହୋଇ କୃଷ୍ଣମୁଖ ନଚାହିବାକୁ ଅଭିମାନ କରି ବସିଛନ୍ତି । ଏଥିରୁ ପ୍ରେମିକା ବା ନାରୀର ପ୍ରକୃତ ଅନାବିଳ ପ୍ରେମର ପରାକାଷ୍ଠା ପ୍ରଦର୍ଶିତ ହୋଇଅଛି ।

 

ସେହି ପ୍ରେମର ଧାରା କବିଙ୍କ ରଚିତ ଭୂତକେଳୀ ଛାନ୍ଦନାଟ୍ୟରେ ଅନ୍ୟଭାବରେ ପ୍ରକଟିତ ହୋଇଥିଲେ ହେଁ ସେ ପ୍ରେମ ସ୍ଵଚ୍ଛ ସଲିଳା ଧାରାର ଫଲ୍‌ଗୁ- ରଚନାର ଅନ୍ତଃସ୍ଵରରୁ ସ୍ପଷ୍ଟ ପ୍ରତିପାଦିତ ହୁଏ ।

 

ନାରୀର କାମପ୍ରବଣତା ଓ ପ୍ରେମ ନିବେଦନ:- ଅନ୍ୟପକ୍ଷରେ ଜଗନ୍ନାଥ ପାଣିଙ୍କ ରଚିତ ଛାନ୍ଦନାଟ୍ୟ ‘ହାରାବତୀ ହରଣ, ‘ସୁଭଦ୍ରା ପରିଣୟ’ ଆଦି ଛାନ୍ଦନାଟ୍ୟରେ ହାରାବତୀ ଓ ସୁଭଦ୍ରା ପରି ନାରୀ ଆଦ୍ୟ ଯୌବନରେ ସୁନ୍ଦର ସୁକୁମାର ବୀର ପୁରୁଷର ସଂଦର୍ଶନର ପ୍ରଥମ ଝଲକରେ ତୃତୀୟ ପାଣ୍ଡବ ଅର୍ଜୁନଙ୍କ ସୌନ୍ଦର୍ଯ୍ୟ ଓ ସୌକୁମାର୍ଯ୍ୟରେ ପ୍ରଲୋଭିତ ହୋଇ ପ୍ରେମ ନିବେଦନ କରି ପ୍ରଥମେ ପ୍ରତ୍ୟାକ୍ଷିତ ହୋଇଛନ୍ତି । ତାହା ଜଗନ୍ନାଥ ପାଣିଙ୍କ ତୂଳୀରେ ଅତ୍ୟନ୍ତ ଚମତ୍କାର ଭାବରେ ଅଙ୍କିତ ହୋଇପାରିଛି । ଦୁଇଟି ଯାକ ରଚନାରେ ସମାନ ପ୍ରକାର ଉକ୍ତିପ୍ରତ୍ୟୁକ୍ତିର ସଂଯୋଜନା କରାଯାଇଛି । ସୁଭଦ୍ରା ଅର୍ଜୁନଙ୍କୁ ପ୍ରେମ ନିବେଦନ କରନ୍ତେ ଅର୍ଜୁନ ଉତ୍‌କ୍ଷିପ୍ତ ହୋଇ ସୁଭଦ୍ରା ହିସାବରେ ଭଉଣୀ ହେବ, ଭଉଣୀ ସହିତ ପ୍ରଣୟ ବିଧେୟ ନୁହେଁ ବୋଲି କହନ୍ତେ ସୁଭଦ୍ରା ଯୁକ୍ତିରେ ଅର୍ଜୁନଙ୍କୁ ଖଣ୍ଡନ କରିବାକୁ ଯାଇ କହିଛନ୍ତି:-

 

‘‘ଭଉଣୀ ଭଉଣୀ ମୋତେ କହୁ ପୁଣି ଏ କୃଷ୍ଣ କି କରିନାହିଁ

ଷୋଳସସ୍ର ଗୋପୀ ଘେନି କୁଞ୍ଜବନେ ହରିଲେ ସହୋଦ୍ର ମାଇଁ ସୁନ୍ଦର ହେ ।’’

 

ତାହାର ଉତ୍ତରରେ ଅର୍ଜୁନ କହିଛନ୍ତି :

 

‘‘ପ୍ରଭୁ କଥା ନେଇ ଦାସକୁ କହିଲେ ଏହାକି ତୁଳନା ଯାଇ

ସ୍ତ୍ରୀ ଲୋଭେ ମଲା ମୈଷାସୁର ବୀର ଏହାକି ମୁଁ ଜାଣେ ନାହିଁ ସୁନ୍ଦରୀ ହେ’’

 

ବହୁ ଯୁକ୍ତିତର୍କ, ଉକ୍ତି ପ୍ରତ୍ୟୁକ୍ତି ପରେ ଅର୍ଜୁନ ସୁଭଦ୍ରାଙ୍କ ପ୍ରେମ ଭିକ୍ଷାକୁ ପ୍ରତ୍ୟାଖ୍ୟାନ କଲାପରେ ସୁଭଦ୍ରା ବିବ୍ରତ ହୋଇ ଅର୍ଜୁନଙ୍କୁ ଆକ୍ଷେପକରି କହିଛନ୍ତି-

 

‘‘ଯୁବାନାରୀ ହୋଇ ପୁରୁଷକୁ ଯେବେ ରତିମାଗେ କାମେ ଧର୍ମେ

ସେ ପୁରୁଷ ଯଦି ନିରାଶ କରଇ ନପୁଂସକ ହୋଇ ଜନ୍ମେ ସୁନ୍ଦର ହେ’’

 

କିନ୍ତୁ ଅର୍ଜୁନ ତାଙ୍କ ନିଷ୍ପତ୍ତିରେ ଅଟଳ ରହିଛନ୍ତି । ସେ କହିଛନ୍ତି-

 

‘‘ପୂର୍ବଭାନୁ ଯଦି ପଶ୍ଚିମେ ଭଇଁବ ପର୍ବତେ ପଦ୍ମ ଫୁଟିବ

ବୋଲେ ଜଗନ୍ନାଥ କହୁଅଛି ସତ୍ୟ ତୋ ମୋହ ପ୍ରୀତି ନୋହିବ ସୁନ୍ଦରୀ ହେ’’

(ଏକବିଂଶ ଛାନ୍ଦ, ସୁଭଦ୍ରା ପରିଣୟ, ଜଗନ୍ନାଥ ପାଣି ଗ୍ରନ୍ଥାବଳୀ, ୧ମ ଖଣ୍ଡ- ୧୯୮୩, ପୃ-୨୫୬, ୨୫୭)

 

ଠିକ୍‌ ସେହିପରି ‘ହାରାବତୀ ହରଣ’ରେ କାମ ଜର୍ଜରିତା ହାରାବତୀ ଅର୍ଜୁନଙ୍କ ନିକଟରେ ପ୍ରେମଭିକ୍ଷା କରନ୍ତେ ଅର୍ଜୁନ ତାଙ୍କୁ ଗ୍ରହଣ ନକରିବାକୁ ନିଷ୍ପତ୍ତି ଘେନି ନାନାଦି ଯୁକ୍ତି ବାଢ଼ିଛନ୍ତି । ହାରାବତୀ ଓ ଅର୍ଜୁନଙ୍କ ଉକ୍ତିପ୍ରତ୍ୟୁନ୍ତି କବି ଜଗନ୍ନାଥ ପାଣିଙ୍କ ଲେଖନୀରେ ଅତ୍ୟନ୍ତ ସଜୀବ ହୋଇ ଉଠିଛି । ଯଥା:-

 

ଅର୍ଜୁନ

-

‘‘ଅର୍ଜୁନ କହଇ ଶୁଣ ଚନ୍ଦ୍ରମୁହିଁ ମୋହର ଅଛି ନିୟମ

 

 

ପରର ସମ୍ପତ୍ତି ପର ଦାନବୃତ୍ତ ନ ହରଇ ପରସ୍ତୀରୀ ପର ଧନରେ ସୁନ୍ଦରୀ ।’’

ହାରାବତୀ

-

ପରସ୍ତିରୀ ନୁହେଁ ଅବିବାହୀ ମୁହିଁ ପ୍ରଥମ ବିରହ ଯୁବା

 

 

ଏ ନବ ଯୌବନ ତୁମକୁ ପ୍ରଦାନ କରିଦେବି ମୋତେ ହୁଅ ତୁମ୍ଭେ ବିଭା ହେ ଅର୍ଜୁନ-।

ଅର୍ଜୁନ

-

ରମ୍ଭା ପରା ତୋର ଜନନୀରେ ଧୀରା ଇନ୍ଦ୍ର ପ୍ରିୟ ବିଳାସିନୀ

 

 

ସେ ଇନ୍ଦ୍ର ମୋହର ସହୋଦର ପିତା ବିଧିରେ ତୁ ହୋଇଲୁ ମୋର ଭଉଣୀ ରେ ସୁନ୍ଦରୀ ।’’

ହାରାବତୀ

-

ଯାଚିଲା ଯୌବନ ରୁଚିଲା ଭୋଜନ ପାଚିଲା ଫଳ ଶ୍ରୀଧନ

 

 

ହେଳାକରି ୟାକୁ ଖୋଜିଲେ ପଛକୁ କାଳକାଳ ନମିଳେ ଏ ମାନ ହେ ସୁନ୍ଦର ।’’

(ହାରାବତୀ ହରଣ, ଏକବିଂଶ ଛାନ୍ଦ, ଜଗନ୍ନାଥ ପାଣି ଗ୍ରନ୍ଥାବଳୀ, _ ୧ମ ଛାନ୍ଦ, ୧୯୮୩, ପୃ-୨୯୪, ୨୯୫)

 

ନାରୀ କେବେ କାହାର କୌଣସି ପ୍ରତ୍ୟାଖ୍ୟାନକୁ ଭୃକ୍ଷେପ କରେନାହିଁ । କଳେ ବଳେ କୌଶଳେ ସେ ତା’ର ଅଭୀପ୍‌ସା ଚରିତାର୍ଥ କରେ । ଏଠାରେ ମଧ୍ୟ ଅନୁରୂପ ଅବସ୍ଥା ଘଟିଛି । ‘‘ସୁଭଦ୍ରା ପରିଣୟ’’ରେ ମାୟାବତୀଙ୍କ ସହାୟତାରେ ମନ୍ତ୍ର ପ୍ରୟୋଗ ପୂର୍ବକ ଯେପରି ଅର୍ଜୁନଙ୍କୁ ପ୍ରେମାଞ୍ଜନ ଲଗାଇ ସୁଭଦ୍ରାର ପ୍ରେମ ନିମନ୍ତେ ମୋହଗ୍ରସ୍ତ କରାଯାଇଛି, ଠିକ୍‌ ସେହିପରି ‘ହାରାବତୀ ହରଣ’ରେ ମୋହିନୀରୂପୀ ଶ୍ରୀକୃଷ୍ଣଙ୍କ ମନ୍ତ୍ର ଅର୍ଜୁନଙ୍କ ମନପ୍ରାଣରେ କାମ ଜର୍ଜରିତ କରାଇଛି । ଫଳରେ ହାରାବତୀର ପ୍ରୀତପ୍ରାପ୍ତ ହୋଇଅଛି । ଏଥିରୁ ସ୍ପଷ୍ଟ ଅନୁମିତ ହୁଏ ଯେ ନାରୀର ଇଚ୍ଛା, ନାରୀର ପ୍ରେମ, ନାରୀର ଚେଷ୍ଟା, ନାରୀର କଳକୌଶଳ ବ୍ୟର୍ଥ ହୁଏନାହିଁ । ପରିଶେଷରେ ତାର ଇଚ୍ଛା, ତା’ର କାମନାହିଁ ସଫଳ ଲାଭ କରେ । ନାରୀର ଏହି ଚାରିତ୍ରିକ ଚିତ୍ର ଜଗନ୍ନାଥ ପାଣିଙ୍କ ଲେଖନୀରେ ବେଶ୍‌ ମଂଜୁଳ ପରିପାଟୀରେ ଅଙ୍କିତ ହୋଇପାରିଛି ।

 

ଅନାବିଳ ପ୍ରେମ ପ୍ରଣୟର ଧାରା :

କବି ଜଗନ୍ନାଥ ପାଣିଙ୍କ ‘ଉଷାବତୀ ହରଣ’, ‘ରୁକ୍ମିଣୀ ପରିଣୟ’ ଆଦି ରଚନାରେ ରୁକ୍ମିଣୀ, ଉଷାବତୀ ପରି ଯୁବତୀମାନେ ପ୍ରଥମରୁହିଁ ମନର ପୁରୁଷକୁ ନିଜର କରି ପ୍ରାପ୍ତ ହୋଇଛନ୍ତି-। ଏଠି କୌଣସି ମନ୍ତ୍ରଯନ୍ତ୍ର ବା ବିଶେଷ କଳକୌଶଳ କରିବାର ଆବଶ୍ୟକତା ପଡ଼ିନାହିଁ-। ଏଠି ନାରୀ ପାଇଁ ପୁରୁଷର ପ୍ରେମଦାନରେ ବାଧାନାହିଁ କି ପ୍ରତିବନ୍ଧକ ନାହିଁ । ଏଠି ନିଜର ପ୍ରେମିକ ତଥା ମନର ମଣିଷକୁ ପାଇବାକୁ ନାରୀର ଚେଷ୍ଟା, ନାରୀର କାମନା ପ୍ରଥମରୁ ହିଁ ସଫଳ ହୋଇଛି । ନାରୀ ଗୋପନରେ ଦୂତ ପ୍ରେରଣ କରି ପୁରୁଷକୁ ନିଜ ପାଖକୁ ଅଣାଇ ତା’ର ସାନିଧ୍ୟ ଓ ପ୍ରେମର ଆସ୍ଵାଦନ ଲାଭ କରିଛି । ‘ଉଷାବତୀ ହରଣ’ରେ ଉଷାବତୀ ଅନିରୁଦ୍ଧ ସହ ସ୍ଵପ୍ନରେ ମିଳିତ ହୋଇଛି-। କିନ୍ତୁ ପର ମୁହୂର୍ତ୍ତରେ ସ୍ଵପ୍ନ ଅପସରି ଯିବାପରେ ସ୍ଵପ୍ନ ପୁରୁଷ ଅନିରୁଦ୍ଧଙ୍କୁ ନପାଇ ବ୍ୟସ୍ତ ବିବ୍ରତ ହୋଇଛି । ସଖୀ ଚିତ୍ରରେଖା ଯେତେ ସାନ୍ତ୍ଵନା ଦେଲେ ମଧ୍ୟ ପ୍ରେମ ବାତୁଳୀ ଉଷାବତୀ ଧୈର୍ଯ୍ୟ ଧରିପାରିନି କବି ଜଗନ୍ନାଥ ପାଣିଙ୍କ ଭାଷାରେ ଚିତ୍ରରେଖା ଓ ଉଷାବତୀର ଉକ୍ତି ପ୍ରତ୍ୟୁକ୍ତି ଅତ୍ୟନ୍ତ ମନୋରମ ହୋଇଉଠିଛି, ଯାହାକି ନାରୀର ଅବ୍ୟକ୍ତ ପ୍ରେମ ଓ ମନର ପୁରୁଷକୁ ପାଇବାର ବ୍ୟାକୁଳତା ପ୍ରତିପାଦନ କରେ ଯଥା :-

 

ଉଷାବତୀ

-

‘‘କି ଧୈର୍ଯ୍ୟ ଧରିବି ସଖୀ ମଦନ ଜ୍ଵାଳାକୁ

 

 

ମରମ ବିଦାରେ ମୋର ସେ କାଳ କାଳକୁ ।

ଚିତ୍ରରେଖା

-

ରାଜାଧିରାଜଙ୍କ ଜେମା କୁଳେ ତୁ ଚନ୍ଦ୍ରମା

 

 

କୋଟି ବ୍ରହ୍ମାଣ୍ଡରେ ତୋତେ ନାହିଁ ତୋ ଉପମା

ଉଷାବତୀ

-

ବଡ଼ ଦାରୁଣ ହୃଦୟ ପିତାମାତାଙ୍କର ।

 

 

ଏ ଜନ୍ମ ବିଅର୍ଥେ ଗଲା ନବରିଲେ ବର ।

ଚିତ୍ରରେଖା

-

ବଡ଼ ଘର କଥା ବଡ଼ ଗହନକୁ ଯିବା

 

 

ବଡ଼ ବର ହେଲେ ତୋତେ ଦେବେ ସିନା ବିଭା’’ ଇତ୍ୟାଦି

(ଉଷାବତୀ ହରଣ, ୬ଷ୍ଠ ଛାନ୍ଦ, ଜଗନ୍ନାଥ ପାଣି ଗ୍ରନ୍ଥାବଳୀ, ୧ମ ଖଣ୍ଡ, ପୃ: ୭)

 

ସୁତରାଂ ପତି ହିଁ ନାରୀର ପ୍ରଧାନ କାମ୍ୟ, ପରମ ଆରାଧ୍ୟ ଏବଂ ପତି ବିନା ନାରୀର ଜୀବନ ବ୍ୟର୍ଥ ଓ ଅଖଣ୍ଡ ଶୂନ୍ୟତାରେ ଜୀବନ ହାହାକାର କରି ଉଠେ ବୋଲି କବି ଜଗନ୍ନାଥ ଅତି ଚମତ୍କାରଭାବେ ଏଠାରେ ପ୍ରମାଣିତ କରିଛନ୍ତି ।

 

ଉଷାବତୀର ସଖୀ ଚିତ୍ରରେଖା ନିଜର ବୁଦ୍ଧି ବିନିଯୋଗ କରି ନିଜେ ଦୂତୀର ଭୂମିକା ଗ୍ରହଣକରି ପୂର୍ବରୁ ଆୟତ କରିଥିବା ବଶୀକରଣ ବିଦ୍ୟା ବଳରେ ଅନିରୁଦ୍ଧକୁ ମୋହକରି ଆଣି ଉଷା ନିକଟରେ ପହଞ୍ଚାଇଛି ଏବଂ ଉଷା ଅନିରୁଦ୍ଧକୁ ପାଇ ନିଜର ଦେହମନ ସର୍ବସ୍ଵ ଦାନକରି ନିଜର କରିପାରିଛି । ପିତା ବାଣାସୁର ଶିବପୁତ୍ର କାର୍ତ୍ତିକେୟଙ୍କୁ ମନେମନେ ବରଣ କରିଥିଲେ ମଧ୍ୟ ତାହା ନାରୀର ଗଭୀର ପ୍ରେମ ଓ ପ୍ରେମ ନିମନ୍ତେ ଅପୂର୍ବ ତ୍ୟାଗ ନିକଟରେ ସଙ୍ଗଠିତ ହୋଇପାରି ନାହିଁ ।

 

ଠିକ୍‌ ସେହିପରି ‘ରୁକ୍ମିଣୀ ପରିଣୟ’ରେ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କୁ ସ୍ଵପ୍ନରେ ଦେଖ ତାଙ୍କୁ ମନେମନେ ନିଜର ପତି ପୁରୁଷ ରୂପେ ବରିନେଇଛି । କିନ୍ତୁ ରୁକ୍ମିଣୀର ଅଗ୍ରଜ ରୁକ୍ମଣ ଦମଘୋଷ ନୃପତ୍ତିଙ୍କ ଜ୍ୟେଷ୍ଠପୁତ୍ର ଶିଶୁପାଳକୁ ବରଣ କରିଛି । ସଖୀ ସୁମେଧାଠାରୁ ଏ ସମ୍ବାଦପାଇ ଅତ୍ୟନ୍ତ ବ୍ୟସ୍ତ ହୋଇପଡ଼ିଛି ରୁକ୍ମିଣୀ । ତା’ପରେ ସୁମେଧାର ପରାମର୍ଶକ୍ରମେ ଜଣେ ବିପ୍ର ହସ୍ତରେ ଶ୍ରୀକୃଷ୍ଣଙ୍କୁ ପତ୍ରଲେଖି ପ୍ରେରଣ କରନ୍ତେ ଶ୍ରୀକୃଷ୍ଣ ନିଜେ ଆସି ରୁକ୍ମିଣୀଙ୍କୁ ଘେନି ଯାଇଛନ୍ତି । ଏ କ୍ଷେତ୍ରରେ ନାରୀର ପ୍ରେମ ନିବେଦନକୁ ପୁରୁଷ ଆଦରରେ ପ୍ରଥମରୁହିଁ ଗ୍ରହଣ କରିନେଇଛି ।

 

ନାରୀ ଚରିତ୍ରରେ କଳହ ଓ ପ୍ରତିଯୋଗିତା :

ଗୋଟିଏ ପୁରୁଷଙ୍କୁ ପାଇବା ପାଇଁ ନାରୀ ନାରୀ ମଧ୍ୟରେ ପ୍ରତିଯୋଗିତା ଜଗନ୍ନାଥ ପାଣିଙ୍କ ଛାନ୍ଦନାଟ୍ୟରେ ଅଭାବ ନାହିଁ । ପାରିଜାତ ହରଣ, ଦକ୍ଷଯଜ୍ଞ, ମାନଭଞ୍ଜନ, ଧ୍ରୁବ ଚରିତ ଆଦି ଛାନ୍ଦନାଟ୍ୟରୁ ଦୃଷ୍ଟାନ୍ତ ନିଆଯାଇପାରେ । ଗୋଟିଏ ପୁରୁଷର ପ୍ରେମପ୍ରାପ୍ତି ନିମନ୍ତେ ନାରୀ ନାରୀ ମଧ୍ୟରେ କଳହ ତଥା ନାନାଦି କୁଟିଳ ଚକ୍ରାନ୍ତ କରିବାକୁ ନାରୀ ପଶ୍ଚାତ୍‌ପଦ ହୋଇନାହିଁ । ‘ପାରିଜାତ ହରଣ’ରେ ନାରଦଙ୍କ ପ୍ରରୋଚନାରେ ସତ୍ୟଭାମା ସପତ୍ନୀ ରୁକ୍ମିଣୀ ବିରୁଦ୍ଧରେ ଷଡ଼ଯନ୍ତ୍ର କରି ଶ୍ରୀକୃଷ୍ଣଙ୍କ ସାନିଧ୍ୟ ପାଇଁ ତତ୍‌ପର ହୋଇଉଠିଛି । ଏଠାରେ କବି ଜଗନ୍ନାଥ କାମନାକୁ ଚରିତାର୍ଥ କରିବା ନିମନ୍ତେ ନାରୀର ହୀନମନ୍ୟତାକୁ ଅତ୍ୟନ୍ତ ସୁନ୍ଦରଭାବେ ଚିତ୍ରଣ କରିଅଛନ୍ତି । ‘ଧ୍ରୁବ ଚରିତ’ରେ ସୁନୀତି ବିରୁଦ୍ଧରେ ସୁରୁଚିର ହୀନ ଚକ୍ରାନ୍ତ ମଧ୍ୟ ଅନୁରୂପ ଦୃଷ୍ଟାନ୍ତ ଭାବେ ନିଆଯାଇପାରେ ଏବଂ ସୁରୁଚିକୁ ଖଳନାୟିକା ଭାବେ ପ୍ରତିପାଦନ କରାଯାଇପାରେ ।

 

ଏତଦ୍‌ବ୍ୟତୀତ କବି ଜଗନ୍ନାଥ ପାଣିଙ୍କ ଛାନ୍ଦନାଟ୍ୟରେ ନାରୀ କେତେକ କ୍ଷେତ୍ରରେ ଗ୍ରାମ୍ୟ ମହିଳା ତଥା କଳିହୁଡ଼ି ନାରୀର ଭୂମିକା ଗ୍ରହଣ କରିଛି । ଏ କ୍ଷେତ୍ରରେ କବି ଜଗନ୍ନାଥ ପୌରାଣିକ ଚରିତ୍ରମାନଙ୍କୁ ଓହ୍ଲାଇ ଆଣିଛନ୍ତି ଏଇ ଧୂଳି ଧରଣୀକୁ । ସାଧାରଣ ଭାବେ ଗ୍ରାମରେ ଅଶିକ୍ଷିତା, ଅର୍ଦ୍ଧ ଶିକ୍ଷିତା ନାରୀମାନଙ୍କ ମଧ୍ୟରେ କଳହ ହେବାର ଦୃଷ୍ଟାନ୍ତ ଅଭାବ ନଥାଏ । ସେହି ପରିପ୍ରେକ୍ଷୀରେ ଗ୍ରାମବାସୀଙ୍କ ହୃଦୟରେ ଆନନ୍ଦ ତଥା ଉତ୍କଣ୍ଠା ସୃଷ୍ଟି କରିବା ନିମନ୍ତେ ବୋଧହୁଏ ସେ କେତେକ ସ୍ଥାନରେ ନାରୀଙ୍କୁ ଉଗ୍ର, କଟୁଭାଷିଣୀ, କଳିହୁଡ଼ି ଭାବେ ଚିତ୍ରଣ କରିଅଛନ୍ତି । ପୌରାଣିକ ଚରିତ୍ର ହେଲେ ମଧ୍ୟ ତାହା ଏପରି ସୁନ୍ଦର ଭାବେ ଅଙ୍କିତ ହୋଇଅଛି ଯେପରି ତାହା ଗ୍ରାମୀଣ ଜନତାଙ୍କୁ ଖୁବ୍‌ ସହଜରେ ଚିତ୍ତସ୍ପର୍ଶ କରିପାରିବ । ଏହା ସାମାନ୍ୟ ଅସ୍ଵାଭାବିକ ଏବଂ ପାତ୍ରାଭିମୁଖୀ ସଂଳାପ ମନେ ନ ହେଉଥିଲେ ମଧ୍ୟ ସାମଗ୍ରିକଭାବେ ନାଟକର ଅଙ୍ଗସୌଷ୍ଟବର ହାନି ପରିଲକ୍ଷିତ ହୁଏ ନାହିଁ । ବିଶେଷତଃ ଜଗନ୍ନାଥ ପାଣି ଯେହେତୁ ଜଣେ ଲୋକକବି ତଥା ପ୍ରବୀଣ ଲୋକନାଟ୍ୟକାର, ତେଣୁ ଲୋକମାନଙ୍କୁ ଆଖି ଆଗରେ ରଖି ତତ୍କାଳୀନ ଲୋକମାନଙ୍କ ମନକୁ ସୁହାଇଲା ଭଳି ଚିତ୍ରମାନ ଅଙ୍କନ କରିଛନ୍ତି । ଯଥା:-

 

‘ଦକ୍ଷଯଜ୍ଞ’ ଛାନ୍ଦନାଟ୍ୟରେ ଶିବଙ୍କର ବେନି ପତ୍ନୀ ଗଙ୍ଗା ଓ ଗୌରୀଙ୍କ କଟୁପୂର୍ଣ୍ଣ ଉକ୍ତି ପ୍ରତ୍ୟୁକ୍ତି ଦୃଷ୍ଟାନ୍ତ ନିଆଯାଇପାରେ ।

 

ଗଙ୍ଗା

-

‘‘ରାଜଜେମା ହୋଇ ଲାଜ ତୋର ନାହିଁ

 

 

ଦେଖାଉ ମୁହଁ ଆହୁରି ଲୋ

 

 

ବାରବୁଲି ଗଉରୀ

 

 

ଯାଆ ଯାଆ ମୋ ଘରୁ ବାହାରି ଲୋ…

ଗୌରୀ

-

ଆଲୋ ଭାଗିରଥୀ ଅଭାଗୀଦୂର୍ମତି

 

 

କି ଭାଙ୍ଗି ଦେଲି ମୁଁ ତୋର

 

 

କାହାକୁ ଅଲଜ୍ଜା କହୁଲୋ ନିର୍ଲଜ

 

 

ଜଳ ଜଳ ଜଳାଧାର ଲୋ

 

 

ପଳା ପଳା ଭସାଣୀ

 

 

ଫଳା ଫଳ ଦେବି ଏହି କ୍ଷଣି ଲୋ ।

ଗଙ୍ଗା

-

କି କହିଲୁ କି କହିଲୁ ଆଉ ଥରେ

 

 

କହିଲୁ ଲୋ କଳିହୁଡ଼ି

 

 

କାଲି ତୋହ ପାଇଁ ଶିବଙ୍କୁ ସଭାରେ

 

 

ଦକ୍ଷ ଦେଲା ପରି ତଡ଼ିଲୋ

 

 

କେଡ଼େ କଳଙ୍କ ହେଲା,

 

 

ସ୍ତିରୀ ହୋଇ ତୁ ହେଲୁ ଲଙ୍ଗଳା ଲୋ ।

x      x      x

ଗୌରୀ

-

ସ୍ୱାମୀ ଦ୍ରୋହୀ ମୁହିଁ ପତିବ୍ରତା ତୁହି

 

 

ଜାଣନ୍ତି ଜଗତ ଜନ

 

 

ତୋହପରି ମୁହିଁ ସ୍ୱାମୀର ମୁଣ୍ଡରେ

 

 

ଚଢ଼େ ନାହିଁ ରାତିଦିନ ଲୋ

 

 

ଭୋଳା ମହେଶ୍ଵରଙ୍କୁ

 

 

ଛାଡ଼ି ଭଜିଲୁ ରତ୍ନାକରକୁ ଲୋ... ’’ । ଇତ୍ୟାଦି

(ଦକ୍ଷଯଜ୍ଞ, ୪ ର୍ଥ ଛାନ୍ଦ, ଜଗନ୍ନାଥ ପାଣି ଗ୍ରନ୍ଥାବଳୀ, ୧ମ ଖଣ୍ଡ, ପୃ-୧୬୬ ଓ ୧୬୭)

 

ସେହିପରି ‘‘ପାରିଜାତ ହରଣ’ରେ ଶଚୀ ଓ ସତ୍ୟଭାମାଙ୍କ କଳହ ସପତ୍ନୀ କଳହ ନ ହେଲେ ମଧ୍ୟ ସଂଳାପରେ ସେହିପ୍ରକାର ଗ୍ରାମୀଣ ଭାଷାର ସଂଯୋଜନା ଦେଖିବାକୁ ମିଳେ । ଯଥା-:

 

ଶଚୀ

-

ଇନ୍ଦ୍ରାଣୀ ବିନୁ ଏ ଫୁଲ ନ ଲଭନ୍ତି କେହି

 

 

ମାନବୀ ହୋଇ ତୁ ମାଗୁ ମୁଖେ ଲାଜ ନାହିଁ

 

 

ସତ୍ୟଭାମା-ଅମର ବୈକୁଣ୍ଠ ମର୍ତ୍ତେ ଦ୍ଵାରିକା ନଗର

 

 

କୋଟି ଇନ୍ଦ୍ର ଯହିଁ ଭୃତ୍ୟ ଏ ଫୁଲ କି ଛାର

ଶଚୀ

-

ଏଡ଼େ ଭାଗ୍ୟ କାହିଁ ତୋର କି ତପ କଲୁକି

 

 

ଦରିଦ୍ରାଣୀ ହୋଇ ମାଗୁ ଇନ୍ଦ୍ର ସମ୍ପତ୍ତିକି ।

 

 

ସତ୍ୟଭାମା-ରାକ୍ଷସୀ ପ୍ରକୃତି ତୋର ଜନ୍ମାନ୍ତେ ନ ଯିବ

 

 

ଇନ୍ଦ୍ର ରାଣୀ ହେଲୁ ଆସି ନ ଗଲା ସ୍ୱଭାବ । ’’ ଇତ୍ୟାଦି

(ପାରିଜାତ ହରଣ, ପଞ୍ଚଦଶ ଛାନ୍ଦ, ଜଗନ୍ନାଥ ପାଣି ଗ୍ରନ୍ଥାବଳୀ, ୧ମ ଖଣ୍ଡ-୧୯୮୩, ପୃ-୩୨୪)

 

ଠିକ୍‌ ସେହିପରି ମାନଭଞ୍ଜନରେ କୃଷ୍ଣପ୍ରେମରେ ବାତୁଳୀ ରାଧାଙ୍କୁ ଆକଟ କରିବା ଛଳରେ କୁଟିଳା କଳହ କରିଛି । ତେଣୁ ଶ୍ରୀରାଧା ଓ କୁଟିଳା ଉଭୟଙ୍କ ମଧ୍ୟରେ ବେଶ୍‌ ତିକ୍ତପୂର୍ଣ୍ଣ ସଂଳାପ ସଂଯୋଜନା କରି କବି ଜଗନ୍ନାଥ ଉଭୟ ଚରିତ୍ରକୁ ବେଶ୍‌ ରସାଣିତ କରିବା ସଙ୍ଗେ ସଙ୍ଗେ ଦର୍ଶକଙ୍କ ଚିତ୍ତ ଜୟ କରିବାରେ ସକ୍ଷମ ହୋଇପାରିଛନ୍ତି । ଯଥା –

 

କୁଟିଳା

-

‘‘କହଇ କୁଟିଳା ମୋ ମୁହଁ ଛୁଟିଲା ଫାଟିଲା କପାଳ ତୋର

 

 

କାଟିଲା ଘାଆରେ ବାଟିଲା ଚୂନକୁ ଉଠିଲାରୁ ଦେଉ ମୋର ଲୋ

 

 

କୁଳ କଳଙ୍କି ତୁହି, ଲାଜନାହିଁ ରାଜସୁତା ହୋଇ ।

 

 

x      x      x

ରାଧା

-

ଦାସୀ ପରି ଆସି ମୋହ ଘରେ ପଶି ଦିବାନିଶି ବସି ଖାଉ

 

 

ଅଡ଼ିଶା ଲଗାଇ ପଡ଼ିଶା ଦୁଆରେ ମୋହରି ଚୁଗୁଲି କହୁ ଲୋ

 

 

ଦେଖି ସ୍ୱଭାବ ତୋର, ଡରେ ଭଣଜା ନ ଆସେ ମୋର ।

କୁଟିଳା

-

ହଟହଟା କଲୁ ହାଟ ବସାଇଲୁ ହଟିଆ ସଙ୍ଗତେ ମାତି

 

 

ଜାତି ପାଟକରେ ମନା ହେଲା ତୋତେ ନ ଛାଡ଼ିଲୁ ଶ୍ୟାମପ୍ରୀତି’’ ଇତ୍ୟାଦି

(ମାନଭଞ୍ଜନ- ସପ୍ତମ ଛାନ୍ଦ, ଜଗନ୍ନାଥ ପାଣ ଗ୍ରନ୍ଥାବଳୀ - ୧ମ ଖଣ୍ଡ- ୧୯୮୩, ପୃ-୯୦, ୯୧)

 

ଗ୍ରାମ୍ୟ ନାରୀ ଓ ନିମ୍ନବର୍ଗର ଚିତ୍ର :

ଏତଦ୍‌ବ୍ୟତୀତ ‘ସୀତା ବନବାସ’ରେ ରଜକ ସହ ରଜକୀର କଳହ ଅତ୍ୟନ୍ତ ଜୀବନ୍ତ ଏବଂ ତାହା ଗ୍ରାମ୍ୟ ସଭ୍ୟତାର ଏକ ସାମାଜିକ ଚିତ୍ର ବହନ କରେ । ଏଠାରେ ନାରୀ ପୁରୁଷ ନିକଟରେ ପ୍ରତିବାଦ କରିଛି ନିଜର ସ୍ଥିତି ପାଇଁ ଓ ନିଜର ଅଧିକାର ପାଇଁ । ଯୁଗେ ଯୁଗେ ପୁରୁଷ ନାରୀକୁ ସନ୍ଦେହ କରିଆସିଛି । ଆକ୍ଷେପ କରି ଆସିଛି । ‘ସୀତା ବନବାସ’ରେ ରଜକ ରଜକୀକୁ ଚରିତ୍ରହୀନା ବୋଲି ଦୋଷାରୋପ କରିବାରୁ ରଜକୀ ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରିବାକୁ ଯୁକ୍ତି କରିଛି । ନାରୀ ଯେଉଁ ଅବସ୍ଥାରେ ଥିଲେ ବି, ଯେତେ ସନ୍ତୁଳନ, ଯେତେ ସଙ୍କଟରେ ଗତି କରୁଥିଲେ ବି ସେ ନିଜକୁ ନିଜ ସ୍ଥିତିରେ ସୁଦୃଢ଼ ରଖିବାକୁ ଯେ ଏକନିଷ୍ଠଭାବେ ଉଦ୍ୟମ କରିପାରେ, ଏହା ‘ସୀତା ବନବାସ’ ଛାନ୍ଦନାଟ୍ୟରେ ରଜକ ରଜକୀ ପରିପ୍ରେକ୍ଷୀରେ ଜଗନ୍ନାଥ ପାଣି ଅତ୍ୟନ୍ତ ସୁନ୍ଦରଭାବେ ଅବତାରଣା କରିଛନ୍ତି । ଯଥା :-

 

ରଜକୀ

-

‘‘ରଜକେ ରଜକୀ କହଇ କାହିଁକି ବିନାଦୋଷେ ମୋତେ ମାରୁ

 

 

କେଉଁ ଅପରାଧ କଲି ମୁଁ ତୋହର ମୋତେ କାଢ଼ିଦେଉ ଘରୁ

 

 

ଆରେ ଅଜ୍ଞାନୀ ନର, ମନ୍ଦ ମତି ମଦଖିଆ ଚୋର

ରଜକୀ

-

ଜାତି ପାଟକରେ ବେଭାର ଆମ୍ଭର କେବେ ନ ରଖିବି ତୋତେ

 

 

ଦୋଚାରୀ ସ୍ତିରୀକୁ ରଖିଲେ ଗୃହରେ ଅପବାଦ ହେବ ମୋତେ

 

 

ମୋ ଘରୁ ବାହାର, ତୋହଠାରେ କାର୍ଯ୍ୟ ନାହିଁ ମୋର

 

 

କାହାକୁ ଦୋଚାରୀ କହୁରେ ଆଚାରୀ କି ମନ୍ଦ ଦେଖିଲୁ ମୋର

 

 

ତୋହପରି ମୁଁ କି ରାତିସାରା ଯାଇ ବୁଲୁଥାଇ ଘର ଘର

 

 

ଯେଉଁ ଅନୀତି ତୋର, କେଉଁ ସରୀ ସହିବ ମହୀର ।

(ସୀତା ବନବାସ, ସପ୍ତମ ଛାନ୍ଦ, ଜଗନ୍ନାଥ ପାଣି, ୧ମ ଖଣ୍ଡ, ପୃ-୪ ୯)

 

କାରୁଣ୍ୟର ଛତ୍ରେଛତ୍ରେ ନାରୀର ସତ୍ୟମୟ ଦୃଶ୍ୟପଟ୍ଟ :

ଜଗନ୍ନାଥ ପାଣିଙ୍କ ଛାନ୍ଦନାଟ୍ୟ ‘ସୀତା ବନବାସ’ରେ ସୀତାଙ୍କର ଚରିତ୍ର ଏବଂ ‘କପଟପଶା’ରେ ଦ୍ରୌପଦୀଙ୍କର ଚରିତ୍ର ଦୁଇଟି ନିଷ୍କଳଙ୍କ ଚରିତ୍ର । ଦୁହେଁଯାକ ମୁଖ୍ୟନାୟିକା ଏବଂ ଦୁହିଁଙ୍କ ଚରିତ୍ରର ଚିତ୍ର କାରୁଣ୍ୟର ଅଫୁରନ୍ତ ନିର୍ଝର ନିର୍ଗତ କରାଏ । ସୀତାଙ୍କର ନିର୍ବାସନ ଦଣ୍ଡର ମର୍ମବିଦାରକ ଚିତ୍ର ବା ଦୃଶ୍ୟ ଯେପରି ପାଠକ ଓ ଦର୍ଶକଙ୍କ ପ୍ରାଣରେ ଅଫୁରନ୍ତ କାରୁଣ୍ୟର ଝର ବୁହାଇଦିଏ, ଠିକ୍‌ ସେହିପରି ‘କପଟପଶା’ରେ ଦ୍ରୌପଦୀଙ୍କୁ ଦୁଃଶାସନର ବିବସନା ବେଳର ଦୃଶ୍ୟ ଓ ଦ୍ରୌପଦୀଙ୍କ କାତର ପ୍ରାର୍ଥନା ସଭିଙ୍କ ଚକ୍ଷୁରେ ଲୋତକଧାର ସୃଷ୍ଟି କରାଏ । ଉଦାହରଣ ସ୍ୱରୂପ, ଦ୍ରୌପଦୀ କହିନ୍ତି :-

 

‘‘ମୁହିଁ ଦ୍ରୁପଦ ରାଜନନ୍ଦିନୀ

ହୋଇ ଅଭାଗିନୀ ହିନିମାନୀ

ଅତି ଆରତରେ ଏ କୁରୁ ସଭାରେ

ଡାକୁଅଛି ଚକ୍ରପାଣି ହେ ଶ୍ରୀହରି...

ଆହେ ଶରଣ ରକ୍ଷଣ ହରି

ଦୀନବନ୍ଧୁ ଅନ୍ତର୍ଯ୍ୟାମୀ ହରି

ଏ ଲଜ୍ଜା ସାଗରୁ କରୁଣା ସାଗର

କୃପା କଣିକାରେ କର ପାରି ହେ ଶ୍ରୀହରି

ଦୁଷ୍ଟ ଦୁର୍ଯ୍ୟୋଧନ ହିଂସାକରି

ବଳାତ୍କାରେ ଆଣିଅଛି ଧରି

ବିନା ଅପରାଧେ ରାଜ ସଭା ମଧ୍ୟେ

ମୋତେ ଉଲଗ୍ନ କରଇ ଧରି ହେ ଶ୍ରୀହରି

ଦେଖ ଦେଖ ଦୁଷ୍ଟ ଦୁଃଶାସନ ।

ବଳେ କରୁଅଛି ବିବସନ

ଅବଳା ସ୍ୱଭାବେ ନାହିଁ ବଳ ଏବେ

ରଖ ରଖ ଯାଉଛି ଜୀବନ ହେ ଶ୍ରୀହରି ।

ପୂର୍ବେ ହରିଣୀ ବିପଦକାଳେ

ରକ୍ଷା କରିଛ ଗଜେନ୍ଦ୍ର ଜଳେ

ହେ ଆରତତ୍ରାଣ ଅରକ୍ଷ ରକ୍ଷଣ

ତହୁଁ ମୋ ଉଲଗ୍ନ ଦୁଃଖ ବଳେ ହେ ଶ୍ରୀହରି ।

(କପଟ ପାଶା, ବିଂଶ ଛାନ୍ଦ, ଜଗନ୍ନାଥ ପାଣି ଗ୍ରନ୍ଥାବଳୀ, ୧ମ ଛାନ୍ଦ ପୃ-୩୯୩, ୩୯୪)

 

ସତ୍‌ପଥରେ ପତ୍ନୀର ପତିକୁ ଉପଦେଶ :

ଜଗନ୍ନାଥ ପାଣିଙ୍କ ତୂଳୀରେ ମନ୍ଦୋଦରୀ ଆଉ ଏକ ଚମତ୍କାର ଅଙ୍କନ । ମହାଐଶ୍ଵର୍ଯ୍ୟବାନ୍‌, ପରମ ବିକ୍ରମଶାଳୀ, ମହାଯୋଦ୍ଧା, ଲଙ୍କପତି ଦଶାନନ ରାବଣର ଧର୍ମପତ୍ନୀ ଭାବରେ ମନ୍ଦୋଦରୀ କେବେ ଗର୍ବ ବା ଦମ୍ଭରେ ବଶବର୍ତ୍ତୀ ହୋଇନାହିଁ ବରଂ ଜୀବନର ପ୍ରତି ମୁହୂର୍ତ୍ତରେ ସ୍ୱାମୀଙ୍କୁ ସତ୍‌ପଥରେ ଚଳିବାକୁ ଉପଦେଶ ପ୍ରଦାନ କରିଛି । କବିଙ୍କ ଭାଷାରେ ତାହା ଅତ୍ୟନ୍ତ କମନୀୟ ଓ ନିଖୁଣ ହୋଇପାରିଛି । ଯଥା:-

 

‘‘ପଦ୍ମପ୍ରିୟ ବଂଶୀରାମ ରାଜୀବଲୋଚନ

ସେ କିମ୍ପା ଦହିବେ ତୁମ୍ଭ ବଂଶ ପଦ୍ମବନ

ହେ ପ୍ରାଣଧନ, ସୀତ ଶୀତ ରତୁ କଲା ସମୁଳେ ଦହନ

x      x      x

ମୋହ କଥା ମାନି ମୋହ ଛାଡ଼ ନୃପବର

ଶ୍ରୀରାମ ଚରଣେ ସୀତା ସମର୍ପଣ କର

ହେ ପ୍ରାଣଧନ, ଶରଣ ରଖିଲେ ନିଶ୍ଚେ ରଖିବେ ଶ୍ରୀରାମ ।

x      x      x

ପରଦାରା ପ୍ରତି ପ୍ରୀତି କରା ପରମାଦ

ଆମ୍ଭ ସୌନ୍ଦର୍ଯ୍ୟ ତୃପତ ନ ହୁଏ କି ହୃଦ

ହେ ପ୍ରାଣଧନ, ଜଗତେ ବିଖ୍ୟାତ ହେବ ନାରୀ ଚୋର ନାମ ।

(ମହୀରାବଣ ବଧ, ୩ୟ ଛାନ୍ଦ, ଜଗନ୍ନାଥ ପାଣି ଗ୍ରନ୍ଥାବଳୀ, ୧ମ ଖଣ୍ଡ, ପୃ-୧୧୪ ଓ ୧୧୫)

 

କଷ୍ଟସହିଷ୍ଣୁ ଓ ସତ୍ୟାଶ୍ରିତା

କବି ଓ ନାଟ୍ୟକାର ଜଗନ୍ନାଥ ପାଣିଙ୍କ ସୃଷ୍ଟିରେ ନାରୀ ଅତ୍ୟନ୍ତ କଷ୍ଟସହିଷ୍ଣୁ, ସତ୍ୟନ୍ୟାୟରେ ଆଶ୍ରିତା ତଥା ଧର୍ମପରାୟଣାଭାବେ ଚିତ୍ରିତା । ସୀତା, ଦ୍ରୌପଦୀ, ରୁକ୍ମିଣୀ ଆଦିଙ୍କ ପରି ‘ପ୍ରହ୍ଲାଦ ଚରିତ’ରେ ରାଣୀ ବିଦ୍ୟୁଛାୟା ଓ ଧ୍ରୁବଚରିତରେ ସୁନୀତିଙ୍କର ସତ୍ୟଧର୍ମ ଆରାଧନା ନାରୀ ଚରିତ୍ରର ମହତ୍ତ୍ୱ‌ପ୍ରତିପାଦନ କରିବା ସଙ୍ଗେ ସଙ୍ଗେ ପାଠକ ଓ ଦର୍ଶକଙ୍କ ହୃଦୟରେ କାରୁଣ୍ୟର ବାରି ନିର୍ଗତ କରାଏ । ‘ପ୍ରହ୍ଲାଦ ଚରିତ’ରେ ରାଣୀ ବିଦ୍ୟୁଛାୟାର ସନ୍ତାନବତ୍ସଳତା ଓ ଧ୍ରୁବ ଚରିତରେ ସୁନୀତିର ପୁତ୍ରସ୍ନେହ, ମହୀରାବଣ ବଧରେ ମନ୍ଦୋଦରୀର ମାତୃ ହୃଦୟର ବିଳାପ ନାରୀର ମହତ୍ୱକୁ ପ୍ରକଟିତ କରିବା ସଙ୍ଗେ ସଙ୍ଗେ ନାରୀର ବାତ୍ସଲ୍ୟ ପ୍ରେମର ପରିଚୟ ପ୍ରଦାନ କରେ ।

 

ପାର୍ଶ୍ଵଚରତ୍ର ଓ ଖଳନାୟକା

‘ସୁଭଦ୍ରା ପରିଣୟରେ ସତ୍ୟଭାମା, ‘ପାରିଜାତ ହରଣ’ରେ ଶଚ୍ଚୀ, ‘ବିଲଙ୍କା ଚରିତ’ରେ ସୁରେଖୀ, ‘ଦକ୍ଷଯଜ୍ଞ’ରେ ଦକ୍ଷରାଣୀ ଓ ‘କପଟପାଶା’ ଛାନ୍ଦନାଟ୍ୟରେ କୁନ୍ତୀଙ୍କ ଚରିତ୍ର ପାର୍ଶ୍ଵଚରିତ୍ର ଭାବେ ଅଙ୍କିତ ହୋଇଥିବାବେଳେ ‘ସୀତା ବନବାସ’ରେ ମନ୍ଥରା ଓ ‘ଧ୍ରୁବଚରିତ’ରେ ସୁରୁଚି, ‘ଦକ୍ଷଯଜ୍ଞ’ରେ ଗଙ୍ଗା ଓ ‘ପାରିଜାତ ହରଣ’ରେ ସତ୍ୟଭାମା ଖଳନାୟିକା ଭାବେ ଚିତ୍ରିତା ହୋଇଛନ୍ତି ।

 

ବନ୍ଧୁପରାୟଣା ଓ ସ୍ୱାର୍ଥତ୍ୟାଗିନୀ ସହଚରୀ :

‘ହାରାବତୀ ହରଣ’ରେ କାମକଳା, ‘ଉଷାବତୀ ହରଣ’ରେ ଚିତ୍ରରେଖା, ‘ରୁକ୍ମିଣୀ ପରିଣୟ’ରେ ସୁମେଧା ଯଥାକ୍ରମେ ହାରାବତୀ, ଉଷାବତୀ ଓ ରୁକ୍ମିଣୀଙ୍କର ପ୍ରିୟସଖୀ ଭାବେ ଚିତ୍ରିତା-। ଏମାନେ ଯେପରି ସହିଷ୍ଣୁ ଓ ସ୍ୱାର୍ଥତ୍ୟାଗିନୀ ଠିକ୍‌ ସେହିପରି ବନ୍ଧୁପରାୟଣା ଏବଂ ପରୋପକାରୀ । ରାଜଜେମାଙ୍କର ସୁଖସମ୍ପୃଦ୍ଧି ନିମନ୍ତେ ସଖୀ ଭାବରେ ସବୁପ୍ରକାର ସ୍ୱାର୍ଥ ତ୍ୟାଗକରି ନିଜ ଜୀବନ ବିପନ୍ନ କରିବାକୁ ମଧ୍ୟ ସେମାନେ ପଶ୍ଚାତ୍‌ପଦ ହୋଇନାହାନ୍ତି । ଏପ୍ରକାର ଚରିତ୍ରମାନେ ଲୋକକବି ଓ ଲୋକନାଟ୍ୟକାର ଜଗନ୍ନାଥ ପାଣିଙ୍କ ଲେଖନୀରେ ବେଶ୍‌ ଜୀବନ୍ତ ପାରିପାଟୀରେ ଅଙ୍କିତ ହୋଇଅଛନ୍ତି ।

 

ଉପସଂହାର :

ସମଗ୍ର ସୃଷ୍ଟିର ଅନ୍ତରାଳେ ନାରୀ ସବୁ ସତ୍ୟର, ସବୁ ସମସ୍ୟାର ଓ ସବୁ ରହସ୍ୟର କେନ୍ଦ୍ରବିନ୍ଦୁ । ସେହି ପରିପ୍ରେକ୍ଷୀରେ କବି ଜଗନ୍ନାଥ ପାଣିଙ୍କ ତୂଳୀରେ ତାଙ୍କ ରଚିତ ଛାନ୍ଦନାଟ୍ୟମାନଙ୍କରେ ନାରୀ ସ୍ୱତନ୍ତ୍ର ପରିପାଟୀରେ ଚିତ୍ରିତା ହୋଇଅଛନ୍ତି । ଏହା ଯେ କବି ଜଗନ୍ନାଥ ପାଣିଙ୍କର ସ୍ୱକୀୟ ଅଙ୍କନଶୈଳୀ ତଥା ମୌଳିକତାର ପରିଚୟ ପ୍ରଦାନ କରେ, କହିବା ବାହୁଲ୍ୟ ମାତ୍ର-

 

 

ଚିତ୍ରକଳା,

ଏଲ- ୧୦୨, ବରମୁଣ୍ଡା ହାଉସିଂବୋର୍ଡ଼ କଲୋନୀ,

ଭୁବନେଶ୍ୱର

 

***